ଭୁବନେଶ୍ୱର, ଆଗାମୀ ମୌସୁମୀ କାଳୀନ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଆଜି ବିଧାନସଭା ସମ୍ମିଳନୀ କକ୍ଷରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାନସଭା ଅଦିବେଶନ ସଂକ୍ରାନ୍ତୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଚସ୍ପତି ଡ଼ଃ ପାତ୍ର ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରି
ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତ ପକ୍ଷଙ୍କ ସହଯୋଗ କାମନା କରିଥିଲେ । ସେପ୍ଟେମ୍ୱର ୦୧ ତାରିଖ ଠାରୁ ୦୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଥିବା ଉକ୍ତ ସ୍ୱଳ୍ପକାଳୀନ ଅଧିବେଶନରେ ପ୍ରଥମାର୍ଦ୍ଧ ଅଧିବେଶନ ପୂର୍ବାହ୍ନ ୧୦.୩୦ ଠାରୁ ଅପରାହ୍ନ ୦୧.୩୦ ମିନିଟ୍ ଏବଂ ଦ୍ୱିତୀୟାର୍ଦ୍ଧ ଅପରାହ୍ନ ୦୪.୦୦ଟାରୁ ୦୬.୦୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ବିଧାନସଭା ଅଧିବେଶନର ପ୍ରଥମ ଦିନ ପ୍ରଥମାର୍ଦ୍ଧ ଅଦିବେଶନ ପୂର୍ବାହ୍ନ ୧୧.୦୦ଟାରୁ ଅପରାହ୍ନ ୦୧.୩୦ମିନିଟ୍ ଏବଂ ଦ୍ୱିତୀୟାର୍ଦ୍ଧ ଅପରାହ୍ନ ୦୪.୦୦ଟାରୁ ୦୬.୦୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଗୃହରେ ଆଲୋଚନା କରାଯିବ ଏବଂ ସେଥିପାଇଁ ୯୦ ମିନିଟ୍ ସମୟସୀମା ନିର୍ଦ୍ଧାରିତ କରାଯାଇଛି ।
ଭାରତୀୟ ଜନତା ଦଳ ବିଧାୟକମାନେ ସପ୍ତାହର ୦୪ ଦିନ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଦଳ ବିଧାୟକମାନେ ମଙ୍ଗଳବାର ଏବଂ ଶନିବାର ଦିନ ମୁଲତବୀ ପ୍ରସ୍ତାବ ଆଗତ କରିପାରିବେ । ଯଦି ନିର୍ଦ୍ଧାରିତ ଦିବସରେ କୌଣସି କାରଣ ଯୋଗୁଁ ତାହା ଆଗତ ହୋଇନପାରିଲା, ତାହାହେଲେ ସମ୍ପୃକ୍ତ ଦଳ ସେ ସୁଯୋଗ ହରାଇବେ । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କ ସୁରକ୍ଷା ପାଇଁ ସେମାନଙ୍କର ଆସନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିରାପଦ ଦୂରତ୍ୱ ରକ୍ଷା କରି ବିଧାନସଭା ଭବନ, ଗ୍ୟାଲେରି, ବାଚସ୍ପତିଙ୍କ ଗ୍ୟାଲେରିରେ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା ଗ୍ରହଣ କରାଯିବ । ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଚାହିଁଲେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଧାନସଭା ଆଲୋଚନାରେ ଅଂଶ ଗ୍ରହଣ କରିପାରିବେ । ଅତ୍ୟନ୍ତ ଆବଶ୍ୟକ ବ୍ୟତୀତ ଅନ୍ୟ ବିଧାୟକମାନଙ୍କୁ ଗୃହରେ ରିପୋର୍ଟ, ବିବରଣୀ ପ୍ରଦାନ କରାଯିବ ନାହିଁ । ବିଧେୟକ ସଂଶୋଧନ ବିଲ୍ ମନ୍ତ୍ରୀମାନଙ୍କ ଉତ୍ତର ବିଧାୟକମାନଙ୍କ ଅବଗତି ପାଇଁ ସେମାନଙ୍କ ବାସଭବନରେ ଯୋଗାଇ ଦିଆଯିବ । ବିଧାନସଭା ଅଧିବେଶନର ସଠିକ ରିପୋର୍ଟଂ ପାଇଁ ସାମ୍ୱାଦିକମାନଙ୍କୁ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।
ପ୍ରତ୍ୟେକ ଦିନ ଭୁବନେଶ୍ୱର ମହାନଗରନିଗମ ତରଫରୁ ବିଧାନସଭାକୁ ସାନିଟାଇଜ୍ କରାଯିବ ଏବଂ ସମସ୍ତ ବିଧାନସଭା ସଭ୍ୟ, ଅଧିକାରୀ ଏବଂ ବିଧାନସଭା ସଚ୍ଚିବାଳୟ କର୍ମଚାରୀ ଏବଂ ବିଧାନସଭାକୁ ଆଗନ୍ତୁକମାନଙ୍କର ଆର୍.ଟିପି.ସି.ଆର୍. ପରୀକ୍ଷା କରାଯିବା ସହ ସେମାନଙ୍କୁ କରୋନା ପ୍ରତିଷେଧକ କିଟ୍ ପ୍ରଦାନ କରାଯିବ । ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଭାରତୀୟ ଜନତା ଦଳ ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
Post a Comment