Latest Post

ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୬



ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ସୁଗମ ପାଇଁ ଅନୁକୂଳ ପରିବେଶ ସୃଷ୍ଟି  ଲକ୍ଷ୍ୟରେ ବୋର୍ଡ ବୈଠକରେ  ଆଲୋଚନା

ପରିବେଶ ସୁରକ୍ଷା ସହ ଶିଳ୍ପ ବିକାଶର ସମନ୍ୱୟ ଉପରେ ଗୁରୁତ୍ୱ 

ଓଏସପିସିବିର କାର୍ଯ୍ୟକୁ ଅଧିକ ପାରଦର୍ଶୀ କରିବା ନେଇ ବିସ୍ତୃତ ଆଲୋଚନା  

ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗ ଆଜି (ଓଏସପିସିବି)  ପରିଦର୍ଶନ କରି ବୋର୍ଡର ବିଭିନ୍ନ କାର୍ଯ୍ୟକଳାପ, ନିୟାମକ ବ୍ୟବସ୍ଥା, ପରିବେଶ ନିରୀକ୍ଷଣ, ବର୍ଜ୍ୟ ପରିଚାଳନା, ମାନବ ସମ୍ବଳ, ବର୍ତ୍ତମାନର ଆହ୍ୱାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ ।  ମୁଖ୍ୟ ଶାସନ ସଚିବ, ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି  ଲକ୍ଷ୍ୟରେ ପରିବେଶ ସୁରକ୍ଷା ସହ ଶିଳ୍ପ ବିକାଶର ସମନ୍ୱୟ ଉପରେ ଗୁରୁତ୍ୱ  ଦେଇଥିଲେ । 

ଓଡ଼ିଶାରେ ଇସ୍ପାତ, ଆଲୁମିନିୟମ୍, ବିଦ୍ୟୁତ୍, ଖଣିଜ, ପେଟ୍ରୋକେମିକାଲ୍ ଓ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ଦ୍ରୁତ ବିକାଶ ଘଟୁଥିବା ବେଳେ ପରିବେଶ ସୁରକ୍ଷା ସହ ଶିଳ୍ପ ବିକାଶର ସମନ୍ୱୟ ରକ୍ଷା କରିବା ଉପରେ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ । ଶିଳ୍ପକୁ କେବଳ ଅନୁମତି ପ୍ରଦାନ ଓ ନିୟମ ପାଳନର ଯାଞ୍ଚରେ ସୀମିତ ନ ରଖି ତଥ୍ୟଭିତ୍ତିକ, ପ୍ରଯୁକ୍ତିନିର୍ଭର ଓ ସ୍ୱଚ୍ଛ ପରିବେଶ ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ବୋର୍ଡର ଭୂମିକା ଓ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା । ବୋର୍ଡର ଆଗାମୀ କାର୍ଯ୍ୟପନ୍ଥାରେ ନୀତିଗତ ସଂସ୍କାର, ପ୍ରତିଷ୍ଠାନଗତ କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପରୀକ୍ଷାଗାର ଓ ଗବେଷଣା ଭିତ୍ତିଭୂମିର ସୁଦୃଢ଼ୀକରଣ, ବର୍ଜ୍ୟର ପୁନଃବ୍ୟବହାର, ଜନସଚେତନତା ଓ ମାନବ ସମ୍ବଳ ବିକାଶକ ଆଦିକୁ ପ୍ରାଥମିକତା ଭିତ୍ତିରେ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଓଏସପିସିବିର କାର୍ଯ୍ୟକୁ ଅଧିକ ପାରଦର୍ଶୀ କରିବା ନେଇ ମୁଖ୍ୟ ସଚିବ ବୋର୍ଡ ସଦସ୍ୟ ସଦସ୍ୟାମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ।  

ଏହି ଅବସରରେ ବୋର୍ଡ ପକ୍ଷରୁ ବର୍ତ୍ତମାନର ନିୟାମକ ବ୍ୟବସ୍ଥା ଓ ଭବିଷ୍ୟତ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରୋଡମ୍ୟାପକୁ ଆଧାର କରି ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା । 

ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠାକୁ ସୁଗମ କରିବା ଲକ୍ଷ୍ୟରେ ଅନୁକୂଳ ପରିବେଶ ସୃଷ୍ଟି (ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍)  କରିବା ଦିଗରେ ପରିବେଶ ସମ୍ବନ୍ଧୀୟ ଅନୁମୋଦନ ଓ ଅନୁପାଳନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ, ପୂର୍ବାନୁମାନଯୋଗ୍ୟ, ସମୟବଦ୍ଧ ଓ ପ୍ରଯୁକ୍ତିଭିତ୍ତିକ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ । ଏହା ଶିଳ୍ପଗୁଡ଼ିକୁ ଆବଶ୍ୟକ ପରିବେଶ ସୁରକ୍ଷା ମାନଦଣ୍ଡ ବଜାୟ ରଖିବା ସହିତ ରାଜ୍ୟରେ ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି କରିବ । 

ମୁଖ୍ୟ ଶାସନ ସଚିବ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ  ପକ୍ଷରୁ ଆଗାମୀ ଦିନରେ ଗ୍ରହଣ କରାଯିବାକୁ ଥିବା ସମସ୍ତ ପଦକ୍ଷେପ  ‘ବିକଶିତ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ର ବ୍ୟାପକ ଦୃଷ୍ଟିକୋଣ ସହ ସଂଯୋଜିତ ହେବା ସଂପର୍କରେ  ଗୁରୁତ୍ୱାରୋପ କରି କରିଥିଲେ ।  ସେ ପରିବେଶ ସୁରକ୍ଷାକୁ ଦୃଷ୍ଟିଦେଇ ସ୍ଥାୟୀ ଆର୍ଥିକ ବିକାଶ, ଶିଳ୍ପ ବିକାଶ, ନିବେଶ, ନବସୃଜନ ଓ ରୋଜଗାର ସୃଷ୍ଟିର ଏକ ପ୍ରମୁଖ ମାଧ୍ୟମ ସହ ସଂଯୋଜିତ କରିବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ  ସର୍କୁଲାର ଇକୋନୋମି ଗୁରୁତ୍ୱ ଉପରେ  ଆଲୋକପାତ କରି  କହିଥିଲେ ଯେ, ବର୍ଜ୍ୟକୁ କେବଳ ଫିଙ୍ଗିଦେବା କିମ୍ବା ନଷ୍ଟ କରିବାର ଉପାଦାନ ଭାବେ ନ ଦେଖି, ଏହାକୁ ପୁନଃବ୍ୟବହାର, ପୁନଃଚକ୍ରଣ, ସମ୍ପଦ ପୁନରୁଦ୍ଧାର ଏବଂ ମୂଲ୍ୟଯୁକ୍ତ ଉତ୍ପାଦନ  ମାଧ୍ୟମରେ ଏକ ଆର୍ଥିକ ସମ୍ପଦରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ବିଭିନ୍ନ ବର୍ଜ୍ୟବସ୍ତୁ ସଂପର୍କିତ ବୈଜ୍ଞାନିକ ଓ ସୁଚିନ୍ତିତ ପରିଚାଳନା ଉପରେ ସେ ବୈଠକରେ  ଗୁରୁତ୍ୱାରୋପ କରିଥିଲେ । ପୌର ବର୍ଜ୍ୟ, ଶିଳ୍ପ ବର୍ଜ୍ୟ, ପ୍ଲାଷ୍ଟିକ ବର୍ଜ୍ୟ,                       ଇ-ବର୍ଜ୍ୟ, ନିର୍ମାଣ ଓ ଭଙ୍ଗା ବର୍ଜ୍ୟ, ବିପଜ୍ଜନକ ବର୍ଜ୍ୟ ଆଦିର ପୃଥକୀକରଣ, ସଂଗ୍ରହ, ପ୍ରକ୍ରିୟାକରଣ, ପୁନଃଚକ୍ରଣ ଓ ସମ୍ପଦ ପୁନରୁଦ୍ଧାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ ବୋଲି ସେ କହିଥିଲେ । 

ଏହି ପରିପ୍ରେକ୍ଷୀରେ ସେ ଓ୍ୱେଷ୍ଟ ଟୁ ଓ୍ୱେଲଥ ବା ଓ୍ୱେଷ୍ଟ ଟୁ ଇକୋନୋମିକୁ  ଆଗେଇ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଗୋଟିଏ କ୍ଷେତ୍ରରେ ବର୍ଜ୍ୟ ଭାବେ ପରିତ୍ୟକ୍ତ ହେଉଥିବା ସାମଗ୍ରୀକୁ ଅନ୍ୟ କ୍ଷେତ୍ରରେ କଞ୍ଚାମାଲ କିମ୍ବା ଉପଯୋଗୀ ସମ୍ପଦ ଭାବେ ବ୍ୟବହାର କରିବା ପାଇଁ ନୂତନ ପ୍ରଯୁକ୍ତି, ଉଦ୍ୟୋଗ ଓ ବ୍ୟବସାୟିକ ମଡେଲକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ । ଏହା ଦ୍ୱାରା ବର୍ଜ୍ୟ ହ୍ରାସ ସହିତ ନୂତନ ଉଦ୍ୟୋଗ, ରୋଜଗାର ଓ ଆୟର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ ଆଲୋକପାତ କରିଥିଲେ । ସମଗ୍ରିକ ଭାବେ, ମୁଖ୍ୟ ଶାସନ ସଚିବ ଏହାକୁ ଏକ ପରିବର୍ତ୍ତନଶୀଳ ଦୃଷ୍ଟିକୋଣ ଆପଣାଇବା ଉପରେ ଗୁରୁତ୍ୱ ଦେଇଥିଲେ । ପରିବେଶ ସୁରକ୍ଷା, ଇଜ୍ ଅଫ୍ ଡୁଇଂ ବିଜନେସ୍, ଶିଳ୍ପ ବିକାଶ,  ସର୍କୁଲାର ଇକୋନୋମି ଓ ରୋଜଗାର ସୃଷ୍ଟି-ଏସବୁକୁ ସମନ୍ୱିତ କରି ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ ଦିଗରେ ଆଗେଇବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ  କରିଥିଲେ । ଓଡ଼ିଶାରେ ଖଣିଜ ସଂପଦର ଉପଯୋଗ କରି କେବଳ ବିକାଶ କଲେ ହେବ ନାହିଁ, ଆଗାମୀ ଦିନରେ ପର୍ଯ୍ୟଟନ ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।  ଓଡ଼ିଶାରେ ପର୍ଯ୍ୟଟନ ଓ ଭିତ୍ତିଭୂମି ବିକାଶ ଆଦି  ସାମଗ୍ରିକ ବିକାଶ କରି ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟରେ  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗୁରୁତ୍ୱପୂଣ୍ଣ ଭୁମିକା ରହୁଥିବା ମୁଖ୍ୟ ଶାସନ ସଚିବ ଉଲ୍କେଖ କରିଥିଲେ ।   

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡଃ. ମନୋଜ ଭି. ନାୟାର ଯୋଗଦେଇ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟକଳାପ ଓ ଆଗାମୀ ଯୋଜନା ସଂପର୍କରେ ଉପସ୍ଥାପନ କରିଥିଲେ ।  ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ଅନ୍‌ଲାଇନ୍ ନିରୀକ୍ଷଣ, ସ୍ୱୟଂଚାଳିତ ତଥ୍ୟ ସଂଗ୍ରହ, ଶିଳ୍ପଗୁଡ଼ିକର ନିୟମ ପାଳନର ଡିଜିଟାଲ୍ ନିରୀକ୍ଷଣ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ବୋର୍ଡର କେନ୍ଦ୍ରୀୟ ପରୀକ୍ଷାଗାର, ଉପକୂଳ ପରିବେଶ ନିରୀକ୍ଷଣ କେନ୍ଦ୍ର ଏବଂ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକର ପରୀକ୍ଷାଗାରକୁ ଆଧୁନିକୀକରଣ କରିବା ସହ ଗବେଷଣା କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି । ଜାତୀୟ ଓ ପ୍ରତିଷ୍ଠିତ ଗବେଷଣା ଅନୁଷ୍ଠାନ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶେଷଜ୍ଞ ସଂସ୍ଥାଗୁଡ଼ିକ ସହ ଗବେଷଣା ଓ ବୈଷୟିକ ସହଯୋଗ ବୃଦ୍ଧି କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଫ୍ଲାଏ ଆଶ୍, ସ୍ଲାଗ୍, ରେଡ୍ ମଡ୍ ଓ ଫସ୍ଫୋଜିପସମ୍ ଭଳି ଶିଳ୍ପ ଉପ-ଉତ୍ପାଦର ପୁନଃବ୍ୟବହାର ଓ ପୁନଃଚକ୍ରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବର୍ଜ୍ୟ ପରିଚାଳନାକୁ କେବଳ ନିଷ୍କାସନରେ ସୀମିତ ନରଖି ସର୍କୁଲାର ଅର୍ଥନୀତି ଦିଗରେ ଆଗେଇ ନେବା, ଶିଳ୍ପ ଉପ-ଉତ୍ପାଦକୁ ନିର୍ମାଣ, ରାଜପଥ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣରେ ଉପଯୋଗ ବୃଦ୍ଧି କରିବା ନେଇ ଯୋଜନା ପ୍ରସ୍ତୁତ କରାଯିବାକୁ ଆଲୋଚନା ହୋଇଥିଲା ।  

             ବିଶ୍ୱ ପରିବେଶ ଦିବସ, ବିଶ୍ୱ ଓଜୋନ୍ ଦିବସ, ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଓ ନୀଳ ଆକାଶ ଦିବସ, ପରିବେଶ ସଚେତନତା ସପ୍ତାହ, ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ଓ ଜାତୀୟ ପ୍ରଦୂଷଣ ନିରୋଧ ଦିବସ ଆଦି ଅବସରରେ ଜନସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସ୍କୁଲ୍‌, କଲେଜ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ସହ ତୁରନ୍ତ ବାୟୁ ଗୁଣବତ୍ତା ଓ ଜଳ ଗୁଣବତ୍ତା ସମ୍ପର୍କିତ ସୂଚନା ଉପଲବ୍ଧ କରାଇବା ଏବଂ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତ୍ତାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । 

ଶିଳ୍ପ ଓ ବ୍ୟବସାୟ ପାଇଁ ଅନୁମତି ପ୍ରଦାନ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଓ ସମୟବଦ୍ଧ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି  । ବିଭିନ୍ନ ଅନୁମୋଦନ ବ୍ୟବସ୍ଥାକୁ ସିଙ୍ଗିଲ୍ ୱିଣ୍ଡୋ ଅନ୍‌ଲାଇନ୍ ବ୍ୟବସ୍ଥା ସହ ସମନ୍ୱିତ କରିବା, ଅନ୍‌ଲାଇନ୍ ପ୍ରମାଣପତ୍ର ଯାଞ୍ଚ ଓ କାଗଜବିହୀନ କାର୍ଯ୍ୟପ୍ରଣାଳୀ ଭଳି ପଦକ୍ଷେପ ନିଆଯାଇଛି । ବୋର୍ଡର ବୈଷୟିକ ଓ ପ୍ରଶାସନିକ ମାନବ ସମ୍ବଳର ଉପଲବ୍ଧତା, ଖାଲି ପଦ ପୂରଣ, ପଦୋନ୍ନତି ଏବଂ ଆଗାମୀ ଦିନର ଆବଶ୍ୟକତା ଅନୁଯାୟୀ ମାନବ ସମ୍ବଳ ଯୋଜନା ସମ୍ପର୍କରେ ମଧ୍ୟ ସମୀକ୍ଷା                  କରାଯାଇଥିଲା । ବୋର୍ଡର ବିଭିନ୍ନ ଶାଖା, ଆଞ୍ଚଳିକ କାର୍ଯ୍ୟାଳୟ, ପରୀକ୍ଷାଗାର, ଆଇନ ଶାଖା ଓ ସୂଚନା ପ୍ରଯୁକ୍ତି ଶାଖାକୁ ଆହୁରି ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ଅବସରରେ ପରିବେଶ ସୁରକ୍ଷା, ଦାୟିତ୍ୱସମ୍ପର୍ଣ୍ଣ ଶିଳ୍ପାୟନ ଓ ସ୍ଥାୟୀ ବିକାଶ ମଧ୍ୟରେ ସୁସମନ୍ୱୟ ସ୍ଥାପନ କରି ଓଡ଼ିଶାକୁ ଏକ ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ରାଜ୍ୟ ଭାବେ ଆଗେଇ ନେବା ଦିଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୂମିକାକୁ ଆହୁରି ସୁଦୃଢ଼ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ଆଲୋଚନା  କରିଥିଲେ ।  


ଭୁବନେଶ୍ୱର, ୫ ଅକ୍ଟୋବର ୨୦୨୬



ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ 'ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍' (ନାଲକୋ) ନିଜର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ଲୋକଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ ​​କରିଛି । ଏହି କ୍ରମରେ, ହାଇଦ୍ରାବାଦସ୍ଥିତ 'ଏଲ୍.ଭି. ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍' ସହ ପୂର୍ବରୁ ହୋଇଥିବା ଚୁକ୍ତିନାମାରେ ଆଉ ଏକ ଗୁରୁତ୍ତ୍ଵପୁର୍ଣ୍ଣ ଅତିରିକ୍ତ ଚୁକ୍ତି ସ୍ୱାକ୍ଷର କରାଯାଇଛି। ଏହି ପଦକ୍ଷେପ ଅନୁଗୋଳସ୍ଥିତ ନାଲକୋ ନଗରରେ 'ସେକେଣ୍ଡାରୀ ପ୍ଲସ୍ ଆଇ କେୟାର ସେଣ୍ଟର' (ଚକ୍ଷୁ ଚିକିତ୍ସା କେନ୍ଦ୍ର) କାର୍ଯ୍ୟକ୍ଷମ ହେବା ଦିଗରେ ସହାୟକ ହେବ।

ଉଲ୍ଲେଖନୀୟ ଯେ, ଏହି ଅଞ୍ଚଳକୁ ବିଶେଷଜ୍ଞ-ସ୍ତରୀୟ ତଥା ସୁଲଭ ଚକ୍ଷୁ ଚିକିତ୍ସା ସେବା ଯୋଗାଇବା ଲକ୍ଷ୍ୟରେ ନାଲକୋ, ଏଲ୍‌ଭିପିଇଆଇ ସହଯୋଗରେ ଅନୁଗୋଳଠାରେ ଏକ ଆଧୁନିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ପାଇଁ ଭିତ୍ତିଭୂମି ସ୍ଥାପନ କରିଥିଲା । ଭିତ୍ତିଭୂମି ସ୍ଥାପନ ପରେ ପରିଚାଳନାଗତ ସମସ୍ୟା ଯୋଗୁଁ ଏହି ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା କେନ୍ଦ୍ରର କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ଘଟିଥିଲା । ଏହି, ପ୍ରକଳ୍ପର ଏକ ବିସ୍ତୃତ ସମୀକ୍ଷା ପରେ ନାଲକୋ ଏବଂ ହାଇଦ୍ରାବାଦସ୍ଥିତ ଏଲ୍‌ଭିପିଇଆଇ ଏକ ଅତିରିକ୍ତ ଚୁକ୍ତିନାମା ସ୍ୱାକ୍ଷର କରିବା ସହ ମୁଖ୍ୟ ପ୍ରତିବନ୍ଧକଗୁଡ଼ିକର ସମାଧାନ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି; ଫଳସ୍ୱରୂପ ଆଗାମୀ କିଛି ମାସ ମଧ୍ୟରେ ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ପଥ ପରିଷ୍କାର ହୋଇପାରିଛି ।

ଆଜି ନାଲକୋ କର୍ପୋରେଟ୍ କାର୍ଯ୍ୟାଳୟରେ ନାଲକୋର ସିଏସ୍‌ଆର୍ ଶାଖା 'ନାଲକୋ ଫାଉଣ୍ଡେସନ୍' ଏବଂ ହାଇଦ୍ରାବାଦସ୍ଥିତ 'ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍' ମଧ୍ୟରେ ଏକ ଅତିରିକ୍ତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ନାଲକୋ ସିଏମ୍‌ଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ନାଲକୋର ନିର୍ଦ୍ଦେଶକବୃନ୍ଦ, ଏଲ୍‌ଭିପିଇଆଇର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ଗର୍ଗ ଏବଂ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, 'ସେକେଣ୍ଡାରୀ ପ୍ଲସ୍ ଆଇ କେୟାର ସେଣ୍ଟର' ର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ନାଲକୋ ଫାଉଣ୍ଡେସନ୍ ଏବଂ ଏଲ୍‌ଭିପିଇଆଇ ମିଳିତ ଭାବେ ପ୍ରୟାସ କରିବେ । ଏହି ପ୍ରସ୍ତାବିତ କେନ୍ଦ୍ରର ପରିଚାଳନା ଦାୟିତ୍ୱ ଏଲ୍‌ଭିପିଇଆଇକୁ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏଲ୍‌ଭିପିଇଆଇ ଚକ୍ଷୁ ଚିକିତ୍ସା ସେବାରେ ଉତ୍କର୍ଷତା ପାଇଁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ଏବଂ ଭୁବନେଶ୍ୱରରେ ଏକ 'ଟର୍ସିଆରୀ ଆଇ କେୟାର ସେଣ୍ଟର' ମଧ୍ୟ ପରିଚାଳନା କରୁଛି ।

ଅନୁଗୋଳ ତଥା ଆଖପାଖ ଜିଲ୍ଲାର ବାସିନ୍ଦାଙ୍କ ପାଇଁ ଏହି ବହୁ-ପ୍ରତୀକ୍ଷିତ ଚକ୍ଷୁ ଚିକିତ୍ସା କେନ୍ଦ୍ର ଯଥେଷ୍ଟ ସହାୟକ ହେବ ବୋଲି ଆଶା କରାଯାଉଛି । ଏହି କେନ୍ଦ୍ର ସୁଲଭ ଓ ରିହାତି ମୂଲ୍ୟରେ ଉନ୍ନତମାନର ଚକ୍ଷୁ ଚିକିତ୍ସା ସେବା ଯୋଗାଇବ, ଯାହା ବିଶେଷ ଭାବରେ ନାଲକୋ ର ପରିପାର୍ଶ୍ଵିକ ଗ୍ରାମଗୁଡ଼ିକରେ ବସବାସ କରୁଥିବା ଲୋକଙ୍କ ପାଇଁ ଲାଭଦାୟକ ହେବ ।

କାର୍ଯ୍ୟକ୍ଷମ ହେବା ପରେ, ଏହି କେନ୍ଦ୍ର ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବୌଦ୍ଧ ଏବଂ ପଡ଼ୋଶୀ ଜିଲ୍ଲାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ଭାବରେ କାର୍ଯ୍ୟ କରିବ ବୋଲି ପରିକଳ୍ପନା କରାଯାଇଛି, ଯାହା ଦ୍ଵାରା ବିଶେଷ ଚକ୍ଷୁ ଚିକିତ୍ସା ସେବାର ଉପଲବ୍ଧତାରେ ଉଲ୍ଲେଖନୀୟ ଉନ୍ନତି ଆସିବ ଏବଂ ଅଞ୍ଚଳର ସାମଗ୍ରିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ ​​କରାଯାଇପାରିବ ।


ଭୁବନେଶ୍ୱର, ୪ ଅକ୍ଟୋବର ୨୦୨୬




ଶତାୟୁ ହେଲେ ବି ଯୁବକ ପରି କାର୍ଯ୍ୟ କରୁଛି ‘ସମାଜ’: ମୁଖ୍ୟମନ୍ତ୍ରୀ

ଯୁବଗୋଷ୍ଠୀଙ୍କୁ ଯୋଡ଼ିଲା ‘ପ୍ରଜ୍ବଳିତ ଓଡ଼ିଶା: ୟୁଥ୍‌ କନେକ୍ଟ’ କାର୍ଯ୍ୟକ୍ରମ

ଜ୍ୟୋତିର୍ମୟୀଙ୍କ ସ୍ୱରରେ ଝୁମିଲେ, ନିଶାମୁକ୍ତିର ସଂକଳ୍ପ ପାଠ କରାଇଲେ ଅର୍ପିତା


ଦୈନିକ ଖବରକାଗଜ ‘ସମାଜ’ ଶତାୟୁ ହୋଇଛି ସତ, ହେଲେ ଯୁବକ ପରି କାମ କରୁଛି। ଓଡ଼ିଶା ଯେତେବେଳେ ପରାଧୀନ ଥିଲା, ସେତେବେଳେ ଓଡ଼ିଶାକୁ ପ୍ରାକୃତିକ ଦୁର୍ବିପାକ କବଳିତ କରି ରଖୁଥିଲା। ବନ୍ୟା, ବାତ୍ୟା ପ୍ରପୀଡ଼ିତ ଲୋକେ ଭାବୁଥିଲେ, ଆମ ପାଖରେ ଆଉ କିଏ ପହଞ୍ଚୁ କି ନ ପହଞ୍ଚୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିଶ୍ଚିତ ପହଞ୍ଚିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ‘ସମାଜ’ର ୧୦୭ତମ ସ୍ବନକ୍ଷତ୍ର ଦିବସ ଅବସରରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଲୋକେ ସରକାରଙ୍କ ଉପରେ ଭରସା କରୁନଥିଲେ, ଗୋପବନ୍ଧୁଙ୍କ ଉପରେ ଭରସା କରୁଥିଲେ। ‘ସମାଜ’ ଖବରକାଗଜ ଲମ୍ବା ସମୟ ଧରି ଗୋପବନ୍ଧୁଙ୍କ ଆଦର୍ଶକୁ ମୁଖ୍ୟ ଆଧାର କରି ଚାଲିଛି।

   ମୁଖ୍ୟମନ୍ତ୍ରୀ କହିଥିଲେ, ଟେଲିଭିଜନ ଯେତେ ୨୪ ଘଣ୍ଟିଆ ଖବର ଦେଲେ ମଧ୍ୟ ଛାପା ଗଣମାଧ୍ୟମ ତା’ର ବିଶ୍ୱସନୀୟତା ବଜାୟ ରଖିଛି। ଖବର ପରିବେଷଣରେ ସମାଜ କେବେ ବି ସାଲିସ କରିନାହିଁ। ଉତ୍କଳମଣିଙ୍କ ପ୍ରେରଣାରେ ‘ସମାଜ’ ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କ ସେବା କରି ଚାଲିବ। ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଦେଶ ସ୍ୱାଧୀନ ହେବା ପୂର୍ବରୁ ଯେଉଁ ମହତ୍ ଉଦ୍ଦେଶ୍ୟ ରଖି ପଣ୍ଡିତ ଗୋପବନ୍ଧୁ ‘ସମାଜ’ର ପ୍ରତିଷ୍ଠା କରିଥିଲେ, ତାଙ୍କ ଅବର୍ତ୍ତମାନରେ ମଧ୍ୟ ‘ସମାଜ’ ତାହା ପରିପୂରଣ କରି ଚାଲିଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ବତନ୍ତ୍ର ଓଡ଼ିଶା ଗଠନ ଦିଗରେ ‘ସମାଜ’ର ଗୌରବମୟ ଯାତ୍ରା ଉତ୍ତର ପିଢ଼ିକୁ ଅନୁପ୍ରାଣିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

   ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ‌ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, ଉତ୍କଳମଣିଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ‘ସମାଜ’ ପିଢ଼ି ପରେ ପିଢ଼ି ଧରି ଓଡ଼ିଆ ଜାତିକୁ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ କରି ଆସୁଛି। ନିର୍ଭୀକ ଖବରର ଏହି ଧାରା ଆଗାମୀ ଦିନରେ ମଧ୍ୟ ‘ସମାଜ’ ଜାରି ରଖିବ ବୋଲି ମୋର ବିଶ୍ୱାସ। ସଭାପତିତ୍ୱ ଅଭିଭାଷଣରେ ଲୋକସେବକ ମଣ୍ଡଳ ସଭାପତି ଶ୍ରୀ ରାଜକୁମାର କହିଥିଲେ, ଉତ୍କଳମଣି ଗୋପବନ୍ଧୁ ଲୋକସେବକ ମଣ୍ଡଳକୁ ‘ସମାଜ’ ପରିଚାଳନାର ଦାୟିତ୍ୱ ଦେବା ହୁଏତ ଏହି ଖବରକାଗଜକୁ ଶତାୟୁ କରିଛି। ସ୍ୱାଧୀନତା ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ କଲମକୁ ଜନସେବାର ସାଧନ କରିଥିଲେ। ସେହି ଆଦର୍ଶରେ ଏହା ଆଜି ବି ଚାଲିଛି। ‘ସମାଜ’ ଖବରକାଗଜ କେବଳ କାଗଜ ଉପରେ ଛାପା ଶବ୍ଦ ନୁହେଁ, ଲୋକତନ୍ତ୍ରର ସ୍ୱର ହେଉଛି ‘ସମାଜ’। ଏହି ମହାନ ଲିଗାସିକୁ ଆଗକୁ ଅକ୍ଷୁଣ୍ଣ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବ୍ୟ କହିଥିଲେ, ଗୋପବନ୍ଧୁଙ୍କୁ ଉତ୍କଳମଣି ଉପାଧି କୌଣସି ସରକାର ଦେଇ ନ ଥିଲେ, ଓଡ଼ିଶାର ଜନସାଧାରଣ ଦେଇଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ବିଚାରଧାରା, ମୂଲ୍ୟବୋଧକୁ ନେଇ ‘ସମାଜ’ ତା’ର ଦୀର୍ଘଦିନର ଯାତ୍ରା ଅବ୍ୟାହତ ରଖିଛି। ‘ସମାଜ’ ତଥାକଥିତ କର୍ପୋରେଟ କଲ୍‌ଚରରେ ବିଶ୍ୱାସ କରେନି। ସମୟକୁ ଚାହିଁ ‘ସମାଜ’ ମଧ୍ୟ ତା’ର ରଣନୀତି ବଦଳାଉଛି; ମାତ୍ର ପାଠକ ହିଁ ସର୍ବାଗ୍ରେ ବୋଲି ସେ କହିଥିଲେ।

   ଲୋକସେବକ ମଣ୍ଡଳ ସମ୍ପାଦକ ରମାନାଥ ଝା କହିଥିଲେ, ‘ସମାଜ’କୁ ପୁରୁଣା ଲୋକଙ୍କ ଖବରକାଗଜ କୁହାଯାଉଥିଲା। ହେଲେ ଆଜି ଏତେସଂଖ୍ୟାରେ ଯୁବବର୍ଗଙ୍କ ଉପସ୍ଥିତି ଏହି ଭ୍ରମକୁ ଦୂର କରିପାରିଛି। ‘ସମାଜ’ କେବଳ କାଗଜ ଓ କାଳି ନୁହେଁ, ବରଂ ଓଡ଼ିଶାର କୋଟିକୋଟି ଲୋକଙ୍କ ବିଶ୍ୱାସର ପ୍ରତୀକ। ଏହା ଏକ ଦାୟିତ୍ୱବାନ ଗଣମାଧ୍ୟମ। ‘ସମାଜ’ ଉପରେ ଓଡ଼ିଆଙ୍କ ପୂର୍ଣ୍ଣ ଆବେଗିକ ଅଧିକାର ରହିଛି। ଏହି ୧୦୭ ବର୍ଷ ମଧ୍ୟରେ ‘ସମାଜ’ରେ ଅନେକ ପରିବର୍ତ୍ତନ ଆସିଛି। ଆଗକୁ ଆହୁରି ମଧ୍ୟ ପରିବର୍ତ୍ତନ ଆସିବ। ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ଏବଂ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ‘ସମାଜ’ କିଭଳି ଲୋକଙ୍କ ସହ ଯୋଡ଼ି ହୋଇ ରହିଛି, ସେ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ବିପନ୍ନ ଓ ଦୁଃଖୀଜନଙ୍କ ପାଇଁ ବିପତ୍ତିକାଳରେ ‘ସମାଜ’ ରିଲିଫ୍ ଏକ ଆଶ୍ବାସନା ବୋଲି ସେ କହିଥିଲେ। ଏହି ଅବସରରେ ‘ସମାଜ’ର ୧୦୭ ବର୍ଷ ପଦାର୍ପଣ ସମ୍ପର୍କିତ ଲୋଗୋ, ବାର୍ଷିକ ପ୍ରସଙ୍ଗଭିତ୍ତିକ ଲୋଗୋ ‘ନିଶାମୁକ୍ତ ଯୁବ ସମାଜ, ସମାଜର ପ୍ରୟାସ’ ସମେତ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଆଗାମୀ ପୂଜା ସଂଖ୍ୟା ସହ ‘ସମାଜ’ର ସ୍ୱତନ୍ତ୍ର ସ୍ବନକ୍ଷତ୍ର ବିଶେଷାଙ୍କ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ‘ସମାଜ’ର ଶ୍ରେଷ୍ଠ ସାମ୍ବାଦିକ, ବିତରକ, ବିଜ୍ଞାପନଦାତା ଓ ୟୁଥ୍ ଆଇକନ୍‌ଙ୍କୁ ପୁରସ୍କୃତ କରାଯାଇଥିଲା।

    ‘ସମାଜ’ର ପରମ୍ପରା ଓ ଆଦର୍ଶକୁ ନେଇ ଶିଳ୍ପୀ ମାନସ ସାହୁ ଓ ତାଙ୍କ ଟିମ୍‌ ଦ୍ବାରା ପ୍ରସ୍ତୁତ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା। ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ରଖିଥିଲେ। ‘ସମାଜ’ର ମୁଖ୍ୟ ପରିଚାଳକ ଗୋପୀନାଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଯୁବଗୋଷ୍ଠୀଙ୍କୁ ‘ସମାଜ’ ସହ ଯୋଡ଼ିବା ଅଭିପ୍ରାୟରେ ‘ପ୍ରଜ୍ୱଳିତ ଓଡ଼ିଶା: ୟୁଥ୍‌ କନେକ୍ଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଆଇଡଲ ବିଜେତା, ଯୁବ ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ସଙ୍ଗୀତ ପରିବେଷଣ କରି ଯୁବ‌େ‌ଶ୍ରାତାଙ୍କୁ ବାନ୍ଧି ରଖିଥିଲେ। ନିଶାମୁକ୍ତି ଅଭିଯାନର ପ୍ରେରଣାଦାୟୀ ଯୁବ ପ୍ରତିଭା ଅର୍ପିତା ବେହେରା ଯୁବଗୋଷ୍ଠୀଙ୍କୁ ନିଶାମୁକ୍ତିର ସଂକଳ୍ପ ପାଠ କରାଇଥିଲେ। କାର୍ଯ୍ୟକ୍ରମରେ ବହୁ ବିିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ‘ସମାଜ’ର ପାଠକ, ସାମ୍ବାଦିକ, ବିଜ୍ଞାପନଦାତା, ବିତରକ, ଯୁବଗୋଷ୍ଠୀ ଯୋଗ ଦେଇଥିଲେ।

 ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬




ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭାରତୀୟ ଯୋଗ ସଂସ୍ଥାନ, ସିଡିଏ, କଟକ ସହଯୋଗରେ ସ୍ୱଚ୍ଛତା ହିଁ ସେବା  -୨୦୨୬ ଅନ୍ତର୍ଗତ ଏକ ସଫେଇ କାର୍ଯ୍ୟକ୍ରମ କଟକ ସିଡିଏ-୬ସ୍ଥିତ ଜୟପ୍ରକାଶ ନାରାୟଣ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି।   
ଏହି କାର୍ଯ୍ୟକ୍ରମରେ ପୂର୍ବତନ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ପୂର୍ଣ୍ଣେନ୍ଦୁ କୁମାର ସେନାପତି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏଥିରେ ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ରାଜକିଶୋର ଦାଶ ଏବଂ ପ୍ରଫେସର ଶୈଳଜା ନନ୍ଦୀନି ଜେନା ଉପସ୍ଥିତ ଥିଲେ। 
କାର୍ଯ୍ୟକ୍ରମରେ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ରଞ୍ଜନ ସହାୟ,  ଉପ-ଆଞ୍ଚଳିକ ମୁଖ୍ୟ ଶଙ୍କର ହେମ୍ବ୍ରମ ଏବଂ କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ବିବେକାନନ୍ଦ ଷଡଙ୍ଗୀଙ୍କ ସମେତ ମୁଖ୍ୟ ପ୍ରବନ୍ଧକ, ଶାଖା ମୁଖ୍ୟ ଏବଂ ସ୍ଥାନୀୟ ଶାଖା, କ୍ଷେତ୍ରୀୟ କାର୍ଯ୍ୟାଳୟ, ଏମ୍‌ଏଲ୍‌ପି ଓ ଆରଏଲ୍‌ପିର କର୍ମଚାରୀମାନେ ଯୋଗଦେଇଥିଲେ। ସେହିପରି, ଭାରତୀୟ ଯୋଗ ସଂସ୍ଥାନର କେଦାରନାଥ ଜାଲି, ବାବାଜୀ ଚରଣ ବେହେରା ଏବଂ ଯୋଗ ଅଂଶଗ୍ରହଣକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ସ୍ୱଚ୍ଛତା ଏବଂ ନାଗରିକ ଦାୟିତ୍ୱବୋଧତାର ସନ୍ଦେଶ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଏକ ଉତ୍କୃଷ୍ଟ ମାଧ୍ୟମ।

 ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬


 


ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଓ ମାର୍ଗଦର୍ଶିକା ଅନୁଯାୟୀ ବ୍ୟାଙ୍କ ଅଫ୍‍ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ “ସ୍ୱଚ୍ଛତାରେ ସହଭାଗିତା, ସ୍ୱଚ୍ଛ ଭାରତ ଏବଂ ବିକଶିତ ଭାରତ ବିଷୟ ସମ୍ପର୍କୀତ “ସ୍ୱଚ୍ଛତା ହିଁ  ସେବା” (ଏସ୍‌ଏଚ୍‌ଏସ୍ ) -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଅଂଶସ୍ୱରୂପ ପରିବେଶ ସୁରକ୍ଷା ଓ ସ୍ଥାୟିତ୍ୱକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ “ଏକ୍ ପେଡ୍ ମା କେ ନାମ୍‌” ପଦକ୍ଷେପ ଅଧିନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ, ଭୁବନେଶ୍ୱରର ମହାପ୍ରବନ୍ଧକ ମୁତା ବିରା ଭେଙ୍କଟ ବାଙ୍ଗାରାଜୁ ଏବଂ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲିକଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସ୍ୱଚ୍ଛତା ଏବଂ ନାଗରିକ ଦାୟିତ୍ୱବୋଧତାର ସନ୍ଦେଶ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଏକ ଉତ୍କୃଷ୍ଟ ମାଧ୍ୟମ।

  ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬





‘ସ୍ୱଚ୍ଛତା ହିଁ ସେବା’ ଓ ‘ଏକ ପେଡ୍ ମା କେ ନାମ’ କାର୍ଯ୍ୟକ୍ରମ; ସଫେଇ କର୍ମଚାରୀଙ୍କୁ ସାନିଟାଇଜେସନ୍ କିଟ୍ ବଣ୍ଟନ

ବ୍ରହ୍ମପୁର  : ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱର ବାର୍ତ୍ତା ନେଇ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ, ବ୍ରହ୍ମପୁର ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଏବଂ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅନ୍ତର୍ଗତ ଏକ ସ୍ୱଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ରକ ଗାର୍ଡେନଠାରେ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ବ୍ୟାଙ୍କର କ୍ଷେତ୍ରୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ସହିତ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରାଯାଇ ‘ଏକ ପେଡ୍ ମା କେ ନାମ’ଅଭିଯାନର ବାର୍ତ୍ତାକୁ ଆଗେଇ ନିଆଯାଇଥିଲା।
ଏହି ଅବସରରେ ଅଞ୍ଚଳର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ନିରନ୍ତର ଭାବେ ନିୟୋଜିତ ସଫେଇ କର୍ମଚାରୀମାନଙ୍କୁ ବ୍ୟାଙ୍କ ପକ୍ଷରୁ ସାନିଟାଇଜେସନ୍ କିଟ୍ ପ୍ରଦାନ କରାଯାଇଥିଲା। ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଯତ୍ନ ନେବା ସହ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ସେବାକୁ ସମ୍ମାନ ଜଣାଇବା ଥିଲା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ବ୍ୟାଙ୍କର ଏହି ପଦକ୍ଷେପ ମାଧ୍ୟମରେ ସ୍ୱଚ୍ଛତା କେବଳ ଏକ ଅଭିଯାନ ନୁହେଁ, ବରଂ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ସହ ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ପ୍ରତି ସମସ୍ତଙ୍କୁ ସଚେତନ ହେବାର ବାର୍ତ୍ତା ଦିଆଯାଇଥିଲା।

ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬




କଟକ: ପୋଲିସ ମୋଟର ଟ୍ରାନ୍ସପୋର୍ଟର ପୂର୍ବତନ କର୍ମଚାରୀ ସ୍ୱର୍ଗତ ଚିନ୍ମୟ ପ୍ରଧାନଙ୍କ ପତ୍ନୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଲେଙ୍କାଙ୍କୁ ଏସ୍‌ବିଆଇର PSP ଆକାଉଣ୍ଟ ସୁବିଧା ଅନ୍ତର୍ଗତ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସ୍ୱାମୀଙ୍କ ଅକାଳ ଦେହାନ୍ତ ପରେ ଶୋକସନ୍ତପ୍ତ ପରିବାରକୁ ସହାୟତା ସ୍ୱରୂପ ଏହି ରାଶି ପ୍ରଦାନ କରାଯାଇଛି।

କଟକ ଡିସିପି ଋଷିକେଶ ଦ୍ୟାନଦେଓ ଖିଲାରୀ ଏବଂ ଏସ୍‌ବିଆଇ କଟକ ରିଜିଅନର ରିଜିଓନାଲ ମ୍ୟାନେଜର  ଚୌଧୁରୀ ଅଶ୍ମିନ ଅନୁପମ ପ୍ରହରାଜ ଶ୍ରୀମତୀ ଲେଙ୍କାଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ହସ୍ତାନ୍ତର କରିଥିଲେ।

ଏହି ଅବସରରେ କଟକ ମୋଟର ଟ୍ରାନ୍ସପୋର୍ଟର ପୋଲିସ ଏସ୍‌ପି   ବାନାମ୍ବର ସେଠୀ, କଟକ ସହରାଞ୍ଚଳ ପୋଲିସ ସଂଘର ସମ୍ପାଦକ  ପ୍ରମୋଦ କୁମାର ଜଗଦେବ, ସଭାପତି  ବିଜନ କୁମାର ସାହୁ,  ଏବଂ ଏସ୍‌ବିଆଇ ତୁଳସୀପୁର ଶାଖାର ଶାଖା ପରିଚାଳକ  ଦୀପ୍ତି ସଙ୍ଗୀତା ଦାଶ ଉପସ୍ଥିତ ଥିଲେ।


 ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬




ପରିମଳ, ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ୟୁକୋ ବ୍ୟାଙ୍କ, ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ସ୍ୱଚ୍ଛତା, ବୃକ୍ଷରୋପଣ ଓ ଜନସଚେତନତା କାର୍ଯ୍ୟକ୍ରମ ସହ ସ୍ୱଚ୍ଛତା ପଖୱାଡ଼ା ପାଳିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଏସ୍‌ଏଲ୍‌ବିସି ଓଡ଼ିଶାର ଆବାହକ ଶ୍ରୀ ପ୍ରଣବ କୁମାର ବିଶ୍ୱାସଙ୍କ ସମେତ ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଜୋନ୍‌ର ଜୋନାଲ ହେଡ୍ ଶ୍ରୀ ଭଗବତ ସିଂହ ଭାକୁନି ଏବଂ କଟକ ଜୋନ୍‌ର ଜୋନାଲ ହେଡ୍ ଶ୍ରୀମତୀ ବର୍ଷା ଉପସ୍ଥିତ ଥିଲେ।

ଏହି ଅବସରରେ ୟୁକୋ ବ୍ୟାଙ୍କର କଟକ ଓ ଭୁବନେଶ୍ୱର ଜୋନାଲ ଅଫିସ୍‌ର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଏସ୍‌ଏଲ୍‌ବିସି, କର୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ର , ମିଡ କର୍ପୋରେଟ ଶାଖା , ଏସ୍‌ପିପିସି (ଷ୍ଟେଟ୍ ପେନ୍‌ସନ୍ ପ୍ରୋସେସିଂ ସେଲ୍), ସମ୍ପତ୍ତି ପରିଚାଳନା ଶାଖା, ଫିଲ୍ଡ ଇନସ୍ପେକଟୋରେଟ ଓ ଅଶୋକନଗର ଶାଖାର କର୍ମଚାରୀମାନେ ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ଭାବେ ଯୋଗଦେଇଥିଲେ। ଏଥିସହ ବୃକ୍ଷରୋପଣ କରାଯାଇ ସ୍ୱଚ୍ଛତା, ପରିମଳ ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା।

ଏହି ଅବସରରେ ଶ୍ରୀ ପ୍ରଣବ କୁମାର ବିଶ୍ୱାସ କହିଥିଲେ ଯେ, ସ୍ୱଚ୍ଛତା ବଜାୟ ରଖିବା ସମସ୍ତଙ୍କ ସାମୂହିକ ଦାୟିତ୍ୱ। ସୁସ୍ଥ ଓ ଖୁସି ଜୀବନ ପାଇଁ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଅତ୍ୟନ୍ତ ଆବଶ୍ୟକ। ଏକ ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଠନରେ ସମସ୍ତେ ସକ୍ରିୟ ଭାବେ ଯୋଗଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ୟୁକୋ ବ୍ୟାଙ୍କ ପକ୍ଷରୁ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ସହ ଏକ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ସମାଜ ଗଠନରେ ଅଧିକରୁ ଅଧିକ ଜନସହଭାଗିତା ପାଇଁ ଆହ୍ୱାନ ଦିଆଯାଇଥିଲା।


 ଭୁବନେଶ୍ୱର, ୩୦ ସେପ୍ଟେମ୍ବର ୨୦୨୬


ଭୁବନେଶ୍ୱର ସ୍ଥିତ 'ଟାଉନ୍ ଅଫିସିଆଲ୍ ଲାଙ୍ଗୁଏଜ୍ ଇମ୍ପ୍ଲିମେଣ୍ଟେସନ୍ କମିଟି' (ଟୋଲିକ - ଉପକ୍ରମ)ର ୨୪ତମ ଷାଣ୍ମାସିକ ବୈଠକ ଆଜି ନାଲକୋ ଏଲ ଆଣ୍ଡ ଡି ସେଣ୍ଟର ଅଫ ଏକ୍ସସେଲେନ୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନାଲକୋ ସିଏମଡି ତଥା ଟୋଲିକ - ଉପକ୍ରମ, ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ନାଲକୋର ନିର୍ଦ୍ଦେଶକ (ମାନବ ସମ୍ବଳ) ତଥା ଟୋଲିକ - ଉପକ୍ରମ, ଭୁବନେଶ୍ୱରର ଉପାଧ୍ୟକ୍ଷ ଡକ୍ଟର ତାପସ କୁମାର ପଟ୍ଟନାୟକ ଏବଂ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ଆଶୁତୋଷ ରଥ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ଉପସ୍ଥିତ ସଦସ୍ୟମାନଙ୍କୁ ସମ୍ବୋଧିତ କରି ଶ୍ରୀ ସିଂହ କହିଥିଲେ ଯେ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ 'ରାଜଭାଷା ବିଭାଗ' ଦ୍ୱାରା ହିନ୍ଦୀ ଦିବସ-୨୦୨୬ ଅବସରରେ ଆୟୋଜିତ ଷଷ୍ଠ ସର୍ବଭାରତୀୟ ରାଜଭାଷା ସମ୍ମିଳନୀରେ ଟୋଲିକ - ଉପକ୍ରମ, ଭୁବନେଶ୍ୱରକୁ "ଉତ୍କୃଷ୍ଟ" ବର୍ଗରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଏଥି ନିମନ୍ତେ ସେ ଅଂଶଗ୍ରହଣକାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜ କାର୍ଯ୍ୟରେ ହିନ୍ଦୀର ସର୍ବାଧିକ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲ । ଏହି ଅବସରରେ ଟୋଲିକ - ଉପକ୍ରମ ଆନୁକୂଲ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନା ସମୟରେ ରାଜଭାଷାର ପ୍ରଭାବଶାଳୀ କାର୍ଯ୍ୟକାରିତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ଏବଂ ସଦସ୍ୟ କାର୍ଯ୍ୟାଳୟଗୁଡ଼ିକ ପକ୍ଷରୁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ, ଏହି ଅବସରରେ ଟୋଲିକ - ଉପକ୍ରମ ପତ୍ରିକାର ମଧ୍ୟ ଉନ୍ମୋଚନ କରାଯାଇଥିଲା । ଭୁବନେଶ୍ୱର ସ୍ଥିତ ବିଭିନ୍ନ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ ର ପ୍ରତିନିଧି ଏବଂ କାର୍ଯ୍ୟାଳୟ ମୁଖ୍ୟମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ଭୁବନେଶ୍ୱର, ୨୬ ଅଗଷ୍ଟ ୨୦୨୬



ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହ ୬ ଦଫା ଦାବୀରେ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀଙ୍କ ଅନଶନ ଆଜି ସପ୍ତମ ଦିବସରେ ପହଞ୍ଚିଛି। ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ଉପଦେଷ୍ଠା ମଧୁମିତା ସାମଲ ସହିତ, ଅମିତ ଜେନା, ସ୍ମୃତି ରଂଜନ ସାମଲ, ଏସ.କେ ହେଦାଇ ବିରୋଧି ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ୬ ଦଫା ଦାବୀ ପତ୍ର ପ୍ରଦାନ କରିବା ସହ ସମର୍ଥନ ଲୋଡ଼ିଥିଲେ। ଶ୍ରୀ ପଟ୍ଟନାୟକ ମନଓ୍ବର ଅଲ୍ଲୀଙ୍କ ସପ୍ତମ ଦିନ ଅନଶନକୁ ସମର୍ଥନ ଜଣାଇବା ସହ ସଂଗଠନର ଦାବୀ ପତ୍ରକୁ ଆଗାମୀ ବିଧାନସଭା ଅଧିବେଶନରେ ଏହି ୬ ଦଫା ଦାବୀ ଉପସ୍ଥାପନା କରିବେ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ବିଜୁ ଜନତା ଦଳର ଏକ ଟିମ୍ ମନଓ୍ବର ଅଲ୍ଲୀଙ୍କ ଅନଶନ ସ୍ଥଳକୁ ଯାଇ ଆଲୋଚନା କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଆଗାମୀ ୨୭ ତାରିଖର ୪ଟା ସମୟରେ ଛାତ୍ରଛାତ୍ରୀଙ୍କର ଭୁଲ୍ ପାଠ୍ୟ ପୁସ୍ତକ ସରକାରଙ୍କୁ ଫେରସ୍ତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଲୋୟର ପିଏମଜିରେ ଜାରି ରଖିବା ପାଇଁ ସଂଗଠନର ପକ୍ଷରୁ ନିଷ୍ପତି ନିଆଯାଇଛି। ଆଜି ଏସ୍. କେ. ହେଦାଇଙ୍କ ନେତୃତ୍ବରେ ଶତାଧିକ ଯୁବକ ମନଓ୍ବର ଅଲ୍ଲୀଙ୍କୁ ସମର୍ଥନ ଦେବା ପାଇଁ ଅନଶନ ସ୍ଥଳୀରେ ପହଞ୍ଚିଥିଲେ।  

