March 2023

ପୁଣିଥରେ ପାକିସ୍ତାନରେ ହିନ୍ଦୁଙ୍କୁ ଟାର୍ଗେଟ। କ୍ଲିନିକରୁ ଘରକୁ ଫେରୁଥିବା ହିନ୍ଦୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା


ନୂଆଦିଲ୍ଲୀ, ପୁଣିଥରେ ପାକିସ୍ତାନରେ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇଛି। କରାଚିର ଲାୟାରି ଠାରେ ହିନ୍ଦୁ ଡାକ୍ତର ବିରବଲ ଜେନାନନି ଆତତାୟୀଙ୍କ ଗୁଳିମାଡ଼ରେ ଆଖି ବୁଜିଛନ୍ତି। ସେ ତାଙ୍କ କ୍ଲିନିକରୁ ଘରକୁ ଫେରୁଥିବା ବେଳେ ଏପରି ଘଟଣା ଘଟିଛି। କରାଚି ମେଟ୍ରୋପଲିଟାନ କର୍ପୋରେସନ(କେଏମସି)ର ପୂର୍ବତନ ବରିଷ୍ଠ ନିର୍ଦ୍ଦେଶକ ଓ ଆଖି ବିଶେଷଜ୍ଞ ଡାକ୍ତର ବିରବଲଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଥିବା ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ପୁଲିସ୍‌ କହିଛି ଯେ ଡାକ୍ତର ବିରବଲ ଓ ତାଙ୍କ ସହଯୋଗୀ ମହିଳା ଡାକ୍ତର ମିଳିତ ଭାବେ ରାମସ୍ୱାମୀରୁ ଗୁଲଶନ ଇ- ଇକବାଲ ଯାଉଥିଲେ। ତେବେ ଲାୟାରି ଏକ୍ସପ୍ରେସ ୱେରେ ସେମାନେ ଯାଉଥିବା ବେଳେ ଗାର୍ଡେନ ଇଣ୍ଟରଚେଞ୍ଜ ନିକଟରେ ସେମାନଙ୍କ କାରକୁ ଟାର୍ଗେଟ କରି ଗୁଳିମାଡ଼ ହୋଇଥିଲା। ଘଟଣା ସ୍ଥଳରେ ଡାକ୍ତର ବିରବଲଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହ ଥିବା ମହିଳା ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ମୃତହାତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସିସିଟିଭି ଦୃଶ୍ୟ ଅନୁଯାୟୀ, ଗୁଳିମାଡ଼ ପରେ ଡାକ୍ତର ବିରବଲଙ୍କ କାର ଭାରସାମ୍ୟ ହରାଇ ଥିଲା ଓ ନିକଟରେ ଥିବା ଗୋଟିଏ କାନ୍ଥରେ ଖୁବ ଜୋରରେ ପିଟି ହୋଇଯାଇଥିଲା। ଏସଏସ୍‌ପି ଆରିଫ ଅଜିଜ କହିଛନ୍ତି, ଏହା ଏକ ଟାର୍ଗେଟ କିଲିଂ। ହତ୍ୟା ପଛର କାରଣ ଏଯାଏ ସ୍ପଷ୍ଟ ହୋଇଛି। ବର୍ତ୍ତମାନ ଚିକିତ୍ସିତ ହେଉଥିବା ଡାକ୍ତର ବିରବଲଙ୍କ ସହଯୋଗୀ ମହିଳା ହିଁ ସବୁ କଥା କହିପାରିବେ। ସେ ଗୁଳିମାଡ଼ରେ ଆହତ ହୋଇଛନ୍ତି। ତାଙ୍କ ବୟାନ ପରେ ଅଧିକ ତଦନ୍ତ ହେବ ବୋଲି ସେ କହିଛନ୍ତି।

ଖଲିସ୍ତାନୀ ନେତା ଅମ୍ରିତପାଲ ଆତ୍ମସମର୍ପଣ ନ କରି ପାକିସ୍ତାନ ପଳାଉ : ଅକାଳୀ ଦଳ ସାଂସଦ


ନୂଆଦିଲ୍ଲୀ,ଲୋକସଭା ସାଂସଦ ଓ ଶିରମଣୀ ଅକାଳୀ ଦଳ ମୁଖ୍ୟ ଶିମରନଜିତ ସିଂହ ମାନ ଖୋଲାଖୋଲି ଭାବେ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ଆତ୍ମସମର୍ପଣ କରିବାକୁ ମନା କରିଛନ୍ତି। ସେ କହିଛନ୍ତି, ଅମ୍ରିତପାଲ ସିଂହ ଆତ୍ମସମର୍ପଣ ନ କରୁ। ସେ ରବି ନଦୀ ଅତିକ୍ରମ କରୁ ଓ ପାକିସ୍ତାନ ଚାଲି ଯାଉ। ଆମେ ୧୯୮୪ରେ ମଧ୍ୟ ପାକିସ୍ତାନ ଯାଇଥିଲୁ। କ’ଣ ଆମେ ଯାଇ ନଥିଲୁ? ଯଦି ଅମ୍ରିତପାଲ ପାକିସ୍ତାନ ଚାଲି ଯାଉଛି, ତା’ହେଲେ ଶିଖ୍‌ ଇତିହାସ ନିଶ୍ଚିତ ଏହାକୁ ଠିକ ଦର୍ଶାଇବ। କାରଣ ତା’ଜୀବନ ବିପଦରେ ରହିଛି ଓ ସରକାର ଆମ ସ୍ୱରକୁ ଚାପି ଦେଉଛନ୍ତି।

ଶିମରନଜିତ ସିଂହ ମାନ ୧୯୮୪ର ଘଟଣା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେତେବେଳେ ଶିଖ ବିରୋଧୀ ଦଙ୍ଗା ସୃଷ୍ଟି ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନିର୍ଦ୍ଦେଶକ୍ରମେ ‌ଖଲିସ୍ତାନୀ ନେତା ଜର୍ଣ୍ଣାଲି ସିଂହ ଭିନ୍ଦରନୱାଲେ ଓ ଅନ୍ୟ ଆତଙ୍କୀଙ୍କୁ ମାରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ଦୁଇ ଶିଖ ବଡିଗାର୍ଡ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପୂରା ଦେଶରେ ହିଂସା ସୃଷ୍ଟି କରିଥିଲା ଓ ୧୯୮୪ରେ ଶିଖ ବିରୋଧୀ ନରସଂହାର ଘଟିଥିଲା।

ଅପରେସନ ବ୍ଲୁ ଷ୍ଟାରର ନେତୃତ୍ୱ ନେଇଥିବା ଲ୍ୟୁଟନାଣ୍ଟ ଜେନେରାଲ କେଏସ ବ୍ରାର କହିଥିଲେ ଯେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ପାକିସ୍ତାନ ସମର୍ଥନ କରିବାର ପୂରା ସମ୍ଭାବନା ରହିଛି। କାରଣ ଯଦି କୌଣସି ସ୍ୱତନ୍ତ୍ର ଖଲିସ୍ତାନ ଦେଶ ଗଠନ ହେବ, ତା ହେଲେ ପାକିସ୍ତାନ ଏହାକୁ ସମର୍ଥନ କରିବ। ଅମ୍ରିତପାଲ ସ୍ୱର୍ଣ୍ଣ ମନ୍ଦିରରେ ଆୟୋଜିତ ହେବାକୁ ଥିବା ବୈଶାଖୀ କାର୍ଯ୍ୟକ୍ରମରେ ଆତ୍ମସମର୍ପଣ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ସେ ନିଜେ ଖଣ୍ଡନ ମଧ୍ୟ କରିଥିଲା। ଏସବୁ ଭିତରେ ଶିମରନଜିତଙ୍କ ବୟାନ ସାମ୍ନାକୁ ଆସିଛି।

ରାମନବମୀ ଶୋଭାଯାତ୍ରାକୁ ନେଇ ବିହାର ନାଲନ୍ଦା ଜିଲ୍ଲାରେ ଭୟଙ୍କର ହିଂସାକାଣ୍ଡ


ପାଟନା, ନାଲନ୍ଦା ଜିଲ୍ଲାର ବିହାରଶରିଫରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଭୟଙ୍କର ହିଂସାକାଣ୍ଡ ଘଟିଛି। ରାମନବମୀ ଅବସରରେ ଦେଶର ଅନେକ ରାଜ୍ୟରେ ହିଂସା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ, ଗୁଜରାଟରେ ଏବେ ବିହାରରେ ଉତ୍ତେଜନା ସୃଷ୍ଟି ହୋଇଛି । ବିହାରର ନାଳନ୍ଦା ଓ ସାସାରାମରେ ଦୁଇଗୋଷ୍ଠୀ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ଏହା ପରେ ସଂପୃକ୍ତ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ବିହାରଶରିଫର ଗଗନ ଦିୱାନରେ ରାମନବମୀ ଶୋଭାଯାତ୍ରାକୁ ନେଇ ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । 

ଶୋଭାଯାତ୍ରାରେ ହଜାର ହଜାର ଲୋକ ଉପସ୍ଥିତ ଥିବା ବେଳେ  ଅନ୍ୟ କେତେକ ଗୋଷ୍ଠୀଙ୍କ ପକ୍ଷରୁ ପଥରମାଡ଼ ହୋଇଥିଲା । ଏବାକୁ ନେଇ ହିଂସା ଦେଖାଯାଇଥିଲା । ଘଟଣା ଏତେ ବଢିଯାଇଥିଲା ଯେ ଉଭୟ ପକ୍ଷରୁ ଗୁଳିଚାଳନା ମଧ୍ୟ ଆରମ୍ଭ ହୋଇଥିଲା । ଏହି ହିଂସାକାଣ୍ଡରେ ଅନେକ ଘର କୁ ଟାର୍ଗେଟ କରାଯିବା ସହ ଭଙ୍ଗାରୁଜା ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ବିହାରଶରିଫ ସହରରୁ ଆରମ୍ଭ ହୋଇଥିବା ଏହି ହିଂସା ଏବେ ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିଛି।

ସେହିପରି ସାସାରାମ ସହରରେ ବି ଦୁଇ ସଂପ୍ରଦାୟ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ଚୈତି ଦୁର୍ଗାପୂଜାର ଶୋଭା ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା ଏବଂ ବିବାଦ ପରେ ପଥର ମାଡ଼ ଆରମ୍ଭ ହୋଇଥିଲା। ଯାହା ପରେ ହିଂସା କାଣ୍ଡ ଘଟିଥିଲା। ସେଠାରେ ନିଆଁ ଲାଗିଯାଇଥିଲା। କିଛି ଘରେ ନିଆଁ ଲାଗିଯାଇଥିଲା। ଗୁଳି ମଧ୍ୟ ମାଡ଼ ହୋଇଥିବା ଦାବି କରାଯାଉଛି, ଯଦିଓ ସରକାରୀ ଭାବେ କୌଣସି ସୂଚନା ମିଳିନାହିଁ। ହିଂସାକୁ ଶାନ୍ତ କରିବା ବେଳେ କିଛି ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ହାଓଡ଼ାରୁ ଥମୁନି ହିଂସା ଆଜି ପୁଣି ପଥରମାଡ଼। ହିଂସାକୁ ନେଇ ବିଜେପିକୁ ଟାର୍ଗେଟ କଲେ ମମତା


ହାଓଡ଼ା,ରାମ ନବମୀରେ ପଶ୍ଚିମବଙ୍ଗର ହାଓଡ଼ା, ଗୁଜରାଟ ବଡ଼ୋଦରା ସହରର ଫତେପୁରା ଅଞ୍ଚଳରେ ଓ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର କିରାଡ଼ପୁରାରେ ହିଂସା ଦେଖିବାକୁ ମିଳିଥିଲା। ଏହି ସବୁ ଅଞ୍ଚଳ‌ରେ ପଥର ଫିଙ୍ଗାରୁ ନେଇ ଅନେକ ଗାଡ଼ିକୁ ପୋଡ଼ାଯାଇଥିବା ଭିଡ଼ିଓ ଦେଖିବାକୁ ମିଳିଥିଲା। ଘଟଣା ଘଟିବାର ଦିନକ ପରେ ଏବେ ମଧ୍ୟ ସ୍ଥିତି ଉ‌‌ତ୍ତେଜନାମୂଳକ ରହିଛି। ଆଜି ପୁଣି ଥରେ ପଶ୍ଚିମବଙ୍ଗର ହାଓଡ଼ାରେ ହିଂସା ଉପୁଜିଛି। ରାମ ନବମୀରେ ‌ଶୋଭାଯାତ୍ରା ସମୟରେ ହାଓଡ଼ାର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା। ‌ଏବେ ବି ସେହି ହିଂସା ଜାରି ରହିଥିବା ବେଳେ ଆଜି ହୋଇଥିବା ପଥର ଫିଙ୍ଗା ଘଟଣ‌ାରେ ଟାଇମ୍ସ ନେଟ୍‌ୱର୍କର ଜଣେ ଗଣମାଧ୍ୟମ ପ୍ରନିତିଧି ଆହତ ହୋଇଛନ୍ତି। ଏହି ଘଟଣାକୁ ଦିନଟିଏ ବିତି ଯାଇଥିଲେ ବି ଏଯାଏ ପରିସ୍ଥିତି ଥଣ୍ଡା ପଡ଼ିନାହିଁ।

ରାମନବମୀରେ ହାୱଡାରେ ହୋଇଥିବା ହିଂସାକୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ହାୱଡାରେ ହୋଇଥିବା ହିଂସାକୁ ନେଇ ସେ ବିଜେପି ଉପରେ ଆଙ୍ଗୁଠି ଉଠାଇଛନ୍ତି। ଶୁକ୍ରବାର ମମତା ଦାବି କରିଛନ୍ତି ଯେ ରାମ ନବମୀ ଦିନ ହାୱଡାରେ ହୋଇଥିବା ହିଂସା ପାଇଁ  ବିଜେପି ଓ ଅନ୍ୟ ଦକ୍ଷିଣପନ୍ଥୀ ସଂଗଠନ ଦାୟୀ । ମୁଖ୍ୟମନ୍ତ୍ରୀ ସେଠାକାର ଲୋକଙ୍କୁ ଉକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ରାମନବମୀର ଦ୍ୱିତୀୟ ଦିନରେ ବି ହାୱଡାର ଶିବପୁରରେ ପଥରମାଡ ହୋଇଥିଲା । ଏବେ ସେଠାକାର ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତକାଲି ରାମନବମୀ ଉତ୍ସବ ମଧ୍ୟରେ ପଶ୍ଚିମବଙ୍ଗର ହାୱଡ଼ାରେ ବ୍ୟାପକ ହିଂସା ଉପୁଜିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବହୁ ପୋଡ଼ାଜଳା କ୍ଷୟକ୍ଷତି ହୋଇଥିଲା। 

ଅନେକ ଗାଡିରେ ନିଆଁ ଲଗାଯିବା ସହ ପରସ୍ପରକୁ ପଥରମାଡ଼ ହୋଇଥିଲା। ଦୋକାନ ବଜାର ବ୍ୟାପକ ଭଙ୍ଗାରୁଜା ହେବା ସହ ଲୁଟ୍‌ ଓ ମାରପିଟ ହୋଇଥିଲା। ହିଂସାକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ରାମ ନବମୀ ଶୋଭାଯାତ୍ରା କାଜିପାରା ଅଞ୍ଚଳ ପାର ହେଉଥିଲା ବେଳେ ଏହି ହିଂସା ଉପୁଜିଥିଲା। ହିଂସା ସମୟରେ କିଛି ପୋଲିସ ଗାଡି ସମେତ ଅନେକ କାର ନଷ୍ଟ ହୋଇଛି। ଅରାଜକକାରୀଙ୍କୁ ଦମନ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଲୁହବୁହା ଗ୍ୟାସଓ ଗୁଳି ଚଳାଇବାକୁ ପଡିଥିଲା।

କେନ୍ଦ୍ରର ନୀତି ବିରୋଧରେ କୋଲକାତାରେ ଦୁଇ ଦିନିଆ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଦଙ୍ଗାକାରୀମାନେ ଦେଶର ଶତ୍ରୁ । ହିଂସା ପଛରେ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି। ଯେଉଁମାନେ ହିଂସା ସହ ଜଡିତ ସେମାନଙ୍କୁ ରକ୍ଷା କରାଯିବ ନାହିଁ। ମୁଁ ଦଙ୍ଗାକାରୀଙ୍କୁ ସମର୍ଥନ କରେ ନାହିଁ ଏବଂ ସେମାନଙ୍କୁ ଦେଶର ଶତ୍ରୁ ବୋଲି ମନେ କରେ । ବିଜେପି ସର୍ବଦା ହାୱାଡ଼ାକୁ ଟାର୍ଗେଟ କରିଛି। ସେମାନଙ୍କ ନିଶାନାରେ ପାର୍କ ସର୍କସ ଏବଂ ଇସଲାମପୁର ମଧ୍ୟ ରହିଛି । ସମସ୍ତେ ସତର୍କ ରହିବା ଆବଶ୍ୟକ ବୋଲି ସେ ଚେତାବନୀ ଦେଇଛନ୍ତି। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଏହି ଅଭିଯୋଗକୁ ଅସ୍ୱୀକାର କରି ହିଂସା ପାଇଁ ଟିଏମସି ସରକାରଙ୍କୁ ଦାୟୀ କରିଛନ୍ତି। ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରଶାସନ ଦାୟୀ ବୋଲି ଶ୍ରୀ ଅଧିକାରୀ କହିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଖଲିସ୍ତାନୀଙ୍କ ଧମକ। ସୁରକ୍ଷା ପାଇଁ ବୈଦେଶିକ ମନ୍ତ୍ରାଳୟକୁ କଲେ ଅନୁରୋଧ


ନୂଆଦିଲ୍ଲୀ,ଆମେରିକାରେ ରହୁଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅଙ୍କୁ ମିଳିଛି ଖଲିସ୍ତାନୀ ସପକ୍ଷବାଦୀଙ୍କ ଧମକ। ଏହାକୁ ନେଇ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ବୈଦେଶିକ ମନ୍ତ୍ରାଳୟକୁ ସୁରକ୍ଷା ମାଗିଛନ୍ତି। ଏଥିସହିତ ସ୍ବାତୀ ଯଥାଶୀଘ୍ର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି। ତାଙ୍କୁ ଖଲିସ୍ତାନୀ ସପକ୍ଷବାଦୀମାନେ ଫୋନ କରିବା ସହ ବାରମ୍ବାର ଧମକ ଦେଉଛନ୍ତି। ପଟିଆଲର ଜଣେ ଓକିଲ ଏପରି ଅଭିଯୋଗ କରିବା ପରେ ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ସହଯୋଗ ପାଇଁ ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଅନୁରୋଧ କରିଛନ୍ତି।

ମାନଙ୍କ ଝିଅ ସୀରାତ କୌର ମାନ ଦୀର୍ଘ ବର୍ଷ ହେଲା ଆମେରିକାରେ ରହୁଛନ୍ତି। ଏବେ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପଞ୍ଜାବ ପୁଲିସ୍‌ ଧରିବାକୁ ଉଦ୍ୟମ କରୁଛି। ଏଥିପାଇଁ ଆମେରିକା, କାନାଡା ଓ ଇଂଲଣ୍ଡରେ ରହୁଥିବା ଖଲିସ୍ତାନୀ ସପକ୍ଷବାଦୀମାନେ ବିକ୍ଷୋଭ କରୁଛନ୍ତି। ଏସବୁ ଭିତରେ ସୀରାତଙ୍କୁ ଟାର୍ଗେଟ କରାଯାଇଛି। ତାଙ୍କୁ ଫୋନ କରି ଖଲିସ୍ତାନୀ ସପକ୍ଷବାଦୀମାନେ ବିଭିନ୍ନ ପ୍ରକାରର ଧମକ ଦେଉଛନ୍ତି। ପଟିଆଲାରେ ରହୁଥିବା ଆଇନଜୀବୀ ହରମୀତ ବ୍ରାର ନିଜର ଫେସବୁକ ପୋଷ୍ଟରେ ଦାବି କରିଛନ୍ତି ଯେ ଖଲିସ୍ତାନୀ ସପକ୍ଷବାଦୀ ଓ ତା’ସହ ଜଡ଼ିତ ସଂଗଠନଗୁଡ଼ିକ ଆମେରିକାରେ ରହୁଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପିଲାମାନଙ୍କୁ ଘେରାଉ କରିବାକୁ ଯୋଜନା କରିଛନ୍ତି। ସେମାନେ ସୀରାତଙ୍କୁ ଧମକ ଦେଇଛନ୍ତି। ପିଲମାନଙ୍କୁ ଧମକାଇ ଓ ଦୁର୍ବ୍ୟବହାର କରି ତୁମେମାନେ ଖଲିସ୍ତାନ ପାଇଯିବ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ଏହି ଫେସବୁକ ପୋଷ୍ଟ ପରେ ସ୍ୱାତୀ ମାଲିୱାଲ ଟ୍ୱିଟ କରି ଏପରି କାମକୁ କାପୁରୁଷ ପଣିଆ ବୋଲି କହିଛନ୍ତି। ଏଥିସହ ସେ ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ଏହା ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ସୀରାତ କୌର ମାନ ହେଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କ ପ୍ରଥମ ପତ୍ନୀଙ୍କ ଝିଅ। ଭଗୱନ୍ତ ମାନଙ୍କ ପ୍ରଥମ ପତ୍ନୀ ଇନ୍ଦେରପ୍ରୀତ କୌର ଗେରୱାଲ ୨୦୧୫ରୁ ତାଙ୍କଠାରୁ ଅଲଗା ହୋଇ ରହୁଛନ୍ତି। ଉଭୟଙ୍କର ଛାଡ଼ପତ୍ର ମଧ୍ୟ ହୋଇ ସାରିଛି। ଇନ୍ଦେରପ୍ରୀତ ଓ ଭଗୱନ୍ତମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ତାଙ୍କ ଝିଅଙ୍କ ନାଁ ସୀରାତ ହୋଇଥିବା ବେଳେ ପୁଅଙ୍କ ନାଁ ଦିଲଶାନ। ସେମାନେ ମା’ଇନ୍ଦେରପ୍ରୀତଙ୍କ ସହ ଆମେରିକାର ସିଟ୍ଟେଲରେ ସ୍ଥାୟୀ ଭାବେ ରହୁଛନ୍ତି। ନିକଟରେ ଭଗୱନ୍ତ ମାନ ଡାକ୍ତର ଗୁରପ୍ରୀତ କୌରଙ୍କୁ ବିବାହ କରିଥିଲେ।

