ରାୟଗଡା, ରାୟଗଡା ଜିଲ୍ଲାର ଦୁର୍ଗମ ଅଂଚଳରେ ଆଜି ବି ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଜିଲ୍ଲାରେ ମାଳ ମାଳ ନେତା ରହିଥିଲେ ମଧ୍ୟ ଲୋକଙ୍କ ଦୁଃଖ ଦୂର କରିବାରେ ଏମାନେ ଅସଫଳ। ଏଭଳି ଅଭିଯୋଗ କରିଛନ୍ତି ଦୁର୍ଗମ କାଶୀପୁର ବ୍ଲକର କାହ୍ନଗୁଡା ଗ୍ରାମର ଲୋକେ। କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ ଗର୍ଭବତୀ ମହିଳାଙ୍କୁ ଭରାନଦୀରେ ପରିବାର ଲୋକେ ବୋହି ନଦୀ ପାର କରିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ ଗର୍ଭବତୀ ମହିଳା। କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନୁଗୁଡା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ସୁରନ୍ଦର ମାଝୀଙ୍କ ସ୍ତ୍ରୀ ଆରତୀ ମାଝୀଙ୍କ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।
ହେଲେ ଉକ୍ତ ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ନଦୀ ଦେଇ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ପାରିନଥିଲା। ଫଳରେ ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ ଚଲାଇ ଚଲାଇ ନଦୀ ପର୍ଯ୍ୟନ୍ତ ଆଣିବା ପରେ ଭରାନଦୀରେ ବୋହି ନଦୀ ପାର କରି ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥିଲେ। ଏହା ପରେ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଗ୍ରାମକୁ ପକ୍କା ରାସ୍ତାଟିଏ ହୋଇପାରିଲା ନାହିଁ। ଆଜି ଲୋକେ ରୋଗୀକୁ ,ଗର୍ଭବତୀଙ୍କୁ ଭାର କିମ୍ବା ଖଟିଆରେ ବୋହି ମେଡିକାଲ ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ସେହିପରି ପିଲାମାନେ ରାସ୍ତା ନଥିବାରୁ ସ୍କୁଲ ନଯାଇ ଅଶିକ୍ଷିତ ହୋଇ ରହୁଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଲୋକେ ଏବେଠାରୁ ଚେତାବନୀ ଦେବା ଆରମ୍ଭ କଲେଣି। ଗାଁକୁ ରାସ୍ତା ,ତାପରେ ଭୋଟ ବୋଲି ସିଧା ସିଧା କହୁଥିବା ଦେଖିବାକୁ ମିଳିଛି।
Post a Comment