ଭୁବନେଶ୍ୱର, ୧୬ ମଇ ୨୦୨୫

କେନ୍ଦ୍ର ଓ ରାଜ୍ୟ ସରକାର ନିଜର ସଫଳତା ପ୍ରଚାରରେ ମସଗୁଲ ରହିବା ଦେଶବାସୀଙ୍କ ପାଇଁ ପ୍ରତାରଣା ହୋଇଛି। ବିମାନ ଦୁର୍ଘଟଣାରେ ୨୭୨ ଜଣ ପ୍ରାଣ ହରାଇଥିବାବେଳେ ଓଡ଼ିଶାରେ ଝାଡାବାନ୍ତିରେ ୧୨ ଜଣରୁ ଉର୍ଦ୍ଧ୍ୱଲୋକ ମୃତ୍ୟୁବରଣ କଲେଣି। ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ କେତେ ସମ୍ବେଦନଶିଳ ତାହା ବାରିହୋଇପଡ଼ୁଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କ୍ଷଭୋ ପ୍ରକାଶ କରିବା ସହ ତିବ୍ର ସମାଲୋଚନା କରିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟ ସରକାର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି ହେଲେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଛିଛି । ନିକଟରେ ବଲାଙ୍ଗିରରେ ଜଣେ କୋଟିପତି ଇଞ୍ଜିନିଅର ଧରାହେବା ରାଜ୍ୟରେ ଦୁର୍ନୀତି ସ୍ଥିତି ସମ୍ପୂର୍ଣ ରୂପେ ବାରି ହୋଇପଡିଛି। ମନ୍ତ୍ରୀ-ଅଫିସର ଭ୍ରଷ୍ଟାଚାରରେ ମାତିଛନ୍ତି । ମୁଖ୍ୟଯନ୍ତ୍ରୀ ଧରାପଡ଼ୁଛନ୍ତି; ସିବିଆଇ ବାଲା ଇଡି ଅଧିକାରୀଙ୍କୁ ଧରୁଛନ୍ତି, ଯୁବ-ଆଇଏଏସ ବି ଧରାପଡ଼ୁଛନ୍ତି । ଏଥିରୁ ଦୁର୍ନିତି କେଉଁ ସ୍ତରକୁ ଛୁଇଁଛି ତାହା ଜଳଜଳ ଦିଶୁଛି। ରାଜ୍ୟରେ ଧାନମଣ୍ଡିରେ କଟଣୀ ଛଟଣୀରେ ୨୦୦୦ କୋଟି ଟଙ୍କାର ଦୁର୍ନିତ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। କଟନୀ ଛଟନୀ ବ୍ୟବସ୍ଥାରେ ଚାଷୀ ହନ୍ତସନ୍ତ ହେଉଛି । ଧାନ ଦେବା ପାଇଁ ଚାଷୀ ଖରାରେ ପଡି ରହୁଛି । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ବିଗିଡି ଯାଇଛି । ଯାଜପୁରରେ ଝାଡ଼ାବାନ୍ତିରେ ୧୧ ଜଣଙ୍କ ଜୀବନ ଯିବା ଘଟଣା ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯାଜପୁର ଜିଲ୍ଲାରେ ନର୍ସ ଓ ଡାକ୍ତର ୪୦୦ ପଦବୀ ଖାଲି ପଡ଼ିଛି। ଅନ୍ୟଜିଲ୍ଲା ମାନଙ୍କରେ ୨୦୦ ରୁ ୪୦୦ ଡାକ୍ତରୀ ପଦବୀ ଖାଲି ପଡ଼ିଥିବାବେଳେ ସ୍ୱାସ୍ଥ୍ୟ ବ୍ୟବସ୍ଥା କେତେ ବିପର୍ଯ୍ୟସ୍ତ ସହଜ ଅନୁମେୟ। ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ ୧୨ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର ନାହାନ୍ତି। ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ପ୍ରତି ଯୋଗ୍ୟ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଦେବା ବଦଳରେ ପ୍ରତି ବର୍ଷ ଦୁଇ କିସ୍ତିରେ ୧୦ ହଜାର ଦେବା ରାଜ୍ୟର ମା ମାନଙ୍କ ପାଇଁ ଉପହାସ ନୁହେଁ କି ବୋଲି ଭକ୍ତ ଚରଣ ଦାସ ପ୍ରଶ୍ନ କରିଛନ୍ତି । ଅହମ୍ମଦାବାଦ ବିମାନ ଦୁର୍ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିବାବେଳେ ରାଜ୍ୟ ବିଜେପି ସରକାର ପୂର୍ତ୍ତି ପାଳନ କରିବା ଏକ ହାସ୍ୟାସ୍ପଦ ଘଟଣା ବୋଲି ଭକ୍ତ ଦାସ ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ଆୟୁଷ୍ମାନ ଯୋଜନା ସମ୍ପୂର୍ଣ ଫେଲ ମାରିଛି । ରୋଗୀ ଘରୋଇ ଡାକ୍ତରଖାନା ଦୁଆରୁ ଫେରିବାକୁ ପଡୁଛି । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୩୦୦୦ ଟଙ୍କା ପ୍ରଦାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି । ପ୍ରଦୂଷଣରୁ ସଂକ୍ରମଣ, ଲୋକେ ହଇଜାରେ ମରୁଛନ୍ତି, ଟଙ୍କାଟିଏ ବି ଅନୁକମ୍ପା ରାଶି ନାହିଁ। ଉତ୍ସବ ମନାଇବା ପାଇଁ ଏପରି ସମୟରେ ପ୍ରଧାନମନ୍ତ୍ରୀ ଆସିବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧିଙ୍କ ଦାବି ଆଗରେ ସରକାର ମୁଣ୍ଡ ନୁଆଁଇ ଜାତି ଜନଗଣନାକୁ ସ୍ବୀକୃତି ଦେଲେ ତେବେ ସମୟସୀମା ନିର୍ଦ୍ଧାରଣ ହୋଇନାହିଁ। ଜନସାଧାରଣଙ୍କ ସମସ୍ୟା ନେଇ କଂଗ୍ରେସ କିଛିମାସ ହେଲା ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଉଛି। ପେଟ ଓ କ୍ଷେତକୁ ପାଣି ନାହିଁ ଫ୍ୟାକ୍ଟ୍ରିକୁ କିନ୍ତୁ ପର୍ୟ୍ୟାପ୍ତ ପାଣି ଦିଆଯାଉଛି। ଏହା ସରକାରଙ୍କ କିଭଳି କମ୍ପାନୀ ପ୍ରୀତି ସହଜେ ଜଣାପଡ଼ୁଛି। ସୁଭଦ୍ରା ଯୋଜନାରେ କହିଲେ ୫୦ ହଜାର ଦେବେ ଯାହାକୁ କି ୨ ବର୍ଷରେ ମହିଳାମାନେ ଖର୍ଚ୍ଚ କରିବେ। ଏବେ ଯେଉଁ ୬ ମାସରେ ୫ ହଜାର ଟଙ୍କା ଦେଉଛି ତାହା ଦିନକୁ ୨୭ ଟଙ୍କା ପଡ଼ୁଛି, ଯାହାକି ଗୋଟେ ମିଲ୍ର ଦାମ୍ ନୁହେଁ। ସୁଭଦ୍ରା କୋଟିଏ ଲୋକଙ୍କୁ ଦେଲୁ ବୋଲି ପ୍ରଚାରରେ ଶହଶହ କୋଟିର ବିଜ୍ଞାପନ ଦିଆଯାଉଛି। ଆୟୁଷ୍ମାନ ଯୋଜନାର ପ୍ରଚାର ହେଉଛି, ହସପିଟାଲ କିନ୍ତୁ ରୋଗୀ ରଖୁନି ରୋଗୀ ହନ୍ତସନ୍ତ ହୋଇ ଚିକିତ୍ସା ପାଉନାହାନ୍ତି। ଉଦ୍ୟମକ୍ରାନ୍ତି ଯୋଜନାରେ ଯୁବବର୍ଗଙ୍କୁ ବିନାସୁଧରେ ଋଣ ଦେବେ କହିଥିଲେ ହେଲେ ବ୍ୟାଙ୍କଗୁଡ଼ିକ ଖାଲି କାଗଜପତ୍ର ମାଗିବାରେ ବ୍ୟସ୍ତ। ପ୍ରତି ଜିଲ୍ଲାରେ ମେଡିକାଲ ଓ ନର୍ସିଂ କଲେଜ ଗଢ଼ିବେ କହିଥିଲେ, କିଛି ହୋଇନାହିଁ।
