ଭୁବନେଶ୍ୱର,ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ଉଭୟ ବିଜେଡି, ବିଜେପି ସମର୍ଥିତ ଗୁଣ୍ଡାମାନଙ୍କ ଦ୍ଵାରା ସଙ୍ଗଠିତ ହିଂସା, ବୋମାମାଡ଼, ବୁଥ ରିଗି, ଭୋଟ ବାକ୍ସ ଲୁଟ୍ ଆଦି ଘଟଣାରେ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି କଂଗ୍ରେସ । ବୁଥ ରିଗି ଭଳି ଅପରାଧୀକ କାର୍ଯ୍ୟକଳାପରେ ସମ୍ପୂକ୍ତ ଗୁଣ୍ଡାମାନଙ୍କୁ ଗିରଫ କରିବା ସହିତ ଏହି ବୁଥ ଗୁଡ଼ିକରେ ପୁନଃ ମତଦାନ ପାଇଁ ଦାବି କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସର ଏକ ୬ ଜଣିଆ ଉଚ୍ଚ ପ୍ରତିନି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରି କହିଲେ କେଉଁଝର ଜିଲ୍ଲା ଘଷିପୁରା ବ୍ଲକର ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧୀନରେ ରାମଚନ୍ଦ୍ରପୁର ବୁଥ ନମ୍ବର ୧୭, ବଡ଼ପଦନା ବୁଥ ନମ୍ବର ୭, ୮, ୯, ୧୦ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପ୍ରଦୀପ୍ତ ସାହୁ ଓ ତାଙ୍କର ହାତଗଣତି ସମର୍ଥକଙ୍କ ଦ୍ଵାରା ବୁଥ ରିଗି କରାଯାଇଛି ।
ଲୋକେ ଏହାର ବିରୋଧ କରି ପ୍ରିଜାଇଡିଂ ଅଫିସର ଓ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଅଭିଯୋଗ କରାଯାଇଛି, କିନ୍ତୁ ପୋଲିସ୍ ଚୁପ୍ । ଘଷିପୁରା ବିଧାୟକ ଓ ତାଙ୍କ ପୁତ୍ରମାନଙ୍କ ଷଡ଼ଯନ୍ତ୍ର କ୍ରମେ ଏହି ବେଆଇନ କାମ କରାଯାଇଛି । ଏଣୁ ଉଭୟ ବିଜେଡି ବିଧାୟକ ଓ ତାଙ୍କ ପୁତ୍ର ସମେତ ସରପଞ୍ଚ ପ୍ରାର୍ଥୀ ପ୍ରଦୀପ୍ତ ସାହୁ ଓ ତାଙ୍କର ସମର୍ଥକ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ତାଙ୍କୁ ଗିରଫ କରିବା ସହ ଏହି ବୁଥ ଗୁଡ଼ିକରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି ଜଣାଇଛି ଦଳ । ପୁନଶ୍ଚ ଗଜପତି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡିଆରଡିଏ) ଖୋଲାଖୋଲି ଭାବେ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି ।
ଗଜପତି ଜିଲ୍ଲାର ବିଜେଡି ନେତା ତିରୁପତି ପାଣିଗ୍ରାହୀ ଭୋଟ ରିଟିଂ ପାଇଁ ନିଜ ସମର୍ଥକଙ୍କୁ ଉସକାଉଛନ୍ତି । ଯାଜପୁର ଜିଲ୍ଲାର ଯାଜପୁର ବ୍ଲକର ଝଳପଡ଼ା ପଞ୍ଚାୟତ କାକୁଡ଼ିକୁଦ ବୁଥ, ଏରବାଙ୍କ, ସୁଜନପୁର, ରୁଦ୍ରପୁର, ଛତିଶଡେବିଲ ପଞ୍ଚାୟତର ସମସ୍ତ ବୁଥ ପୋଲିସ୍ ସହଯୋଗରେ ବୁଥ ଜବରଦଖଲ ହୋଇଛି । ପୁରୀ ଜିଲ୍ଲାର କଣାସ ବ୍ଲକ ଅଞ୍ଚଳରେ ନିର୍ବାଚନରେ ଅନିୟମିତତା ସମ୍ପର୍କରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଘଟଣାରେ ଉଭୟ ବିଜେଡି, ବିଜେପି ଗୁଣ୍ଡାମାନଙ୍କୁ ଗିରଫ କରିବା ଦରକାର । ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ବ୍ଲକର ନିହଲପ୍ରସାଦରେ ବୁଥ ରିଗି ଘଟଣାରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶକ ।
ଗଞ୍ଜାମ ଜିଲ୍ଲାର ଚିକିଟି, କୁକୁଡ଼ାଖଣ୍ଡି ଓ ଦିଗପହଣ୍ଡି ବ୍ଲକ୍ ଅଞ୍ଚଳରେ ପୋଲିସ୍ ଶାସକ ଦଳର ଏଜେଣ୍ଟା ସାଜିଛି । । ରିଙ୍ଗି ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ ସହ ଏସବୁ ବୁଥରେ ପୁନଃ ମତଦାନ କରାଯିବାକୁ ନିର୍ଦ୍ଦେଶ ଦେବାକୁ ଆୟୋଗଙ୍କୁ ଅନୁରୋଧ କରିଛି ଦଳ । ତ୍ବରିତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ପର୍ଯ୍ୟାୟ ମତଦାନ ଦିନ ଗୁଡ଼ିକରେ ହିଂସା ବଢ଼ାଇବା ଦିଗରେ ପ୍ରୋତ୍ସାହନ ଦେଲାଭଳି ହେବ । ତେଣୁ ତରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ଦଳ । ଏହି ପ୍ରତିନିଧ ଛଅ ଜଣିଆ ପ୍ରତିନିଧ ମଣ୍ଡଳୀରେ ପିସିସିର ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ମୁଖପାତ୍ର ମନୋଜ ମହାପାତ୍ର, ରଜନୀ ମହାନ୍ତି, ରାଜ୍ୟ ଛାତ୍ର ସଭାପତି ୟାସିର ନୱାଜ, କଂଗ୍ରେସ ନେତା ସାନ୍ତନୁ ସାହୁ ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
Post a Comment