ଭୁବନେଶ୍ୱର, ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଗୋଟିଏ ପଟେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ବିଦ୍ୟାଳୟ ଖୋଲିବା ନେଇ ଘୋଷଣା କରିବା ସହିତ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହୁଥିବା ବେଳେ ଅନ୍ୟପଟେ ସ୍କୁଲ୍ମାନେ ଉଭୟ ଅଫଲାଇନ୍, ଅନ୍ଲାଇନ୍ରେ ପାଠପଢାଇବାର ନିର୍ଦ୍ଦେଶ ବିଦ୍ୟାଳୟ କର୍ତ୍ତୃପକ୍ଷମାନଙ୍କୁ ହରଡ଼ ଘଣାରେ ପକାଇଛି । ଏକ ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଦେଶ ନଥିବାରୁ ଅଭିଭାବକମାନେ ମଧ୍ୟ ନିଜ ପିଲାମାନଙ୍କୁ ସ୍କୁଲ୍ ଛାଡିବେ କି ନାହିଁ ଦ୍ବନ୍ଦରେ ଅଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଗୃହ ପାଠ ପଢେଇବା ପାଇଁ ନିବେଦନ କରୁଥିବା ବେଳେ, ଅନ୍ଲାଇନ୍ ପାଠପଢ଼ା ଓ ପରୀକ୍ଷାକୁ ପ୍ରଶୟ ଦେବା କେତେଦୂର ସମଚୀନ ।
ଯେଉଁ କିଛି ବିଦ୍ୟାଳୟର କର୍ତ୍ତୃପକ୍ଷ କୋଭିଚ୍ ଗାଇଡ୍ଲାଇନ୍ ମାନି ଅଫଲାଇନ୍ ପାଠପଢା ଓ ଅଫ୍ଲାଇନ୍ ପରୀକ୍ଷା ପାଇଁ ସାହସର ସହିତ ପଦକ୍ଷେପ ନେଉଛନ୍ତି, ସେମାନଙ୍କୁ ଯଦି ସରକାର କାରଣ ଦର୍ଶାଅ ନୋଟିସ୍ ମାଗିବେ ତାହେଲେ ସରକାରଙ୍କର ଶ୍ରେଣୀଗୃହ ପାଠପଢ଼ା ନିର୍ଦ୍ଦେଶ ଓ ନିବେଦନର ମାନେ ଅଭିଭାବକମାନେ କ’ଣ ବୁଝିବେ, ସରକାର ସ୍ପଷ୍ଟ କରନ୍ତୁ । ସରକାର କେତେବେଳେ ଫେବୃୟାରୀ ୧୪ ତାରିଖରୁ ସ୍କୁଲ ଖୋଲିବା ଓ ପାଠପଢା ନିମନ୍ତେ କହୁଥିବା ବେଳେ ପୁଣି କେତେବେଳେ । ଫେବୃୟାରୀ ୨୮ ତାରିଖରୁ ପିଲାମାନେ ସ୍କୁଲକୁ ଯିବେ ବୋଲି କହୁଛନ୍ତି । ସରକାରଙ୍କର କଥାରେ ତାଳମେଳ ରହୁନାହିଁ ବୋଲି ଅଭିଭାବକମାନେ ହୃଦୟଙ୍ଗମ କଲେଣି । ଆଜକୁ ୨ ବର୍ଷ ହେବ ପିଲାଟି ସ୍କୁଲ୍ ଦେଖୁନାହିଁ ଓ ଶ୍ରେଣୀ ଶିକ୍ଷାରୁ ସମ୍ପୂର୍ଣ୍ଣ ବଞ୍ଚିତ ଥିବା ବେଳେ ସରକାରଙ୍କର ଏ ଦୋମୁହାଁ ନୀତିକୁ ନେଇ ଅଭିଭାବକଟି ଦ୍ବନ୍ଦରେ ।