କଂଗ୍ରେସର ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ରାଜ୍ୟର ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରିନାହିଁ। ସାଧାରଣ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କଲେ ବିଧାନ ସଭାରେ କଂଗ୍ରେସ ସଦସ୍ୟମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିଲମ୍ବନ କରାଯାଉଛି। ଖୋଦ ମହାମହିମ ରାଷ୍ଟ୍ରପତିଙ୍କ ଅଂଚଳରେ ବିମାନ ବନ୍ଦର ନିର୍ମାଣ ପାଇଁ ବିନା ପଲ୍ଲିସଭା ବିନା ଗ୍ରାମ ସଭାରେ ଆଦିବାସୀ ପରିବାରଙ୍କୁୂ ବିସ୍ତାପିତ କରାଯାଉଛି। ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ହୋଇ ଆଦିବାସୀ ଜମିକୁ ଅମ୍ବାନି ଓ ଅମ୍ବାନିକୁ ଟେକି ଦେଉଛନ୍ତି।
ସେହିପରି କୋରାପୁଟ ସାଂସଦ ସପ୍ତଗିରି ଉଲକା କହିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ହସ୍ତତନ୍ତ ପାର୍କ କରିବେ ବୋଲି କହିଥିଲେ କିନ୍ତୁ କୁଆଡେ ଗଲଶ। ୫୧ ହଜାର ଚାକିରୀ କାହିଁ? ୩ ହଜାର ଟଙ୍କାର ଭତ୍ତା କୁଆଡ଼େ ଗଲା? ୮୦ ବର୍ଷ ଉପରେ ୩,୫୦୦/- ଦେବେ କହି ଗାଁ ପିଛା ୨/୩ ଜଣ ମାତ୍ର ପାଉଛନ୍ତି। ସବୁ ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ ଦେବେ ବୋଲି କହିଥିଲେ କିନ୍ତୁ ଭୂଆଁ ବୁଲାଇଲେ। ଜିଲ୍ଲା ଯୋଜନା କମିଟି ହୋଇନାହିଁ, ଜିଲ୍ଲା ଖଣିଜ ଫଣ୍ଡ ଟ୍ରଷ୍ଟ ହୋଇନାହିଁ; ସ୍ଥାନୀୟ ବିକାଶ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି? କୋରାପୁଟ ମେଡିକାଲ କଲେଜରେ ଭୁଲ ଇଂଜେକ୍ସନ ପାଇଁ ୫ ଜଣ ନିରିହ ଜୀବନ ଗଲା ଟଙ୍କାଟିଏ ବି ସାହାଯ୍ୟ ନାହିଁ? ଗଭର୍ଣ୍ଣିଂ ବଡି କେବେ ହେବ? ରୋଗୀ କଲ୍ୟାଣ ସମିତି ନାହିଁ । ରାଜ୍ୟରେ ମହିଳା ନିର୍ୟାତନା ବଢ଼ିଚାଲିଛି ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କ ହାତଗୋଡ଼ ବାନ୍ଧି ନିର୍ୟାତନା ଦିଆଯାଉଛି। ଅନ୍ତଃଜାତି ବିବାହ ପାଇଁ ୪୦ ଜଣ ମହିଳାଙ୍କୁ ନଣ୍ଡା କରିବା ସଫଳତା କ’ଣ ବଖାଣୁଛ ବୋଲି ସେ ତିବ୍ର ସମାଲୋଚନା କରୁଥିଲେ।
