ନୂଆଦିଲ୍ଲୀ, ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଦ୍ବାରା ଆୟୋଜିତ ଅଷ୍ଟମ ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଉଦଯାପିତ ହୋଇଯାଇଛି| ସଂଗଠନର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଉଭୟ ଆଭାଷୀ ଓ ବାସ୍ତବ ମାଧ୍ୟମ ଯୋଗେ ଅନୁଷ୍ଠିତ ଏହି ମାତୃଭାଷା ମହାକୁମ୍ଭରେ ୬ଟି ଶାସ୍ତ୍ରୀୟ ଭାଷା ଓ ଅନ୍ୟ ଭାରତୀୟ ଭାଷାରୁ ୪୨ ଜଣ ବିଶେଷଜ୍ଞ ଦେଶ ତଥା ଦେଶ ବାହାରୁ ଯୋଗଦେଇ ମାତୃଭାଷା, ଶିକ୍ଷା ଓ ସ୍ବାଭିମାନ ଶୀର୍ଷକ ଦୁଇ ଦିନ ବ୍ଯାପୀ ଆଲୋଚନାରେ ନିଜର ମତ ରଖିଥିଲେ| ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତାର ଅଷ୍ଟମ ବାର୍ଷିକୀ ଅବସରରେ ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ଡଃ ରମାକାନ୍ତ ରଥଙ୍କ ଦ୍ବାରା ପେବୃଆରୀ ୨୦ ତାରିଖରେ ଓଡ଼ିଶା କମ୍ପୁଟର ଆପ୍ଲିକେସନ ସେଣ୍ଟେରର ପ୍ରେକ୍ଷାଳୟରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଉଦଘାଟିତ ହୋଇଥିଲା ଓ ଅନ୍ତର୍ଯାତୀୟ ମାତୃଭାଷା ଦିବସ ଅବସରରେ ୨୧ ତାରିଖରେ ଆନ୍ତର୍ଜାତୀୟ କ୍ଷାତି ସମ୍ପନ୍ନ ପାର୍ସି କବି ତଥା ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପାର୍ସି ପ୍ରାଧ୍ୟାପକ ପ୍ର. ଅକଲାକ ଆଲାନ, ଶୋଭିତ ବିଶ୍ବବିଦ୍ୟାଳୟର କୁଳାଧିପତି କୁଁୱର ଶେଖର ବିଜେନ୍ଦ୍ର, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ତଥା ବିଶିଷ୍ଠ ସାହିତ୍ୟିକ ଡଃ ବିଷ୍ଣୁପଦ ସେଠୀ, ପୂର୍ବତନ ରାଜ୍ୟସଭା ସାଂସଦ ଡଃ ରାମ ଚନ୍ଦ୍ର ଖୁଣ୍ଟିଆ, ଓଡ଼ିଶା ଷ୍ଟେଟ ହାଉସିଙ୍ଗ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶି ମିଶ୍ର, ପୂର୍ବତନ ବିଦେଶ ସଚିବ ତଥା ବିଶିଷ୍ଟ କବି ଅମରେନ୍ଦ୍ର ଖଟୁଆ, ବିଶିଷ୍ଟ ଚିନ୍ତକ ଡଃ ଭଗବାନ ପ୍ରକାଶ, ବିଶିଷ୍ଟ ଭାଷାବିତ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଗୀତିକାର ଓ ପ୍ରଶାସକ ଦେବଦାସ ଛୋଟରାୟ, ଆଦିକବି ଶାରଳା ଦାସ ଚେୟାରର ମୁଖ୍ୟ ପ୍ରଫେସର ଡଃ ଉଦୟ ନାଥ ସାହୁ ଓଡ଼ିଶା କମ୍ପୁଟର ଆପ୍ଲିକେସନ ସେଣ୍ଟରର କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତା ରଥଙ୍କ ଉପସ୍ଥିତିରେ ଏହି ମହାପର୍ବ ଉଦଯାପିତ ହୋଇଯାଇଛି|
ଏହି ଦୁଇ ଦିନିଆ ସମ୍ମିଳନୀରେ ମାତୃଭାଷା ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ବିଷଦ ଆଲୋଚନା କରାଯାଇଛି| ନୂତନ ଶିକ୍ଷାନୀତି ପରିପ୍ରେକ୍ଷିରେ ଶାସ୍ତ୍ରୀୟ ଭାଷାଗୁଡିକ ପାଇଁ ଆଗାମୀ କାର୍ଯ୍ୟପନ୍ଥା ଶୀର୍ଷକ ଆଲୋଚନାରେ ପ୍ର. ଉଦୟନାଥ ସାହୁଙ୍କ ସଭାପତିତ୍ଵରେ ପ୍ରଫେସର ସମ୍ପଦାନନ୍ଦ ମିଶ୍ର (ସଂସ୍କୃତ), ପ୍ର. ରାମୁଲୁ ପିଲୁଲାମାରି (ତେଲୁଗୁ), ପ୍ର. ବିଶ୍ଵନ୍ନାଥ (କନ୍ନଡ), ଡଃ ଭି ଆନନ୍ଦି (ତାମିଲ) ଓ ଡଃ ସୁବାସିନୀ ବାରିକ ଆଲୋଚନାରେ ଭାଗନେଇ ବିଶେଷ ମତ ରଖିଥିଲେ| ଦ୍ବିତୀୟ ସତ୍ରରେ ମାତୃଭାଷା ମାଧ୍ୟମରେ ବୈଷୟିକ ଶିକ୍ଷା; ସମ୍ଭାବନା ଓ ସାଧ୍ୟତା ଶୀର୍ଷକ ଆଲୋଚନାରେ ଗବେଷକ ସାମ୍ବାଦିକ ଶ୍ୟାମାନୁଜ ଦାସଙ୍କ ପରିଚାଳନାରେ ପ୍ର.ଓମକାର ନାଥ ମହାନ୍ତି, ପ୍ର.ବି.ଏନ.ପଟ୍ଟନାୟକ, ପ୍ର.ସନ୍ତୋଷ କୁମାର ତ୍ରିପାଠୀ, ପ୍ର.ରମେଶ ଭାରଦ୍ଵାଜ, ଡଃ ଦେବାଶିଷ ଜେଷ୍ଠୀ ଓ ଡଃ ତପନ ଗାନ୍ଧୀ ଯୋଗଦେଇ ଏହି ଗୁରୁତ୍ବପୂର୍ଣ୍ଣ ବିଷୟରେ ବିଷଦ ଆଲୋଚନା କରିଥିଲେ| ତୃତୀୟ ସତ୍ରରେ ଓଡିଆ ମାଧ୍ୟମ ସ୍କୁଲ ସମୂହର ରୂପାନ୍ତରଣ; ସୁଯୋଗ, ଆହ୍ବାନ ଓ କାର୍ଯ୍ୟପନ୍ଥା ଶୀର୍ଷକ ଆଲୋଚନାରେ ବରିଷ୍ଟ ସାମ୍ବାଦିକ ସଂଦୀପ ସାହୁଙ୍କ ପରିଚାଳନାରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ପୂର୍ବତ୍ତନ ନିର୍ଦେଶକ ଡଃ କମଳା ପ୍ରସାଦ ମହାପାତ୍ର, ଓପିଏସିର ପୂର୍ବତ୍ତନ ଅଧ୍ୟକ୍ଷ ଡଃ ସତ୍ୟକାମ ମିଶ୍ର, ବରିଷ୍ଟ ଗବେଶିକା ଡଃ ରଞ୍ଜିତା ପଟ୍ଟନାୟକ ଓ ଡିଜିଟାଲ ଇଣ୍ଡିଆ କର୍ପୋରେସନର ନିର୍ଦେଶକ ଦେବବ୍ରତ ନାୟକ ଭାଗନେଇ ସାମ୍ପ୍ରତିକ ସ୍ଥିତିରେ ଏହାର ଗୁରୁତ୍ବ ବିଷୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ| ଚତୁର୍ଥ ସତ୍ରରେ ଯୁବଶକ୍ତି ଓ ମାତୃଭାଷା; ଯୁବ ମାନସର ଅଭିବ୍ୟକ୍ତି ଶୀର୍ଷକ ଆଲୋଚନାରେ ଯୁବ ସାହିତ୍ୟିକ ପରମବ୍ରହ୍ମ ତ୍ରିପାଠୀଙ୍କ ପରିଚାଳନାରେ ଲେଖିକା ଡଃ ସୁଲଗ୍ନା ମହାନ୍ତି, ସ୍ତମ୍ଭକାର ଶୃତକ୍ରିତୀ ତ୍ରିପାଠୀ, ପ୍ରଶାସୀକା କଲ୍ୟାଣୀ ସଂଘମିତ୍ରା, ଚଳଚ୍ଚିତ୍ର ନିର୍ମାତା ସ୍ଥିତ ପଟ୍ଟନାୟକ, ସୃଜନିର ସହ ପ୍ରତିଷ୍ଠାତା ଅନୁରାଗ ବେହେରା ଓ ସାମ୍ବାଦିକ ହରିହର ପଣ୍ଡା ଭାଗନେଇ ଗୁରୁତ୍ବପୂର୍ଣ୍ଣ ମତାମତ ରଖିଥିଲେ|
ଏହି ମାତୃଭାଷା ସମ୍ମିଳନୀ ଅବସରରେ ଓଡିଆ ଭାଷାକୁ ସମୃଦ୍ଧ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା କେତେଜଣ ବିଶିଷ୍ଟ ବ୍ଯକ୍ତିତ୍ବଙ୍କୁ ପ୍ରବାସୀ ଭାଷା ସମ୍ମାନରେ ସମ୍ମାନୀତ କରାଯାଇଥିଲା| ସେମାନଙ୍କ ମଧ୍ୟରେ ଜୀବନ ବ୍ଯାପୀ ତ୍ୟାଗ ପାଇଁ ଡଃ ରମାକାନ୍ତ ରଥଙ୍କୁ ଆମ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ଡଃ ଗୌରହରି ଦାସଙ୍କୁ ଓଡିଆ ଭାଷାର ସ୍ତମ୍ଭ ସାହିତ୍ୟ ସମ୍ମାନ ପ୍ରଦାନ କରାଇଛି| ଜର୍ମାନୀରୁ ଡଃ ରାଜେନ୍ଦ୍ର ନାରାୟଣ ଦାସଙ୍କୁ ଓଡିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ପ୍ରବାସରେ ପ୍ରଚାର ଓ ପ୍ରସାର ପାଇଁ, ଇଂ ପ୍ରିୟବ୍ରତ ଦାସଙ୍କୁ ଓଡିଆ ଭାଷାରେ ବୈଦିକ ଭାବଧାରାକୁ ସାଧାରଣ ଜୀବନରେ ପହଞ୍ଚାଇବା ପାଇଁ, ଡଃ ବିଜୟାନନ୍ଦ ସିଂଙ୍କୁ ସାରସ୍ଵତ ସାଧନା ଓ ସାରସତ୍ଵ ସଂଗଠନ ପାଇଁ, ପ୍ରଫେସର ହରିଶ ଚନ୍ଦ୍ର ମିଶ୍ରଙ୍କୁ ଓଡ଼ିଆ ଭାଷାରୁ ହିନ୍ଦୀ ଭାଷାରେ ଅନୁବାଦ କରିବାରେ ବିଶେଷ ଅବଦାନ ପାଇଁ, ଡଃ କୈଳାସ ଚନ୍ଦ୍ର ଟିକାୟତରାୟଙ୍କୁ ଓଡିଆ ଭାଷା ବିଜ୍ଞାନ ପାଇଁ, ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ଓଡିଆ ଭାଷାକୁ ପାଲା ସଂସ୍କୃତି ମାଧ୍ୟମରେ ଲୋକପ୍ରିୟ କରିଥିବା ପାଇଁ, ସୂର୍ଯ୍ୟ ଦେଓଙ୍କୁ ଓଡିଆ ଭାଷାର ପୁରାତନ ସଙ୍ଗୀତ, ଚଳଚିତ୍ର ତଥା ବିରଳ କୃତିକୁ ସରଂକ୍ଷଣ ପାଇଁ, ଓମପ୍ରକାଶ ମହାନ୍ତିଙ୍କୁ ଓଡିଆ ସଙ୍ଗୀତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ, ଶିକ୍ଷକ ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ଶିକ୍ଷା କ୍ଷେତ୍ରରେ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରବାସୀ ଭାଷା ସମ୍ମାନ -୨୦୨୨ ପ୍ରଦାନ କରାଯାଇଛି| ଓଡିଆ ଭାଷାର ଉନ୍ନତି ପାଇଁ ଯୁବପିଢୀଙ୍କ ମଧ୍ୟରୁ ସୂର୍ଯ୍ୟସ୍ନାତ ତ୍ରିପାଠୀ ସାହିତ୍ୟ ପାଇଁ, ବଳଭଦ୍ର ରଥଙ୍କୁ ଓଡିଆ ସଂସ୍କୃତିର ପ୍ରସାର ପାଇଁ ଓ ଅନୁରାଧା ମହାରଣାଙ୍କୁ ସାମ୍ବାଦିକତା ପାଇଁ ଯୁବ ପ୍ରେରଣା ସମ୍ମାନ ପ୍ରଦାନ କରାଯାଇଛି|
ଓଡିଆ ଭାଷାର ପ୍ରତିନିଧିତ୍ଵରେ ଦେଶର ଏହା ଏକ ମାତ୍ର ସମ୍ମିଳନୀ ଯେଉଁଥିରେ ସମସ୍ତ ଭାରତୀୟ ଶାସ୍ତ୍ରୀୟ ଭାଷା ଓ ଅନ୍ୟ ଭାରତୀୟ ଭାଷାର ପ୍ରତିନିଧି ମାନେ ଯୋଗଦେଇ ନିଜ ନିଜ ମାତୃଭାଷାର ସମସ୍ଯା ଓ ତାର ସମାଧାନ ଉପରେ ମତ ରଖିଥାନ୍ତି| ଏହି ମହାକୁମ୍ଭରେ ପ୍ରାୟ ୩୦ ଦେଶ ଓ ଭାରତର ସମସ୍ତ ରାଜ୍ୟର ଶତାଧିକ ଭାଷାପ୍ରେମୀ ଅନଲାଇନରେ ଯୋଗେ ଆଲୋଚନାରେ ଭାଗ ନେଇ ଥିଲେ| ଏହି ବିରଳ ପ୍ରୟାସକୁ ସଫଳ କରିବାରେ ଦି ଇଣ୍ଟେଲେକ୍ଟସ ସହିତ ଓଡିଆ ଭରଚୁଆଲ ଏକାଡ଼େମୀ ଓ ସାହିତ୍ୟ ଏକାଡ଼େମୀ ସହଭାଗୀ ଥିଲେ| ଦୁଇ ଦିନ ବ୍ଯାପୀ ସାରା ବିଶ୍ବକୁ ଗୋଟିଏ ମଞ୍ଚରେ ଯୋଡିବାର ସଫଳ ପ୍ରୟାସରେ ଶ୍ରୀ ସ୍ମୃତି ରଞ୍ଜନ ମିଶ୍ର, ଡଃ ସୁବାସିନୀ ବାରିକ, ଶ୍ୟାମାନୁଜ ଦାସ, ପରମବ୍ରହ୍ମ ତ୍ରିପାଠୀ, ବିରଜା ମହାପାତ୍ର, ପ୍ରତାପ କୁମାର ପରିଡା, ପାର୍ଥସାରଥି ଶତପଥି, ପଙ୍କଜମାଳା ଷଡଙ୍ଗୀ, ନଗେନ୍ଦ୍ର ନାଥ ସ୍ବାଇଁ, ଶ୍ରୀସିକ୍ତା ଶୁଭଦର୍ଶିନୀ, ତୃପ୍ତି ରଞ୍ଜନ ଦାସ ତଥା ଉଭୟ ଦି ଇଣ୍ଟେଲେକ୍ଟସ ଓ ଓଡିଆ ଭରଚୁଆଲ ଏକାଡ଼େମୀର ସଦସ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ|
Post a Comment