loading...

ଦୁଇ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ୩୫୮୩ କୋଟି ଟଙ୍କାର ସରକାରୀ ବ୍ୟବସାୟ

ଦୁଇ ବର୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ୩୫୮୩ କୋଟି ଟଙ୍କାର ସରକାରୀ ବ୍ୟବସାୟ

ଦୁଇ ବର୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ୩୫୮୩ କୋଟି ଟଙ୍କାର ସରକାରୀ ବ୍ୟବସାୟ

ଭୁବନେଶ୍ୱର, ପାଞ୍ଚ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ୫ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ କରିବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରଥମ ଦୁଇବର୍ଷରେ ମିଶନ ଶକ୍ତି ବିଭାଗ ୩୫୮୩ କୋଟି ଟଙ୍କାର ବ୍ୟବସାୟ ବିଭିନ୍ନ ବିଭାଗରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ସଂଯୋଜିତ କରିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣା ପଡ଼ିଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ମିଶନ ଶକ୍ତି ବିଭାଗ ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ ଏ ସମ୍ବନ୍ଧିତ ବିଷୟ ଏବଂ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟବସାୟରେ ସାମିଲ୍‌ କରିବା ଦିଗରେ ବିଭିନ୍ନ ବିଭାଗମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନେଇଥିବା ପଦକ୍ଷେପର ସମୀକ୍ଷାକରି ସହଭାଗିତା ନିମନ୍ତେ ନୂଆ ପ୍ରକଳ୍ପ ପ୍ରସ୍ତୁତ କରିବା ସହ ଅଧିକରୁ ଅଧିକ ଗୋଷ୍ଠୀଙ୍କୁ ଏଥିରେ ସଂପୃକ୍ତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ପ୍ରାଥମିକ ସ୍ୱାସ୍ଥ୍ୟ, ଗ୍ରାମ ପଂଚାୟତ ପୋଖରୀରେ ମାଛ ଚାଷ, କୁକୁଡ଼ା ପାଳନ, ପଶୁପାଳନ, ବ୍ୟବସାୟିକ ଭିତ୍ତିରେ ପନିପରିବା ଚାଷ, କୃଷି ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଚାରା ପ୍ରସ୍ତୁତି ନର୍ସରୀ, ବୃକ୍ଷ ରୋପଣ, ଚଣା ଓ ମାଣ୍ଡିଆ ଭିତ୍ତିକ ଦ୍ରବ୍ୟ ପ୍ରସ୍ତୁତି, କୃଷି-ଉଦ୍ୟୋଗ, ଆଶ୍ରମ ବିଦ୍ୟାଳୟ ମାନଙ୍କୁ ଖାଦ୍ୟ ଦ୍ରବ୍ୟ ଓ ପନିପରିବା ଯୋଗାଣ, ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ଜଳ ଯୋଗାଣର ତଦାରଖ, ଇକୋ-କ୍ୟାମ୍ପ ପରିଚାଳନା ଆଦି କ୍ଷେତ୍ରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । 

ମିଟର ରିଡିଂ ଏବଂ ବିଦ୍ୟୁତ ଦେୟ ଆଦାୟ କାର୍ଯ୍ୟରେ ଅଧିକରୁ ଅଧିକ ଗୋଷ୍ଠୀଙ୍କୁ ସାମିଲ୍‌ କରିବା ପାଇଁ ବିଦ୍ୟୁତ ବିତରକ କଂପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥଲା । ଏହାଛଡ଼ା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ପଥ୍ୟ ଯୋଗାଣ, କୃଷି ବିଭାଗର ପୃଷ୍ଟି ବଗିଚା ସୃଷ୍ଟି, ସାର ଓ ଖତ ପିଟ୍‌ ନିର୍ମାଣ, ଜଳ ସାଥୀ ଏବଂ ସ୍ୱଚ୍ଛ ସାଥୀ ଆଦି କାର୍ଯ୍ୟରେ ମହିଲା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ୍‌ କରିବାର ସମ୍ଭାବନା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗମାନେ ଅଧିକରୁ ଅଧିକ ପ୍ରକଳ୍ପ ଓ କାରବାର ଏହି ଗୋଷ୍ଠୀମାନଙ୍କ ମାଧ୍ୟମରେ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱର ସ୍ଥିତ ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନ ପରିସରରେ ମିଶନ ଶକ୍ତି ବଜାର ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହା ମାଧ୍ୟମରେ ବର୍ଷ ତମାମ ଏହି ଗୋଷ୍ଠୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରୀର ସୁବିଧା ସୃଷ୍ଟିହେବ ଏବଂ ଜନସାଧାରଣ ମଧ୍ୟ ଉପଯୁକ୍ତ ଦାମରେ ବିଭିନ୍ନ ଉତ୍ପାଦ ପାଇ ପାରିବେ । ଅନ୍ୟାନ୍ୟ ପ୍ରମୁଖ ସ୍ଥାନମାନଙ୍କରେ ଏପରି ବଜାର ଖୋଲିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ।