ଆଜି ଅନଶନର ସପ୍ତମ ଦିବସରେ ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ତପନ ମିଶ୍ର, ଢେଙ୍କାନାଳ ସଭାପତି ଅଶ୍ବନୀ ଜେନା, ପ୍ରଫୁଲ ପରିଡ଼ା, ଗଞ୍ଜାମ ଯୁବ ନେତା କୃଷ୍ଣ ନାହାକ,
ଗଣେଷ ବେହରା ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୬ ଅଗଷ୍ଟ ୨୦୨୬



ଓଡିଶା ଅସ୍ମିତାକୁ ଗୁରୁତ୍ୱ ଦେଉଥିବା ବିଜେପି ଖଣି ଅଧିନିୟମ ସଂଶୋଧନ ଆଇନ ଓଡ଼ିଆ ସ୍ୱାର୍ଥ ବିରୋଧି ହୋଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସଂସଦ ସଦସ୍ୟ ଓ କେନ୍ଦ୍ରମନ୍ତ୍ରୀମାନେ ଏହି ସଂଶୋଧନକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ଠାରେ ଦାବୀ କରିବା ପାଇଁ ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ଶ୍ରମିକ ନେତା ଡ. ରାମଚନ୍ଦ୍ର ଖୁଂଟିଆ ଦୃଢ଼ ଦାବି କରିଛନ୍ତି। ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ କେରଳ ରାଜ୍ୟର ସ୍ୱାର୍ଥ ପାଇଁ ସିପିଏମ୍ ନେତାମାନଙ୍କ ସହ କଂଗ୍ରେସ ମୁଖ୍ୟମୁଖ୍ୟମନ୍ତ୍ରୀ ଓମେନ ଚଣ୍ଡି ଧାରଣାରେ ବସିଥିଲେ। ସେହିପରି ପଶ୍ଚିମବଙ୍ଗଳାର ସ୍ୱାର୍ଥ ପାଇଁ କମ୍ୟୁନିଷ୍ଟମାନଙ୍କ ସହ କଂଗ୍ରେସ ସରକାର ଥିବାବେଳେ କଂଗ୍ରେସ ନେତାମାନେ ଧାରଣା ଦେବାର ନଜର ଅଛି। 

କଂଗ୍ରେସ ସରକାର ଥିଲାବେଳେ ନାଲ୍‌କୋ ଘରୋଇକରଣ ଦାବୀରେ ନାଲ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ମୁଁ ସାଂସଦ ଭାବରେ ଗିରଫ ହୋଇଥିଲି ଏବଂ ଦିଲ୍ଲୀରେ ସଂସଦ ଆଗରେ ଧାରଣା ଦିଆଯାଇଥିଲା। ଏଣୁ ଓଡ଼ିଶା ରାଜ୍ୟର ସ୍ୱାର୍ଥ ପାଇଁ ବିଜେପିର ଓଡ଼ିଶା ନେତାମାନେ କେନ୍ଦ୍ର ସରକାରଙ୍କ ପାଖରେ ଆଇନ ପ୍ରତ୍ୟାହାର କରିବା ଦାବୀ ଉପସ୍ଥାପିତ କରିବା ଆବଶ୍ୟକ। ୨୦୨୬ର ଧାରା ୯ (ଡି) କାର୍ଯ୍ୟକାରୀ ହେଲେ, ୨୦୨୪ ରେ ସୁପ୍ରିମ୍‌କୋର୍ଟର ରାୟର ଅକାମୀ ହେବ। ଖଣି ଖାଦାନ ଥିବା ୧୫ ଟି ରାଜ୍ୟ ଖଣି ରୟାଲଟି ସଂଗ୍ରହ କରିପାରିବେ ନାହିଁ ଏବଂ ବକେୟା ପାଉଣା ଜୋରିମନା ମଧ୍ୟ ସଂଗ୍ରହ କରିପାରିବେ ନାହିଁ। ଯାହାଫଳରେ ଓଡ଼ିଶାର ଲକ୍ଷକୋଟିର ଉର୍ଦ୍ଧ୍ୱ ଟଙ୍କା ଓଡ଼ିଶା ରାଜକୋଷ ହରାଇବ। 

ସମଗ୍ର ଦେଶର ୩୩ ରୁ ୩୫ % ଲୁହାପଥର କେବଳ ଓଡ଼ିଶାରେ ଅଛି। ପ୍ରତିବର୍ଷ ଭାରତରୁ ଉତ୍ପାଦିତ ଉତ୍ପାଦନ ଓ ରପ୍ତାନି ହେଉଥିବା ୫୦% ଲୁହାପଥର କେବଳ ଓଡ଼ିଶାରୁ ଯାଉଛି। ଭାରତବର୍ଷର ସମୁଦାୟ କ୍ରୋମାଇଟ୍ ଡିପୋଜିଟର ୯୮% ୧୮୮ ମିଲିୟନ ଟନ କେବଳ ଓଡ଼ିଶାରେ ଅଛି। ବକ୍‌ସାଇଟର ୫୧ ରୁ ୫୯% କେବଳ ଓଡ଼ିଶାରେ ଅଛି। ୧୨୫ବିଲିଅନ୍ ଟନ୍ ବକ୍‌ସାଇଟ ଗଚ୍ଛିତ ଅଛି। ତେଣୁ ଓଡ଼ିଶା ରାଜ୍ୟ ସବୁଠାରୁ ଅଧିକ କ୍ଷତିଗସ୍ତ ହେବ। ଏବର୍ଷର ଓଡ଼ିଶା ରାଜ୍ୟର ୩ ଲକ୍ଷ ୧୦ କୋଟି ଟଙ୍କା ବଜେଟର ମୁଖ୍ୟ ଅଂଶ ଓଡ଼ିଶାର ଖଣି ରୟାଲଟି ଓ ଜୋରିମନାର ଆସିଛି। ଏଣୁ ଏହାର ପ୍ରଭାବ ରାଜ୍ୟ ବଜେଟ ଉପରେ ପଡିବ।

କେନ୍ଦ୍ର ସରକାର ଖଣିଜ ପଦାର୍ଥର ଦର ଓ ସମାନତା ଆଣିବା ପାଇଁ ଶିଳ୍ପପତିମାନଙ୍କୁ ସୁବିଧା ଦେବା ପାଇଁ ବ୍ୟସ୍ତ ହେଉଥିବାବେଳେ ଶ୍ରମିକମାନଙ୍କର ମଜୁରୀରେ ମନେରେଗା ୨୨୨ଟଙ୍କା ଥିବାବେଳେ ଓଡ଼ିଶା ସର୍ବନିମ୍ନ ମଜୁରୀ ୪୭୨ ଟଙ୍କା, ଦିଲ୍ଲୀର ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା, କର୍ଣ୍ଣାଟକର ସର୍ବନିମ୍ନ ମଜୁରୀ ୨୩ ହଜାର ଟଙ୍କା, ତେଲେଙ୍ଗାନାର ସର୍ବନିମ୍ନ ମଜୁରୀ ୨୨ ହଜାର ଟଙ୍କା ପରିବର୍ତେ ସମଗ୍ର ଦେଶରେ ଏକ ଦେଶ ଏକ ମଜୁରୀ କରାଯାଇପାରିବ ନାହିଁ କାହିଁକି ? ଓଡ଼ିଶାରେ ଓ ସାରାଦେଶରେ ଥିବା ଗଚ୍ଛିତ ଖଣିଜ ସମ୍ପଦ କେବଳ କଂଚାମାଲ ଭାବେ ରପ୍ତାନି କରିବା ଆବଶ୍ୟକ। ଉତ୍ପାଦିତ ଖଣିଜ ଦ୍ରବ୍ୟ କେବଳ ଦେଶର ଶିଳ୍ପରେ ବ୍ୟବୌହୃତ ହେବା ଆବଶ୍ୟକ। ଯଦି ସମସ୍ତ ଖଣିଜ ସମ୍ପଦକୁ କେବଳ କଂଚାମାଲ ଭାବରେ ରପ୍ତାନି କରାଯାଏ ତେବେ ୫୦ ବର୍ଷ ପରେ ଦେଶରେ ଓ ଓଡ଼ିଶାରେ ଖଣିଜ ସମ୍ପଦ ଗଚ୍ଛିତ ସରିଯିବାର ଆଶଙ୍କା ଅଛି। ତେଣୁ କଂଚାମାଲ ଖଣିଜ ସମ୍ପଦକୁ ରପ୍ତାନି ବନ୍ଦ କରିବା ପାଇଁ ଡ. ଖୁଂଟିଆ ଦୃଢ଼ ଦାବୀ କରିଛନ୍ତି।  

ଏହି ଆଇନ୍ ପରିବର୍ତନ ନ ହେଲେ ଶ୍ରମିକ କର୍ମଚାରୀ, ଚାଷୀ, ମୂଲିଆ ଖଣିଜ ପ୍ରଧାନ ଯାଜପୁର, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ଅନୁଗୁଳ, ତାଳଚେର, ଢ଼େଙ୍କାନାଳ ଜିଲ୍ଲାମାନଙ୍କରେ ଓଡ଼ିଶା ବନ୍ଦ, ଅର୍ଥନୈତିକ ଅବରୋଧ ଓ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଖୁଂଟିଆ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ହିମାଂଶୁ ଲେଙ୍କା, ଡ. ମନୀଷାଦାସ ପଟ୍ଟନାୟକ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୬ ଅଗଷ୍ଟ ୨୦୨୬



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଅଫ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆ‌ର) ପକ୍ଷରୁ ଆୟୋଜିତ ଦୁଇଦିନିଆ ଆନ୍ତଃବିଷୟକ କମର୍ଶାଳାରେ କୃତ୍ରିମ ବୁଦ୍ଧିମତା (ଏଆଇ), ମାନବିକୀ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନର ଉଦୀୟମାନ ସମନ୍ୱୟ ଓ ପାରସ୍ପରିକ ସଂପର୍କକୁ ନେଇ ବିଷଦ ଆଲୋଚନା ମାଧ୍ୟମରେ ନୂତନ ଦିଗ ଉନ୍ମୋଚିତ ହୋଇଛି ।

ଆଇଟିଇଆ‌ରର ହ୍ୟୁମାନିଟିଜ୍‌‌ ଆଣ୍ଡ ସୋସିଆଲ ସାଇନ୍ସେସ୍‌‌ ବିଭାଗ ପକ୍ଷରୁ ଅଗଷ୍ଟ ୨୧ ଓ ୨୨ ଦୁଇ ଦିନ ଧରି ଆୟୋଜିତ ‘ଏଆଇ ଆଣ୍ଡ ହ୍ୟୁମାନିଟିଜ୍‌: ବ୍ରିଜିଂ କମ୍ପ୍ୟୁଟେସ୍‌ନାଲ ଇନ୍‌ଟେଲିଜେନ୍ସ ଇନ୍ ହ୍ୟୁମାନିଟିଜ୍‌’ ଶୀଷର୍କ କର୍ମଶାଳାରେ ବିଶିଷ୍ଟ ଶିକ୍ଷାବିତ୍‌‌, ଗବେଷକ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ମାନବିକୀ ବିଜ୍ଞାନ ଓ ଡାଟା ସାଇନ୍ସ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତାର ଉଦୀୟମାନ ପ୍ରଯୁକ୍ତି ସଂପର୍କରେ ପରିଚିତ କରାଇବା ଏହି କର୍ମଶାଳାର ଅନ୍ୟତମ ଉଦ୍ଦେଶ୍ୟ ଥିଲା। ଶିକ୍ଷା, ଗବେଷଣା, ଭାଷା, ସାହିତ୍ୟ, ଇତିହାସ ଓ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଏଆଇର ପ୍ରୟୋଗ ସଂପର୍କରେ ଆଲୋଚନା ହେବା ସହ ଏଆଇ ସାକ୍ଷରତା ଏବଂ ଦାୟିତ୍ୱବୋଧପୂର୍ଣ୍ଣ କୃତ୍ରିମ ବୁଦ୍ଧିମତା ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା।

କର୍ମଶାଳାର ଉଦ୍‌‌ଘାଟନୀ ସମାରୋହରେ ଭାରତୀୟ ବିଦ୍ୟା ଭବନର ଏମେରିଟସ୍‌‌ ପ୍ରଫେସର ପ୍ରଫେସର କେ. ସି. ମିଶ୍ର ଏବଂ ଦି ପାୟୋନିୟ‌ରର ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଜ୍ଞାନ ଚୌଧୁରୀ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ଚୌଧୁରୀ କହିଥିଲେ ଯେ ମାନବୀୟ ମୂଲ୍ୟବୋଧ ଓ ସୃଜନଶୀଳତାକୁ କେବେହେଲେ କୃତ୍ରିମ ବୁଦ୍ଧିମତା ପ୍ରତିସ୍ଥାପିତ କରିପାରିବ ନାହିଁ। ବୁଦ୍ଧିମତା କେବେ କୃତ୍ରିମ ହୋଇପାରିବ ନାହିଁ ବୋଲି ମତ ଦେଇ ସେ କହିଥିଲେ ଯେ କୃତ୍ରିମ ବୁଦ୍ଧିମତା ହେଉଛି ଏକ ସାଧନ, ଯାହା ମାନବର କାର୍ଯ୍ୟକୁ ସହଜ ଓ ଦ୍ରୁତ କରିଥାଏ।

ଉଦ୍‌‌ଘାଟନୀ କାର୍ଯ୍ୟକ୍ରମକୁ ଡକ୍ଟର ପ୍ରାଚୀଶ୍ରୀ ମିଶ୍ର ପରିଚାଳନା କରିଥିବା ବେଳେ ମୁଖ୍ୟ ସଂଯୋଜିକା ଓ କନ୍‌‌ଭେନର ଡକ୍ଟର ସ୍ୱୟଂପ୍ରଭା ଶତପଥି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡକ୍ଟର ସ୍ଥିତପ୍ରଜ୍ଞା ଧନ୍ୟବାଦ ଅପର୍ଣ କରିଥିଲେ।

ବିଭିନ୍ନ ଶିକ୍ଷାଭିତିକ ଅଧିବେଶନରେ ଆଇଆଇଟି ଖଡ଼ଗପୁରର ହ୍ୟୁମାନିଟିଜ୍‌‌ ଆଣ୍ଡ ସୋସିଆଲ ସାଇନ୍ସେସ୍‌‌ ବିଭାଗର ପ୍ରଫେସର ରବୀନ୍ଦ୍ର କୁମାର ପ୍ରଧାନ ମାନବ ଆଚରଣକୁ ବୁଝିବା କ୍ଷେତ୍ରରେ ବ୍ୟବହାରଗତ ବିଜ୍ଞାନ ସହ ଏଆଇର ପ୍ରାସଙ୍ଗିକତା ଏବଂ ଏହାର ବିଭିନ୍ନ ପ୍ରୟୋଗ ସଂପର୍କରେ ଆଲୋଚନା କରିଥିଲେ।

ଆଇଆଇଏମ୍‌‌ ସମ୍ବଲପୁରର ପ୍ରଫେସର ଶିଖା ଭରଦ୍ୱାଜ ଅନ୍ୟତମ ଅଧିବେଶନରେ ମାନବିକୀ ଗବେଷଣାରେ କଂପ୍ୟୁଟେସନାଲ ପଦ୍ଧତି ଓ ଏଆଇର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ସାହିତ୍ୟ, ଭାଷା, ଇତିହାସ, ସଂସ୍କୃତି ଓ ଯୋଗାଯୋଗ କ୍ଷେତ୍ରରେ ଏଆଇର ପ୍ରୟୋଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

 ‘ଏଥିକ୍ସ ଆଣ୍ଡ ରେସ୍‌ପନ୍ସିବଲ ଏଆଇ’ ଶୀର୍ଷକ ଅଧିବେଶନରେ ଆଇଆଇଆଇଟି ଭୁବନେଶ୍ୱରର କଂପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ରାକେଶ ଚନ୍ଦ୍ର ବଳବନ୍ତରାୟ ଏଆଇ କ୍ଷେତ୍ରରେ ପକ୍ଷପାତ, ନ୍ୟାୟସଙ୍ଗତତା, ଗୋପନୀୟତା, ଶିକ୍ଷାଗତ ସତ୍ୟନିଷ୍ଠା, ହାଲୁସିନେସନ୍‌, ଦାୟିତ୍ୱବୋଧପୂର୍ଣ୍ଣ ବ୍ୟବହାର ଏବଂ ମାନବୀୟ ତତ୍ୱାବଧାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖିଥିଲେ।

ଏହି କର୍ମଶାଳାର ବିଶେଷତ୍ୱ ଥିଲା ଏହାର ପ୍ରକୃତ ଆନ୍ତଃବିଷୟକ ଦୃଷ୍ଟିଭଙ୍ଗୀ। ଏଆଇକୁ କେବଳ ଏକ ପ୍ରଯୁକ୍ତିଗତ ଉଦ୍‌ଭାବନ ଭାବେ ଦେଖିବା ପରିବର୍ତେ ଏହାର ବ୍ୟବହାର ଓ ପ୍ରଭାବକୁ ବ୍ୟବହାରଗତ ବିଜ୍ଞାନ, ସାହିତ୍ୟ, ଭାଷା, ସଂସ୍କୃତି, ଯୋଗାଯୋଗ, ନୈତିକତା, ଗବେଷଣା ଓ ଏଥ୍ନୋଗ୍ରାଫି ଭଳି ବିଭିନ୍ନ କ୍ଷେତ୍ରରେ ଅନୁଧ୍ୟାନ କରାଯାଇଥିଲା।