ମୋଦିଙ୍କୁ ସ୍ନାତକତ୍ତୋର ପ୍ରମାଣ ମାଗିବା ମାମଲାରେ କେଜ୍ରିଓ୍ବାଲଙ୍କୁ ୨୫ହଜାର ଟଙ୍କା ଜୋରିମନା କଲେ କୋର୍ଟ


ଗାନ୍ଧିନଗର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ନାତକତ୍ତୋର ପ୍ରମାଣ ପତ୍ର ଦେଖାଇବା ଆଦେଶ ଖାରଜ । ଗୁଜରାଟ ହାଇକୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ନିର୍ଦ୍ଦେଶକୁ ଖାରଜ କରିବା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜୋରିମନା ଲଗାଇଛନ୍ତି । ପିଏମଓ ପ୍ରଧାନମନ୍ତ୍ରୀଙ୍କ ମାଷ୍ଟର ଡିଗ୍ରୀ ସାର୍ଟିଫିକେଟ୍ ଦେଖାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ଉଚ୍ଚ ଅଦାଲତ କହିଛନ୍ତି । ଗୁଜରାଟ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଜଷ୍ଟିସ୍ ବିରେନ ବୈଷ୍ଣବ ଏହି ଆବେଦନକୁ ଖାରଜ୍ କରିଛନ୍ତି । ଏହା ସହିତ ଆବେଦନକାରୀଙ୍କୁ ୨୫ହଜାର ଟଙ୍କା ଜରିମାନା ଲଗାଇଛନ୍ତି । 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ନାତକତ୍ତୋର ପ୍ରମାଣପତ୍ର ଦେଖାଇବାକୁ କେନ୍ଦ୍ରୀୟ ସୂଚନା ଆୟୋଗଙ୍କୁ  ଆବେଦନ କରିଥିଲେ ।  ପରେ ସୂଚନା ଆୟୋଗ ଅଧିକାରୀ, ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ଟିଫିକେଟ୍ ଦେଖାଇବାକୁ ଗୁଜରାଟ ବିଶ୍ବବିଦ୍ୟାଳୟ ଏବଂ ମାଷ୍ଟର ଡିଗ୍ରୀ ସାର୍ଟିଫିକେଟ୍ ପାଇଁ ଦିଲ୍ଲୀ ୟୁନିଭରସିଟିକୁ  ନିର୍ଦେଶ ଦେଇଥିଲେ । ଏହାକୁ ଗୁଜରାଟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଉଚ୍ଚ ଅଦଲତ ଏହାକୁ ଖାରଜ କରିବା ସହିତ କେଜ୍ରିଓ୍ବାଲଙ୍କ ଉପରେ ୨୫ହଜାର ଟଙ୍କା ଜୋରିମନା ଲଗାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସୂଚନା ମୁତାବକ, ସେ ୧୯୭୮ରେ ଗୁଜରାଟ ବିଶ୍ବବିଦ୍ୟାଳୟରେ କଳାରେ ସ୍ନାତକ ଏବଂ ୧୯୮୩ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ କଳାରେ ସ୍ନାତକତ୍ତୋର ପାସ୍ କରିଛନ୍ତି । ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା ୟୁନିଭରସିଟି ପକ୍ଷରୁ ପକ୍ଷ ରଖି କହିଥିଲେ, ଏହି ମାମଲାରେ ଲୁଚାଇବାର କିଛି ନାହିଁ । ହେଲେ ବିଶ୍ବବିଦ୍ୟାଳୟକୁ ତଥ୍ୟ ଦେବାକୁ ଚାପ ପକାଇପାରିବେ ନାହିଁ । ସେପଟେ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଜି ସାର୍ଟିଫିକେଟ୍ ଦେଖାଇବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।   

ଗୁଜରାଟ ଅନ୍ତର୍ଗତ ଅହମଦାବାଦରେ ମୋଦି ହଟାଅ, ଦେଶ ବଞ୍ଚାଅ ପୋଷ୍ଟର ମାରି ୮ ଗିରଫ


ଅହମଦାବାଦ, ଗୁଜରାଟ ଅନ୍ତର୍ଗତ ଅହମଦାବାଦର ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ମାରି ୮ ଜଣ ଗିରଫ ହୋଇଛନ୍ତି। ମୋଦି ହଟାଅ, ଦେଶ ବଞ୍ଚାଅ ଲେଖାଥିବା ଏକାଧିକ ପୋଷ୍ଟର ଅହମଦାବାଦର ବିଭିନ୍ନରେ ସ୍ଥାନରେ ମରା ଯାଇଥିଲା। ଏହାକୁ ନେଇ ବିବାଦ ମଧ୍ୟ ଦେଖା ଦେଖା ଯାଇଥିଲା। ଏବେ ପୁଲିସ୍‌ ପୋଷ୍ଟରୁ ହଟାଇବା ସହ ୮ ଜଣଙ୍କୁ ଗିରଫ କରିଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ଆମ ଆଦ୍‌ମୀ ପାର୍ଟି (ଆପ୍‌) ଦିନକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଏମିତି ଘଟଣା ଘଟିଛି। ଆପ୍‌ର ‘ମୋଦି ହଟାଅ, ଦେଶ ବଞ୍ଚାଅ’ ଅଭିଯାନ ସମଗ୍ର ଦେଶରେ ୧୧ଟ ଭାଷାରେ କରାଯିବ। ଇଂରାଜୀ, ହିନ୍ଦୀ ଓ ଉର୍ଦ୍ଦ୍ୱୁ ପୋଷ୍ଟର ବ୍ୟତୀତ ଗୁଜରାଟୀ, ପଞ୍ଜାବୀ, ତେଲୁଗୁ, ବେଙ୍ଗଲି, ଓଡ଼ିଆ, କନ୍ନଡ, ମାଲାୟାଲମ ଓ ମରାଠୀ ଭାଷାରେ ମଧ୍ୟ ଦଳ ଚାରିଆଡ଼େ ଲଗାଇବ।

ଗତ ସପ୍ତାହରେ ଦେଶର ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମଧ୍ୟ ମୋଦିଙ୍କ ବିରୋଧରେ ପୋଷ୍ଟର ଲଗା ଯାଇଥିଲା। ଏହି ଘଟଣାରେ ପୁଲିସ୍‌ ବେଶ ସକ୍ରିୟ ହେବା ସହ ୪୯ଟି ଏଫଆଇଆର ରୁଜୁ କରିଥିଲା। ଏଥିସହ ୬ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ପୋଷ୍ଟର ଛାପି ଥିବା ଦୁଇଟି ପ୍ରିଣ୍ଟିଂ ପ୍ରେସର ମାଲିକ ରହିଛନ୍ତି। ଦିଲ୍ଲୀ ପୁଲିସ୍‌ କହିଥିଲା ଯେ ସର୍ବସାଧାଣ ସମ୍ପତ୍ତିକୁ ବିକୃତ କରିବା ଓ ପୋଷ୍ଟରରେ ପ୍ରିଣ୍ଟିଂ ପ୍ରେସର ନାଁ ନଥିବାରୁ ସମସ୍ତଙ୍କୁ ଗିରଫ କରାଯାଇଛି। ଏପରି ଗିରଫଦାରୀକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ବିରୋଧ କରିଥିଲେ। ସେ କହିଥିଲେ, ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ଏକଦା ବ୍ରିଟିଶ ବିରୋଧରେ ପୋଷ୍ଟର ମାରୁଥିଲେ। କିନ୍ତୁ ସେତେବେଳେ ଏପରି ଏଫଆଇଆର କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।

ବନ୍ଦେ ଭାରତ ଟ୍ରେନ୍‌ ଉପରେ ପଥର ଫିଙ୍ଗୁଥିବା ବ୍ୟକ୍ତିଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ୫ ବର୍ଷ ଜେଲ୍‌ ଦଣ୍ଡ


ନୂଆଦିଲ୍ଲୀ, ବନ୍ଦେ ଭାରତ ଟ୍ରେନ୍‌ ଉପରେ ପଥର ଫିଙ୍ଗୁଥିବା ବ୍ୟକ୍ତିଙ୍କ ଉପରେ ଏଣିକି କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ଘଟଣା ଘଟାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦଣ୍ଡ ଦେବାନେଇ ଘୋଷଣା କରିଛି ରେଲଓ୍ବେ। ସାଉଥ ସେଣ୍ଟ୍ରାଲ୍‌ ରେଲଓ୍ବେ (SCR) ମଙ୍ଗଳବାର ଚେତାବନୀ ଦେଇ, ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ପଥର ଫିଙ୍ଗୁଥିବା ବ୍ୟକ୍ତିଙ୍କ ଉପରେ ଏବେ ପାଞ୍ଚ ବର୍ଷର ଜେଲ୍‌ ଦଣ୍ଡ ହେବା ନେଇ କହିଛି। ନିକଟରେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଏହି ନିଷ୍ପତ୍ତି ନେଇଛି ଏସସିଆର। ଏସସିଆର କହିଛି ଗତ କିଛି ସମୟରୁ ବନ୍ଦେ ଭାରତ ଟ୍ରେନ୍‌ ଉପରେ ଲଗାତାର ପଥର ମାଡ଼ ଘଟଣା ସାମ୍ନାକୁ ଆସିଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ଏସସିଆର କହିଛି ଜାନୁଆରୀରେ ଏଭଳି ତିନି ଘଟଣା ସାମ୍ନାକୁ ଆସିଛି।

ସୂଚନାଯାଗ୍ୟ, ବନ୍ଦେ ଭାରତ ଟ୍ରେନ୍‌ ୨୦୧୯ ରେ ଆରମ୍ଭ ହୋଇଥିଲା। ଏହା ପରଠାରୁ ତେଲଙ୍ଗାନା, ବିହାର, ଉତ୍ତରପ୍ରଦେଶ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଟ୍ରେନ୍‌ ଉପରେ ପଥର ଫିଙ୍ଗିବା ଘଟଣା ସାମ୍ନାକୁ ଆସିଛି। ଏସସିଆର କହିଛନ୍ତି ଯେ ବନ୍ଦେ ଭାରତ ଟ୍ରେନ୍‌ ଉପରେ ପଥର ଫିଙ୍ଗିବା ଏକ ପ୍ରକାରର ଅପରାଧ। ଏଭଳି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ରେଲଓ୍ବେ ଆକ୍ଟର ଧାରା ୧୫୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପଥର ଫିଙ୍ଗୁଥିବା ବ୍ୟକ୍ତିଙ୍କୁ ୫ ବର୍ଷର ଜେଲ୍‌ ଦଣ୍ଡ ହୋଇପାରେ। ସାଉଥ୍‌ ରେଲଓ୍ବେ ଆହୁରି କହିଛି ଆରପିଏଫ୍‌ ଏପର୍ଯ୍ୟନ୍ତ ୩୯ ଲୋକଙ୍କୁ ଗିରଫ କରିଛନ୍ତି। ଯେଉଁମାନନେ ବନ୍ଦେ ଭାରତ ଉପରେ ପଥରମାଡ଼ କରିଥିଲେ। ଚଳିତ ମାସର ୧୧ ମାର୍ଚ୍ଚରେ ହାଓ୍ବଡ଼ା ରୁ ଜଳପାଇଗୁଡ଼ୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍ ଉପରେ ପଥର ଫିଙ୍ଗାଯାଇଥିଲା। ଯେଉଁଥିରେ ଟ୍ରେନର କାଚ ଭାଙ୍ଗିଥିଲା।

ଅଧା ରହିଗଲା ହଜ୍ ଯାତ୍ରା। ଘଟିଲା ବଡ଼ ଦୁର୍ଘଟଣା। ବସ୍‌ରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ


ନୂଆଦିଲ୍ଲୀ, ଅଧା ରହିଗଲା ହଜ୍ ଯାତ୍ରା। ଘଟିଲା ବଡ଼ ଦୁର୍ଘଟଣା। ପୋଲରେ ବାଡେଇ ହୋଇ ଓଲଟି ପଡିଲା ତୀର୍ଥ ଯାତ୍ରୀଙ୍କ ବସ୍। ପରେ ଦେଖୁ ଦେଖୁ ବସ୍‌ରେ ଲାଗିଗଲା ନଆଁ। ଏଥିରେ ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ସାଉଦି ଆରବର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ। ପିଟିଆଇର ସୂଚନା ମୁତାବକ, ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅତି କମ୍‌ରେ ୨୯ ଜଣ ଆହତ ହୋଇଛନ୍ତି। ୟେମେନ ସୀମାରେ ଥିବା ଦକ୍ଷିଣ-ପଶ୍ଚିମ ଦିଗରେ ଆସିର ପ୍ରଦେଶ ଦେଇ ତୀର୍ଥଯାତ୍ରୀ ବସ୍‌ଟି ଯାଉଥିବା ବେଳେ ବ୍ରେକ୍ ଫେଲ୍ ହେବା ଯୋଗୁ ଏହି ଦୁର୍ଘଟଣା ଘଟିଛି। 

ବସ୍‌ଟି ପ୍ରଥମେ ଏକ ପୋଲକୁ ବାଡେଇ ହୋଇ ରାସ୍ତା କଡକୁ ଓଲଟି ପଡିଥିଲା। ଏହାପରେ ଏଥିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗୁଁ ଯାତ୍ରୀଙ୍କୁ ଉଦ୍ଧାର କରିବା ମୁସକିଲ୍ ହୋଇଥିଲା। ଫଳରେ ୨୦ ଯାତ୍ରୀ ଜୀବନ୍ତ ଜଳି ଯାଇଥିବା କୁହାଯାଉଛି। ଏଥିସହ ୨୯ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ଦମକଳବାହିନୀ ମଧ୍ୟ ବସ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ।

ପୁଲିସ ମୁତାବକ, ବସ୍‌ରେ ଥିବା ସମସ୍ତ ଯାତ୍ରୀ ଉମ୍ରା କରିବାକୁ ଯାଉଥିଲେ। ସ୍ଥାନୀୟ ଲୋକଙ୍କ ସହ ବସ୍‌ରେ ବହୁ ବିଦେଶୀ ଯାତ୍ରୀ ମଧ୍ୟ ଥିଲେ। ତେବେ ବସ୍ ଭିତରେ କେଉଁ କେଉଁ ଦେଶର ଯାତ୍ରୀ ଥିଲେ ସେ ନେଇ କିଛି ସୂଚନା ମିଳିନାହିଁ। ଦୁର୍ଘଟଣା ବେଳେର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି। 

ରାଜନୀତିରେ ଧର୍ମର ବ୍ୟବହାର ବନ୍ଦ ହେଲେ, ଦୂର ହେବ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ : ସୁପ୍ରିମକୋର୍ଟ


ନୂଆଦିଲ୍ଲୀ,ଘୃଣା ସୃଷ୍ଟିକାରୀ ଭାଷଣ ସମ୍ପର୍କିତ ମାମଲାରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ରାଜନୀତି ଓ ଧର୍ମ ଅଲଗା ହେବା ସହ ରାଜନେତାମାନେ ରାଜନୀତିରେ ଧର୍ମ ବ୍ୟବହାର ବନ୍ଦ କରିବା କ୍ଷଣି ଏଭଳି ଭାଷଣ ଦୂର ହେବ। କୋର୍ଟ କହିଛନ୍ତି, ଯେ ଏଭଳି ଘୃଣା ସୃଷ୍ଟିକାରୀ ଉପାଦାନ ଠାରୁ ଲୋକମାନେ ନିଜକୁ ଦୁରେଇ ରଖିବା ଉଚିତ୍।ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରଥନାଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣକୁ ଦର୍ଶାଇ କହିଛନ୍ତି ଯେ ଦୁର୍ଗମ ଅଞ୍ଚଳ ତଥା ଦେଶର କୋଣ ଅନୁକୋଣରୁ ଲୋକମାନେ ସେମାନଙ୍କ ଭାଷଣ ଶୁଣିବା ପାଇଁ ଏକାଠି ହେଉଥିଲେ। କେତେ ଲୋକ ଅଦାଲତ ଅବମାନନା ଭଳି କାର୍ଯ୍ୟ ଆରମ୍ଭ କରିପାରିବେ ବୋଲି ପ୍ରଶ୍ନ କରିବା ସହ ଖଣ୍ଡପୀଠ କହିଛନ୍ତି ଯେ ଅନ୍ୟ ନାଗରିକ କିମ୍ବା ସମ୍ପ୍ରଦାୟକୁ ଅପମାନ ନକରିବା ପାଇଁ ଭାରତର ଲୋକମାନେ କାହିଁକି ପ୍ରତିଶ୍ରୁତି ଦେଇ ପାରିବେ ନାହିଁ? କୋର୍ଟ କହିଛନ୍ତି, ଘୃଣ୍ୟ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବାରେ ରାଜ୍ୟଗୁଡିକ ବିଫଳ ହେବାରୁ ମଧ୍ୟ ଏଭଳି ଘଟୁଛି।

ବିଜେଡିରେ କମ୍ପନ। ବଣିକ୍‌’ କୋଚିଂ ସେଣ୍ଟର ଉପରେ କେନ୍ଦ୍ରୀୟ ଜିଏସଟି ଚଢ଼ଉ


ଭୁବନେଶ୍ବର, ବିଜେଡି ଆଇଟି ସେଲ୍ ପୂର୍ବତନ ମୁଖ୍ୟ ତଥା ବିଜେଡି ସଂଗଠନ ସମ୍ପାଦକଙ୍କ ଖାସ୍ ଅନୁଗତ ସୁବ୍ରତ କୁମାର ଛାଟୋଇଙ୍କ ‘ବଣିକ୍‌’ କୋଚିଂ ସେଣ୍ଟର ଉପରେ କେନ୍ଦ୍ରୀୟ ଜିଏସଟି ଚଢ଼ଉ କରିବା ପରେ ଶାସକ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ସୁବ୍ରତ ଓ ସୀତା ଲତା ଛାଟୋଇଙ୍କ ମାଲିକାନାରେ ଥିବା ‘ବଣିକ୍‌’ ଏଜୁକେସନ୍ ପ୍ରାଇଭେଟ୍ ଲିମିଟେଡ୍ ଓ ‘ବଣିକ୍‌’ ପବ୍ଲିକେସନ୍ ପ୍ରାଃ ଲିମିଟେଡ ନାମକ ଦୁଇଟି କମ୍ପାନୀ ଉପରେ ଜିଏସଟି ଫାଙ୍କିବାର ସନ୍ଦେହ କରି ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି। ତେବେ ସୁବ୍ରତଙ୍କ ବ୍ୟବସାୟିକ ସମ୍ପୃକ୍ତି ସିଧାସଳଖ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓ ତାଙ୍କ ବ୍ୟକ୍ତିଗତ କର୍ମଚାରୀମାନଙ୍କ ସହ ରହିଥିବାରୁ ଏହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜିଏସଟି ଇଣ୍ଟେଲିଜେନ୍ସ ଅତିରିକ୍ତ ମହାନିର୍ଦ୍ଦେଶକ ଦେବାଶୀଷ ସାହୁ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗତକାଲି ‘ବଣିକ୍‌ କୋଚିଂ ସେଣ୍ଟର’ ସହ ଜଡିତ ୨ଟି ସ୍ଥାନରେ କେନ୍ଦ୍ରୀୟ ଜିଏସଟି ଟିମ୍ ଦ୍ୱାରା ଚଢ଼ଉ ହୋଇଥିଲା। ଏଭଳି ପ୍ରାୟ ୧୦ଟି ଚଢ଼ଉ ନିୟମିତ ଭାବେ ପ୍ରତିମାସରେ ହୁଏ। ବିଭିନ୍ନ ସୂତ୍ରରୁ ମିଳୁଥିବା ଗୁଇନ୍ଦା ତଥ୍ୟ (କମ୍ପ୍ୟୁଟର ସିଷ୍ଟମରୁ ମିଳୁଥିବା ତଥ୍ୟ ବି ସାମିଲ)କୁ ଆଧାର କରି ଏହି ଚଢ଼ଉ କରାଯାଇଥାଏ। ଏବେ ସମ୍ପୃକ୍ତ ସଂସ୍ଥା କ’ଣ ନିର୍ଦ୍ଦିଷ୍ଟ ଭାବେ ଠକେଇ କରିଛି ତାହା କହିବା ସମ୍ଭବପର ନୁହେଁ। ଦସ୍ତାବିଜ ଜବତ କରାଯାଇଛି ଓ ସେସବୁକୁ ଅନୁଧ୍ୟାନ କରାଯିବା ପରେ ହିଁ ଯାହାକିଛି ସଠିକ୍ ତଥ୍ୟ ଦେଇହେବ। ଯେଉଁଠି କିଛି ଟିକସ ଫାଙ୍କିର ସନ୍ଦେହ ଥାଏ ସେଠାରେ ଚଢ଼ଉ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର କଳା କାରବାର ହୋଇଛି। ଯେଉଁଥିରେ ୨୨୦୦କୋଟି ଟଙ୍କାର ଜିଏସଟି ଫାଙ୍କିବା ରହିଛି। ସେହିପରି ଛତିଶଗଡ଼ରେ ପ୍ରାୟ ୫-୬ ହଜାର କୋଟି ଟଙ୍କାର କଳା କାରବାର ହୋଇଛି ଓ ସେଥିରେ ପ୍ରାୟ ୧୨୦୦କୋଟି ଟଙ୍କା ଜିଏସଟି ଫାଙ୍କି ସାମିଲ ରହିଛି। ତେଣୁ ଏହି ସଂସ୍ଥା ସହ ଜଡ଼ିତ ଜିଏସଟି ତଥ୍ୟକୁ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଆବଶ୍ୟକ ସୂଚନା ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।