ଅନୁରୂପ ଭାବେ ରାଜ୍ୟ ପ୍ରଭାରୀ ଶ୍ରୀ ଅଜୟ କୁମାର ଲାଲ୍ଲୁ କହିଥିଲେ ଯେ ବର୍ଷ ଏକ, ପ୍ରତାରଣା ଅନେକ। ପ୍ରାକୃତିକ ସମ୍ପଦରେ ସବୁଠୁ ଧନୀ ରାଜ୍ୟର ଲୋକ ସବୁଠୁ ଗରିବ। ୧୦ ବର୍ଷ ବିଜେପି ଶାସନ କରିଛି। ଆଦିବାସି ଅଧ୍ୟୁଷିତ ଜିଲ୍ଲାରେ କେନ୍ଦୁପତ୍ର, ଶାଳପତ୍ର, ମହୁଲ ମୁଖ୍ୟ ଆଦିବାସୀମାନଙ୍କର ମୁଖ୍ୟ ଜିବିକା। ଖରିଫ ବିକ୍ରି ଲାଇସେନ୍ସ ଗ୍ରାମସଭାରେ ଥିଲା । ବିଜେପି ଆସିବା ପରେ ଗ୍ରାମସଭାରୁ କ୍ଷମତା ଛଡ଼ାଇନିଆଗଲା ପୁଲିସ ଲୋକଙ୍କୁ ଜେଲ୍ ପଠାଉଛି। ୫ମ ସୂଚୀ ଅନୁସାରେ ଆଦିବାସୀଙ୍କୁ ପଟ୍ଟା ଦେଉନାହାନ୍ତି। ଦାଦନ ପଳାୟନ ସବୁଠୁ ବଡ଼ ସମସ୍ୟା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ ଶାସନରେ ଗଞ୍ଜାମ ଜିଲ୍ଲାରେ କୌଣସି ଶିଳ୍ପ କଳକାରଖାନା ହୋଇନଥିବାବେଳେ ସେଠିକାର ଜନସାଧାରଣମାନେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଦାଦନ ଋତୁରେ ଗଂଜାମରେ ୫୦ ଭାଗ ଘରେ ତାଲା ପଡ଼େ। କଳିଙ୍ଗନଗରରେ ଆଦିବାସୀଙ୍କ ଉପରେ ଗୁଳି କରିଥିଲେ। ୧୪ ଜଣ ଆଦିବାସୀଙ୍କର ମୃତ୍ୟୁ ହୋଇଥିଲା ଏପରିକି ହାତପାପୁଲି କାଟି ଦେଇଥିଲେ। ସେତେବେଳେ ସୋନିଆ ୧ ଲକ୍ଷ ଦେଇଥିଲେ। ସେମାନେ ଆଜି ବି କଳିଙ୍ଗନଗରରେ କ୍ଷତିପୂରଣ ପାଇଁ ଲଢ଼ୁଛନ୍ତି। ଜମିର କାଗଜାତ ନ ଥିବାରୁ ବିସ୍ଥାପିତ ଜମିର କ୍ଷତିପୂରଣ ପାଉନାହାନ୍ତି। ଅନୁଗୁଳ, କେଉଁଝର, ମୟୂରଭଂଜ, ସୁନ୍ଦରଗଡ଼ ପିଲାମାନେ କୁପୋଷଣର ଶିକାର ହେଉଛନ୍ତି । ଦୁର୍ନୀତିର ଜିରୋ ଟଲରେନ୍ସ କହିଥିଲେ କିନ୍ତୁ ଭ୍ରଷ୍ଟାଚାର ସୀମା ପାର। ଶାହା କମିସନ ଅନୁସାରେ କାର୍ୟ୍ୟାନୁଷ୍ଠାନ କାହିଁ? ଖଣିଜ ପଦାର୍ଥ ଉତ୍ତୋଳନ ହେଉନାହିଁ; ସରକାରୀ ଉଦାସୀନତା ଯୋଗୁଁ ୨ ଲକ୍ଷ କୋଟି ହରାଉଛି, ସୁପ୍ରିମ କୋର୍ଟଙ୍କ ଆଦେଶ ସତ୍ତ୍ୱେ। ଚିଟଫଣ୍ଡ- ୪୦ ଘଣ୍ଟାରେ ପଇସା ଫେରାଇବୁ କହିଥିଲେ ନା ପଇସାଟିଏ ଦେଲେ ନା ଜଣକୁ ଗିରଫ କଲେ? ୪୪ ହଜାର ମହିଳା ନିଖୋଜ; ଆରବ ଦେଶରେ ଅନେକ ବିକ୍ରି। ଆଜି ବି ୧୪ ବିଧାୟକ ସସ୍ପେଣ୍ଡ ମହିଳାଙ୍କ ସୁରକ୍ଷା ଦାବିରେ। ୩୦୦ ୟୁନିଟ ମାଗଣା ବିଜୁଳି କଥା କ’ଣ ହେଲା? ୨୦୨୯ ଯାଏ ସାଢ଼େ ୩ ଲକ୍ଷ ଚାିକରୀ; ବର୍ଷକୁ ୭୦ ହଜାର, ୨୭ ହଜାର ଦେଇଛନ୍ତି ବୋଲି କହୁଛନ୍ତି।୨ ଲକ୍ଷ କୋଟିର ଋଣଯନ୍ତା ଧର୍ମେନ୍ଦ୍ର ପ୍ରଧାନ ନିଜ ରାଜ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନରେ ପଛୁଆ ବର୍ଗର ସଂରକ୍ଷଣ କରିପାରିଲେନି । ସ୍ବାସ୍ଥ୍ୟସେବାର ହାଲ ବେହାଲା ସରକାର କେବଳ ଲୁଟିଚାଲିଛି। ଅନୁଗୁଳର ଜଣେ ବିଧାୟକ ବିନା ଫରେଷ୍ଟ କ୍ଲିୟରାନ୍ସରେ ୯୦ ଲକ୍ଷ ଗଛ କଟାଇଲେ କିନ୍ତୁ ସରକାର ନିରବ ବୋଲି ସେ କହିଥିଲେ।
ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଅପରାଗ ସରକାର; ସମ୍ବିଧାନ ସୁରକ୍ଷା ହେଲେ ଦେଶ ରକ୍ଷା
ରାଜ୍ୟରେ ଶାସନ ଦିଗହରା ହେଉଥିବାବେଳେ ମିଥ୍ୟା ବିକାଶର ଡିଣ୍ଡିମ ପିଟୁଛନ୍ତି ମୋହନ ସରକାର। କେବଳ ରଙ୍ଗମାରି ଭେଳିକି ଦେଖାଇ ମିଛ କୁହା କୁଆ ଭଳି ଚାରିଆଡେ ରାଉରାଉ ଶବ୍ଦ ଶୁଭୁଛି। କଂଗ୍ରେସ ଯେଭଳି ସଂଗ୍ରାମ କରି ଦେଶକୁ ସ୍ୱାଧୀନତା ଆଣିଥିଲା ସେହିଭଳି ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସ ତା’ର ସଂଗ୍ରାମ ଜାରି ରଖିବ। ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ। ନାରୀ ହିଂସା ସୀମା ପାର ହୋଇଥିବାବେଳେ ରାଜ୍ୟରେ ବିଜେପି ଶାସନ ଚଳାଇଥିବା ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଓ ଅପରାଗ ସରକାରଙ୍କ ଠାରୁ ବିକାଶ ଆଶାକରିବା ବୃଥା ବୋଲି କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନିପତି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କଂଗ୍ରେସ ଭବନ ଠାରେ ସମ୍ବିଧାନ ବଞ୍ଚିଲେ ଦେଶ ବଞ୍ôଚବ। ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ସମ୍ବିଧାନର ସୁରକ୍ଷା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଏ.ଆଇ.ସି.ସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ଯେଉଁ ଡାକରା ଦେଇଛନ୍ତି ତାହା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ କର୍ମୀମାନେ ଏହାକୁ ଏକ ସଂଗ୍ରାମ ରୂପେ ଗଢ଼ି ତୋଳିବାକୁ ସଂକଳ୍ପ ନେଇଛନ୍ତି ବୋଲି ଶ୍ରୀ ବାହିନି ପତି କହିଛନ୍ତି। ରାଜ୍ୟରେ ଛାତ୍ରୀମାନେ କୁଆଁରୀ ମା’ ହେଉଥିବା ଏ ସରକାରର ଶାସନ ବ୍ୟବସ୍ଥାର ନଗ୍ନତାକୁ ପ୍ରମାଣିତ କରୁଛି। ରାଜ୍ୟରେ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ସେଥିରୁ ଗୋଟିଏ ହେଲେ ସଠିକ ଢ଼ଙ୍ଗରେ କାର୍ଯ୍ୟକାରୀ କଲେ ନାହିଁ। ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ନ ପାରି ହାଃ ହୁତାଶ ଭିତରେ ଜୀବନ ବିତାଉଛନ୍ତି। ମଣ୍ଡିରେ କଟନୀ ଛଟନୀ ନାମରେ ଚାଷୀମାନଙ୍କୁ ଶୋଷଣ କରାଯାଉଛି। ଯାଜପୁର ସମେତ ଉପକୁଳ ଜିଲ୍ଲାରେ ହଇଜା ହାଃ ହାଃ କାର ପରିସ୍ଥିତି ସୃଷ୍ଟି କରିଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବାରେ ବିଫଳ ହୋଇଛି। ଏଭଳି କି ଭୁବନେଶ୍ୱରରେ ହଇଜାର ପଦଧ୍ୱନି ଶୁଭିଲାଣି। ସ୍ୱାସ୍ଥ୍ୟ ବିଭାଗ ଠୋସ୍ ପଦକ୍ଷେପ ନେବାରେ ସକ୍ଷମ ନ ହେବାରୁ ହଇଜାରେ ଅନେକ ରୋଗୀ ଅକାଳରୁ ଜୀବନ ଗଲାଣି। ସମ୍ବିଧାନ ସଂଶୋଧନ ନାମରେ କେନ୍ଦ୍ରରେ ମୋଦୀ ସରକାର ଧ୍ୱଂସ କରି ଦେବାକୁ ବସିଛି। ଓଡ଼ିଶା ବିଧାନସଭାରୁ କଂଗ୍ରେସ ବିଧାୟକମାନଙ୍କୁ ଯେଭଳି ନିଲମ୍ବିତ କରାଯାଇ ତାହା ବିଧି ବ୍ୟବସ୍ଥାର ସଂପୂର୍ଣ୍ଣ ଉଲଘଂନ ହୋଇଥିଲା। ସମ୍ବିଧାନ ଓ ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରତି ମୋହନ ଓ ମୋଦୀ ସରକାରଙ୍କର ଆଦୌ ଆନ୍ତରିକତା ନାହିଁ ତାଙ୍କ କାର୍ଯ୍ୟ ଶୈଳୀରୁ ପ୍ରମାଣିତ ବୋଲି ବାହିନିପତି ଅଭିଯୋଗ କରିଛନ୍ତି। ସମ୍ବିଧାନ ଗାରିମା ଓ ଗୌରବ ସ୍ୱାଭିମାନ ବଂଚାଇ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଭିତରେ ସହଜ ସୁନ୍ଦର ଜୀବନ ବଂଚାଇବାର ସୁଯୋଗ ଦେବାକୁ କଂଗ୍ରେସ ଯେଉଁ ଆନ୍ଦୋଳନ ଡାକରା ଦେଇଛି ତାହା ଦିଲ୍ଲୀରୁ ପଲ୍ଲି ପର୍ଯ୍ୟନ୍ତ ବ୍ୟାପକ ହେବ। ୧୧ ବର୍ଷ ଧରି ନରେନ୍ଦ୍ର ମୋଦୀ ସରକାର ଯେଭଳି ଗୋଟିକ ପରେ ଗୋଟିଏ ଜନ ବିରୋଧି ଓ ସମ୍ବିଧାନ ବିରୋଧି କାର୍ଯ୍ୟ କରୁଛନ୍ତି ତାହା ସହିବାର ସମସ୍ତ ସୀମା ପାର କରିଛି। ପହେଲ୍ଗାମରେ ଯେଉଁ ନର ହତ୍ୟା ହେଲା ୪ଜଣ ଆତଙ୍କବାଦୀଙ୍କୁ ଧରିବାରେ ସରକାର ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଇସାରାରେ ଯୁଦ୍ଧ ବନ୍ଦ କରି ଭାରତ ବର୍ଷର ସ୍ୱାଭିମାନଙ୍କୁ ମୋଦୀ ତଳେ ପକାଇଛନ୍ତି। ସମସ୍ତ ବିରୋଧି ଦଳ ସରକାରଙ୍କୁ ସହଯୋଗ କରିବେ ଓ ପହେଲଗାମ ହତ୍ୟାର ଉପଯୁକ୍ତ ଜବାବ ଦେବେ ବୋଲି ଆଶା କରିଥିଲେ। କିନ୍ତୁ କାହାକୁ ବିଶ୍ୱାସକୁ ନ ନେଇ ଟ୍ରମ୍ପଙ୍କ କଥାରେ ଯୁଦ୍ଧ ବନ୍ଦ କରିଥିବାରୁ ଦେଶବାସୀ ଏହାର ଉପଯୁକ୍ତ ବିଚାର କରି ମୋଦୀ ସରକାର ମୁଖା ଖୋଲିବ ବୋଲି କଂଗ୍ରେସ ବିଶ୍ୱାସ କରେ।