କର୍ମଶାଳାରେ ଏଆଇର ଦାୟିତ୍ୱବୋଧପୂର୍ଣ୍ଣ ଓ ମାନବକୈନ୍ଦ୍ରିକ ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଆଇକୁ କେବଳ ପ୍ରଯୁକ୍ତିଗତ ସାଧନର ସମାହାର ଭାବେ ନ ଦେଖି ଏହାକୁ ସାମାଜିକ, ସାଂସ୍କୃତିକ, ନୈତିକ ଓ ବୌଦ୍ଧିକ କ୍ଷେତ୍ରରେ ସୁଦୂରପ୍ରସାରୀ ପ୍ରଭାବ ପକାଉଥିବା ଏକ ଉଦୀୟମାନ ଶକ୍ତି ଭାବେ ବୁଝିବାକୁ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରାଯାଇଥିଲା।

ଶେଷ ଶିକ୍ଷାଭିତିକ ଅଧିବେଶନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କଂପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ମାନସ ରଞ୍ଜନ ପାତ୍ର ‘କମ୍ପ୍ୟୁଟେସ୍‌ନାଲ୍ ଏଆଇ ଆଣ୍ଡ ଡିଜିଟାଲ୍ ଏଥନୋଗ୍ରାଫି: ଫ୍ରମ୍ ଡିଜିଟାଲ୍ ଫୁଟପ୍ରିଂଟ ଟୁ ହ୍ୟୁମାନିଟିଜ୍‌’ ବିଷୟ ଉପରେ ଆଲୋଚନା କରିଥିଲେ। ମାନବିକୀ ଗବେଷଣାରେ କଂପ୍ୟୁଟେସନାଲ ଏଆଇର ପ୍ରୟୋଗ, ଏଆଇ ସହାୟତାପ୍ରାପ୍ତ ଏକାଡେମିକ ଯୋଗାଯୋଗ ଏବଂ ଏଥ୍ନୋଗ୍ରାଫିକ ଗବେଷଣାରେ କଂପ୍ୟୁଟେସନାଲ ପଦ୍ଧତି ସଂର୍ପକରେ ସେ ଆଲୋକପାତ କରିଥିଲେ।

ଉଦ୍‌ଯାପନୀ ଅଧିବେଶନରେ ସୋଆ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ପାତ୍ର ସମ୍ମାନିତ ଅତିଥି ଥିଲେ। ଡକ୍ଟର ମୌସୁମୀ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡକ୍ଟର ସ୍ୱୟଂ ପ୍ରଭା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।


ଭୁବନେଶ୍ୱର, ୨୬ ଅଗଷ୍ଟ ୨୦୨୬



୭ ବର୍ଷରେ ୫୫ପ୍ରକାର ବିକାଶ ଓ ସେବା କାର୍ଯ୍ୟର ବିବରଣୀ ଦେଲେ ଭୁବନେଶ୍ୱର ସାଂସଦ

୮୮% ଜନ ଅଭିଯୋଗ ର ହୋଇଛି ସମାଧାନ

ବିକାଶ ଓ ସେବା ହିଁ ରାଜନୀତି ର ମୂଳ ମନ୍ତ୍ର। ଯାହାକୁ ପାଥେୟ କରି ଜନସଂପର୍କ,ସଂଗଠନ ଗଢ଼ିବା ସହିତ ସାଂସଦ ଭାବରେ ସଂସଦ ଓ ଦେଶ ବିଦେଶରେ ବିଭିନ୍ନ ଭୂମିକାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛି। ସାଂସଦ ଭାବରେ ନିଜର କାର୍ଯ୍ୟକାଳ ର ୭ ବର୍ଷ ପୂରଣ କରିଥିବା ବେଳେ ଏଭଳି କିଛି କହି  ୭ବର୍ଷର ନିଜ କାର୍ଯ୍ୟ ମାନଙ୍କର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ ୨୦୧୯ ମସିହାରେ ପ୍ରଥମ ଥର ଲାଗି ଜଣେ ଦକ୍ଷ ପ୍ରଶାସିକା ରୁ ରାଜନେତା ବନିଥିବା ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ସାଂସଦ ଭାବରେ ନିର୍ବାଚିତ ହୋଇ ପାଞ୍ଚ ବର୍ଷ ନିଜ କାର୍ଯ୍ୟକାଳ ପୂରଣ କରିଥିଲେ। ପୁନର୍ବାର ୨୦୨୪ ନିର୍ବାଚନ ରେ ଭୁବନେଶ୍ଵର ବାସୀ ଅପରାଜିତା ଙ୍କୁ ନିଜର ପ୍ରଥମ ପସନ୍ଦ ଭାବରେ ବାଛିଥିଲେ।ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ କାର୍ଯ୍ୟକାଳ ର ୭ବର୍ଷ ପୂରଣ ପରେ ନିଜ ୭ ବର୍ଷ ର ୭୦ ବିକାଶ ଓ ସେବା ମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରିଛନ୍ତି ଅପରାଜିତା।


ନିଜ କାର୍ଯ୍ୟକାଳ ରେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,କ୍ରୀଡ଼ା,କୃଷି ଆଦିର ବିକାଶ, ପାନୀୟ ଜଳ ଯୋଗାଣ,ବିଦ୍ୟୁତ ଯୋଗାଣ ସମେତ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ସମସ୍ତଙ୍କର ସହଯୋଗ ରେ କାମ କରାଯାଉଥିବା ଦର୍ଶାଇଛନ୍ତି ସାଂସଦ।ଜନ ଅଭିଯୋଗ ଶୁଣାଣୀ ଏବଂ ସଂସଦୀୟ କ୍ଷେତ୍ରର ୮ଟି ବ୍ଲକ ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଲୋକଙ୍କ ଦାବି ଓ ଆବଶ୍ୟକତାକୁ ନେଇ ,ସାଂସଦ ଭାବରେ କରିଥିବା ନିଜର ବିକାଶ ଓ ସେବା କାର୍ଯ୍ୟ ମଧ୍ୟରେ ପ୍ରମୁଖ ରହିଛି.....

ଖୋର୍ଦ୍ଧା ରାମେଶ୍ୱର ଠାରୁ କଟକ ଟାଙ୍ଗି ପର୍ଯ୍ୟନ୍ତ ୮୩୦୭କୋଟି ଟଙ୍କା ମଞ୍ଜୁର ହୋଇଥିବା ୬ଲେନ୍ ଵିଶିଷ୍ଟ ୧୧୧କିଲୋମିଟର ରାସ୍ତା,ଖୋର୍ଦ୍ଧା,ବାଘମାରି,ରାଜ ସୁନାଖଳା,ବେଗୁନିଆ ଓ ପୁବୁ ସାହି ବାଇପାସ୍,ପଳାଶୁଣୀ ସେତୁ ସମ୍ପ୍ରସାରଣ,ପଳାଶୁଣୀ ରୁ ରସୁଲଗଡ ରାସ୍ତାର ଭିତ୍ତିଭୂମି ବିକାଶ,ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ୩୭ଟି ସଡ଼କ ପ୍ରକଳ୍ପ,ସର୍ଭିସ ରୋଡ ଓ ଡ୍ରେନ୍ ନିର୍ମାଣ ସମେତ ଭୁବନେଶ୍ୱର କୁ ଟ୍ରାଫିକ ଭିଡମୁକ୍ତ ଏବଂ ସୁଗମ ଯାତାୟାତ ସୁବିଧା ସମ୍ପନ୍ନ ସହର ଭାବରେ ଗଢ଼ି ତୋଳିବା ପାଇଁ ନୂତନ ସଡ଼କ ପ୍ରକଳ୍ପ ଇତ୍ୟାଦି।ଏଥିସହିତ ଗମନାଗମନ କୁ ଅଧିକ ସୁଗମ କରିବା ପାଇଁ,ବିଭିନ୍ନ ସ୍ଥାନରେ ରାସ୍ତା ସହିତ ସେତୁ, ୨୪୦ କୋଟି ଟଙ୍କା ବ୍ୟୟରେ ୭ଟି ଫ୍ଲାଏ ଓଭର ବ୍ରିଜ୍,୧୮୬ କୋଟି ଟଙ୍କା ବ୍ୟୟରେ ୧୬ଟି ଅଣ୍ଡର ପାସ୍ ଆଦି କରାଯାଇଥିବା ନିଜ ରିପୋର୍ଟ କାର୍ଡ ରେ ଦର୍ଶାଇଛନ୍ତି ସାଂସଦ। ଗମନା ଗମନ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ର ବିକାଶ ସମେତ ଭୁବନେଶ୍ୱର, ମଞ୍ଚେଶ୍ୱର, ଲିଙ୍ଗରାଜ ଷ୍ଟେସନ୍ ର ନବୀକରଣ,ପଟିଆ ଓ କଲାରାହାଙ୍ଗ ରେ ରେଳ ଓଭର୍ ବ୍ରିଜ୍ ଏବଂ ଅଟ୍ରି,ସାନପଦର,ତାରାବୋଇ, ବୋଲଗଡ ଆଦି ଷ୍ଟେସନ୍ ରେ ରେଳ ରହଣି ପାଇଁ ବ୍ୟବସ୍ଥା କରାଯାଇଛି।


ଅନୁରୂପ ଭାବରେ ସଂସଦୀୟ କ୍ଷେତ୍ରରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କୁ ଗୁରୁତ୍ୱ ଦିଆଯିବା ସହିତ ୫କୋଟି ୪୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୮ଟି ବ୍ଲକ ଲେବୁଲ ମଡର୍ଣ୍ଣ ଲାଇବ୍ରେରୀ ଓ କୋଚିଂ ସେଣ୍ଟର ଓ ୨୩କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୫୬ ଟି ପଞ୍ଚାୟତ ସ୍ତରୀୟ ଲାଇବ୍ରେରୀ ନିର୍ମାଣ ସମେତ ଶିକ୍ଷାନୁଷ୍ଠାନ ମାନଙ୍କ ବିକାଶ ପାଇଁ ବ୍ୟାପକ କାର୍ଯ୍ୟ କରାଯାଇଥିବାର ବିବରଣୀ ରେ ଉଲ୍ଲେଖ ରହିଛି।ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ନିକଟତର କରିବାକୁ ବ୍ଲକ ସ୍ତରରେ ସାଂସଦ ଚିକିତ୍ସା ଶିବିରର ଆୟୋଜନ କରାଯାଇ ୩୦୦୦୦ ରୁ ଉର୍ଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ଔଷଧ ପ୍ରଦାନ କରାଯାଇଛି। ନିଜସ୍ୱ ଉଦ୍ୟମ ରେ  ବିଭିନ୍ନ ଡାକ୍ତରଖାନା ମାନଙ୍କରେ ୨୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବା ସହିତ ଦିବ୍ୟଙ୍ଗ ମାନଙ୍କ ପାଇଁ ସହାୟକ ଉପକରଣ ଆଦି ବଣ୍ଟନ  କରାଯାଇଥିବା ଦର୍ଶାଇଛନ୍ତି ସାଂସଦ।

ପାନୀୟ ଜଳ ଯୋଗାଣ ସମେତ ଭୁବନେଶ୍ୱର ରେ ସ୍ୱରେଜ୍ ନେଟୱାର୍କ ର ବିକାଶ,ଜଳସେଚନ ,ବିଭିନ୍ନ କେନାଲ ଓ ଗଙ୍ଗୁଆ ନାଳର ବ୍ୟାପକ ପୁନରୁଦ୍ଧାର ଆଦି କାର୍ଯ୍ୟ ନେଇ ହିସାବ ଦେଇଛନ୍ତି ଅପରାଜିତା।

ଅଞ୍ଚଳର ବିଜୁଳି ସେବା କୁ ଲୋକାଭିମୁଖୀ କରିବା ପାଇଁ ବାଲିଅନ୍ତା ରେ ୬୧୬କୋଟି ଟଙ୍କାରେ ଗ୍ରିଡ୍ ସବ୍ ଷ୍ଟେସନ୍,୧୯ କୋଟି ଟଙ୍କା ବ୍ୟୟରେ ନାଗେଶ୍ୱର ଟାଙ୍ଗି ସବ୍ ଷ୍ଟେସନ୍ ନିର୍ମାଣ ସମେତ ଅନେକ ସ୍ଥାନରେ ସୌର ଆଲୋକ ସ୍ଥାପନ କରାଯାଇଛି।

କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ବେଗୁନିଆ ରେ ଏକ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ସମେତ ଅନେକ ସ୍ଥାନରେ ମାଗଣା କ୍ରୀଡ଼ା ସାମଗ୍ରୀ ପ୍ରଦାନ କରାଯାଇଛି।

ଲୋକଙ୍କ ଦାବୀ ମୁତାବକ ପାଣ୍ଡରା ଠାରେ ୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ଆଧୁନିକ ମାଛ ବଜାର ସମେତ,ବହୁ ଭେଣ୍ଡିଙ୍ଗ ଜୋନ୍ ନିର୍ମାଣ,ସହିଦନଗର ହାଟ ପାଇଁ ଜମି ଯୋଗାଣ ଆଦି କାର୍ଯ୍ୟ ଚାଲୁ ରହିଛି।

ବାଲିଅନ୍ତା ର ଜଗନ୍ନାଥପୁର ଠାରେ ୧୫ଏକର ଜମିରେ ୨୫୦କୋଟି ଟଙ୍କା ବ୍ୟୟରେ ଏକ ବୃହତ୍ ବୟନ ଓ ପୋଷାକ ଶିଳ୍ପ କାରଖାନା କାର୍ଯ୍ୟ ଚାଲୁ ରହିଥିବା ବେଳେ,ଯୋଗ ଓ ପ୍ରାକୃତିକ ଚିକିତ୍ସା ଗଭେଷଣା ପ୍ରତିଷ୍ଠାନ ଆରମ୍ଭ ହୋଇଥିବା ରିପୋର୍ଟ କାର୍ଡ ରେ ଦର୍ଶାଇଛନ୍ତି ଅପରାଜିତା ଷଡ଼ଙ୍ଗୀ।

ଅନ୍ୟପଟେ ଓଡ଼ିଶାର କଳା, ସଂସ୍କୃତି,ପରମ୍ପରା ଓ ଐତିହ୍ୟ କୁ ଉଜ୍ଜୀବିତ ରଖିବା ପାଇଁ ଲିଙ୍ଗରାଜ, କପିଳେଶ୍ୱର ମନ୍ଦିର ସମେତ ୨୯ଟି ମନ୍ଦିର ର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଖୋର୍ଦ୍ଧା ଠାରେ ସାଂସ୍କୃତିକ ପ୍ରେକ୍ଷାଳୟ,ଭୁବନେଶ୍ୱର ରେ ୬୩୦ କୋଟି ଟଙ୍କା ବ୍ୟୟରେ ଆଧୁନିକ କଳା ଗ୍ୟାଲେରୀ ଆଦି ପାଇଁ କାର୍ଯ୍ୟ ଜାରି ରହିଥିବା ଦର୍ଶାଇଛନ୍ତି ସାଂସଦ।

ଏସବୁ ବାଦ୍ ପ୍ରସିଦ୍ଧ ନୀଳାମ୍ବୁ ଚିଲିକା ର ଉନ୍ନତିକରଣ କାର୍ଯ୍ୟ ସହିତ ସଂସଦୀୟ କ୍ଷେତ୍ରରୁ ପ୍ରାପ୍ତ ୨୩୪୭୮ ଟି ଜନ ଅଭିଯୋଗ ମଧ୍ୟରୁ ୨୦୬୬୧ ଟି ଅର୍ଥାତ୍ ୮୮% ସମାଧାନ କରାଯାଇଥିବା ନିଜ ରିପୋର୍ଟ କାର୍ଡ ରେ ଦର୍ଶାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଭୁବନେଶ୍ୱର, ୨୫ ଅଗଷ୍ଟ ୨୦୨୬



ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

    ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର  କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ଗୁଣାତ୍ମକ ଓ ସମାବେଶୀ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ନିର୍ମାଣର ଅଗ୍ରଗତି, ଯୋଜନାର କାର୍ଯ୍ୟାନ୍ୱୟନ ଓ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । 

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଏନ୍ ତିରୁମାଲା ନାଏକଙ୍କ ସମେତ  କମିଟିର ସଦସ୍ୟ ଥିବା ଅନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। 

ବୈଠକ ପ୍ରାରମ୍ଭରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ରାଜ୍ୟସ୍ତରୀୟ ପରିଚାଳନା କମିଟିର ଭୂମିକା, ଦାୟିତ୍ୱ,  ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ନିରୀକ୍ଷଣ ଓ ତଦାରଖ ପାଇଁ ଗଠିତ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ସେଲ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥାପନା କରିଥିଲେ । ବୈଠକରେ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ, ନିୟମିତ ଅଗ୍ରଗତି ସମୀକ୍ଷା ଏବଂ ଆବଶ୍ୟକତା ଅନୁଯାୟୀ ନୀତିଗତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । 

ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟନ୍ୱୟନକାରୀ ସଂସ୍ଥାମାନଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ନିର୍ମାଣ କାର୍ଯ୍ୟରେ କେତେ ଅଗ୍ରଗତି ହୋଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୧୮ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ଟି, ସମୁଦାୟ ୩୨୨ଟି ବିଦ୍ୟାଳୟ ନିର୍ମାଣ ଏହି  ଯୋଜନାରେ ସାମିଲ ହୋଇଛି ।  ବୈଠକରେ ମୁଖ୍ୟ ସଚିବ ବିଭିନ୍ନ ନିର୍ମାଣକାରୀ ସଂସ୍ଥାମାନଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । 