ଏପଟେ ‘ବଣିକ୍‌ କୋଚିଂ ସେଣ୍ଟର’ ଉପରେ ଜିଏସଟି ଚଢ଼ଉକୁ ନେଇ ଆଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଧାନସଭାରେ ତାଙ୍କ ଦଳ ଏହି କୋଚିଂ ସେଂଟରକୁ ତଦନ୍ତ ପରିସରଭୁକ୍ତ କରିବା କଥା ଉଠାଇବ। ରାଜ୍ୟରେ ସମସ୍ତ ନିଯୁକ୍ତି ଜାଲିଆତିରେ ବିଜେଡି ନେତାମାନଙ୍କ ସମ୍ପୃକ୍ତି ରହିଛି। ସୁବ୍ରତ ଛାଟୋଇ ହେଉଛି ବିଜେଡି ଆଇଟି ସେଲ୍ ସଦସ୍ୟ । ତାଙ୍କ ପଛରେ ବିଜେଡିର ବଡ଼ବଡ଼ ଲୋକ ଅଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ନିଯୁକ୍ତି ଯାହା ଓପିଏସସି ଓ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ ଦ୍ୱାରା ହେଉଛି ଅବା ଅନ୍ୟାନ୍ୟ ସରକାରୀ ଚାକିରି ଯାହା ବାହାରୁଛି ସେଥିରେ ସେମାନଙ୍କୁ ଶତପ୍ରତିଶତ ନିଯୁକ୍ତି ମିଳିବ ବୋଲି ଭାନିକ୍ କୋଚିଂ ସେଂଟରରେ ପଢ଼ୁଥିବା ପିଲାମାନଙ୍କୁ ପ୍ରତିଶ୍ରୁତି ଦିଆଯାଇ ଆଡମିଶନ କରାଯାଉଛି । ଏସବୁ ପ୍ରସଙ୍ଗକୁ ତାଙ୍କ ଦଳ ପକ୍ଷରୁ ବିଧାନସଭାରେ ଉତଥାପନ କରାଯିବ।

ସେହିପରି କଂଗ୍ରେସ ନେତା ସୌମ୍ୟକାନ୍ତ ଖୁଂଟିଆ କହିଛନ୍ତି ଯେ, ସୁବ୍ରତ ଛାଟୋଇ କୋଟିକୋଟି ପରିମାଣର କଳାଟଙ୍କା ଉପାର୍ଜନ କରୁଛି। ଗତ ପଂଚାୟତ ନିର୍ବାଚନରେ କାକଟପୁର ବ୍ଲକରେ ନିଜର ଭାଉଜଙ୍କୁ ପ୍ରାର୍ଥୀ କରିବାବେଳେ ସେ ଯେଉଁ ହାରରେ ଟଙ୍କା ଖର୍ଚ୍ଚ କରିଥିଲା ସେଥିରୁ ଜଳଜଳ ହୋଇ ଜଣାପଡ଼ୁଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆଡ଼େ ଯାଉଛନ୍ତି ସେ ତାଙ୍କ ପଛେ ପଛେ ଯାଉଛି। ଯେଉର୍ମାନେ ସରକାର ଚଳାଉଛନ୍ତି ସେମାନଙ୍କ ସହ ସମ୍ପର୍କ ରଖି ସେ ଏଭଳି ବିପୁଳ କଳାଟଙ୍କା ଉପାର୍ଜନ କରିଛି ବୋଲି ଶ୍ରୀ ଖୁଂଟିଆ କହିଛନ୍ତି।

ଅନ୍ୟପକ୍ଷରେ ଖୋଳତାଡ଼ରୁ ଜଣାପଡ଼ିଛି ଯେ, ସୁବ୍ରତ ଛାଟୋଇ ମୋଟ ୮ଟି କମ୍ପାନୀରେ ନିର୍ଦ୍ଦେଶକ ଅଛନ୍ତି। ଆଉ ଗତ କରୋନା କାଳରେ ୨୦୨୧ ମସିହାରେ ସେ ୨ଟି ନୂଆ କମ୍ପାନୀ ଖୋଲିଥିବାବେଳେ ଗତ ୩ମାସ ତଳେ ମଧ୍ୟ ଆଉ ଏକ ନୂଆ କମ୍ପାନୀ ଖୋଲିଛନ୍ତି। ୨୦୨୧ ଅଗଷ୍ଟ ୩୧ତାରିଖରେ ସେ ଖୋଲିଥିବା ନୂଆ କମ୍ପାନୀ ଓରିଭିଲା ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡରେ ତାଙ୍କର ସହଭାଗୀ ପ୍ରକାଶ ଚନ୍ଦ୍ର ମହାନ୍ତି ଅଛନ୍ତି। ଶ୍ରୀ ମହାନ୍ତି ଏବେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ଅନୁଗତ ଭାବେ କାର୍ଯ୍ୟ କରୁଛନ୍ତି ଓ କରୋନା କାଳରେ ଗତ ୨୦୨୧ ମସିହାରେ ଶ୍ରୀ ମହାନ୍ତି ମୋଟ ୩ଟି ନୂଆ କମ୍ପାନୀ ଯଥା ରାଇଡର୍ସ ମିନେରାଲ ପ୍ରାଇଭେଟ୍ ଲିମିଟେଡ , ରାଇଡର୍ସ ଲଜିଷ୍ଟିକ ଲିମିଟେଡ ଓ ଓରିଭିଲା ପ୍ରର୍ପଟିଜ୍ ପ୍ରାଃ ଲିଃ ଖୋଲିଛନ୍ତି।

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ସବୁ ଦୁର୍ନୀତିଖୋର ଗୋଟିଏ ମଞ୍ଚରେ ଏକାଠି : ମୋଦୀ


ଦିଲ୍ଲୀ, ବିଜେପିର କାର୍ଯ୍ୟାଳୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ପରୋକ୍ଷରେ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଆଉ କିଭଳି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ସବୁ ଦୁର୍ନୀତିଖୋର ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି ତା’ରା ଉଦାହରଣ ଦେଇ କଂଗ୍ରେସକୁ ସମର୍ଥନ କରି ସୋମବାର ବିଳମ୍ବିତ ରାତିରେ ବିରୋଧୀ ଦଳର ବୈଠକକୁ ସେ କଟାକ୍ଷ କରିଛନ୍ତି। ରାହୁଲ ଗାନ୍ଧୀ ସାଂସଦ ଭାବେ ଅଯୋଗ୍ୟ ଘୋଷିତ ହେବା ପରେ ମୋଦି ପରୋକ୍ଷରେ କହିଛନ୍ତି, କିଛି ବ୍ୟକ୍ତି କୋର୍ଟଙ୍କ ରାୟକୁ ବି ପ୍ରଶ୍ନ ଉଠାଇବାକୁ ଛାଡୁନାହାନ୍ତି।

ସେ କହିଛନ୍ତି, କଂଗ୍ରେସ ଶାସନ କାଳରେ କିଛି ଲୋକ ବ୍ୟାଙ୍କଗୁଡ଼ିକୁ ଲୁଟ କରିଥିଲେ। ଆଜି ବିଜେପି ସରକାର ଏହି ଲୋକଙ୍କର ପ୍ରାୟ ୨୦ ହଜାର କୋଟି ଟଙ୍କା ସମ୍ପତ୍ତି ଜବତ କରିଛି। ବିଜେପିକୁ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ବିରୋଧରେ ଲଢିବାକୁ ପଡ଼ିବ। ଦେଶ ପାଇଁ ଲଢେଇ କରିବ ଏବଂ ଦେଶ ବାହାରେ ଥିବା ଶକ୍ତି ବିରୋଧରେ ଲଢିବ ବୋଲି ସେ କହିଛନ୍ତି। ୧୯୮୪ରେ ବିଜେପିର କେବଳ ୨ ସାଂସଦ ଥିଲେ କିନ୍ତୁ ଏଥିରେ ହତାଶ ନହୋଇ ଆଗେଇ ଚାଲିଛୁ। ଯାହାର ପରିଣାମ ୨୦୧୯ରେ ବିଜେପି ୩୦୩ଟି ଆସନରେ ଏକାକୀ ନିର୍ବାଚନ ଜିତିଛି। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ନେତାମାନେ ଏକଦା କହୁଥିଲେ ଯେ ସେମାନେ ଜନ ସଂଘକୁ ଫିଙ୍ଗି ଦେବେ। ଆଜିର କଂଗ୍ରେସ କହୁଛି, ମୋଦି, ଆପଣଙ୍କର କବର ଖୋଳାଯିବ। ଜନସଂଘ ଏବଂ ବିଜେପିକୁ ଧ୍ୱଂସ କରିବାକୁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଆଜି ବିଜେପି କେବଳ ଦୁନିଆର ସବୁଠୁ ବଡ ଦଳ ନୁହେଁ, ବରଂ ବିଜେପି ହେଉଛି ଭାରତର ସବୁଠୁ ଭବିଷ୍ୟତବାଦୀ ଦଳ। ଆମର କେବଳ ଗୋଟିଏ ଲକ୍ଷ୍ୟ ଅଛି। ଭବିଷ୍ୟତର ଏକ ଆଧୁନିକ ଏବଂ ବିକଶିତ ଭାରତ ଗଠନ କରିବା। ବିଜେପି କେବଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଏବଂ ଜିତିବାରେ ସୀମିତ ନୁହେଁ। ବିଜେପି ହେଉଛି ଏକ ବ୍ୟବସ୍ଥା, ବିଜେପି ହେଉଛି ଏକ ଧାରଣା, ବିଜେପି ହେଉଛି ଏକ ସଂଗଠନ, ବିଜେପି ହେଉଛି ଏକ ଆନ୍ଦୋଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ଦଣ୍ଡିତ ହୋଇ ସାଂସଦ ପଦ ହରାଇଛନ୍ତି। ଏହପରେ କଂଗ୍ରେସଠୁ ଦୂରେଇ ରହୁଥିବା ଦଳ ଟିଏମସି, ଆମ୍ ଆଦମୀ ପାର୍ଟି, ବିଆରଏସ ଭଳି ଦଳ ମଧ୍ୟ ରାହୁଲ ସାଂସଦ ପଦ ହରାଇବାକୁ ସମାଲୋଚନା କରିଛନ୍ତି। ଆଉ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଯୋଗ ଦେଇଥିଲା। ଏହାକୁ ନେଇ ଏବେ ମୋଦି କହିଛନ୍ତି, ସବୁ ଦୁର୍ନୀତିଖୋର ଏବେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି।

ଓଡ଼ିଶାରେ ମରୁଡି ପରିସ୍ଥିତିର ମୁକାବିଲା ନିମନ୍ତେ ବହୁବିଧ ବିଶେଷଜ୍ଞତାର ଏକତ୍ରିକରଣ


ଭୁବନେଶ୍ୱର,ଓଡ଼ିଶାରେ ମରୁଡି ପରିସ୍ଥିତିର ମୁକାବିଲା ନିମନ୍ତେ ବହୁବିଧ ବିଶେଷଜ୍ଞତାର ଏକତ୍ରିକରଣ, ତଥ୍ୟର ଅନୁଶୀଳନ ଏବଂ ମରୁଡି ସଂପର୍କରେ ଆଗୁଆ ସଂକେତ ବ୍ୟବସ୍ଥା ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ କର୍ମଶାଳାରେ ବିଶେଷଜ୍ଞମାନେ ଏହି କର୍ମଶାଳାରେ ଆମେରିକାର ଟେକ୍ସାସ୍ ଏ ଆଣ୍ଡ ଏମ୍ ବିଶ୍ଵବିଦ୍ୟାଳୟର ପ୍ରଫେସର ବିନାୟକ ମହାନ୍ତି ଯୋଗ ଦେଇ ମରୁଡି ପରିସ୍ଥିତିରେ ଭଲ ଫସଲ ଓ ଜଳ ପରିଚାଳନା କ୍ଷେତ୍ରରେ ସଏଲ ମଏଶ୍ଚର ଡାଏନାମିକ୍ସ ଓ ଟେମ୍ପୋରାଲ ଭାରିଏବିଲିଟି ଉପରେ ଗୁରୁତ୍ବାରୋପ କରିଥିଲେ । ସୋଆ ପରିଚାଳିତ ସଂଟର ଫର୍ କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲ୍‌ଚର (ସିସିଏସ୍ଏ) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟି ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ‘ଡ୍ରଟ ସିନାରିଓ ଇନ୍ ଓଡ଼ିଶା: ଆଡାପ୍ଟେସନ୍ ଆଣ୍ଡ୍ ମିଟିଗେସନ୍ ଷ୍ଟ୍ରାଟେଜିସ୍' ଶୀର୍ଷକ ଏହି କର୍ମଶାଳା ଆୟୋଜିତ ହୋଇଥଲା ।

ଏହି କର୍ମଶାଳାରେ ଅନ୍ୟ ବିଶେଷଜ୍ଞମାନଙ୍କ ମଧ୍ୟରେ ଆଇସିଏଆର୍-ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଟ, ଭୁବନେଶ୍ଵର ର ନିର୍ଦ୍ଦେଶକ ଡକ୍ଟର ଅର୍ଜାମଦତ ଷଡ଼ଙ୍ଗୀ, ଡେରାଡୁନ୍ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସଏଲ୍ ଆଣ୍ଡ ୱାଟର କରଭେସନ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ପ୍ରଶାନ୍ତ କୁମାର ମିଶ୍ର, ସୋଆ ସିସିଏସ୍ଏର ନିର୍ଦ୍ଦେଶକ ପ୍ରଫେସର ଆର୍.କେ ପଣ୍ଡା, ଆଇଆଇଟି ଭୁବନେଶ୍ଵରର ଡକ୍ଟର ମିନୁ ରାମଦାସ, ଓଡ଼ିଶା ମିଲେଟ୍ ମିସନ୍‌ର ଆଂଚଳିକ ସଂଯୋଜକ ଶ୍ରୀ ସଞ୍ଜିବ କୁମାର ନାୟକ, ସୋଆ ଆଇଏଏସ୍‌ର ଆଗ୍ରୋନୋମୀ ବିଭାଗର ପ୍ରଫେସର ବାସୁଦେବ ବେହେରା, ସିସିଏସଏ ର ଡକ୍ଟର ନିହାର ରଂଜନ ଦାସ, ଆଇଏଏସ୍‌ର ଡକ୍ଟର ପ୍ରଭାତ ଷଡଙ୍ଗୀ ଏବଂ ଆଇଆଇଟି ଭୁବନେଶ୍ଵରର ପୂର୍ବତନ ରିସର୍ଚ୍ଚ ସ୍କଲାର ଡକ୍ଟର ବସୁନ୍ଧରା ବୋର୍ଡେ ପ୍ରମୁଖ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଦୁଇଟି ଟେକ୍ନିକାଲ୍ ସେସନ୍ ହୋଇଥିବା ବେଳେ ଏହାକୁ ପରିଚାଳନା କରିଥିଲେ ବିଶିଷ୍ଟ ବାତାବରଣ ବିଜ୍ଞାନ ବିଶେଷଜ୍ଞ ପ୍ରଫେସର ୟୁ.ସି ମହାନ୍ତି । ସୋଆ ପକ୍ଷରୁ ନୂତନ ଭାବେ ଆରମ୍ଭ ହୋଇଥିବା ସିସିଏସ୍ଏର ଲକ୍ଷ୍ୟ ରହିଛି ପରିବର୍ତିତ ଜଳବାୟୁ ପରିସ୍ଥିତି ସହ ଖାପ ଖୁଆଇ ଅଭିନବ ଓ ଉନ୍ନତ ମାନର କୃଷି କାର୍ଯ୍ୟକୁ ଆଗେଇ ନେବା ଏବଂ ଏହା ଦ୍ବାରା କୃଷକମାନଙ୍କର କିଭଳି ଆର୍ଥିକ ସ୍ତରରେ ଉନ୍ନତି ହୋଇପାରିବ ସେ ଦିଗରେ ଧ୍ୟାନ ଦେବା ବୋଲି ଏହାର ନିର୍ଦ୍ଦେଶକ ପ୍ରଫେସର ପଣ୍ଡା କହିଛନ୍ତି

ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ


ଭୁବନେଶ୍ୱର, ଆଜି ତା. ୨୮/୦୩/୨୦୨୩ ରିଖ ଅପରାହ୍ନରେ ଶ୍ରୀ ନିକୁଞ୍ଜ ବିହାରୀ ଧଳ (ଭା.ପ୍ର.ସେ) ନୂତନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ମୁଖ୍ୟ ନିର୍ବାଚନ ଜଣାଇଥିଲେ । ଶ୍ରୀ ଧଳ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ, ଶକ୍ତି, ଅବକାରୀ, ଓସ୍ତମା ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ଵରେ ରହି ସୁଚାରୁ ରୂପେ କାର୍ଯ୍ୟ ସଂପାଦନ କରିଛନ୍ତି ।

ଉଚ୍ଚ ଶିକ୍ଷାରେ ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ଶିକ୍ଷା ଓ ଦକ୍ଷତା ବିକାଶର ଭବିଷ୍ୟତ ସୁନିଶ୍ଚିତ କରିବ - ଧର୍ମେନ୍ଦ୍ର ପ୍ରଧାନ


ଅହମ୍ମଦବାଦ, ମାର୍ଚ୍ଚ ୨୮ - ଦେଶରେ ପ୍ରଥମ ଥର ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆମେ ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହା ଆମ ଶିକ୍ଷା ଓ ଦକ୍ଷତା ବିକାଶର ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ମାର୍ଗ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗୁଜୁରାଟ ଅହମ୍ମଦବାଦ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗଳବାର ଅନନ୍ତ ଜାତୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ ସହ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କୁ ଭେଟିବା ପରେ ଆୟୋଜିତ ‘ଫ୍ୟୁଚର ଅଫ୍ ଲର୍ଣ୍ଣିଂ କୋଲାବରେଟିଭ୍ ଆଲୋଚନା ଚକ୍ର’ରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ହେବ ଜ୍ଞାନର ଶତାବ୍ଦୀ । ଏହି ଶତାବ୍ଦୀ, ଜ୍ଞାନ ମାଧ୍ୟମରେ ସଶକ୍ତ ହେବାର ଶତାବ୍ଦୀ । ଭାରତ ଜି-୨୦ର ଅଧ୍ୟକ୍ଷତା କରିବା ସମୟରେ ଏହି ବିଚାରବିମର୍ଷ ବିଶ୍ୱ ଆକାଂକ୍ଷା ଓ ଶିକ୍ଷାର ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ସହାୟକ ହେବ ।    

ଭାରତୀୟ ଜନଜୀବନ ଏବଂ ଜ୍ଞାନ ପରମ୍ପରା ‘ସମଗ୍ର’ ବିଷୟ ବସ୍ତୁ ଉପରେ ଆଧାରିତ । ଆଧୁନିକ ସମୟରେ ସାମଗ୍ରିକ ଚିନ୍ତନ ଭାରତୀୟ ପରମ୍ପରାର ଅଭିବ୍ୟକ୍ତି । ଡିଜାଇନ ଥିଙ୍କିଂ ଆଜି ଆମକୁ ଭାରତୀୟ ପରମ୍ପରା ମାଧ୍ୟମରେ ମାନବ କଲ୍ୟାଣକୁ ପୁର୍ନଜୀବିତ କରିବା ପାଇଁ ପୁଣି ଥରେ ସୁଯୋଗ ଦେଇଛି । ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଦ୍ୱାରା ଆମେ ଶହ ଶହ ଶତାବ୍ଦୀ ପୁରୁଣା ପରମ୍ପରା ‘ଆଇଡିଏଟ୍, କ୍ରିଏଟ୍ ଏବଂ ଟେଷ୍ଟ୍’ ସାହାଯ୍ୟରେ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ପୁନଃକଳ୍ପନା କରୁଛୁ । ଏହା ସହ ଶିକ୍ଷାକୁ ଅଭ୍ୟାସଗତ ଓ ମାନବ କେନ୍ଦ୍ରୀକ କରିବା ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନା ଶତପ୍ରତିଶତ କ୍ରିୟାନ୍ୱୟନ ଶାସନ ବ୍ୟବସ୍ଥାରେ ଡିଜାଇନ ଥିଙ୍କିଂର ବଡ଼ ଉଦାହରଣ । ଏହି ଆଲୋଚନା ଚକ୍ର ଶିକ୍ଷାର ସାର୍ବଜନୀନ ଉଦ୍ଦେଶ୍ୟକୁ ଶିକ୍ଷା ଗ୍ରହଣ ଓ ଆର୍ଥିକ ବିକାଶର କେନ୍ଦ୍ରବିନ୍ଦୁ ହେବ  ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ଜାଗା ମିସନ୍‌କୁ ବିବାଦ ପିଛା ଛାଡୁନି। ଗତ ୭ ଦିନରେ ଜାଗା ମିସନକୁ ନେଇ ୧୪୦ରୁ ଊର୍ଦ୍ଧ୍ବ ଅଭିଯୋଗ


