ଭୁବନେଶ୍ବର, ଫେବୃୟାରୀ ୨୭ ଦିନରେ ରେ ଶୂନରୁ ୫ ବର୍ଷର ଶିଶୁକୁ ପଲ୍ସ ପୋଲିଓ ବୁନ୍ଦା ଟୀକାକରଣ ନେଇ ସହର ଟ୍ୟାକ୍ସ ଫୋର୍ସ ବୈଠକ ଆଜି ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସହରରେ ଶତ ପ୍ରତିଶତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ନିଶ୍ଚିତ କରାଯିବାକୁ କମିଶନର ଶ୍ରୀ ସିଂ ସମ୍ପୃକ୍ତ ସମସ୍ତ ପଦାଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପୃକ୍ତ ସହଯୋଗୀ କାର୍ଯ୍ୟାଳୟ ଓ ଅନୁଷ୍ଠାନର ସହଯୋଗ କାମନା କରିଛନ୍ତି । ଚିହ୍ନଟ ହୋଇଥିବା ସହରର ୯୦, ୪୨୫ ଜଣ ଶିଶୁଙ୍କୁ ଟିକା କରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ବର୍ତ୍ତମାନ ଭୁବନେଶ୍ଵର ମହାନଗର ନିଗମରେ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ଅଂଚଳର ଯେପରି କୌଣସି ଶିଶୁ ପୋଲିଓ ବୁନ୍ଦା ନେବାରୁ ବାଦ୍ ନପଡନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି ।
ଏଥ୍ୟପାଇଁ ସେମାନଙ୍କ ନିମନ୍ତେ ପୋଲିଓ ବୁନ୍ଦା ନେବା ପାଇଁ ବ୍ୟବସ୍ଥା ଗ୍ରହଣ ଓ ବୁଥ ଚିହ୍ନଟ ପାଇଁ ପ୍ରସ୍ତୁତି କରିବାକୁ ସେ ଆବଶ୍ୟକ ପରାମର୍ଶ ଦେଇଛନ୍ତି । ସହରରେ ୨୫୦ ଟି ବୁଥ ମାଧ୍ୟମରେ ଏହି ପୋଲିଓ ବୁନ୍ଦା ଟୀକାକରଣ କରାଯିବ । ଫେବୃୟାରୀ ୨୭ରେ ସମସ୍ତ ବୁଥରେ ଶିଶୁକୁ ପୋଲିଓ ବୁନ୍ଦା ଦିଆଯିବ । କୌଣସି କାରଣରୁ ଏହି ଦିନ ଶିଶୁ ପୋଲିଓ ବୁନ୍ଦା ନ ନେଇପାରିଲେ, ଫେବୃୟାରୀ ୨୮ ଓ ମାର୍ଚ୍ଚ ୧ ତାରିଖରେ ଭକ୍ତ ଶିଶୁଙ୍କ ଘରକୁ ଘର ବୁଲି ଟୀକାକରଣ କରାଯିବ । କୋଭିଡ୍ କଟକଣା ଅନୁପାଳନ କରାଯାଇ ଏହି କାର୍ଯ୍ୟକ୍ରମ ହେବ । ୫୦୦ଟି ଟିମ୍ ଏହି କାର୍ଯ୍ୟକ୍ରମ ପାଇଁ ନିୟୋଜିତ ହେବେ । ଏଥିରେ ସାମିଲ ହେଉଥିବା କର୍ମୀମାନେ ୨ ଡୋଜ୍ କୋଭିଡ୍ ଟୀକା ସହ ପ୍ରକସନାରୀ ଡୋଜ୍ ନେବା ବାଧ୍ୟତାମୂଳକ ହେବ । ସେହିପରି ମା' କିମ୍ବା ଶିଶୁ ବା ଉଭୟ କୋଭିଡରେ ସଂକ୍ରମିତ ହୋଇଥିଲେ ଟୀକାକରଣ କେନ୍ଦ୍ରକୁ ଯିବାକୁ ବାରଣ ରହିବ ।
ପୋଲିଓ ବୁନ୍ଦା ଓ ଟୀକାକରଣ ସମ୍ପର୍କରେ ସହରରେ ବହୁଳ ଭାବେ ପ୍ରଚାର କରାଯିବ ।
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀମାନଙ୍କ ସମେତ ଜନସାଧାଣଙ୍କୁ ସଚେତନ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗ ନିଆଯିବ । ସହରାଂଚଳ ସୀମାରେ ଥିବା ଗ୍ରାମଗୁଡିକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହ ସମନ୍ବୟ ରକ୍ଷା କରି ସମସ୍ତ ଶିଶୁଙ୍କୁ ଟୀକାକରଣ କରାଯିବ । ବିଶେଷ କରି ସ୍ଵଳ୍ପଦିନ ପାଇଁ ସହରରେ ରହୁଥିବା ପରିବାର, ନିର୍ମାଣ ଶ୍ରମିକ, ମସ୍ୟଜୀବୀ, ବସ୍ତି ଅଂଚଳ,ଇଟା ଭାଟି ଅଂଚଳରେ ରହୁଥିବା ପରିବାରର ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବା ପାଇଁ ସ୍ଵତନ୍ତ୍ର ଧାନ ଦିଆଯିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତର ସୁନୀଲ ଦାଶ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଥିଲେ । ସେହିପରି ଶୂନରୁ ୨ ବର୍ଷର ଶିଶୁଙ୍କୁ ମିଳିମିଳା ଓ ରୁବେଲା ଟୀକା କରଣ କାର୍ଯ୍ୟକ୍ରମ ମାର୍ଚ୍ଚ ୭ ତାରିଖ, ଏପ୍ରିଲ ୭ ଓ ମଇ ମାସ ୭ ତାରିଖରେ ଦିଆଯିବା ନେଇ ବୈଠକରେ ସୂଚନା ଦିଆଯାଇଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ବାସ୍ଥ୍ୟ ଅଧୁକାରୀ, ଅତିରିକ୍ତ ଜିଲ୍ଲା ସହରାଂଚଳ ସ୍ବାସ୍ଥ୍ୟ ଅଧୁକାରୀ, ବିଏମସିର ସମସ୍ତ ଜୋନ ଅଧୁକାରୀ, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧୁକାରୀ, ବିଏମସି ଅନ୍ତର୍ଗତ ସମସ୍ତ ସିଡିପିଓ, ବ୍ଲକ ଶିକ୍ଷା ଅଧୁକାରୀ, ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧୁକାରୀ ପ୍ରମୁଖ ଯୋଗଦେଇଥିଲେ ।
Post a Comment