February 2025

ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୫




 କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏଆଇୟୁ) ସହଯୋଗରେ ଭାରତର କେନ୍ଦ୍ରାଞ୍ଚଳ କୁଳପତି ସମ୍ମିଳନୀ  କିସ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଉଚ୍ଚତର ଶିକ୍ଷାର ଜଗତିକରଣ ନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ସମ୍ମିଳନୀରେ ବହୁ ଚିନ୍ତାନାୟକ, ଶିକ୍ଷାବିତ୍‍ ଓ ନୀତି ନିର୍ଦ୍ଧାରକ ଯୋଗଦେଇ ଜଗତିକରଣ ଓ ଆନ୍ତର୍ଜାତିକରଣ ବିଷୟବସ୍ତୁ ଉପରେ ନିଜର ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇୟୁର ସଭାପତି ବିଜୟ କୁମାର ପାଠକ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ସମାନୁପାତିକ ଆନ୍ତର୍ଜାତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଆଇୟୁ ଏଥି ନିମନ୍ତେ ବିଭିନ୍ନ ଦେଶ ସହ ସହଭାଗିତା ଓ ଏକ ସନ୍ତୁଳିତ ଦୃଷ୍ଟିକୋଣକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିଆସୁଛି ବୋଲି ସେ କହିଥିଲେ । ଏଆଇୟୁର ମହାସଚିବ ପଙ୍କଜ ମିତ୍ତଲ ଭାରତୀୟ ଉଚ୍ଚଶିକ୍ଷାକୁ ନୂଆ ରୂପ ଦେବାରେ ଏଆଇୟୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ବୋଲି ସୂଚନା ଦେଇଥିଲେ । ୧୯ଟି ବିଦେଶୀ ଶିକ୍ଷାନୁଷ୍ଠାନ ସମେତ ୧୦୬୮ ବିଶ୍ୱବିଦ୍ୟାଳୟ ଏଆଇୟୁର ସଦସ୍ୟ ରହିଛନ୍ତି । ଏଆଇୟୁ ହେଉଛି ବିଶ୍ୱର ସର୍ବବୃହତ ବିଶ୍ୱବିଦ୍ୟାଳୟ ସଂଘ ବୋଲି ସେ କହିଥିଲେ । ଏହା ଉଚ୍ଚତର ଶିକ୍ଷା ପାଇଁ ଏକ ଥିଙ୍କ ଟ୍ୟାଙ୍କ ଭାବେ କାର୍ଯ୍ୟ କରୁଥିବା ବେଳେ ଉଚ୍ଚତର ଶିକ୍ଷାର ଆନ୍ତର୍ଜାତିକରଣ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଦିଗଦର୍ଶନ ପ୍ରଦାନ କରିଆସୁଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୟୁନେସ୍କୋ ଚେୟାର ଅନ୍‍ ଇନ୍‍କ୍ଲୁସିଭ ମିଉଜିୟମ ଆଣ୍ଡ ସଷ୍ଟେନେବଲ୍‍ ହେରିଟେଜ୍‍ ଡେଭେଲପମେଣ୍ଟର ପ୍ରଫେସର ଅମରେଶ୍ୱର ଗାଲା, ଇଲିନୋଇସ୍‍ ବିଶ୍ୱବିଦ୍ୟାଳୟ ପ୍ରଫେସର ଉଇଲିୟମ୍‍ କୋପେ ଏବଂ ପ୍ରଫେସର ମ୍ୟାରୀ କାଲାଞ୍ଜିସ୍‍ ପ୍ରମୁଖ ଯୋଗଦେଇ ବିଶ୍ୱ ଶ୍ରେଣୀଗୃହ ଓ ଅନ୍ତର୍ଜାତୀୟ ଶୈକ୍ଷିକ ବିନିମୟ ଉପରେ ସେମାନଙ୍କ ମତାମତ ରଖିଥିଲେ। ଏହି ସମ୍ମିଳନୀରେ ଏଆଇୟୁର ମିଟିଂ ଡିଭିଜନ ମୁଖ୍ୟ ବିଜେନ୍ଦ୍ର କୁମାର, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ଆଦି ରାଜ୍ୟର ବିଶ୍ୱବିଦ୍ୟାଳୟ କୁଳପତି, ଏଆଇସିଟି, ନାକ୍‍, ଏନ୍‍ଡିଏସ୍‍ସି, ଆଇସିଏଆର୍‍ର ପ୍ରତିନିଧିମାନେ ଯୋଗଦେଇଥିଲେ । ସମ୍ମିଳନୀର ସୁପାରିଶଗୁଡ଼ିକୁ କୁଳପତିଙ୍କ ରାଷ୍ଟ୍ରୀୟ ସମ୍ମିଳନୀରେ ଏକ ଆକ୍ସନ ପ୍ଲାନ୍‍ ପ୍ରସ୍ତୁତି ନିମନ୍ତେ ଉପସ୍ଥାପନ କରାଯିବ। କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ଶରଣଜିତ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୫




ଓଡିଆ ଚଳଚ୍ଚିତ୍ର ଜଗତର ସର୍ବାଧିକ ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତମ ମହାନ୍ତିଙ୍କ ନୂଆଦିଲ୍ଲୀ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ସ୍ୱର୍ଗତଃ ମହାନ୍ତି ଜଣେ ଯୁଗଜନ୍ମା କଳାକାର ଭାବେ ଅନେକ ଚଳଚ୍ଚିତ୍ରରେ ତାଙ୍କ ନିପୁଣ ଅଭିନୟରେ ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ କରିବା ସହ ଅନେକ ସୁନାମ ଅର୍ଜନ କରିଥିଲେ। ତାଙ୍କର ଜୀବନ୍ତ ଅଭିନୟ ମାଧ୍ୟମରେ ଓଡିଶାବାସୀଙ୍କ ହୃଦୟରେ ସେ ଯେଉଁ ସ୍ଥାନ ଅଧିକୃତ କରିଛନ୍ତି ତାହା ଚିର କାଳ ପାଇଁ ଅମର। ଓଡିଶାରେ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନର ଏକ ଖୋରାକ୍ ଯୋଗାଇଥିଲା ତାଙ୍କ ଅଭିନୟ। ସ୍ୱର୍ଗତଃ ମହାନ୍ତିଙ୍କ ବିୟୋଗ ରାଜ୍ୟ ଚଳଚ୍ଚିତ୍ର ଜଗତ ପାଇଁ ଅପୁରଣୀୟ କ୍ଷତି ବୋଲି ଶ୍ରୀ ସାମଲ କହିଛନ୍ତି। 

ସ୍ୱର୍ଗତଃ ମହାନ୍ତିଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଯାଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ ଓ ପିଙ୍କି ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ପ୍ରାର୍ଥୀବ ଶରୀରର ଶେଷଦର୍ଶନ କରିଛନ୍ତି। 

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ମହାନ୍ତିଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ଶ୍ରୀ ସାମଲ ସମବେଦନା ଜ୍ଞାପନ କରିଛନ୍ତି ।

ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୫ 




3 ଫେବୃଆରୀ 1925 ରେ ଭାରତର ପ୍ରଥମ ବିଦ୍ୟୁତ୍ ଟ୍ରେନର ଶୁଭାରମ୍ଭ ପରଠାରୁ 100 ବର୍ଷର ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତାକୁ ଲକ୍ଷ୍ୟ କରି ଗର୍ବର ସହିତ ବୈଦ୍ୟୁତିକ ଟ୍ରାକ୍ସନର ଶତବାର୍ଷିକୀ ପାଳନ କରୁଛି ଭାରତୀୟ ରେଳବାଇ । ବିଗତ ଶତାବ୍ଦୀରେବିଦ୍ୟୁତୀକରଣ ରେଳବାଇ କାର୍ଯ୍ୟରେ ବିପ୍ଳବ ଆଣିଛିଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହିତ ଦକ୍ଷତାସ୍ଥାୟୀତ୍ୱ ଏବଂ ପ୍ରଗତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି ।

 

ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଧୁନିକ ରେଳବାଇ କାର୍ଯ୍ୟରେ ସ୍ୱୟଂଚାଳିତରକ୍ଷଣାବେକ୍ଷଣ ଏବଂ ନିଦାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ଭାରତୀୟ ରେଳବାଇକୁ ଦ୍ରୁତ ପ୍ରଯୁକ୍ତିବିଦ୍ୟା ଉନ୍ନତି ସହିତ ଖାପ ଖୁଆଇବା ଏବଂ ଆଗାମୀ 25 ବର୍ଷ ପାଇଁ ପ୍ରସ୍ତୁତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଫୁଙ୍କୱାଲ ରେଳବାଇ ଭିତ୍ତିଭୂମି ରକ୍ଷଣାବେକ୍ଷଣରେ ଉନ୍ନତି ଆଣିବାର କାର୍ଯ୍ୟକଳାପକୁ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ ଭାରତୀୟ ରେଳବାଇ ମଧ୍ୟରେ ଟ୍ରାକ୍ସନ୍ ବଣ୍ଟନ (TRD)କୁ ଏକ ରୋଲ୍ ମଡେଲ୍ ଭାବରେ ସ୍ୱୀକାର କରିଥିଲେ।

 

ଏହି ଅବସରରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକସମସ୍ତ ପ୍ରମୁଖ ବିଭାଗୀୟ ମୁଖ୍ୟବରିଷ୍ଠ ଅଧିକାରୀ ମାନଙ୍କ ସହିତ ପ୍ରମୁଖ ମୁଖ୍ୟ ବୈଦ୍ୟୁତିକ ଇଞ୍ଜିନିୟର ଯୋଗ ଦେଇଥିଲେଯେଉଁମାନେ ସାମୂହିକ ଭାବରେ ଭାରତରେ ରେଳ ବିଦ୍ୟୁତୀକରଣର ଉଲ୍ଲେଖନୀୟ ଯାତ୍ରାକୁ ସ୍ୱୀକୃତି ଦେଇଥିଲେ।

 

ଭାରତରେ ରେଳ ବିଦ୍ୟୁତୀକରଣର ମୂଳଦୁଆ 3 ଫେବୃଆରୀ 1925 ରେ ପ୍ରାରମ୍ଭ କରାଯାଇଥିଲା ଯେତେବେଳେ ଗ୍ରେଟ୍ ଇଣ୍ଡିଆନ୍ ପେନିନସୁଲା ରେଲୱେ (GIPR) ବମ୍ବେ VT (ବର୍ତ୍ତମାନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍) ଏବଂ କୁର୍ଲା ମଧ୍ୟରେ ପ୍ରଥମ ବୈଦ୍ୟୁତିକ ଟ୍ରେନ ସେବା ପ୍ରଚଳନ କରିଥିଲା । ଏହି 16 ରୁଟ୍ କିଲୋମିଟର (RKM) ସେକ୍ସନ 1500V DC ଟ୍ରାକ୍ସନ୍ ସିଷ୍ଟମରେ ପରିଚାଳିତ ହୋଇଥିଲା ଏବଂ ବମ୍ବେର ତତ୍କାଳୀନ ରାଜ୍ୟପାଳ ସାର୍ ଲେସଲି ୱିଲସନ୍ ଙ୍କ ଦ୍ୱାରା ଏହାକୁ ଉଦଘାଟନ କରାଯାଇଥିଲା। ଏହି ମାଇଲଖୁଣ୍ଟ ସହିତଭାରତ ବୈଦ୍ୟୁତିକ ଟ୍ରାକ୍ସନ୍ ଗ୍ରହଣ କରିବାରେ ବିଶ୍ୱର 24ତମ ଦେଶ ପାଲଟିଲା।

 

