ଭୁବନେଶ୍ୱର, ୨୭ ଜାନୁଆରୀ ୨୦୨୫
ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଅଧିନସ୍ଥ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ (ଡିଇଏସ) ପକ୍ଷରୁ ବିଶ୍ୱବ୍ୟାଙ୍କ ସହଯୋଗରେ ପରିସଂଖ୍ୟାନ ତଥ୍ୟ ସଂଗ୍ରହ ଓ ବୈଧତା କ୍ଷେତ୍ରରେ କମ୍ପ୍ୟୁଟର ସହାୟତାରେ ବ୍ୟକ୍ତିଗତ ସାକ୍ଷାତକାର (ସିଏପିଆଇ) ଆପ୍ଲିକେସନ୍ ପ୍ରସ୍ତୁତି ନିମନ୍ତେ ବିଶ୍ୱବ୍ୟାଙ୍କ ଦ୍ଵାରା ବିକଶିତ ସର୍ଭେ ସଲ୍ୟୁସନ୍ ସଫ୍ଟଓୟାରର ବ୍ୟବହାର ଉପରେ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମିଠାଜଳ ଜୀବପାଳନ ଅନୁସନ୍ଧାନ ପ୍ରତିଷ୍ଠାନ (ସିଫା) ଠାରେ ଆୟୋଜନ କରାଯାଇଛି । ଜାନୁଆରୀ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ୫ ଦିନିଆ ଏହି କର୍ମଶାଳାକୁ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଉଦଘାଟନ କରିଥିଲେ । ଉଦଘାଟନୀ ପର୍ଯ୍ୟାୟରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡଃ.ବିଜୟ ଭୂଷଣ ନନ୍ଦ ପ୍ରଶିକ୍ଷଣର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିରେ ଓଡ଼ିଶା ଓ ସିକ୍କିମ ରାଜ୍ୟର ୩୫ ଜଣ ଅଧିକାରୀ ଯୋଗଦେଇଛନ୍ତି ଏବଂ ବିଶ୍ୱବ୍ୟାଙ୍କର ବୈଷୟିକ ବିଶେଷଜ୍ଞମାନେ ତାଲିମ ପ୍ରଦାନ କରିବେ ।
ବିଶ୍ୱବ୍ୟାଙ୍କ ସହାୟତାରେ କାର୍ଯ୍ୟ।ନ୍ଵୟନ କରାଯାଉଥିବା ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି କାର୍ଯ୍ୟକ୍ରମ ଅଧିନରେ ପରିସଂଖ୍ୟାନ ବ୍ୟବସ୍ଥା ସୁଦୃଢୀକରଣ ଏକ ମହତ୍ତ୍ୱପୂର୍ଣ ଅଙ୍ଗ , ଯେଉଁଥିରେ ସର୍ଭେ କାର୍ଯ୍ୟକ୍ରମକୁ ଡିଜିଟାଇଜ୍ କରିବା ସହ ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥାକୁ ନୂତନ ଦିଗ ଦେବାପାଇଁ ଗୁରୁତ୍ୱ ଦିଆଯାଉଛି । ଏହି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ ହେଉଛି ଉନ୍ନତ ସର୍ବେକ୍ଷଣ ଆପ୍ଲିକେସନର ବ୍ୟବହାର ଉପରେ ସରକାରୀ ବିଭାଗ ମଧ୍ୟରେ ମାଷ୍ଟର ଟ୍ରେନରମାନଙ୍କର ଏକ ଟିମ ବିକଶିତ କରିବା, ଯାହା ଉଭୟ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଅନ୍ୟ ଅଧିକାରୀଙ୍କୁ ତାଲିମ ଦେଇପାରିବେ । ଏହାବ୍ୟତୀତ ଆଗାମୀ ଦିନରେ ସର୍ଭେ ସଲ୍ୟୁସନ୍ ଭଳି ଅତ୍ୟାଧୁନିକ ଆପ୍ଲିକେସନକୁ ଅଧିକରୁ ଅଧିକ ବ୍ୟବହାର କରି ବିଭିନ୍ନ କ୍ଷେତ୍ରର ସର୍ବେକ୍ଷଣ ପ୍ରକ୍ରିୟାକୁ ସହଜକରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ସଶକ୍ତ କରାଯିବ। ପରବର୍ତ୍ତୀ ସମୟରେ ସର୍ବେକ୍ଷଣ ପରିଚାଳନା ପ୍ରଣାଳୀ, ତଥ୍ୟର ଗୁଣବତ୍ତାରେ ଉନ୍ନତି, ତଥ୍ୟ ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ସହିତ ତଥ୍ୟ ସଂଗ୍ରହ ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନର ସମାଧାନ କରାଯାଇପାରିବ ।
ଏଥିରେ ଓଡ଼ିଶାର ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଏବଂ ବିଭିନ୍ନ ଜିଲ୍ଲାର ସହକାରୀ ନିର୍ଦ୍ଦେଶକ ଓ ପରିସଂଖ୍ୟାନ ଅଧିକାରୀଙ୍କ ସମେତ ସିକ୍କିମର ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ବାଣିଜ୍ୟ ଓ ଶିଳ୍ପ ବିଭାଗର ପ୍ରତିନିଧିମାନେ ଯୋଗଦେଇଛନ୍ତି । ଅଂଶଗ୍ରହଣକାରୀମାନେ ବିଭିନ୍ନ ସର୍ବେକ୍ଷଣର ଯୋଜନା, ଡିଜାଇନ୍ ଏବଂ କାର୍ଯ୍ୟକାରୀ କରିବାରେ ସର୍ବେକ୍ଷଣ ପ୍ରୟୋଗର ସମୃଦ୍ଧ କାର୍ଯ୍ୟକାରିତା ସହିତ ପରିଚିତ ହୋଇ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ବହୁତ ଲାଭବାନ ହେବେ ବୋଲି ଆଶା କରାଯାଉଛି ।
Post a Comment