loading...

“ଓଡିଶାର କୃଷି ବ୍ୟବସାୟ ସମ୍ଭାବନା” ଶୀର୍ଷକ ଜାତୀୟ ସେମିନାରକୁ ଉଦ୍‌ଘାଟନ କଲେ ରାଜ୍ୟପାଳ।, ଓଡିଶାରେ କୃଷି ଆତ୍ମନିର୍ଭରଶୀଳତା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର,  ଜୁନ ୨୦୨୫



କୃଷିରେ ଅଭାବୀ କ୍ଷେତ୍ରଗୁଡ଼ିକ ଚିହ୍ନଟ କରି ଓଡିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୀତି ନିର୍ଦ୍ଧାରକ, ବୈଜ୍ଞାନିକ ଏବଂ ଗବେଷକମାନଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ଜୁନ୍ ୭ ତାରିଖ ଦିନ ଓୟୁଏଟି (ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର୍ ଆଣ୍ଡ୍ ଟେକ୍ନୋଲୋଜି) ଓ ଆଇ.ଏସ୍‌.ଏ.ଏମ୍‌. (ଇଣ୍ଡିଆନ ସୋସାଇଟି ଅଫ୍ ଏଗ୍ରିକଲଚରାଲ ମାର୍କେଟିଂ) ହାଇଦ୍ରାବାଦ ଆନୁକୂଲ୍ୟରେ ଓୟୁଏଟି ଠାରେ ""ଓଡିଶାର କୃଷି ବ୍ୟବସାୟ ସମ୍ଭାବନା'' ଶୀର୍ଷକ ଜାତୀୟ ସେମିନାରକୁ ଉଦ୍‌ଘାଟନ କରି ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ଏହି ସମାରୋହରେ ରାଜ୍ୟପାଳ ଉଦ୍‌ବୋଧନ ଦେଇ କହିଥିଲେ ଯେ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତିତ ବିଭିନ୍ନ ଯୋଜନାଗୁଡ଼ିକ ଶୈକ୍ଷିକ ପାଠ୍ୟକ୍ରମରେ ସାମିଲ କରାଯିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଅଧିକ ଲୋକ ବିଶେଷ କରି ଚାଷୀମାନେ ସେମାନଙ୍କ ପାଇଁ ଉପଲବ୍ଧ ସୁବିଧା ଓ ଲାଭ ପାଇପାରିବେ। କୃଷକମାନଙ୍କ ମଧ୍ୟରେ ଉଦ୍ୟୋଗୀୟତାକୁ ପ୍ରୋତ୍ସାହିତ କରିବା ଏବଂ ଆଧୁନିକ କୃଷି ବ୍ୟବସାୟ ଧାରା ସହିତ ପ୍ରସ୍ତୂତ କରିବାକୁ ଦକ୍ଷତା ଭିତିକ ତାଲିମ୍ ନିମନ୍ତେ ଏକାଡେମିକ୍ କମ୍ୟୁନିଟି ଏବଂ ନୀତି ନିର୍ଦ୍ଧାରକମାନେ ବ୍ୟାପକ ମଡେଲ ନିର୍ମାଣ କରିବାକୁ ରାଜ୍ୟପାଳ କହିଥିଲେ। 