ରେଳ ବିଦ୍ୟୁତୀକରଣର ପ୍ରାରମ୍ଭିକ ପର୍ଯ୍ୟାୟ ଅନେକ ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା ଗୁଡିକର ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତଥାପିନିରନ୍ତର ନବସୃଜନ ଯୋଗୁଁ 1950 ଦଶକରେ 3000V DC ଟ୍ରାକ୍ସନ ଗ୍ରହଣ କରାଯାଇଥିଲା ଏବଂ 1957 ମସିହାରେ ହାଓଡା-ବର୍ଦ୍ଧମାନ ସେକ୍ସନ ଏହି ସିଷ୍ଟମ ଅଧୀନରେ ପ୍ରଥମ ବିଦ୍ୟୁତୀକରଣ ହୋଇଥିଲା। 25 kV AC ଟ୍ରାକ୍ସନର ଉତ୍କୃଷ୍ଟ ଦକ୍ଷତାକୁ ସ୍ୱୀକାର କରିଭାରତୀୟ ରେଳବାଇ ଟ୍ରାକ୍ସନ ପରାମର୍ଶଦାତା କମିଟିର ସୁପାରିଶ ଆଧାରରେ 1957 ମସିହାରେ ଏହି ସିଷ୍ଟମକୁ ମାନକୀକରଣ କରିଥିଲା।

 

ରେଳ ବିଦ୍ୟୁତୀକରଣରେ ମାଇଲଖୁଣ୍ଟ

 

1. 1947: ଭାରତରେ 1500V DC ଟ୍ରାକ୍ସନରେ 388 RKM ବିଦ୍ୟୁତୀକରଣ ହୋଇଥିଲା।

 

2. 1960: ରାଜ ଖରସୁଆଁ-ଡୋଙ୍ଗୋଆପୋସି ମଧ୍ୟରେ ପ୍ରଥମ 25 kV AC ବିଦ୍ୟୁତୀକରଣ ସେକ୍ସନରେ ଟ୍ରେନ ଚଳାଚଳ କରିଥିଲା ।

 

3. 1984: କୋଲକାତା ମେଟ୍ରୋ 750V DC ତୃତୀୟ ରେଳ ସିଷ୍ଟମ ସହିତ ଆରମ୍ଭ ହୋଇଥିଲା।

 

4. 1995: ବିନା-କଟନି ଏବଂ କଟନି-ଅନୁପପୁର-ବିଶ୍ରାମପୁର ସେକ୍ସନରେ 2x25 kV AT ସିଷ୍ଟମ ପ୍ରଚଳନ କରାଯାଇଥିଲା।

 

5. 2006: ମୁମ୍ବାଇ ଉପନଗରୀୟ ରେଳ ମାର୍ଗ ମାନଙ୍କରେ DC ଟ୍ରାକ୍ସନକୁ 25 kV AC ରେ ସମ୍ପୂର୍ଣ୍ଣ ପରିବର୍ତ୍ତନ।

 

6. 2024: ବ୍ରଡଗେଜ୍ ରୁଟ୍‌ର 100% ବିଦ୍ୟୁତୀକରଣ ହାସଲ, 65,000 ରୁଟ କିଲୋମିଟର - RKM ଅତିକ୍ରମ।

 

ପୂର୍ବତଟ ରେଳପଥ (ECoR) ରେ ବିଦ୍ୟୁତୀକରଣ ସଫଳତା

 

2003 ମସିହାରେ ପୂର୍ବତଟ ରେଳପଥର ଗଠନ ହେବା ପରଠାରୁପୂର୍ବତଟ ରେଳପଥ ଭାରତର ବିଦ୍ୟୁତୀକରଣ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପୂର୍ବତଟ ରେଳପଥରେ ପ୍ରଥମ ବିଦ୍ୟୁତୀକରଣ ସେକ୍ସନ ଥିଲା ୧୯୮୩ ମସିହାରେ କୋଟ୍ଟଭାଲାସା-କିରନ୍ଦୁଲ (K-K) ଲାଇନର ଜଗଦଲପୁର-କୋରାପୁଟ ରେଳ ସେକ୍ସନଯାହା ସେତେବେଳେ ଦକ୍ଷିଣ ପୂର୍ବ ରେଳପଥ (SER) ର ଅଂଶ ଥିଲା । ବର୍ଷ ବର୍ଷ ଧରିପ୍ରମୁଖ କରିଡରରେ ବିଦ୍ୟୁତିକରଣ ବିସ୍ତାର ହୋଇ 2024 ସୁଦ୍ଧା 100% ବିଦ୍ୟୁତିକରଣରେ ପରିଣତ ହେଲା |

 

ପୂର୍ବତଟ ରେଳପଥରେ ବିଦ୍ୟୁତିକରଣର ପ୍ରମୁଖ ମାଇଲଖୁଣ୍ଟ:

 

କୋଟ୍ଟଭାଲାସା-କୋରାପୁଟ-କିରାଣ୍ଡୁଲ ଲାଇନ 1983 ରେ ବିଦ୍ୟୁତକରଣ ହୋଇଛିକୋରାପୁଟ - ଦାମନଯୋଡି 1989 ରେ, 2000 ରେ ଦୁଭାଡା-ପଲାସା, 2002 ରେ ପାଲାସା-ଖୋର୍ଦ୍ଧା ରୋଡ, 2004 ରେ ବାରଙ୍ଗ-ତାଳଚେର, 2005 ରେ ଖୋର୍ଦ୍ଧା ରୋଡ-ପୁରୀ, 2006 ରେ ଖୋର୍ଦ୍ଧା ରୋଡ-ଭଦ୍ରକ, 2008 ରେ କଟକ-ପାରାଦୀପ,  2016 ରେ ବିଜୟନଗରମ-ସିଙ୍ଗାପୁର ରୋଡ୍, 2017 ରେ ଝାରସୁଗୁଡା-ସମ୍ବଲପୁର, 2018 ରେ ସିଙ୍ଗାପୁର ରୋଡ୍-ଦାମନଯୋଡି, 2019 ରେ ସମ୍ବଲପୁର-ଟିଟିଲାଗଡ-ଲାଖୋଲି ଏବଂ ସମ୍ବଲପୁର-ଅନୁଗୁଳ ରେଳ ବିଦ୍ୟୁତୀକରଣ ହୋଇଛି।

 

ବିଦ୍ୟୁତ ଟ୍ରାକ୍ସନର ଶତବାର୍ଷିକୀ ଭାରତୀୟ ରେଳବାଇର ଆଧୁନିକୀକରଣ ଏବଂ ସ୍ଥାୟୀତ୍ୱ ଦିଗରେ ରେଳବାଇ ରୂପାନ୍ତରଣ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। 1925 ରେ ୧୬ କିଲୋମିଟର ଦୈର୍ଘ୍ୟ ବୈଦ୍ୟୁତିକ ଟ୍ରେନ୍ ସେବା ଆରମ୍ଭ ହେବାଠାରୁ 2024ରେ ଶତପ୍ରତିଶତ ବ୍ରଡଗେଜ୍ ବିଦ୍ୟୁତୀକରଣ ହାସଲ କରିବା ପର୍ଯ୍ୟନ୍ତପରିବର୍ତ୍ତନ ସାଧାରଣ ହୋଇନଥିଲା । 2030 ସୁଦ୍ଧା ନେଟ୍-ଶୂନ୍ୟ କାର୍ବନ ନିର୍ଗମନ ହାସଲ କରିବାର ଦୃଷ୍ଟିକୋଣ ସହିତଭାରତୀୟ ରେଳବାଇ ଭାରତରେ ରେଳ ପରିବହନର ଭବିଷ୍ୟତକୁ ପୁନଃପରିଭାଷିତ କରିବାକୁ ପ୍ରସ୍ତୁତ ଯାହାକି ଏହାକୁ ଦ୍ରୁତସବୁଜ ଏବଂ ଅଧିକ ଦକ୍ଷ କରିପାରିବ ।

ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୫



ବାଲିଅନ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗଣମାଧ୍ୟମର ପ୍ରତିନିଧିଙ୍କୁ ଅସମ୍ମାନିତ କରିବା ପ୍ରତିବାଦରେ ବାଲିଅନ୍ତା ବ୍ଲକ ସମ୍ମୁଖରେ ଆନ୍ଦୋଳନରତ ବାଲିଅନ୍ତା-ବାଲିପାଟଣା-ଧଉଳିର ସାମ୍ବାଦିକମାନଙ୍କୁ ଆଜି କଂଗ୍ରେସ ଦଳର ପ୍ରତିନିଧିମାନେ ସାକ୍ଷାତ କରି ସେମାନଙ୍କର ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଏହି ଅବସରରେ ପ୍ରତିନିଧି ଦଳ ପକ୍ଷରୁ ଶ୍ରୀଯୁକ୍ତ ମାନସ ଚୌଧୁରୀ କହିଛନ୍ତି ଯେ ବିଜେପି ସରକାର ଅମଳରେ ଗଣମାଧ୍ୟମ ଅସୁରକ୍ଷିତ। ଗଣମାଧ୍ୟମକୁ ନୀରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଦିଆଯାଉନାହିଁ। ବାଲିପାଟଣା ବ୍ଲକ ଅଧ୍ୟକ୍ଷା ନିଜର ସୀମା ସରହଦ ଟପି ଯେଉଁଭଳି ଭାବରେ ଆଚରଣ କରିଛନ୍ତି ଏହା ଅତ୍ୟନ୍ତ ନିନ୍ଦନୀୟ। ସାମ୍ବାଦିକମାନେ ଶାସନର ସ୍ୱଚ୍ଛତା ପାଇଁ ସଂଗ୍ରାମ କରିଥାନ୍ତି। ବ୍ଲକ ଅଧ୍ୟକ୍ଷା ତୁରନ୍ତ ନିଜର ଭୁଲ ସ୍ୱୀକାର କରନ୍ତୁ ଓ ସାମ୍ବାଦିକମାନଙ୍କୁ ଭୁଲ ମାଗନ୍ତୁ ବୋଲି ଶ୍ରୀ ଚୌଧୁରୀ ଦାବି କରିଛନ୍ତି। ସେ ଏହି ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଚୌଧୁରୀ ସାମ୍ବାଦିକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। 

ଏହି ପ୍ରତିନିଧିଦଳରେ ଭୁବନେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜ, ରଞ୍ଜିତ ପାତ୍ର, ବେଣୁଧର ଭୋଇ, ଅମୀୟ ପାଣ୍ଡବ, ମନୋଜ ବିଶ୍ୱାଳ, ମିଲନ ପଟ୍ଟନାୟକ, ମହମ୍ମଦ ପରଭେଜ, ଅମରେଶ ପରିଡ଼ା, ରାହୁଲ ମହାନ୍ତି, ବଟକୃଷ୍ଣ ରାଉତରାୟ, ଜନ୍ମେଜୟ ଲେଙ୍କା ଓ ସନ୍ଦୀପ ରାଉତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଭୁବନେଶ୍ୱର, ୨୭ ଫେବୃଆରୀ ୨୦୨୫




ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ଦ୍ଵାରା ତା 27 ଫେବୃୟାରୀ ଦିନ ବିଶ୍ଵ ସ୍ଵେଚ୍ଛାସେବୀ ସଂଗଠନ ଦିବସ ୨୦୨୫ ପାଳିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି ଓଡିଶାରେ ପ୍ରତିଷ୍ଠିତ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡିଶା ରାଇଜିଙ୍ଗ ଫାଉଣ୍ଡେଶନ , ଆଇନା , ଗ୍ରାମ ବିକାଶ , ଜାଗୃତି ଓ ନିୟତୀ ଆଦି ସଂସ୍ଥାର ପ୍ରତିନିଧି ମାନେ ନିଜ ସଂଗଠନର ଅନୁଭବ ବର୍ଣ୍ଣନା କରିଥିଲେ । ଅପହଞ୍ଚ ଓ ଗ୍ରାମାଞ୍ଚଳରେ ନିସ୍ଵାର୍ଥ ସେବା ଯୋଗାଉଥିବା  ସେଚ୍ଛାସେବୀ ସଂଗଠନମାନଙ୍କୁ ଚିହ୍ନଟ କରି ସମ୍ମାନିତ କରିବାର ପ୍ରୟାସ ପାଇଁ ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳକୁ ଭୂଯସୀ ପ୍ରଶଂସା  କରିଥିଲେ । ମହାପ୍ରବନ୍ଧକ ଶ୍ରୀ କୌଶଳ କିଶୋର ସିଂ, ମଣ୍ଡଲ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । 


ଭୁବନେଶ୍ୱର, ୨୭ ଫେବୃଆରୀ ୨୦୨୫




ପବିତ୍ର ଶିବରାତ୍ରୀରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଭଜନ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମାଝୀ ଲିଙ୍ଗରାଜ ଭଜନ ମଣ୍ଡପର ପନରୁଦ୍ଧାର ପାଇଁ ନଡ଼ିଆ ବାଡ଼େଇ ଶୁଭ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଅନୁଷ୍ଠାନର ଉପସଭାପତି ବିଧାୟକ ବାବୁ ସିଂ, ବିଏମ୍‌ସି ମେୟର ସୁଲୋଚନା ଦାସ, ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି ତଥା ଅନୁଷ୍ଠାନର ଉପସଭାପତି ସମୀର ମହାନ୍ତି, ଶିବାନନ୍ଦ ରାୟ, ଜଗନ୍ନାଥ ପ୍ରଧାନ, ରଶ୍ମୀ ମହାପାତ୍ର, ମନ୍ମଥ ରାଉତରାୟ, କର୍ପୋରେଟର ବିରଞ୍ôଚ ନାରାୟଣ ମହାସୁଆର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାପରେ ମୁମ୍ବାଇ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଷା ଉଥପ, ଅନୁରାଧା ପଡ଼ୱାଲ, ଅଭିଜିତ ଘୋଷାଲ, କୁମାର ସଞ୍ଜୟ, ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡ. ମୃତ୍ୟୁଞ୍ଜୟ ମହାପାତ୍ର, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ୱାଇଁ, ପ୍ରବଚକ ଜିତୁ ଦାସ, ଏମ୍‌ଜିଏମ୍‌ର ସିଏମ୍‌ଡ଼ି ତଥା ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ବଇଆ କୋରାଖଇ ଭାଗବତ ସାହୁ, ସଂଗଠକ ଡ. ଚିନ୍ମୟନନ୍ଦ ବଡ଼ଜେନା, ପରିବେଶବିତ୍ ଡ. ବଦ୍ରିନାଥ ପଟ୍ଟନାୟକ, ଓକିଲ ସଂଘ ସମ୍ପାଦକ ଦୀପକ ଦାଶ, ଆଇନଜୀବୀ ସତ୍ୟରଞ୍ଜନ ସେନାପତି, ବରିଷ୍ଠ ଡାକ୍ତର ଶଙ୍କର ଆଚାର୍ଯ୍ୟ, ଚଳଚ୍ଚିତ୍ର ଗବେଷକ ମାଧବାନନ୍ଦ ବେହୁରା, ଡ. ତିରୁପତି ପାଣିଗ୍ରାହୀ, ଶ୍ରୀବତ୍ସ ପତି, ଶିକ୍ଷାବିତ୍ ତଥା ୮ ନମ୍ବର ଡିଏଭି ସ୍କୁଲ୍‌ର ଅଧ୍ୟକ୍ଷା ଇପ୍‌ସିତା ଦାସ ପ୍ରମୁଖ ୨୩ ଜଣଙ୍କୁ ଏକାମ୍ରଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ ପରି ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୨୪ ଘଣ୍ଟିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ହଜାର ହଜାର ଶ୍ରୋତା ମଧ୍ୟ ବସି ଉପଭୋଗ କରିଥିଲେ। ଭୋର ୪ ଘଟିକାରୁ କ୍ରମ ଅନୁଯାୟୀ ଶଙ୍ଖଧ୍ୱନି, ବନ୍ଦେ ପାଠ, ଶିବ ସହସ୍ରନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମଚରିତ ମାନସ ପରାୟଣ ଓ ପ୍ରବଚନ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାକୁ କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଲଲାଟେନ୍ଦୁ ମହାନ୍ତି, ଯୁଗ୍ମ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସହୁ, ସୁଧୀର ରଞ୍ଜନ ଜେନା, ଗଣେଶ ପାଲ, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ ଓ ବିଶ୍ୱନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଆ କଣ୍ଠଶିଳ୍ପୀ ସୌରଭ ନାୟକ, ରବୀନ୍ଦ୍ର ମହାପାତ୍ର, ଦିପ୍ତୀରେଖା ପାଢୀ, ଅଞ୍ଜଳି ମିଶ୍ର, ମାନସୀ ପାତ୍ର, ଆଲୋକ କୁଣ୍ଡୁ, ସୁଧାକର ମିଶ୍ର ପିନାକୀ ନାୟକ, କ୍ରିଷ୍ଣା ମିଶ୍ର, ଦିବ୍ୟା ପ୍ରିୟଦର୍ଶନୀ, ବିଷ୍ଣୁପ୍ରିିୟା, ଅରୂପା ଦାସ, କୃଷ୍ଣଚନ୍ଦ୍ର ପ୍ରମୁଖ ୫୧ଜଣ କଣ୍ଠଶିଳ୍ପୀ ଭଜନ ପରିଷେଣ କରିଥିଲେ।

ଭୁବନେଶ୍ୱର, ୨୭ ଫେବୃଆରୀ ୨୦୨୫



ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ ଯଦି ବିଦ୍ୟୁତ ଦେୟ ୧ ପଇସା ବୃଦ୍ଧି କରାଯିବ ତେବେ ରାଜ୍ୟବ୍ୟାପି ଆନ୍ଦୋଳନ ହେବେ। ସାଧାରଣ ବିଦ୍ୟୁତ ଖାଉଟିଙ୍କ ସ୍ୱାର୍ଥ ରକ୍ଷାପାଇଁ କଂଗ୍ରେସ ପ୍ରତିଶୃତିବଦ୍ଧ ବୋଲି ଶ୍ରୀ କାନୁନଗୋ ଘୋଷଣା କରିଛନ୍ତି। ସେ କହିଲେ ଯେ ବିଜେପି କ୍ଷମତାକୁ ଆସିଲେ ତୁରନ୍ତ ୩୦୦ ୟୁନିଟ ବିଜୁଳି ମାଗଣା ଯୋଗାଇ ଦେବ ବୋଲି ନିର୍ବାଚନୀ ଘୋଷଣା କରାଯାଇଥିଲା। ପୁଣି ବିଜେପି ପକ୍ଷରୁ କୁହାଗଲା ଯେ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୋଫତ ବିଜୁଳି ଯୋଜନା” ମାଧ୍ୟମରେ ଖାଉଟିଙ୍କୁ ବିଜୁଳି ଯୋଗାଇ ଦିଆଯିବ। ୮ ମାସର ଶାସନ ପରେ ବି କ୍ଷମତାସୀନ ବିଜେପି ସରକାର ନିଜ ପ୍ରତିଶୃତିରେ ବିଫଳ ହୋଇଛନ୍ତି। ୩୦୦ ୟୁନିଟ ମାଗଣା ବିଜୁଳି ଦେବା ପରିବର୍ତେ ଏବେ ବିଜୁଳି ଦେୟ ୟୁନିଟ ପିଛା ୧୨.୪୨ ପଇସା ବୃଦ୍ଧି ପାଇଁ ଓଇଆରସିଙ୍କ ପାଖରେ ଟିପିସିଓଡିଏଲର ପ୍ରସ୍ତାବ ଦୁର୍ଭାଗ୍ୟଜନକ। ଏ ବାବଦରେ ରାଜ୍ୟ ସରକାର ଏବେବି ନିରୁତ୍ତର।

ଟିପିସିଓଡିଏଲର ପକ୍ଷରୁ ଦର୍ଶାଯାଇଛି ଯେ ଆସନ୍ତା ବର୍ଷ ପାଇଁ ଗ୍ରୀଡ଼କୋ ଠାରୁ ଅଧିକ ୧୩୧୦ ନିୟୁତ ୟୁନିଟ ବିିଜୁଳି ଅଧିକ କ୍ରୟ ହେବ। ସମୁଦାୟ ୧୩୮୨୩ ନିୟୁତ ୟୁନିଟ ବିଜୁଳି କ୍ରୟ କରିବାକୁ ୪୬୮୮.୩୬ କୋଟି ଟଙ୍କା ପୈଠ ହେବ। ଟାଟା ପାୱାର ପକ୍ଷରୁ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ବିତରଣ କ୍ଷତି ୨୩୭୪ ୟୁନିଟ ହେବ ଯାହାକି ୧୭.୧୭ ପ୍ରତିଶତ ଅଟେ। ଅବଶିଷ୍ଟ ୧୧୪୪୯ ନିୟୁତ ୟୁନିଟ ଉପଭୋକ୍ତାଙ୍କୁ ବିକ୍ରୟ କରାଯିବ। 

ଟିପିସିଓଡିଏଲର ପକ୍ଷରୁ କୁହାଯାଇଛି ଯେ ରାଜସ୍ୱ ଆବଶ୍ୟକତା ସମୁଦାୟ ୬୮୬୨.୫୪୨୦ କୋଟି ଟଙ୍କା ଆକଳନ ହୋଇଥିବା ବେଳେ ୬୭୨୦.୩୯ କୋଟି ଟଙ୍କା ଆଦାୟ ହେବ ବୋଲି ଜଣାପଡ଼ିଛି। ସୁତରାଂ ୧୪୨.୧୫ କୋଟି ଟଙ୍କା ରାଜସ୍ୱ ନିଅଂଟ ରହିବ ବୋଲି ଦର୍ଶାଇ କ୍ଷତି ଭରଣା ପାଇଁ ୟୁନିଟ ପିଛା ୧୨.୪୨ ପଇସା ବଢ଼ାଇବା ପାଇଁ ପ୍ରସ୍ତାବ ଦିଆଯାଇଛି।

ଶ୍ରୀ କାନୁନଗୋ ଅଭିଯୋଗ କରିଛନ୍ତି ଯେ ୨୦୨୩-୨୪ ପାଇଁ ଆୟୋଗ ନିର୍ଦ୍ଧାରିତ କରିଥିବା ଶୁଳ୍କ ଠାରୁ ଟାଟା ୟୁନିଟ ପିଛା ପ୍ରାୟ ୨୮ ପଇସା ଅଧିକ ଆଦାୟ କରିଛି ଯାହା ଫଳରେ ୨୪୬.୪୭ ଲକ୍ଷ ଟଙ୍କା ଅଧିକ ପାଇଛି। ତେଣୁ ବିଦ୍ୟୁତ ଆଇନ ୨୦୦୩ ଧାରା ୬୨ (୬) ଅନୁସାରେ ଟାଟା ଉପଭୋକ୍ତା ମାନଙ୍କୁ ସୁଧ ସହ ଅର୍ଥ ଫେରସ୍ତ କରୁ। ଏଭଳି ପରିସ୍ଥିତି ସ୍ଥଳେ ଟିପିସିଓଡିଏଲର ବିଦ୍ୟୁତ ଦେୟ ପ୍ରସ୍ତାବ ଏକ କ୍ଷୋଭର ପ୍ରସଙ୍ଗ। ଶ୍ରୀ କାନୁନଗୋ ଦାବି କରିଛନ୍ତି ଯେ ରାଜ୍ୟ ସରକାରଙ୍କର ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ୩୦୦ ୟୁନିଟ ମାଗଣା ବିଜୁଳିର ବ୍ୟବସ୍ଥା କରନ୍ତୁ ଏବଂ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ ମନବୃତ୍ତିରୁ ସରକାର ନିବୃତ ରୁହନ୍ତୁ। ଗ୍ରୀଡ଼କୋ ରାଜ୍ୟ ସରକାରଙ୍କ ଅଧିନରେ ଥିବାରୁ ରାଜ୍ୟ ସରକାର ବିଜୁଳି ଦର ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ। 

ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ କହିଥିଲେ ଯେ ବିଦ୍ୟୁତ ଦେୟ କ୍ଷେତ୍ରରେ ଓଡ଼ିଶାରେ ଦୁଇ ଦୁଇଟି ଆଇନ ଚାଲୁଛି। ଶିଳ୍ପପତି ଓ ପୁଞ୍ଜିପତିମାନଙ୍କୁ କୋଟି କୋଟି ଟଙ୍କା ବିଦ୍ୟୁତ ଦେୟ ଛାଡ଼ କରାଯାଉଥିବା ବେଳେ ସାଧାରଣ ଉପଭୋକ୍ତାଙ୍କ ତଂଟିଚିପି ଅର୍ଥ ଆଦାୟ କରାଯାଉଛି। ସ୍ମାର୍ଟ ମିଟର ଲଗାଇ ଉପଭୋକ୍ତାଙ୍କ ଶୋଷଣ କରିବାକୁ ଚକ୍ରାନ୍ତ ଚାଲିଛି। ଶ୍ରୀ ନୱାଜ କହିଥିଲେ ଯେ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷରେ ୧୪ ଜଣ ଶିଳ୍ପପତିଙ୍କୁ ୪୦୯୭.୬୭ କୋଟି ବିଦ୍ୟୁତ ଦେୟ ବିଭିନ୍ନ ଯୋଜନାରେ ଛାଡ଼ କରାଯାଇଛି। ସେହିଭଳି ୨୩ଟି ଶିଳ୍ପ ଉପରେ ୧୦୯୬.୩୨ କୋଟି ଟଙ୍କା ବିଦ୍ୟୁତ ଦେୟ ବାକି ପଡ଼ିଛି। ସେମାନଙ୍କ ଠାରୁ ବକେୟା ଅର୍ଥ ଆଦାୟ କରାଯାଉ ନାହିଁ କାହିଁକି ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି। ମାତ୍ର କିଭଳି ସାଧାରଣ ଉପଭୋକ୍ତାଙ୍କୁ ହନ୍ତସନ୍ତ କରାଯିବ ତାର ଷଡ଼ଯନ୍ତ୍ର କରାଯାଉଛି। ଯଦି ବିଜେପି ସରକାର ତା’ର ପ୍ରତିଶ୍ରୁତି ଅନୁଯାୟୀ ୩୦୦ ୟୁନିଟ ମାଗଣା ବିଜୁଳି ଦେବାର ବ୍ୟବସ୍ଥା ନକରି ସାଧାରଣ ଉପଭୋକ୍ତାଙ୍କ ଉପରେ ପୁଣି ବିଜୁଳି ଦେୟ ବୃଦ୍ଧି କରିବେ ତେବେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ସାରା ରାଜ୍ୟରେ ଦୁର୍ବାର ଆନ୍ଦୋଳନ ହେବ। ଶ୍ରୀ କାନୁନଗୋ କହିଲେ ଯେ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ଅଣ ବିଜେପି ଦଳ ଯେଉଁମାନେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଲଢ଼େଇ କରିବେ ସେମାନଙ୍କର ସହଯୋଗରେ କଂଗ୍ରେସ ପୁରପଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆନ୍ଦୋଳନ କରିବ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ ଓ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୭ ଫେବୃଆରୀ ୨୦୨୫



ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଧରି ମନ୍ଦିର ଉପରକୁ ଚଢ଼ୁଥିବା ବେଳେ ତଳେ ଖସିପଡ଼ି ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିିଟାଲରେ ଚିକିତ୍ସିତ ହେଉଥିବା ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କୁ ଆଜି ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ କ୍ୟାପିଟାଲ ହସପିଟାଲରେ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ ଏଭଳି ଅଘଟଣ ଘଟିବା ଦୁଃଖଦାୟକ। ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବିଶ୍ୱବିଖ୍ୟାତ ଏଣୁ ମୁଖ୍ୟମନ୍ତ୍ରୀ ନିଜେ ଏହି ଘଟଣାର ଗୁରୁତ୍ୱ ଉପଲବ୍ôଧ କରି ତୁରନ୍ତ ତଦନ୍ତ କରିବା ଆବଶ୍ୟକ। ପୁରୀ ରଥଯାତ୍ରାରେ ପ୍ରଭୁ ବଳଭଦ୍ର ପଡ଼ିଯାଇଥିଲେ। ମାତ୍ର ସରକାର ସେ ଉପରେ କ’ଣ ତଦନ୍ତ କଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ। ଲିଙ୍ଗରାଜଙ୍କ ସେବକ ଯୋଗେନ୍ଦ୍ର ବାବୁ ୩୦ ବର୍ଷ ଧରି ଏହି କାର୍ଯ୍ୟ କରୁଥିଲେ। ମାତ୍ର କ’ଣ ଅବ୍ୟବସ୍ଥା ହେଲା ଯାହା ଫଳରେ ସେ ପଡ଼ିଗଲେ। ଅଭିଯୋଗ ହେଉଛି ଯେ ସେ ଯେଉଁ ଶିଢ଼ିରେ ଯାଉଥିଲେ ସେ ଶିଢ଼ିରେ ବାଲି ଦିଆଯାଏ, ଯାହାଫଳରେ ତେଲ ଲାଗିଲେ ମଧ୍ୟ ଖସୁ ନଥିଲା। ମାତ୍ର ଏଥର ବାଲି ଦିଆଯାଇ ନାହିଁ। ଜଣେ ସେବାୟତ ଏହି କାର୍ଯ୍ୟ କରୁଥିବା ବେଳେ କିପରି ସୁରକ୍ଷିତ ରହିବେ ସେଥିପ୍ରତି ସରକାର ଧ୍ୟାନ ଦେବା ଉଚିତ। ସୁତରାଂ ଏହି ତ୍ରୁଟି ପାଇଁ ସରକାର ଦାୟୀ ଏବଂ ଆହତ ଯୋଗେନ୍ଦ୍ର ସମର୍ଥାଙ୍କୁ ସରକାର କ୍ଷତିପୂରଣ ବାବଦକୁ ଅର୍ଥ ବ୍ୟବସ୍ଥା କରନ୍ତୁ। ଆମ ପକ୍ଷରେ ଯାହା ସମ୍ଭବ ତାହା ଆମେ ସହଯୋଗ କରିବୁ। ଶ୍ରୀ ଦାସ ସମର୍ଥାଙ୍କ ପରିବାରବର୍ଗଙ୍କୁ ମଧ୍ୟ ଦୁଃଖ ଜଣାଇଛନ୍ତି। ଏତଦ୍‌ଭିନ୍ନ ଠେଲାପେଲାରେ ମଧ୍ୟ ୫ ଜଣ ଅଚେତ୍ ହୋଇଥିଲେ। ଏଥିରୁ ସ୍ପଷ୍ଟ ହୋଇଛି ଯେ ପ୍ରଶାସନ ପକ୍ଷରୁ ଠିକ୍ ଭାବେ ପରିଚାଳନା କରାଯାଇନାହିଁ। ସରକାର ସଠିକ୍ ଭାବେ ଯତ୍ନବାନ ହୋଇନାହାନ୍ତି। ଉଭୟ ପୁରୀ ରଥଯାତ୍ରା ସମୟରେ ପ୍ରଭୁ ବଳଦେବ ପଡ଼ିଯିବା ଘଟଣା ଏବଂ ଗତକାଲି ଲିଙ୍ଗରାଜଙ୍କ ସେବକ ମନ୍ଦିରରୁ ପଡ଼ିଯିବା ଘଟଣା ସଂପର୍କରେ ଶ୍ୱେତପତ୍ର ପ୍ରକାଶ କରିବାରୁ ଶ୍ରୀ ଦାସ ଦାବି କରିଛନ୍ତି। ବିଜେପି ଧର୍ମକୁ ନେଇ ରାଜନୀତି କରେ ଏବଂ ଠାକୁରଙ୍କ ନାମ ନେଇ ଭୋଟ ଭିକ୍ଷା କରେ। ମାତ୍ର ବାସ୍ତବ କ୍ଷେତ୍ରରେ ଯାହା ପରିଦୃଷ୍ଟ ହୋଇଛି ଠାକୁରଙ୍କ ସେବା ଓ ନିତିକାନ୍ତିରେ ଯେଉଁ ବିଭ୍ରାଟ ହୋଇଛି ସେଥିପ୍ରତି ବିଜେପି ସରକାର ଆଦୌ ଯତ୍ନବାନ ନୁହଁନ୍ତି। 

ପିସିସି ସଭାପତିଙ୍କ ସହ ଏହି ସାକ୍ଷାତରେ ପୂର୍ବତନମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନ୍‌ଗୋ, ମାନସ ଚୌଧୁରୀ, ୟାସିର ନୱାଜ, ରଞ୍ଜିତ ପାତ୍ର, ମହମ୍ମଦ ଇନ୍‌ଦାଜ, ମନୋଜ ବିଶ୍ୱାଳ, ସୁଧାଂସୁ ଶେଖର ଦେଓ, ଇଂ ସିଦ୍ଧାର୍ଥସ୍ୱରୂପ ଦାସ, ରଜନୀ ମହାନ୍ତି, ମହମ୍ମଦ ପରଭେଜ, ସୁଶାନ୍ତ ତ୍ରୀପାଠୀ,ଅମରେଶ ପରିଡ଼ା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୫




ହେଲ୍‌ଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆର ୨୪ତମ ଜାତୀୟ ସମ୍ମିଳନୀ ସୋଆ ପରିଚାଳିତ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ) ଠାରେ ଗତ ଫେବୃଆରୀ ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୫୦ରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟ ଓ ମେଡିକାଲ୍ ରେକର୍ଡ ବିଶେଷଜ୍ଞ ଯୋଗ ଦେଇଥିଲେ।
ସମ୍ମମର ମେଡିକାଲ୍ ରେକର୍ଡସ ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀକୁ ହସ୍ପିଟାଲ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡ. ଶ୍ୱେତପଦ୍ମା ଦାଶ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ୍ ସର୍ଭିସେସ୍ ମୁଖ୍ୟ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ତଥା ହେଲ୍‌ଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆନର ସଭାପତି ଶ୍ରୀ ସୁରେଶ କାର୍ଲେଟନ ଓ ସଂପାଦକ ଶ୍ରୀ ୱିଲସନ୍ ଥାୟା ଜି ଉପସ୍ଥିତ ଥିଲେ। 
ଡ. ଦାଶ ତାଙ୍କ ବକ୍ତୃତାରେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସର ଅଭ୍ୟୁଦୟ ପରିପ୍ରେକ୍ଷୀରେ ଡାକ୍ତରୀ ଚିକିତ୍ସାରେ ମେଡିକାଲ୍ ରେକର୍ଡସର ଭୂମିକା ଉପରେ ଆଲୋକପାତ କରିଥିଲେ। 
ଏହି ସମ୍ମିଳନୀର ମୂଳ ପ୍ରସଙ୍ଗ ଥିଲା ‘କରେଂଟ ଟ୍ରେଣ୍ଡସ୍ ଇନ୍ ମେଡିକାଲ୍ ରେକର୍ଡସ ଆଣ୍ଡ ହେଲ୍‌ଥ ଇନ୍‌ଫର୍ମେସନ୍ ମ୍ୟାନେଜମେଂଟ ଉଇଥ ରେଫରେନ୍ସ ଟୁ କ୍ୱାଲିଟି ଆକ୍ରେଡିଟେସନ୍ ଆଣ୍ଡ ମେଡିକୋ ଲିଗାଲ ଆସ୍‌ପେକ୍ଟସ’। 
ଡ. ଦାଶ ମଧ୍ୟ ଆସୋସିଏସନ୍‌ର ୱେବସାଇଟ୍ ଓ ଅନଲାଇନ୍ ପୋର୍ଟାଲକୁ ଏହି ଅବସରରେ ଉନ୍ମୋଚିତ କରିଥିଲେ। ଏହାଛଡ଼ା ଆସୋସିଏସନ୍‌ର ଓଡ଼ିଶା ଶାଖାର ୭ ଜଣ ସଭ୍ୟଙ୍କୁ ସେମାନଙ୍କର ଏହି କ୍ଷେତ୍ରରେ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା। 
ସମ୍ମାନିତ ସଭ୍ୟମାନେ ହେଲେ ଶ୍ରୀ ବିଜୟ କୁମାର ବେହେରା, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ରଣା, ଶ୍ରୀ ମନୋଜ କୁମାର ବେହେରା, ଶ୍ରୀ ନାରାୟଣ ଚନ୍ଦ୍ର ବେହେରା, ଶ୍ରୀ ଅଜୟ କୁମାର ମହାପାତ୍ର, ଶ୍ରୀ ସୁଜିତ କୁମାର ରାଉଳ ଓ ଶ୍ରୀ ରତିକାନ୍ତ ବାରିକ।

ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୫




ନୟାଗଡ ଜିଲ୍ଲା ଇଟାମାଟି ଠାରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥିଙ୍କ ଦ୍ଵାରା ତା 24 /2/2025 ଦିନ ଏକ ନୂତନ ଶାଖା ଗୃହ ଉଦ୍ଘାଟିତ ହୋଇଯାଇଛି ।  ନୟାଗଡ ଜିଲ୍ଲାରେ ଏହା ଷ୍ଟେଟ ବ୍ୟାଙ୍କର 13ତମ ଶାଖା । ଏହି କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ଏମ୍ , ଉପ-ମହାପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ କୁମାର , ଖୋର୍ଦ୍ଧା କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀ ନରେନ୍ଦ୍ର ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହା ଦ୍ଵାରା ଷ୍ଟେଟ ବ୍ଯାଙ୍କ ଜନସାଧାରଣଙ୍କ ବହୁ ପ୍ରତିକ୍ଷିତ ଦାବୀ ପୂରଣ କରିଛି । ଏହି ଶାଖା ଦ୍ଵାରା ଆଖ ପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉପକୃତ ହେବେ । 


ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୫




ଇଣ୍ଡିଆ ଟ୍ରେକ୍‍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୨୩ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୭ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨୧ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍ ଓ କିସ୍‍ ପରିଦର୍ଶନରେ ଅଛନ୍ତି। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ଜାଣିବା ଓ ଜ୍ଞାନର ଆଦାନ ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କିଟ୍‍ ଓ କିସ୍‍ ବୁଲିବା ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣୁଛନ୍ତି। ସେହିପରି ଇଣ୍ଡୋ-ଜାପାନ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ଜାପାନରୁ ମଧ୍ୟ ଏକ ପ୍ରତିନିଧିମଣ୍ଡଳ ୨୨ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ। ସେମାନେ ଓଡ଼ିଶାର କଳା, ସଂସ୍କୃତି, ସ୍ଥାପତ୍ୟ ଆଦି ସମ୍ପର୍କରେ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ। ଏହା ଛଡ଼ା ଉଭୟ ଦେଶର ଛାତ୍ରଛାତ୍ରୀମାନେ ନିଜ ନିଜ ଦେଶର କଳା, ସଂସ୍କୃତି ଆଦି ପ୍ରଦର୍ଶନ କରିଥିଲେ। ଉଭୟ ଦେଶର କଳା, ସଂସ୍କୃତି ଓ ସ୍ଥାପତ୍ୟ ନେଇ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି ସମୟ ମଧ୍ୟରେ ସେମାନେ ପୁରୀ, କୋଣାର୍କ ଭଳି ଓଡ଼ିଶାର ଦର୍ଶନୀୟ ସ୍ଥାନ ପରିଦର୍ଶନ କରି ଓଡ଼ିଶାର କଳା ଓ ସ୍ଥାପତ୍ୟ ଉପରେ ପ୍ରତ୍ୟେକ୍ଷ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ। ସେହିପରି କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀମାନେ ଜାପାନ ଓ ହାର୍ଭାର୍ଡ ଛାତ୍ର ପ୍ରତିନିଧିଙ୍କଠାରୁ ସେମାନଙ୍କ ଦେଶର କଳା, ସଂସ୍କୃତି ବିଷୟରେ ଜାଣିବାକୁ ପାଇଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସ ପାଇଁ ସେମାନେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୫



ଆଜି ପ୍ରଦେଶ ଯୁବ କଂଗ୍ରେସ, ପ୍ରଦେଶ ଛାତ୍ର କଂଗ୍ରେସ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଛାତ୍ର କଂଗ୍ରେସ କମିଟି ପକ୍ଷରୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ଏହାର ପରବର୍ତୀ ପରିସ୍ଥିତିରେ ନେପାଳୀ ଛାତ୍ର ଛାତ୍ରୀମାନଙ୍କୁ ଜବରଦସ୍ତକରି ବଳପୂର୍ବକ କିଟ୍ ହଷ୍ଟଲରୁ ତଡି ଦିଆଯାଇଛି। ଏହି ପ୍ରସଙ୍ଗରେ କିଟ୍ ପ୍ରତିଷ୍ଠାତା ସାମନ୍ତଙ୍କ ଭୂମିକାକୁ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହି ଛାତ୍ରଛାତ୍ରୀମାନେ ସାଇନ୍ ଏ ଡାଏ ଘୋଷଣା ହେବା ପରେ ଏବଂ କିଟ୍ କର୍ତୃପକ୍ଷଙ୍କ ଠାରୁ ଅତ୍ୟାଚାରିତ ହୋଇ ହଷ୍ଟେଲରୁ ବାହାରିବା ପରେ ଉପାସ ଭୋକରେ ରହିଲେ। ସେମାନେ ବହୁ କଷ୍ଟରେ ନେପାଳ ଫେରିଗଲେ। ମୂଳ କଥାଟି ହେଉଛି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଷଡଯନ୍ତ୍ର କରି ନିଜ କର୍ମଚାରୀମାନଙ୍କୁ ଏଥିରେ ଫସାଇ ନିଜେ ଦୋଷମୁକ୍ତ ହୋଇଯାଉଛନ୍ତି। ଅଚ୍ୟୁତ ସାମନ୍ତଙ୍କ ବିନା ନିର୍ଦ୍ଦେଶରେ କିଟ୍‌ରେ ଗଛପତ୍ର ହଲେ ନାହିଁ। ସୁତରାଂ ନେପାଳୀ ଛାତ୍ରୀଛାତ୍ରୀଙ୍କ ଉପରେ ଯେଉଁ ନିର୍ଯ୍ୟାତନା ଦିଆଯାଇଥିଲା ତାହା ସାମନ୍ତଙ୍କ ନିର୍ଦ୍ଦେଶରେ ହୋଇଥିଲା ବୋଲି ସଂଗଠନ ପକ୍ଷରୁ କୁହାଯାଉଛି। କିଟ୍ ପରିସରରେ ପ୍ରତିବର୍ଷ ମୃତ୍ୟୁ ଘଟଣା ଖବର ପ୍ରସାରିତ ହେଉଛି ମାତ୍ର ଏହାର ସଠିକ୍ ତଦନ୍ତ ହୋଇପାରୁନାହିଁ। କାରଣ କିଟ୍‌ର ପ୍ରତିଷ୍ଠାତା ଶ୍ରୀ ସାମନ୍ତ ପ୍ରଶାସନକୁ ପ୍ରଭାବିତ କରିବାରେ ସଫଳ ହୋଇପାରୁଛନ୍ତି। କିଟ୍‌ରେ ଛାତ୍ରୀ ଅସୁରକ୍ଷିତ। ସେଠରେ ଶୈକ୍ଷିକ ବାତାବରଣ ନାହିଁ। ସରକାରଙ୍କ ପାଖରେ ନିଶ୍ଚିତ ଭାବେ ଏ ଖବର ଅଛି କିନ୍ତୁ ଏହାର ପ୍ରତିକାର କରିବାକୁ ସରକାର ପଛଘୁଞ୍ଚା ଦେଉଛନ୍ତି। କିଟ୍ କେଳେଙ୍କାରୀକୁ ନେଇ ଓଡ଼ିଶାରେ ଘରେ ଘରେ ଚର୍ଚ୍ଚା ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଘଟଣା ସଂପର୍କରେ କୌଣସି ଟିପ୍ପଣି ନଦେବା ଆଶ୍ଚର୍ଯ୍ୟଜନକ କଲା? ଶ୍ରୀ ସାମନ୍ତ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଯେଉଁ ଭିତିରି ସଂପର୍କ ରହିଛି ତାହା ଜଳଜଳ ହୋଇ ଦିଶୁଛି। ଯଦି ଅଚ୍ୟୁତ ସାମନ୍ତ ଗିରଫ ନ ହୁଅନ୍ତି ତେବେ ଆମର ଓ ଓଡ଼ିଶାର ସାଧାରଣ ଜନତାଙ୍କର ଯେଉଁ ସନ୍ଦେହ ପ୍ରକଟିତ ହୋଇଛି ତାହା ସତ୍ୟ ବୋଲି ପ୍ରମାଣିତ ହେବ। ବିଶ୍ୱବିଦ୍ୟାଳୟର କର୍ତୃପକ୍ଷଙ୍କ ଦ୍ୱାରା ଛାତ୍ରଛାତ୍ରୀମାନେ ଅତ୍ୟାଚାରିତ ହୋଇ ଅସହାୟ ହୋଇପଡ଼ୁଛନ୍ତି। ସେମାନଙ୍କୁ ନ୍ୟାୟ ଦେବା ସରକାରଙ୍କ କର୍ତବ୍ୟ। ଏଣୁ ସ୍ୱତନ୍ତ୍ର ଭାବେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଏବଂ ସଂପକ୍ତ ଶିକ୍ଷାନୁଷ୍ଠାନର ନିକଟବର୍ତି ଥାନାରେ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉ, ଯେଉଁଠାରେ ଛାତ୍ରଛାତ୍ରୀମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିପାରିବେ ଓ ନ୍ୟାୟ ଭିକ୍ଷା କରିପାରିବେ। କିଟ୍ ଯେଉଁଭଳି ଭାବରେ ପରିଚାଳିତ ହେଉଛି ଏଥିରୁ ସ୍ପଷ୍ଟ ହେଉଛି ଯେ କିଟ୍ ପାଖରେ ଆଉ ଡିମିଡ୍ ୟୁନିଭରସିଟ୍ ମାନ୍ୟତା ରହିବା ଉଚିତ୍ ନୁହେଁ। ତେଣୁ ତୁରନ୍ତ ଏହି ମାନ୍ୟତା ପ୍ରତ୍ୟାହାର କରିନିଆଯାଉ। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର କିଟ୍ ୟୁନିଭରସିଟିକୁ ସ୍ୱତନ୍ତ୍ର ଭାବେ ନିୟନ୍ତ୍ରଣ କରିବାକୁ ବ୍ୟବସ୍ଥା କରନ୍ତୁ। ନେପାଳୀ ଓ ଅନ୍ୟ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ ଦିଆଯାଉ।

ନେପାଳ ଓ ଭାରତ ମଧ୍ୟରେ ବହୁ ପୁରୁଣା ସାଂସ୍କୃତିକ ଓ ଧାମିର୍କ କ୍ଷେତ୍ରରେ ନିବିଡ଼ ସଂପର୍କ ରହିଛି। ମାତ୍ର ସାମନ୍ତ ଏହି ଯୁଗ ଯୁଗର ସୁ ସଂପର୍କକୁ କ୍ଷୁର୍ଣ୍ଣ କରିଛି। ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ଓଡ଼ିିଶାକୁ ଶ୍ରୀ ସାମନ୍ତ ନିନ୍ଦିତ କରୁଛନ୍ତି। 

ଅନ୍ୟପକ୍ଷରେ ଶ୍ରୀ ସାମନ୍ତ କିଟ୍ ୟୁନିଭରସିଟିର ଉନ୍ନତି ଆଳରେ ବହୁ ଜଙ୍ଗଲ ଜମି, ଗୋଚର ଜମି ଓ ଆଦିବାସୀ ଜମି ବେଆଇନ ଭାବେ ଦଖଲ କରିଛନ୍ତି। ଏପରିକି ବହୁ ନିରିହ ଲୋକଙ୍କର ଜମି ମଧ୍ୟ ଶ୍ରୀ ସାମନ୍ତ ସେଠାରେ ମାଡ଼ି ବସିଛନ୍ତି। ସରକାରୀ ଜମିକୁ ଶ୍ରୀ ଅଚ୍ୟୁତ ସାମନ୍ତଙ୍କ କବଜ୍ଜାରୁ ମୁକ୍ତ କରିବା ସହ ସାଧାରଣ ଲୋକଙ୍କ ଜମିକୁ ସେମାନଙ୍କୁ ଫେରାଇବାକୁ ସରକାର ବ୍ୟବସ୍ଥା କରନ୍ତୁ। ଶିକ୍ଷା ମାଫିଆ, ଜମି ଜବରଦଖଲକାରୀ ଓ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଶୋଷଣକାରୀ ଶ୍ରୀ ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। 

ଏହି କାର୍ଯ୍ୟକ୍ରମରେ ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଚୁନୁ ସିଂ, ଉଦ୍ଦିତ ପ୍ରଧାନ, ମହମ୍ମଦ ଇମ୍‌ଦାର, କିରଣ ସାହୁ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ଅଖିଳେଷ ଯାଦବ, ସ୍ୱାଗତ କର, ଅମରେଶ ପରିଡ଼ା, ସୌମ୍ୟ ବରାଳ, ଶୁଭମ ରାଜ, ରାଜେଶ ଦାସ, କିର୍ତିମାନ ନାୟକ, ସରୋଜ ବାରିକ, ଲେଲିନ୍ ଜେନା, ସତ୍ୟ ମହାଳିକ୍‌, ଯୁବରାଜ ମହାନନ୍ଦ ଓ ଆଶିଷ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୪ ଫେବୃଆରୀ ୨୦୨୫




ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଲିଙ୍ଗରାଜ ଲାଇବ୍ରେରୀ ହଲ୍‌ରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସାଧାରଣ ସାମ୍ପାଦକ ସନତ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଜାତୀୟସ୍ତରୀୟ ଏହି ଭଜନ ସମାରୋହ ଚଳିତବର୍ଷ ୩୬ବର୍ଷ ପାଳନ କରିବ। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଉଦ୍ୟମ ହୋଇଛି। ମୁମ୍ବାଇର ଖ୍ୟାତନାମା କଣ୍ଠଶିଳ୍ପୀ ଉଷା ଉଥପ, ଅନୁରାଧା ପଡୱାଲ, ଅଭିଜିତ ଘୋଷାଲ, କୁମାର ସଞ୍ଜୟ, ପ୍ରତ୍ୟୋଷ ଶର୍ମା, ମଧୁମିତା ପାଉଲଙ୍କ ସମେତ ଓଡ଼ିଶାର ୨୫ରୁ ଉର୍ଦ୍ଧ୍ୱ ଖ୍ୟାତନାମା କଣ୍ଠଶିଳ୍ପୀ ଯୋଗଦାନ କରିବେ।

ଉକ୍ତ ଦିନ ଭୋର ୪ ଘଟିକାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ, ଗୀତା ପାଠ, ଶିବ ଚେତନା, ହରି ଭଜନ, ରାମ ଚରିତ ପାରାୟଣ କରାଯିବ। ସନ୍ଧ୍ୟାରେ ପ୍ରବଚନ ଅନୁଷ୍ଠିତ ହେବ। ଏହାପରେ ଜାତୀୟସ୍ତରୀୟ ଭଜନ ସମାରୋହ ଆୟୋଜନ କରାଯିବ। ଚଳିତବର୍ଷ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ୨୨ତମ ନିର୍ଦ୍ଦେଶନାରେ ଭଜନ ପରିବେଷଣ କରାଯିବ। ଏହି ଉତ୍ସବରେ ବିଶିଷ୍ଟ କଣ୍ଠଶିଳ୍ପୀ ଉଷା ଉଥପ, ଅନୁରାଧା ପଡୱାଲ, ଅଭିଜିତ ଘୋଷାଲ, କୁମାର ସଞ୍ଜୟ, ପ୍ରତ୍ୟୋଷ ଶର୍ମା, ମଧୁମିତା ପାଉଲ, ଡ. ମୃତ୍ୟୁଞ୍ଜୟ ମହପାତ୍ର, ପ୍ରସନ୍ନ କୁମାର ସ୍ୱାଇଁ, ଜିତୁ ଦାସ, ପଙ୍କଜ ଲୋଚନ ମହାନ୍ତି, ଭାଗବତ ସାହୁ, ଚନ୍ମୟନନ୍ଦ ବଡ଼ଜେନା, ମାଧବାନନ୍ଦ ବେହୁରା, କେ ମୁରୁଗାସନ, ରାଜୀବ ଶେଖର ସାହୁ, ପ୍ରେମାନନ୍ଦ, ଡ. ବଦ୍ରୀନାଥ ପଟ୍ଟନାୟକ, ଦୀପକ ଦାଶ, ସତ୍ୟ ରଞ୍ଜନ ସେନାପତି, ଡ. ଶଙ୍କର ଆଚାର୍ଯ୍ୟ, ଡ. ତିରୁପତି ପାଣିଗ୍ରାହୀ, ଶ୍ରୀବତ୍ସ ପତି ଓ ଇପ୍‌ସିତା ଦାସ ପ୍ରମୁଖ ୨୩ଜଣଙ୍କୁ ଏକାମ୍ରଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯବ। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସାଧାରଣ ସମ୍ପାଦକ ସନତ ମିଶ୍ର, ଉପସଭାପତି ଶିବାନନ୍ଦ ରାୟ, କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଲଲଟେନ୍ଦୁ ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, କେଦାରନାଥ ମହାପାତ୍ର, ବାବନଚନ୍ଦ୍ର ମହାପାତ୍ର, ପ୍ରମୋଦ ମହାନ୍ତି ଓ ପ୍ରତାପ ପଟ୍ଟନାୟକ ପ୍ରମୁଖ ସୂଚନା ଦେଇଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ସ୍ଥାନୀୟଏକାମ୍ର ବିଧାୟକ ତଥା ଅନୁଷ୍ଠାନର ଉପସଭାପତି ବାବୁ ସିଂ, ପୂର୍ବତନ ବିଜେପି ସଭାପତି ତଥା ଅନୁଷ୍ଠାନର ଉପସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ବୋଲି ସେମାନେ କହିଛନ୍ତି।

ଭୁବନେଶ୍ୱର, ୨୪ ଫେବୃଆରୀ ୨୦୨୫



ଆଗାମୀ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା-୨୦୨୫କୁ ଦୃଷ୍ଟିରେ ରଖି ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ବୈଠକରେ ରାଜ୍ୟ ଗୃହ (ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି ଖୁରାନିଆଙ୍କ ସମେତ  ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପୁରୀ ଏବଂ ରାଜ୍ୟ ପୁଲିସ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।   ବୈଠକରେ ବିଶେଷ କରି ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଜନଗହଳି ଓ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ଏହାର ସୁପରିଚାଳନା ଓ ସୁବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତି ନେଇ  ଆଲୋଚନା କରାଯାଇଥିଲା   

ପୁରୀ ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ରଥଯାତ୍ରା ସମେତ ଅନ୍ୟ ସମୟରେ ମଧ୍ୟ ବର୍ଷସାରା ବହୁ ସଂଖ୍ୟାରେ ଜନସାଧାରଣ ଓ ପର୍ଯ୍ୟଟକଙ୍କର ଆଗମନ  ହୋଇଥାଏ   ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ ବଡଦାଣ୍ଡ  ଏବଂ ପୁରୀ ବେଳାଭୂମିରେ ନିୟମିତ ଭାବେ ଭିଡ଼ ଦେଖାଦେଇଥାଏ  ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥାଏ । ତେଣୁ ଟ୍ରାଫିକ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ କରିବା, ଅପରାଧ ରୋକିବା ଓ ଆଇନଶୃଙ୍ଖଳା ପରିଚାଳନା ପାଇଁ ରିୟଲ ଟାଇମ ମନିଟରିଂ ଦୃଷ୍ଟିରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା, ପୁରୀ ସହର, ବଡ଼ଦାଣ୍ଡ ଓ ପୁରୀ ବେଳାଭୂମି ଆଦି ପ୍ରମୁଖ  ୩୪୩ ସ୍ଥାନରେ ସିସିଟିଭି ସ୍ଥାପନ ପାଇଁ ପୁଲିସ ପ୍ରଶାସନ ତରଫରୁ ପ୍ରସ୍ତାବ ଦିଆଯାଇଛି

ତନ୍ମଧ୍ୟରେ ଉତ୍ତରା ଛକରୁ  ମାଳତୀପାଟପୁର , ପୁରୀ ଗ୍ରୀଡ୍ ଷ୍ଟେସନରୁ କୋଣାର୍କ, ବାଲିଘାଇରୁ ନିମାପଡ଼ା, ମଙ୍ଗଳାଘାଟରୁ ସାତପଡ଼ା,  ମାଳତିପାଟପୁରରୁ ମଙ୍ଗଳାଘାଟ, ମଙ୍ଗଳାଘାଟରୁ ବଡଦାଣ୍ଡ, ପୁରୀ ବଡ଼ଦାଣ୍ଡ, ବଡ଼ଦାଣ୍ତରୁ ସମୁଦ୍ରକୂଳ, ସମୁଦ୍ର  କୂଳ ଅଂଚଳ, ବଡଦାଣ୍ଡରୁ ଗ୍ରୀଡ୍ ଷ୍ଟେସନ, ପାର୍କିଂ ସ୍ଥଳ, ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନ ସହିତ  ପୁରୀ ସହରର ଗଳି  ଓ ଉପଗଳି ଆଦିରେ ବିଭିନ୍ନ ସ୍ଥାନରେ ଏହି ସମସ୍ତ ସିସିଟିଭି ଲଗାଯିବା ପାଇଁ ପ୍ରସ୍ତାବ ରଖାଯାଇଛି । ଏଥି ପାଇଁ ଭିତ୍ତିଭୂମି ଓ ବୈଷୟିକ  ଆବଶ୍ୟକତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା   ଆମର ସିସିଟିଭି ବ୍ୟବସ୍ଥା ଯେପରି ଜାତୀୟସ୍ତରୀୟ ହେବ,  ସେଥିପ୍ରତି ଭିତ୍ତିଭୂମି ପ୍ରସ୍ତୁତି ଓ  ବୈଷୟିକ ଜ୍ଞାନ କୌଶଳର ଉପଯୋଗ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।  ଏଥି ସହିତ ରଥଯାତ୍ରା ପରିଚାଳନା ସଂପର୍କିତ ସମସ୍ତ କାର୍ଯ୍ୟ ପ୍ରସ୍ତୁତି ପାଇଁ ମାନବ ପରିଚାଳନା ପଦ୍ଧତି (ଏସ.ଓ.ପି) ପ୍ରସ୍ତୁତି କରିବାକୁ ପୁଲିସ ପ୍ରଶାସନ ଓ ପୁରୀ ଜିଲ୍ଲାପାଳଙ୍କୁ   ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ  ଦେଇଛନ୍ତି