ବିଧାୟକଦଳ ଉପନେତା ଅଶୋକ ଦାସ କହିଥିଲେ ଯେ ସ୍ୱାଧୀନତା ପରେ ଆମ ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରୁ ଲାଗୁ ହୋଇଥିଲା। ଜନତାଙ୍କ ହିତକାରୀ ଭାବେ ବିଧିବ୍ୟବସ୍ଥାରେ ଦେଶରେ ଶାସନ ଚାଲିବ ଓ ଲୋକ ଉପକୃତ ହେବେ। ବିଜେପି ସରକାର ଯେବେଠାରୁ ଆସିଛି ସେବେଠାରୁ ସମ୍ବିଧାନ ଖିନ୍ଭିନ୍ କରି ବିଶୃଙ୍ଖଳା ସୃଷ୍ଟି କରିଛି। ତେଣୁ କଂଗ୍ରେସ ସମ୍ବିଧାନ ବଂଚାଅ ଦେଶ ବଂଚାଅ ଡାକରା ଦେଇ ଲୋକଙ୍କ ପାଖକୁ ଯାଉଛି। ବିଜେପିର ମନ୍ତ୍ରୀମାନେ ଜିଲ୍ଲାକୁ ଜିଲ୍ଲା ବୁଲି ମିଥ୍ୟା ପ୍ରଚାରରେ ମାତିଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇ ଯେଭଳି ପ୍ରତାରଣା କରିଛନ୍ତି ସେହିବାର୍ତ୍ତା ଲୋକଙ୍କ ପାଖରେ ପହଂଚାଇବା ପାଇଁ କଂଗ୍ରେସ ସମ୍ବିଧାନ ବଂଚାଓ ଦେଶ ବଂଚାଅ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ଶ୍ରୀ ଦାସ କହିଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ଭିତରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ଜାନକୀ ବଲ୍ଲଭ ପଟ୍ଟନାୟକ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ପିସିସି ସମ୍ପାଦକ ଶ୍ରୀଳ୍ପିଶ୍ରୀ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, କିଶୋର ଜେନା, ରଜନୀ ମହାନ୍ତି, ଅଶୋକ ଦାସ, ପ୍ରକାଶ ଜେନା, ପ୍ରଶାନ୍ତ ଚମ୍ପତି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ବଂଚାଅ ଓ ଦେଶ ବଂଚାଅ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସୁବ୍ରତ ମହାପତ୍ର, ତରୁଣକାନ୍ତି ମିଶ୍ର, ଆଶିଷ ମଲ୍ଲିକ, ଅକ୍ଷୟ ଦାସ, ପ୍ରସନ୍ନ ନାୟକ, ସୂର୍ଯ୍ୟକାନ୍ତ ଜେନା, ପ୍ରଦୀପ ମହାପାତ୍ର, ରାକେଶ ମହାନ୍ତି, ନରୋତ୍ତମ ବେହେରା, ମନୋରଞ୍ଜନ ଜେନା, ନାରାୟଣ ଜେନା, ସଂଜିବ ପୁଜାପଣ୍ଡା, ଶ୍ରୀୟା ମହାନ୍ତି, ଦୀପକ ମହାପାତ୍ର, ବଳଦେବ ରଥ, ପ୍ରହ୍ମାନନ୍ଦ ସାହୁ, ଆଲୋକ ମହାନ୍ତି, ସୁରଜ ରାଉତ, ସୁଦିପ ସାମଲ, ପ୍ରଶାନ୍ତ ରାଉତ, ଯୋଗୀନାଥ ନାୟକ, ଜ୍ୟୋତି ମହାନ୍ତି, ଦେବବ୍ରତ ମହାନ୍ତି, ଦୀପକ ସାହୁ, ଦେଓ ପ୍ରସାଦ, ନାସିର ଖାନ୍, ଜ୍ୟୋତିଶ ସାହୁ, ସେକ୍ ତାକ୍ୱିମ୍, ପବିତ୍ର ଦାସ, ସେକ୍ କମର୍ ଅଲ୍ଲି, ଦେବାଶିଷ ଦାସ, ଦିପକ ଦିଗଲ, ମାନସ ସେଠୀ, ମାନସ ରାଉତ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ସୁଚନ୍ତିତ ମତାମତ ଦେଇଥିଲେ।