ଦିଲ୍ଲୀ ସରକାର ଆସନ୍ତା ୧୪ ଚାରିଖରୁ ଦିଲ୍ଲୀରେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଅନ୍ଲାଇନ୍ ପଢାକୁ ବନ୍ଦ କରି ଶ୍ରେଣୀଗୃହ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଓଡ଼ିଶା ସରକାର କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନ ଦେଇ ଝୁଲା ଅବସ୍ଥାରେ ଛାଡ଼ିଦେଇ ନିଜକୁ ନିଜେ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ କହି ସାବାସୀ ଦେବା ସାଧାରଣରେ ଭୂକୁଞ୍ଚନ ସୃଷ୍ଟି କରୁଛି । କିଛି ବିତ୍ତଶାଳୀ ଅଭିଭାବକ ମଧ୍ୟ ଅନୁଇନ୍ ପାଠ୍ୟକ୍ରମକୁ ସମର୍ଥନ କରୁଛନ୍ତି । ଯାହାଫଳରେ ପଛୁଆ, ଆଦିବାସୀ ଓ ଗରିବ ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ସେମାନଙ୍କ ସମର୍ଥନ ସରକାରଙ୍କୁ ଉତ୍ସାହିତ କରୁଛି । ସରକାର ଭାବୁଛନ୍ତି, କେବଳ ଧନୀକ ବ୍ୟକ୍ତି ହେଉଛନ୍ତି ସରକାରଙ୍କର । ବାସ୍ତବରେ ସରକାର ଚାହୁଁନାହାଁନ୍ତି “ସମସ୍ତେ ପଢ଼ନ୍ତୁ, ସମସ୍ତେ ବଢନ୍ତୁ ଏହା କେବଳ ଏକ ସ୍ଲୋଗାନରେ ସୀମିତ ।
ଦିଲ୍ଲୀ ସରକାର ଭଳି ଓଡ଼ିଶା ସରକାର ଏକ ନିର୍ଦ୍ଦିଷ୍ଟ ଆଦେଶ ବା ନିର୍ଦ୍ଦେଶ ବାହାର କରି ନିଜର ଦାୟିତ୍ବପାଳନ କରନ୍ତୁ, ଏହା ‘ୟୁନାଇଟେଡ୍ ଫରେଣ୍ଟସ୍ ଆସୋସିଏସନ୍ ଫୋରମ୍ (ଉପାଫ) ଦାବି କରୁଛି । ଯେଉଁ ଅଭିଭାବକମାନେ ଶ୍ରେଣୀ ଗୃହ ପାଠପଢା ଆରମ୍ଭ ହେଉ ଚାହୁଁନାହାନ୍ତି, ସେମାନେ ବୁଝିବା ଦରକାର ଯେ, ମଲ, ପାର୍କ, ଭୋଜି, ସିନେମା ଆଦି ସ୍ଥାନମାନଙ୍କରେ ବୁଲିବାବେଳେ ସେମାନଙ୍କ ପିଲାମାନଙ୍କୁ କରୋନା ହେଉଛି କି ନାହିଁ, । ଯଦି ନାହିଁ ସେମାନେ କୋଭିଚ୍ ଗାଇଡ୍ଲାଇନ୍ ପାଳନ କରୁଥିବେ । ତେଣୁ ନିଶ୍ଚିତ ଭାବରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କଠାରୁ ଏହି ବାବଦରେ ଅଧୁକ ସଚେତନ ଥିବେ । ତେଣୁ ସ୍ଵାର୍ଥରୁ ଟିକେ ଉପରକୁ ଉଠି ସବୁ ପିଲାଙ୍କ ବାବଦରେ ଚିନ୍ତା କରି ସାହାସର ସହିତ ପରୀକ୍ଷାମୂଳକ ଭାବରେ ପିଲାଙ୍କୁ ସ୍କୁଲ ଛାଡ଼ିବା ଦରକାର । ଯେଉଁଥିରେ ଏକ ରାଜ୍ୟର ପ୍ରଗତିର ଶୁଭାରମ୍ଭ ହେବ । ସରକାର ବିଦ୍ୟାଳୟ କର୍ତ୍ତୁପକ୍ଷ ଏବଂ ଅଭିଭାବକଙ୍କର ମିଳିତ ପ୍ରୟାସ ହିଁ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆଣିପାରିବ ।
Post a Comment