ବୈଠକରେ ଆଗାମୀ ରଥଯାତ୍ରା-୨୦୨୫ ପରିପ୍ରେକ୍ଷୀରେ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଚାଳନା କେନ୍ଦ୍ର କାର୍ଯ୍ୟ କରିବ ବିଭିନ୍ନ ବିଭାଗର ଅଧିକାରୀମାନେ ସେହି ନିୟନ୍ତ୍ରଣ କକ୍ଷରେ ରହି ବିଭାଗ ସମ୍ପର୍କିତ କାର୍ଯ୍ୟ ପରିଚାଳନା କରିବେ ସିସିଟିଭି ସ୍ଥାପନ ଓ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସୁରକ୍ଷା,ଅପରାଧ ନିୟନ୍ତ୍ରଣ, ଭିଡ଼ ନିୟନ୍ତ୍ରଣ, ଆକସ୍ମିକ ଦୁର୍ଘଟଣା ଘଟିଲେ ଠିକ୍‌ ସମୟରେ ତ୍ୱରିତ ପଦକ୍ଷେପ ନିଆଯିବା ସହ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ଓ                ଜରୁରୀ କାଳୀନ ପଦକ୍ଷେପ ନିଆଯାଇପାରିବ   

ପୁରୀ ଜିଲ୍ଲାପାଳ ଓ  ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଗତ ୨୦୨୪ ବର୍ଷ ରଥଯାତ୍ରାରେ ପୁରୀରେ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପୂର୍ବ ଅନୂଭୂତି ଉପସ୍ଥାପନା କରିବା ସହିତ ଓ ଆଗାମୀ ୨୦୨୫ ରଥଯାତ୍ରା ପାଇଁ ପ୍ରସ୍ତୁତି ସଂପର୍କରେ ତଥ୍ୟ ରଖିଥିଲେ ଉପସ୍ଥିତ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଆଗାମୀ ଶୃଙ୍ଖଳିତ  ରଥଯାତ୍ରା ପ୍ରସ୍ତୁତି ନେଇ ନିଜ ନିଜର ସୁଚିନ୍ତିତ ମତ ଦେଇଥିଲେ ।  ବୈଠକରେ  ସମନ୍ୱିତ ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି    

          ପ୍ରକାଶ ଥାଉକି, ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ଜୁନ୍‌ ୧୧, ଶ୍ରୀଗୁଣ୍ଡିଚା ଯାତ୍ରା ଜୁନ୍‌ ୨୭,  ବାହୁଡା ଯାତ୍ରା ଜୁଲାଇ ୫ ଓ  ସୁନାବେଶ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହେବ   ତେବେ ଚନ୍ଦନ ଯାତ୍ରା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ  ରଥଯାତ୍ରା ସମୟର ସମେତ  କାର୍ଯ୍ୟକ୍ରମକୁ  ସବୁ ବିଭାଗର ସମନ୍ୱୟରେ ଯେପରି ଶୃଙ୍ଖଳିତ ଭାବେ  ଅନୁଷ୍ଠିତ ହେବ, ସେଥି ପ୍ରତି  ସ୍ୱତନ୍ତ୍ର ଦୃଷ୍ଟି ରଖିବ ବୋଲି ଗୃହ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । 


ପୁଲିସ ମହାନିର୍ଦ୍ଦେଶକ  ଶ୍ରୀ ଖୁରାନିଆ କହିଛନ୍ତି ଯେ, ଲୋକମାନଙ୍କ ଧାର୍ମିକ ଭାବନା  ବୃଦ୍ଧି ପାଉଛି   ଆଗାମୀ ରଥଯାତ୍ରାରେ ଗତ ବର୍ଷ ଅପେକ୍ଷା ଅଧିକ ଜନଗହଳି  ଆଶା କରାଯାଉଛି   ଏଥି ପାଇଁ  ଏବେଠାରୁ ଯଥେଷ୍ଟ ପ୍ରସ୍ତୁତି କରିବାର  ଆବଶ୍ୟକତା ରହିଛି ବୈଠକରେ ମଧ୍ୟ ଯାନବାହନ ପରିଚାଳନା ଓ ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । 


ଭୁବନେଶ୍ୱର, ୨୪ ଫେବୃଆରୀ ୨୦୨୫




  • ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସିଏସଆର ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ବ୍ୟୟରେ କମ୍ପ୍ୟୁଟର ଲ୍ୟାବ୍ ନିର୍ମିତ

  • ଓଡ଼ିଶାର ଶିକ୍ଷା କ୍ଷେତ୍ରକୁ ସୁସମୃଦ୍ଧ କରିବାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରହିଛି ବଡ଼ ଭୂମିକା 

  • ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ଭାରତୀୟ ମୂଲ୍ୟବୋଧକୁ ପୁନଃସ୍ଥାପିତ କରିବା ଆମର ଲକ୍ଷ୍ୟ 

  • ଅଟଳ ଟିଙ୍କରିଂ ଲ୍ୟାବ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ମନୋବୃତ୍ତିକୁ ବଢାଉଛି  

 ସମ୍ବଲପୁର ସିଦ୍ଧେଶ୍ୱରବେର୍ଣ୍ଣା (ଟାଙ୍ଗରପାଲି) ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଉଦଘାଟିତ ହୋଇଥିବା କମ୍ପ୍ୟୁଟର ଲ୍ୟାବ୍ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଟେକ୍ନୋଲୋଜି ସହ ଯୋଡି ସେମାନଙ୍କ ପାଖରେ ଦେଶ ଦୁନିଆର ଖବର ପହଞ୍ଚାଇବା ଦିଗରେ ଏକ ପ୍ରମୁଖ ମାଧ୍ୟମ ହେବ ବୋଲି ଏହାର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସାମାଜିକ ଦାୟିତ୍ୱ ଅନ୍ତର୍ଗତ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି କମ୍ପ୍ୟୁଟର ଲ୍ୟାବ୍ ତିଆରି ହୋଇଛି । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଏହା ଏକ ସାଧୁ ଉଦ୍ୟମ । ଓଡ଼ିଶାର ପୁଞ୍ଜି ହେଉଛି ଶିକ୍ଷା, ଯାହାକୁ ସୁସମୃଦ୍ଧ କରିବାରେ ବିଦ୍ୟା ଭାରତୀ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବଡ଼ ଭୂମିକା ଗ୍ରହଣ କରିଛି । ଯେତେବେଳେ ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ଭାରତୀୟ ମୂଲ୍ୟବୋଧକୁ ପୁନଃସ୍ଥାପିତ କରିବା ପାଇଁ ପ୍ରୟାସ ହେଉଛି, ସେ ସମୟରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଏହାକୁ ସଫଳ କରିବା ସହ ବିକଶିତ ଭାରତର ମଙ୍ଗ ଧରିବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ନୂଆପିଢ଼ିଙ୍କୁ ଭାରତୀୟତା ଆଧାରରେ ଯୋଡ଼ିବା, ଭାରତୀୟ ଭାଷାକୁ ପ୍ରୋତ୍ସାହନ ଓ ଗୁଣାତ୍ମକ ଶିକ୍ଷା ସହ ରୋଜଗାର ଦେବା ଶିକ୍ଷା ନୀତିର ମୂଳ ଲକ୍ଷ୍ୟ ରହିଛି । ସେହିପରି ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତିକୁ ବଢାଇବା ଦିଗରେ ବିଭିନ୍ନ ସ୍କୁଲରେ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା ହେଉଛି । 


ଭୁବନେଶ୍ୱର, ୨୪ ଫେବୃଆରୀ ୨୦୨୫



  • ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ ବିଭିନ୍ନ ଚାଷୀମାନଙ୍କୁ ସହାୟତା ରାଶି ହସ୍ତାନ୍ତରଣ କଲେ 

  • ଡବଲ ଇଞ୍ଜିନ ସରକାରରେ ସମ୍ବଲପୁର ଜିଲ୍ଲା ପାଇଥିବା ଲାଭର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ 

  • ପିଏମ କିଷାନ ସମ୍ମାନ ନିଧିର ୧୯ତମ କିସ୍ତିରେ ସମ୍ବଲପୁର ଜିଲ୍ଲାର ପାଖାପାଖି ୬୧ ହଜାର ୨୩୭ ଜଣ ଚାଷୀଙ୍କୁ ପ୍ରାୟ ୧୨ କୋଟି ଟଙ୍କା ମିଳିଛି 

  • ସମ୍ବଲପୁର ଜିଲ୍ଲାରେ ପ୍ରାୟ ୯୭୬ କୋଟି ଟଙ୍କା ମୂଲ୍ୟରେ ପ୍ରାୟ ୩୨ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଛି 

  • ୧ ଲକ୍ଷ ୨୦ ହଜାର ଚାଷୀ ପିଏମ କିଷାନ ଓ ସିଏମ କିଷାନ ଯୋଜନାରେ ୧୨୦ କୋଟି ଟଙ୍କା ଲାଭ ପାଇଛନ୍ତି

  • ୨ ଲକ୍ଷ ୬୦ ହଜାର ମା’ ଭଉଣୀଙ୍କୁ ସୁଭଦ୍ରା ଯୋଜନାରେ ପ୍ରାୟ ୨୬୦ କୋଟି ଟଙ୍କା ଦିଆଯାଇଛି

  • ସମ୍ବଲପୁରରେ ପ୍ରାୟ ୧୦୦ କୋଟି ବ୍ୟୟରେ ମତ୍ସ୍ୟ ପ୍ରକ୍ରିୟାକରଣ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ

  • ସମ୍ବଲପୁରରେ ଇଏସଆଇ ହସ୍ପିଟାଲ ସ୍ଥାପନା କରିବା ନେଇ ରହିଛି ଯୋଜନା

  •  ନୀଳଡୁଙ୍ଗୁରି ମାର୍କେଟି ଟର୍ମିନାଲର ପ୍ରସ୍ତାବର ପୁନଃ କାର୍ଯ୍ୟ ଆରମ୍ଭ ହୋଇଛି

  • ଚିପିଲିମାର କୃଷି ବିଶ୍ୱବିଦ୍ୟାଳୟକୁ ସ୍ୱତନ୍ତ୍ର କୃଷି ବିଦ୍ୟାଳୟରେ ପରିଣତ କରିବା ନେଇ କଳ୍ପନା 

  • ଜଙ୍ଗଲଜାତ ଉତ୍ପାଦ ପାଇଁ ଏଗ୍ରୋଫରେଷ୍ଟ୍ରି କୋର୍ସ କରାଯିବାର ଯୋଜନା ରହିଛି

 ସମ୍ବଲପୁର ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଲକ୍ଷ୍ୟରୁ ଅଧିକ ଧାନ କିଣାଯାଇଛି, ଯାହା ଡବଲ ଇଞ୍ଜିନ ସରକାରର ଚାଷୀଙ୍କ ପ୍ରତି ଥିବା ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ସୋମବାର ସମ୍ବଲପୁର ଠାରେ ପିଏମ୍ କିଷାନ ସମ୍ମାନ ନିଧିର ୬ ବର୍ଷ ପୂର୍ତ୍ତି ଅବସରରେ ‘କିଷାନ ସମ୍ମାନ ସମାରୋହ’ରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୨୦ ହଜାର ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଓ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ୧୨୦ କୋଟି ଟଙ୍କା ଲାଭ ପାଇଛନ୍ତି । କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଏମଏସପିରେ ଧାନ ସଂଗ୍ରହ ବାବଦକୁ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୩୨ ଲକ୍ଷ କ୍ୱିଣ୍ଟାଲ ଧାନ ପ୍ରାୟ ୯୭୬ କୋଟି ଟଙ୍କାରେ କିଣାଯାଇଛି । ସେଥିମଧ୍ୟରୁ କେନ୍ଦ୍ର ସରକାର ୭୨୪ କୋଟି ଏବଂ ରାଜ୍ୟ ସରକାର ୨୫୨ କୋଟି ଟଙ୍କା ମୂଲ୍ୟର ଧାନ କିଣିଛନ୍ତି । ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଧାନ କିଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ବିହାରର ଭାଗଲପୁରରୁ ପିଏମ କିଷାନ ସମ୍ମାନ ନିଧିର ୧୯ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ସମେତ ଦେଶର ୯ କୋଟି ୮୦ ଲକ୍ଷ ଚାଷୀ ହିତାଧିକାରୀଙ୍କୁ ପ୍ରାୟ ୨୨ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଜି ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ସମ୍ବଲପୁର ଜିଲ୍ଲାର ପାଖାପାଖି ୬୧ ହଜାର ୨୩୭ ଜଣ ଚାଷୀଙ୍କୁ ପ୍ରାୟ ୧୨ କୋଟି ଟଙ୍କା ମିଳିଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ ବିଭିନ୍ନ ଚାଷୀମାନଙ୍କୁ ସହାୟତା ରାଶି ମଧ୍ୟ ହସ୍ତାନ୍ତରଣ କରାଯାଇଛି ।  ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଡିବିଟି ମାଧ୍ୟମରେ ଟଙ୍କା ଗ୍ରହଣ କରିଥିବା ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉପକୃତ ହୋଇଥିବା ଅନ୍ନଦାତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।  

ସେହିପରି ଜିଲ୍ଲାରେ ୨ ଲକ୍ଷ ୬୦ ହଜାର ମା’ ଭଉଣୀଙ୍କୁ ସୁଭଦ୍ରା ଯୋଜନାରେ ପ୍ରାୟ ୨୬୦ କୋଟି ଟଙ୍କା ଦିଆଯାଇଛି । ମହିଳାମାନଙ୍କୁ ବିନା ସୁଧରେ ୪୨୫ କୋଟିରୁ ଅଧିକ ଟଙ୍କାର ଋଣ ମିଳିଛି । ଚାଷୀମାନଙ୍କୁ କମ ସୁଧରେ ପ୍ରାୟ ୫ ହଜାର କୋଟି ଟଙ୍କା ଋଣ ଆକାରରେ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୧୨ଟି ବର୍ଗରେ ଫସଲ, ଗୋପାଳନ, ମତ୍ସ୍ୟ ଚାଷ ସମେତ ସବୁ ବର୍ଗର ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆର୍ଥିକ ରାଶି ପ୍ରଦାନ କରାଯାଉଛି । ସବସିଡି ବି ପ୍ରଦାନ କରାଯାଉଛି । କେନ୍ଦ୍ର ବଜେଟରେ ଡାଲି ଉତ୍ପାଦନରେ ଆତ୍ମନିର୍ଭର ହେବା ତୈଲ ଜାତୀୟ ଫସଲକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି । 

ଆଗାମୀ ଦିନରେ ଭାରତ ସରକାରଙ୍କ ସହଯୋଗରେ ଏହି ଅଞ୍ଚଳରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ମତ୍ସ୍ୟ ପ୍ରକ୍ରିୟାକରଣ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ । ଏକ ଇଏସଆଇ ହସ୍ପିଟାଲ କରିବା ପାଇଁ ମଧ୍ୟ ଯୋଜନା ହେଉଛି । ନୀଳଡୁଙ୍ଗୁରି ମାର୍କେଟି ଟର୍ମିନାଲର ପ୍ରସ୍ତାବକୁ ପୁନର୍ବାର କରିବା ପାଇଁ କାମ ଆରମ୍ଭ ହୋଇଛି । ଚିପିଲିମାର କୃଷି ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ସ୍ୱତନ୍ତ୍ର କୃଷି ବିଦ୍ୟାଳୟରେ ପରିଣତ କରିବା ନେଇ କଳ୍ପନା ରହିଛି । ଜଙ୍ଗଲଜାତ ଉତ୍ପାଦ ପାଇଁ ଏଗ୍ରୋଫରେଷ୍ଟ୍ରି କୋର୍ସ କରାଯିବାର ଯୋଜନା ରହିଛି । ସମ୍ବଲପୁର ଜିଲ୍ଲାରେ ପାଖାପାଖି ୧୫ ଲକ୍ଷ ଲୋକମାନେ ବାସ କରୁଛନ୍ତି । ସେମାନଙ୍କ ଏ ଜୀବନରେ ସମ୍ପନ୍ନତା ଆଣିବା ଆମର ଲକ୍ଷ୍ୟ ରହିଛି ।  “ସବକା ସାଥ୍ – ସବକା ବିକାଶ”କୁ ଶାସନର ମୂଳ ମନ୍ତ୍ର କରିଥିବା ମୋଦୀ ସରକାର ସମ୍ବଲପୁର ଜିଲ୍ଲାକୁ କୃଷି ଓ ଗ୍ରାମ୍ୟ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । 

ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ ସମ୍ବଲପୁରରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆୟୋଜିତ ମେଳା ବୁଲିବା ସହ ଚାଷୀମାନଙ୍କ କଥା ହୋଇଥିଲେ ।  


ଭୁବନେଶ୍ୱର, ୨୩ ଫେବୃଆରୀ ୨୦୨୫




  • ୧ କୋଟି ୨୫ ଲକ୍ଷ ବ୍ୟୟରେ ବଅଁରପାଳ ଛକର ସମନ୍ୱିତ ବିକାଶ, ୫୦ ଲକ୍ଷ ବ୍ୟୟରେ ଗୋତମରା ପୋଖରୀର ନବୀକରଣ, ୨୫ ଲକ୍ଷ ଟଙ୍କା ବ୍ୟୟରେ ପିଏସଏସଜେ ଜୁନିୟର କଲେଜରେ ଲ୍ୟାବ୍ ତିଆରି ସହ ଖେଳପଡ଼ିଆର ଉନ୍ନତି ହେବ 

  • ଶୁଭାରମ୍ଭ ହୋଇଥିବା ପାଖାପାଖି ୨ କୋଟି ମୂଲ୍ୟର ପ୍ରକଳ୍ପ ଗୁଡ଼ିକ ବଅଁରପାଳକୁ ନୂଆ ପରିଚୟ ଦେବ

  • ଗୋତମରା ପୋଖରୀ ନିକଟରେ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦେଲେ ପ୍ରସ୍ତାବ

  • ପିଏସଏସଜେ କଲେଜରେ ଟାଟା ଷ୍ଟିଲ ଫାଉଣ୍ଡେସନର ବାର୍ଷିକ ଉତ୍ସବ ‘ଅରୁଣିମା- ୨୦୨୫’ ଯୋଗଦେଲେ 

  • ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ସହଯୋଗୀ ହେଉ ଟାଟା ଷ୍ଟିଲ୍ ଫାଉଣ୍ଡେସନ 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୋଳ ବଅଁରପାଳ ଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରକୁ ଗୁରୁତ୍ୱ ଦେବା ସହ କାର୍ଯ୍ୟକୁ ବ୍ୟାପକ କରାଇବା ପାଇଁ ସହଯୋଗୀ ହେବାକୁ ଟାଟା ଷ୍ଟିଲ ଫାଉଣ୍ଡେସନକୁ ପରାମର୍ଶ ଦେଇଛନ୍ତି ।  

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ବଅଁରପାଳ ଛକର ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ ପାଇଁ ସମନ୍ୱିତ ବିକାଶ ପ୍ରକଳ୍ପ ଓ ୫୦ ଲକ୍ଷ ଟଙ୍କା ବ୍ୟୟରେ ‘ଅମୃତ ସରୋବର’ ପ୍ରକଳ୍ପ ଅଧୀନରେ ଗୋତମରା ପୋଖରୀର ନବୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି । ସେହିପରି ସ୍ଥାନୀୟ ପିଏସଏସଜେ ଜୁନିୟର ମହାବିଦ୍ୟାଳୟ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନର ବାର୍ଷିକ ଉତ୍ସବ ‘ଅରୁଣିମା- ୨୦୨୫’ ରେ ଯୋଗଦେବା ସହ ୨୫ ଲକ୍ଷ ଟଙ୍କା ବ୍ୟୟରେ ଏହି କଲେଜର ଲ୍ୟାବ୍ ଓ ଖେଳପଡ଼ିଆ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାସହ ବଅଁରପାଳ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସପ୍ତମ ବା ତଦୁର୍ଦ୍ଧ ଶ୍ରେଣୀରେ ପଢୁଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପିଲାମାନଙ୍କୁ “ଜ୍ୟୋତି ଛାତ୍ରବୃତ୍ତି” ପ୍ରଦାନ କରିଥିଲେ । 

 ଜିଲ୍ଲା ପ୍ରଶାସନ ସହଯୋଗରେ ଟଟା ଷ୍ଟିଲ୍ ଫାଉଣ୍ଡେସନର ଏହି ସାଧୁ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଓ ତାଳଚେରର ମୁଖଶାଳା ହେଉଛି ବଅଁରପାଳ । ବଅଁରପାଳ ବ୍ଲକର ଗୋତମରା ଗାଁ ଏକ ଐତିହାସିକ ଗ୍ରାମ । ଏହି ଗ୍ରାମରେ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହ ଜନ୍ମଗ୍ରହଣ କରିଥିଲେ । ଆଜି ଶୁଭାରମ୍ଭ ହୋଇଥିବା ପାଖାପାଖି ୨ କୋଟି ମୂଲ୍ୟର ପ୍ରକଳ୍ପ ଗୁଡ଼ିକ ବଅଁରପାଳକୁ ଏକ ନୂଆ ପରିଚୟ ଦେବ ।  ଏହି ଗ୍ରାମର ସୌନ୍ଦର୍ଯ୍ୟକରଣ ସହ ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ଆମେ ବଦ୍ଧପରିକର ।  ଗୋତମରା ପୋଖରୀ ନିକଟରେ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ ।

ସେହିପରି ପିଏସଏସଜେ କଲେଜରେ ଶିଳାନ୍ୟାସ ହୋଇଥିବା ପରୀକ୍ଷାଗାର ଓ ଖେଳ ପଡ଼ିଆ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବେ । ବଅଁରପାଳରେ ଖେଳର ପରମ୍ପରା ରହିଛି । ଧୀରେ ଧୀରେ ଖେଳ ପ୍ରତି ପିଲାମାନଙ୍କ ଆଗ୍ରହ ବଢୁଛି । ଏହି ଅଞ୍ଚଳରେ ଆଗାମୀ ଦିନରେ ଖେଳର ବିକାଶ ହେବ । ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଅନୁଗୋଳ ଜିଲ୍ଲାକୁ ଏକ ଆଧୁନିକ ଜିଲ୍ଲା ଭାବେ ଗଢ଼ିବା ପାଇଁ ସାମୂହିକ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।  

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ବଅଁରପାଳ ବ୍ଲକ ତଳମୂଳ ସ୍ଥିତ ଦୁର୍ଗା ମାଧବ ମନ୍ଦିର ଓ ଶନିଶ୍ଚର ମନ୍ଦିରରେ ଦର୍ଶନ କରିଥିଲେ । 


Powered by Blogger.
Javascript DisablePlease Enable Javascript To See All Widget