ଭୁବନେଶ୍ବର, ଜାଗା ମିସନ୍‌କୁ ବିବାଦ ପିଛା ଛ‌ାଡ଼ୁନି। ପ୍ରାଥମିକ ପର୍ଯ୍ୟାୟରେ ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିବା ତାରିଖ ଯେତିକି ପାଖେଇ ଆସୁଛି ବିବ‌ାଦ ସେତିକି ବଢ଼ୁଛି। କେତେବେଳେ ଏସ୍‌ଡିଏ(ବସ୍ତିବାସିନ୍ଦା ସଂଘ)ଙ୍କ ହସ୍ତକ୍ଷେପ ତ’ ଆଉ କେତେବେଳେ ଜାଣି ଜାଣି ଯୋଗ୍ୟ ବାସିନ୍ଦାଙ୍କୁ ସର୍ଭେରୁ ବାଦ୍‌ ଦେବା ଅଭିଯୋଗକୁ ନେଇ ଭୁବନେଶ୍ବରରେ ଜାଗା ମିସନ ଚର୍ଚ୍ଚାରେ ରହିଛି। ଗତ ୭ ଦିନରେ ଜାଗା ମିସନକୁ ନେଇ ଏଭଳି ୧୪୦ରୁ ଊର୍ଦ୍ଧ୍ବ ଅଭିଯୋଗ ଆସିଛି। ଏସ୍‌ଡିଏଙ୍କ ହସ୍ତ‌କ୍ଷେପରୁ ମୁକ୍ତ ରହିବା ପାଇଁ ବିଏମ୍‌ସି ବିଭିନ୍ନ ବସ୍ତିରେ ହୋର୍ଡିଂ ଲଗାଇ ଜନସାଧାରଣଙ୍କୁ ସଚେତନ କରାଇବା ବ୍ୟବସ୍ଥା କରିଥିବା ବେଳେ ଏହି ମିସନକୁ ନେଇ ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି।

ଜାଗା ମିସନ କେବଳ ପୌରାଞ୍ଚଳରେ ଥିବା ବସ୍ତିବାସିନ୍ଦାଙ୍କ ପାଇଁ ପ୍ରଯୁଜ୍ୟ ହୋଇଥିବା ବେଳେ ଭୁବନେଶ୍ବର ଉପକଣ୍ଠରେ ପଞ୍ଚାୟତ ଅଞ୍ଚଳରେ ଥିବା ବସ୍ତିକୁ ଜାଗା ମିସନ୍‌ ଅଧୀନରେ ସର୍ଭେ କରି ବିଏମ୍‌ସି କଳିମଞ୍ଜି ପୋତିଛି। ଗୋଟିଏ ବସ୍ତି କାହିଁକି ସାମିଲ କରାଯିବ, ଆମକୁ କାହିଁକି ନୁହେଁ ବୋଲି ଉପକଣ୍ଠରେ ଥିବା ଏକାଧିକ ବସ୍ତିବାସିନ୍ଦା ବିଏମ୍‌ସି ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ଏହି କଳି କେବଳ ବିଏମ୍‌ସିରେ ସୀମିତ ନ ରହି ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଆଧାର କରି ଅନ୍ୟ ପୌରାଞ୍ଚଳରର ଉପକଣ୍ଠ(ପଞ୍ଚାୟତ)ରେ ରହିଥିବା ବସ୍ତିବାସିନ୍ଦା ଜାଗା ମିସନ୍‌ରେ ସାମିଲ ହେବା ପାଇଁ ଦାବି କରିପାରନ୍ତି। ଏଣୁ ବିଏମ୍‌ସି ପୋତିଥିବା କଳି ମଞ୍ଜି ସମଗ୍ର ରାଜ୍ୟକୁ ବ୍ୟାପିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକପ୍ରିୟ ମିସନ୍‌ ଲକ୍ଷ୍ୟଭ୍ରଷ୍ଟ ହେବା ନେଇ ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଉପରକୁ ଆଙ୍ଗୁଠି ଉଠିଛି। ମୋଟା ଅଙ୍କର ହାତଗୁଞ୍ଜା ନେଇ ଏଭଳି କାରବାର ହୋଇଥିବା ଚର୍ଚ୍ଚା ହେଉଛି।

କେତେକ ଏସ୍‌ଡିଏ ଜାଗା ମିସନ୍‌ରେ ଦଲାଲ ସାଜିଛନ୍ତି। ମୋଟା ଅଙ୍କର ହାତଗୁଞ୍ଜା ନେଇ ତାଲିକାରେ ଅଯୋଗ୍ୟଙ୍କ ନାଁ ଯୋଡ଼ୁଛନ୍ତି, ଯୋଗ୍ୟଙ୍କ ନାଁ କାଟୁଛନ୍ତି। ଏଭଳି ୧୪ ଏସ୍‌ଡିଏଙ୍କ ବିରୋଧରେ ଅଭିଯୋଗ ଆସିଛି। ଅଭିଯୋଗ ପରିମାଣ ଦିନକୁ ଦିନ ବଢ଼ି ବଢ଼ି ଯାଉଛି। ବିଏମ୍‌ସି ଏଭଳି ୧୪ ଏସ୍‌ଡିଏଙ୍କୁ କୈଫିୟତ ତଲବ କରିଥିବା ବେଳେ ୧୧ଜଣ ଉତ୍ତର ଦେଇଛନ୍ତି। ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଏମ୍‌ସି ଘୋଷଣା କରିଛି। ଏମାନଙ୍କ କବଳକୁ ନ ଆସିବା ପାଇଁ ବା ଏମାନଙ୍କ କଥାରେ ନ ପଡ଼ିବା ପାଇଁ ବିଏମ୍‌ସି ବିଭିନ୍ନ ବସ୍ତିରେ ପୋଷ୍ଟର ମଧ୍ୟ ଲଗାଇଛି। ତଥାପି ବିଏମ୍‌ସି ଚିନ୍ତାରେ ପଡ଼ିଛି। ଏପ୍ରିଲ ଆରମ୍ଭରେ ୫୦ହଜାର ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟାଯିବାକୁ ରହିଛି।

କେହି ଜଣେ ହେଲେ ଅଯୋଗ୍ୟ ଯେଭଳି ତାଲିକାରେ ସାମିଲ ନ ହେବେ, ସେଥିପାଇଁ ଅଧିକାରୀମାନେ ସତର୍କତାର ସହ କାମ କରୁଛନ୍ତି। ଏଭଳି ସ୍ଥିତିରେ ଏକ ଗୁରୁତର ଅଭିଯୋଗ ଏବେ ସମଗ୍ର ପ୍ରକ୍ରିୟାକୁ ବିବାଦକୁ ଟାଣିଛି। ଉପକଣ୍ଠ ପଞ୍ଚାୟତ ଅଧୀନରେ ଥିବା ଏକ ବସ୍ତିକୁ ଜାଗା ମିସନ ସର୍ଭେରେ ସାମିଲ କରାଯାଇଛି। ତାହା ହେଉଛି ମହାଭୋଇ ଶାସନ ମୌଜାର ବଡ଼ ମହାବୀର ବସ୍ତି। ନିକଟ ଅତୀତରେ ଏହାର ସର୍ଭେ ହେବା ପରେ ଅଭିଯୋଗ ହୋଇଥିଲା। ଅଭିଯୋଗ ହେବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିଥିଲେ। ଏକ ସ୍ବତନ୍ତ୍ର ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ରିପୋର୍ଟ ପ୍ରସ୍ତୁତ କରିଥିଲେ। ରିପୋର୍ଟରେ ଏହା ସମ୍ପୂର୍ଣ୍ଣ ପଞ୍ଚାୟତ ଅଞ୍ଚଳରେ ଯାଉଥିବା ଦର୍ଶାଇଥିଲେ। ହେଲେ କଣ ହେଲା କେଜାଣି ଏହି ବସ୍ତି ସର୍ଭେ ତାଲିକାରୁ କଟିଲା ନାହିଁ। ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଭୁବନେଶ୍ବର ଉପକଣ୍ଠକୁ ଲାଗିଥିବା ଏକାଧିକ ବସ୍ତି ଏବେ ଜାଗା ମିସନ ସର୍ଭେରେ ସାମିଲ ପାଇଁ ବିଏମ୍‌ସିର ଦ୍ବାରସ୍ଥ ହୋଇଛନ୍ତି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜାଗା ମିସନ୍‌କୁ ‌ନେଇ ବହୁତ ଅଭିଯୋଗ ଆସିଛି। ସେ ସବୁର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଦୋଷୀ ଏସ୍‌ଡିଏଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିଷ୍ପତ୍ତି ହୋଇଛି। ତେବେ ପଞ୍ଚାୟତରେ ଥିବା ବସ୍ତିର ସର୍ଭେ ହୋଇଥିବା ଅଭିଯୋଗର ତଦନ୍ତ ହେଉଛି। କୌଣସି ପରିସ୍ଥିତିରେ ଅଯୋଗ୍ୟ ଏହି ମିସନ୍‌ରେ ସାମିଲ ହେବେ ନାହିଁ।

ବଡ ଧରଣର ଦୁର୍ନିତୀ ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ଆଇଏଏସ ଅଧିକାରୀ


ଭୁବନେଶ୍ୱର, ଓଡ଼ିଶା ଗୃହ ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ଦୁର୍ନିତୀ ମାମଲାର ଶୁଣାଣୀ କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଅଧିକାରୀ ହେଉଛନ୍ତି ବିନୋଦ କୁମାର। ବିନୋଦଙ୍କ ସହିତ ଆହୁରି ୪ ଜଣଙ୍କୁ ମଧ୍ୟ ଏହି ମାମଲାରେ ଦୋଷୀ କରିଛନ୍ତି। ଭିଜିଲାନ୍ସ କୋର୍ଟର ମାନ୍ୟବର ବିଚାରପତି ଏହି ୫ଜଣଙ୍କୁ Sections 13 (2) r/w 13(1)(d)PC Act, 1988 & u/s 468/120(B) ଧାରାରେ ଦୋଷୀ ସାବ୍ୟସ୍ତ କରିବା ସହିତ ୩ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। 

ଏହା ସହିତ କୋର୍ଟ ୫ ଜଣଙ୍କୁ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି। ଯଦି ଅଭିଯୁକ୍ତମାନେ ଏହି ଜୋରିମାନା ଦେବାରେ ଅସମର୍ଥ ହୁଅନ୍ତି ତେବେ ସେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବେ ବୋଲି କୋର୍ଟ ତାଙ୍କ ଦଣ୍ଡାଦେଶରେ ଶୁଣାଇଛନ୍ତି। ବିନୋଦଙ୍କ ବିରୋଧରେ ପୂର୍ବରୁ ଅନ୍ୟ ୬ଟି ମାମଲାରେ ଶୁଣାଣି ହୋଇଛି। ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର, ଭିଜିଲାନ୍ସ ରିମାଣ୍ଟ କୁମାର ସ୍ୱାଇଁ ଏହି ମାମଲା ଶୁଣାଣୀ କରିଥିଲେ। 

ସୂଚନାଯୋଗ୍ୟ ୨୦୦୦ ମସିହାରେ ହୋମ ଲିଭସ ବିଲଡର ୩୮ଟି ଡୁପ୍ଲେକ୍ସ ଘର ନିର୍ମାଣ ପାଇଁ ଲୋନ ଆବେଦନ କରିଥିଲା। ଏହି ଲୋନ ପାଇଁ ଜାଲ କାଗଜପତ୍ର ବ୍ୟାଙ୍କରେ ଦର୍ଶାଇଥିଲା। ଦାଖଲ କରିଥିବା ଦସ୍ତାବିଜ ଅନୁୟାୟୀ ଉକ୍ତ କାଗଜପତ୍ର ଗୁଡ଼ିକ ଘର ନିର୍ମାଣ ହେବାକୁ ଥିବା ଜମିର ବୋଲି ଉକ୍ତ ବିଲଡର କମ୍ପାନୀର ମାଲିକ ଦର୍ଶାଇଥିଲେ। ମାତ୍ର ପରବର୍ତ୍ତି ସମୟରେ ତାହା ଜାଲ କାଗଜପତ୍ର ବୋଲି ପ୍ରମାଣିତ ହୋଇଥିଲା। 

ଏହା ପୂର୍ବରୁ ଓଆରଏଚଡିସିର ସେକ୍ରେଟାରୀ ସ୍ୱାସ୍ଥୀରଞ୍ଜନ ମହାପାତ୍ର, ଲୋନ ଆପ୍ରୁଭାଲ ଅଫିସର ଉମେଶ ସ୍ୱାଇଁ ଓ ବିଲଡର କମ୍ପାନୀର ଦୁଇଜଣ ମ୍ୟାନେଜିଂ ପାର୍ଟନର ଙ୍କୁ ଗିରଫ କରାଯାଇଥିଲା। ବିନୋଦ କୁମାର, ସ୍ୱସ୍ଥି ରଞ୍ଜନ ମହାପାତ୍ର ଓ ଉମେଶ ସ୍ୱାଇଁ ଏହି ଦୁର୍ନିତୀରେ ସିଧାସଳଖ ଜଡ଼ିତ ରହିଥିଲେ। 

ଖରାପ ମାନର ଔଷଧ ତିଆରି ଅଭିଯୋଗରେ ୧୮ଟି ଔଷଧ କମ୍ପାନୀର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ, ଖରାପ ମାନର ଔଷଧ ସହ ନକଲି ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ୧୮ଟି ଔଷଧ କମ୍ପାନୀର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର | ଆଜି ଭାରତ ସରକାର ୧୮ଟି ଫାର୍ମା କମ୍ପାନୀ ଉପରେ ଆକ୍ସନ ନେଇ ଲାଇସେନ୍ସ ବାତିଲ କରିବା ସହ ଔଷଧ ନିର୍ମାଣ ଉପରେ ରୋକ ଲଗାଇଛନ୍ତି | ବାସ୍ତବରେ ବଜାରରେ ଅନେକ ନକଲି ଔଷଧ ମିଳୁଥିବା ନେଇ ଅଭିଯୋଗ ଆସୁଥିବାରୁ ଏହାକୁ ନେଇ କେନ୍ଦ୍ର ସରକାର ଔଷଧ କମ୍ପାନୀ ଉପରେ ଚଢ଼ାଉ କରି ଔଷଧର ମାନ ଯାଞ୍ଚ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଭାରତର ବିଭିନ୍ନ ରାଜ୍ୟରେ ଥିବା ଔଷଧ କମ୍ପାନୀମାନଙ୍କ ଉପରେ ଚଢ଼ାଉ କରିଥିଲା ।

ଏହି ସମୟରେ ଜଣାପଡିଥିଲା ଯେ କିଛି କମ୍ପାନୀ ନକଲି ଔଷଧ ପ୍ରସ୍ତୁତ କରୁଥିବାବେଳେ ଆଉ କିଛି କମ୍ପାନୀ ଅଧିକ ମୂଲ୍ୟରେ ଔଷଧ ବିକ୍ରି କରୁଥିଲେ ବି ମାନ ସେତେ ଭଲ ନଥିଲା | ଖରାପ ମାନର ଔଷଧ ପ୍ରସ୍ତୁତ କରି ରୋଗୀଙ୍କୁ ଅଧିକ ଦାମରେ ଔଷଧ ବିକ୍ରି କରୁଥିବାର ଜଣାପଡିବା ପରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଆଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆଙ୍କ ପକ୍ଷରୁ ୨୦ଟି ରାଜ୍ୟରେ ଯାଞ୍ଚ କରାଯାଇଥିବାବେଳେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ପ୍ରାୟ ୧୫ ଦିନ ଧରି ଏହି ଚଢ଼ାଉ ଅଭିଯାନ ଚାଲିଥିବାବେଳେ ଆଜି ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ କରାଯାଇଛି । ସେହିପରି ହିମାଚଳ ପ୍ରଦେଶର ୭୦ଟି, ଉତ୍ତରପ୍ରଦେଶରେ ୪୫ଟି ଏବଂ ମଧ୍ୟପ୍ରଦେଶର ୨୩ଟି କମ୍ପାନୀ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଔଷଧ ତିଆରି ନ କରିବାକୁ କୁହାଯାଇଛି ।

ଭାରତରୁ ବିଭିନ୍ନ ପ୍ରକାରର ଔଷଧ ବାହାରକୁ ଯାଇଥାଏ। କିନ୍ତୁ ବିଦେଶରେ ଖରାପ ମାନ ଓ ନକଲି ଔଷଧ ବିକ୍ରି କରାଯାଉଥିବା ଅଭିଯୋଗ ହେବା ପରେ ସରକାର ଫାର୍ମା କମ୍ପାନୀ ଗୁଡ଼ିକର ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନକଲି ଓ ଖରାପ ମାନର ଔଷଧ ସମ୍ପର୍କରେ ଅଭିଯୋଗ ଆସିବା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ୭୬ଟି ଫାର୍ମାସ୍ୟୁଟିକାଲ କମ୍ପାନୀରେ ଯାଞ୍ଚ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିମ ପକ୍ଷରୁ ଅତର୍କିତ ଚଢ଼ଉ କରି ଔଷଧର ମାନ ପରୀକ୍ଷା କରାଯାଇଥିଲା। ଶେଷରେ ୨୦ଟି ରାଜ୍ୟରେ ଥିବା ବିଭିନ୍ନ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୀର୍ଘ ୧୫ ଦିନ ଧରି ସମଗ୍ର ଦେଶରେ ଡିସିଜିଆଇ ପକ୍ଷରୁ ଚଢ଼ଉ ଅଭିଯାନ ଜାରି ରହିଥିଲା।

ବିଭିନ୍ନ ଦେଶରେ ଭାରତ ନିର୍ମିତ ବିଭିନ୍ନ ସିରପ ଓ ଔଷପ ଖାଇ ଛୋଟ ପିଲାଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଗତମାସରେ ଗୁଜରାଟ ଭିତ୍ତିକ ଫାର୍ମା କମ୍ପାନୀ ଜୟଡସ ଲାଇସାଇନ୍ସ ପକ୍ଷରୁ ୫୫ ହଜାର ବୋତଲ ଜେନେରିକ ମେଡିସିନ ଆମେରିକା ମାର୍କେଟରୁ ପ୍ରତ୍ୟାହାର କରିଥିଲେ। ଏହି ଔଷଧଗୁଡ଼ିକର ମାନ ଖରାପ ଥିବା ଅଭିଯୋଗ ହୋଇଥିଲା।ସେହିପରି ଗତବର୍ଷ ଉଜବେକିସ୍ତାନରେ ୧୮ ଜଣ ଶିଶୁ ଭାରତରୁ ଯାଇଥିବା କଫ ସିରପ ଖାଇ ପ୍ରାଣ ହରାଇଥିବା ଜଣାପଡ଼ିଥିଲା। ଏଥିପାଇଁ ନୋଏଡାରେ ଥିବା ଫାର୍ମାସିଟ୍ୟୁକାଲ କମ୍ପାନୀର ୩ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।

ଅଭିଯୁକ୍ତମାନେ ନକଲି ଓ ଖରାପ ମାନର ଔଷଧ ଉତ୍ପାଦନ ଏବଂ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ମାରିଅନ ବାୟୋଟେକ ପ୍ରଡକ୍ଟସର ବିଭିନ୍ନ ଔଷଧର ନମୁନା ପରୀକ୍ଷା କରିଥିଲା। ଏହି ସମୟରେ ୨୨ଟି ଔଷଧ ଖରାପ ମାନର ଥିବା ସ୍ପଷ୍ଟ ହୋଇଥିଲା।

ରାଜ୍ୟର ୧୧ ହଜାର ୭୧୦ ସ୍କୁଲକୁ ନାହିଁ ବିଜୁଳି । ୨୧ ହଜାର ୬୫ଟି ସ୍କୁଲରେ ନାହିଁ ଖେଳ ପଡ଼ିଆ


ଭୁବନେଶ୍ବର,ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ଲାଗି ଅନେକ ଯୋଜନା ଘୋଷଣା କରୁଥିଲା ବେଳେ ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା ଏହାର ଅସଲ ସ୍ୱରୂପକୁ ପଦାରେ ପକାଇଛି। ବିଧାୟକ ମୋହନ ମାଝୀ ଆଜି ବିଧାନସଭାରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସହ ସମ୍ପର୍କିତ କେତୋଟି ପ୍ରଶ୍ନ ପଚାରିଥିଲେ ଓ ଗଣଶିକ୍ଷାମନ୍ତ୍ରୀ ଏହାର ଉତ୍ତର ଦେଇଥିଲେ। ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନ ରାଜ୍ୟରେ କେତୋଟି ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ହୋଇଛି ର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ ଯେ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୧ ହଜାର ୭୧୦ଟି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇନାହିଁ।

ସେହିପରି ଅନ୍ୟ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ୨୧ ହଜାର ୬୫ଟି ସ୍କୁଲରେ ଖେଳ ପଡ଼ିଆ ନ ଥିବା ବେଳେ ୪୧ ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ। ସେହିପରି ଛାତ୍ରଛାତ୍ରୀ ସଂଖ୍ୟା ତୁଳନାରେ ୬ ହଜାର ୭୮୧ ସ୍କୁଲରେ ଆବଶ୍ୟକ ପଡୁଥିବା ଶ୍ରେଣୀଗୃହ ନାହିଁ। କେବଳ ଯେ ଭିତ୍ତିଭୂମି ଅଭାବ ତାହା ନୁହେଁ ବରଂ ୬୦୧୧ ସ୍କୁଲରେ ଛାତ୍ର ଅନୁପାତରେ ଶିକ୍ଷକ ନ ଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ୨୦୨୧-୨୨ରେ ମାଧ୍ୟମିକ ସ୍ତରରେ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ହାର ୨୭.୨୬ ରହିଛି।

କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ୪୩ ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ


କେନ୍ଦୁଝର, କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ତିନିଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ମଦ ପିଇ ଗାଡ଼ି ଚଳାଉଥିବା ୪୩ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ଏଥିସହ ସେମାନଙ୍କ ଚାଲାଣ କଟାଯାଇ କୋର୍ଟକୁ ପଠାଯାଇଛି। ପରିବହନ ବିଭାଗ, ପୁଲିସ, ପୂର୍ତ୍ତ ବିଭାଗ ଏବଂ ଏନ୍‌ଏଚ୍‌ଏଆଇ ପକ୍ଷରୁ ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଚଢ଼ଉ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଗୋପାଳକୃଷ୍ଣ ଦାସ ପ୍ରକାଶ କରିଛନ୍ତି। ସ୍କୁଲ ପିଲାଙ୍କୁ ଗାଡ଼ି ଦେବା ପାଇଁ ମନା କରାଯାଇଛି। ଗାଡ଼ି ଚଳାଉଥିବା ନାବାଳକ ଧରାପଡ଼ିଲେ ୨୫ ହଜାର ଟଙ୍କା ଜରିମାନା ସହ ଗାଡ଼ି ମାଲିକଙ୍କୁ କୋର୍ଟଚାଲାଣ କରାଯିବ। କେନ୍ଦୁଝର ସହର ସମେତ ବିଭିନ୍ନ ବିଦ୍ୟାଳୟ ଆଖପାଖରେ କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ବିଲକିସ ବାନୋ ମାମଲା। କାଗପତ୍ର ପରବର୍ତ୍ତୀ ଶୁଣାଣିରେ ଦାଖଲ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ୍


ନୂଆଦିଲ୍ଲୀ,ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ୨୦୦୨ ଦଙ୍ଗା ପୀଡ଼ିତା ବିଲକିସ ବାନୋ ସୁପ୍ରିମକୋର୍ଟରେ ପୁଣି ଥରେ ଆବେଦନ କରିଥିଲେ। ଦୋଷୀମାନଙ୍କୁ ଆଗୁଆ ମୁକ୍ତ କରିବା ନିର୍ଣ୍ଣୟ ବିରୋଧରେ ପୁନର୍ବିଚାର ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ଆବେଦନ ହୋଇଛି । ଏହି ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରି ପ୍ରଶ୍ନ କରିଛନ୍ତି। କ୍ଷମା ପ୍ରାର୍ଥନା ମାନଦଣ୍ଡ ଅନୁଯାୟୀ ଦୋଷୀଙ୍କୁ ମୁକ୍ତ କରାଯାଇଛି କି ନାହିଁ ସେ ବାବଦରେ ସମସ୍ତ କାଗପତ୍ର ପରବର୍ତ୍ତୀ ଶୁଣାଣିରେ ଦାଖଲ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମ ଆଗରେ ଅନେକ ହତ୍ୟା ମାମଲା ଅଛି, ଯେଉଁଠି ଦୋଷୀ ବର୍ଷ ବର୍ଷ ଧରି କ୍ଷମା ପାଇଁ ଆବେଦନ କରି ଜେଲ ଭୋଗୁଛନ୍ତି। ଏହି କେସ୍‌ରେ କ୍ଷମା ପ୍ରାର୍ଥନା ମାନଦଣ୍ଡକୁ ଠିକ୍ ଭାବରେ ଅନୁସରଣ କରାଯାଇଛି କି ନାହିଁ କୋର୍ଟ ପ୍ରଶ୍ନ କରିଛନ୍ତି। ଏହି ମାମଲାର ଶୁଣାଣି ପାଇଁ ସ୍ଥାପିତ ଦୁଇଜଣିଆ ଖଣ୍ଡପୀଠର ଅଂଶବିଶେଷ ଜଷ୍ଟିସ୍ କେ.ଏମ ଜୋସେଫ ଏହି ପ୍ରଶ୍ନ କରିଥିଲେ।

ବିଲକିସ୍ ବାନୋଙ୍କ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ମୁକ୍ତି ବିରୋଧରେ ସିରିଜ୍ ଆବେଦନ କରାଯାଇଛି। ଆବେଦନକାରୀଙ୍କ ମଧ୍ୟରେ ଟିଏମସି ଏମପି ମହୁଆ ମୈତ୍ର, ସିପିଏମ ପଲିଟବୁରୋ ସଦସ୍ୟ ସୁଭାଶିନୀ ଅଲି ଏବଂ ଅନ୍ୟମାନେ ଅଛନ୍ତି। ସେହିପରି ବିଲକିସ୍ ବାନୋ ମଧ୍ୟ ଦୁଇଟି ପିଟିସନ ଦାଖଲ କରିଛନ୍ତି। ସେଥିରୁ ଗୋଟିଏରେ ସର୍ବୋଚ୍ଚ ଅଦାଲତକୁ ମେ ୨୦୨୨ଆଦେଶର ସମୀକ୍ଷା କରି ଗୁଜୁରାଟ ସରକାରଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଆବେଦନ କରାଯାଇଥିଲା। ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ପରେ ଗୁଜରାଟରେ ଦଙ୍ଗା ହୋଇଥିଲା। ଏହି ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ଏବଂ ତାଙ୍କର ୩ ବର୍ଷର ଝିଅ ଓ ୭ ଜଣ ସମ୍ପର୍କୀୟଙ୍କ ସହ ୧୩ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ୧୧ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୮ ଜାନୁଆରିରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଉକ୍ତ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ଅହମ୍ମଦାବାଦ ରୁ ବମ୍ବେ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା।

ବମ୍ବେ ହାଇକୋର୍ଟ ଉକ୍ତ ଦଣ୍ଡାଦେଶକୁ କାଏମ୍ ରଖିଥିଲେ। ୧୫ ବର୍ଷରୁ ଊର୍ଦ୍ଧ୍ୱକାଳ ଜେଲଦଣ୍ଡ ଭୋଗିବା ପରେ ଜଣେ ଦୋଷୀ ସୁପ୍ରିମ୍‌କୋର୍ଟରେ ସେମାନଙ୍କୁ ଖଲାସ କରିଦେବା ପାଇଁ ଆବେଦନ କରିଥିଲେ। କୋର୍ଟ ଗୁଜରାଟ ସରକାରଙ୍କୁ ଏ ବିଷୟରେ ବିଚାର କରି ନିଷ୍ପତ୍ତି ନେବାକୁ ଆଦେଶ ଦେଇଥିଲେ। ଗୁଜରାଟ ସରକାର ଏ ନେଇ ଏକ କମିଟି ଗଠନ କରିଥିଲେ। କମିଟି ୧୧ ଜଣଙ୍କୁ ସରକାରଙ୍କ ପୁରୁଣା ବନ୍ଦୀ ମୁକ୍ତି ନୀତି (୧୯୯୨) ଅନୁଯାୟୀ ଖଲାସ କରିବାକୁ ସୁପାରିସ କରିଥିଲା। ଏହା ପରେ, ଚଳିତ ବର୍ଷ ଅଗଷ୍ଟ ୧୫ରେ ଗୁଜରାଟ ସରକାର ସମସ୍ତ ୧୧ଦୋଷୀଙ୍କୁ ମୁକ୍ତ କରି ସେମାନଙ୍କୁ ଦଣ୍ଡରୁ ମୁକ୍ତ କରିଥିଲେ।

ପଦ ଗଲା, ଘର ଯିବ । ମାଡ଼ି ଆସୁଛି କୋପ ଦଶା। ବାସଭବନ ଖାଲି କରିବାକୁ ରାହୁଲ ଗାନ୍ଧିଙ୍କୁ ନୋଟିସ୍


ନୂଆଦିଲ୍ଲୀ,ରାହୁଲ ଗାନ୍ଧିଙ୍କ ଉପରେ ଗୋଟିଏ ପରେ ଗୋଟିଏ କୋପ ଦଶା ମାଡ଼ି ଆସୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଏକ ଝଟ୍‌କା। ଏକ ମାନହାନି ମାମଲାରେ ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ହରାଇବା ପରେ ଏବେ ତାଙ୍କୁ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିବ। ଏଥିପାଇଁ ଲୋକସଭା ଗୃହ ନିର୍ମାଣ କମିଟି ସୋମବାର ରାହୁଲ ଗାନ୍ଧିଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନୋଟିସ ଜାରି କରିଛି । ଏପ୍ରିଲ ୨୨ ସୁଦ୍ଧା ୧୨, ତୁଗଲକ ରୋଡରେ ଥିବା ସରକାରୀ ବାସଭବନ ଖାଲି କରିବାକୁ କମିଟି ନିର୍ଦ୍ଦେଶ ଦେଇଛି ।

ଏମପି ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିବ। ସୋମବାର ଏଥିପାଇଁ ଲୋକ ସଭାର ଗୃହ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ବର୍ତ୍ତମାନ ରାହୁଲ ଦିଲ୍ଲୀର ୧୨ତୁଗଲକ ଲେନ୍‌ ସ୍ଥିତ ସରକାରୀ ବଙ୍ଗଳାରେ ରହୁଛନ୍ତି। ୨୦୦୪ରୁ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ଘର ଆବଣ୍ଟନ କରାଯାଇଥିଲା।ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟର ଏକ କୋର୍ଟ ରାହୁଲ ଗାନ୍ଧିଙ୍କୁ ଏକ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ତାଙ୍କ ଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ତେବେ ରାହୁଲ ଗାନ୍ଧି ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ ସେଥିପାଇଁ କୋର୍ଟ ତାଙ୍କ ଦଣ୍ଡାଦେଶକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏହି ଦଣ୍ଡାଦେଶର ଦିନକ ପରେ ଗତ ଶୁକ୍ରବାର ଲୋକସଭା ସଚିବାଳୟ ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରିଥିଲା ।

ଅନ୍ୟପକ୍ଷରେ ଲୋକସଭା ୱେବସାଇଟରୁ ରାହୁଲଙ୍କ ନାମ ମଧ୍ୟ ହଟାଇ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଲୋକସଭା ସଚିବାଳୟ ରାହୁଲ ଗାନ୍ଧିଙ୍କ ସଂସଦୀୟ ଆସନ ୱାୟନାଡକୁ ଖାଲି ଘୋଷଣା କରିଛି। ନିର୍ବାଚନ ଆୟୋଗ ଏବେ ଏହି ଆସନରେ ନିର୍ବାଚନ ଘୋଷଣା କରିପାରନ୍ତି । ୨୦୧୯ରେ କର୍ଣ୍ଣାଟକରେ ଏକ ସଭାରେ ରାହୁଲ ମୋଦି ସାଙ୍ଗିଆକୁ ନେଇ ବୟାନ ଦେଇଥିଲେ । ସବୁ ଚୋରଙ୍କ ଉପନାମ ମୋଦି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ ।

ସୂଚନାଯୋଗ୍ୟ, ଗୁରୁବାର ସୁରଟ କୋର୍ଟ ଏକ ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇବା ପରେ ଶୁକ୍ରବାର ଲୋକ ସଭା ସଚିବାଳୟ କଂଗ୍ରେସ ନେତା ରାହୁଲଙ୍କୁ ଲୋକ ସଭାରୁ ଅଯୋଗ୍ୟ ଘୋଷିତ କରିବା ସହ ତାଙ୍କ ସଦସ୍ୟତା ପଦ ରଦ୍ଦ କରିଥିଲେ। କେରଳର ୱାୟାନାଡରୁ ରାହୁଲ ଏମ୍‌ପି ଥିଲେ।

୪୧ ସ୍କୁଲ ଓ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ହେଉଥିଲା ଜାଲ୍ ସାର୍ଟିଫିକେଟ । କୋଟି କୋଟି ଟଙ୍କା କାରବାର


ଭୁବନେଶ୍ବର,ନକଲି ପ୍ରମାଣପତ୍ର ମାମଲାରେ ବଲାଙ୍ଗୀର ପୁଲିସ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ  ସୋମବାର କୋର୍ଟ ଚାଲାଣ କରିଛି। ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମେତ ନକଲି ସାର୍ଟିଫିକେଟ କିଣି ଯେଉଁମାନେ ଡାକବିଭାଗରେ ପଦବି ଆବେଦନ କରିଥିଲେ ସେମାନଙ୍କୁ ପୁଲିସ ଗିରଫ କରିଛି। ଆଜି ନକଲି ସାର୍ଟିଫିକେଟ କାରବାରର ପୁରା ପଦ୍ଦଫାସ କରିଛନ୍ତି ବଲାଙ୍ଗୀର ଏସପି।

ନକଲି ସାର୍ଟିଫିକେଟ ଓ ମାର୍କସିଟ କାରବାରରେ ୧୯ ଜଣଙ୍କୁ ଗିରଫ କରିଲା ବଲାଙ୍ଗୀର ଥାନା ପୁଲିସ। ବଲାଙ୍ଗିର ସହର ଛାତି ଉପରେ ଥିବା ‘ରିଲାଏନ୍ସ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ’ ଭିତରୁ ସମଗ୍ର ଦେଶର ୪୧ଟି ସ୍କୁଲ ଓ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ହୋଇଥିବା ଜାଲ ସାର୍ଟିଫିକେଟ ଓ ମାର୍କସିଟ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ନକଲି ରବର ଷ୍ଟାମ୍ପ, ତହସିଲଦାର ଓ ଜଏଣ୍ଟ ଡାଇରେକ୍ଟର ପ୍ରଭୃତି ୨୭ ଜଣ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନାମରେ ନକଲି ରବର ଷ୍ଟାମ୍ପ, ବହୁ ସଂଖ୍ୟକ କମ୍ପ୍ୟୁଟର, ହାର୍ଡଡିସ୍କ ଓ ମୋବାଇଲ୍‌ ଜବତ ହୋଇଛି। ହାର୍ଡଡିସ୍କରେ ପ୍ରିଣ୍ଟ ହେବା ନିମନ୍ତେ ନକଲି ସାର୍ଟିଫିକେଟର ଦସ୍ତାବିଜ୍ ରହିଛି। ଏହାଛଡ଼ା ପ୍ରାୟ ୬ଟି ଜମିର କାଗଜପତ୍ର ମିଳିଛି। ନକଲି ସାର୍ଟିଫିକେଟ ଦେଇ ମିଳୁଥିବା ଟଙ୍କାରେ ଏହି ଜମି କିଣାଯାଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ପାସ୍‌ବୁକ୍ ଜବତ କରାଯିବା ସହ ଟଙ୍କା ନେଣଦେଣ ସମ୍ପର୍କିତ ଅନେକ ତଥ୍ୟ ମିଳିଛି।

ଏନେଇ ଆଜି ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର କହିଛନ୍ତି, ଗଣମାଧ୍ୟମରେ ଖବର ପ୍ରସାରଣ ଓ ପୋଷ୍ଟାଲ ସୁପ୍ରିଣ୍ଟେଣ୍ଡାଣ୍ଟଙ୍କ ଅଭିଯୋଗକୁ ଭିତ୍ତି କରି ଖୋଳତାଡ଼ ଆରମ୍ଭ ହୋଇଥିଲା। ବଲାଙ୍ଗୀର ପୁଲିସର ସ୍ୱତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରୁଛି। ଦୁଇଦିନ ତଳେ ଏନେଇ ମାମଲା ରୁଜୁ ହୋଇଛି। ତଦନ୍ତ କରିବା ବେଳେ ‘ରିଲାଏନ୍ସ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ’ରେ ଚଢ଼ଉ କରାଯାଇଥିଲା। ଏଠାରୁ ପ୍ରାୟ ୫ ହଜାର ନକଲି ସାର୍ଟିଫିକେଟ ମିଳିଥିଲା। ଅଭିଯୁକ୍ତମାନେ ଗୋଟିଏ ସାର୍ଟିଫିକେଟ ଦେଢ଼ ଲକ୍ଷରୁ ୨ ଲକ୍ଷରେ ବିକ୍ରି କରୁଥିଲେ। ପ୍ରାୟ ୮ ବର୍ଷ ହେବ ଏହି ରାକେଟ ଚାଲୁଥିଲା। ନକଲି ସାର୍ଟିଫିକେଟ ଜାରି କରିବା ପୂର୍ବରୁ ଅଭିଯୁକ୍ତମାନେ ସମ୍ପୃକ୍ତ ସ୍କୁଲ ଓ ବିଶ୍ୱବିଦ୍ୟାଳୟର କର୍ମଚାରୀଙ୍କ ସହ ଲିଙ୍କ ରଖି ତାଙ୍କ ଠାରୁ ମିଳୁଥିବା ଗୁପ୍ତ ବିବାରଣୀ ଅଧାରରେ ନକଲି ରବର ଷ୍ଟାମ୍ପ, ଅବିକଳ ଲୋଗ, ଦସ୍ତଖତ ପ୍ରଭୃତି ପ୍ରସ୍ତୁତ ହେଉଥିଲା।

ଚଢ଼ଉରେ ଅନେକ ଡାଏରୀ ମଧ୍ୟ ମିଳିଛି, ଯାହା ଭିତରେ କୋଟିକୋଟି ଟଙ୍କା କାରବାରର ହିସାବ ରହିଛି। ଏମ୍‌ସିଏଲ୍ ନାମରେ ଜାରି ୮୧ ଲକ୍ଷଙ୍କାର ଏକ ବାଉନ୍ସ ଚେକ୍ ମଧ୍ୟ ମିଳିଛି। ଏମ୍‌ସିଏଲ୍‌ରେ କିଛି ଯୁବକଙ୍କୁ ନକଲି ସାର୍ଟିଫିକେଟ ଜରିଆରେ ଚାକିରି ଦେବାକୁ ଏହି ଟଙ୍କା କାରବାର ହେବାର ଥିଲା। ମାତ୍ର ଷଡଯନ୍ତ୍ରକାରୀ ମଧ୍ୟସ୍ଥିର ଦୁର୍ଘଟଣାଜନିତ ମୃତ୍ୟୁ ହେବାରୁ ପୂରା ଯୋଜନା ଫସର ଫାଟି ଯାଇଥିଲା। କୋଚିଂ ସେଣ୍ଟରର ମାଲିକ ମନୋଜ ମିଶ୍ର ମୁଖ୍ୟ ମାଷ୍ଟରମାଇଣ୍ଡ ହୋଇଥିବା ବେଳେ କମ୍ପ୍ୟୁଟର ଶିକ୍ଷକ ଆଲୋକ ଉଦ୍‌ଗାତା ସହଯୋଗକାରୀ ଭାବେ ଅପରାଧକୁ ରୂପ ଦେଉଥିଲେ। 

ଏହି ନକଲି ସାର୍ଟିଫିକେଟ କାରବାର ଚେନ୍‌ରେ ଅନେକ ମଧ୍ୟସ୍ଥିଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ତେବେ ୭ ଜଣ ମଧ୍ୟସ୍ଥିଙ୍କ ନାଁ ପୁଲିସ ପାଇ ପାରିଛି। ଘଟଣାର ତଦନ୍ତ ଚାଲିଥିବାରୁ ଆହୁରି ଗିରଫ ହେବା ଆଶଙ୍କା ରହିଛି ବୋଲି ଏସ୍‌ପି ନୀତିନ କୁଶଲକର କହିଛନ୍ତି। ଏହି ମାମଲାରେ ଲିଙ୍କ ଥିବା ୨୬ ତାରିଖରେ ଆଉଗୋଟିଏ ମାମଲା ମଧ୍ୟ ରୁଜୁ ହୋଇଛି। ଏମ୍‌ସିଏଲ୍‌ରେ ଚାକିରି କରାଇଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ମନୋଜ ଗୋଟାଏ ପିଲାଠାରୁ ୫ ଲକ୍ଷ ଟଙ୍କା ନେଇଥିଲେ। ସମ୍ପୃକ୍ତ ପିଲାର ଅଭିଯୋଗକୁ ଭିତ୍ତି କରି ଏହି ମାମଲା କରାଯାଇଛି।