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଯୋଜନା କାର୍ଯ୍ୟକାରିତାକୁ ଅଧିକ ସଫଳ କରିବା ପାଇଁ ବିଦ୍ୟାଳୟ ଚୟନ ଓ ଭିତ୍ତିଭୂମି ସମ୍ବନ୍ଧୀୟ କେତେକ ଗାଇଡଲାଇନରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । କେତେକ ସ୍ଥାନରେ ଜମିର ଆକାର, ଓସାର ଓ ଭୂମିର ଆକୃତି ଅନୁଯାୟୀ ପୂର୍ବରୁ ଅନୁମୋଦିତ ବର୍ଗାକାର ବିଲ୍ଡିଂ ପ୍ଲାନ୍ କାର୍ଯ୍ୟକାରୀ କରିବା ସମ୍ଭବ ହେଉନଥିବାରୁ ଆୟତାକାର ପ୍ଲାନ୍ ଅନୁମୋଦନ ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଯୋଜନାର କାର୍ଯ୍ୟାନ୍ୱୟନ, ନିରୀକ୍ଷଣ ଓ ଗୁଣାତ୍ମକ ତଦାରଖକୁ ଅଧିକ ସୁଦୃଢ଼ କରିବା ପାଇଁ  ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସେଲ୍‌ରେ ଟେକ୍ନିକାଲ୍ ଓ ଏକାଡେମିକ୍ ଏବଂ ପ୍ରଶାସନିକ ତଥା ଅର୍ଥ ଏବଂ ମାନବ ସମ୍ବଳ ନିୟୋଜନ ଉପରେ ଆଲୋଚନା ହୋଇଛି ।  ଆବଶ୍ୟକତା ଅନୁଯାୟୀ ପ୍ରସ୍ତାବିତ ବିଦ୍ୟାଳୟର ନିକଟସ୍ଥ ସରକାରୀ/ବେସରକାରୀ ଜମି ଅଧିଗ୍ରହଣ କରିବା ଏବଂ କେବଳ ପଞ୍ଚାୟତ ମୁଖ୍ୟାଳୟରେ ଏହି ବିଦ୍ୟାଳୟ ସ୍ଥାପନ  ସୀମିତ ନରଖି, ସେଠାରେ ଜମି ଉପଲବ୍ଧ ନଥିଲେ ପଞ୍ଚାୟତର ସର୍ବାଧିକ ଜନବସତି ଥିବା ସ୍ଥାନରେ ବିଦ୍ୟାଳୟ ସ୍ଥାପନ ପାଇଁ ଗାଇଡଲାଇନ ସଂଶୋଧନ ପ୍ରସ୍ତାବ ଦିଆଯାଇଛି । 

ପ୍ରକାଶ ଥାଉକି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମାର୍ଗଦର୍ଶିକାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୨୦୨୫ରେ ଅନୁମୋଦନ କରିଥିଲେ । ଏହାର ସୁଚାରୁ କାର୍ଯ୍ୟାନ୍ୱୟନ ଓ ତଦାରଖ ପାଇଁ ମାର୍ଚ୍ଚ ୨୦୨୬ରେ ରାଜ୍ୟସ୍ତରୀୟ ପରିଚାଳନା କମିଟି ଗଠିତ ହୋଇଛି । ଏହି କମିଟି ଯୋଜନାର ନୀତିଗତ ମାର୍ଗଦର୍ଶନ, ରଣନୈତିକ ଦିଗନିର୍ଦ୍ଦେଶ ଓ ତଦାରଖ ପ୍ରଦାନ କରିବା ସହ କାର୍ଯ୍ୟାନ୍ୱୟନର ଅଗ୍ରଗତି ନିୟମିତ ସମୀକ୍ଷା କରିବ । କ୍ଷେତ୍ରସ୍ତରୀୟ ମତାମତ ଆଧାରରେ ବିଦ୍ୟାଳୟ ଚୟନ, ଭିତ୍ତିଭୂମି ଓ କାର୍ଯ୍ୟାନ୍ୱୟନ ମାନଦଣ୍ଡର ଆବଶ୍ୟକ ଅଦ୍ୟତନ, ବିଭାଗୀୟ ସମନ୍ୱୟ, କାର୍ଯ୍ୟନିର୍ବାହୀ ସଂସ୍ଥା ଚୟନ ଏବଂ ସମ୍ବଳର ସୁଚାରୁ ବଣ୍ଟନ ସୁନିଶ୍ଚିତ କରିବ । ଏଥିସହିତ, ଯୋଜନାର ଉଦ୍ଦେଶ୍ୟ ହାସଲ, ଗୁଣାତ୍ମକ ଓ ସମାବେଶୀ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଦେଖାଦେଉଥିବା ସମସ୍ୟାର ସମାଧାନ କରି ଫଳପ୍ରଦ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବ। ଯୋଜନାର କାର୍ଯ୍ୟକାରିତାରେ ରହୁଥିବା ସମସ୍ୟା ଓ ଆହ୍ୱାନଗୁଡ଼ିକର ସମାଧାନ କରି ଯୋଜନାରେ ସୁଗମ, ଉତ୍ତରଦାୟୀ ଏବଂ ଫଳପ୍ରଦ କାର୍ଯ୍ୟାନ୍ୱୟନ ପାଇଁ ରଣନୈତିକ ଦିଗ ନିର୍ଦ୍ଦେଶ ପ୍ରଦାନ କରିବା କମିଟିର ମୂଳ ଭୂମିକା ରହିଛି ।  

ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଓ ଶିଶୁ-ଅନୁକୂଳ ଶିକ୍ଷା ପରିବେଶ ସୃଷ୍ଟି ଲକ୍ଷ୍ୟରେ ଶ୍ରେଣୀକକ୍ଷ, ଶିଶୁ ବାଟିକା, ପ୍ରବେଶ ଲବି, ପ୍ରଧାନଶିକ୍ଷକଙ୍କ କକ୍ଷ, ଷ୍ଟାଫ୍ ରୁମ୍, ଷ୍ଟୋର୍ ରୁମ୍, ଅଫିସ୍ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା  ରହିବ । ସ୍ଥାନର ପରିସ୍ଥିତି ଅନୁଯାୟୀ ନକ୍ସାରେ ଆବଶ୍ୟକ ପରିବର୍ତ୍ତନ କରି ଭିତ୍ତିଭୂମିର ଗୁଣବତ୍ତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ ।

ବୈଠକରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଉନ୍ନତ ବିଦ୍ୟାଳୟ  ଭିତ୍ତିଭୂମି ସହିତ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା । ନିର୍ମାଣ କାର୍ଯ୍ୟ ପରେ ଆବଶ୍ୟକ ସଂଖ୍ୟକ ଓ ଉତ୍ତମ ଶିକ୍ଷକଙ୍କ ଉପଲବ୍ଧତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ରହିବ ବୋଲି   ସେ  ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ଯୋଜନାର ପ୍ରତ୍ୟେକ ପର୍ଯ୍ୟାୟରେ ଉଚ୍ଚ ଆକାଂକ୍ଷା, ଗୁଣାତ୍ମକ ମାନଦଣ୍ଡ ଓ ଦୀର୍ଘମିଆଦୀ ଦୃଷ୍ଟିକୋଣ ରଖି କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । 

ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ଉନ୍ନତ ଶିକ୍ଷା ପରିବେଶ ଓ ଗୁଣାତ୍ମକ ଶିକ୍ଷାର ସୁଯୋଗ ପ୍ରଦାନ ଲକ୍ଷ୍ୟରେ ଏହି ଯୋଜନାର କାର୍ଯ୍ୟାନ୍ୱୟନକୁ ସମୟବଦ୍ଧ ଓ ଗୁଣାତ୍ମକ ଭାବେ ଆଗେଇ ନେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।


ଭୁବନେଶ୍ୱର, ୨୫  ଅଗଷ୍ଟ ୨୦୨୬ 



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୪୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ଏକ ବିଶେଷ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି।

ପନ୍ଦରଟି ବିଭିନ୍ନ ଦେଶରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ବି.ଟେକ୍‌, ଏମ.ଟେକ୍‌, ବି.ଫାର୍ମ, ବି.ଏସ.ସି (କୃଷି), ବିବିଏ, ମାଷ୍ଟର ଇନ୍ ହସ୍ପିଟାଲ ଆଡମିନିଷ୍ଟ୍ରେସନ ଓ ବି.ଏସ.ସି (ଅପଟୋମେଟ୍ରି) ପାଠ୍ୟକ୍ରମର ଅନ୍ତଭୁର୍କ୍ତ ଥିଲେ।

ଏହି କାର୍ଯ୍ୟକ୍ରମରେ ଇଟଂରନ୍ୟାସନାଲ ଟ୍ରିବ୍ୟୁନାଲ ଫର ଦ ଲ ଅଫ ଦ ସି, ହାମବର୍ଗର ବିଚାରପତି ପ୍ରଫେସର ମରିସ କାମଗା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ସଫଳତା ନିମନ୍ତେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ତାଙ୍କ ନିଜ ଦେଶ କ୍ୟାମେରୁନ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସଫଳତା ଲାଭ କରିଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ। ସୋଆ ସହିତ କ୍ୟାମେରୁନ୍‌ର ହାନସିଆଟିକ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି ଆଣ୍ଡ ଆପ୍ଳାଇଡ୍ ସାଇନସେସର ଉଚ୍ଚ ଶିକ୍ଷାରେ ସହଯୋଗ ନିମନ୍ତେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବା ସେ ପ୍ରକାଶ କରିଥିଲେ।

ପ୍ରଫେସର କାମଗାଙ୍କ ପତ୍ନୀ ଶ୍ରୀମତି ଜିନି କାମଗା ଯିଏ କି ଦ ହେଗ ସ୍ଥିତ ଇଟଂରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍‌ରେ କାର୍ଯ୍ୟରତ ସେ ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସେ କହିଥିଲେ ଯେ ଏହି ଛାତ୍ରଛାତ୍ରୀମାନେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେକ୍‌ୱାକ୍ (ଏନଆଇଆରଏଫ୍‌) ର‌୍ୟାଙ୍କିଙ୍ଗ୍ ଅନୁଯାୟୀ ଭାରତର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବାରୁ ଗର୍ବିତ ହେବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ, ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଓ ପ୍ରଫେସର (ଡ) ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ୟୁନିଭର୍ସିଟି ଆଉଟ୍‌ରିଚ ପ୍ରୋଗ୍ରାମ ଓ ଇଂଟରନ୍ୟାସନାଲ ରିଲେନ୍ସ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୬


୧୯ ପାଳି ସୁଦ୍ଧା ୯୫ ପ୍ରତିଶତ ସମାଧାନ

ଜିଲ୍ଲାସ୍ତରରେ ୮୭ ପ୍ରତିଶତ ଅଭିଯୋଗର ସମାଧାନ

ମୁଖ୍ୟମନ୍ତ୍ରୀଙ୍କ ସହିତ  ୧୦ଜଣ  ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଲେ

୧୬ ଜଣ ଦୂରାରୋଗ୍ୟ ପୀଡିତଙ୍କ ପାଇଁ ୧୪.୫୦ ଲକ୍ଷ ଟଙ୍କା ତୁରନ୍ତ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଆମ ଶାସନ ବ୍ୟବସ୍ଥାର ମୂଳନୀତି ହେଉଛି- ସହାନୁଭୂତି, ସମବେଦନା ଓ ସହୃଦୟତା- ମୁଖ୍ୟମନ୍ତ୍ରୀ


ଆମ ଶାସନ ବ୍ୟବସ୍ଥାର ମୂଳନୀତି ହେଉଛି- ସହାନୁଭୂତି, ସମବେଦନା ଓ ସହୃଦୟତା। ଲୋକଙ୍କ ସମସ୍ୟା ଶୁଣି, ତା’ର ସମାଧାନ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଆଜି ୨୦ତମ ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ଆଗରେ ବିବୃତି ରଖି କହିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୧୦ଜଣ ବରିଷ୍ଠ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନେ  ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ସମସ୍ୟାକୁ ସହୃଦୟତାର ସହ ଶୁଣି ତା’ର ସମାଧାନ କରିବାକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଯେଉଁଠି ଲୋକଙ୍କ ସମସ୍ୟା ଅଛି, ଆମ ସରକାର ସେଠାରେ ନିଶ୍ଚୟ ପହଞ୍ଚିଥାନ୍ତି। ବନ୍ୟା, ବାତ୍ୟା, ମରୁଡି ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ  ସବୁବେଳେ ଲୋକଙ୍କ ପାଖରେ ଆମେ ପହଞ୍ଚୁଛୁ ଓ ସେମାନଙ୍କୁ ସହାୟତା ପ୍ରଦାନ କରୁଛୁ। ୨୦୨୪ ମସିହାର ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ଘୋଷଣା କରି ଆମେ ସହାୟତା ପ୍ରଦାନ କରିଥିଲୁ। ଚଳିତ ବନ୍ୟା ପାଇଁ ମଧ୍ୟ ସହାୟତା ପ୍ୟାକେଜ ପ୍ରଦାନ କରିଛୁ। ଆମ ସରକାର ଲୋକଙ୍କ ସୁଖ ଦୁଃଖରେ ଅଛି ଓ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ ୧୯ଟି ପାଳିରେ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ୧୫,୩୨୭ ଅଭିଯୋଗ ମଧ୍ୟରୁ ୧୪,୫୧୯ ଅର୍ଥାତ ୯୫ ପ୍ରତିଶତ ଅଭିଯୋଗର ସଫଳ ସମାଧାନ କରାଯାଇସାରିଛି। 

ଏଥି ସହିତ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍.ପି ମାନେ ନିୟମିତ ଭାବେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିବା ବେଳେ ତହସିଲ ଓ ବ୍ଲକ ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି ନିୟମିତ ରୂପେ ଚାଲିଛି। ଜିଲ୍ଲାସ୍ତରରେ ଜୁଲାଇ ମାସ ଶେଷ ସୁଦ୍ଧା ୨,୬୯,୩୯୪ ଅଭିଯୋଗ ଶୁଣାଣି ହୋଇ ୮୭ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ଜିଲ୍ଲାସ୍ତରରେ ଅନେକ ସମସ୍ୟାର ସମାଧାନ ହୋଇଯାଉଥିବାରୁ ଲୋକଙ୍କୁ ଆଉ ଅଯଥା ହଇରାଣ ହେବାକୁ ପଡୁନାହିଁ। ପ୍ରଶାସନିକ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ଫଳରେ ସରକାରଙ୍କ ଉପରେ ସାଧାରଣ ଲୋକଙ୍କ ଭରସା ଓ ଆସ୍ଥା ବହୁଗୁଣିତ ହୋଇଛି।

ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ସକାଳେ ପ୍ରଥମେ ଆସି ବାହାରେ ଅପେକ୍ଷା କରିଥିବା ଭିନ୍ନକ୍ଷମ ଓ ଦୂରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ କରିଥିବା ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଶୁଣିଥିଲେ।

ବିଭିନ୍ନ ଦୁରାରୋଗ୍ୟ ରୋଗରେ ପୀଡ଼ିତ ୧୬ ଜଣଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ୧୪.୫୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି।

ଆଜି ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ୬୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି।

 ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜଙ୍ଗଲ, ପରିବେଶ ଓ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ   ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ ।

ଭୁବନେଶ୍ୱର, ୨୨ ଅଗଷ୍ଟ ୨୦୨୬



ନବଜାତ ଶିଶୁଙ୍କ ଜଟିଳ ଚିକିତ୍ସା କ୍ଷେତ୍ରରେ ଏକ ବିରଳ ସଫଳତା ହାସଲ କରିଛନ୍ତି ସମ୍ ଅଲ୍‌ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍‌। ଗୁରୁତର ହୃତ୍‌ପିଣ୍ଡ ବିଫଳତା, ମ୍ୟୋକାର୍ଡାଇଟିସ୍‌‌, କାର୍ଡିଓଜେନିକ୍ ଶକ୍‌‌, ତୀବ୍ର ଯକୃତ ବିଫଳତା ଏବଂ ହିମୋଫାଗୋସାଇଟିକ୍ ଲିମ୍ଫୋହିଷ୍ଟିଓସାଇଟୋସିସ୍‌‌ (ଏଚ୍‌ଏଲ୍‌ଏଚ୍‌) ସହ ଜଡ଼ିତ ଅତ୍ୟଧିକ ପ୍ରଦାହଜନିତ ପ୍ରତିକ୍ରିୟାରେ ପୀଡ଼ିତ ଜଣେ ନବଜାତ ଶିଶୁକୁ ଚିକିତ୍ସା କରି ସୁସ୍ଥ କରିବାରେ ସମ୍ମମ୍ ଡାକ୍ତରମାନେ ସଫଳ ହୋଇଛନ୍ତି।

ଜନ୍ମ ସମୟରେ ସଂପୂର୍ଣ୍ଣ ସୁସ୍ଥ ଦେଖାଯାଉଥିବା ଏହି ଶିଶୁ କନ୍ୟାଟି କ୍ଷେତ୍ରରେ ମାତ୍ର ୧୩ ଦିନରେ ଅତ୍ୟଧିକ କାନ୍ଦିବା, ଅସ୍ଥିରତା ଏବଂ ସ୍ତନପାନ ନ କରିପାରିବା ଭଳି ଲକ୍ଷଣ ଦେଖାଇଥିଲା। ତେଣୁ ତା’ର ଉନ୍ନତ ଚିକିତ୍ସା ପାଇଁ ସମ୍ ଅଲ୍‌ଟିମେଟ୍ ମେଡିକେୟାରକୁ ଅଣାଯାଇଥିଲା।

