ଭୁବନେଶ୍ବର, କୋଭିଡ୍-୧୯ ସମୟରେ ସିବିଏସଇ ଦ୍ବାଦଶ ପରୀକ୍ଷାକୁ ବାତିଲ କରାଯିବା ନିଷ୍ପତି ସ୍ବାଗତଯୋଗ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲା ମାନଙ୍କର ସ୍ବାସ୍ଥ୍ୟ, ସୁରକ୍ଷା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖ୍ ଏହି ସମ୍ବେଦନଶୀଳ ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ସମସ୍ତ ଦିଗକୁ ବିଚାରକୁ ନେଇ ପ୍ରଧାନମନ୍ତ୍ରୀ ସିବିଏସଇ ପରୀକ୍ଷାକୁ ବାତିଲ କରାଯିବା ସମୟୋପଯୋଗୀ ପଦକ୍ଷେପ ।
ସମଗ୍ର ଭାରତବର୍ଷରେ କରୋନାର ତୃତୀୟ ଲହରକୁ ନେଇ ପିଲା ଏବଂ ଅଭିଭାବକମାନେ ଭୟ ଓ ଆଶଙ୍କାରେ ରହିଲେ । ଏଭଳି ଦ୍ଵନ୍ଦାତ୍ମକ ପରିସ୍ଥିତିରେ ପିଲାମାନେ ପରୀକ୍ଷା ଦେଇଥିଲେ ମାନସିକ ଚାପରେ ରହିଥାନ୍ତେ । ଏଥିପାଇଁ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ଶିକ୍ଷା ମନ୍ତ୍ରୀ ଏବଂ ବିଶେଷଜ୍ଞଙ୍କ ସହିତ ବିଚାରବିମର୍ଷ କରି ଏହି ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ସିବିଏସଇ ଦ୍ବାଦଶ ପରୀକ୍ଷାର୍ଥୀ ଏବଂ ଅଭିଭାବକ ମାନଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛି ।
ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏ ନେଇ ବସିଥିବା ଭର୍ଚୁଆଲ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର, ରେଳ ମନ୍ତ୍ରୀ ପିୟୁଷ ଗୋଏଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
Post a Comment