ଭୁବନେଶ୍ୱର, ଉପନ୍ୟାସରେ ସମୟର ପୁନଃନିର୍ମାଣ ଓ ଅଙ୍କନର ସାମର୍ଥ୍ୟ ରହିଛି । ଏହା ସହିତ ଭାବର ବ୍ୟାପ୍ତି ଓ ବୈଚିତ୍ରୀର ଉପସ୍ଥାପନା ପାଇଁ ଉପନ୍ୟାସ ରଚନାରେ ସୁଯୋଗ ରହିଛି । ଓଡ଼ିଆ ସାହିତ୍ୟରେ ଉପନ୍ୟାସ ରଚନା ଶିଥିଳ ହେଉଥିବା ପରିପ୍ରେକ୍ଷୀରେ ବହୁସଂଖ୍ୟାରେ ଉପନ୍ୟାସ ଲେଖାକୁ ପ୍ରୋତ୍ସାହନ ମିଳିବା ଆବଶ୍ୟକ ବୋଲି ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ ମତପ୍ରକାଶ କରିଛନ୍ତି ।
ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ କୃଷକ ସମାଜରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଅଧ୍ୟାପକ ବିଶ୍ୱରଞ୍ଜନ ତାପସ କୁମାର ସାହାଙ୍କ ଲିଖୁତ ଉପନ୍ୟାସ ‘ସୀମାରେଖା’ ପାଠକାର୍ପଣ କରି କହିଲେ ଯେ ଭାରତ-ଚୀନ ଯୁଦ୍ଧର କାଳ୍ପନିକ ପୃଷ୍ଠଭୂମିରେ ଏକ ପ୍ରେମକାହାଣୀକୁ ସଫଳ ଭାବରେ ଲେଖକ ପ୍ରକାଶ କରିଛନ୍ତି । କଥାକାର ରାଜ୍ୟ ବର୍ଦ୍ଧନ ଧଳମହାପାତ୍ର ଓଡ଼ିଆ ସାହିତ୍ୟଜଗତକୁ ତାପସଙ୍କ ପ୍ରବେଶ ଉତ୍ସାହଜନକ ବୋଲି ଉଲ୍ଲେଖ କରି ଉପନ୍ୟାସର ସମୀକ୍ଷା କରିଥିଲେ ।
ଅନୁଷ୍ଠାନର ଉପସଭାପତି କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ସାଂପ୍ରତିକ ସାହିତ୍ୟ ସଂଗଠନଗୁଡ଼ିକର କ୍ରିୟାଶୀଳତା ଉପରେ ସୂଚନା ଦେଇଥିଲେ । ମୌସୁମୀ ଦାସ ‘ଏ ମାସର କବି ଭାବେ ଯୋଗଦେଇ କବିତା ପାଠ କରିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଇତିଶ୍ରୀ ପତି, ବିବେକ ଜେନା, ପିତାମ୍ବର ଭୋଇ, ଶୈଳେନ୍ଦ୍ର କୁମାର ଜେନା, ଡକ୍ଟର ଦେବାଶିଷ ମହାପାତ୍ର, ପବିତ୍ର ମୋହନ କର ଓ ବିଜନବାଳା ପଟ୍ଟଯୋଶୀ ପ୍ରମୁଖ କବିତା ପାଠ କରିଥିଲେ ।
Post a Comment