ଭୁବନେଶ୍ୱର,ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଏକାମ୍ର ହାଟ ଏବେ ନୂଆ ରୂପରେ ଏକାମ୍ର ହାଟରେ ହସ୍ତଶିଳ୍ପ, ହସ୍ତତନ୍ତ, ଉତ୍କର୍ଷ କଳା ପ୍ରଦର୍ଶନ, ରୁଚିକର ଓଡ଼ିଆ ଖାଦ୍ୟ, ବିବିଧ ଭାରତୀୟ ବ୍ୟଞ୍ଜନ, କଫରେନ୍ସ ହଲ୍, ମୁକ୍ତାକାଶ ରଙ୍ଗମଞ୍ଚ, ପାଙ୍କି ଓ ଏଟିଏମ୍ବର ସୁବିଧା ରହିଛି । ଏକାମ୍ର ହାଟରେ ଦୀପାବଳି ଉପଲକ୍ଷେ ଦୀପ ଓ ଟେରାକୋଟା ସାମଗ୍ରୀର ବିଶେଷ ଆୟୋଜନ କରାଯାଇଛି ।
ଅକ୍ଟୋବର ୧୬ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ବିଶେଷ ଆୟୋଜନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଳ୍ପୀ ଓ କାରିଗରମାନେ ମାଟିର ବିଭିନ୍ନ ସାମଗ୍ରୀ ଯଥା: ଦୀପ, ଘରକରଣା ସାମଗ୍ରୀ, ଘର ସଜାଇବା ସାମଗ୍ରୀ, ରଙ୍ଗବେରଙ୍ଗର କଣ୍ଢେଇ, ଲେଡି ଦୀପ, ଗଣେଶ ଦୀପ, ଗଣେଶ ମୂର୍ତ୍ତି, ମୋଟୁପତଳୁ, ବୁଦ୍ଧମୂର୍ତ୍ତି, କଙ୍ଗାରୁ କଂପି, ହଂସ କଂପି, ମାଛ କଂପି, ଶଙ୍ଖ କଂପି, ଅମୃତଭଣ୍ଡା କଂପି, ଗୋଲ କଂପି, ଝୁଲା ଦୀପ ଷ୍ଟାଣ୍ଡ, ଦେଉଳ ଦୀପ ଷ୍ଟାଣ୍ଡ, ଲଣ୍ଡନ ଦୀପ ଷ୍ଟାଣ୍ଡ, ପଞ୍ଚଦୀପ, ଲାଇଟ୍ ପୋଷ୍ଟଷ୍ଟାଣ୍ଡ, ବ୍ରସଷ୍ଟାଣ୍ଡ, ଦୀପ, ମଶାଧୂପ ଷ୍ଟାଣ୍ଡ ଆଦି ସାମଗ୍ରୀ ଦର୍ଶକମାନଙ୍କୁ ବେଶ୍ ଆକୃଷ୍ଟ କରୁଛି ।
ଏକାମ୍ର ହାଟରେ ଆଉ ମଧ୍ୟ ଗ୍ରାସ, ଜର୍, ଦହିହାଣ୍ଡି, ପାଣିବୋତଲ, ମାଟିର କପ୍, ଶ୍ରୀଜଗନ୍ନାଥଙ୍କର ନବକଳେବର ରଥ, ରୋଷେଇ ସାମଗ୍ରୀ, ରଙ୍ଗୀନ ମ୍ୟୁଜିକ୍ ସେଟ୍, ମହାପୁରୁଷଙ୍କର ମାଟିର ମୂର୍ତ୍ତି ମାଟି ଚଢ଼େଇ,ହାତୀ ଦ୍ବୀପ, ମାଟି ନିର୍ମିତ ବାଦ୍ୟ, ମାଟି ଲଣ୍ଡନ, ଡେଉଁଥିବା ବେଙ୍ଗ, ଲ୍ୟାମ, ବଡ଼ ଫୁଲଦାନୀ, ଦୀପଦାନୀ, ମୟୁର ମୁଖା ଆଦି ଗ୍ରାହକମାନଙ୍କ ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରଖାଯାଇଛି । ପୁଣି ମାଟିରେ ତିଆରି ୱାଟର ଫଲ୍ ଷ୍ଟାରେ ଭୀଡ଼ ହେଉଛି । ଏକାଥରକେ କାରିଗର ମାଟିପୋଡ଼ି ୧୦ରୁ ୨୦ଟି ଫାଉଣ୍ଟନ୍ ଗଢ଼ିଥାନ୍ତି । ଏହି ମାଟି ତିଆରି ଫାଉଣ୍ଟେନ୍ ୧୮୦୦ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରୟ ହେଉଛି ।
ଗତକାଲି ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ଧିନୀ ଦିଆନ ଏକାମ୍ର ହାଟର ଟେରାକୋଟାର ବିଶେଷ ଆୟୋଜନ ପରିଦର୍ଶନ କରି କାରିଗରମାନଙ୍କ କଳାକୃତି ଦେଖୁ ତା’ର ଭୂୟସୀ ପ୍ରଶଂସା କରିଥିଲେ ଓ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ଏକାମ୍ର ହାଟ ପ୍ରତ୍ୟହ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଏକାମ୍ର ହାଟରେ ଟେରାକୋଟାର ବିଶେଷ ଆୟୋଜନ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
Post a Comment