ରାଜ୍ୟର କୃଷି ଶକ୍ତି ଉପରେ ରାଜ୍ୟପାଳ ଆଲୋକପାତ କରି କହିଥିଲେ ଯେ ଓଡିଶାର ଅନନ୍ୟ କୃଷି ଜଳବାୟୁ ପରିସ୍ଥିତି ଉପକୂଳବର୍ତୀ ସମତଳ ଅଂଚଳରୁ ଜଙ୍ଗଲପୂର୍ଣ୍ଣ ଉଚ୍ଚଭୂମି ପର୍ଯ୍ୟନ୍ତ ଏହା ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ ପାଇଁ ଉପଯୁକ୍ତ ଅଟେ। ୫୦ ଶତକଡ଼ାରୁ ଅଧିକ ଜନସଂଖ୍ୟା କୃଷି ଉପରେ ନିର୍ଭର କରୁଥିବାରୁ କୃଷି ବ୍ୟବସାୟ ଗ୍ରାମୀଣ ସମୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏକ ଶକ୍ତିଶାଳୀ ଇଂଜିନ ଭାବରେ କାର୍ଯ୍ୟ କରିପାରିବ। କୃଷି ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି, ଶୀତଳ ଶୃଙ୍ଖଳ, ଗୋଦାମ ଏବଂ ରପ୍ତାନୀ ଭିତିକ କୃଷି କ୍ଷେତ୍ରରେ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି। ବିଶେଷକରି ହଳଦୀ, ବାଜରା, ଆମ୍ବ, ସାମୁଦ୍ରିକ ମାଛ ଏବଂ ପନିପରିବା ଭଳି ଉଚ୍ଚ ସମ୍ଭାବ୍ୟ ଫସଲ କ୍ଷେତ୍ରରେ ଉଜ୍ଜଳ ସମ୍ଭାବନା ରହିଛି ବୋଲି ରାଜ୍ୟପାଳ କହିଥିଲେ। କୃଷି ବ୍ୟବସାୟର ଅଭିବୃଦ୍ଧି ପାଇଁ ସ୍ଥାୟୀ ପଥ ବିଷୟରେ ଆଲୋଚନା କରିବା ନିମନ୍ତେ ଗବେଷକ, ନୀତି ନିର୍ଦ୍ଧାରକ ଏବଂ ଅଂଶୀଦାରମାନଙ୍କୁ ଏକତ୍ରିତ କରିବା ପାଇଁ ଓୟୁଏଟି ଓ ଆଇଏସ୍‌ଏଏମ୍‌କୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଉଦ୍ୟାନ କୃଷି, ମତ୍ସ୍ୟପାଳନ, ଦୁଗ୍ଧ, ମକା ଏବଂ ଡାଲି ଭଳି ବାଣିଜ୍ୟିକ ଫସଲର ଅଭିବୃଦ୍ଧି ଦ୍ୱାରା ପରିଚାଳିତ ହୋଇ ରାଜ୍ୟ ବଜାର ଉନ୍ମୁଖୀ କୃଷି ଆଡକୁ ଗତି କରୁଛି ବୋଲି କହିଥିଲେ। 

ଷ୍ଟାର୍ଟ ଅପ୍ ଓଡିଶା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏଗ୍ରି ବିଜିନେସ୍ ସେଂଟର ଇତ୍ୟାଦି ସରକାରଙ୍କ ପଦକ୍ଷେପ ସଂପର୍କରେ ରାଜ୍ୟପାଳ ଉଲ୍ଲେଖ କରି ଏହା କୃଷି କ୍ଷେତ୍ରରେ ନବସୃଜନ, ଉଦ୍ୟୋଗୀୟତାକୁ ପ୍ରୋତ୍ସାହିତ କରୁଛି ବୋଲି କହିବା ସହିତ ଗ୍ରେଡିଂ, ପ୍ୟାକେଜିଂ ଏବଂ ଅମଳ ପରବର୍ତୀ ପରିଚାଳନାରେ ତାଲିମ ପ୍ରଦାନ କରାଯାଇ ଚାଷୀମାନଙ୍କୁ ବିଶ୍ୱ ବଜାର ସହିତ ଯୋଡିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାଦ୍‌ବ୍ୟତୀତ କ୍ଲଷ୍ଟର ଆଧାରିତ ମଡେଲ ମାଧ୍ୟମରେ ଏଫ.ପି.ଓ., ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କ୍ଷୁଦ୍ର ଉତ୍ପାଦକଙ୍କୁ ସଶକ୍ତ କରାଯାଇଛି ବୋଲି ରାଜ୍ୟପାଳ କହିଥିଲେ। 

ଏହି ସମାରୋହରେ ଓୟୁଏଟିର ଭାଇସ୍ ଚାନସେଲର ପ୍ରଫେସର ପ୍ରଭାତ କୁମାର ରାଉଳ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଭାଇସ୍ ଚାନସେଲର ପ୍ରଫେସର ବିଧୁଭୂଷଣ ମିଶ୍ର, ଆଇ.ଏସ୍‌.ଏ.ଏମ୍‌.ର ସେକ୍ରେଟାରୀ ତଥା ମ୍ୟାନେଜିଂ ଡିରେକ୍ଟର ଡ.ଟି. ସତ୍ୟନାରାୟଣା ବକ୍ତବ୍ୟ ପ୍ରଦାନ କରିଥିବାବେଳେ ପ୍ରାରମ୍ଭରେ କଲେଜ୍ ଅଫ୍ ଏଗ୍ରିକଳଚରର ଡିନ୍ ପ୍ରଫେସର ହୃଷିକେଶ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ଅର୍ଗାନାଇଜିଂ ସେକ୍ରେଟାରୀ ପ୍ରଫେସର ସର୍ବନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍ମରଣିକା ଉନ୍ମୋଚିତ ହୋଇଥିଲା

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget