ଭୁବନେଶ୍ୱର, ଭାରତରେ ମୋଟ କୃଷି ଉତ୍ପାଦନର ୬୦ ଭାଗ ମୂଲିଆମାନେ ଉତ୍ପନ୍ନ କରି ଅର୍ଦ୍ଧାହାର ଓ ଅନାହାରରେ ରହନ୍ତି । ଏଣୁ କୃଷି ଓ କୃଷକଙ୍କ ସହିତ ମୂଲିଆମାନଙ୍କର ବିକାଶ ନ ହେଲେ ଗ୍ରାମୀଣ ଭାରତର ବିକାଶ ସମ୍ଭବ ନୁହେଁ ବୋଲି ଭାରତୀୟ କ୍ଷେତ ମଜଦୁର ୟୁନିୟନର ଜାତୀୟ ନେତାମାନେ ବିକେଏମୟୁର ରାଜ୍ୟ କନଭେନସନରେ ମତ ପ୍ରକାଶ କରିବା ସହିତ ଆସନ୍ତା ନଭେମ୍ବର ୨୬ରୁ ଡିସେମ୍ବର ୬ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ ଚାଲୁ ରହିବ ବୋଲି ଘୋଷଣା କରିଛନ୍ତି । ଆଜି ଅଶୋକନଗରର ଭଗବତୀ ଭବନଠାରେ ବିକେଏମୟୁର ରାଜ୍ୟ ସଭାପତି ଜନ୍ନା ସୁବାସ ଚନ୍ଦ୍ର ରାଓଙ୍କ ଅଧ୍ୟକ୍ଷତାରେ ଭାରତୀୟ କ୍ଷେତ ମଜଦୁର ୟୁନିୟନର ରାଜ୍ୟସ୍ତରୀୟ କଭେନସନ ଅନୁଷ୍ଠିତ ହୋଇଯାଇଛି । ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା ପ୍ରରମ୍ଭିକ ସୂଚନା ଓ ରାଜ୍ୟର କ୍ଷେତମୂଲିଆମାନଙ୍କ ଅବସ୍ତୁ ସମ୍ପର୍କରେ ରିପୋର୍ଟ ଉପସ୍ଥାପିତ କରିଥିଲେ।
ଏହାପରେ ବିକେଏମୟୁର ସର୍ବ ଭାରତୀୟ ସଭାପତି ପେରିୟା ସାମୀ, ଜାତୀୟ ସାଧାରଣ ସମ୍ପାଦକ ଗୁଲଜାର ସିଂ ଗୋରିଆ ଏବଂ ପ୍ରଖ୍ୟାତ କ୍ଷେତ ମୂଲିଆ ନେତା ତଥା ପୂର୍ବତନ ସାଂସଦ ନଗେନ୍ଦ୍ର ନାଥ ଓଝା ଉଦ୍ବୋଧନ ଦେଇ କହିଲେ– ଗତ ୨୦ ବର୍ଷ ଧରି ସ୍ଵର୍ଣପ୍ରସ୍ର ଭାରତବର୍ଷରେ କୃଷି କ୍ଷେତ୍ର ଘୋର ସଙ୍କଟ ମଧ୍ୟଦେଇ ଗତି କରୁଛି । ଚାଷ ଆଉ ଲାଭଦାୟକ ପେଷା ହୋଇ ନାହିଁ । ଋଣ ଯନ୍ତାରେ ପଡ଼ି ପ୍ରତିବର୍ଷ ୩.୫ ଶତାଂଶ ଚାଷୀ ଜମି ହରାଇ ମୂଲିଆ ପାଲଟୁଛନ୍ତି । ଚାଷୀମାନେ ଫସଲର ଲାଭଜନକ ଦର ନ ପାଇବା ଫଳରେ ମୂଲିଆମାନଙ୍କୁ ଉପଯୁକ୍ତ ମଜୁରୀ ଦେଇ ପାରୁ ନାହାଁନ୍ତି ଏବଂ କାମଧନ୍ଦା ନ ପାଇ ପ୍ରତିବର୍ଷ ଦେଢ଼ କୋଟି ମୂଲିଆ ଦାଦନ ଶ୍ରମିକ ସାଜିଛନ୍ତି ।
ବର୍ତ୍ତମାନର ବିଜେପି ସରକାର ଯେଉଁ କଳା କୃଷି ଆଇନ ଆଣିଛନ୍ତି ସେଥିରେ ଚାଷୀ ଓ ମୂଲିଆ ସମସ୍ତେ ସର୍ବସନ୍ତ ହୋଇଯିବେ । ଏଣୁ ୩ଟି କଳା କୃଷି ଆଇନକୁ ବାତିଲ ସହିତ ଚାଷୀମାନଙ୍କୁ ଫସଲର ଲାଭଜନକ ଦର, ମୂଲିଆମାନଙ୍କ ପାଇଁ କେନ୍ଦ୍ରୀୟ ଆଇନ, ରାଜ୍ୟରେ କଲ୍ୟାଣ ବୋର୍ଡ, ୫୫ ବର୍ଷରେ ୫ ହଜାର ଟଙ୍କା ପେନସନ, ମୂଲିଆମାନଙ୍କ ଦୈନିକ ମଜୁରୀ ୬୦୦ ଟଙ୍କା ସହ ବର୍ଷକୁ ଅତିକମ୍ ୨୦୦ ଦିନର କାମ ପାଇଁ ସର୍ବ ଭାରତୀୟ ନେତାମାନେ ଦାବି କରିଥିଲେ । ଏହି କଭେନସନରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଓ କ୍ଷେତ ମୂଲିଆ ଇନ୍ଚାର୍ଜ ଜୟନ୍ତ ଦାସ ଉଦ୍ବୋଧନ ଦେଇ କହିଲେ- ଓଡ଼ିଶରେ ଗତ ୨୫ ବର୍ଷ ମଧ୍ୟରେ ୩୭ ଲକ୍ଷ ଏକର ଚାଷଜମି ହ୍ରାସ ପାଇଛି ଏବଂ କାମଧନ୍ଦା ନ ପାଇ ଏ ରାଜ୍ୟରୁ ୩୦ ଲକ୍ଷ ନରନାରୀ ଦାଦନ ଶ୍ରମିକ ଓ କାରଖାନାର ଶ୍ରମିକ ସାଜି ରାଜ୍ୟ ବାହାରକୁ ଚାଲିଯାଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି କଭେନସନରେ ବିଭିନ୍ନ ଜିଲ୍ଲାର ପ୍ରତିନିଧୁ ରଘୁନାଥ ଗୌଡ଼, ବିଦ୍ୟାଧର ବେହେରା, ଜମ୍ବେଶ୍ବର ଭୋଇ, ରବି ରଥ, ଶରତ ସ୍ବାଇଁ, ସର୍ବେଶ୍ୱର ମର୍ଥା, ଅନାମ ବାରିକ, ତପନ ଶେଠ, ବନମାଳି ବାଇ, ସୁବାସ ସାହୁ, ଗୋପାଳ ଭୋଇ, ଶିଶିର ମଲ୍ଲିକ, ତ୍ରୈଲୋକ୍ୟ ନାଥ ଓ ତ୍ରୈଲୋକ୍ୟ ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Post a Comment