ବିଭାଗୀୟ ଶାସନ ସଚିବ ଶ୍ରୀମତୀ କାର୍ତ୍ତିକେୟାନ ଜଣାଇଥିଲେ ଯେ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୯-୨୦ ଆର୍ଥିକ ବର୍ଷରୁ ୫ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ମାଧ୍ୟମରେ ୫୦୦୦ କୋଟି ଟଙ୍କାର ବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତଦନୁଯାୟୀ ପ୍ରତି ବର୍ଷ ୧୦୦୦ କୋଟି ଟଙ୍କାର ବ୍ୟବସାୟ ନିମନ୍ତେ ବିଭାଗୀୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କୋଭିଡ୍‌ ସଟ୍‌ଡାଉନ୍‌ ଏବଂ ଲକ୍‌ଡାଉନ୍‌ ସତ୍ତ୍ୱେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଗୋଷ୍ଠୀମାନଙ୍କ ମାଧ୍ୟମରେ ପ୍ରାୟ ୧୪୧୨ କୋଟି ଟଙ୍କାର ସରକାରୀ ବ୍ୟବସାୟ ହୋଇ ଏ ଦିଗରେ ୧୪୧ ପ୍ରତିଶତ ଲକ୍ଷ ହାସଲ ହୋଇ ଥିଲା । ୨୦୨୦-୨୧ ବର୍ଷରେ ଏହି ବ୍ୟବସାୟ ପରିମାଣ ୨୧୭୨.୦୦ କୋଟି ଟଙ୍କାକୁ ବୃଦ୍ଧି ପାଇ ଲକ୍ଷ୍ୟହାସଲ ୨୧୭ ପ୍ରତିଶତରେ ପହଞ୍ଚିଥିଲା । ୨୦୧୯-୨୦ ବର୍ଷରେ ସରକାରୀ ବ୍ୟବସାୟରେ ୨୦,୪୪୯ ଗୋଷ୍ଠୀ ସାମିଲ୍‌ ହୋଇଥିବା ବେଳେ ୨୦୨୦-୨୧ ବର୍ଷରେ ୬୨,୫୧୪ ଗୋଷ୍ଠୀ ସାମିଲ୍‌ ହୋଇଥିଲେ ବୋଲି ଶ୍ରୀମତୀ କାର୍ତ୍ତିକେୟାନ୍‌ ଜଣାଇଥିଲେ ।

ମୁଖ୍ୟତଃ ମହିଳା ଓ ଶିଶୁ ବିକାଶ, ଶକ୍ତି, ମତ୍ସ୍ୟ ଓ ପଶୁ ସଂପଦ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବିଦ୍ୟାଳୟ ଓ ଗଣ ଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଗୃହ ଓ ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ, କୃଷି ଓ କୃଷକ ସଶକ୍ତି କରଣ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ବିଭାଗ ଆଦି ମାନଙ୍କ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରକାରୀ ବ୍ୟବସାୟ ଯୋଗାଇ ଦିଆଯାଇଥିବାର ଜଣାପଡ଼ିଥିଲା। ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget