loading...

ସଂରକ୍ଷଣ ଏବଂ ଜାତିଜନଗଣନା ଦାବିରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଲା ସମାଜବାଦୀ ପାର୍ଟି

ବିହାର ଓ ଉତ୍ତରପ୍ରଦେଶରେ ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନର ନିଆଁ ଜଳୁଛି, ଓଡ଼ିଶାକୁ ବେକାରୀ ନିଆଁ ବ୍ୟାପିବା ପୂର୍ବରୁ ନିଯୁକ୍ତି ଉପରେ ବ୍ୟାପକ ପଦକ୍ଷେପ

ସଂରକ୍ଷଣ ଏବଂ ଜାତିଜନଗଣନା ଦାବିରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,ରେଳବାଇରେ ୩୫ ହଜାର ୨୮୧ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ପୁନଶ୍ଚ କମ୍ପ୍ୟୁଟର ପରୀକ୍ଷା କରିବା ପାଇଁ ଉତ୍ତୀର୍ଣ ହୋଇଥିବା ଯୁବକ ଯୁବତୀଙ୍କୁ ରେଳବାଈର ନୋଟିସ୍‌ ପରେ ବିହାର, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ବେକାରୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି । ଟ୍ରେନ୍‌ରେ ନିଆଁ ଲଗାଇବା ସହିତ ଟ୍ରେନ୍‌ ଲାଇନ୍‌ରେ ବସି ରହିଛନ୍ତି । ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ବିହାର, ଉତ୍ତରପ୍ରଦେଶ ପୋଲିସ୍ ବେକାରୀ ଯୁବକଯୁବତୀଙ୍କୁ ଲାଠି ମାଡ କରିବା ସହିତ ୫ ହଜାର ଯୁବକ ଯୁବତୀଙ୍କ ବିରୁଦ୍ଧରେ ଜାମିନୀ ବିହୀନ ପରୱାନା ଜାରି କରିଛନ୍ତି । ବିହାର ଓ ଉତ୍ତରପ୍ରଦେଶର ଏହି ନିଆଁ ଅନ୍ୟାନ୍ୟ ପ୍ରଦେଶକୁ ମଧ୍ୟ ବ୍ୟାପିବାର ମଧ୍ୟ ଆଶଙ୍କା ଦେଖାଦେଇଛି । ଦେଶରେ ବେକାରୀ ବ୍ୟବସ୍ଥା ଉତ୍କଟ ଆକାର ଧାରଣ କରିଥିଲା ବେଳେ ପ୍ରତି ଶହେ ଜଣରେ ୩୦ ଜଣ ଆଜି ବେକାର ରହିଛନ୍ତି । ୧୫ ରୁ ୨୯ ବର୍ଷ ବେକାର ଯୁବକ ଯୁବତୀଙ୍କ ମଧ୍ୟରେ ଏହି ବେକାରୀ ସମସ୍ୟା ଆହୁରି ଉତ୍କଟ ଧାରଣ କରିଛି । 

କ୍ଷମତାକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷକୁ ୨ କୋଟି ବେକାରଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ, ତାଙ୍କ ପ୍ରତିଶ୍ରୁତି ଆଜି ଧୁଆଁବାଣରେ ପରିଣତ ହୋଇଛି । ରେଳବାଈର ୩୫ ହଜାର ୨୮୧ ପଦବୀ ପାଇଁ ଆଜି ୧ କୋଟି ୨୫ ଲକ୍ଷ ପିଲା ଆବେଦନ କରିଛନ୍ତି । ଏହା ଦେଶର ବେକାରୀ ସମସ୍ୟାର ଉତ୍କଟ ପ୍ରତିଫଳନ । ସେହିଭଳି ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୧ ଲକ୍ଷ ବେକାରଙ୍କୁ ନିଯୁକ୍ତି ଦେବେବୋଲି ପ୍ରତିଶ୍ରୁତି ଦେଇଥିଲେ । ହଜାର ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲାବେଳେ ଓ ରାଜ୍ୟରେ ୧ ଲକ୍ଷ ୩୧ ହଜାର ପଦବୀ ଖାଲି ପଡ଼ିଥିବା ବେଳେ ନିୟମିତ ନିଯୁକ୍ତି ରାଜ୍ୟରେ ଅତି ନଗଣ୍ୟ । ଯାହାଫଳରେ ଏ ରାଜ୍ୟର ବେକାର ଯୁବକ ଯୁବତୀମାନେ କାମଧନ୍ଦା ନ ପାଇ ଦିଲ୍ଲୀ, ମୁମ୍ବାଇଏ କଲିକତା, ସୁରଟ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇ ପ୍ରଭୃତି ରାଜ୍ୟରେ ଦାଦନ ଖଟିବାକୁ ଛୁଟି ଚାଲିଛନ୍ତି । ରାଜ୍ୟରେ ବହୁ ସୂତା କଳ, ଚିନିକଳ ଓ ଟେକ୍ସଟାଇଲ ମିଲ୍ ଓ ଝୋଟକଳ ବନ୍ଦ ହୋଇପଡ଼ିଛି । 

ଫଳରେ ବେକାରଙ୍କୁ କାମ ମିଳୁନାହିଁ । ତେଣୁ ସେମାନେ ବାଧ୍ୟ ହୋଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି ବୋଲି ସମାଜବାଦୀ ପାଟି ରାଜ୍ୟ ସଭାପତି ରବି ବେହେରା ଅଭିଯୋଗ କରିଛନ୍ତି । ଆଜି ମାନ୍ୟବର ରାଜ୍ୟପାଳଙ୍କୁ ସମାଜବାଦୀ ପାର୍ଟିର ଏକ ତିନିଜଣିଆ ପ୍ରତିନିଧ୍ୟ ଦଳ ଭେଟି ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ଦେବା ସହିତ ରାଜ୍ୟରେ ପଛୁଆବର୍ଗ ମାନଙ୍କୁ ନାମଲେଖା ଓ ନିଯୁକ୍ତିରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଦେବାକୁ ଦାବି କରିଛନ୍ତି । ନିଟ୍ ନାମ ଲେଖା କ୍ଷେତ୍ରରେ ମାନ୍ୟବର ସୁପ୍ରିମକୋର୍ଟ ପଛୁଆବର୍ଗ ସଂରକ୍ଷଣକୁ ସାମ୍ବିଧାନିକ ଓ ଆଇନଗତ ଭାବରେ ମାନ୍ୟତା ପ୍ରଦାନ କରିଥିଲା ବେଳେ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜ ମାନଙ୍କରେ ମେଡିକାଲ, ଇଂଜିନିୟରିଂ, ଏମ୍.ବି. ଏ. ସମେତ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାରେ ଓବିସିଙ୍କୁ ଆଦୌ ସଂରକ୍ଷଣ ଦିଆ ନଯିବା ଏକ ଐତିହାସିକ ବିଡ଼ମ୍ବନା ବୋଲି ଶ୍ରୀ ବେହେରା କହିଛନ୍ତି । ସେହିଭଳି ରାଜ୍ୟରେ ବାଘ, ହାତୀ, କୁମ୍ଭୀର ଓ ପକ୍ଷୀଗଣନା ହେଉଥିଲା ବେଳେ ପଛୁଆବର୍ଗ ଜାତି ଜନଗଣନା ନ ହେବା ଯୋଗୁଁ ରାଜ୍ୟର ପଛୁଆବର୍ଗ ୧୯୯୭ ରୁ ୨୦୧୭ ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ପାଇଥିଲେ ମଧ୍ୟ ୨୦ ୨୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦୌ ସଂରକ୍ଷଣ ପାଇଲେ ନାହିଁ । 

ଯାହାଫଳରେ ଏହି ବର୍ଗର ୫୨ ପ୍ରତିଶତ ଲୋକ ନିଜର ନାର୍ଯ୍ୟ ସାମ୍ବିଧାନିକ ଅଧକାରରୁ ବଞ୍ଚିତ ହେଲେ । ତେଣୁ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପଛୁଆବର୍ଗଙ୍କୁ ନାମଲେଖା ଓ ନିଯୁକ୍ତି କ୍ଷେତ୍ରରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଦେବାକୁ ଏହି ପ୍ରତିନିଧ ଦଳ ମାନ୍ୟବର ରାଜ୍ୟପାଳଙ୍କ ପାଖରେ ଦାବି କରିଛନ୍ତି । ପଛୁଆବର୍ଗ ଜନଗଣନା କରିବା ପାଇଁ ସରକାରଙ୍କୁ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ସ୍ମାରକପତ୍ରରେ ଦାବି କରାଯାଇଛି । ବିହାର, ଉତ୍ତରପ୍ରଦେଶ ଜଳୁଥିବା ବେକାରୀ ବିରୋଧ ନିଆଁ ଓଡ଼ିଶାକୁ ବ୍ୟାପିବା ପୂର୍ବରୁ ଓଡ଼ିଶା ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ନିଯୁକ୍ତି ଉପରେ ସମୟୋଚିତ ପଦକ୍ଷେପ ନେବାକୁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି । ମାନ୍ୟବର ରାଜ୍ୟପାଳ ଓଡ଼ିଶା ସରକାରଙ୍କର ମୁଖ୍ୟ ଶାସନ ସଚିବ ଓ ଶ୍ରମ ଓ ନିଯୁକ୍ତି ବିଭାଗ ସଚିବଙ୍କୁ ଏ ଦିଗରେ ପଦକ୍ଷେପ ନେବା ସହିତ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତିରୁ ବାହାର କରିବା ପାଇଁ ପଦକ୍ଷେପ ନେଇ ନିୟମିତ ନିଯୁକ୍ତି ସୁଯୋଗ ବେକାର ଯୁବକ ଯୁବତୀଙ୍କୁ ଦେବାପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । 

ଏହା ବ୍ୟତୀତ ମାନ୍ୟବର ଉଚ୍ଚନ୍ୟାୟାଳୟ ଆଉଟସୋର୍ସରେ ନିଯୁକ୍ତିରେ ସଂରକ୍ଷଣ ନିୟମକୁ କଡାକଡି କରିବା ପାଇଁ ଯେଉଁ ପରାମର୍ଶ ଦେଇଛନ୍ତି, ତାହାକୁ ମଧ୍ୟ ରାଜ୍ୟରେ ଲାଗୁ କରିବାହ ପାଇଁ ପଦକ୍ଷେପ ନେବାକୁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି । ଏହି ପ୍ରତିନିଧ ଦଳରେ ପାର୍ଟିର ଯୁବ ଶାଖାର ଜାତୀୟ ସମ୍ପାଦକ ସୁନୀଲ ମିଶ୍ର ଓ ରାଜ୍ୟ ଯୁବ ଜନସଭାର ସାଧାରଣ ସମ୍ପାଦକ ସୁଶୀଲ ହୋତା ପ୍ରମୁଖ ଶ୍ରୀ ବେହେରାଙ୍କ ସହିତ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରି ଏ ଦିଗରେ ପଦକ୍ଷେପ ନେବାପାଇଁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget