ଭୂବନେଶ୍ବର, ରଣରଙ୍କ ପାଇକମାନଙ୍କର ‘ପାଇକ ବିଦ୍ରୋହ’ ଭାରତବର୍ଷର ପ୍ରଥମ ଇଂରେଜ ବିରୁଦ୍ଧ ସ୍ଵାଧୀନତା ସଂଗ୍ରାମ ନୁହେଁ । ଏଭଳି ଏକ ଭ୍ରମାତ୍ମକ ବିବୃତି ଦେଇ କେନ୍ଦ୍ର ସରକାର ହୀନ ରାଜନୀତି କରୁଛନ୍ତି ବୋଲି ନିଖୁଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ କ୍ଷୋଭ ପ୍ରକାଶ କରିଛନ୍ତି । ୧୮୧୭ ମସିହାରେ ଇଂରେଜ ସରକାର ବିରୁଦ୍ଧରେ ନିଜ ମାଟି, ମାଆର ସୁରକ୍ଷା ପାଇଁ ଖୋଦ୍ଧା ମାଟିରୁ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହ ଭାରତବର୍ଷ ସର୍ବପ୍ରଥମ ସ୍ୱାଧୀନତା ସଂଗ୍ରାମ । ଐତିହାସିକ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବର୍ତ୍ତମାନ ଭାରତବର୍ଷର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଏହା ପ୍ରକାଶ କରିଥିଲେ ।
କେନ୍ଦ୍ର ବଜେଟରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ବ୍ୟୟବରାଦ କରାଯାଇଥିଲା । ପାଇକ ମହାସଂଘର ଦାବୀ ପରେ ମାନ୍ୟବର ଓଡ଼ିଆପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ‘ବକ୍ସି ଜଗବନ୍ଧୁ’ ପାଇକ ଚେୟାର ପ୍ରତିଷ୍ଠା କରାଯାଇ ଏହା ଉପରେ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା । ଏପରିକି ମହା ଆଡ଼ମ୍ବରରେ ୨୦୧୯ରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ବରୁଣେଇ ପାହାଡ଼ ପାଦଦେଶରେ ମାନ୍ୟବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶା ଆଗମନ ସମୟରେ ପାଇକ ବିଦ୍ରୋହରେ ସାମିଲ ହୋଇ ସହୀଦ ହୋଇଥିବା ପାଇକ ପରିବାରର ଦାୟଦମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହି ସମୟରେ କେନ୍ଦ୍ରମନ୍ତ୍ରୀ ଉଚ୍ଚସ୍ବରରେ ପ୍ରକାଶ କରିଥିଲେ, ଇତିହାସକୁ ପୁନରୁଦ୍ଧାର କରାଯାଇ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ପାଠ୍ୟପୁସ୍ତକରେ ସ୍ଥାନ ପାଇବ, ଆଗାମୀ ପିଢ଼ି ପାଇଁ ଏହା ଏକ ବାର୍ତ୍ତା ହେବ ।
ବହୁ ଆଡ଼ମ୍ବର ଲଘୁକ୍ରିୟା ଭଳି ପୁନରାୟ କେନ୍ଦ୍ରର ହୀନ ରାଜନୈତିକ ମନୋଭାବ, ଫମ୍ପା ପ୍ରତିଶ୍ରୁତି, ମିଥ୍ୟା ବାର୍ତ୍ତା ମାଧ୍ୟମରେ ‘ପାଇକ ବିଦ୍ରୋହ’କୁ ପଦଦଳିତ କରି ପାଇକମାନଙ୍କୁ ଉପହାସ ବ୍ୟତୀତ ଆଉ କିଛି ନୁହେଁ । ପାଇକମାନେ ସ୍ବାଭିମାନୀ, ଅସତ୍ୟ ଉପରେ ସତ୍ୟର ଜୟକୁ ବିଶ୍ବାସ କରନ୍ତି । ନିଜ ମାଟି, ମା ପାଇଁ ପ୍ରାଣବଳୀ ପ୍ରଦାନ କରିପାରନ୍ତି । ଯେଉଁ ବାଜି ରାଉତ ୧୨ ବର୍ଷର ବାଳକ ନିଜ ମାଟି ପାଇଁ ପ୍ରାଣବଳୀ ପ୍ରଦାନ କରିଥିଲେ । ବେଜେଲ ଗେଟ୍କୁ ରଣପୁରଠାରେ ଠେଙ୍ଗାରେ ପିଟି ପିଟି ଯେଉଁ ପାଇକ ପୁଅ ହତ୍ୟା କରିଥିଲେ, ସେହି ରଣରଙ୍କା ପାଇକମାନଙ୍କର ପୁଣି ଢାଲ, ତରବାରୀ ଗର୍ଜି ଉଠିବ । ନିଜର ହକ୍ ପାଇଁ ରାଜରାସ୍ତାକୁ ବାହାରିବ । କେନ୍ଦ୍ର ସରକାରଙ୍କ କୁଶ୍ଚିତ ରାଜନୀତି ଓ ଓଡ଼ିଶା ସରକାରଙ୍କ ଅପାରଙ୍ଗମତା ବିରୁଦ୍ଧରେ ଆଉ ଏକ ‘ପାଇକ ବିଦ୍ରୋହ’ ଆରମ୍ଭ ହେବ ବୋଲି ପାଇକ ସର୍ଦାରମାନେ ଚେତାବନୀ ଦେଇଛନ୍ତି । କେନ୍ଦ୍ର ସରକାର ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରି ପାଠ୍ୟପୁସ୍ତକରେ ସ୍ଥାନ ଦିଅନ୍ତୁ ।
ଆଜିର ଏହି ଗୁପ୍ତ ବୈଠକରେ ପ୍ରଫେସର ଗାୟନ ସାମଲ, ପାଇକଗୁରୁ କୋଦର ଦାସ, ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, ବରିଷ୍ଠ ପାଇକଗୁରୁ ଭାସ୍କର ସୁନ୍ଦରାୟ, ଖୋର୍ଦ୍ଧାଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, କଟକ ସଭାପତି ରାଜକିଶୋର ବେହେରା, ଅନୁଗୁଳ ସଭାପତି ସୁବୋଧ ସିଂହ, ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, ରଞ୍ଜନ ବିଶୋଇ, ଢେଙ୍କାନାଳସ ସଭାପତି ନବ ସାମଲ, ଜଗତସିଂହପୁର ସଭାପତି ବିଦ୍ୟାଧର ନାଏକ, ବାଣପୁର ପାଇକ ସର୍ଦାର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନୟାଗଡ଼ର ଭରତ ଜେନା, ପାଇକ ମହାସଂଘର ଉପଦେଷ୍ଟା ବିଭୂତି ସ୍ବାଇଁ, ଜଗତସିଂହପୁର ପାଇକ ସର୍ଦାର ଭୀମସେନ ବିଶ୍ୱାଳ, ଭୁବନେଶ୍ବର ସଭାପତି ଅଜୟ ନାୟକ, ପାଇକ ମହାସଂଘର ମୁଖପାତ୍ର ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ଉତ୍କଳ ବିଶ୍ବବିଦ୍ୟାଳୟର ସଭାପତି ହିମାଂଶୁ ଲେଙ୍କା ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।
Post a Comment