ଭୁବନେଶ୍ୱର, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଅଧୀନରେ ସରକାରୀ ଆଇଟିଆଇର ପ୍ରଶିକ୍ଷାର୍ଥୀମାନଙ୍କର ରୂପାନ୍ତରଣ ନିମନ୍ତେ ଲାଇଫ୍ ସ୍କିଲ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମର ଅଂଶ ବିଶେଷ ସରକାରୀ ଆଇଟିଆଇମାନଙ୍କରେ ଆଇଟିଆଇ ସ୍ପାର୍କ ୧.୦ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଆଜି ଏହି ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହ ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍ଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଶ୍ରୀ ବାଗ୍ଚୀ ଏହି ଅବସରରେ କହିଥିଲେ ଯେ ସ୍କିଲ୍ଡ ଇନ ଓଡିଶା ବ୍ରାଣ୍ଡ୍କୁ ସଫଳ କରାଇବା ପାଇଁ ଯେଉଁ ଲକ୍ଷ୍ୟ ରହିଥିଲା ତାହା ସାକାର ହୋଇପାରିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍କିଲ୍ଡ ଇନ୍ ଓଡିଶାର ଆଭିମୁଖ୍ୟ ହେଉଛି ଦକ୍ଷତା ମାଧ୍ୟମରେ ମାନବ ରୂପାନ୍ତରଣ । ଆଇଟିଆଇର ପ୍ରଶିକ୍ଷାର୍ଥୀମାନଙ୍କୁ ୱାର୍ଲ୍ଡ ସ୍କିଲ ସେଣ୍ଟର ଭଳି ଦୃଢ ହୋଇ ମୁଣ୍ଡ ଟେକି ଆଗକୁ ବଢିବାକୁ ହେବ । ଆଇଟିଆଇ ଓ ପଲିଟେକ୍ନିକ୍ରେ ତାଲିମ ପରେ ୱାର୍ଲ୍ଡ ସ୍କିଲ ସେଣ୍ଟର ଭଳି ଅତ୍ୟାଧୁନିକ ପ୍ରତିଷ୍ଠାନରେ ତାଲିମ ନେଇ ନିଜକୁ ବିଶ୍ୱସ୍ତରୀୟ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସେ ଆହ୍ୱାନ କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଆଇଟିଆଇ ପ୍ରଶିକ୍ଷାର୍ଥୀମାନଙ୍କର ଆତ୍ମବିଶ୍ୱାସ ଦେଖି କହିଥିଲେ ଯେ ଦକ୍ଷତା ତାଲିମ ଅନୁଷ୍ଠାନରେ ଲାଇଫ୍ ସ୍କିଲ ପ୍ରଦାନ କରିବାର ଆବଶ୍ୟକତା ରହିଛି ।
ଆଗାମୀ ଦିନରେ ଲାଇଫ୍ ସ୍କିଲ ପ୍ରଶିକ୍ଷଣ ପ୍ରଦାନର ପରିସରକୁ ବୃଦ୍ଧିକରି ପଲିଟେକ୍ନିକ୍ମାନଙ୍କରେ ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଆଇଟିଆଇମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି ଏବଂ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯିବ ବୋଲି ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି କହିଥିଲେ । ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟ୍ରାଇଭର ସିଇଓ ଶ୍ରୀମତି ଅନିତା ରାଜନ୍ ଯୋଗ ଦେଇ କହିଥିଲେ ଯେ ଲାଇଫ ସ୍କିଲ ପାଇ ଆଇଟିଆଇର ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ବାସ୍ତବ ଜୀବନରେ ସମସ୍ୟା ସମାଧାନର କୌଶଳ, ଉତ୍ସାହ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ପ୍ରଶିକ୍ଷାର୍ଥୀମାନଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ କରିଥିବାରୁ ଶ୍ରୀମତି ରାଜନ୍ ଓଏସ୍ଡିଏ ଏବଂ ଟାଟା ଷ୍ଟ୍ରାଇଭର ଚେଞ୍ଜ ଲିଡରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଆଇଟିଆଇ ସ୍ପାର୍କ ୧.୦ କାର୍ଯ୍ୟକ୍ରମ ବିଗତ ଜୁନ୍ ମାସରେ ଅନଲାଇନ ମାଧ୍ୟମରେ ଆରମ୍ଭ କରାଯାଇଥିଲା । ଏଥିରେ ୪୯ଟି ଆଇଟିଆଇର ୧୨୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଆଜିର କାର୍ଯ୍ୟକ୍ରମରେ ୧୨ଟି ଆଇଟିଆଇର ୫୭ ଜଣ ଛାତ୍ରଛାତ୍ରୀଙ୍କୁ ଆଇଟିଆଇ ସ୍ପାର୍କ ୧.୦ ଏବଂ ଟିସିଏସ ତରଫରୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ, ଶ୍ରୀ ଅଜୟ ନାୟକ, ଶ୍ରୀମତି ରେଣୁପ୍ରଭା ନାୟକ , ଟାଟା ଷ୍ଟ୍ରାଇଭ ସ୍ୱତନ୍ତ୍ର ପ୍ରକଳ୍ପ ପରିଚାଳକ ସଞ୍ଜଗିତା ମିଶ୍ର ଏବଂ ଟିସିଏସର ଶ୍ରୀମତି ପ୍ରିୟା ମହାପାତ୍ର, ଆଇଟିଆଇର ଅଧ୍ୟକ୍ଷ, ଛାତ୍ରଛାତ୍ରୀ ଏବଂ ଟାଟା ଷ୍ଟ୍ରାଇଭ୍ର ଚେଞ୍ଜ ଲିଡରମାନେ ଉପସ୍ଥିତ ଥିଲେ ।
Post a Comment