ଭୁବନେଶ୍ୱର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ୟୁକି ଓ ପିଜି ଶେଷ ବର୍ଷ ଫାଇନାଲ ସେମିଷ୍ଟାର ପଢୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ ଅଗଷ୍ଟ ମାସରେ ଅନ୍ଲାଇନ୍ ମାଧ୍ୟମରେ ହେବ ଏବଂ ଅଗଷ୍ଟ ସେପ୍ଟେମ୍ବର ମାସରେ ପରୀକ୍ଷା ଫଳ ପ୍ରକାଶିତ ହେବ । ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ରାଜ୍ୟ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏହି ଛାତ୍ରଛାତ୍ରୀମାନଙ୍କର ଯଦି କିଛି ପୂର୍ବ ସେମିଷ୍ଟାର ବର୍ଷ ପରୀକ୍ଷା ବାକି ଅଛି କିମ୍ବା ତାଙ୍କର ଯଦି ବ୍ୟାକପେପର ଅଛି, ସେହି ପରୀକ୍ଷା ସବୁ ଅନଲାଇରେ ଜୁଲାଇ ଅଗଷ୍ଟ ମାସ ସୁଦ୍ଧା ହେବ ପରୀକ୍ଷା ତାରିଖ ସଂପୃକ୍ତ ବିଶ୍ବବିଦ୍ୟାଳୟ/ ସ୍ୱୟଂଶାସିତ ମହାବିଦ୍ୟାଳୟ ନିର୍ଦ୍ଧାରଣ କରିବେ । ଛାତ୍ରଛାତ୍ରୀମାନେ ତାଙ୍କ ଘରୁ କିମ୍ବା ଯେକୌଣସି ସୁବିଧାଜନକ ସ୍ଥାନରେ ରହି ଏହି ଅନ୍ଲାଇନ୍ ପରୀକ୍ଷା ଦେଇପାରିବେ । ଦରକାର ପଡ଼ିଲେ ସେମାନଙ୍କର ଘର ପାଖରେ ଥିବା ଡ୍ରାଗୀ ମହାବିଦ୍ୟାଳୟକୁ ଯାଇ ଏହି ଅନ୍ଲାଇନ୍ ପରୀକ୍ଷା ଦେଇପାରିବେ । ଅନ୍ଲାଇନ୍ ପରୀକ୍ଷା କେମିତି ହେବ, ସେ ସଂପର୍କରେ ସଂପୃକ୍ତ ବିଶ୍ୱବିଦ୍ୟାଳୟ/ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଜଣାଇବେ ।
ଜୁଲାଇ ମାସ ମଧ୍ୟଭାଗରୁ ଶେଷ ଭାଗ ପର୍ଯ୍ୟନ୍ତ ଇଣ୍ଟରଆକ୍ଟିଭ୍ ଡାଉଟ୍ କ୍ଲିୟରିଂ କ୍ଲାସ୍ ଚାଲିବ । ଉପରୋକ୍ତ ସବୁ ନିଷ୍ପତ୍ତି ଶେଷ ବର୍ଷ ଫାଇନାଲ୍ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ଉଦ୍ଦିଷ୍ଟ । ଅନ୍ୟ ସେମିଷ୍ଟାର କିମ୍ବା ଅନ୍ୟ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ନିଆଯିବ । ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ଓଡ଼ିଶା ରାଜୁ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ସମସ୍ତ ରାଜ୍ୟ ବିଶ୍ଵବିଦ୍ୟାଳୟର କୁଳପତିମାନେ ଯୋଗଦେଇଥିଲେ ।
Post a Comment