କଂଗ୍ରେସ କ୍ଷମତାକୁ ଆସିଲେ ମିଳିବ ମାଗଣା ବିଜୁଳି । ଗ୍ରାଜ୍ୟୁଏଟ ପାଇବେ ମାସିକ ୩ ହଜାର ଟଙ୍କା : ରାହୁଲ ଗାନ୍ଧି


ନୂଆଦିଲ୍ଲୀ, ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କର୍ଣ୍ଣାଟକାରେ ଆଜି କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି ରାହୁଲ ଗାନ୍ଧି। ସେ ବିଜେପିକୁ ଗାଦିଚ୍ୟୁତ କରିବାକୁ ଆହ୍ୱାନ ଦେବା ସହ କଂଗ୍ରେସ କ୍ଷମତାକୁ ଆସିଲେ, କ’ଣ ସବୁ କରିବ ସେକଥା ସମସ୍ତଙ୍କୁ କହିଛନ୍ତି। କର୍ଣ୍ଣାଟକାରେ ଚାକିରି ପାଇ ନଥିବା ଗ୍ରାଜ୍ୟୁଏଟମାନଙ୍କୁ କଂଗ୍ରେସ କ୍ଷମତାକୁ ଆସିଲେ ୨ ବର୍ଷ ଯାଏ ମାସିକ ୩ ହଜାର ଟଙ୍କା ଲେଖାଏ ଦେବ। ସେହିପରି ଡିପ୍ଲୋମାଧାରୀମାନେ ମାସିକ ୧୫ ଶହ ଟଙ୍କା ଲେଖାଏ ପାଇବେ। ସେମାନଙ୍କୁ ମଧ୍ୟ ୨ ବର୍ଷ ଯାଏ ଏପରି ଭତ୍ତା ଯୋଗାଇ ଦିଆଯିବ। ଲୋକଙ୍କୁ ମାଗଣା ବିଜୁଳି ମଧ୍ୟ କଂଗ୍ରେସ କ୍ଷମତାକୁ ଆସିଲେ ଦେବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି। 

ବେଲଗାଭିରେ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ରାହୁଲ ଗାନ୍ଧି ପୂରା ପ୍ରୟାସ କରିଛନ୍ତି। ନିଯୁକ୍ତି, ଦୁର୍ନୀତି ଓ ୪୦% କମିସିନି ବ୍ୟବସ୍ଥା ଆଦି ପ୍ରସଙ୍ଗକୁ ଆଧାର କରି ସେ ବିଜେପି ଉପରେ ବର୍ଷିଛନ୍ତି।ସେ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା ବେଳେ ଯୁବକ/ଯୁବତୀମାନେ ମୋ ପାଖକୁ ଆସିଥିଲେ ଓ ରାଜ୍ୟରେ ସେମାନଙ୍କ ପାଇଁ କୌଣସି ଚାକିରି ନଥିବା କହିଥିଲେ। ତେଣୁ କଂଗ୍ରେସ କ୍ଷମତାକୁ ଆସିଲେ, ପ୍ରତ୍ୟେକ ଗ୍ରାଜ୍ୟୁଏଟଙ୍କୁ ୨ ବର୍ଷ ଯାଏ ମାସିକ ୩ ହଜାର ଓ ଡିପ୍ଲୋମା ଧାରୀଙ୍କୁ ମାସିକ ୧୫ଶହ ଟଙ୍କା ଲେଖାଏ ଭତ୍ତା ଆକାରରେ ଦେବ। ଆମେ ସେଇଠାରେ ରହିଯିବୁନି। ଆମେ ୫ ବର୍ଷ ମଧ୍ୟରେ ୧୦ ଲକ୍ଷ ଯୁବଗୋଷ୍ଠୀଙ୍କୁ ଚାକିରି ଦେବୁ ଓ ରାଜ୍ୟରେ ଖାଲି ପଡ଼ିଥିବା ୨.୫ ଲକ୍ଷ ପଦବୀ ପୂରଣ କରିବୁ। ଯାତ୍ରା ସମୟରେ ମହିଳାମାନେ ମଧ୍ୟ ସେମାନଙ୍କ ସମସ୍ୟା ସମ୍ପର୍କରେ କହିଥିଲେ। ବିପିଏଲ ତାଲିକାରେ ଥିବା ମହିଳାମାନଙ୍କୁ ମାସକୁ ୩ ହଜାର ଟଙ୍କା ଓ ପରିବାର ପିଛା ୧୦ କେଜି ଚାଉଳ ଯୋଗାଇ ଦେବୁ। ସେମାନଙ୍କୁ ୨ ହଜାର ୟୁନିଟ ଯାଏ ମାଗଣା ବିଜୁଳି ମଧ୍ୟ ମିଳିବ।

ରାହୁଲ ଗାନ୍ଧି କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା ବେଳେ ସମସ୍ତେ ଏକାଠି ହୋଇ ଚାଲିଥିଲେ। କାହା ମନରେ ଘୃଣା ଓ ହିଂସା ନଥିଲା। ସମସ୍ତଙ୍କ ମଧ୍ୟରେ ଭାଇଚାରା ରହିଥିଲା। ଲକ୍ଷାଧିକ ଲୋକ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛନ୍ତି। ଏହା ହେଉଛି ଆମ ଭାରତ। ଏହି ଦେଶ ସମସ୍ତଙ୍କର। ଏହା କେବଳ କିଛି ସୀମିତ ଲୋକଙ୍କର ନୁହେଁ। ଦେଶ ଆଦାନିଙ୍କର ନୁହେଁ। ଚାଷୀ, ଶ୍ରମିକ, ଗରିବ ଓ ଯୁବଗୋଷ୍ଠୀଙ୍କର ମଧ୍ୟ ଏହି ଦେଶ ଉପରେ ଅଧିକାର ରହିଛି ବୋଲି ରାହୁଲ କହିଛନ୍ତି। କଂଗ୍ରେସ କ୍ଷମତା ଦଖଲ କରିବ ବୋଲି ଦମ୍ଭୋକ୍ତି କରି ରାହୁଲ କହିଛନ୍ତି, ଆମେ ନିର୍ବାଚନରେ ଲଢ଼େଇ କରିବୁ ଓ ରାଜ୍ୟରେ ବିଜୟୀ ହେବୁ। କାରଣ ଲୋକମାନେ ବିଜେପି ସରକାରକୁ ହଟାଇବାକୁ ଚାହୁଁଛନ୍ତି। ଆମେ ସମସ୍ତେ ମିଳିତ ଭାବେ ବଡ଼ ଜନାଦେଶ ସହ ବିଜେପିକୁ ହରାଇବା।

ଯୋଗୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୋ ପୁଅ ମରିନଥାନ୍ତା : ମୁସେୱାଲାଙ୍କ ବାପା


ଚଣ୍ଡୀଗଡ଼, ଯୋଗୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୋ ପୁଅ ମରିନଥାନ୍ତା। ପୁଅର ମୃତ୍ୟୁବାର୍ଷିକୀରେ ଏଭଳି କହି ପଞ୍ଜାବ ସରକାରଙ୍କୁ ଟାର୍ଗେଟ କଲେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପା।  ମାର୍ଚ୍ଚ ୧୯ରେ ପଞ୍ଜାବର ମାନସାରେ ସ୍ୱର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ବାର୍ଷିକୀ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଥିଲେ।

ସେ କହିଥିଲେ ଯଦି ଯୋଗୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ତେବେ ପୁଅକୁ ହତ୍ୟା କରାଯାଇ ନଥାନ୍ତା। ଆଜି ଯେଉଁ ସ୍ଥିତି ପଞ୍ଜାବର ହୋଇଛି, ତାହା ହୋଇନଥାନ୍ତା। ଯୋଗୀ ଉତ୍ତରପ୍ରଦେଶକୁ ଅପରାଧ ମୁକ୍ତ କରିଛନ୍ତି। ତାଙ୍କର ଏଭଳି କାମ ପାଇଁ ୨୦୨୪ ଲୋକସଭା ନିର୍ବାଚନରେ ​​ସମସ୍ତେ ଯୋଗୀଙ୍କ ନାଁରେ ଭୋଟ୍ ଦେବାକୁ ବାଧ୍ୟ ହେବେ। ବଲକୌର ସିଂ ଆହୁରି କହିଥିଲେ ଯେ ଯେଉଁ ଦିନ ଜେଲରୁ ସେହି ପାପୀ (ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ)ର ସାକ୍ଷାତକାର ଦେଖିଲି… ଲାଗିଲା ଯେପରି ପୁଅକୁ ପୁଣି ଥରେ ହତ୍ୟା କରାଯାଇଛି। ସିଦ୍ଧୁଙ୍କ ମୃତ୍ୟୁ ପାଇଁ ଗ୍ୟାଙ୍ଗଷ୍ଟର ନିଜେ ଦାୟୀ ଏବଂ ପୁଲିସ ତାଙ୍କ ଆଗରେ ଆଣ୍ଠୁମାଡି ବସିଛି। -୩୦ ଡିଗ୍ରୀ ତାପମାତ୍ରାରେ ଚୀନ୍ ଏବଂ କାର୍ଗିଲ ସୀମାରେ ଡ୍ୟୁଟି କରି ମୁଁ ଦେଶ ସେବା କରିଛି, ତାହାର ପରିଣାମ ମୋତେ ଏଭଳି ଦେଉଛନ୍ତି ସରକାର।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ, ସେ ପଞ୍ଜାବକୁ ଦିଲ୍ଲୀରେ ବନ୍ଧକ ରଖିଛନ୍ତି। ଖୋଲାଖୋଲି ଭାବେ ନିଷ୍ପତ୍ତି ନେବାକୁ କୌଣସି ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ନାହିଁ। ଆଜି ଦେଶର ଗୃହମନ୍ତ୍ରୀ ଅମିତ ଶାହା ସାହସ ଦେବା ପରେ ପଞ୍ଜାବର ଅମୃତପାଲଙ୍କ ଉପରେ ପଦକ୍ଷେପ ନିଆଯାଉଛି।

ଗୋପାଳକୁ ପାଗଳ ସଜେଇବା ପାଇଁ ଏବେ ସରକାର ପାଗଳ । ସହଜରେ ଖସିଯିବ ଗୋପାଳ?


ଭୁବନେଶ୍ବର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୫୨ଦିନ ପରେ ବି ତଦନ୍ତକୁ ନେଇ ନିରବ ଥିବା କ୍ରାଇମବ୍ରାଂଚ ପାଇଁ ଅଭିଯୁକ୍ତ ପୁଲିସ ଏଏସଆଇକୁ ଦୋଷୀ ସାବ୍ୟସ୍ତ କରିବା ସହଜ ହେବନି । କୋର୍ଟରେ ଗୋପାଳ ବିରୁଦ୍ଧରେ ବଳିଷ୍ଠ ତଥ୍ୟପ୍ରମାଣ ଦାଖଲ କରିବାରେ କ୍ରାଇମବ୍ରାଂଚ ସକ୍ଷମ ହେବନି ଓ ଏହାର ସୁଯୋଗ ନେଇ ଗୋପାଳ ନିଜର ପୂର୍ବ ଚିକିତ୍ସା ରିପୋର୍ଟ ଆଧାରରେ ନିଜକୁ ମାନସିକ ରୋଗୀ ବୋଲି ପ୍ରମାଣିତ କରାଇ ସହଜରେ ଦୋଷମୁକ୍ତ ହୋଇଯିବାର ସମ୍ଭାବନା ଅଧିକ । ଆଜି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯେଉଁ ଲିଖିତ ଉତ୍ତର ଦେଇଛନ୍ତି ସେଥିରୁ ଏହା ସ୍ପଷ୍ଟ ହୋଇଛି । ନବ ଦାସ ହତ୍ୟା ପଛର ରହସ୍ୟ ଓ ଷଡ଼ଯନ୍ତ୍ରକୁ ଉନ୍ମୋଚନ କରିବାରେ କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ସଫଳ ହୋଇନଥିବାବେଳେ ଗୋପାଳକୁ ପାଗଳ ଦର୍ଶାଇବା ନେଇ ରାଜ୍ୟ ସରକାର ଯୋଜନା କରୁଥିବା ନେଇ ବିରୋଧୀ ଦଳର ଆଶଙ୍କା ବି ସତ ପ୍ରମାଣିତ ହେବାକୁ ବସିଛି । ୨୦୧୪ ଫେବୃୟାରୀରୁ ୨୦୧୫ ଜୁନ୍ ମଧ୍ୟରେ ଗୋପାଳ ୧୭୯ଦିନ ଅନଧିକୃତ ଛୁଟି ଓ ୨୮ଦିନ ଅଧିକୃତ ଛୁଟିରେ ରହିଥିଲା । ଆଉ ଗୋପାଳର ଏହି ଅନଧିକୃତ ଛୁଟି ହିଁ ତାକୁ ନବ ଦାସ ହତ୍ୟା ମାମଲାରୁ ଖସାଇବାରେ ସହାୟକ ହେବ ବୋଲି ଜଣାପଡ଼ିଛି।

ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୧୪ ଫେବୃୟାରୀ ୩ରୁ ଏପ୍ରିଲ ୩ ଏବଂ ୨୦୧୫ ଫେବୃୟାରୀ ୨୦ରୁ ଜୁନ୍ ୨୮ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଗୋପାଳ ନିଜର ମାନସିକ ରୋଗ (ବାଇପୋଲାର ଇଫେକ୍ଟିଭ ଡିସଅର୍ଡର) ପାଇଁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜର ମାନସିକ ରୋଗ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସିତ ହେଉଥିବାର ଡାକ୍ତରୀ କାଗଜପତ୍ର ନିଜର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଥିବା ନେଇ ଝାରସୁଗୁଡ଼ା ପୁଲିସ ଏସପି ସୂଚନା ଦେଇଛନ୍ତି । ଏହି ଦୁଇଟି ପର୍ଯ୍ୟାୟରେ ବର୍ଷକ ମଧ୍ୟରେ ଗୋପାଳ ମୋଟ ୧୭୯ଦିନ(ପ୍ରାୟ ୬ମାସ) କାହାକୁ କିଛି ନଜଣାଇ ଅନଧିକୃତ ଛୁଟିରେ ରହିଥିଲା । କେବଳ ସେତିକି ନୁହେଁ ବିଭିନ୍ନ କାରଣ ଦର୍ଶାଇ ଗୋପାଳ ୨୦୧୪ ମସିହାରେ ୧୯ଦିନ ଓ ୨୦୧୫ ମସିହାରେ ୨୨ଦିନ ଅଧିକୃତ ଛୁଟି ନେଇଥିଲା । ଯଦି ୨୦୧୪ ଫେବୃୟାରୀରୁ ୨୦୧୫ ଜୁନ୍ ମଧ୍ୟରେ ଅଧିକୃତ ଛୁଟିକୁ ହିସାବ କରାଯାଏ ସେହି ଅବଧିରେ ମୋଟ ଛୁଟି ୨୮ ହେବ । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଗୋପାଳ ସଂକ୍ରାନ୍ତରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଲିଖତ ଉତ୍ତରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଯେଉଁ ତଥ୍ୟ ଦେଇଛନ୍ତି, ତାହା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଦେଇଥିବା ତଥ୍ୟ ସହ ମେଳ ଖାଉନି ।

ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଗୋପାଳ ୨୦୧୫ ଫେବୃୟାରୀ ୨୦ତାରିଖରେ ୮ଦିନ ଛୁଟିରେ ଯାଇ ଫେରିନଥିଲା ଓ ଅନଧିକୃତ ଭାବେ ଛୁଟିରେ ରହିଥିଲା ତଥା ୨୦୧୫ ଜୁନ୍ ୨୮ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲା । ଅର୍ଥାତ୍ ମୋଟ ୧୧୯ଦିନ ଅନଧିକୃତ ଛୁଟିରେ ରହିଥିଲା । ନିଜର ମାନସିକ ରୋଗ(ବାଇପୋଲାର ଇଫେକ୍ଟିଭ ଡିସଅର୍ଡର)ର ଚିକିତ୍ସା ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜରେ କରିଥିବାର ଡାକ୍ତରୀ କାଗଜପତ୍ର ମଧ୍ୟ ଦାଖଲ କରି ୧୧୯ଦିନର ଅନଧିକୃତ ଅନୁପସ୍ଥିତିକୁ ନିୟମିତ କରିବା ନିମନ୍ତେ ଅନୁରୋଧ କରିଥିଲା । ତା’ର ମେଡିକାଲ ରିପୋର୍ଟ ଓ ଫିଟନେସ ସାର୍ଟିଫିକେଟ୍ ଆଧାରରେ ତା’ର ଛୁଟିକୁ ନିୟମିତ କରାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

ଗୋପାଳ ଦାସଙ୍କୁ ନେଇ ଆଜି ବଡ ବୟାନ ଦେଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର | ସେ କହିଛନ୍ତି ଯେ ଗୋପାଳ ଗତ ଦଶ ବର୍ଷ ମଧ୍ୟରେ କେତେ ଦିନ ଛୁଟି ନେଇଥିଲା ଏବଂ କାହିଁକି ନେଇଥିଲା ତାହାର ଉତ୍ତର ମୁଁ ଜାଣିବାକୁ ଚାହିଁଥିଲି । ଉତ୍ତରରେ ସରକାର କହିଛନ୍ତି ଯେ ମାନସିକ ଚିକିତ୍ସା ହେଉ କି କେଉଁ ବି ଚିକିତ୍ସା ପାଇଁ ଗୋପାଳ କୌଣସି ଦରଖାସ୍ତ ଦେଇନଥିଲା । ବହୁ ସମୟରେ ଛୁଟି ମାଗିଛି । ଅଧାରୁ ଅଧିକ ସମୟ ସ୍ତ୍ରୀର ଦେହ ଖରାପ ଦର୍ଶାଇ ଛୁଟି ମାଗିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଗୋପାଳ ପାଗଳ ନଥିଲା କିମ୍ବା ପାଗଳ ନାହିଁ । ଯେତେବେଳେ ତାର ପରିବାର ଲୋକେ ଗଣମାଧ୍ୟମରେ କହିଲେ ସେ ପାଗଳ ସେହି ସମୟରେ ଗୋଟେ ଏକ୍ସପର୍ଟ ଟିମ ଏସସିବି ମେଡ଼ିକାଲର ତାକୁ ପରୀକ୍ଷାନିରୀକ୍ଷା କଲେ ଆଉ ତାର ମାନସିକ ଅବସ୍ଥା ଠିକ ଅଛି ବୋଲି କହିଲେ ।

କିନ୍ତୁ ବିଧାୟକ ନରସିଂହ ମିଶ୍ରଙ୍କୁ ଦେଇଥିବା ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଗୋପାଳ ୨୦୧୫ ମେ’ ୧୦ତାରିଖରୁ ୫ଦିନ କାଜୁଆଲ ଲିଭ୍ (ସିଏଲ୍‌) ଓ ଗୋଟିଏ ଦିନ ପେଡ୍ ଲିଭ୍ ପାଇଁ ଆବେଦନ କରିଥିଲା । ତେବେ ପ୍ରଶ୍ନ ଉଠୁଛି, ଗୋପାଳ ୨୦୧୫ ଫେବୃୟାରୀ ୨୦ରୁ ଜୁନ୍ ୨୭ପର୍ଯ୍ୟନ୍ତ ଅନଧିକୃତ ଛୁଟିରେ ଥିବାବେଳେ ମେ’ ୧୦ରୁ ସିଏଲ୍ ପାଇଁ ଆବେଦନ କଲା କେମିତି? ଗୋପାଳ ୨୦୧୪ ଫେବୃୟାରୀରୁ ୨୦୧୫ ଜୁନ୍ ମଧ୍ୟରେ ପ୍ରାୟ ୬ମାସ ନିଜର ମାନସିକ ରୋଗର ଚିକିତ୍ସା ପାଇଁ ଅନଧିକୃତ ଛୁଟିରେ ରହିଥିଲେ ମଧ୍ୟ ତାକୁ କିଭଳି ୨୦୧୫ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ରଥଯାତ୍ରା(୨୦୧୫ ଜୁଲାଇ ୧୮ତାରିଖ) ଡ୍ୟୁଟିରେ ୨୦୧୫ ଜୁଲାଇ ପ୍ରଥମ ସପ୍ତାହରେ ମୁତୟନ କରାଯାଇଥିଲା । ମାନସିକ ରୋଗ ପାଇଁ ଏତେ ଦୀର୍ଘଦିନ ଛୁଟିରେ ରହିବା ପରେ ଜୁନ ୨୮ରେ ଯୋଗ ଦେଇଥିବା ଗୋପାଳଙ୍କୁ କିଭଳି ପୁରୀ ରଥଯାତ୍ରା ଡ୍ୟୁଟି ଦିଆଯାଇଥିଲା । ଆଉ ଗୋପାଳ ରଥଯାତ୍ରାରେ ଭଲ କାର୍ଯ୍ୟ କରିଥିବା ପାଇଁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ସେହି ୨୦୧୫ ମସିହାରେ ଗୋପାଳଙ୍କୁ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା(୨୦୧୫ ଅକ୍ଟୋବର ୧୦)ରେ ମଧ୍ୟ ମୁତୟନ କରାଯାଇଥିଲା । ଆଉ ସେଠାରେ ବି କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରିଥିବାରୁ ସେ ପୁରସ୍କୃତ ହୋଇଥିଲେ ।

ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରାଙ୍କ ଲିଖିତ ଉତ୍ତରରୁ ସ୍ପଷ୍ଟ ହେଉଛି ଯେ, ଗୋପାଳ ଜଣେ ମାନସିକ ରୋଗୀ ଥିଲେ ଓ ୨୦୧୪-୨୦୧୫ ମସିହାରେ ସେ ଦୁଇଥର ପ୍ରାୟ ୬ମାସ ଡ୍ୟୁଟିରେ ଅନୁପସ୍ଥିତ ରହି ଚିକିତ୍ସିତ ହେଉଥିଲେ । ମାନସିକ ରୋଗ ଚିକିତ୍ସା ସଂକ୍ରାନ୍ତ ମେଡିକାଲ ରିପୋର୍ଟ ମଧ୍ୟ ପୁଲିସ ପାଖରେ ଗୋପାଳ ଦାଖଲ କରିସାରିଛନ୍ତି । ତେଣୁ କୋର୍ଟରେ ଗୋପାଳଙ୍କ ଓକିଲ ତାଙ୍କ ମହକିଲକୁ ମାନସିକ ରୋଗୀ ବୋଲି ଦର୍ଶାଇବା ବିଶେଷ କଷ୍ଟକର ହେବନି । ଆଉ ତଦନ୍ତର ଅନ୍ୟ ଦିଗକୁ କ୍ରାଇମବ୍ରାଂଚ ଖୋଳତାଡ଼ କରୁନଥିବାରୁ ଏହି ମାମଲା କୋର୍ଟରେ ବେଶୀଦିନ ତିଷ୍ଠିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ଆଜି ବିଧାନସଭାରେ ବିଧାୟକ ନରସିଂହ ମିଶ୍ର, ସୁବାସ ପାଣିଗ୍ରାହୀ, ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ଦେଇଛନ୍ତି, ସେଥିରୁ ଗୋପାଳ ଜଣେ ମାନସିକ ରୋଗୀ ବୋଲି ସ୍ପଷ୍ଟ ହୋଇଛି ।

ଅନ୍ୟପକ୍ଷରେ ଗୋପାଳ ମାନସିକ ରୋଗୀ ବୋଲି ଜାଣି ପୁଲିସ କର୍ତ୍ତୃପକ୍ଷ କିଭଳି ତାଙ୍କୁ ଅନେକ ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି ପାଇଁ ପଠାଉଥିଲେ ଓ ଗୋପାଳ ମାନସିକ ରୋଗୀ ହୋଇଥିବାରୁ ନବ ଦାସଙ୍କୁ ଗୁଳି କରିବା ନିମନ୍ତେ କିଏ ତାଙ୍କୁ ଉସକାଇଥିଲେ କି, ଅବା କାହା ପ୍ରରୋଚନାରେ ସେ ନବଙ୍କୁ ଗୁଳି କରିଛନ୍ତି ତାହା କାହିଁକି କ୍ରାଇମବ୍ରାଂଚ ଖୋଳତାଡ଼ କରୁନି, ତାକୁ ନେଇ ସାଧାରଣରେ ସନ୍ଦେହ ବଢ଼ିବାରେ ଲାଗିଛି ।

ଭାରତ ଯୋଡୋ ଯାତ୍ରା ବେଳେ ଦେଇଥିବା ବୟାନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଘାଣ୍ଟିଛି ପୁଲିସ।


ନୂଆଦିଲ୍ଲୀ,ଭାରତ ଯୋଡୋ ଯାତ୍ରା ବେଳେ ଦେଇଥିବା ବୟାନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଘାଣ୍ଟିଛି ପୁଲିସ। ଏଥିପାଇଁ ଆଜି ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପୁଲିସ ଡେରା ପକାଇଥିଲା। ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା ପରେ ରାହୁଲଙ୍କୁ ଭେଟି ପଚରାଉଚରା କରିବା ପରେ ପୁଲିସ ନୋଟିସ୍ ଦେଇଛି। ତେବେ ଏଥିପାଇଁ ସମୟ ମାଗିଛନ୍ତି ରାହୁଲ।  

ଜମ୍ମୁ କଶ୍ମୀର ଭାରତ ଯୋଡୋ ଯାତ୍ରା ବେଳେ ଅନେକ ମହିଳା ତାଙ୍କୁ ଯୌନ ଉତ୍ପୀଡନର ଶିକାର ହୋଇଥିବା ନେଇ କହିଥିବା ବୟାନ ଦେଇଥିଲେ। ବୟାନ ଆଧାରରେ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ରବିବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ନୋଟିସ ଦେଇଛନ୍ତି।ସେପଟେ ସମସ୍ତ ମହିଳାଙ୍କ ତଥ୍ୟ ଦେବା ଲାଗି ପୁଲିସକୁ ସମୟ ମାଗିଛନ୍ତି ୱାଇନାଡା ସାଂସଦ। ଏହି ଯାତ୍ରା ବେଶ୍ ଲମ୍ବା ଥିଲା। ଏଥିପାଇଁ ସମସ୍ତ ମହିଳାଙ୍କ ତଥ୍ୟ ଯୋଗାଡ କରିବା ପାଇଁ ଟିକେ ସମୟ ଲାଗି ବୋଲି ରାହୁଲ କହିଥିବା ସ୍ୱତନ୍ତ୍ର ସିପି ସାଗର ପ୍ରୀତ ହୁଡା ରାହୁଲଙ୍କୁ ଭେଟି ନୋଟିସ ଦେବା ପରେ ଜଣାଇଛନ୍ତି।

ଶ୍ରୀନଗରରେ ଭାରତ ଯୋଡ଼ ଯାତ୍ରାର ଶେଷ ଦିନରେ ରାହୁଲ ଗାନ୍ଧୀ କହିଥିଲେ ଯେ ଏବେ ମଧ୍ୟ ଅନେକ ମହିଳାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି। ଏହାପରେ ମହିଳାଙ୍କ ସବିଶେଷ ତଥ୍ୟ ଦେବାକୁ ଦିଲ୍ଲୀ ପୁଲିସ ମାର୍ଚ୍ଚ ୧୬ରେ ନୋଟିସ୍ କରିଥିଲା। ଆଉ ପକ୍ଷ ରଖି ସଂପୃକ୍ତ ପୀଡିତାଙ୍କ ବାବଦରେ ସୂଚନା ଦେଲେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ ବୋଲି କହିଥିଲା ପୁଲିସ। ଦିଲ୍ଲୀରେ ଥିବା ଆମ ଟିମ୍ ଏହାର ତଦନ୍ତ କରିଥିଲେ ମଧ୍ୟ ସେଭଳି କୌଣସି ମହିଳାଙ୍କୁ ପାଇନଥିବା ପୁଲିସ କହିଛି। ଏହା ଜାଣିବା ପାଇଁ ରାହୁଲ ଗାନ୍ଧୀଙ୍କ ପାଖକୁ ଆସିଥିଲୁ ବୋଲି ଦିଲ୍ଲୀ ପୁଲିସ କହିଛି।

ଅନ୍ୟପଟେ ଏହାକୁ ନେଇ ରାଜନୈତିକ ବୟାନବାଜି ତେଜିଛି। କଂଗ୍ରେସ ନେତା ପବନ ଖେଡା କହିଛନ୍ତି, ତଦନ୍ତରେ ସହଯୋଗ କରାଯିବ। କଂଗ୍ରେସ ସବୁବେଳେ ଆଇନକୁ ସମ୍ମାନ କରେ। ହେଲେ ରାହୁଲ ଗାନ୍ଧୀଙ୍କ ଘରକୁ ପୁଲିସ ଆସି ଏପରି ନୋଟିସ୍ ଦେବା ଠିକ୍ ନୁହେଁ ବୋଲି ଅଭିଷେକ ମନୁସିଂଘଭି କହିଛନ୍ତି। ଏପରି ସାହାସ କେମିତି ଆସିଲା ବୋଲି ସେ ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଛନ୍ତି। ସେହିପରି ନଳିନୀ କୋହଲି କହିଛନ୍ତି, ‘ଆଇନକୁ ସମ୍ନାନ କରିବା ଦରକାର। ଆଇନ ଆଗରେ ସମସ୍ତେ ସମାନ। ଯେଉଁ ମହିଳା ବା ଯୁବତୀ ଯୌନ ନିର‌୍ୟାତନାର ଶିକାର ହୋଇଛନ୍ତି ରାହୁଲ ଗାନ୍ଧୀ ସେମାନଙ୍କର ତଥ୍ୟ ଦେଲେ ସୁରକ୍ଷା ଯୋଗାଇ ଦିଆଯାଇପାରିବ ଏବଂ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିବ।

ବିବାହିତ ପୁରୁଷଙ୍କ ମଧ୍ୟରେ ଆତ୍ମହତ୍ୟା ମାମଲା ବୃଦ୍ଧି । ରାଷ୍ଟ୍ରୀୟ ପୁରୁଷ ଆୟୋଗ ଗଠନ କରିବାକୁ ଦାବି


ନୂଆଦିଲ୍ଲୀ,ନିକଟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଯାଚିକା ଦାୟର କରାଯାଇଛି। ଯେଉଁଥିରେ ପୁରୁଷଙ୍କ ପାଇଁ ଜାତୀୟ ଆୟୋଗ ଗଠନ କରିବାକୁ ଦାବି କରାଯାଇଛି। ବିବାହିତ ପୁରୁଷଙ୍କ ମଧ୍ୟରେ ଆତ୍ମହତ୍ୟା ମାମଲାରେ ବୃଦ୍ଧି ଘଟିଥିବା ଏହି ଆବେଦନରେ କୁହାଯାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଏହି ଆବେଦନରେ ପ୍ରଦାନ କରାଯାଇଛି। ଏହାର ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଜାରି କରିବା ଏବଂ ପୁରୁଷଙ୍କ ପାଇଁ ଏକ ଜାତୀୟ ଆୟୋଗ ଗଠନ ପାଇଁ ଦାବି ହୋଇଛି।

ଓକିଲ ମହେଶ କୁମାର ତିୱାରୀଙ୍କ ପକ୍ଷରୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏହି ପିଟିସନ ଦାଖଲ କରାଯାଇଛି। ପାରିବାରିକ କଳହର ଶିକାର ହୋଇଥିବା ବିବାହିତ ପୁରୁଷଙ୍କ ପାଇଁ ଏକ ଜାତୀୟ ପୁରୁଷ ଆୟୋଗ ଗଠନ କରିବାକୁ ଏହି ଆବେଦନରେ ମାଧ୍ୟମରେ ଦାବି କରାଯାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଏନସିଆରବି (NCRB) ତଥ୍ୟକୁ ଏହି ଆବେଦନରେ ଦର୍ଶାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ଗତ ୨୦୨୧ ବର୍ଷରେ ୧ ଲକ୍ଷ ୬୪ ହଜାର ୩୩ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ଆବେଦନରେ ଦର୍ଶାଯାଇଛି ଯେ  ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ବିବାହିତ ପୁରୁଷଙ୍କ ସଂଖ୍ୟା ୮୧ ହଜାର ୬୩ ରହିଥିବା ବେଳେ ୨୮ ହଜାର ୬୮୦ ଜଣ ବିବାହିତ ମହିଳା ରହିଥିଲେ।

ଏନସିଆରବି ତଥ୍ୟକୁ ଦର୍ଶାଇ ଏହି ଆବେଦନରେ କୁହାଯାଇଛି ଯେ ୨୦୨୧ ବର୍ଷରେ ପ୍ରାୟ ୩୩.୨ ପ୍ରତିଶତ ପୁରୁଷ ପାରିବାରିକ ସମସ୍ୟା ହେତୁ ଏବଂ ୪.୮ ପ୍ରତିଶତ ପୁରୁଷ ବିବାହ ସମ୍ବନ୍ଧୀୟ କାରଣରୁ ହେତୁ ନିଜର ଜୀବନ ଶେଷ କରିଦେଇଥିଲେ। ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ପ୍ରସଙ୍ଗ ତଥା ଘରୋଇ ହିଂସାର ଶିକାର ହୋଇଥିବା ପୁରୁଷଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବ ଅଧିକାର ଆୟୋଗ ପାଖରେ ମଧ୍ୟ ଏକ ଆବେଦନ କରାଯାଇଛି।

ଏନେଇ ଦାୟର ହୋଇଥିବା  ଆବେଦନରେ ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଘରୋଇ ହିଂସାର ଶିକାର ହୋଇଥିବା ପୁରୁଷଙ୍କ ଅଭିଯୋଗ ତୁରନ୍ତ ଗ୍ରହଣ କରାଯାଉ। ପାରିବାରିକ ହିଂସା କିମ୍ବା ପାରିବାରିକ ସମସ୍ୟା ତଥା ବୈବାହିକ ସମସ୍ୟାରେ ପୀଡିତ ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଅନୁସନ୍ଧାନ କରିବା ପାଇଁ ଭାରତର ଆଇନ ଆୟୋଗକୁ ଏକ ନିର୍ଦ୍ଦେଶ/ସୁପାରିଶ ପ୍ରଦାନ କରନ୍ତୁ ଏବଂ ରାଷ୍ଟ୍ରୀୟ ସ୍ତରରେ ଏକ ମଞ୍ଚ ଗଠନ ପାଇଁ ଆବଶ୍ୟକ ରିପୋର୍ଟ ପ୍ରସ୍ତୁତ କରିବାକୁ ଦାବି କରାଯାଇଛି। 

ରମଜାନ ବେଳେ ମସଜିଦରୁ ଲାଉଡ ସ୍ପୀକର ନହଟାଇବାକୁ ଯୋଗୀଙ୍କୁ ଅନୁରୋଧ କଲା ସଂଖ୍ୟାଲଘୁ ଆୟୋଗ


ଉତ୍ତର ପ୍ରଦେଶ ସଂଖ୍ୟାଲଘୁ କମିଶନ ଚଳିତ ରମଜାନ  ଉନ୍ନତ ସୁବିଧା ତଥା ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ କୋର୍ଟ ଦ୍ୱାରା ସ୍ଥିର କରାଯାଇଥିବା ନିୟମ ଅନୁଯାୟୀ ମସଜିଦ ଠାରେ ଲଗାଯାଇଥିବା ଲାଉଡ ସ୍ପୀକର ନହଟାଇବାକୁ ସଂଖ୍ୟାଲଘୁ କମିଶନ ଉତ୍ତର ପ୍ରଦେଶ ସରକାରଙ୍କ ନିକଟରେ ଆବେଦନ କରିଛି। ସମସ୍ତ ପ୍ରକାର ମାନଦଣ୍ଡକୁ ଦୃଷ୍ଟିରେ ରଖି ସ୍ଥାପିତ ଲାଉଡ ସ୍ପୀକର ନହଟାଇବାକୁ ଉତ୍ତର ପ୍ରଦେଶ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ ଅଶଫାକ ସୈଫି କହିଛନ୍ତି। ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ କହିଛନ୍ତି ଯେ ନିୟମ ଅନୁଯାୟୀ ସ୍ଥାପିତ ଲାଉଡ ସ୍ପୀକରକୁ ବାଧ୍ୟତାମୂଳକ ଭାବେ ହଟାଇବା ନେଇ ତାଙ୍କ ପାଖକୁ ଅଭିଯୋଗ ଆସିଛି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରିବା ବେଳେ ଉତ୍ତର ପ୍ରଦେଶ ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ ଅଶଫାକ ସୈଫି କହିଛନ୍ତି ଯେ, ସେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ରମଜାନ ସମୟରେ ମୁସଲିମ ସମ୍ପ୍ରଦାୟର ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବିଧା ଯୋଗାଇବାକୁ କହିଛନ୍ତି। ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରମଜାନ ମାସ। ରମଜାନ ମାସରେ ପଡୁଥିବା ଶୁକ୍ରବାର ଦିନ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ କହିଛନ୍ତି ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ। ଯାହା ଦ୍ୱାର କୌଣସି ପ୍ରକାର ଅଘଟଣ ଘଟିବ ନାହିଁ ବୋଲି କହିଛନ୍ତି ଅଶଫାକ ସୈଫି। ତାଙ୍କ କହିବା ଅନୁସାରେ ମସଜିଦ ଠାରେ ଲଗାଯାଇଥିବା ଲାଉଡ ସ୍ପୀକର ସ୍ଥାନୀୟ ପ୍ରଶାସନ ଦ୍ୱାରା ହଟାଯାଉଛି। ଏନେଇ ମୁସଲିମ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଅଭିଯୋଗ କରିଛନ୍ତି।

ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର ପ୍ରଦେଶ ସରକାର ନିୟମ ଭଙ୍ଗ କରି ରାଜ୍ୟର ଧାର୍ମିକ ସ୍ଥାନରେ ଲଗାଯାଇଥିବା ଲାଉଡ ସ୍ପୀକର ହଟାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ରମଜାନ ସମୟରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରାର୍ଥନା କରିବାକୁ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ନିବେଦନ କରିଛନ୍ତି ଉତ୍ତର ପ୍ରଦେଶ ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ ଅଶଫାକ ସୈଫି। ଏହା ସହିତ ସେ ରାସ୍ତାରେ ଏବଂ ସର୍ବସାଧାରଣ ସ୍ଥାନରେ ନମାଜ ନପଢିବାକୁ ମୁସଲିମ ସମ୍ପ୍ରଦାୟ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ ସହିତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏବଂ ପୋଲିସ ମୁଖ୍ୟ ତଥା ସମସ୍ତ ଜିଲ୍ଲାର ଜିଲ୍ଲା ଅଧିକାରୀଙ୍କନିକଟକୁ ପଠାଯାଇଛି।

ରାମଙ୍କ ଠାରୁ ବଡ଼ ହେଉଛନ୍ତି ରାବଣ, ରାମାୟଣ ହେଉଛି କାଳ୍ପନିକ। ଭଗବାନ ରାମଙ୍କ ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଇ ବିବାଦରେ ଜିତିନ ରାମ ମାଞ୍ଝି


ପାଟନା, ଭଗବାନ ରାମଙ୍କ ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଇ ବିବାଦୀୟ ହୋଇପଡ଼ିଛନ୍ତି ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା ଅଧ୍ୟକ୍ଷ ଜିତନରାମ ମାଞ୍ଝି। ଗତ ଗୁରୁବାର ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼.ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ  ଯୋଗ ଦେବା ଅବସରରେ ସେ ଭଗବାନ ରାମଙ୍କ ଉପରେ ବିବଦୀୟ ବୟାନ ଦେଇଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। 

ବିହାର ଜମୁଇ ଠାରେ  ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼.ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ ସିକନ୍ଦରା ବିଧାୟକ ପ୍ରଫୁଲ୍ଲ ମାଞ୍ଝି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା ଅଧ୍ୟକ୍ଷ ଜିତନରାମ ମାଞ୍ଝି କହିଥିଲେ ରାମ କୌଣସି ଭଗବାନ ନୁହଁନ୍ତି। ସେ ବାଲ୍ମୀକି ଏବଂ ତୁଳସୀ ଦାସଙ୍କ ଦ୍ୱାରା ରଚିତ ମହାକାବ୍ୟର ଚରିତ୍ର। ରାମ ଭଗବାନ ନୁହେଁ ଏକ ଔପନ୍ୟାସିକ ଚରିତ୍ର ଥିଲେ। କେହି ପୂଜାପାଠ କରି ବଡ଼ ହୁଅନ୍ତି ନାହିଁ। ଅନୁସୂଚିତ ଜାତିର ଲୋକେ ପୂଜାପାଠ ବନ୍ଦ କରିବା ଆବଶ୍ୟକ।

ରାମୟାଣ ଏବଂ ଭଗବାନ ରାମଙ୍କ ଉପରେ ଦେଇଥିବା ବୟାନ ପାଇଁ ବିବାଦଘେରକୁ ଟଣା ହୋଇଛନ୍ତି ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଅଧ୍ୟକ୍ଷ। ଜିତନ ରାମ ମାଞ୍ଝି ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣକୁ କାଳ୍ପନିକ ଏବଂ ରାବଣକୁ ଭଗବାନ ରାମଙ୍କ ଠାରୁ ମହାନ୍ ବୋଲି ବର୍ଣ୍ଣନା କରିଛନ୍ତି। ଶୁକ୍ରବାର ବିହାର ବିଧାନସଭାରେ ବିଜେପି ପକ୍ଷରୁ ଉଠାଯାଇଥିବା ହନୁମାନ ଚାଳିଶା ପାଠ କରିବା ସମ୍ପର୍କରେ ଯେତେବେଳେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ, ଭଗବାନ ରାମଙ୍କ ଅପେକ୍ଷା ରାବଣ ଅଧିକ ପରିଶ୍ରମୀ ଥିଲେ। ଏହା ସହିତ ସେ ରାମାୟଣକୁ କାଳ୍ପନିକ ବୋଲି ବିବେଚନା କରିଥାନ୍ତି ବୋଲି କହିଛନ୍ତି। ଜିତନ ରାମ ମାଞ୍ଝି କହିଛନ୍ତି ଯେ, ଭଗବାନ ରାମଙ୍କ ଅପେକ୍ଷା ରାବଣଙ୍କ ଚରିତ୍ର ହେଉଛି ବଡ଼। ରାବଣଙ୍କ କାର୍ଯ୍ୟ ରାମଙ୍କ ଅପେକ୍ଷା ବଡ଼। କଳ୍ପନା ଆଧାରରେ ରାମ ଏବଂ ରାବଣ ବିଷୟରେ କହିବା ପରିବର୍ତ୍ତେ ବିଜେପି ଗରିବଙ୍କ ବିଷୟରେ କଥାବାର୍ତ୍ତା କରିବା ଆବଶ୍ୟକ।

ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଅଧ୍ୟକ୍ଷ କହିଛନ୍ତି ଯେ,  ମୁଁ ସବୁବେଳେ କହି ଆସୁଛି ରାମାୟଣ ହେଉଛି କାଳ୍ପନିକ। ଉଭୟ ରାମ ଏବଂ ରାବଣ ହେଉଛନ୍ତି କାଳ୍ପନିକ। ହେଲେ କଳ୍ପନା ଉପରେ ଆଧାରିତ କାହାଣୀ ଅନୁଯାୟୀ, ମୁଁ ବିଶ୍ୱାସ କରେ ଯେ ରାମଙ୍କ ଠାରୁ ରାବଣ ବଡ଼ ଥିଲେ। ରାବଣ ଜଣେ ବଡ କର୍ମବାଦୀ ଲୋକ ଥିଲେ। ଯେତେବେଳେ ରାମ ଅସୁବିଧାରେ ପଡ଼ିଥିଲେ ସେତେବେଳେ ତାଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଅଲୌକିକ ସେବା ଆସୁଥିଲା, ହେଲେ ରାବଣ ପାଇଁ କିଛି ଆସି ନଥିଲା।

ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଭଗବାନ ରାମଙ୍କୁ କାଳ୍ପନିକ ବୋଲି କହି, ତାଙ୍କ ମତ ଉପରେ ଅନେକ ଯୁକ୍ତି ମଧ୍ୟ ଉପସ୍ଥାପନ କରିଥିଲେ। ତାଙ୍କ କହିବା ଅନୁସାରେ "ଡିସକଭରି ଅଫ୍ ଇଣ୍ଡିଆ" ପୁସ୍ତକରେ କୁହାଯାଇଛି ଯେ ରାମ ହେଉଛନ୍ତି କାଳ୍ପନିକ। ଲୋକମାନ୍ୟ ବାଲ ଗଙ୍ଗାଧ ତିଲକ ଏବଂ ରାହୁଲ ସଂସ୍କୃତ୍ୟାୟନ ମଧ୍ୟ କହିଛନ୍ତି ଯେ ରାମ ହେଉଛନ୍ତି କାଳ୍ପନିକ। ଯେତେବେଳେ ବ୍ରାହ୍ମଣ ରାମଙ୍କୁ କାଳ୍ପନିକ ବୋଲି କହୁଥିଲେ ସେତେବେଳେ କୌଣସି ଅସୁବିଧ ହୋଇନଥିଲା। ହେଲେ ଯେତେବେଳେ ଆମେ କହିଲୁ ସେତେବେଳେ ଏହା ବିବାଦୀୟ ହୋଇଯିବା ସହ ଅପରାଧ ହୋଇଗଲା।

କେବଳ ଏତିକିରେ ଅଟକି ଯାଇନାହାଁନ୍ତି ଜିତନ ରାମ ମାଞ୍ଝି। ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଅଧ୍ୟକ୍ଷ ତୁଳସୀଦାସ ଏବଂ ବାଲ୍ମିକୀଙ୍କ ମଧ୍ୟରେ ତୁଳନା ମଧ୍ୟ କରିଛନ୍ତି। ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାମାୟଣ ବାଲ୍ମିକୀ ଲେଖିଥିଲେ ହେଲେ ତାଙ୍କର ଆରାଧନା କରାଯାଉନାହିଁ। କିନ୍ତୁ ତୁଳସୀଦାସଙ୍କୁ କାହିଁକି ପୂଜା କରାଯାଉଛି?ମନୁବାଦୀ ବ୍ୟବସ୍ଥାରେ ଏପରି କାମ କରାଯାଇଛି। ତୁଳସୀଦାସଙ୍କ ରାମଚରିତ ମାନସ ଗ୍ରନ୍ଥରେ ଅନେକ ଭଲ ଜିନିଷ ରହିଛି ଏବଂ ଅନେକ ଭୁଲ ମଧ୍ୟ ଅଛି। ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକର ଏବଂ ସମାଜବାଦର ଜନକ ଡକ୍ଟର ରାମ ମନୋହର ଲୋହିଆ ମଧ୍ୟ ଏହି ଗ୍ରନ୍ଥରେ ରହିଥିବା ଭୁଲ ହଟାଇବାକୁ କହିଥିଲେ।

ଭଗବାନ ରାମଙ୍କ ଉପରେ ରଖିଥିବା ବୟାନ ପାଇଁ ଜିତନରାମ ମାଞ୍ଝିଙ୍କୁ ଜବାବ ଦେଇଛନ୍ତି ବିହାର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ। ଏନେଇ ସେ କହିଛନ୍ତି ଗରିବଙ୍କ ରାଜନୀତି କରି ଜିତନ ରାମ ମାଞ୍ଝି ଆଗକୁ ଆସିଛନ୍ତି। ସେ ଜାଣନ୍ତି ଯେ ରାମଙ୍କ ମହତ୍ତ୍ୱ କ’ଣ ଏବଂ ରାମଙ୍କ ବିନା ଏହି ଉପନ୍ୟାସ ସମ୍ପୂର୍ଣ୍ଣ ହୋଇପାରି ନଥାନ୍ତା। ଏହି ବୟାନକୁ ନେଇ ବିଜେପି ବିରୋଧରେ ବର୍ଷି ସେ କହିଛନ୍ତି ବିଜେପି ରାମଙ୍କ ବ୍ୟବସାୟକରଣ କରୁଛି ମାତ୍ର ରାମ କୌଣସି ବ୍ୟବସାୟିକ ପାତ୍ର ନୁହଁନ୍ତି।

ପୂଜକଙ୍କୁ ସ୍ବପ୍ନାଦେଶ ପରେ ମନ୍ଦିର ପରିସରରେ ଖୋଳାଗଲା ମାଟି । ଉଦ୍ଧାର ହେଲା ଗଙ୍ଗାଦେବୀଙ୍କ ମୂର୍ତ୍ତି


ଚିତ୍ର‌କୋଣ୍ଡା, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦରମହକୁମା ଠାରେ ଏକ ଏଶ୍ବରୀକ ତଥା ଅଦ୍ଭୁତ ଅଲୌକିକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚିତ୍ରକୋଣ୍ଡାର ପଞ୍ଜାବୀ ଛକସ୍ଥିତ ତିରୁପତି ବାଲାଜୀ ଓ ଜଗନ୍ନାଥ ମନ୍ଦିର ପୂଜକ ରବି ଶାସ୍ତ୍ରୀଙ୍କ ସ୍ବପ୍ନାଦେଶ କ୍ରମ‌େ ମନ୍ଦିର ପରିସରକୁ ଖନନ କରିବା ସମୟରେ ଗଙ୍ଗାମାତା ଏକ ମୂର୍ତ୍ତି ବାହାରିଥିବା ଲୋକଙ୍କୁ ଚକିତ କରିଦେଇଛି। ମନ୍ଦିର ପୂଜକ ରବିଶାସ୍ତ୍ରୀଙ୍କ କହିବାନୁଯାୟୀ, ଶୁକ୍ରବାର ରାତିରେ ତାଙ୍କୁ ସ୍ବପ୍ନାଦେଶ ହୋଇଥିଲା। ତିରୁପତି ବାଲାଜି ଓ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭଗବାନ ପୋତି ହୋଇ ରହିଥିବାରୁ ସେଠାରୁ ତାଙ୍କୁ ବାହାର କରିବାକୁ ଆଦେଶ ହୋଇଥିଲା। ପୂଜକ କହିବାନୁଯାୟୀ ମନ୍ଦିର ପରିସରରେ ଥିବା ନିର୍ଦ୍ଧିଷ୍ଟ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥିଲା। 

ଧାର୍ମିକ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ସେଠାରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଠାରେ ୭ ଫୁଟ ଖୋଳିବା ପରେ ରାତି ୧୧ଟା ବେଳକୁ ମୂର୍ତ୍ତିର କିଛି ଅଂଶ ଦେଖିବାକୁ ମିଳିଥିଲା। ଏହାପରେ ଆହୁରି ଖୋଳିବା ପାରେ ପାଖାପାଖି ୧୦ ଇଞ୍ଚ ଉଚ୍ଚତାର ସର୍ପ ରହିଥିବା ଗଙ୍ଗାମାତା ମୂର୍ତ୍ତି ବାହାରିଥିଲା। ଠାକୁରଙ୍କ ନିର୍ଦ୍ଦେଶକ୍ରମେ ଏହି ମୂର୍ତ୍ତି ବାହାରିଥିବାରୁ ତାହାକୁ ପରିଷ୍କାର କରିବା ପରେ ପୂଜାର୍ଚ୍ଚନା କରାଯାଇଛି। ସ୍ବପ୍ନାଦେଶ ଘଟଣାକୁ ନେଇ ଭିଡ ଜମିଥିବା ବେଳେ ଠାକୁରଙ୍କ ମୂର୍ତ୍ତି ବାହାରିବା ପରେ ଗ୍ରାମବାସୀଙ୍କ ଆହୁରି ଭିଡ ଦେଖିବାକୁ ମିଳିଛି। ସେଠାରେ ଲୋ‌କେ ଖୋଳ କୀର୍ତ୍ତନ ସହ ଶଙ୍ଖ ଧ୍ବନୀ ଓ ହୁଳହୁଳିରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଛି।

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପୁଲିସ୍‌ ଧରିବା ପାଇଁ ପୂରା ରାଜ୍ୟରେ ଧରପଗଡ଼ । ଧମକ ଦେଲା ଶିଖ ସଂଗଠନ


ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପୁଲିସ୍‌ ଧରିବା ପାଇଁ ପୂରା ରାଜ୍ୟରେ ଧରପଗଡ଼ କରୁଛି। ଶନିବାର ଜଲନ୍ଧରରେ ପୁଲିସକୁ ଚକମା ଦେଇ ଅମ୍ରିତପାଲ ଖସି ଯାଇଥିଲେ ହେଁ ତା’ର ଅନେକ ସହଯୋଗୀ ଧରାପଡ଼ିଛନ୍ତି। ଅମ୍ରିତପାଲର ବଡିଗାର୍ଡ ଠାରୁ ଆରମ୍ଭ କରି ଆକାଉଣ୍ଟାଣ୍ଟଙ୍କ ଯାଏ ସମସ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ହେଲେ ଏଯାଏ ଅମ୍ରିତପାଲ ଧରାପଡ଼ିନି। ଏହାକୁ ନେଇ ପୂରା ପଞ୍ଜାବରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଗୋଟିଏ ଶିଖ ସଂଗଠନ ପୁଲିସ୍‌କୁ ଖୋଲା ଧମକ ଦେଇଛି। ଅକଲ ତାକତ ଜାତେଦର ଗିଆନି ହରପ୍ରୀତ ସିଂହ ପଞ୍ଜାବରେ ଆତଙ୍କର ପରିବେଶ ସୃଷ୍ଟି ନ କରିବାକୁ ସରକାରଙ୍କୁ କହିଛନ୍ତି। ଅକଲ ତାକତ ହେଉଛି ଶିଖ ସଂପ୍ରଦାୟର ସବୁଠାରୁ ବଡ଼ ଧାର୍ମିକ ସଂଗଠନ ଓ ଜାତେଦର ହେଉଛନ୍ତି ନିଯୁକ୍ତି ପାଉଥିବା ମୁଖ୍ୟ।

ସଂଗଠନର ମୁଖ୍ୟ କହିଛନ୍ତି, ପଞ୍ଜାବ ଅନେକ କିଛି ସହିଛି। ଏବେ ଉତ୍ତମ ଭବିଷ୍ୟତ ପାଇଁ ଆଗକୁ ବଢ଼ିବାର ସମୟ। ପଞ୍ଜାବ ପୂର୍ବରୁ ଅନେକ ଗଭୀର କ୍ଷତଚିହ୍ନ ସହ୍ୟ କରିଛି। ହେଲେ କୌଣସି ସରକାର ଏଥିରେ ମଲମ ଲଗାଇବାକୁ କେବେ ହେଲେ ପଦକ୍ଷେପ ନେଇ ନାହାନ୍ତି। ତାଙ୍କ ମତରେ ପୂର୍ବ ସରକାରଙ୍କ ଅବହେଳା ଯୋଗୁ ଶିଖ ଯୁବକମାନେ ବାସ୍ତବତାରୁ ଦୂରେଇ ରହିଛନ୍ତି। କିଛି ଲୋକ ଯୁବଗୋଷ୍ଠୀଙ୍କର ଧ୍ୟାନଭ୍ରଷ୍ଟ କରୁଛନ୍ତି ଓ ସେମାନଙ୍କୁ ନିଜର ରାଜନୀତିକ ଫାଇଦା ହାସଲ ପାଇଁ ବ୍ୟବହାର କରୁଛନ୍ତି।

ହରପ୍ରୀତ ସିଂହ କହିଛନ୍ତି, ଭୁଲରୁ ଶିଖିବା ଉଚିତ। ଶିଖମାନଙ୍କର ଧାର୍ମିକ, ରାଜନୀତିକ ଓ ଅର୍ଥନୀତିକ ପ୍ରସଙ୍ଗକୁ ସମାଧାନ କରିବା ଦରକାର। ଏଥିସହ ଶିଖମାନଙ୍କୁ ନେଇ ରହିଥିବା ଚିନ୍ତା ଧାରାକୁ ମଧ୍ୟ ବଦଳା ଯାଉ। ଭାରତର ସ୍ୱାଧୀନତା ସବୁଠାରୁ ଅଧିକ ବଳିଦାନ ଦେଇଥିବା ଶିଖମାନଙ୍କ ପ୍ରତି ରହିଥିବା ଆଭିମୁଖ୍ୟ ଯୋଗୁ ବିଭେଦତା ସୃଷ୍ଟି ହେଉଛି। ତେଣୁ ଏହାକୁ ଅଧିକ ତୀବ୍ର କରିବାକୁ ପୁଲିସ୍‌ କିମ୍ବା ସରକାର ଚେଷ୍ଟା କରନ୍ତୁ ନାହିଁ। ଭୁଲରୁ ଶିଖ ଏହାକୁ ତୁରନ୍ତ ସୁଧାରିବାକୁ ଚେଷ୍ଟା କରନ୍ତୁ। ନଚେତ ସ୍ଥିତି ଭୟଙ୍କର ରୂପ ଧାରଣ କରିବ।

କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ବିଚ୍ଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହକୁ ଗିରଫ କରିବାକୁ ଉଦ୍ୟମ କରୁଥିବା ବେଳେ ଏପରି ବୟାନ ସାମ୍ନାକୁ ଆସିଛି। ଅମ୍ରିତପାଲ ସିଂହ ଏବେ ବି ଫେରାର ଥିଲେ ହେଁ ପୁଲିସ୍‌ ତା’ର ୭୮ ଜଣ ସମର୍ଥକଙ୍କୁ ଗିରଫ କରିଛି। ସେହିପରି ତା’ର ୪ ଜଣ ଘନିଷ୍ଠ ସହଯୋଗୀଙ୍କୁ ପୁଲିସ୍‌ ଆସାମର ଦିବ୍ରୁଗଡ଼କୁ ଆଣି ଅଧିକ ତଦନ୍ତ କରୁଛି। ଅନ୍ୟପକ୍ଷରେ ଅମ୍ରିତପାଲର ଲିଙ୍କ ପାକିସ୍ତାନ ଓ ଆଇଏସଆଇ ସହ ରହିଥିବା କୁହାଯାଉଛି। ତେଣୁ ଏହି ଘଟଣାର ତଦନ୍ତ ଏନଆଇଏ ମଧ୍ୟ କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଶିବଲିଙ୍ଗରେ ଜଳାଭିଷେକ କରିବା ପରେ ମେହବୁବା ମୁଫ୍‌ତି କହିଲେ ମୋ ଧର୍ମକୁ ମୁଁ ଭଲ ଭାବେ ଜାଣେ


ଶ୍ରୀନଗର, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବୁଧବାର ପୁଞ୍ଚ ଜିଲ୍ଲାର ନବଗ୍ରହ ମନ୍ଦିରକୁ ଯାଇ ଶିବଲିଙ୍ଗରେ ଜଳ ଅର୍ପଣ କରିବା ପରେ ଉଭୟ ବିଜେପି ଓ ମୁସଲମାନ ଧର୍ମଗୁରୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗୁରୁବାର ମେହବୁବା ମୁଫତି ମୌଲବୀମାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ତାଙ୍କ ଧର୍ମକୁ ଭଲ ଭାବରେ ଜାଣନ୍ତି। ଗୋଟିଏ ଦିନ ତଳେ ପୁଞ୍ଚ ଜିଲ୍ଲା ଗସ୍ତରେ ଯାଇଥିବା ପିପୁଲ୍‌ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ମୁଖ୍ୟ ମେହବୁବା ମୁଫତି ପୁଞ୍ଚ ସୀମାରେ ଥିବା ନବଗ୍ରହ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ ମନ୍ଦିରରେ ଥିବା ଏକ ଶିବଲିଙ୍ଗରେ ମଧ୍ୟ ଜଳ ଲାଗି କରିଥିଲେ।ବିଜେପି ତାଙ୍କ ମନ୍ଦିର ଗସ୍ତକୁ ନାଟକବାଜି କହି ସମାଲୋଚନା କରିଥିବା ବେଳେ ଉତ୍ତରପ୍ରଦେଶର ଦେଓବନ୍ଦର ଜଣେ ମୌଲାନା କହଥିଲେ ଯେ ମେହବୁବା ମୁଫତି ଯାହା କରିଛନ୍ତି ତାହା ଇସଲାମ ଅନୁମୋଦିତ ନୁହେଁ।

ଅନ୍ୟପକ୍ଷରେ ଇତ୍ତେହାଦ-ଉଲେମା-ଏ-ହିନ୍ଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁଫତି ଅସଦ କାସମୀ କହିଛନ୍ତି ଯେ ମେହବୁବା ମୁଫତି ହୁଅନ୍ତୁ କିମ୍ବା ଅନ୍ୟ କୌଣସି ସାଧାରଣ ମୁସଲମାନ, ଆମ ଧର୍ମ କ’ଣ କହୁଛି, ଆମ ଧର୍ମ କ’ଣ ଅନୁମତି ଦେଇଥାଏ ଏବଂ ଆମ ଧର୍ମରେ କ’ଣ ନିଷେଧ ରହିଛି ସେ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଏହା ହେଉଛି ଭାରତ, ଏଠାରେ ସମସ୍ତେ ଯାହା ଚାହିଁବେ ତାହା କରିବାକୁ ସ୍ୱାଧୀନ । ତେବେ ମେହବୁବା ମୁଫତି ଯାହା କରିଛନ୍ତି ତାହା ଅନୁପଯୁକ୍ତ ଏବଂ ଇସଲାମ ଅନୁମୋଦିତ ନୁହେଁ। ମେହବୁବା ମୁଫତି ଯାହା କରିଛନ୍ତି, ସେଥିରେ ଯେ ସେ ତାଙ୍କ ଧର୍ମରୁ ଦୂରେଇ ଯିବେ ତାହା ନୁହେଁ; ବରଂ ସେ ଯାହା କରିଛନ୍ତି ତାହା ଇସଲାମର ନୀତି ବିରୁଦ୍ଧରେ ବୋଲି ଅସଦ କାସମୀ କହିଛନ୍ତି।

ତେବେ, ମେହବୁବା ମୁଫତି ଗୁରୁବାର ତାଙ୍କର ମନ୍ଦିର ପରିଦର୍ଶନକୁ ସମର୍ଥନ କରିଛନ୍ତି। ‘ଆମେ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଆମେ ‘ଗଙ୍ଗା ଜାମୁନି ତେହଜିବ’କୁ ଅନୁସରଣ କରୁ। ମୁଁ ସବୁ ଧର୍ମକୁ ସମ୍ମାନ କରେ। ମୁଁ ଆମ ନେତା ସ୍ୱର୍ଗତ ଯଶପାଲ ଶର୍ମାଙ୍କ ଦ୍ୱାରା ନିର୍ମିିତ ଏକ ମନ୍ଦିରକୁ ଯାଇଥିଲି। ଏହା ଏକ ସୁନ୍ଦର ମନ୍ଦିର। ମନ୍ଦିରର କେହି ଜଣେ ମୋତେ ଶ୍ରଦ୍ଧାର ସହ ଏକ ପାଣି ଭର୍ତ୍ତି ପାତ୍ର ଦେଇଥିଲେ। ମୁଁ ତାଙ୍କ ସ୍ନେହ, ଶ୍ରଦ୍ଧା ଓ ଭକ୍ତିକୁ ସମ୍ମାନ ଦେଇ ଶିବ ଲିଙ୍ଗରେ ଜଳାଭିଷେକ କରିଥିଲି ବୋଲି ମେହବୁବା ମୁଫତି କହିଛନ୍ତି। ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ମୁଁ ମୋ ଧର୍ମକୁ ଭଲ ଭାବରେ ଜାଣେ। ମୁଁ କୁଆଡ଼େ ଯାଉଛି, କ’ଣ କରୁଛି ତାହା ମୋର ବ୍ୟକ୍ତିଗତ ମାମଲା ବୋଲି ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତି କହିଛନ୍ତି।
Powered by Blogger.
Javascript DisablePlease Enable Javascript To See All Widget