ହସ୍ପିଟାଲରେ ଭର୍ତି ସମୟରେ ଶିଶୁଟି ଗୁରୁତର ହୃଦ୍‌‌ଜନିତ ସଙ୍କଟରେ ଥିବା ଜଣାପଡ଼ିଥିଲା। ପରବର୍ତୀ ସମୟରେ ତା’ର କାର୍ଡିଓଜେନିକ୍ ଶକ୍‌‌ ହେବାରୁ ଭେଂଟିଲେଟର ଏବଂ ହୃଦ୍‌‌କାର୍ଯ୍ୟକୁ ସମର୍ଥନ ଦେବା ପାଇଁ ଉନ୍ନତ ଧରଣର ଚିକିତ୍ସା ଆବଶ୍ୟକ ହୋଇଥିଲା। ପରୀକ୍ଷା ନିରୀକ୍ଷା ପରେ ଶିଶୁଟିର ହୃଦୟ ଉପରେ ଥିବା ଅତ୍ୟଧିକ ଚାପର ସ୍ପଷ୍ଟ ପ୍ରମାଣ ମିଳିଥିଲା। ହୃଦ୍‌‌ଜନିତ ଚାପର ଏକ ପ୍ରମୁଖ ସୂଚକ ଏନ୍‌ପି-ପ୍ରୋବିଏନ୍‌ପି ସ୍ତର ସାଧାରଣତଃ ପ୍ରାୟ ୧୨୫ ଥିବା ବେଳେ ୩୫,୦୦୦ରୁ ଅଧିକ ହୋଇଯାଇଥିଲା। ସେହିପରି ଗୁରୁତର ପ୍ରଦାହର ସୂଚକ ସିରମ୍ ଫେରିଟିନ୍‌‌ ସ୍ତର ସାଧାରଣତଃ ପ୍ରାୟ ୧୫୦ ଏନ୍‌ଜି/ଏମ୍‌ଏଲ୍ ଥିବା ବେଳେ ୧,୦୦,୦୦୦ ଏନ୍‌ଜି/ଏମ୍‌ଏଲ୍ ଅଧିକ ଦେଖାଦେଇଥିଲା।

ଚିକିତ୍ସକମାନଙ୍କ ଅନୁସାରେ, ଏହା ଏକ “ବିରଳରୁ ବିରଳତମ” ନବଜାତ ମାମଲା, ଯେଉଁଥିରେ ଅଳ୍ପ ସମୟ ମଧ୍ୟରେ ଶିଶୁର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହୋଇଥିଲା। ଶିଶୁଟିକୁ ମେକାନିକାଲ୍ ଭେଂଟିଲେସନ୍‌‌, ହୃଦ୍‌‌କାର୍ଯ୍ୟ ସମର୍ଥନ ପାଇଁ ଔଷଧ, ମ୍ୟୋକାର୍ଡାଇଟିସ୍‌‌ର ଚିକିତ୍ସା ଏବଂ ଗୁରୁତର ପ୍ରଦାହଜନିତ ପ୍ରତିକ୍ରିୟାର ନିୟନ୍ତ୍ରଣ ଭଳି ବିଭିନ୍ନ ଚିକିତ୍ସା ଦିଆଯାଇଥିଲା।

ବହୁବିଭାଗୀୟ ଚିକିତ୍ସା ଏବଂ ନିରନ୍ତର ନିରୀକ୍ଷଣ ପରେ ଶିଶୁଟିର ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ସୁଧାର ଆସିଥିଲା। ଏହା ପରେ ଧୀରେ ଧୀରେ ଶିଶୁଟି ସୁସ୍ଥ ହେବା ପରେ ଭେଂଟିଲେଟରରୁ ବାହାର କରାଯାଇଥିଲା ଏବଂ ଧୀରେ ଧୀରେ ସେ ମୁଖ୍ୟ ଖାଦ୍ୟ ଗ୍ରହଣ କରିବାକୁ ସକ୍ଷମ ହୋଇଥିଲା। ବର୍ତମାନ ଶିଶୁଟି କୌଣସି ସହାୟତା ବିନା ସ୍ୱାଭାବିକ ଭାବେ ଶ୍ୱାସପ୍ରଶ୍ୱାସ ଗ୍ରହଣ କରୁଛି ଏବଂ ତା’ର ସ୍ୱାସ୍ଥ୍ୟ ସ୍ଥିର ରହିଛି।

ଏହି ମାମଲାକୁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ବୋଲି ବର୍ଣ୍ଣନା କରି ସମ୍ ଅଲ୍‌ଟିମେଟ୍ ମେଡିକେୟାରର ଶିଶୁରୋଗ ଓ ନବଜାତ ଶିଶୁରୋଗ ବିଭାଗର ସିନିୟର କନ୍‌ସଂଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ କହିଛନ୍ତି ଯେ ଶିଶୁଟି ପ୍ରାରମ୍ଭରେ ସୁସ୍ଥ ଦେଖାଯାଉଥିଲା। କିନ୍ତୁ ଜନ୍ମର ଦୁଇ ସପ୍ତାହ ମଧ୍ୟରେ ତା’ର ହୃଦ୍‌‌କାର୍ଯ୍ୟ ଗୁରୁତର ଭାବେ ବିଫଳ ହେବା ସହ ଶକ୍‌‌, ଯକୃତର କ୍ଷତି ଏବଂ ଅତ୍ୟଧିକ ପ୍ରଦାହଜନିତ ପ୍ରତିକ୍ରିୟା ଦେଖାଦେଇଥିଲା।

“ସମୟୋଚିତ ଭାବେ ରୋଗ ଚିହ୍ନଟ, ତୁରନ୍ତ ଆକ୍ରମଣାତ୍ମକ ସହାୟକ ଚିକିତ୍ସା ଏବଂ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସ ଏହି ଶିଶୁର ଜୀବନ ରକ୍ଷାରେ ମୁଖ୍ୟ ଭୂମିକା ନେଇଥିଲା। ବର୍ତମାନ ଶିଶୁଟି ସ୍ଥିର ରହିବା, ଭଲ ଭାବେ ଖାଦ୍ୟ ଗ୍ରହଣ କରିବା ଏବଂ ଓଜନ ବଢ଼ାଇବା ଅତ୍ୟନ୍ତ ଉତ୍ସାହଜନକ,” ବୋଲି ସେ କହିଛନ୍ତି।

ସମ୍ ଅଲ୍‌ଟିମେଟ୍ ମେଡିକେୟାରର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି, “ଏହି ମାମଲା ଉନ୍ନତ ନବଜାତ ଶିଶୁ ଗୁରୁତର ଚିକିତ୍ସା, ସମୟୋଚିତ ରୋଗ ନିର୍ଣ୍ଣୟ ଏବଂ ସମନ୍ୱିତ ଟିମ୍‌‌ୱର୍କର ଗୁରୁତ୍ୱକୁ ପ୍ରମାଣିତ କରିଛି। ଏକ ଗୁରୁତର ଅସୁସ୍ଥ ନବଜାତ ଶିଶୁର ଏକାସାଙ୍ଗରେ ହୃଦୟ, ଯକୃତ ଏବଂ ପ୍ରତିରୋଧକ ପ୍ରଣାଳୀ ପ୍ରଭାବିତ ହେଲେ ବିଭିନ୍ନ ବିଶେଷଜ୍ଞତାର ସମନ୍ୱିତ ଦକ୍ଷତା ଆବଶ୍ୟକ ହୋଇଥାଏ। ଶିଶୁଟି ସୁସ୍ଥ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଏହାର ଚିକିତ୍ସାରେ ଦିନରାତି ନିଷ୍ଠାର ସହ କାର୍ଯ୍ୟ କରିଥିବା ଟିମ୍‌‌ ପାଇଁ ଗର୍ବିତ।”

ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କହିଛନ୍ତି, “ଏଭଳି ମାମଲା ଏକ ଛାତ ତଳେ ଉନ୍ନତ ଚିକିତ୍ସା ସୁବିଧା ଏବଂ ବିଭିନ୍ନ ବିଶେଷଜ୍ଞଙ୍କ ସମନ୍ୱିତ କାର୍ଯ୍ୟର ଗୁରୁତ୍ୱକୁ ପ୍ରତିପାଦିତ କରେ। ଗୁରୁତର ଅବସ୍ଥାରେ ଥିବା ଏହି ନବଜାତ ଶିଶୁର ସଫଳ ଚିକିତ୍ସା ଆମ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଉଚ୍ଚମାନର ଚିକିତ୍ସା ପ୍ରଦାନ ପ୍ରତି ପ୍ରତିବଦ୍ଧତାର ପ୍ରତିଫଳନ। ବିଶେଷକରି ଯେଉଁ ପରିସ୍ଥିତିରେ ପ୍ରତ୍ୟେକ ମୁହୂର୍ତ ଗୁରୁତ୍ୱପୂର୍ଣ୍ଣ, ସେଠାରେ ଏଭଳି ସମନ୍ୱିତ ଚିକିତ୍ସା ଅତ୍ୟନ୍ତ ଆବଶ୍ୟକ।”

ଏହି ସଫଳ ଚିକିତ୍ସା ସମ୍ ଅଲ୍‌ଟିମେଟ୍ ମେଡିକେୟାରର ନିଓନାଟାଲ୍ ଓ କ୍ରିଟିକାଲ୍ କେୟାର ସେବାର ଦକ୍ଷତାକୁ ପ୍ରତିପାଦିତ କରିଛି। ଉନ୍ନତ ମନିଟରିଂ, ବିଭିନ୍ନ ଅଙ୍ଗକୁ ସହାୟତା ଏବଂ ବହୁବିଭାଗୀୟ ଚିକିତ୍ସା ଆବଶ୍ୟକ କରୁଥିବା ଜଟିଳ ସମସ୍ୟାର ସଫଳ ପରିଚାଳନାରେ ହସ୍ପିଟାଲର କ୍ଷମତା ଏହି ଘଟଣା ମାଧ୍ୟମରେ ପ୍ରମାଣିତ ହୋଇଛି।

ଭୁବନେଶ୍ୱର, ୨୨ ଅଗଷ୍ଟ ୨୦୨୬



ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ-୨୦୨୬ ସଂପନ୍ନ: ୧୧ଟି ଗ୍ରାମରେ ୩୨ ପ୍ରଶିକ୍ଷଣ ଓ ୧୬ ସଚେତନତା କାର୍ଯ୍ୟକ୍ରମ

କୃଷି ଶିକ୍ଷାକୁ ଗ୍ରାମୀଣ ଜୀବନ ଓ କୃଷକଙ୍କ ବାସ୍ତବ ସମସ୍ୟା ସହ ଯୋଡ଼ିବା ସହିତ ଛାତ୍ରଛାତ୍ରୀଙ୍କୁ ଗ୍ରାମୀଣ ତୃଣମୂଳସ୍ତରୀୟ ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ରାଷ୍ଟ୍ରୀୟ କୃଷି ଶିକ୍ଷା ନୀତିର ଅଂଶ ଭାବେ ଚାଲିଥିବା ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ -୨୦୨୬ ସଫଳତାର ସହ ସଂପନ୍ନ ହୋଇଛି।

ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନର ଛାତ୍ରଛାତ୍ରୀମାନେ ଜୁନ୍ ୨୯ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ୩ଟି ବ୍ଲକ୍ ଅଧୀନସ୍ଥ ୧୧ଟି ଗ୍ରାମରେ ସକ୍ରିୟ ଭାବେ ଯୋଗ ଦେଇ ଗ୍ରାମୀଣ କୃଷି, ଜୀବିକା, ସାମାଜିକ ଓ ଆର୍ଥିର୍କ ପରିସ୍ଥିତିକୁ ନିକଟରୁ ଅନୁଧ୍ୟାନ କରିଥିଲେ। ଅଧ୍ୟାପକ କମିଟିଙ୍କ ମାର୍ଗଦର୍ଶନ ଓ ନିରନ୍ତର ତଦାରଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଗ୍ରାମବାସୀ, କୃଷକ ଓ ବିଭିନ୍ନ ହିତଧାରୀଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ଗ୍ରାମର ପ୍ରକୃତ ସମସ୍ୟା, ସମ୍ଭାବନା ଓ ଆବଶ୍ୟକତା ଚିହ୍ନଟ କରିଥିଲେ।

କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ ଭାବେ ଛାତ୍ରଛାତ୍ରୀମାନେ କୃଷି-ପରିବେଶ ତନ୍ତ୍ର ବିଶ୍ଳେଷଣ ମାଧ୍ୟମରେ ସଂପୃକ୍ତ ଗ୍ରାମର କୃଷି ଓ ଜୀବିକା ପରିସ୍ଥିତିର ବିଶ୍ଳେଷଣ କରିଥିଲେ। ଜମି ବ୍ୟବହାର, ଫସଲ ପ୍ରଣାଳୀ, କୃଷି ପ୍ରଯୁକ୍ତିର ବ୍ୟବହାର, ଜଳସେଚନ, ମୃତିକା ସ୍ୱାସ୍ଥ୍ୟ, ଉଦ୍ଭିଦ ସୁରକ୍ଷା, ପଶୁପାଳନ, ଉଦ୍ୟାନ କୃଷି, ବଜାର ବ୍ୟବସ୍ଥା, ଆୟ ଓ ଜୀବିକାର ବିଭିନ୍ନ ଦିଗକୁ ଏହି ଅନୁଧ୍ୟାନରେ ସାମିଲ କରାଯାଇଥିଲା।

ଏହାକୁ ଆଧାର କରି ଛାତ୍ରଛାତ୍ରୀମାନେ କୃଷି ବିଷୟ ଅନୁଯାୟୀ ହସ୍ତକ୍ଷେପ ଚିହ୍ନଟ କରି ପ୍ରତ୍ୟେକ ଗ୍ରାମ ପାଇଁ ଗ୍ରାମ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଥିଲେ। ଗ୍ରାମର ଆବଶ୍ୟକତା, କୃଷକଙ୍କ ସମସ୍ୟା ଓ ସ୍ଥାନୀୟ ସଂପଦକୁ ଆଧାର କରି ପ୍ରସ୍ତୁତ ଏହି କାର୍ଯ୍ୟ ଯୋଜନା ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ-ଗ୍ରାମ ସଂଯୋଗକୁ ଅଧିକ ସୁଦୃଢ଼ କରିବାରେ ଏକ ଉପଯୋଗୀ ଦଲିଲ ଭାବେ କାର୍ଯ୍ୟ କରିବ।

କାର୍ଯ୍ୟକ୍ରମରେ ଗ୍ରାମବାସୀ ଓ କୃଷକଙ୍କ ଚାହିଦା ଏବଂ ସ୍ଥାନୀୟ ସମସ୍ୟାକୁ ଆଧାର କରି ୩୨ଟି ପ୍ରଦର୍ଶନୀଭିତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୃଷକଙ୍କ ଆବଶ୍ୟକତା ଓ ସ୍ଥାନୀୟ କୃଷି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଆୟବୃଦ୍ଧିକାରୀ, ଖର୍ଚ୍ଚ ହ୍ରାସକାରୀ ଏବଂ ପରିବେଶ ଅନୁକୂଳ କୃଷି ପ୍ରଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଥିଲା

ଏହି ପ୍ରଶିକ୍ଷଣଗୁଡ଼ିକରେ ଛାତ୍ରଛାତ୍ରୀମାନେ କେବଳ ଅଂଶଗ୍ରହଣକାରୀ ନୁହେଁ, ବରଂ ବିଷୟଭିତିକ ଯୁବ କୃଷି ବିଶେଷଜ୍ଞ ଭାବେ ନିଜ ଭୂମିକା ନିର୍ବାହ କରିଥିଲେ। ପ୍ରଦର୍ଶନୀ ମାଧ୍ୟମରେ କୃଷକଙ୍କୁ ପ୍ରଯୁକ୍ତିର ବ୍ୟବହାରିକ ଦିଗ ବୁଝାଇବା ସହିତ ପ୍ରଶ୍ନୋତର ଓ ଆଲୋଚନା ମାଧ୍ୟମରେ ସେମାନଙ୍କ ସନ୍ଦେହ ଦୂର କରାଯାଇଥିଲା।

କୃଷି କ୍ଷେତ୍ରରେ ବଢ଼ୁଥିବା ଉତ୍ପାଦନ ବ୍ୟୟ, ଜଳବାୟୁ ପରିବର୍ତନ, ମୃତିକା ସ୍ୱାସ୍ଥ୍ୟର ଅବନତି, ଜଳ ସଙ୍କଟ ଓ କୀଟରୋଗର ବୃଦ୍ଧି ଭଳି ବିଭିନ୍ନ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ୧୬ଟି  ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ସ୍ଥାନୀୟ ଆବଶ୍ୟକତା ଓ ସମସ୍ୟା ଆଧାରରେ ବିଷୟ ଚୟନ କରାଯାଇଥିବାରୁ ଏହି କାର୍ଯ୍ୟକ୍ରମଗୁଡ଼ିକ ଗ୍ରାମବାସୀଙ୍କ ପାଇଁ ଅଧିକ ପ୍ରାସଙ୍ଗିକ ଓ ଉପଯୋଗୀ ହୋଇଥିଲା।

ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀଙ୍କ ଉତ୍ସାହ, ପ୍ରତିବଦ୍ଧତା ଓ ମାଟିସ୍ତରରେ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। କୃଷି ଶିକ୍ଷାର ମୂଳ ଉଦ୍ଦେଶ୍ୟ କେବଳ ଶ୍ରେଣୀଗୃହ ଶିକ୍ଷା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କୁ କୃଷକ ଓ ଗ୍ରାମୀଣ ସମାଜ ସହ ଯୋଡ଼ି ସେମାନଙ୍କ ଜ୍ଞାନକୁ ପ୍ରୟୋଗ କରିବାର ସୁଯୋଗ ଦେବା ବୋଲି ସେ ମତ ପ୍ରକାଶ କରିଥିଲେ।  ଏଭଳି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ଓ ଗ୍ରାମ ସମାଜ ମଧ୍ୟରେ ସଂପର୍କକୁ ଅଧିକ ଦୃଢ଼ କରିବା ସହିତ କୃଷକମାନଙ୍କ ପାଖରେ ବୈଜ୍ଞାନିକ କୃଷି ଜ୍ଞାନ ପହଂଚାଇବାରେ ସହାୟକ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ସୋଆ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କହିଥିଲେ ଯେ ଗ୍ରାମୀଣ ପରିବେଶରେ ଛାତ୍ରଛାତ୍ରୀଙ୍କ ପ୍ରତ୍ୟକ୍ଷ ଅନୁଭବ ସେମାନଙ୍କ ଶିକ୍ଷାକୁ ଅଧିକ ପ୍ରାସଙ୍ଗିକ କରିଥାଏ। ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୃଷକଙ୍କ ସମସ୍ୟା ବୁଝିବା, ସମସ୍ୟା ବିଶ୍ଳେଷଣ କରିବା, ସମାଧାନ ପ୍ରସ୍ତୁତ କରିବା ଏବଂ ନିଜ ଜ୍ଞାନକୁ ସମାଜ ପାଇଁ ପ୍ରୟୋଗ କରିବାର କ୍ଷମତା ବିକଶିତ କରିଛି।

କୃଷି ସଂପ୍ରସାରଣ ବିଭାଗ ମୁଖ୍ୟ ପ୍ରଫେସର ବିବୁଧ ପରାଶର କହିଥିଲେ ଯେ କୃଷି ବିସ୍ତାର ଶିକ୍ଷାର ମୂଳ ଲକ୍ଷ୍ୟ ହେଉଛି ଜ୍ଞାନର ସୃଷ୍ଟି ଓ ପ୍ରସାରକୁ ଗ୍ରାମୀଣ ସମାଜର ଆବଶ୍ୟକତା ସହ ଯୋଡ଼ିବା।  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ କୃଷକଙ୍କ ସହ ଦ୍ୱିମୁଖୀ ଜ୍ଞାନ ବିନିମୟର ସୁଯୋଗ ପାଇଛନ୍ତି।

ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି କାର୍ଯ୍ୟକ୍ରମ (ରାୱେ) ଅଧକ୍ଷ ଡ଼. ଅଂଶୁମାନ ଜେନା କହିଥିଲେ ଯେ, ଏହା  ଛାତ୍ରଛାତ୍ରୀଙ୍କୁ “ଶ୍ରେଣୀଗୃହରୁ ସମାଜକୁ” ଏବଂ “ଜ୍ଞାନରୁ ପ୍ରୟୋଗକୁ”ଯାତ୍ରାର ଅନୁଭବ ପ୍ରଦାନ କରିଛି। ୧୧ଟି ଗ୍ରାମର ବାସ୍ତବ କୃଷି ଓ ଜୀବିକା ପରିସ୍ଥିତିର ଅନୁଧ୍ୟାନ, କାର୍ଯ୍ୟ ଯୋଜନା ପ୍ରସ୍ତୁତି, ପ୍ରଦର୍ଶନୀଭିତିକ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜକୁ ଭବିଷ୍ୟତର କୃଷି ପେଶାଦାର ଓ କୃଷି ସଂପ୍ରସାରଣ ବିଶେଷଜ୍ଞ ଭାବେ ପ୍ରସ୍ତୁତ କରିପାରିଛନ୍ତି।

ଭୁବନେଶ୍ୱର, ୨୨ ଅଗଷ୍ଟ ୨୦୨୬




ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ

ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା

ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁଗରିମା ଦିବସ ଭାବେ ପାଳନ କରାଯିବ

ପୂର୍ବତନ ସଫେଇ କର୍ମୀ ସ୍ୱର୍ଗତ ପ୍ରତାପ ଦଳେଇଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଯେଉଁ ହାତ ଆମକୁ ସ୍ୱଚ୍ଛତା ଦିଏ, ସେହି ହାତର ଗରିମା ରକ୍ଷା କରିବା ଆମର ଦାୟିତ୍ୱ- ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର, ସୁରକ୍ଷିତ ପରିବେଶ ଏବଂ ଯେଉଁ ଲୋକମାନେ ଏହି ସ୍ୱଚ୍ଛତାକୁ ନିଶ୍ଚିତ କରୁଛନ୍ତି, ସେମାନଙ୍କ ସୁରକ୍ଷିତ ଜୀବନ ଏକାନ୍ତ ଅପରିହାର୍ଯ୍ୟ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗରିମା ଦିବସ ୨୦୨୬ ଅବସରରେ କହିଛନ୍ତି । 

ଲୋକସେବା ଭବନ କନଭେନସନ୍‌ ସେଣ୍ଟର ଠାରେ ଗରିମା ଦିବସ ଅବସରରେ ଆଜି ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାର ବିଷୟବସ୍ତୁ ରହିଛି, Mission Zero-Ending Fatality in Sanitation Work ଅର୍ଥାତ୍, ମିଶନ୍ ଜିରୋ ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ । ଏହି କର୍ମଶାଳାରେ ୮ଟି ରାଜ୍ୟର ସଫେଇ କ୍ଷେତ୍ରରେ କାର୍ଯ୍ୟରତ ଥିବା ବିଶେଷଜ୍ଞ, ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଦିବସଟି ସଫେଇ କର୍ମୀଙ୍କୁ ଜୀବନକୁ ସୁରକ୍ଷିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା ଓ ସମାଜରେ ସେମାନଙ୍କ ମର୍ଯ୍ୟାଦା ବୃଦ୍ଧି ପାଇଁ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

ଉପସ୍ଥିତ ବିଶେଷଜ୍ଞ, ଅଧିକାରୀ ଓ ପରିମଳ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୪ ଅଗଷ୍ଟ ୧୫ରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ସ୍ୱଚ୍ଛତା ଭାରତର ଜାତୀୟ ବିକାଶର ପରିସୀମାଭୁକ୍ତ ହୋଇଥିଲା ।  ମୋଦୀ ଜୀଙ୍କ ନେତୃତ୍ୱରେ ସ୍ୱଚ୍ଛତା ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି । ପ୍ରଧାନମନ୍ତ୍ରୀ ନିଜେ ହାତରେ ଝାଡୁ ଧରି ସଫେଇ କର୍ମୀଙ୍କ ସାମାଜିକ ଉତ୍‌ଥାନର ପ୍ରତୀକ ସାଜିଲେ ଏବଂ ଦେଶବାସୀଙ୍କୁ ସନ୍ଦେଶ ଦେଲେ ‘ସ୍ୱଚ୍ଛତା କୌଣସି ଛୋଟ କାମ ନୁହେଁ, ସ୍ୱଚ୍ଛତା ହେଉଛି ରାଷ୍ଟ୍ର ନିର୍ମାଣର କାମ’ । 

ଉପସ୍ଥିତ  ବିଶେଷଜ୍ଞ ଓ ମେସିନ ନିର୍ମାତାଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଡ୍ରୋନ୍ ଜରିଆରେ ଆମେ ଆମର ସୀମାର ସୁରକ୍ଷା କରୁଛୁ । ରୋବୋଟିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ନୂଆ ଟେକ୍ନୋଲୋଜି ଉଦ୍ଭାବନ କ୍ଷେତ୍ରରେ ଭାରତ ଆଗକୁ ବଢ଼ୁଛି । ତେବେ, ଆମେ ଏହିଭଳି ଟେକ୍ନୋଲୋଜିକୁ ଆମ ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ କାହିଁକି ବ୍ୟବହାର କରିପାରିବା ନାହିଁ । ଭାରତ ସରକାରଙ୍କ ନମସ୍ତେ ଯୋଜନା ଜରିଆରେ ସଫେଇ କ୍ଷେତ୍ରରେ ମେସିନ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଆଜି ସମୟ ଆସିଛି, ସଫେଇ କର୍ମୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ବିପଦ୍‌ଜନକ ସଫେଇ କାର୍ଯ୍ୟରେ ମେସିନ ବ୍ୟବହାର କରିବା ପାଇଁ । ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସୁଦକ୍ଷ କରିବାକୁ ପଡ଼ିବ । 

ସେ ପୁଣି କହିଥିଲେ ଯେ, ଗରିମା ଦିବସ ପ୍ରତିବର୍ଷ ଆମକୁ ମନେ ପକାଇବ ଯେଉଁ ହାତ ସ୍ୱଚ୍ଛତା ଦିଏ, ସେହି ହାତର ଗରିମା ରକ୍ଷା କରିବା ମଧ୍ୟ ଆମର ଦାୟିତ୍ୱ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ସଫେଇ କର୍ମୀ ସ୍ୱର୍ଗତ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିଥିଲେ ଏବଂ କହିଥିଲେ କ୍ଷତି ପୂରଣ ଆମର ଲକ୍ଷ୍ୟ ନୁହେଁ, ଆମର ଲକ୍ଷ୍ୟ ହେଉଛି, ମୃତ୍ୟୁ ପରେ ସହାୟତା ନୁହେଁ, ମୃତ୍ୟୁ ପୂର୍ବରୁ ସୁରକ୍ଷା । ଦୁର୍ଘଟଣା ପରେ କ୍ଷତିପୂରଣ ନୁହେଁ, ଦୁର୍ଘଟଣା ପୂର୍ବରୁ ପ୍ରତିରୋଧ। ଆମେ ଚାହୁଁଛୁ,  ବିପଦପୂର୍ଣ୍ଣ କାର୍ଯ୍ୟରତ ଆମର ଏହି କର୍ମଯୋଗୀ ମାନଙ୍କ ଜୀବନ ସୁରକ୍ଷିତ ରହୁ । ଏହା ହିଁ ହେଉଛି, ମିଶନ ଜିରୋର ଆଭିମୁଖ୍ୟ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଦୁଇ ଜଣ ସଫେଇ କର୍ମୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ କରାଯାଇଛି ଏବଂ ସେମାନଙ୍କ ମୃତ୍ୟୁ ସଫେଇ ନୁହେଁ, ଅନ୍ୟ କାରଣରୁ ଘଟିଥିଲା । 

ଗରିମା ଦିବସ ଉପଲକ୍ଷେ ଆଧୁନିକ ଟେକ୍ନୋଲୋଜିଯୁକ୍ତ ମେସିନ ବ୍ୟବହାର ଓ  ସୁରକ୍ଷା ଉପକରଣ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି ବୁଲି ଦେଖିଥିଲେ । ସଫେଇ କର୍ମୀଙ୍କୁ ବାସଗୃହ ପାଇଁ ୱାର୍କ ଅର୍ଡର ପ୍ରଦାନ କରିଥିଲେ। 

କେନ୍ଦ୍ର ସାମାଜିକ ନ୍ୟାୟ ବିଭାଗର ସଚିବ ଶ୍ରୀ ସୁଧାଂଶ ପନ୍ତ ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ସଫେଇ କର୍ମୀଙ୍କ ସୁରକ୍ଷା, ଆର୍ଥିକ ଉନ୍ନତି ଓ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଆଜି ଦେଶରେ ଉଦାହରଣ ସୃଷ୍ଟି କରିଛି । ଓଡ଼ିଶା ସରକାର ଗରିମା ଯୋଜନାକୁ ହୋଲ୍ ଅଫ୍ ଆପ୍ରୋଜ୍ ଭାବେ ନେଇ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । 

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ସ୍ୱଚ୍ଛ ସାଥୀ ମାନଙ୍କ ଯୋଗୁ ଆମେ ସ୍ୱଚ୍ଛ ଅଛୁ । ସହର ସ୍ୱଚ୍ଛ ଅଛି ଓ ରାଜ୍ୟ ଆଗକୁ ବଢ଼ୁଛି । ଜିରୋ ଫାଟାଲିଟି ଆମ ପାଇଁ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଆମ ପାଇଁ ଏକ ସଂକଳ୍ପ । ସଫେଇ କର୍ମୀଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ଆମେ ତାହା ନିଶ୍ଚୟ କରିବୁ ବୋଲି ସେ କହିଥିଲେ । 

ଅର୍ବାନ ମ୍ୟାନେଜମେଣ୍ଟ ସେଣ୍ଟର’ର ନିର୍ଦ୍ଦେଶିକା ମନ୍ୱିତା ବରାଡ଼ି ସଫେଇ  କର୍ମୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଂଶସା କରି କହିଥିଲେ ଯେ, ଓଡ଼ିଶାରେ ଗରିମା ଯୋଜନାରେ କେବଳ ସଫେଇ କର୍ମୀମାନଙ୍କ ପାଇଁ ଚିନ୍ତା କରାଯାଇନାହିଁ, ଏଥିରେ ସେମାନଙ୍କ ପରିବାର ବର୍ଗଙ୍କ କଲ୍ୟାଣ ପାଇଁ ମଧ୍ୟ ଅନେକ ପ୍ରାବଧାନ କରାଯାଇଛି । 

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ନିର୍ଦ୍ଦେଶକ, ପୌର ପ୍ରଶାସନ ଶ୍ରୀ ଅରିନ୍ଦମ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ୱର, ୨୧ ଅଗଷ୍ଟ ୨୦୨୬



ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା କାର୍ଯ୍ୟକ୍ରମ ପାଳନ ଅବସରରେ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା” ବିଷୟ ସମ୍ପର୍କୀତ ଗ୍ରାମ ସଭା ସଚେତନତା କାର୍ଯ୍ୟକ୍ରମ ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୧୮ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବନମାଳିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ  ଭାକରସାହି ଠାରେ ବନମାଳିପୁର ଶାଖାର ବରିଷ୍ଠ ଶାଖା ପ୍ରବନ୍ଧକ ମାତୃ ପ୍ରସାଦ ଦାସଙ୍କ ଉପସ୍ଥିତିରେ, ଅଗଷ୍ଟ ୧୯ ତାରିଖରେ କଟକ ଜିଲ୍ଲାର ସମଶରପୁର କଇଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାତୋରୀ  ଠାରେ ଆନନ୍ଦ ବଜାର ଶାଖାର ଶାଖା ପ୍ରବନ୍ଧକ ମଣ୍ଟୁ ସାହୁଙ୍କ ଉପସ୍ଥିତିରେ ଏବଂ ଅଗଷ୍ଟ ୨୦ ତାରିଖରେ କଟକ ଜିଲ୍ଲାର ଗୁଣୁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଲିବାସାନଠାରେ କୁହୁଣ୍ଡା ଶାଖାର ଶାଖା ପ୍ରବନ୍ଧକ ସମରେନ୍ଦ୍ର ତ୍ରିପାଠୀ ଏବଂ ବ୍ୟାଙ୍କ ମିତ୍ରଙ୍କ ଉପସ୍ଥିିତିରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମ ଅବସରରେ ଭିଜିଲାନ୍ସ ଅଧିକାରୀ ନୀରଜ କୁମାର ପ୍ରସାଦ ଏବଂ ଉପସ୍ଥିତ ବ୍ୟାଙ୍କ ଅଧିକାରୀମାନେ ଗ୍ରାମବାସୀ, ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟମାନଙ୍କୁ ଡିଜିଟାଲ ଆରେଷ୍ଟ ଠକେଇ, ମନି ମ୍ୟୁଲ ଆକାଉଣ୍ଟ, କେୱାଇସି, ୟୁପିଆଇ ସୁରକ୍ଷା ଏବଂ ୟୁପିଆଇ ପିନ୍ / ଓଟିପି ସୁରକ୍ଷିତ ରଖିବା ସମ୍ପର୍କରେ ସଚେତନ କରିଥିଲେ। ଅଂଶଗ୍ରହଣକାରୀମାନଙ୍କୁ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ କାହାକୁ ନଜଣାଇବା ଏବଂ ଆକାଉଣ୍ଟକୁ ଅପବ୍ୟବହାରରୁ ଦୂରେଇ ରଖିବାକୁ ସଚେତନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମଗୁଡିକରେ ସ୍ଥାନୀୟ ଜନସାଧାରଣଙ୍କର ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଏହା ମାଧ୍ୟମରେ ତୃଣମୂଳ ସ୍ତରରେ ସଚ୍ଚୋଟତା, ଦାୟିତ୍ୱପୂର୍ଣ୍ଣ ବ୍ୟାଙ୍କିଙ୍ଗ୍ ଏବଂ ସାଇବର ସୁରକ୍ଷାର ବାର୍ତ୍ତା ପହଞ୍ôଚବା ସହିତ ସତର୍କତା ସଚେତନତା ସପ୍ତାହର ସନ୍ଦେଶ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା”କୁ ଆହୁରି ସୁଦୃଢ କରାଯାଇପାରିଛି।

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget