June 2023

ରେଳ ଦୁର୍ଘଟଣାରେ ବଡ଼ ସୂଚନା। ସୋର ସିଗ୍‌ନାଲ୍ ଇନଚାର୍ଜ ଅମିର ଖାନଙ୍କ ଘର ସିଲ୍ କଲା CBI


ବାଲେଶ୍ଵର,ବାହାନଗା ରେଳ ଦୁର୍ଘଟଣାରେ ବଡ଼ ସୂଚନା ସାମ୍ନାକୁ ଆସିଛି। ସୋରରେ ଥିବା ରେଳ ସିଗ୍‌ନାଲ୍ ଇନଚାର୍ଜଙ୍କ ଘର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ସିଲ୍ କରିଛି । ସିଗ୍‌ନାଲ୍ ମ୍ୟାନ ଅମିର ଖାନଙ୍କ କମରପୁରସ୍ତ ଭଡା ଘରକୁ ସିବିଆଇ ସିଲ୍ କରିଛି । ରେଳ ଦୁର୍ଘଟଣା ପରଠୁ ପରିବାର ସହ ଅନୁପସ୍ଥିତ ରହୁଥିଲେ ସିଗନାଲ ମ୍ୟାନ। ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ଭଡ଼ା ଘର ସିଲ୍ କରାଯାଇଛି। ସୋରଠାରେ ଜେଇଙ୍କ ଏହି ଭଡ଼ା ଘର ରହିଛି। ଜିଆରପି ପୁଲିସ ଉପସ୍ଥିତିରେ ଘରକୁ ସିବିଆଇ ପକ୍ଷରୁ ସିଲ୍‌ କରାଯାଇଛି। ଦୁର୍ଘଟଣା ପରେ  କିଛି ଦିନ ହେଲା ସିଗ୍‌ନାଲ ଜେଇ ଓ ତାଙ୍କ ପରିବାର ଘରେ ଅନୁପସ୍ଥିତ ଥିଲେ। ଏବେ ଜିଆରପି ପୁଲିସ ଘରକୁ ଜଗି ବସିଛି।

ପ୍ରାଥମିକ ତଦନ୍ତ କରି ସିବିଆଇ ଟିମ୍‌ ଗତ ୧୬ ତାରିଖରେ ବାହାନଗାରୁ ଚାଲି ଯାଇଥିବା ବେଳେ ପୁଣି ଆଜି ଫେରିଛନ୍ତି। ପୂର୍ବରୁ ସିଗ୍‌ନାଲ ଜେଇଙ୍କୁ ସିବିଆଇ ପଚରାଉଚରା କରିଥିଲା। ଷ୍ଟେସନମାଷ୍ଟର ଏସ୍‌ପି ମହାନ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ହେଲେ ଘରେ ସିଗ୍‌ନାଲ ଜେଇ ନ ଥିବା ବେଳେ ସିବିଆଇ’ର ଦୁଇ ଜଣିଆ ଟିମ୍‌ ଜିଆରପି ପୁଲିସ ଉପସ୍ଥିତିରେ ତାଙ୍କ ଭଡ଼ା ଘରକୁ ସିଲ୍‌ କରିବା ଅଲୋଚନାର ବିଷୟ ହୋଇଛି। ସିଗ୍‌ନାଲ ଜେଇ ଏବେ କେଉଁଠି ଅଛନ୍ତି ସେନେଇ ମଧ୍ୟ ଜଣାପଡ଼ିନି। ଏବାବଦରେ ରେଲୱେ ପକ୍ଷରୁ ମଧ୍ୟ କିଛି ବି ସ୍ପଷ୍ଟ ଭାବେ କୁହାଯାଇନାହିଁ।

ବାହାନଗା ଟ୍ରେନ ଦୁର୍ଘଟଣାକୁ ୧୬ ଦିନ ବିତି ସାରିଛି। ରେଳ ମନ୍ତ୍ରୀଙ୍କ ସୁପାରିସ୍ କ୍ରମେ ସିବିଆଇ ଏହି ଭୟାନକ ଟ୍ରେନ ଦୁର୍ଘଟଣାର ତଦନ୍ତ କରୁଛି। ଦଳ ବାଲେଶ୍ଵରରେ ଡେରା ପକାଇଛନ୍ତି ଏବଂ ବାହାନଗା ଷ୍ଟେସନକୁ ବାରମ୍ବାର ଗସ୍ତ କରୁଛନ୍ତି। ଏହି କ୍ରମରେ ବାହାନଗା ଷ୍ଟେସନର ଏଏସଏମ ସମେତ ୫ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇ ତଦନ୍ତ  ଚଳାଇଛି ସିବିଆଇ। ସିବିଆଇର ଏକ ୪ ଜଣିଆ ଟିମ୍ ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ଟ୍ରାକର ସ୍କାନିଂ କରି ସାରିଛନ୍ତି। ଏହା ପୂର୍ବରୁ ସିବିଆଇର ୨ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ । ପରେ ବିଭିନ୍ନ ସ୍ଥାନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ରିଲେ ରୁମ୍‌କୁ ଯାଇ ସେଠାରେ ମଧ୍ୟ ତନାଘନା କରିଥିଲେ ।  ଷ୍ଟେସନରେ ଥିବା ବିଭିନ୍ନ କମ୍ପ୍ୟୁଟରର ହାର୍ଡ ଡିକ୍ସ ଜବତ କରିଥିଲେ । 

ସୂଚନା ଥାଉକି, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ଶହ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାର ତଦନ୍ତ ସିବିଆଇ ଓ ରେଲୱେ ସୁରକ୍ଷା ବୋର୍ଡ କରୁଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣାରେ କିଏ ଦୋଷୀ ତାହା ସ୍ପଷ୍ଟ କରାଯାଇନି। ବାହାନାଗା ବଜାର ରେଳ ଷ୍ଟେଶନ ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଘଟଣାକୁ ୧୮ଦିନ ପୂରିଛି।

ରତ୍ନଭଣ୍ଡାର ଭିତର କାନ୍ଥରେ ଫାଟ । ବର୍ଷା ହେଲେ ପଶୁଛି ପାଣି । ହେଲେ ରତ୍ନଭଣ୍ଡାର ଖୋଲିବ କେମିତି?


ଭୁବନେଶ୍ବର,ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ରତ୍ନ ଗଣତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନ ମନୋଭାବ। ଏଏସ୍‌ଆଇ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି ରତ୍ନଭଣ୍ଡାର ଭିତର କାନ୍ଥ ଭଲ ନାହିଁ। ଫାଟ ଅଛି, ବର୍ଷା ହେଲେ ପାଣି ପଶୁଛି। ରତ୍ନଭଣ୍ଡାର ମରାମତି ନିହାତି ଦରକାର। ରତ୍ନଭଣ୍ଡାର ବାହାର ଓ ଭିତର ଭଣ୍ଡାର ଅନୁଧ୍ୟାନ ଆବଶ୍ୟକ। ପୂର୍ବରୁ କେବେ ମରାମତି ହୋଇଛି ଜଣାନାହିଁ। ପ୍ରଥମେ ରତ୍ନ ଭଣ୍ଡାରରେ ଥିବା ରତ୍ନର ଗଣତି କରି ମନ୍ଦିର ଭିତରେ ନିରାପଦ ଓ ସୁରକ୍ଷିତ ରଖିବା ଜରୁରୀ। ନଚେତ ମରାମତି ହୋଇପାରିବ ନାହିଁ। ଏନେଇ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରିସାରିଛି। ରାଜ୍ୟ ସରକାର ନିଷ୍ପତ୍ତି ନେଲେ କାମ ହେବ। କମିଟି ନିବେଦନ ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଆଇନରେ ଏହାର ବ୍ୟବସ୍ଥା ଅଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ ଉଦ୍ୟମ ହୋଇଥିଲା ପୂର୍ବରୁ ତାହା ବିଫଳ ହେଲା। ଭିତର ଭଣ୍ଡାରର ସେ ସମୟରେ ଚାବି ମିଳିଲା ନାହିଁ, କମିଶନ ବସିଲା। ଯେତେଶୀଘ୍ର ରତ୍ନଭଣ୍ଡାର ଖୋଲି ମରାମତି ହେବ ସେତେ ଭଲ ବୋଲି ଗଜପତି ମହାରାଜା କହିଛନ୍ତି।

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ବ୍ୟାପି ହଇଚଇ ହୋଇଥିଲା। ରତ୍ନଭଣ୍ଡାରରୁ ବହୁ ମୂଲ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ହୋହଲ୍ଲା କରିଥିଲେ। ଚାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସଙ୍କୁ ନେଇ ଏକ ତଦନ୍ତ କମିଶନ ଗଠନ କରିଥିଲେ। କମିଶନ ୨୯ ନଭେମ୍ବର ୨୦୧୮ରେ ସରକାରଙ୍କୁ ତଦନ୍ତ ରିପୋର୍ଟ ବି ପ୍ରଦାନ କରିଥିଲେ। ହେଲେ ଏଯାଏଁ ରିପୋର୍ଟକୁ ସାର୍ବଜନୀନ ହୋଇନି। ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ଜବାବ ଲୋଡିଥିଲେ ହାଇକୋର୍ଟ। ଆସନ୍ତା ଜୁଲାଇ ୧୦ ସୁଦ୍ଧା ଏନେଇ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଏବଂ ଆଇନ ସଚିବଙ୍କୁ କୋର୍ଟ ନୋଟିସ୍ କରିଛନ୍ତି। ଏପଟେ ଏହାକୁ ନେଇ ପୁଣି ତାଜା ହୋଇଛି ରାଜନୈତିକ ବୟାନବାଜି।

ପ୍ରାୟ ୫ ବର୍ଷ ତଳୁ ରତ୍ନଭଣ୍ଡାର ସ୍ଥିତି ଖରାପ ଥିବା ଜଣାପଡ଼ିବା ସତ୍ତ୍ୱେ ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉନଥିବାରୁ ସେବାୟତ ଓ ଭକ୍ତ ମହଲରେ ମଧ୍ୟ ଉଦବେଗ ବଢ଼ିବାରେ ଲାଗିଛି। ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମବେଳେ ସରକାରଙ୍କ ଦାୟିତ୍ୱହୀନତାରୁ ହିଁ ସବୁ ସ୍ପଷ୍ଟ ହୋଇସାରିଥିଲା। ଚାବି ହଜିବା କାରଣରୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରିଲା ନାହିଁ କି ଆଜି ଯାଏଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଗତବର୍ଷ ଅଗଷ୍ଟ ୮ରେ ରତ୍ନଭଣ୍ଡାର ଅନୁଧ୍ୟାନ ଓ ମରାମତି ପାଇଁ ଅନୁମତି ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରାଜ୍ୟ ଆଇନ ବିଭାଗକୁ ଏଏସ୍‌ଆଇ ସୁପରିନଟେଣ୍ଡେଣ୍ଟଙ୍କୁ ପୂରା ଚିଠି ଘଟଣାକୁ ନୂଆ ମୋଡ଼ ଦେଇଥିଲା। ଯେଉଁଥିରେ ଲେଖାଯାଇଥିଲା ଭିତର ରତ୍ନଭଣ୍ଡାରର ୩ଟି ବିମ୍ ସହ ପ୍ଲାଷ୍ଟର ଖରାପ ଅଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲିବାକୁ ବ୍ୟବସ୍ଥା ଗ୍ରହଣ କରୁ। ଏପରିକି ଭକ୍ତ, ସେବାୟତ ବି ସମାନ ଦାବି ଉଠାଇ ଆସିଛନ୍ତି। ହେଲେ ସରକାର କାହିଁକି କେଜାଣି ଏବାବଦରେ ପୂରା ଚୁପ୍। ରତ୍ନଭଣ୍ଡାର ଭିତରେ ଦୁର୍ମୁଲ୍ୟ ଅଳଙ୍କାର ସୁରକ୍ଷିତ ଅଛି ତ? ଯାହାକୁ ନେଇ ଅନେକ ଭକ୍ତ ଓ ବୁଦ୍ଧିଜୀବୀ ସରକାରଙ୍କ ଉପରେ ସନ୍ଦେହ କଲେଣି। 

ତେଲେଙ୍ଗାନାରେ ହିଜାବ ବିବାଦ । ବୁର୍ଖା ପିନ୍ଧି ପିନ୍ଧିଥିବାରୁ ପରୀକ୍ଷା ଦେବାକୁ ମିଳିଲାନି ଅନୁମତି

ହାଇଦ୍ରାବାଦ,କର୍ଣ୍ଣାଟକରେ କିଛି ମାସ ତଳେ ହିଜାବ ବିବାଦ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ତେଲେଙ୍ଗାନାରେ ଏବେ ଏହି ବିବାଦ ଦେଖାଦେଇଛି । ହାଇଦ୍ରାବାଦର କେଭି ରଙ୍ଗା ରେଡ୍ଡୀ ଡିଗ୍ରୀ କଲେଜକୁ ଶୁକ୍ରବାର କିଛି ମୁସ୍‌ଲିମ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ସେମାନେ ସମସ୍ତେ ବୁର୍ଖା ପିନ୍ଧିଥିଲେ। ତେଣୁ ସେମାନଙ୍କୁ ପରୀକ୍ଷା ହଲ୍‌କୁ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ସେମାନଙ୍କୁ ବୁର୍ଖା ଖୋଲିବାକୁ କଲେଜର ଅଧିକାରୀମାନେ କହିଥିଲେ। ଅଧାଘଣ୍ଟା ବାହାରେ ଅପେକ୍ଷା କରିବା ପରେ ଛାତ୍ରୀମାନେ ବୁର୍ଖା ଖୋଲି ଦେଇଥିଲେ। ତା’ପରେ ସେମାନଙ୍କୁ ପରୀକ୍ଷା ହଲ୍‌ ଭିତରକୁ ପ୍ରବେଶ ଅନୁମତି ମିଳିଥିଲା

ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ତେଲେଙ୍ଗାନା ଗୃହ ମନ୍ତ୍ରୀ ମହମ୍ମଦ ମହମୁଦ ଅଲୀ ଦେଇଥିବା ମନ୍ତବ୍ୟ ଆହୁରି ବିବାଦୀୟ ହୋଇପଡ଼ିଛି। ସେ କହିଛନ୍ତି, ଆମର ନୀତି ସମ୍ପୂର୍ଣ୍ଣ ଭାବେ ଧର୍ମନିରପେକ୍ଷ ନୀତି। କିଏ କ’ଣ ପିନ୍ଧିବେ, ତାହା ସଂପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ଅଧିକାର। କିନ୍ତୁ ସମସ୍ତେ ହିନ୍ଦୁ ବା ମୁସ୍‌ଲିମ୍ ସଂସ୍କୃତି ଅନୁଯାୟୀ ପୋଷାକ ପିନ୍ଧିବା ଉଚିତ୍। ଇଉରୋପୀୟ ସଂସ୍କୃତିକୁ ଆପଣାଇବା ଉଚିତ ନୁହେଁ। ଆମେ ଆମର ପୋଷାକ ସଂସ୍କୃତିକୁ ଆପଣାଇବା ଉଚିତ। ବିଶେଷ କରି ମହିଳାମାନେ ଛୋଟ ପୋଷାକ ପିନ୍ଧିବା ଉଚିତ ନୁହେଁ। ସମସ୍ୟା ସେତେବେଳେ ସୃଷ୍ଟି ହୁଏ, ଯେତେବେଳେ ମହିଳମାନେ ଛୋଟ ପୋଷାକ ପିନ୍ଧନ୍ତି। ସେମାନେ ନିଜ ଶରୀରର ଅଧିକରୁ ଅଧିକ ଅଂଶ ଘୋଡ଼ାଇ ରଖିବା ଉଚିତ। କେଭି ରଙ୍ଗା ରେଡ୍ଡୀ କଲେଜରେ ଯେଉଁ ଘଟଣା ଘଟିଛି, ତା’ର ସମୀକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରୀ ମହମ୍ମଦ ମହମୁଦ ଅଲୀ କହିଛନ୍ତି।

ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନକୁ ମମତାଙ୍କ ବିରୋଧ। ମାମଲା ଗଲା ସୁପ୍ରିମ୍‌କୋର୍ଟ


କଲିକତା, ପଶ୍ଚିମବଙ୍ଗରେ ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ ହେବ, କିନ୍ତୁ ଏହା ପୂର୍ବରୁ ରାଜ୍ୟରେ ହିଂସା ଜାରି ରହିଛି । ପଶ୍ଚିମବଙ୍ଗରେ ପୁଣି ଥରେ ବିଜେପି ଏବଂ ଟିଏମସି କର୍ମକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ଘଟଣା ସାମନାକୁ ଆସିଛି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟ ଗଲେ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ କମିଶନ। ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପ ଆଲୋଚନାର ବିଷୟ ହୋଇଛି। ସୂଚନା ମୁତାବକ ହାଇକୋର୍ଟଙ୍କ ରାୟ ଆସିବା ପରେ ପଶ୍ଚିମବଙ୍ଗ ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀମାନେ ଏବାବଦରେ ନିର୍ବାଚନ କମିଶନଙ୍କ ସହ ଶୁକ୍ରବାର ଏକ ବୈଠକ କରିଥିଲେ। ଯାହା ପରେ ସୁପ୍ରିମ୍‌କୋର୍ଟ ଯିବାକୁ ନିଷ୍ପତ୍ତି ହୋଇଛି।

ସୂଚନା ଥାଉକି, ପଶ୍ଚିମବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ନିମନ୍ତେ ୪୮ ଘଣ୍ଟା ଭିତରେ ପଦକ୍ଷେପ ନେବାକୁ ଏସ୍‌ଇସିଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ। ଆସନ୍ତା ଜୁଲାଇ ୮ରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ପ୍ରାର୍ଥୀପତ୍ର ଦାଖଲ ଓ ନିର୍ବାଚନ ବେଳେ ଉତ୍ତେଜନା ଆଶଙ୍କା ରହିଛି। ତେଣୁ ଏହି ସମୟରେ ଶୃଙ୍ଖଳା ରକ୍ଷା ନିମନ୍ତେ କେନ୍ଦ୍ରୀୟ ସୁରକ୍ଷା ଫୋର୍ସକୁ ମୁତୟନ କରିବାକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ କଂଗ୍ରେସ ଏମ୍‌ପି ଅଧିର ରଞ୍ଜନ ଚୌଧୁରୀ କୋର୍ଟକୁ ଯାଇଥିଲେ। ଅବେଦନକୁ ଗୁରୁତର ସହ ନେଇ ଏହା ଉପରେ ଶୁଣାଣି କରିଥିଲେ ଚିଫ୍ ଜଷ୍ଟିସ୍ ଟିଏସ୍‌ ଶିଭଗ୍ନନମଙ୍କ ଖଣ୍ଡପୀଠ। ୧୩ ତାରିଖରୁ ରାୟ ପ୍ରକାଶ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇ ନ ଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଭେଟିଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ପରେ ସେ କହିଛନ୍ତି-‘ମୁଁ ରାଜ୍ୟପାଳଙ୍କୁ ହିଂସା ବାବାଦରେ ସବୁକିଛି ଅବଗତ କରାଇଛି ।ପଞ୍ଚାୟତ ନିର୍ବାଚନକୁ ନେଇ ଟିଏମସି ନେତାଙ୍କ ସହ ସିଏମ୍ ମମତା ବାନାର୍ଜୀଙ୍କ ବୈଠକକୁ ନେଇ ଟାର୍ଗେଟ୍ କରିଛି ବିଜେପି । ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି ଯେ ଅନ୍ୟମାନଙ୍କୁ ସେମାନଙ୍କ ନାମାଙ୍କନ ଫେରାଇ ନେବା ଏବଂ ଭୋଟ ଲୁଟିବା ପାଇଁ ସେମାନେ ଯୋଜନା କରୁଛନ୍ତି ।

ସେପଟେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେନ୍ସଟିଭ୍ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବାକୁ ସମୟ ଲାଗୁଥିବା ପଶ୍ଚିମବଙ୍ଗ ଏସ୍‌ଇସି କହିଛନ୍ତି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଓ ବିରୋଧୀ ବିଜେପି ଭିତରେ ସର୍ବଦା କେନ୍ଦ୍ରୀୟ ଫୋର୍ସ ମୁତୟନକୁ ନେଇ ବିବାଦ ରହିଥିବା ବେଳେ ଏବେ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି।

ରୋଜଗାର ଅଛି ନା ଚାକିରି ମିଳୁଛି । ଚୀନରେ ରେକର୍ଡ ସ୍ତରରେ ବେରୋଜଗାରୀ


ନୂଆଦିଲ୍ଲୀ, ଦୁନିଆର ଅନେକ ଦେଶ ଧୀରେ ଧୀରେ କରୋନା କବଳରୁ ମୁକୁଳି ଆସିଛନ୍ତି, କିନ୍ତୁ ଏହାର କୁପ୍ରଭାବରୁ ଚୀନ ଏବେବି ବାହାରି ଆସିପାରି ନାହିଁ । ଦୁନିଆର ଦ୍ୱିତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଉପରୁ ଆର୍ଥିକ ସଂକଟ ଦୂର ହେଉ ନାହିଁ । ନ୍ୟାସନାଲ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସର କହିବା ଅନୁସାରେ ଚୀନରେ ବେରୋଜଗାରୀ ହାର ରେକର୍ଡ ୨୦.୮ ସ୍ତରରେ ପହଞ୍ଚିଛି । ସ୍ଥିତି ଏପରି ହୋଇଛି ଯେ ଯୁବକଙ୍କ ପାଖରେ ନା ରୋଜଗାର ଅଛି ନା ଚାକିରି ମିଳୁଛି । ୧୬ରୁ ୨୪ ବର୍ଷ ବୟସର ଚୀନ ଯୁବକଙ୍କ ମଧ୍ୟରେ ବେରୋଜଗାରୀ ସବୁଠୁ ଅଧିକ ରହିଛି ।

ନ୍ୟାସନାଲ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ ନିଜ ରିପୋର୍ଟରେ କହିଛି ଯେ ୧୬ରୁ ୨୪ ବର୍ଷ ବୟସର ଚୀନ ନାଗରିକଙ୍କ ବେରୋଜଗାରୀ ହାର ବଢି ୨୦.୮ ପ୍ରତିଶତ ହୋଇଛି, ଯାହା ଏପ୍ରିଲରେ ୨୦.୪ ପ୍ରତିଶତ ଥିଲା । ଏନବିଏସ ଏକ ବୟାନରେ କହିଛି, ମୋଟ ଉପରେ ଚୀନରେ ସହରୀ ବେରୋଜଗାରୀ ହାର ୫.୨ ପ୍ରତିଶତ ରହିଛି ।

ସିଏନଏନ ଏକ ରିପୋର୍ଟ ଅନୁସାରେ, ଚୀନରେ ପ୍ରାୟ ୧.୬ କୋଟି ଛାତ୍ରଛାତ୍ରୀ ନିଜ ପାଠ ପଢା ଶେଷ କରିବା ପରେ ଚାକିରି ଖୋଜୁଛନ୍ତି । ଚୀନରେ କରୋନା ପରେ ସଦ୍ୟତମ ସ୍ଥିତି ଏପରି ହୋଇଛି ଯେ ଦେଶରେ ବଡ଼ ସଂଖ୍ୟାରେ ନିଯୁକ୍ତି ମିଳିବା କଷ୍ଟକର ହୋଇପଡ଼ିଛି । ତେବେ ସ୍ଥିତିକୁ ଦେଖି ଚୀନ ସରକାର ପ୍ରଭାବୀ ପଦକ୍ଷେପ ଗ୍ରହଣ କରୁଛନ୍ତି । ନିକଟରେ ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ନିଜର ପ୍ରମୁଖ ନୀତି ହାରରେ ପରିବର୍ତ୍ତନ କରିଛି । ମଧ୍ୟମ ଅବଧି ଋଣ ହାରକୁ ୨.୭ ପ୍ରତିଶତରୁ କମ କରି ୨.୬୨ ପ୍ରତିଶତ କରାଯାଇଛି ।

କଟକର କୁଖ୍ୟାତ ତାନ୍ତ୍ରିକ କୈଫି ଖାନର ଆଉ ଜଣେ ବରିଷ୍ଠ ସହଯୋଗୀ ଅମୀର ଖାଁ ଗିରଫ


କଟକ, କଟକର କୁଖ୍ୟାତ ତାନ୍ତ୍ରିକ କୈଫି ଖାନର ଆଉ ଜଣେ ସହଯୋଗୀକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ। କୈଫି ଖାନର ସମ୍ପର୍କୀୟ ଅମୀର ଖାଁ ଗିରଫ ହୋଇଛି। ଏବେ ଗିରଫଦାରୀ ସଂଖ୍ୟା ତିନିରେ ପହଞ୍ଚିଛି। ଅମୀରକୁ କୋର୍ଟ ଚାଲାଣ କରାଯାଇଛି। କୈଫିର ଦାଦା ତଥା ସହଯୋଗୀ ଅମିର ଗ୍ରାହକ ଯୋଗାଡ଼ କରିବା ସହ ତନ୍ତ୍ରମନ୍ତ୍ର ସମୟରେ ମାଟି ଖୋଳା କାର୍ଯ୍ୟ ହେଉ ଅବା ଧାତବ ଦ୍ରବ୍ୟ  କିଣା କିଣିରେ ସହଯୋଗ କରି ଆସୁଥିଲା । ଏହା ସହ କୈଫିର ଟଙ୍କା ଆଦାୟ  କରୁଥିଲା ଏବଂ ଯିଏ ଟଙ୍କା ନଦେଉଥିଲା ତାକୁ ଧମକଚମକ ମଧ୍ୟ ଦେଉଥିଲା ଅମିର ।

ପୂର୍ବରୁ କୈଫିକୁ ତନ୍ତ୍ରମନ୍ତ୍ର ନାମରେ ଲୋକଙ୍କୁ ଠକିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ମଙ୍ଗଳାବାଗ ଥାନା ପୋଲିସ । ଗିରଫ ଅମିର ନାମରେ ୧୨୦ବି, ୪୧୯, ୪୨୦ ଦଫା ଲଗାଇଛି ପୋଲିସ । ଏହାସହ କୈଫିର  ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ମଙ୍ଗଳା ବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ।

ପୁଲିସର ସୂଚନା ଅନୁଯାୟୀ, ଧାତଵ ସାମଗ୍ରୀ କିଣାକିଣି, ବାଧା ଦୂର ପାଇଁ ଧାର୍ଯ୍ୟ କରାଯାଇଥିବା ବକେୟା ଟଙ୍କା ଆଦାୟ, ଗାତ ଖୋଳାଖୋଳି ତଥା ଅନ୍ୟାନ୍ୟ କାମରେ କୈଫି ଖାନକୁ ସହଯୋଗ କରୁଥିଲା ଅମୀର। ଅମୀର ବିରୁଦ୍ଧରେ ଆଇପିସିର ଧାରା ୪୧୯, ୪୨୦ ଓ ୧୨୦ ବି ଅନୁଯାୟୀ ମାମଲା ରୁଜୁ କରାଯାଇଛି। କୈଫି ବିରୁଦ୍ଧରେ ମୋଟ ୬ଟି ମାମଲା ଏକାଧିକ ଥାନାରେ ରୁଜୁ କରାଯାଇଛି। ତେବେ ଏଯାଏ ଗୋଟିଏ ମାମଲାରେ  ଅଭିଯୁକ୍ତ କୈଫି ଖାନକୁ ଜାମିନ ମିଳିଛି। ଗିରଫ ନକଲି ବାବା ମୌଲାନା କୈଫି ଖାନର ଘର କଟକ କେଶରପୁର ଅଞ୍ଚଳରେ ବୋଲି ଜଣା ପଡ଼ିଥିଲା।

ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ଯୋଗୁ ବଢ଼ିଲା ସ୍କୁଲ୍‌ ଖରା ଛୁଟି।  ଜୁନ ୧୯ ପରିବର୍ତ୍ତେ ୨୧ରେ ଖୋଲିବ ସ୍କୁଲ୍‌


ଭୁବନେଶ୍ୱର, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରି ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ପିଲାମାନଙ୍କର ଗ୍ରୀଷ୍ମକାଳୀନ ଛୁଟି ବୃଦ୍ଧି କରାଯାଇଛି। ଜୁନ ୧୯ ପରିବର୍ତ୍ତେ ୨୧ ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହା ପୂର୍ବରୁ ଏପ୍ରିଲ ୨୦ ତାରିଖରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଥିଲା। ୨୧ ତାରିଖ ଠାରୁ ଛୁଟି ଲାଗୁ ହୋଇ ଜୁନ ୧୭ରେ ସରୁଥିଲା। ତେବେ ଯଦି ଆବଶ୍ୟକ ପଡ଼େ ଖରା ଛୁଟି ଆହୁରି ବଢିବ ବୋଲି ତତ୍‌କାଳୀନ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। ଆଉ ଏବେ ରାଜ୍ୟରେ ଖରାରର ପ୍ରକୋପ କମି ନାହିଁ କି ବର୍ଷାର ଦେଖା ନାହିଁ। ଭୟଙ୍କର ଗରମ ପଡ଼ୁଥିବାରୁ ସ୍କୁଲ୍‌ ଓ ଗଣ ଶିକ୍ଷା ବିଭାଗ ଖରା ଛୁଟି ଅବଧିକୁ ଆଉ ଦୁଇ ଦିନ ଘୁଞ୍ଚାଇ ଦେଇଛି।

ଏପଟେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରତିଦିନ ରେକର୍ଡ ଭାଙ୍ଗି ଚାଲିଛି ତାତି । ଜଳୁଛି ପଶ୍ଚିମ ଓଡିଶା । ଜନଜୀବନ ଅସ୍ତବ୍ୟସ୍ତ, ଅସହ୍ୟ ଖାରରେ ଲୋକେ ଡହଳ ବିକଳ । ଶୁକ୍ରବାର ତାପମାତ୍ର ନୂଆ ରେକର୍ଡ କରିଛି । ରାଜ୍ୟର ୩୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୪ ଡିଗ୍ରୀ ଉପରେ ରହିଛି ୧୧ ସହରର ତାପମାତ୍ରା । ୪୫.୬ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ହୋଇଛି ।

ଶୁକ୍ରାବାର ଜୁନ ୧୬ରେ ଝାରସୁଗୁଡ଼ା ୪୫.୪ ଡିଗ୍ରୀ, ବଲାଙ୍ଗିର ୪୫.୩, ସମ୍ବଲପୁର ୪୪.୮, ଅନୁଗୁଳ ୪୪.୭, ହୀରାକୁଦ ୪୪.୬, ଭୁବନେଶ୍ୱର ୪୪.୬, ସୁନ୍ଦରଗଡ ୪୪.୫, ତାଳଚେର ୪୪.୪, ବୌଦ୍ଧ ୪୪.୨, ରାଉରକେଲା ୪୪.୦, ବରଗଡ ୪୪.୦ ଡିଗ୍ରୀ ରେକର୍ଡ କରାଯାଇଛି ।ସେହିପରି ନୟାଗଡ ୪୩.୫ ଡିଗ୍ରୀ, ଢେଙ୍କାନାଳ ୪୩.୫, ଟିଟିଲାଗଡ ୪୩.୫, ବାରିପଦା ୪୩.୨, ବ୍ରହ୍ମପୁର ୪୩.୨, ନୂଆପଡ଼ା ୪୩.୦, ଭବନୀପାଟଣା ୪୩.୦, ଖୋର୍ଦ୍ଧା ୪୩.୦, ମାଲକାନଗିରି ୪୨.୪, କଟକ ୪୨.୨, ଦେବଗଡ଼ ୪୨.୦, କେନ୍ଦ୍ରାପଡା ୪୧.୮, ଫୁଲବାଣୀ ୪୧.୫, ପାରଳାଖେମୁଣ୍ଡି ୪୦.୯, କେଉଁଝର ୪୦.୫, ଭଦ୍ରକ ୪୦.୪, ଚାନ୍ଦବାଲି ୪୦.୪, ଯାଜପୁର ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତୀ ସମୟରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା। ଆଗାମୀ ୩ ଦିନ ଉପକୂଳ ଏବଂ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।

ନେହରୁ ମ୍ୟୁଜିୟମର ନାଁ ବଦଳାଇ ଦେଲେ କେନ୍ଦ୍ର ସରକାର । ଆରମ୍ଭ ହେଲା ରାଜନୈତିକ ଯୁଦ୍ଧ


ନୂଆଦିଲ୍ଲୀ, ଦେଶର ରାଜଧାନୀ ଦିଲ୍ଲୀରେ ଥିବା ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀର ନାଁକୁ ବଦଳାଇ ଦେଇଛନ୍ତି କେନ୍ଦ୍ର ସରକାର। ଏବେ ଏହାର ନାଁ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀ ରଖାଯାଇଛି। ରାଜଧାନୀ ଦିଲ୍ଲୀର ତିନି ମୂର୍ତ୍ତି ଭବନ ପରିସରରେ ଥିବା ନେହେରୁ ମେମୋରିଆଲ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ସୋସାଇଟି (ଏନ୍ଏମ୍ଏମ୍ଏଲ୍)ର ନାମ ପରିବର୍ତ୍ତନ କରି ଭାରତ ସରକାର ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର ସୋସାଇଟି’ ରଖିଛନ୍ତି। ସରକାରଙ୍କ ଏହି ପଦକ୍ଷେପ କୁ ନେଇ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଛି । 

ଟିନ ମୂର୍ତ୍ତି ଭବନରେ ଏହି ମ୍ୟୁଜିୟମଟି ରହିଛି। ଗତବର୍ଷ ଏହି ବିଲଡିଂ ପରିସରରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରାଯାଇଥିଲା। ଏହାକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଅଫିସିଆଲ ଘର ଭାବେ ବ୍ୟବହାର କରାଯାଉଥିଲା। ତେବେ ଏହାର ନାଁ ପରିବର୍ତ୍ତନକୁ କଂଗ୍ରେସ ହଜମ କରିପାରିନି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ଜାଣିଶୁଣି ଦେଶର ପ୍ରଥମ ପ୍ରଧାମନ୍ତ୍ରୀଙ୍କ ଅବଦାଦନକୁ ସଙ୍କୁଚିତ କରିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି।

ଖଡଗେ ଟ୍ୱିଟ କରି କହିଛନ୍ତି, “ଯେଉଁମାନଙ୍କର ନିଜର କୌଣସି ଇତିହାସ ନାହିଁ, ସେମାନେ ଏବେ ଅନ୍ୟମାନଙ୍କ ଇତିହାସକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀର ନାଁ ବଦଳାଇବାକୁ ଯେଉଁ କୁତ୍ସିତ ଉଦ୍ୟମ କରାଯାଉଛି, ତାହା କେବେ ହେଲେ ପଣ୍ଡିତ ଜବାହରଲାଲ ନେହରୁଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିପାରିବ ନାହିଁ। ସେ ଆଧୁନିକ ଭାରତର ସ୍ରଷ୍ଟା ଓ ଗଣତନ୍ତ୍ରର ସାହାସୀ ଅଭିଭାବକ ଥିଲେ। ଏହା କେବଳ ବିଜେପି-ଆରଏସଏସର ଏକଛତ୍ରବାଦ ଶାସନର ଆଭିମୁଖ୍ୟ ଓ ନିମ୍ନ ମାନସିକତାର ପରିଚୟ।” ଜୟରେମ ରମେଶ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱଗୁରୁ ଚିତ୍ରକୁ ତାଚ୍ଛଲ୍ୟ କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସର ଏହି ବୟାନଉପରେ ପ୍ରତିକ୍ରିୟା ରଖିଛନ୍ତି। ନଡ୍ଡା ଟ୍ୱିଟ୍ କରି କହିଛନ୍ତି, ରାଜନୈତିକ ବଦହଜମୀର ଏହା ଏକ ବଡ଼ ଉଦାହରଣ । ସେମାନେ ଗୋଟିଏ ସାଧାରଣ କଥାକୁ ହଜମ କରିପାରୁନାହାନ୍ତି ଯେ ଗୋଟିଏ ବଂଶ ବାହାରେ ମଧ୍ୟ ଏପରି ଆହୁରି ନେତା ଅଛନ୍ତି ଯେଉଁମାନେ ଆମ ଦେଶର ସେବା ଏବଂ ନିର୍ମାଣ କରିଛନ୍ତି। ଅନ୍ୟ ଏକ ଟ୍ୱିଟ୍ ରେ ବିଜେପି ଅଧ୍ୟକ୍ଷ କହିଛନ୍ତି, କଂଗ୍ରେସର ଏକମାତ୍ର ଅବଦାନ ହେଉଛି ପୂର୍ବର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଐତିହ୍ୟକୁ ଲୋପ କରିବା, ଯାହା ଦ୍ୱାରା କେବଳ ଗୋଟିଏ ପରିବାରର ପରମ୍ପରା ବଞ୍ଚିବ।

ଫିଲ୍ମ ଆଦିପୁରୁଷକୁ ହିନ୍ଦୁ ସେନାର ବିରୋଧ । ବ୍ୟାନ୍ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା


ନୂଆଦିଲ୍ଲୀ, ଆଦିପୁରୁଷକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ଏଥିରେ ରାମାୟଣ ଏବଂ ଭଗବାନ ରାମଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଛି । ଯାଚିକା ଜାରିଆରେ ଫିଲ୍ମକୁ ବ୍ୟାନ କରିବାକୁ ଦାବି କରାଯାଇଛି । ହିନ୍ଦୁ ସେନା ନାମକ ଏକ ସଂଗଠନ ପକ୍ଷରୁ ଦାୟର ହୋଇଛି ଏହି ଯାଚିକା । ଏହି ଫିଲ୍ମରେ ଭାରତୀୟ ସଂସ୍କୃତିକୁ ଅଟ୍ଟହାସ୍ୟ କରାଯାଇଛି । ତେଣୁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ହିନ୍ଦୁ ସେନା ଦିଲ୍ଲୀ ଉଚ୍ଚ ଅଦାଲତାଙ୍କୁ ଗୁହାରି କରିଛନ୍ତି । ଏହା ସହିତ ସେନସର ବୋର୍ଡକୁ ସାର୍ଟିଫିକେଟ୍ ଜାରି ନକରିବାକୁ କହିଛନ୍ତି ।ହିନ୍ଦୁର ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଯାଚିକାକର୍ତ୍ତା ବିଷ୍ଣୁଗୁପ୍ତା ଶନିବାର ଜରୁରୀ ସୁଧାର କରିବେ । ଫିଲ୍ମ ଆଦିପୁରୁଷକୁ ଜାରି ହୋଇଥିବା ସେନସର ବୋର୍ଡ ସାର୍ଟିଫିକେଟ୍ କରିବାକୁ ରଦ୍ଦ କରିବାକୁ ସହିତ ଫିଲ୍ମକୁ ବ୍ୟାନ କରିବାକୁ ଦାବି କରିଛନ୍ତି । ଫିଲ୍ମ ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି । ଯାଚିକାରେ ଭାଗବାନ ରାମ, ମା’ ସୀତା, ହନୁମାନ ଏବଂ ରାବଣଙ୍କ ସହିତ ଜଡ଼ିତ ବହୁ ଆପତ୍ତିଜନ ସିନ୍ ଦେଖାଯାଇଛି । ତେଣୁ ଏହାକୁ ହଟାଇବାକୁ କୁହାଯାଇଛି ।

ବାହାର ବୋର୍ଡରୁ ଜଣାପଡ଼ୁଛି ପାଉଁରୁଟି ଫ୍ୟାକ୍ଟ୍ରି । ଭିତରେ ନାମୀ ଦାମୀ ବ୍ରଣ୍ଡର ନକଲି ମଦ କାରଖାନା


ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଓମ୍ ନଗର ପ୍ରଥମ ଲାଇନରେ ଏକ ପାଉଁରୁଟି ଫ୍ୟାକ୍ଟ୍ରି ଭିତରୁ ଏହି ନକଲି ମଦ କାରଖାନାକୁ ଜବତ କରିଛି ବଡ଼ ବଜାର ପୁଲିସ। ୩ ମହଲା ବିଶିଷ୍ଟ ବିରାଟ କୋଠାରେ ପାଉଁରୁଟି ଫ୍ୟାକ୍ଟ୍ରି ଚାଲୁଥିବା ବାହାର ବୋର୍ଡରୁ ଜଣାପଡ଼ୁଥିବା ବେଳେ ଅସଲରେ ଭିତରେ ବହୁ ପରିମାଣର ନାମୀ ଦାମୀ ବ୍ରଣ୍ଡର ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିଲା। ପୁଲିସ ଏହି କୋଠାକୁ ସିଲ୍ କରିବା ସହ ସମସ୍ତ ନକଲି ମଦକୁ ଜବତ କରିଛି। ଏହି ଘଟଣାରେ ଦୁଇ ଭାଇ ତାରିଣୀ ଜେନା ଓ ମଣ୍ଟୁ ଜେନାଙ୍କୁ ବଡ଼ବଜାର ପୁଲିସ ଅଟକ ରଖି ପଚରା ଉଚରା ଚଳାଇଛି। ଏଠାରୁ ୧୦ ପେଟି ବିଦେଶୀ ନକଲି ମଦ, ୧୦ ବସ୍ତା ମଦ ବୋତଲ ଓ ଠିପିକୁ ଜବତ କରିଛି ପୁଲିସ।ଏହି ଘର ଭିତରେ ନକଲି ମଦ ପ୍ରସ୍ତୁତ କରାଯିବା ପରେ ବୋତଲରେ ପୂରାଇ ଠିପ୍‌ ସିଲ୍ କରାଯାଉଥିଲା। 

ଏଥିନିମନ୍ତେ ନାମୀ ଦାମୀ କମ୍ପାନୀର ନକଲି ସିଲ୍ ଓ ଷ୍ଟିକର ବ୍ୟବହାର କରାଯାଉଥିଲା। ବୋତଲକୁ ଉପରୁ ଦେଖିଲେ ଏହା ଅସଲି ଭଳି ଜଣାପଡ଼ୁଥିବା ବେଳେ ଭିତରେ ଭେଜାଲ ମଦ ପୂରାଇ ଦିଆଯାଉଥିଲା। ମଦ ପ୍ରସ୍ତୁତ ନିମନ୍ତେ ଏହି ଅଭିଯୁକ୍ତମାନେ କାରମେଲ ଓ ସ୍ପିରିଟ୍ ବ୍ୟବହାର କରୁଥିଲେ। ଘଟଣାସ୍ଥଳରୁ ୩ ପେଟି କାରାମେଲ ଓ ୬ ପେଟି ହୋମିଓପାଥି ଔଷଧରେ ବ୍ୟବହୃତ ସ୍ପିରିଟ୍ ଜବତ କରାଯାଇଛି। ନକଲି ମଦ ପ୍ରସ୍ତୁତ ନିମନ୍ତେ ବହୁ ସରଞ୍ଜାମକୁ ମଧ୍ୟ ଜବତ କରାଯାଇଛି।

ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ପ୍ରସ୍ତୁତ କରିବା ପରେ ଏହାକୁ ଗଞ୍ଜାମର ବିଭିନ୍ନ ଅଞ୍ଚଳକୁ ୩ଟି ଅଟୋ ଯୋଗେ ଚାଲାଣ କରାଯାଉଥିଲା। ଏହି ଅଟୋକୁ ମଧ୍ୟ ପୁଲିସ ଜବତ କରିଛି। ଦିନରେ ଚାଲାଣ କଲେ କାଳେ ଧରାପଡ଼ିବେ, ସେଥିପାଇଁ ମଦ ପ୍ରସ୍ତୁତି ଓ ଚାଲାଣ ନିମନ୍ତେ ଅଭିଯୁକ୍ତ ରାତିରେ ହିଁ ସମସ୍ତ କାର୍ଯ୍ୟ କରୁଥିଲେ।ସେମାନେ ପ୍ରାୟ ୩ ବର୍ଷ ହେବ ଏହି କଳାକାର ନାମା ଚଲାଉଥିଲେ। କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଇପିଏସ୍ ପ୍ରବେଶନ ଅଙ୍କିତ ବର୍ମାଙ୍କ ତତ୍ତ୍ୱାବଧାନରେ ବଡ ବଜାର ଆଇଆଇସି ପ୍ରଶାନ୍ତ ଭୂପତି ଓ ଟାଉନ ଏସଡିପିଓ ମିଳିତ ଚଢାଉ କରି ଏହି କଳାଧନ୍ଦାର ଗୁମର ଖୋଲିଛନ୍ତି। ଅଭିଯୁକ୍ତମାନେ ଏହି ନକଲି ମଦଗୁଡ଼ିକୁ କେଉଁମାନଙ୍କୁ ଯୋଗାଇ ଦେଇଛନ୍ତି, କେଉଁମାନେ ଏହି ନକଲି ମଦକାରରେ ସମ୍ପୃକ୍ତ ଓ ନକଲି ମଦ ପ୍ରସ୍ତୁତ ନିମନ୍ତେ ଅଭିଯୁକ୍ତମାନେ ଆବଶ୍ୟକ ସରଞ୍ଜାମ କେଉଁଠୁ ଆଣିଲେ ତାହା ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି। ଏହାଛଡ଼ା ଏହି ନକଲି ମଦ କେତେ ହାନିକାରକ ତାହା ଜାଣିବାକୁ ଯାଞ୍ଚ କରିବାକୁ ନମୁନା ପଠାଯିବ ବୋଲି ପୁଲିସ ସୂଚନା ଦେଇଛି।

ଅଘୋଷିତ ବିଜୁଳି କାଟ୍ ପାଇଁ ବିଜେପିର ପ୍ରତିବାଦ। SDO ଅଫିସ୍ ସମ୍ମୁଖରେ ବିଜେପି କର୍ମୀଙ୍କ ବିକ୍ଷୋଭ


ସୁବର୍ଣ୍ଣପୁର, ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ବିଜେପି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଟାଟା ପାୱାରର ମନମୁଖି କାର୍ଯ୍ୟକଳାପ ସହିତ ଅଘୋଷିତ ବିଜୁଳି କାଟ୍ ପ୍ରତିବାଦରେ ବିନିକା ଇଲେକ୍ଟ୍ରି SDO ଅଫିସରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଲା ବିନିକା ବିଜେପି କର୍ମୀ । ବିନିକା ତହସିଲ ଅଫିସ ଛକ ଠାରୁ ଇଲେକ୍ଟ୍ରି SDO ଅଫିସ ପର୍ଯ୍ୟନ୍ତ ବିଭିନ୍ନ ନାରାବାଜି ଦେଇ ବିଜେପି କର୍ମୀ ମାନେ ଏକ ଶୋଭାଯାତ୍ରାରେ ଆସିଥିଲେ । ଗତ କିଛି ଦିନ ରାଜ୍ୟରେ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଏହାସହ ରାଜ୍ୟରେ ଲାଗିଛହିଛି ଅଘୋଷିତ ବିଦ୍ୟୁତ୍ କାଟ । ଯାହାକୁ ବିରୋଧ କରି ସବୁଠି ଦେଖିବାକୁ ମିଳିଛି ପ୍ରତିବାଦ । ସୁବର୍ଣ୍ଣପୁରରେ ବି ଦେଖିବାକୁ ବିଦ୍ୟୁତ୍ କାଟ ତାତି । ଶତାଧିକ ଲୋକ ଏକାଠି ହୋଇ ପ୍ରତିବାଦ କରିଛନ୍ତି ।

ଭକ୍ତଙ୍କ ବିଶ୍ୱାସ ସହିତ ସାଂଘାତିକ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ବିକ୍ରି ହେଉଛି ନକଲି ଅବଢ଼ା


ପୁରୀ, ଭକ୍ତଙ୍କ ବିଶ୍ୱାସ ସହ ଖେଳ । ମହାପ୍ରଭୁଙ୍କ ଅବଢ଼ା ନାଁରେ ଲୁଚାଛପାରେ ପ୍ରସ୍ତୁତ ଓ ବିକ୍ରି ହେଉଛି ନକଲି ଅବଢ଼ା। ପୁରୀ ପାଇକ ସାହିରେ ଦେଖିବାକୁ ମିଳିଛି ଏପରି ଘଟଣା । ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଉଛି।   ଶ୍ରୀମନ୍ଦିରରେ ଯେପରି କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରସ୍ତୁତ ହୁଏ ଏହାର ଅବିକଳ ନକଲ କରାଯାଇଛି। ଚୋରଘର ସର୍ବଦା ଅନ୍ଧାର ରୁହେନି, ଠିକ୍‌ ସେହିପରି ଆଜି ରୋଷେଇ ହୋଇ ବିକ୍ରି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଏହି ନକଲି ମହାପ୍ରସାଦ ଧରାପଡ଼ିଛି। ପୁରୀ ଲୋକନାଥରୋଡ୍‌ ଅନ୍ତର୍ଗତ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଏହି ରାକେଟ ଚାଲିଥିବା ଅନୁମାନ କରାଯାଉଛି।

ସାହିରେ ଥିବା ସାପୁଆ ମଠ ନାମକ ସ୍ଥାନରେ ରୋଷେଇ ନିମନ୍ତେ ସମସ୍ତ ସାମଗ୍ରୀ ଏକାଠି କରାଯାଇଥିଲା। ନଡ଼ିଆ କୋରାଯିବା ସହ ପରିବା କାଟି ଏଠାରେ ରଖା ଯାଇଥିଲା। ଏହି ମଠ ନିକଟ ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଇଛି। ଖୁବ୍ ଅପରିଷ୍କାର ପରିବେଶରେ ଏହି ରୋଷେଇ ଚାଲିଥିଲା। ଗଣମାଧ୍ୟମ ପହଞ୍ଚିବା ବେଳକୁ ବହୁ ସଂଖ୍ୟକ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରଭୃତି ପ୍ରସ୍ତୁତ ହୋଇ ପଶି ସାରିଥିବା ବେଳେ ଆହୁରି ଅନେକ କୁଡ଼ୁଆରେ ଭାତ, ଡାଲି, ସାଦାବେସର, ମହୁର ପ୍ରଭୁତି ପ୍ରସ୍ତୁତ କରିବାକୁ ରୋଷେୟା ଓ ଯୋଗାଣିଆ କାମରେ ଲାଗିଥିଲେ। ଟପ୍‌ ଓ କରେଇରେ ରୋଷେଇ କରାଯିବା ପରେ ଏହାକୁ କୁଡୁଆରେ ପ୍ୟାକ୍‌ କରାଯାଉଥିଲା। ପରେ କୁଡ଼ୁଆକୁ କୋଇଲା ଆଞ୍ଚ ଉପରେ ରଖାଯାଇ ଏହାକୁ ଅସଲି ରୂପ ଦେବାକୁ ସବୁ ପ୍ରୟାଶ କରାଯାଉଥିଲା। ଯେପରି ଲୋକଙ୍କୁ ଲାଗିବ ଏହା ସତ ମହାପ୍ରସାଦ। ଏହି ମଠରେ ବହୁ ସଂଖ୍ୟକ କୁଡ଼ୁଆ, ନଡ଼ିଆ, ଚାଉଳ, ପନିପରିବା ପ୍ରଭୃତି ମହଜୁଦ୍ ଥିବା ଦେଖିବାକୁ ମିଳୁଥିବାରୁ ଏହି ସ୍ଥାନକୁ ଏକ ନକଲି ମହାପ୍ରସାଦ ବିକ୍ରି ଓ ଯୋଗାଣ ଆଡ୍ଡାରେ ପରିଣତ କରାଯାଇଥିବା ଜଳଜଳ ଦିଶୁଛି। ଅବିକଳ ମହାପ୍ରସାଦ ଭଳି ଏହାକୁ କାହିଁକି କୁଡ଼ୁଆରେ ରଖାଯାଉଛି ଓ କେଉଁ ଉଦ୍ଦେଶ୍ୟରେ, କାହାକୁ ପଠାଯାଉଛି ବୋଲି ପ୍ରଶ୍ନ କରିବାରୁ ରୋଷେୟା, ଯୋଗାଣିଆ ସମେତ କାମ କରୁଥିବା ଲୋକମାନେ ଘଟଣାସ୍ଥଳରୁ ଛୁ ମାରିଥିଲେ।

ତେବେ ଏଠାରେ ରୋଷେଇ କରୁଥିବା ଜଣେ ମାତ୍ର ରୋଷେୟା କହିଛନ୍ତି, ଶ୍ରୀମନ୍ଦିରରେ ଠାକୁର ଅଣସରରେ ଅଛନ୍ତି। ତେଣୁ ମହାପ୍ରସାଦ ବାହାରୁନି। ସମସ୍ତେ ଏକଥା ଜାଣନ୍ତି। ଏହି ଟେଣ୍ଡରେ ଯେଉଁ ରୋଷେଇ ହେଉଛି ନିକଟସ୍ଥ ଏକ ସାହିକୁ ଯିବ। ସେଠାରେ ଏକ ଦଶାହ କାର୍ଯ୍ୟରେ ଲାଗିବ। ଭୁବନେଶ୍ୱର ଓ ଅନ୍ୟସ୍ଥାନରୁ ଲୋକେ ଆସି ଖାଇବେ। ଅର୍ଡର ମୁତାବକ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରଭୃତିକୁ କୁଡ଼ୁଆରେ ଭର୍ତ୍ତି କରି ଦିଆଯାଉଛି। ଗୋପାଳ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ କହିବା ମୁତାବକ ସେମାନେ ଏହି ରୋଷେଇ ପ୍ରସ୍ତୁତ କରୁଥିବା ସେ କହିଛନ୍ତି।

ଏଭଳି ଘଟଣାକୁ ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ସେବାୟତ ନିନ୍ଦା କରିଛନ୍ତି। ଲୋକଙ୍କ ଭାବାବେଗକୁ ଏଭଳି ଆଘାତ କରିବା ଅଦୌ ଠିକ୍‌ ନୁହେଁ ବୋଲି ସେମାନେ ମତ ଦେଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ଚାଲିଥିବା ବେଳେ ମନ୍ଦିରରେ ମହାପ୍ରସାଦ ମିଳୁ ନ ଥିବା ଭକ୍ତ ମାନଙ୍କୁ କୁହାଯାଉଛି। ଅନେକ ଭକ୍ତ ଏ ନେଇ କିଛି ଜାଣି ନ ଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି। କିଛି ଅସାଧୁ ସେବାୟତଙ୍କ ସହ ମିଶି ବାହାରେ ଅନ୍ନ, ଡାଲି, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ବିକ୍ରି ପାଇଁ ବ୍ୟବସ୍ଥା କରିଥିବା ଅଭିଯୋଗ କରିଛନ୍ତି। ତେବେ ଶେଷ ଖବର ସୁଦ୍ଧା ଏଭଳି ଜଘଣ୍ୟ କାଣ୍ଡ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କୌଣସି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଏଭଳି ଅସାଧୁ କାରବାର ତୁରନ୍ତ ବନ୍ଦ ନହେଲେ ମହାପ୍ରସାଦ ନାମରେ ବେଆଇନ କାରବାର ବୃଦ୍ଧି ଆଶଙ୍କା ପ୍ରକାଶ ପାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଘଟଣାକୁ ହାଲ୍‌କା ଭାବେ ନେଇ କହିଛନ୍ତି, ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ।

ଜାମ୍ମୁ-କାଶ୍ମୀର କୁକ୍ଷାତ ଆତଙ୍କୀ କାମାଣ୍ଡରର ସମ୍ପତ୍ତି ବାର୍ଯ୍ୟାପ୍ତ । ଆତଙ୍କବାଦୀଙ୍କ ଘର ଉପରେ ଚାଲିଲା ବୁଲଡୋଜର


ଜାମ୍ମୁ-କାଶ୍ମୀର, ୧୯୯୦ ଦଶକରେ ପାକିସ୍ତାନ ପଳାୟନ କରିଥିବା ଆତଙ୍କବାଦୀଙ୍କ ଘର ଉପରେ ଚାଲିଲା ବୁଲଡଜର । କୁକ୍ଷାତ ଆତଙ୍କୀ କାମାଣ୍ଡରର ସମ୍ପତ୍ତି ବାର୍ଯ୍ୟାପ୍ତ କରାଯାଇଛି । ଜାମ୍ମୁ-କାଶ୍ମୀରର କୁପଓ୍ବାଡ଼ା ଜିଲ୍ଲାରେ ୨୬ କନାଲ ଓ ୪ ମରାଲ ଘର ମାଟିରେ ମିଶିଛି । ଏହି ଦୁଇ ସ୍ଥାନରେ ଥିବା ଜମି ଦେବର ଲୋଲାବ ନିବାସୀ ଅଲମସ ରିଜଓ୍ବାନ ଖାନଙ୍କ ସହିତ ଜଡ଼ିତ, ଯିଏ ଏହାକୁ ପାକିସ୍ତାନରେ ଥାଇ ସଞ୍ଚାଳନ କରୁଥିଲା । ଏକ ପ୍ରଥାମିକ ଯାଞ୍ଚ ପରେ ଏସଆଈୟୁ କୁପଓ୍ବାଡ଼ା ଦ୍ବାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପୋଲିସ କହିଛି, “ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପୋକ୍) ରେ ତାଲିମ ପାଇବା ପରେ ସେ ଫେରି ଆସି ଜିଲ୍ଲା ଦୋଡାଠାରେ ଆତଙ୍କବାଦୀ ସମ୍ପର୍କିତ କାର୍ଯ୍ୟକଳାପରେ ସକ୍ରିୟ ରହିଲେ। ଆତଙ୍କବାଦୀଙ୍କ ସହ ସାଧାରଣ ନାଗରିକ ତଥା ସୁରକ୍ଷା ବାହିନୀ ଉପରେ ଅନେକ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ଅଗ୍ନିକାଣ୍ଡ, ବିସ୍ଫୋରଣ ଇତ୍ୟାଦିରେ ମଧ୍ୟ ସେ ଜଡିତ ଥିଲେ।

ପୋଲିସର ବୟାନ ଅନୁଯାୟୀ, କୁପଓ୍ବାଡ଼ା ଥାନାର ପ୍ରାଥମିକ ତଦନ୍ତ ଆଧାରରେ ଏସଆଈୟୁ ପୋଲିସ ଟିମ୍ କାର୍ଯ୍ୟାନୁଷ୍ଠାନ ନେଇଛି । ଜିଲ୍ଲା ଭିତରରେ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ଜମିକୁ ଚିହ୍ନଟ କରି ସମ୍ପତ୍ତିକୁ ବାର୍ଯ୍ୟାପ୍ତ କରାଯାଇଛି ।  ପୋଲିସ ରିପୋର୍ଟ ମୁତାବକ, ଆଲମସ ଖାନ୍ ୧୯୯୦ ଦଶକ ଆରମ୍ଭରେ ଜାମ୍ମୁ-କାଶ୍ମୀରରେ ଶାନ୍ତି ଓ ସୁରକ୍ଷା ପାଇଁ ଲଗାତର ବିପଦ ସୃଷ୍ଟି କରୁଥିଲା । ସେ ପ୍ରଥମେ ତେହରିକ୍-ଏ-ଜିହାଦ-ଏ-ଇସଲାମୀ ଏବଂ ଏବେ ଦି ରେଜଷ୍ଟ୍ରିଂସ ଫ୍ରଣ୍ଟର ସଦସ୍ୟ ରହିଛନ୍ତି । ଅତୀତରେ ଅଲମସ ଘାଟିରେ ବହୁ ନୀରିହ ଲୋକଙ୍କୁ ହତ୍ୟା କରିଛି ଏବଂ ଶାନ୍ତ କାଶ୍ମୀରରୁ ଅଶାନ୍ତ କରିଛି । ଜାମ୍ମୁ-କାଶ୍ମୀର ପୋଲିସ ଆତଙ୍କବାଦକୁ ମୂଳରୁ ନିପାତ କରିବାକୁ ଉଦ୍ୟମ ଚଳାଇଥିବା ବେଳେ ଇଲମସରେ କୋଠା ଓ ସମ୍ପର୍ତ୍ତକୁ ବୁଲଡୋଜର ଚଢ଼ାଇ ମାଟିରେ ମିଶାଇ ଦେଇଛି ।

କର୍ଣ୍ଣାଟକରେ ବିଜେପି ସରକାର ଆଣିଥିବା ଧର୍ମାନ୍ତରୀକରଣ ନିରୋଧୀ ଆଇନକୁ ଏବେ ରଦ୍ଦ କରିବ କଂଗ୍ରେସ


ବେଙ୍ଗାଲୁରୁ,କର୍ଣ୍ଣାଟକରେ ଥିବା କଂଗ୍ରେସ ସରକାର ପୂର୍ବରୁ ବିଜେପି ସରକାର ଦ୍ୱାରା ପ୍ରଣୟନ କରାଯାଇଥିବା ଧର୍ମାନ୍ତରଣ ବିରୋଧୀ ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଗୁରୁବାର ରାଜ୍ୟ କ୍ୟାବିନେଟରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ପାରିତ ହୋଇଛି। ଏହି ପ୍ରସ୍ତାବକୁ ଗୁରୁବାର ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି ବୋଲି ରାଜ୍ୟ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍ କେ ପାଟିଲ କହିଛନ୍ତି । ସିଦ୍ଧରମୈୟା ଗତବର୍ଷ ଗଣମାଧ୍ୟମକୁ କହିଥିଲେ, ପ୍ରଲୋଭନ ଓ ବଳପୂର୍ବକ ଧର୍ମପରିବର୍ତ୍ତନକୁ ରୋକିବା ପାଇଁ ଆମର ବର୍ତ୍ତମାନର ଆଇନ ସକ୍ଷମ । ନୂଆ ଆଇନର ଆବଶ୍ୟକତା କ’ଣ? ଏହାର ଏକମାତ୍ର କାରଣ ହେଉଛି ସଂଖ୍ୟାଲଘୁମାନଙ୍କୁ ଭୟଭୀତ କରିବା ଓ ହଇରାଣ କରିବା।  ଧର୍ମାନ୍ତରଣ ବିରୋଧୀ ଆଇନ ବିରୋଧରେ ମଧ୍ୟ ମାମଲା କୋର୍ଟକୁ ଯାଇଥିଲା। ଏହି ନୂଆ ଆଇନ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ଧାର୍ମିକ ସ୍ୱାଧୀନତାକୁ ଉଲ୍ଲଂଘନ କରୁଛି ବୋଲି ଖ୍ରୀଷ୍ଟିଆନ ସଂଗଠନଗୁଡ଼ିକ ଯୁକ୍ତି ବାଢ଼ିଥିଲେ ।

ବିରୋଧୀ ଥିବାବେଳେ କଂଗ୍ରେସ ସଂରକ୍ଷଣ ଅଧିକାର ଅଧିକାର ଅଧିକାର ଆଇନ, 2022 କୁ ବିରୋଧ କରିଥିଲା, ଯାହା ସାଧାରଣତ ଆଣ୍ଟି-କନଭର୍ସନ ଆକ୍ଟ ଭାବରେ ଜଣାଶୁଣା। ଭୁଲ ଉପସ୍ଥାପନା, ବଳ, ଆଲୁଅମେଣ୍ଟ, ଜାଲିଆତି ଅର୍ଥ କିମ୍ବା ବିବାହ ଦ୍ୱାରା ପରିବର୍ତ୍ତନକୁ ନିଷେଧ କରାଯାଇଥିଲା । ଉଲ୍ଲଂଘନକାରୀଙ୍କୁ ତିନି ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ 25,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ। ତେବେ ନାବାଳିକା, ମହିଳା, ଏସସି / ଏସଟି ବିରୋଧରେ ଅପରାଧ ମାମଲାରେ ଅପରାଧୀମାନେ ତିନି ବର୍ଷରୁ ଦଶ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ ଏବଂ ଅତି କମରେ 50,000 ଟଙ୍କା ଜୋରିମାନା ହେବ। କର୍ଣ୍ଣାଟକର ଆଇନ ମନ୍ତ୍ରୀ ଏଚ୍.କେ ପାଟିଲ କହିଛନ୍ତି ଯେ ବିଜେପି ଯେଉଁ ବିଲ୍ ଆଣିଛି ତାହା ରଦ୍ଦ ହେବ ଏବଂ ଆମେ ଯେଉଁ ବିଲ୍ ଆଣିଛୁ ତାହା ସମ୍ବିଧାନ ଅନୁଯାୟୀ ହେବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ରାଜ୍ୟରେ ଥିବା ବିଜେପି ସରକାର ପ୍ରଥମେ ଏକ ଅଧ୍ୟାଦେଶ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରିଥିଲେ, ପରେ ଏହାକୁ ଗୃହରେ ଅଣାଯାଇଥିଲା । ତେବେ ସେତେବେଳେ ଏହି ଆଇନକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ଦେଖାଦେଇଥିଲା । କଂଗ୍ରେସ ଏହି ଆଇନକୁ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ପାଇଁ ଏକ ଅସ୍ତ୍ର ବୋଲି ବର୍ଣ୍ଣନା କରିଥିଲା।

ନାବାଳିକା କୁସ୍ତି ଯୋଦ୍ଧା ଯୌନ ଶୋଷଣ ମାମଲାରେ ବ୍ରିଜ ଭୂଷଣଙ୍କୁ ଦିଲ୍ଲୀ ପୋଲିସର କ୍ଲିନ୍ ଚିଟ୍


ନୂଆଦିଲ୍ଲୀ,ନାବାଳିକା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲାରେ ସାଂସଦ ବ୍ରିଜଭୂଷଣଙ୍କୁ କ୍ଲିନ୍ ଚିଟ୍ । ଦିଲ୍ଲୀ ପୋଲିସ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଏହି କ୍ଳିନ ଚିଟ୍ ପ୍ରଦାନ କରିଛନ୍ତି ।ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଷ୍ଟଲକିଂ ବା ପିଛା କରିବା ମାମଲା ଚାଲିବ। ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିବା ପରେ ଦିଲ୍ଲୀ ପୁଲିସ୍‌ ଏହାର ତଦନ୍ତ କରିଥିଲା।ଦିଲ୍ଲୀ ପୋଲିସ ଗୁରୁବାର ଦିନ ୭ ଜଣ କୁସ୍ତିଯୋଦ୍ଧାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ ।

ଆଜି ପୁଲିସ୍‌ ପକ୍ଷରୁ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ୧୦୦୦ ପୃଷ୍ଠାର ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ଏଥିରେ ଯୌନ ନିର୍ଯାତନା ଓ ଷ୍ଟଲକିଂ ଅଭିଯୋଗର ପ୍ରମାଣ ମିଳିଥିବା ପୁଲିସ ଦର୍ଶାଇଛି। ତେବେ ଜଣେ ନାବାଳିକାଙ୍କୁ ବ୍ରିଜ ଭୂଷଣ ଯୌନ ଶୋଷଣ କରିଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ତା’ର ପ୍ରମାଣ ପୁଲିସ୍‌ ପାଇନାହିଁ। ତେଣୁ ପୁଲିସ୍‌ ବ୍ରିଜ ଭୂଷଣଙ୍କ ନାଁରେ ପୋକ୍ସୋ ଆଇନ ଅନୁଯାୟୀ ରୁଜୁ ମାମଲାକୁ ହଟାଇବାକୁ କୋର୍ଟଙ୍କ ଅନୁମତି ଲୋଡ଼ିଛି। ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ନାଁରେ ଜଣେ ମହିଳାଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇବା ଚାର୍ଜସିଟ ଲାଗିଛି। ଏହା ଜାମିନବିହୀନ ଅପରାଧ। ଏହାବାଦ ଯୌନ ଶୋଷଣ ଓ ଷ୍ଟଲକିଂ ମାମଲା ବି ଚାଲିବ। ତେବେ ଏହି ଦୁଇ ମାମଲା ଜାମିନ ଯୁକ୍ତ।

ଦିଲ୍ଲୀ ପୁଳିସ୍‌ କହିଛି ଯେ “ଧାରା ୧୭୩ ଅଧୀନରେ ଆମେ ଗୋଟିଏ ପୁଲିସ୍‌ ରିପୋର୍ଟ ଦାଖଲ କରିଛୁ। ଏଥିରେ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ପୋକ୍ସୋ ଦଫାକୁ ହଟାଇବାକୁ ଅନୁରୋଧ କରିଛୁ। ଅଭିଯୋକାରୀ ଓ ତାଙ୍କ ବାପାଙ୍କ ବୟାନକୁ ଆଧାର କରି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ତଦନ୍ତ ବେଳେ ପୋକ୍ସୋ ଅପରାଧ ସଂକ୍ରାନ୍ତରେ କୌଣସି ପ୍ରକାରର ପ୍ରମାଣ ମିଳିନାହିଁ।” ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ରେ ହେବ।ଏପ୍ରିଲ ୨୧ରେ ଜଣେ ନାବାଳିକାଙ୍କ ସମେତ ୭ ଜଣ ମହିଳା ରେସଲର ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନ ଓ ଅନ୍ୟ ବେଆଇନ କାର୍ଯ୍ୟକଳାପର ଅଭିଯୋଗ ଆଣିଥିଲେ। ତେବେ ପୁଲିସ୍‌ କୌଣସି ପ୍ରକାରର ପଦକ୍ଷେପ ନ ନେବାରୁ ଦେଶ ପାଇଁ ପଦକ ଜିତିଥିବା ଷ୍ଟାର ରେସଲରମାନେ ବିକ୍ଷୋଭ ଆରମ୍ଭ କରିଥିଲେ।

ଦିନକୁ ଦିନ ଆନ୍ଦୋଳନ ତୀବ୍ର ହେବାରୁ ଗତ ସପ୍ତାହରେ ଅଲିମ୍ପିକ୍ସରେ ପଦକ ଜିତିଥିବା ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ବୈଠକ କରିଥିଲେ। ଏହାପରେ ଜୁନ ୧୫ ତାରିଖ ସୁଦ୍ଧା ପୁଲିସ୍‌ ତଦନ୍ତ ରିପୋର୍ଟ ଦାଖଲ କରିବ ବୋଲି କହିଥିଲେ। ଏହି ପ୍ରତିଶ୍ରୁତି ପରେ ରେସଲରମାନଙ୍କ ବିକ୍ଷୋଭ ସ୍ଥଗିତ ହୋଇଥିଲା। ପ୍ରତିଶ୍ରୁତି ମୁତାବକ ଦିଲ୍ଲୀ ପୁଲିସ୍‌ ଆଜି ତଦନ୍ତ ରିପୋର୍ଟ ଦାଖଲ କରିଛି। ତଦନ୍ତ ବେଳେ ପୁଲିସ୍‌ ବିଭିନ୍ନ ଫଟୋ, ଭିଡିଓ, ସିସିଟିଭି ଫୁଟେଜ ଆଦିର ଯାଞ୍ଚ କରିଥିଲେ। ପ୍ରାୟ ୧୮୦ ଜଣଙ୍କୁ ପଚରାଉଚରା କରିବା ପରେ ରିପୋର୍ଟ ପ୍ରସ୍ତୁତ କରିଥିଲା।

ଏପ୍ରିଲ ୨୧ରେ, ୭ ଜଣ ମହିଳା କୁସ୍ତିଯୋଦ୍ଧା ଦିଲ୍ଲୀ ପୋଲିସ ନିକଟରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ । ଏହି ମାମଲାରେ ଦିଲ୍ଲୀ ପୋଲିସ ୨୮ ଏପ୍ରିଲରେ ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଥିଲା । ପ୍ରଥମ ମାମଲା ୬ ଜଣ ମହିଳା କୁସ୍ତି ଖେଳାଳିଙ୍କ ଅଭିଯୋଗ ଉପରେ ହୋଇଥିଲା ନାବାଳିକାଙ୍କ ଅଭିଯୋଗ ଉପରେ POCSO ଅଧିନିୟମ ଅନୁଯାୟୀ ଗୋଟଏ ମାମଲା ପଞ୍ଜୀକୃତ ହୋଇଥିଲେ । ଦିଲ୍ଲୀ ପୋଲିସ ଏହାର ୫୫୦ ପୃଷ୍ଠାର ରିପୋର୍ଟରେ କହିଛି ଯେ POCSO ଅଭିଯୋଗ ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ । ଏଭଳି ପରିସ୍ଥିତିରେ ପୋଲିସ POCSO ଅଧୀନରେ ବ୍ରିଜ ଭୂଷଣଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରିବାକୁ କୋର୍ଟରେ ସୁପାରିଶ କରିଛି ।

ମୋଦୀଙ୍କ ପ୍ରସ୍ତାବକୁ ଜାତିସଂଘର ମଞ୍ଜୁରୀ। ନ୍ୟୁୟର୍କରେ ନିର୍ମାଣ ହେବ ଶାନ୍ତିରକ୍ଷକଙ୍କ ସହିଦ ସ୍ମାରକ


ନୂଆଦିଲ୍ଲୀ,ଭାରତ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରୁ ଜାତିସଂଘ ମହାସଭା ସ୍ୱୀକାର କରିଛି । ଜାତିସଂଘ ମୁଖ୍ୟାଳୟରେ ଏକ ମେମୋରିଆଲ ୱାଲ ନିର୍ମାଣ ନେଇ ଭାରତ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା । ବିଶ୍ବର ବିଭିନ୍ନ ଦେଶରେ ଶାନ୍ତି ରକ୍ଷା କରିବାବେଳେ ସହିଦ ହୋଇଥିବା ଜାତିସଂଘର ଶାନ୍ତିରକ୍ଷକମାନଙ୍କୁ ସମ୍ମାନ ଜଣାଇ ଜାତିସଂଘ ମୁଖ୍ୟାଳୟରେ ଏକ ସ୍ମାରକୀ ସ୍ମାରକ ସ୍ଥାପନ ପାଇଁ ଭାରତ ଆଣିଥିବା ଏକ ଚିଠା ପ୍ରସ୍ତାବକୁ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ସର୍ବସମ୍ମତିକ୍ରମେ ଗୃହୀତ କରିଛି। ଏହି ମେମୋରିଆଲ ୱାଲରେ ଜାତିସଂଘ ଶାନ୍ତି ମିଶନରେ ବଳିଦାନ ଦେଇଥିବା ସୈନିକଙ୍କ ନାଁ ଲେଖି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିକା କମ୍ୱୋଜ ବୁଧବାର ଏହି ପ୍ରସ୍ତାବ ଆଗତ କରିଥିଲେ, ଯାହାକୁ ୧୯୦ ଦେଶର ସମର୍ଥନ ମିଳିଛି ।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ ବୁଧବାର ୟୁଏନଜିଏରେ ‘ସହିଦ ଜାତିସଂଘ ଶାନ୍ତିରକ୍ଷୀଙ୍କ ସ୍ମାରକୀ ପ୍ରାଚୀର’ ଶୀର୍ଷକ ଏକ ଚିଠା ସଂକଳ୍ପ ଉପସ୍ଥାପନ କରିଥିଲେ । ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଆମେରିକା ଗସ୍ତରେ ଆସୁଥିବା ବେଳେ ତା ପୂର୍ବରୁ ଜାତିସଂଘର ବିଶ୍ୱ ପ୍ରାୟ ୧୯୦ ଟି ସଦସ୍ୟ ଦେଶ ମିଳିତ ଭାବେ ଏହି ସଂକଳ୍ପ ପାରିତ କରିଛନ୍ତି ।ମୋଦୀ ସେ ଜୁନ୍ ୨୧ ରେ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ମଧ୍ୟ ଯୋଗ ଦେବେ। ଜାତିସଂଘରେ ଆଗତ ପ୍ରସ୍ତାବରେ କୁହାଯାଇଛି ଯେ, ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟର ଏକ ଉପଯୁକ୍ତ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସହିଦ ଶାନ୍ତିରକ୍ଷୀଙ୍କ ସ୍ମୃତିରେ ଏକ ସ୍ମାରକୀ ପ୍ରାଚୀର ପ୍ରତିଷ୍ଠା ପ୍ରକ୍ରିୟା ଉପରେ ବିଚାର କରାଯିବ ଏବଂ ସେଥିରେ ସହିଦ ଶାନ୍ତିରକ୍ଷକ ସୈନିକଙ୍କ ନାମ ଲିପିବନ୍ଧ ରହିବ ।

ଜାତିସଂଘରେ ମେମୋରିଆଲ ୱାଲ ନିର୍ମାଣର ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ପିଏମ୍ ମୋଦୀ ଏହି ପ୍ରସ୍ତାବକୁ ସମର୍ଥନ ଦେଇଥିବା ସବୁ ଦେଶକୁ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରିଥିଲେ, ସେହି ସମୟରେ ଜାତିସଂଘରେ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଶାନ୍ତି ମିଶନ ସମୟରେ ବଳିଦାନ ଦେଇଥିବା ସୈନିକଙ୍କ ସ୍ମୃତିରେ ମେମୋରିଆଲ ୱାଲ ନିର୍ମାଣ ନେଇ ପ୍ରସ୍ତାବ ଦେଇଥିଲେ ।

ଅମୃତପାଲର ଘନିଷ୍ଠ ସହଯୋଗୀ ଅବତାର ସିଂହର ମୃତ୍ୟୁ । ଲଣ୍ଡନରେ କରିଥିଲା ତ୍ରିରଙ୍ଗାର ଅପମାନ


ନୂଆଦିଲ୍ଲୀ,ଖଲିସ୍ତାନୀ ଲିବରେସନ ଫୋର୍ସର ବ୍ରିଟେନ ମୁଖ୍ୟ ଏବଂ ଅମୃତପାଲ ସିଂହର ଘନିଷ୍ଠ ସହଯୋଗୀ ଅବତାର ସିଂହ ଖାଣ୍ଡାର ଲଣ୍ଡନର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ବ୍ରିଟେନର ଗୋଟିଏ ହସ୍ପିଟାଲରେ ଅବତାର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଖବର ମିଳିଛି। ସୋମବାର ଅବତାର ହଠାତ ଅସୁସ୍ଥ ଅନୁଭବ କରିବାରୁ ତାକୁ ବର୍ମିଂହାମ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ସେ ରକ୍ତ କର୍କଟ ଭଳି ସାଂଘାତିକ ରୋଗରେ ପୀଡ଼ିତ ଥିବା କୁହାଯାଉଛି।

ପଞ୍ଜାବ ପୁଲିସ୍‌ ଅମ୍ରିତପାଲକୁ ଗିରଫ କରିବା ପାଇଁ ପୂରା ଦେଶରେ ଖୋଜୁ ଥିବା ବେଳେ ଲଣ୍ଡନରେ ଅବତାର ତା’ ସପକ୍ଷରେ ରାଲି କରିଥିଲା। ସେ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନ ଆଗରେ ନିଜ ସମର୍ଥକଙ୍କ ସହ ବିକ୍ଷୋଭର ନେତୃତ୍ୱ ନେଇଥିଲା। ମାର୍ଚ୍ଚ ମାସରେ ହାଇକମିଶନରେ ଲାଗିଥିବା ବିଶାଳ ତ୍ରିରଙ୍ଗାକୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ତଳକୁ ଖସାଇବାକୁ ଚେଷ୍ଟା କରିଥିଲେ। ଏହା ପଛରେ ଅବତାର ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ହସ୍ପିଟାଲରେ ଭର୍ତ୍ତି କରାଯିବା ପୂର୍ବରୁ ତା’ର ସମର୍ଥକ ତାକୁ ବିଷ ଦିଆଯାଇଥିବା ନେଇ ଆଶଙ୍କା କରିଥିଲେ। ଖାଣ୍ଡାର ଜନ୍ମ ପଞ୍ଜାବ ମୋଗା ଜିଲ୍ଲାରେ ହୋଇଥିଲା।

ଖାଣ୍ଡା ବୋମା ତିଆରି କରିବାରେ ପାରଙ୍ଗମ ଥିଲା। ଓ୍ବାରିସ ପଞ୍ଜାବ ଦେ’ର ମୁଖିଆ ଅମୃତପାଲ ସିଂହକୁ ୩୭ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିବାରେ ଖାଣ୍ଡା ସହାୟତା କରିଥିଲା। ଖାଣ୍ଡାକୁ ବ୍ରିଟେନ୍‌ରେ ଭାରତୀୟ ଦୂତାବାସରେ ହୋଇଥିବା ଆକ୍ରମଣ ଏବଂ ତ୍ରିରଙ୍ଗାର ଅପମାନ ପରେ ଗିରଫ କରାଯାଇଥିଲା। ଖାଣ୍ଡାକୁ ନେଇ କୁହାଯାଉଛି ଯେ, ସେ ପଞ୍ଜାବ​‌ରେ ଅମୃତପାଲ ସିଂହଙ୍କୁ ଛିଡ଼ା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଅମ୍ରିତପାଲ ଦୀର୍ଘ ୩୫ ଦିନ କାଳ ପୁଲିସ୍‌କୁ ଚକମା ଦେଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଥିଲା। ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଶେଷରେ ଏପ୍ରିଲ ୨୩ରେ ସେ ପଞ୍ଜାବର ମୋଗା ସ୍ଥିତ ଗୋଟିଏ ଗୁରୁଦ୍ୱାର ନିକଟରେ ଆତ୍ମସମର୍ପଣ କରିଥିଲା।

ରାଜକୀୟ ଷ୍ଟାଇଲରେ କଂଗ୍ରେସକୁ ଫେରିଲେ ବିଜେପି ନେତା। ଦୀର୍ଘ ୩୦୦ କିମି ବାଟ ୪୦୦ ଗାଡ଼ିର କନଭୟ


ନୂଆଦିଲ୍ଲୀ, ରାଜକୀୟ ଷ୍ଟାଇଲରେ କଂଗ୍ରେସକୁ ଫେରିଛନ୍ତି ଜଣେ ବିଜେପି ନେତା। ସେ ଏହି ଘର ବାହୁଡ଼ାକୁ ଅଧିକ ଆକର୍ଷଣୀୟ ତଥା ସ୍ମରଣୀୟ କରିବା ପାଇଁ ଦୀର୍ଘ ୩୦୦ କିମି ବାଟ ୪୦୦ ଗାଡ଼ିର କନଭୟ ମଧ୍ୟରେ ଯାତ୍ରା କରିଛନ୍ତି। ଏଥିସହ ପୂରା ୩ ଶହ କିମି ରାସ୍ତାକୁ ସେ ସାଇରନ ବଜାଇ ବଜାଇ ଅତିକ୍ରମ କରିଛନ୍ତି। ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ବେଳେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ବୈଜନାଥ ସିଂହ ଏବେ କଂଗ୍ରେସକୁ ଫେରିଛନ୍ତି। ଏଥିପାଇଁ ସେ ଶିବପୁରୀରୁ ୪୦୦ କାର୍‌ ସହ ଭୋପାଳ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଶିବପୁରୀ ରାଜନୀତିରେ ନିଜର ଦବଦବା ରଖିଥିବା ସିନ୍ଧିଆଙ୍କ ସହ ୨୦୨୦ରେ କଂଗ୍ରେସ ଛାଡ଼ିବାରୁ ମଧ୍ୟପ୍ରଦେଶର କ୍ଷମତାସୀନ କମଲନାଥ ସରକାର ଭୁଶୁଡ଼ି ପଡ଼ିଥିଲା। ଏବେ ସିନ୍ଧିଆ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଛନ୍ତି।

ହେଲେ ତାଙ୍କ ସହ ଦଳ ଛାଡ଼ିଥିବା ବୈଜନାଥ ଏବେ କଂଗ୍ରେସକୁ ଫେରିଛନ୍ତି। କୁହାଯାଉଛି ଯେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବୈଜନାଥ ଟିକେଟ ଆଶାୟୀ ଥିଲେ। ହେଲେ ବିଜେପି ତାଙ୍କୁ ଟିକେଟ ଦେବାର ସମ୍ଭାବନା ନଥିବାରୁ ସେ କଂଗ୍ରେସକୁ ଫେରିଛନ୍ତି। କଂଗ୍ରେସ ମଧ୍ୟ ତାଙ୍କୁ ସ୍ୱାଗତ କରିଛି। ଯେଉଁ କମଲନାଥ ସରକାରଙ୍କୁ ସେ ସିନ୍ଧିଆଙ୍କ କଥାରେ ପଡ଼ି ଭାଙ୍ଗିଥିଲେ ଆଜି ସେହି କମଲନାଥ ଓ ବରିଷ୍ଠ ନେତା ଦିଗବିଜୟ ସିଂହ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ବୈଜନାଥଙ୍କ ସମେତ ୧୫ ଜଣ ଜିଲ୍ଲାସ୍ତରୀୟ ବିଜେପି ନେତା ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବୈଜନାଥ ଆଜି ୪୦୦ କାର ସହ ସାଇରନ ବଜାଇ ଭୋପାଲ ଆସୁଥିବା ବେଳେ ଏହାକୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରବଳ ଭିଡ଼ ଜମିଥିଲା। ଲୋକମାନେ ମଧ୍ୟ ତାଙ୍କୁ ହାତ ହଲାଇ ଅଭିବାଦନ ମଧ୍ୟ ଜଣାଇଥିଲେ। ଏହି ଘଟଣା କେବଳ ମଧ୍ୟପ୍ରଦେଶ ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସୋଶାଲ ମିଡିଆରେ ଏପରି ସାଇରଜ ବଜାଇ ଯାତ୍ରା କରିବା ଘଟଣାକୁ ନିନ୍ଦା କରାଯାଇଛି।

ଠିକା ସଂସ୍ଥାର କାର୍ଯ୍ୟରେ ଅତିଷ୍ଠ ନବରଙ୍ଗପୁର RWSS । ଠିକା ସଂସ୍ଥା ଉପରେ ୪ କୋଟି ଟଙ୍କା ଫାଇନ୍‌


ନବରଙ୍ଗପୁର,ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ନେଇ ସାରି ପାରୁନାହାନ୍ତି। ଖାଲି ଡେଡ୍‌ଲାଇନ୍‌ ବଢ଼ାଇ ଚାଲୁଛି। ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ।ଦୁଇ ଦୁଇ ଥର ଡେଡ୍‌ଲାଇନ୍‌ ବଢ଼ାଇବା ପରେ ତୃତୀୟ ଥର ପାଇଁ ଅନୁରୋଧ କରିଥିଲା। ଠିକା ସଂସ୍ଥାର ଏପରି କାର୍ଯ୍ୟ ପରେ ଫିଡିକି ଯାଇଥିଲା ନବରଙ୍ଗପୁର RWSS ବିଭାଗ। ଆଉ ତାଗିଦ କରିବା ସହିତ ଠିକା ସଂସ୍ଥାକୁ ୪ କୋଟି ଟଙ୍କା ଫାଇନ୍‌ କରିଛି। ନବରଙ୍ଗପୁର, ପାପଡାହାଣ୍ଡି, କୋଷାଗୁମୁଡା ଓ ଚନ୍ଦାହାଣ୍ଡି ବ୍ଲକର ୫୩ଟି ପଞ୍ଚାୟତର ଜନସାଧାରଣଙ୍କୁ ପାଣି ମୁନ୍ଦାଏ ଯୋଗାଇବା ପାଇଁ ୫୫୫.୪୨ କୋଟିର ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ବହୁ ନାମୀଦାମୀ କମ୍ପାନୀ ଟେଣ୍ଡର ପକାଇଥିଲେ। ସମସ୍ତଙ୍କୁ ପଛରେ ପକାଇ ହାଇଦ୍ରାବାଦର GVPR Engineer LTD ଟେଣ୍ଡର ହାତେଇ ଥିଲେ। ଟେଣ୍ଡର ପାଇବା ପରେ ଅର୍ଥାତ ୨୦୧୯ ମସିହା ମାର୍ଚ୍ଚ ୧ ତାରିଖରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା ଠିକା ସଂସ୍ଥା।

ପ୍ରକଳ୍ପ କାର୍ଯ୍ୟ ୨୦୨୧ ମାର୍ଚ୍ଚରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ କରୁଥିବା ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସାରିପାରୁନଥିଲା। ଯେଉଁଥିପାଇଁ ଦୁଇ ଦୁଇ ଥର ଡେଡ୍‌ଲାଇନ୍‌ ବଢାଥିଲା। ଏହା ପରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଠିକା ସଂସ୍ଥା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଡେଡ୍‌ଲାଇନ୍‌ ତୃତୀୟ ଥରେ ବଢାଇବାକୁ ଅନୁରୋଧ କରିଥିଲା। ଏଥର ୨୦୨୪ ମସିହାରେ ପ୍ରକଳ୍ପ ସାରିବାକୁ ଠିକା ସଂସ୍ଥା ଡେଡ୍‌ଲାଇନ୍‌ ମାଗିଥିଲା। ଠିକା ସଂସ୍ଥାର ଏପରି କାର୍ଯ୍ୟରେ ଅତିଷ୍ଠ ହୋଇଥିଲେ ନବରଙ୍ଗପୁର RWSS। ଆଉ ଶୁଣାଇଦେଲା ଚରମ ବାଣୀ। ବାକି ଥିବା ୨୦୦ କୋଟି ଟଙ୍କାର ଦୁଇ ପ୍ରତିଶତ ଫାଇନ୍‌ (୪ କୋଟି ଟଙ୍କା) କରିବା ସହିତ ୨୦୨୩ ଡିସେମ୍ୱର ସୁଦ୍ଧା ପ୍ରକଳ୍ପ ସାରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ ସୁଦ୍ଧା ନବରଙ୍ଗପୁର, କୋଷାଗୁମୁଡା ଓ ପାପଡାହାଣ୍ଡି ବ୍ଲକ୍‌ରେ ନିର୍ମାଣ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୪୦୩.୯୪ କୋଟି ଟଙ୍କା ମଞ୍ଜୁର କରିଥିଲେ। ଠିକା ସଂସ୍ଥା GVPR କମ୍ପାନୀ ୭୦ ପ୍ରତିଶତ କାମ କରି ୬୯.୧୬% ଟଙ୍କା ଉଠାଇ ନେଇଛି। ସେହିଭଳି ଚନ୍ଦାହାଣ୍ଡି ବ୍ଲକର ୧୩ଟି ପଞ୍ଚାୟତବାସୀଙ୍କ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ରାଜ୍ୟ ସରକାର ୧୫୧.୪୮ କୋଟି ଟଙ୍କା ମଞ୍ଜୁର କରିଥିଲେ। ଟେଣ୍ଡର ନେଇଥିବା ଠିକା ସଂସ୍ଥା GVPR କମ୍ପାନୀ ବର୍ତ୍ତମାନ ସୁଦ୍ଧା ୬୫ ପ୍ରତିଶତ କାମ କରି ୬୧.୪୧% ଟଙ୍କା ନେଇଯାଇଛି। କହିବାକୁ ଗଲେ ଠିକା ସଂସ୍ଥା ୨୦୦ କୋଟି ଟଙ୍କା ପାଇବାକୁ ରହିଛି।

ପାଚିକା-ସହାୟିକାମାନଙ୍କ ପାଇଁ ୧୧୭.୭୩ କୋଟି ମଞ୍ଜୁର। ଶାଢ଼ି ପାଇଁ ପ୍ରତ୍ୟେକଙ୍କୁ ୫୦୦ ଟଙ୍କା ଭତ୍ତା


ଭୁବନେଶ୍ବର, ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ଦାୟିତ୍ୱରେ ନିୟୋଜିତ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା ବାଣ୍ଟିଛନ୍ତି । ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା ବାବଦରେ ୫୦୦ଟଙ୍କା ଭତ୍ତା ଦେଇଥିବା ରାଜ୍ୟର ବିଜେଡି ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଅନୁରୂପ ଭାବେ ପ୍ରତ୍ୟେକଙ୍କୁ ୨୫୦ଟଙ୍କାର ଶାଢ଼ୀ ଭତ୍ତା ଦେଇଥିଲେ ।ପାଚିକା-ସହାୟିକା ମାନଙ୍କ ପାଇଁ  ୧୧୭.୭୩ କୋଟି  ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଥିବା ବେଳେ ଶାଢ଼ି ପାଇଁ ଭତ୍ତା ମଧ୍ୟ ପ୍ରଦାନ କରିଛନ୍ତି । ରାଜ୍ୟର ଏକ ଲକ୍ଷ ନଅ ହଜାର ପାଚିକାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫.୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ପାଚିକା ଓ ସହାୟିକାମାନଙ୍କ ପାଇଁ ୧୧୭.୭୩କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି । ଏହାସହିତ ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ପାଇଁ ୫୦୦ଟଙ୍କା ଲେଖାଏଁ ମଧ୍ୟ ପ୍ରଦାନ କରାଯାଇଛି । ଆଜି ରାଜ୍ୟର ୧.୦୯ଲକ୍ଷ ପାଚିକା ଓ ସହାୟିକାଙ୍କ ଆକାଉଣ୍ଟକୁ ୫.୪୫କୋଟି ଟଙ୍କାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ରାନ୍ସଫର କରିଛନ୍ତି । ପ୍ରାୟ ୫୦ହଜାରରୁ ଅଧିକ ସ୍କୁଲରେ କାର୍ଯ୍ୟରତ ପାଚିକା ଓ ସହାୟିକାମାନେ ଏହାଦ୍ୱାରା ଉପକୃତ ହେବେ । ଏହି ସ୍କୁଲଗୁଡ଼ିକରେ ୪୫ଲକ୍ଷରୁ ଅଧିକ ପିଲା ପାଠ ପଢ଼ୁଛନ୍ତି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି  ଅଭିଭାଷଣ ଦେଇ ରାଜ୍ୟରେ ଚାଲିଥିବା ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ଗୁଡିକରେ ଉପସ୍ଥାପନ ଓ ପୃଷ୍ଟିହୀନତା ଦୂର କରିବାରେ  ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ତଥା ପୃଷ୍ଟି ନିରାପତ୍ତା ପାଇଁ ମଧ୍ୟାହ୍ନ ଭୋଜନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ପାଚିକା ଓ ସହାୟିକାମାନେ ଏହି ଗୁରୁ ଦାୟିତ୍ୱ ବହନ କରୁଛନ୍ତି । ୫୦ହଜାର ସ୍କୁଲରେ ପଢ଼ୁଥିବା ୪୫ଲକ୍ଷରୁ ଅଧିକ ପିଲାଙ୍କର ମା’ ପରି ସେମାନଙ୍କର ଖାଇବା ଦାୟିତ୍ୱ ନେଇଛନ୍ତି । ୪୭୩୦ ମିଶନ ଶକ୍ତି ଗୋଷ୍ଠୀଙ୍କ ଜରିଆରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଛି । ପାଚିକା ଓ ସହାୟିକାମାନଙ୍କୁ ଖାଦ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ତାଲିମ ଦିଆଯାଇଛି ତଥା ସେମାନେ ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଏସ୍ ଅଶ୍ୱଥି ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୫୦,୮୬୨ଟି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୫.୫୦ ଲକ୍ଷ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେଉଛନ୍ତି । ୪୭୩୦ ମିଶନ ଶକ୍ତି ଗୋଷ୍ଠୀର ୧.୦୯ ଲକ୍ଷ ପାଚିକା ଓ ସହାୟିକାମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ସାମିଲ ଅଛନ୍ତି । ୨୦୧୭-୧୮ ମସିହାରେ ରାଜ୍ୟ ସରକାର ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା ଆକାରରେ ୨୫୦ଟଙ୍କା ଲେଖାଏଁ ବଂଟନ କରିଥିଲେ ।

ଆମେରିକା ନିମନ୍ତ୍ରଣରେ ମୋଦୀଙ୍କ ପ୍ରଥମ ରାଜକୀୟ ଗସ୍ତ। ହ୍ୱାଇଟ୍ ହାଉସ୍‌ରେ ଦିଆଯିବ ୨୧ ତୋପ ସଲାମୀ


ୱାସିଂଟନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରୁ ଏପର୍ଯ୍ୟନ୍ତ ୭ ଥର ଆମେରିକା ଗସ୍ତ କଲେଣି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଖାସ୍ ବୋଲି କୁହାଯଉଛି। ତେବେ ମୋଦି ପ୍ରଥମ ଥର ଆମେରିକା ନିମନ୍ତ୍ରଣରେ ରାଜକୀୟ ଗସ୍ତରେ ଯାଉଛନ୍ତି। ଏହି ଯାତ୍ରା ପାଇଁ ଖୋଦ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମୋଦିଙ୍କୁ ଆମନ୍ତ୍ରିତ କରିଛନ୍ତି। ଏହା ପୂର୍ବରୁ ମୋଦି ଦ୍ୱିପାକ୍ଷୀୟ ସମ୍ପର୍କ ମଜଭୁତ କରିବା ପାଇ କେବେ ଯାଇଛନ୍ତି ତ ଆଉ କେବେ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆମେରିକା ଯାଇଛନ୍ତି। ତେବେ ଆମେରିକା ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ରାଜକୀୟ ଗସ୍ତ ବୋଲି କୁହାଯାଉଛି। କାରଣ ମୋଦିଙ୍କୁ  ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍‌ରେ ୨୧ ତୋପ ସଲାମୀ ଦିଆଯିବ। ଏହା ଛଡା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡି ଡା.ଜିଲ ବାଇଡେନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନରେ ଏକ ରାଜକୀୟ ଭୋଜ ଆୟୋଜନ ହେବ। ଏହା ଛଡା ମୋଦି ଆମେରିକା କଂଗ୍ରେସକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। 

ରାଜକୀୟ ଗସ୍ତ କ’ଣ?
ଯେତେବେଳେ କୌଣସି ଦେଶର ମୁଖ୍ୟ ଅନ୍ୟ ଦେଶର ମୁଖ୍ୟଙ୍କୁ ନିଜ ଦେଶକୁ ଆସିବା ପାଇଁ ଔପଚାରିକ ନିମନ୍ତ୍ରଣ କରନ୍ତି ସେତେବେଳେ ଏହାକୁ ରାଜକୀୟ ଗସ୍ତ କୁହାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ଯାତ୍ରା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡି ଡା.ଜିଲ ବାଇଡେନ ଅଧିକାରୀକ ଆମନ୍ତ୍ରଣ କରିଛନ୍ତି। ଆମେରିକାକୁ ରାଜକୀୟ ଯାତ୍ରା ନିମନ୍ତ୍ରଣ କେବଳ ଖାସ ସହଯୋଗୀ ବା ନିକଟତମ ବନ୍ଧୁଙ୍କୁ ମିଳିଥାଏ।

ଆମେରିକା ଯେବେ କୌଣସି ରାଷ୍ଟ୍ରର ମୁଖ୍ୟଙ୍କୁ ଆମନ୍ତ୍ରଣ କରେ ଏଥି ଲାଗି ୬ ମାସ ପୂର୍ବରୁ ପ୍ରସ୍ତୁତି କରିଥାଏ। ତେବେ ଏପରି କାର୍ଯ୍ୟକ୍ରମର ଖାସ କଥା ହେଉଛି ଆମେରିକୀୟ ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳରେ କୌଣସି ଦେଶର ମୁଖ୍ୟଙ୍କୁ ମାତ୍ର ଥରଟିଏ ରାଜକୀୟ ଯାତ୍ରା ନିମନ୍ତେ ଆମନ୍ତ୍ରଣ କରିପାରନ୍ତି। ଏପରି ଯାତ୍ରାରେ ଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଏ। ଏଥିରେ ପୁରା ଯାତ୍ରାର ସମସ୍ତ ଖର୍ଚ୍ଚ ନିମନ୍ତ୍ରଣକାରୀ ଦେଶ ବହନ କରିଥାଏ।

ଗସ୍ତ କାର୍ଯ୍ୟକ୍ରମରେ ପ୍ରଧାମନ୍ତ୍ରୀ ମୋଦି ୨୧ ଜୁନ ଅପରାହ୍ନରେ ଆମେରିକା ପହଞ୍ଚିବେ। ସେଠାରେ ବିମାନ ବନ୍ଦରରେ ମୋଦିଙ୍କ ଭବ୍ୟ ସ୍ୱାଗତ ହେବ। ସେ ଜୁନ ୨୨ ତାରିଖ ଦିନ ହ୍ୱାଇଟ୍ ହାଉସ୍ ଯିବେ। ସେଠାରେ ତାଙ୍କୁ ୨୧ ତୋପ ସଲାମୀ ଦିଆଯିବ। ଏହା ଛଡା ଅନେକ ସ୍ୱାଗତ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଔପଚାରିକ ଆଲୋଚନା ମଧ୍ୟ ହେବ। ଅପରାହ୍ନରେ ହ୍ୱାଇଟ୍ ହାଉସ୍‌ ରେ ରାଜକୀୟ ଭୋଜ ଆୟୋଜନ ହେବ। ଏହି ଅବସରରେ ଦୁଇ ଦେଶ ନେତାଙ୍କ ମଧ୍ୟରେ ରାଜକୀୟ ଉପହାରର ଆଦାନ ପ୍ରଦାନ ମଧ୍ୟ ହେବ।  

ତେବେ ଆମେରିକା ଆମନ୍ତ୍ରଣରେ ଭାରତୀୟ ନେତାଙ୍କ ରାଜକୀୟ ଯାତ୍ରାର ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଭାରତକୁ ଆଉ ୨ ଥର ରାଜକୀୟ ଯାତ୍ରା ନିମନ୍ତ୍ରଣ ମିଳିଥିଲା। ଏଥିରେ ୨୦୦୯ ମସିହାରେ ତତ୍କାଳୀ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂହ ଆମେରିକା ନିମନ୍ତ୍ରଣରେ ରାଜକୀୟ ଗସ୍ତ କରିଥିବା ବେଳେ ଏହା ପୂର୍ବରୁ ୧୯୬୩ ମସିହାରେ ତତ୍କାଳୀନ ଭାରତୀୟ ରାଷ୍ଟ୍ରପତି ସାର୍ବପଲ୍ଲୀ ରାଧାକୃଷ୍ଣ ଆମେରିକାକୁ ପ୍ରଥମ ରାଜକୀୟ ଯାତ୍ରାରେ ଯାଇଥିଲେ। ସେତେବେଳେ ଆମେରିକା ରାଷ୍ଟ୍ରପତି ଜନ ଏଫ. କେନେଡି ଭାରତୀୟ ରାଷ୍ଟ୍ରପତିଙ୍କୁ ରାଜକୀୟ ଯାତ୍ରାରେ ଆମନ୍ତ୍ରଣ କରିଥିଲେ।    

ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା । ଷ୍ଟିମ୍‌ ପାଇପ୍‌ ଫାଟି ୧୯ ଜଣ ଗୁରୁତର


ଢେଙ୍କାନାଳ, ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ମରାମତି ବେଳେ ଅଘଟଣ ଘଟିଛି। ଷ୍ଟିମ୍‌ ପାଇପ ଭଲ୍‌ଭ ଖୋଲି ଯିବାରୁ ୧୯ କର୍ମଚାରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ କଟକର ଏକ ଘରୋଇ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଟାଟା ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ ଫର୍ନେସ ଫାଟିବା ଘଟଣାକୁ ନେଇ ଆହତଙ୍କ ସଂପର୍କୀୟ ମୁହଁ ଖୋଲିଛନ୍ତି। କମ୍ପାନିର ପରିଚାଳନାଗତ ତ୍ରୁଟି ପାଇଁ ଏହି ଅଭାବନୀୟ ଘଟଣା ଘଟିଛି ବୋଲି ଆହତଙ୍କ ସଂପର୍କୀୟମାନେ କହିଛନ୍ତି।

ଆଜି ଅପରାହ୍ନରେ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ୍‌ର ପାୱାର ପ୍ଲାଣ୍ଟର ଷ୍ଟିମ୍‌ ପାଇପ ମରାମତି ଚାଲିଥିଲା। ଠିକ୍‌ ସେହି ସମୟରେ ଷ୍ଟିମ୍‌ ପାଇପର ଭଲ୍‌ଭ ଖୋଲି ଯାଇଥିଲା। ସେଥିରୁ ନିର୍ଗତ ହୋଇଥିବା ଗରମ ପାଣି ପଡ଼ି ମରାମତି କାମ କରୁଥିବା ଇଞ୍ଜିନିୟ ଓ ଶ୍ରମିକଙ୍କ ସହ କିଛି ଅଫିସରଙ୍କ ଉପରେ ପଡ଼ିଥିଲା। ଯାହାଫଳରେ ୧୯ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କମ୍ପାନୀ ପରିସରରେ ଥିବା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲେ। ସେମାନଙ୍କୁ କଟକର ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ଥିବା ଆଇସିୟୁରେ ରଖାଯାଇଛି। 

ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତି ଗୁରୁତର ହୋଇଥିବା ଯୋଗୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଆଇସିୟୁରେ ଥିବା ଆହତଙ୍କ ୭୫ ପ୍ରତିଶତ ଶରୀର ପୋଡ଼ି ଯାଇଛି। ଯାହା ଫଳରେ ତାଙ୍କର ଜୀବନ ପ୍ରତି ବିପଦ ଥିବା ସୂଚନା ଦେଇଛନ୍ତି ହସ୍ପିଟାଲ ଅଧ୍ୟକ୍ଷ ସୁବ୍ରତ ଜେନା। ଅନ୍ୟ ୧୫ ଜଣ ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଆହତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଆଇସିୟୁରେ ଥିବା ଗୁରୁତରଙ୍କର ଶରୀର ୫୦ ପ୍ରତିଶତ ପୋଡ଼ି ଯାଇଥିବା ଅନ୍ୟ ଆହତମାନଙ୍କର ମୁଁହ, ହାତ, ଛାତି ଓ ପେଟ ପୋଡି ଯାଇଛି। ଏତେ ବଡ଼ ଦୁର୍ଘଟଣା କାହିଁକି ଓ କେମିତି ଘଟିଲା? ତାହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟାଟା ଷ୍ଟିଲ୍‌ କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ଲାଣ୍ଟ ପରିସରକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଅନପଟରେ କଂପାନି ପକ୍ଷରୁ କୁହାଯାଇଛି ଯେ, ଦୁର୍ଘଟଣାକୁ ଆମେ ଗୁରୁତର ସହିତ ନେଇଛୁ। ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି। ଦୁର୍ଘଟଣାର ସାମ୍ନା କରିଥିବା ଶ୍ରମିକମାନଙ୍କର ପରିବାର ଲୋକଙ୍କ ସହିତ ଯୋଗା‌େଯୋଗ କରାଯାଇଛି। ପୀଡିତ ପରିବାରକୁ କଂପାନି ପକ୍ଷରୁ ସମର୍ଥନ ଦିଆଯିବ। ଘଟଣାର ତଦନ୍ତ କରୁଛି। ଆମେ ସୁରକ୍ଷାକୁ ଗୁରୁତ୍ବ ଦେଉଛୁ।ଏହି ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି। ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମାତ୍ର ଅନ୍ୟମାନଙ୍କ ଅବସ୍ଥା ନର୍ମାଲ୍ ଅଛି।

ସୂଚନାରୁ ପ୍ରକାଶ, ପୂର୍ବରୁ ଅର୍ଥାତ ୨୦୧୧ ମସିହାରେ ଏହି ପ୍ଲାଣ୍ଟ ଭୁଷଣ ଷ୍ଟିଲ ପାଖରେ ରହିଥିଲା। ସେହି ସମୟରେ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ବହୁ ଶ୍ରମିକଙ୍କ ଜୀବନ ଯାଇଥିଲା। ଯାହାକୁ ନେଇ ବିବାଦରେ ରହିଥିଲା ଭୁଷଣ। ପରବର୍ତ୍ତୀ ସମୟରେ ଭୁଷଣର ସେହି ପ୍ଲାଣ୍ଟକୁ ଟାଟା କିଣିଥିଲା।  

'ରାଷ୍ଟ୍ରରେ ମୋଦି, ମହାରାଷ୍ଟ୍ରରେ ସିନ୍ଦେ’ ବିଜ୍ଞାପନକୁ ନେଇ ବିଜେପି-ଶିବସେନା ମେଣ୍ଟରେ ଘନେଇଲା ବିବାଦ


ମୁମ୍ବାଇ,ମହାରାଷ୍ଟ୍ରରେ ଏକାଠି ସରକାର ଗଠନ କରିଥିବା ଏକନାଥ ସିନ୍ଦେଙ୍କ ଶିବସେନା ଓ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଶିବସେନା ପକ୍ଷରୁ ଗୋଟିଏ ବିଜ୍ଞାପନ ଦିଆଯାଇଛି। ଏହି ବିଜ୍ଞାପନରେ କୁହାଯାଇଛି ଯେ ରାଷ୍ଟ୍ରରେ ମୋଦି, ମହାରାଷ୍ଟ୍ରରେ ସିନ୍ଦେ। ଏପରି ବିଜ୍ଞାପନ ସମସ୍ତଙ୍କୁ ଚକିତ କରିଛି। କାରଣ ପୂର୍ବରୁ ବିଜେପି ସବୁବେଳେ କହୁଥିଲା ଯେ “ଦିଲ୍ଲୀରେ ନରେନ୍ଦ୍ର ଓ ରାଜ୍ୟରେ ଦେବେନ୍ଦ୍ର।” ତେଣୁ ଏବେ ଶିବସେନା ଦେଇଥିବା ବିଜ୍ଞାପନରେ ଦେବେନ୍ଦ୍ର ଫଡନାଭିସଙ୍କୁ ଅଣଦେଖା କରାଯାଇଛି। ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନା ଏବଂ ବିଜେପି ମଧ୍ୟରେ ମତଭେଦ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏହାର କାରଣ ଛାପା ଗଣମାଧ୍ୟମରେ ଏକ ବିଜ୍ଞାପନ ପ୍ରକାଶ ପାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଏକ ସଙ୍ଗେ ଛପା ଯାଇଛି। ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସଙ୍କୁ ଏଥିରେ ଅଣଦେଖା କରାଯାଇଛି।

ବିଜେପି ନେତାଙ୍କ କହିବା କଥା ଏହି ବିଜ୍ଞାପନ ରାଜ୍ୟରେ ଆମ ନେତା ଫଡଣବିସଙ୍କ ଛବିକୁ ମଳିନ କରିଛି। ଏଥିସହ ମୋଦୀ ସରକାରଙ୍କ ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠିଛି। ବିଜ୍ଞାପନରେ ସିନ୍ଦେଙ୍କ ତୁଳନା ପିଏମ ମୋଦୀଙ୍କ ସହ କରାଯାଇଛି। ବିଜ୍ଞାପନରେ ଆହୁରି କୁହାଯାଇଛି ଯେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ତୁଳନାରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଲୋକପ୍ରିୟତା ଅଧିକ ରହିଛି। ନିକଟରେ ଗୋଟିଏ ଘରୋଇ ଟିଭି ଚ୍ୟାନେଲ ଓ ଏଜେନ୍ସି ପକ୍ଷରୁ କରାଯାଇଥିବା ସର୍ଭେକୁ ଆଧାର କରି ଶିବସେନା ବିଜ୍ଞାପନରେ ଏହାକୁ ସ୍ଥାନ ଦେଇଛି।ସର୍ଭେ ଅନୁସାରେ, ମହାରାଷ୍ଟ୍ରର ୨୬.୧% ଲୋକ ସିନ୍ଦେଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ଫଡନାଭିସଙ୍କ ସପକ୍ଷରେ ୨୩.୨% ଲୋକ ମତ ରଖିଥିଲେ।

ଶିବସେନା ବିଜ୍ଞାପନରେ କୁହାଯାଇଛି ଯେ ବିଜେପିର ଲୋକପ୍ରିୟତା ୩୦.୨% ରହିଥିବା ବେଳେ ଶିବସେନାର ଲୋକପ୍ରିୟତା ୧୬.୨% ରହିଛି। ଦୁଇ ଦଳ ମିଳିତ ଭାବେ ୪୬%ରୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ସିନ୍ଦେ ଲାଗୁ କରିଥିବା ଜନକଲ୍ୟାଣ ଯୋଜନା ଗୁଡ଼ିକ ପାଇଁ ଲୋକପ୍ରିୟତା ବଢ଼ିଥିବା ବିଜ୍ଞାପନରେ ଦାବି କରାଯାଇଛି। ତେବେ ଫଡନାଭିସଙ୍କୁ ବାଇପାସ୍‌ କରି ସିନ୍ଦେଙ୍କୁ ବିଜ୍ଞାପନରେ ପ୍ରଶଂସା କରିବା ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଦୁଇ ଦଳ ଭିତରେ ଏହାକୁ ନେଇ ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଉଦ୍ଧବ ଠାକରେଙ୍କ ଶିବସେନାର ସାଂସଦ ସଞ୍ଜୟ ରାଉତ ଏପରି ବିଜ୍ଞାପନରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାରୁ ଏହାକୁ ସମାଲୋଚନା କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ “ଏପରି ବିଜ୍ଞାପନ କୋଟିକୋଟି ଟଙ୍କା ଖର୍ଚ୍ଚ କରି ତିଆରି କରାଯାଇଛି। ଏକନାଥ ସିନ୍ଦେ ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କୁ ଭୁଲି ଯାଇଛନ୍ତି। ଆମେ ସେମାନଙ୍କ ଷଡ଼ଯନ୍ତ୍ରକୁ ଭେଦ କରିପାରିଛୁ। ବିଜ୍ଞାପନରୁ ବାଲାସାହେବ ଠାକରେଙ୍କ ଫଟୋ ହଟାଇ ଦିଆଯାଇଛି। ମୋଦି-ଶାହଙ୍କୁ ଏତେ ଭୟ? ବାକି ସବୁ କିଛି ସର୍ଭେ। ଫଡନାଭିସ ହେଉଛନ୍ତି ଆପଣଙ୍କ ପସନ୍ଦର ବିଷୟ।

ଏନସିପି ପକ୍ଷରୁ ମଧ୍ୟ ବିଜେପିକୁ ତାଚ୍ଛଲ୍ୟ କରାଯାଇଛି। ଯେଉଁମାନେ ଦିନେ ରାଷ୍ଟ୍ରରେ ନରେନ୍ଦ୍ର ଓ ରାଜ୍ୟରେ ଦେବେନ୍ଦ୍ର ବୋଲି ନାରା ଦେଉଥିଲେ ସେମାନେ ଦେବେନ୍ଦ୍ର ଫଡନାଭିସଙ୍କ ବଦଳରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟ ଭାବେ ଗ୍ରହଣ କରି ଆଜି ବହୁତ ଦୁଃଖ କରୁଥିବେ ବୋଲି ଏନସିପିର ମୁଖପାତ୍ର କ୍ଲାୟେଡ କ୍ରାଷ୍ଟୋ କହିଛନ୍ତି। ତେବେ ସିନ୍ଦେ କ୍ୟାମ୍ପର ମୁଖପାତ୍ର ଦୀପକ କେସାରକର କହିଛନ୍ତି ଯେ ମେଣ୍ଟରେ କୌଣସି ଭୁଲ ବୁଝାମଣା ହୋଇନି। ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଫଡନାଭିସ ମିଳିତ ଭାବେ କାମ କରୁଛନ୍ତି। ଏହାକୁ ନେଇ କୌଣସି ପ୍ରକାରର ସମସ୍ୟା ନାହିଁ ବୋଲି ସେ କହିଛନ୍ତି।
a

ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ପରିଚୟପତ୍ର ଜାରି କରିବ ଭାରତୀୟ ରେଳ ବିଭାଗ


ନୂଆଦିଲ୍ଲୀ, ଦିବ୍ୟାଙ୍କମାନଙ୍କ ପାଇଁ ରେଳ ଟିକେଟ୍ ରେ ରିହାତି ପାଇବା ପାଇଁ ସରକାର ଜାରି କରିଥିବା ୟୁନିକ୍ ଡିସେବିଲିଟି ଆଇଡେଣ୍ଟିଟି (ୟୁଡିଆଇଡି) କାର୍ଡ ବ୍ୟବହାର କରିବା ପରିବର୍ତ୍ତେ ପୃଥକ ପରିଚୟ ପତ୍ର ଜାରି କରିବାକୁ ଭାରତୀୟ ରେଳବାଇ ନେଇଥିବା ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ କରି କହିଛନ୍ତି ଯେ ଭିନ୍ନକ୍ଷମ ପ୍ରମାଣପତ୍ର ଆଧାରରେ ରିହାତି ସହ ଟିକେଟ୍ କିଣିବା ପାଇଁ ଦିବ୍ୟାଙ୍ଗମାନଙ୍କୁ ଫଟୋ ପରିଚୟପତ୍ର ପ୍ରଦାନ କରିବାକୁ ରେଳବାଇ ଏକ ନୀତିଗତ ନିଷ୍ପତ୍ତି ନେଇଛି, ଯାହାଦ୍ୱାରା ସେମାନଙ୍କୁ ପ୍ରତିଥର ଟିକେଟ୍ କିଣିବା ସମୟରେ ଭିନ୍ନକ୍ଷମ ସାର୍ଟିଫିକେଟ୍ ଦାଖଲ କରିବାକୁ ପଡ଼ିବ ନାହିଁ ।

ଖଣ୍ଡପୀଠରେ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ ମଧ୍ୟ ସାମିଲ ଥିଲେ। ଖଣ୍ଡପୀଠ କହିଛନ୍ତି ଯେ ରେଳବାଇ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରକ୍ରିୟା ନିରପେକ୍ଷ ଏବଂ ସ୍ୱଚ୍ଛ ଅଟେ । ଖଣ୍ଡପୀଠ କହିଛନ୍ତି ଯେ ଏହି ଅଦାଲତ ରେଳବାଇର ମାର୍ଚ୍ଚ ୧୯, ୨୦୧୫ (ଫଟୋ ପରିଚୟପତ୍ର ପ୍ରଦାନ ପାଇଁ) ସର୍କୁଲାରରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଏବଂ ତେଣୁ ବର୍ତ୍ତମାନର ଜନସ୍ୱାର୍ଥ ମାମଲାରେ ଆଉ କୌଣସି ଆଦେଶର ଆବଶ୍ୟକତା ନାହିଁ । ୨୦୧୯ମସିହାରେ ସ୍ୱେଚ୍ଛାସେବୀ ସଂଗଠନ ନ୍ୟାସନାଲ ପ୍ଲାଟଫର୍ମ ଫର ଦି ରାଇଟ୍ସ ଅଫ୍ ଦି ଡିସଏବଲ୍ସ ପକ୍ଷରୁ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଥିଲା ଯେ ରେଳ ମନ୍ତ୍ରଣାଳୟର ସର୍କୁଲାର ସରକାରଙ୍କ ଦିବ୍ୟାଙ୍ଗଜନ ଅଧିକାର ଆଇନ (ଆରପିଡବ୍ଲ୍ୟୁ) ୨୦୧୫ର ବିରୋଧ କରୁଛି ।

କଣ୍ଟାବାଞ୍ଜିରେ ଆୟୁବ ଖାଁ Multi Specialty ହସ୍‌ପିଟାଲ୍  ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି video conferencing ଜରିଆରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଆୟୁବ ଖାଁ Multi Specialty ହସ୍ପିଟାଲ୍ ଉଦ୍ଘାଟନ କରିଛନ୍ତି । ଏହା ଦ୍ୱାରା ବଲାଙ୍ଗୀର ଜିଲ୍ଲା ବିଶେଷ କରି କଣ୍ଟାବାଞ୍ଜି ଓ ଟିଟିଲାଗଡ ଅଞ୍ଚଳର ଲୋକମାନେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇ ପାରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଶିଷ୍ଟ ଜନନେତା ତଥା ସମାଜସେବୀ ଆୟୁବ ଖାଁ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାରର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏଥି ଆଦର୍ଶରେ ଆମେ କାମ କରୁଛୁ ଏବଂ ସମାଜର ସବୁଠାରୁ ଗରିବ ଲୋକକୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ କାମ କରୁଛୁ । 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବ କ୍ଷେତ୍ରରେ ରୂପାନ୍ତର ଆସିଛି । ନୂଆ ନୂଆ ମେଡିକାଲ କଲେଜ ସ୍ଥାପନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ନିରାମୟ ଆଦି ଯୋଜନାର କାର୍ଯ୍ୟକାରିତା ଯୋଗୁ ଗରୀବ ଲୋକମାନେ ବିନା ମୂଲ୍ୟରେ ଉତ୍ତମ ଚିକତ୍ସା ଓ ଔଷଧ ପାଇ ପାରୁଛନ୍ତି । ବଲାଙ୍ଗୀରରେ ସନ୍ଥ ଭୀମଭୋଇ ମେଡିକାଲ କଲେଜ ସହିତ ରାଜ୍ୟରେ ୮ଟି ନୂଆ ମେଡିକାଲ କଲେଜ ସ୍ଥାପନ ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତ ହୋଇଛି ବୋଲି ସେ କହିଥିଲେ । ପ୍ରତି ବର୍ଷ ଏବେ ରାଜ୍ୟରୁ ୨୦୦୦ରୁ ଆଧିକ ଡକ୍ଟର ବାହାରୁଛନ୍ତି ବୋଲି ପ୍ରକାଶ କରିବା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଡାକ୍ଟର ପଦବୀ ପୂରଣ କରାଯିବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ  ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ,  ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ସାଂସଦ ଶ୍ରୀ ବସନ୍ତ ପଣ୍ଡା, ସାଂସଦ ଶ୍ରୀ ନିରଞ୍ଜନ ବିଶି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇସ୍ରୋର ୫୦୦ କୋଟି ହଡପ ଅଭିଯୋଗ । ଦେବାସ ମଲ୍ଟିମିଡିଆ ସିଇଓ ଙ୍କୁ ପଳାତକ ଘୋଷଣା କଲେ କୋର୍ଟ


ନୂଆଦିଲ୍ଲୀ, ଦେବାସ ମଲ୍ଟିମିଡିଆର ସିଇଓ ରାମଚନ୍ଦ୍ରନ ବିଶ୍ବନାଥନଙ୍କୁ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ତାଙ୍କ ନାମରେ ମନି ଲଣ୍ଡିରିଂ ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଇସ୍ରୋର ବାଣିଜ୍ୟିକ ଶାଖା ସଂସ୍ଥା ଆଣ୍ଟ୍ରିକ୍ସ କର୍ପୋ‌ରେସନଠାରୁ ମିଳିଥିବା ୫୭୯ କୋଟି ଟଙ୍କା ପାଣ୍ଠିର ୮୫ ପ୍ରତିଶତ ରାଶିକୁ ବିଶ୍ବନାଥନ ଓ ଅନ୍ୟ ୮ ଜଣ ବ୍ୟକ୍ତି ଆମେରିକା ପଠାଇଦେଇଥିଲେ। ଦୁର୍ଗମ ଅଞ୍ଚଳରେ ମଲ୍‌ଟିମିଡିଆ ସେବା ପ୍ରଦାନ ଲାଗି ଇସ୍ରୋର ଦୁଇଟି ଉପଗ୍ରହକୁ ବ୍ୟବହାର କରିବା ନିମନ୍ତେ ଦେବାସ ସହ ବୁଝାମଣା ହୋଇଥିଲା। 

ସେଥିପାଇଁ ଯେଉଁ ପାଣ୍ଠି ଦିଆଯାଇଥିଲା ତାହାକୁ ୨୦୧୮ରେ ଆମେରିକା ପଠାଇବା ପରେ ୨୦୨୧ରେ କଂପାନିକୁ ବନ୍ଦ କରିଦିଆଯାଇଥିଲା। ଏହି ମାମଲାର ତଦନ୍ତ ସିବିଆଇ ଆରମ୍ଭ କରିଥିଲା। ଏହା ପରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ବିଶ୍ବନାଥନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ବାରମ୍ବାର ସମନ କରିବା ପରେ ସେ କୋର୍ଟରେ ହାଜର ହେବାରେ ବିଫଳ ହୋଇଥିବାରୁ ତାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରାଯାଇଛି।

ଗଠନ ହେଲା କଲ୍ୟାଣ ବୋର୍ଡ । ଡ୍ରାଇଭର ଓ କର୍ମଚାରୀଙ୍କୁ ମିଳିବ ୪ଲକ୍ଷ ଟଙ୍କାର ସହାୟତା


ଭୁବନେଶ୍ୱର,ଗତ ମାର୍ଚ୍ଚ ମାସରେ ଡ୍ରାଇଭରମାନେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆଉ ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ଅତ୍ୟାବଶ୍ୟକ ସମାଗ୍ରୀ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ପନିପରିବା, ଫଳ ସହ ପେଟ୍ରୋଲ/ଡିଜେଲ ଯୋଗାଣ ଶୃଙ୍ଖଳା ବିଶେଷ ପ୍ରଭାବିତ ହୋଇଥିଲା । ଡ୍ରାଇଭର ଏକତା ମହାମଞ୍ଚ ୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା।ଡ୍ରାଇଭରମାନଙ୍କ ବାରମ୍ବାର ଆନ୍ଦୋଳନ ପରେ ଶେଷରେ ରାଜ୍ୟ ସରକାର ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ କରିଛନ୍ତି । ମୋଟର ପରିବହନ ଡ୍ରାଇଭର ଓ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ‘କଲ୍ୟାଣ ବୋର୍ଡ ଗଠନ’ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ଏହି କଲ୍ୟାଣ ବୋର୍ଡକୁ କାର୍ଯ୍ୟକ୍ଷମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

ପ୍ରାରମ୍ଭିକ ଭାବେ ପରିବହନ କର୍ମଚାରୀ ଯଥା ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସୁବିଧା ଘୋଷଣା କରାଯାଇଛି । ଡ୍ରାଇଭର କିମ୍ବା କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କର ନିକଟ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା, ସ୍ଥାୟୀ ଅକ୍ଷମ ହେଲେ ୧.୫୦ଲକ୍ଷ ଟଙ୍କା ଓ ଅତି ଗଭୀର ଆଘାତ ହେଲେ ୮୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ସେହିପରି ସାଧାରଣ ଭାବେ ମୃତ୍ୟୁ ହେଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ।ଡ୍ରାଇଭରମାନଙ୍କ ବାରମ୍ବାର ଆନ୍ଦୋଳନ ପରେ ଶେଷରେ ରାଜ୍ୟ ସରକାର ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ କରିଛନ୍ତି । ମୋଟର ପରିବହନ ଡ୍ରାଇଭର ଓ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ‘କଲ୍ୟାଣ ବୋର୍ଡ ଗଠନ’ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ଏହି କଲ୍ୟାଣ ବୋର୍ଡକୁ କାର୍ଯ୍ୟକ୍ଷମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ପ୍ରାରମ୍ଭିକ ଭାବେ ପରିବହନ କର୍ମଚାରୀ ଯଥା ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସୁବିଧା ଘୋଷଣା କରାଯାଇଛି । ଡ୍ରାଇଭର କିମ୍ବା କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କର ନିକଟ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା, ସ୍ଥାୟୀ ଅକ୍ଷମ ହେଲେ ୧.୫୦ଲକ୍ଷ ଟଙ୍କା ଓ ଅତି ଗଭୀର ଆଘାତ ହେଲେ ୮୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ସେହିପରି ସାଧାରଣ ଭାବେ ମୃତ୍ୟୁ ହେଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ।

ଡ୍ରାଇଭରମାନଙ୍କ ବାରମ୍ବାର ଆନ୍ଦୋଳନ ପରେ ଶେଷରେ ରାଜ୍ୟ ସରକାର ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ କରିଛନ୍ତି । ମୋଟର ପରିବହନ ଡ୍ରାଇଭର ଓ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ‘କଲ୍ୟାଣ ବୋର୍ଡ ଗଠନ’ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ଏହି କଲ୍ୟାଣ ବୋର୍ଡକୁ କାର୍ଯ୍ୟକ୍ଷମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ମୋଟର ଯାନ ଡ୍ରାଇଭର ବା କର୍ମଚାରୀଙ୍କ ନିକଟତମ ଆତ୍ମୀୟ ୪ଲକ୍ଷ ଟଙ୍କା ପାଇବାକୁ ଥିବାବେଳେ ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କା ପାଇବେ | ଏଥିସହ ସ୍ଥାୟୀ ଅକ୍ଷମତା ମାମଲାରେ ଡ୍ରାଇଭର ଓ କର୍ମଚାରୀଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ୧୮ ବର୍ଷ ରୁ ୬୦ ବର୍ଷର ଲୋକ ଯୋଜନାର ଲାଭ ପାଇପାରିବେ |

କହୁଥିଲେ ପାଓ୍ଵାର କଟ୍ ହେଉନି। ଖୋଦ୍ ଶକ୍ତିମନ୍ତ୍ରୀଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମରେ ବିଜୁଳି କାଟ୍‌


ଭୁବନେଶ୍ଵର, ସାରା ରାଜ୍ୟରେ ଅସହ୍ୟ ତାତି । ପାଓ୍ବାର କଟ୍‌କୁ ନେଇ ଅସନ୍ତୋଷ ଜୋର୍ ଧରିଥିବା ବେଳେ ଆଜି ବାଲେଶ୍ବର ବାହାନଗାରେ ଏକ କାର୍ଯ୍ୟକ୍ରମରେ ଖୋଦ୍ ଶକ୍ତିମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁଳି କାଟ୍ କୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ସେପଟେ ବିଦ୍ୟୁତ୍ କାଟ୍ ଯୋଗୁଁ  ଯାଜପୁରରେ ଅସନ୍ତୁଷ୍ଟ ଲୋକେ ବିଦ୍ୟୁତ୍ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିବା, ବ୍ରହ୍ମପୁରରେ ରାତି ଅନିଦ୍ରା ହୋଇ ଲୋକେ ବିଦ୍ୟୁତ୍ ଅଫିସ ଆଗରେ ନିଆଁ ଜାଳି ଅନସନ କରିବା ଭଳି ଖବର ସାମ୍ନାକୁ ଆସିଛି । ସେହିଭଳି ବିଦ୍ୟୁତ୍ ବିଭ୍ରାଟକୁ ନେଇ ଆଜି ଭୁବନେଶ୍ବରରେ ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ।

ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ବାହାନଗାବାସୀ ୩ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆଜି ଯୋଗ ଦେଇଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ଆଉ ସଭା କାର୍ଯ୍ୟକ୍ରମ ଆରମ୍ଭରୁ ଲାଇନ୍ କଟିଯାଇଥିଲା । ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ଥିଲେ ମନ୍ତ୍ରୀ । ଜେନେରେଟର ଦ୍ବାରା ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମନ୍ତ୍ରୀ ମଞ୍ଚରେ ଥିବା ପର୍ଯ୍ୟନ୍ତ ଲାଇନ୍ ଆସିନଥିଲା । ମନ୍ତ୍ରୀ ମଞ୍ଚରୁ ଓହ୍ଲାଇ ଆସିବା ପରେ ପ୍ରାୟ ଅଧଘଣ୍ଟା ପରେ ଲାଇନ୍ ଆସଥିଲା । ଖୋଦ୍ ଶକ୍ତିମନ୍ତ୍ରୀଙ୍କ ଉପସ୍ଥିତିରେ ସଭାରେ ଲାଇନ୍ କଟିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିଲା ।

କେବଳ ଏଇ ଗୋଟିଏ ଘଟଣା ନୁହେଁ, ସାରା ରାଜ୍ୟରେ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି । ଯାଜପୁର ଦଶରଥପୁର ବ୍ଲକ ଅସନପୁର ପଞ୍ଚାୟତରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ କଲବଲ ହେଉଥିବା ଲୋକେ ନନ୍ଦିପୁର-ଯାଜପୁର ରାସ୍ତାକୁ ଅବରୋଧ କରିବା ସହ ଦୀର୍ଘ ସମୟ ଧରି ୪ଜଣ ବିଦ୍ୟୁତ୍ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଟାଟା ପାଓ୍ବାରର ମନମାନୀ ବିରୋଧରେ ତାତିଥିଲେ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ  ଅଟକ ବିଦ୍ୟୁତ୍ କର୍ମଚାରୀଙ୍କୁ ଛାଡ଼ିଥିଲେ ଲୋକେ । ସେପଟେ ଏସଡିଓଙ୍କ କହିବା କତା ୩୩କେଭି ଲାଇନ୍ ମରାମତି ହେଉଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଖୁବ୍ ଶୀର୍ଘ ଏହାର ସମାଧାନ କରାଯିବ ।

ଗୋଟେ ପଟେ  ବିଜୁଳି ବିଭ୍ରାଟକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ଅନ୍ୟପଟେ ରାଜନୈତିକ ବୟାନବାଜି ବି ତେଜ୍ ହୋଇଛି। ଆଜି ଲଣ୍ଠନ ଓ ବିଞ୍ଚଣା କରି ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଛାତ୍ର କଂଗ୍ରେସ । ସେହିଭଳି ବିଜେପି ପକ୍ଷରୁ ରାଜଧାନୀରେ ଲଣ୍ଠନ ଜାଳି ପ୍ରତିବାଦ କରାଯାଇଛି । ଯାହାକୁ ନେଇ ପ୍ରତିକ୍ରିୟା ଦେଇ ବିଜେଡି କହିଛି ବିରୋଧୀ ଏହାକୁ ନେଇ ଅଯଥା ରାଜନୀତି କରୁଛନ୍ତି । ବିଜୁଳି ସମସ୍ୟାର ସମାଧାନ ପାଇଁ ଟାଟା ପାଓ୍ବାର ନିର୍ଦ୍ଦେଶ ଦିଆଯାଇଛି । ଅଘୋଷିତ ବିଦ୍ୟୁତ୍ କାଟ୍ ହେଉ କି ପାଓ୍ବାର ଟ୍ରିପ୍ । ଅସହ୍ୟ ଗରମ ଗୁଳୁଗୁଳି ଭିତରେ ସନ୍ତୁଳି  ହେଉଥିବା ସାଧାରଣ ଲୋକଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ଯାହାର ସମାଧାନ ଜରୁରୀ ହୋଇପଡ଼ିଛି ।

ହୃଦୟବିଦାରକ ଘଟଣା । ଶୌଚାଳୟରେ ନବଜାତ ଶିଶୁକୁ ଛାଡ଼ି ଯାଇଥିଲେ ବାପା-ମାଆ


ବ୍ରହ୍ମପୁର, ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜନ୍ମକଲା ପିଲାକୁ ପାଇଖାନା ପାଖରେ ଛାଡ଼ି ପଳାଇ ଗଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆଁ ବସଷ୍ଟାଣ୍ଡ ରୋଡ ଠାରେ ଥିବା ସ୍ମାର୍ଟ ହସ୍ପିଟାଲ୍‌ରେ। ପୁଲିସ୍‌ ସହାୟତାରେ ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତାମାନେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରି ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ର ଏନ୍‌ଏନ୍‌ସିୟୁରେ ଭର୍ତ୍ତି କରିଛି। ଏବେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଡାକ୍ତର କହିଛନ୍ତି।

ବେଲଗୁଣ୍ଠା ବ୍ଲକ୍‌ ଖଇରପୁଟ ଗାଁର ଶିଶିର ସ୍ୱାଇଁ। ତାଙ୍କ ପତ୍ନୀ ସବିତା ସ୍ୱାଇଁ ୮ ମାସର ଗର୍ଭବତୀ ଥିଲେ। ଗତ ୭ ତାରିଖରେ ସବିତା ଗର୍ଭ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ ଶିଶିର। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଅଲ୍‌ଟ୍ରାସାଉଣ୍ଡ କରିଥିଲେ। ତା’ପରେ ସିଜେରିଆନ୍‌ ଅପରେଶନ୍‌ କରି ପିଲା ଜନ୍ମ କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ପିଲାର ମୁଣ୍ଡରେ ପାଣି ଜମିଥିବା ଓ ମେରୁଦଣ୍ଡରେ ସମସ୍ୟା ଥିବାରୁ ବଞ୍ଚାଇବା କଷ୍ଟକର ହେବ ବୋଲି ଡାକ୍ତର କହିଥିବା ଶିଶିର ସ୍ୱୀକାର କରିଛନ୍ତି।

ଡାକ୍ତରଙ୍କଠାରୁ ଏପରି ନିରୁତ୍ସାହିତ କଥା ଶୁଣି ଶିଶିର ଓ ସବିତାଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ପାଖରେ ଏତେ ସମ୍ୱଳ ନଥିବାରୁ ପିଲାକୁ ଛାଡ଼ି ପଳାଇବାକୁ ନିଷ୍ପତ୍ତି ନେଇଥିଲେ। ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ ପରେ ସ୍ୱାମୀ-ସ୍ତ୍ରୀ ନବଜାତ ଶିଶୁପୁତ୍ରକୁ ସେହି ମେଡ଼ିକାଲ୍‌ର ପାଇଖାନା ପାଖରେ ଛାଡ଼ି ପଳାଇ ଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଚାଇଲ୍‌ଡ ଲାଇନ୍‌ ସଦସ୍ୟମାନେ ମେଡ଼ିକାଲ୍‌ ଯାଇ ପିଲା ବିଷୟରେ ପଚାରିଥିଲେ। ମାତ୍ର ମେଡ଼ିକାଲ୍‌ କର୍ତ୍ତୃପକ୍ଷ ପିଲା ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ।

ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଧରାଛୁଆଁ ନଦେବାରୁ ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ସୂଚନା ଦିଆଯାଇଥିଲା। ଏହା ପରେ ପୁଲିସ୍‌ ଓ ଚାଇଲ୍‌ଡ୍‌ ଲାଇନ୍‌ କର୍ମକର୍ତ୍ତା ନବଜାତ ଶିଶୁ ପୁତ୍ରକୁ ଲାଟ୍ରିନ୍‌ ପାଖରୁ ଉଦ୍ଧାର କରିଥିଲେ। ପିଲାକୁ ବ୍ରହ୍ମପୁର ଏମ୍‌କେସିଜି ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପୁଲିସ ମାମଲା ରୁଜୁ କରି ମେଡ଼ିକାଲ୍‌ରୁ ନବଜାତ ଶିଶୁପୁତ୍ରର ପରିଚୟ ଖୋଜିଥିଲା। କାଗଜପତ୍ର ଯାଞ୍ଚ ବେଳେ ପିଲା ବାପା ମାଆ ହେଉଛନ୍ତି ଶିଶିର ଓ ସବିତା। ଉଭୟଙ୍କୁ ପୁଲିସ୍‌ ଜେରା କରିଥିବା ଜଣାପଡ଼ିଛି। ଶିଶିର, ସବିତା ଓ ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ କହିଛି।

ଦୁଇ ଦିନ ଧରି ମେଡିକାଲରେ ଥିବା ଶିଶୁଟି କୌଣସି ଖାଦ୍ୟ ନ ଖାଇ ରହିଥିବା ବେଳେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ରହିଛି  । ସେପଟେ ଏନେଇ ପୋଲିସ ତଦନ୍ତ କରିବା ସହ ଘଟଣାରେ ହସ୍ତକ୍ଷେପ କରି  ଶିଶୁଟିର ବାପା ଓ ମାଙ୍କୁ ଖବର ଦେବା ପରେ ଉଭୟ ବୈଦ୍ୟନାଥପୁର ଥାନାରେ ପହଞ୍ଚିଥିଲେ ଓ ନିଜର କରିଥିବା ଭୁଲ ସ୍ୱୀକାର କରିବା ସହ ଶିଶୁଟିକୁ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି  ।

ଚଣ୍ଡିଖୋଲ ଜଗନ୍ନାଥ ମନ୍ଦିରରୁ ଚୋରି । ଗେଟ୍‌ କାଟି ନେଇଗଲେ ମୂଲ୍ୟବାନ ସାମଗ୍ରୀ


ଚଣ୍ଡିଖୋଲ, ଜଗନ୍ନାଥ ମନ୍ଦିରରୁ ଚୋରି । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଧାନମଣ୍ଡଳ ସ୍ଥିତ ସଞ୍ଜୟ ନଗର ନିକଟସ୍ଥ ଧନଘର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଚୋରି ଘଟଣା ସଂପର୍କରେ ବଡଚଣା ଥାନାରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିବା ପୋଲିସ ତଦନ୍ତ ଜାରି ରଖିଛି । ତେବେ ଗତ କିଛି ଦିନ ହେଲା ବଡଚଣା ଥାନା ଅଞ୍ଚଳର ଅନେକ ମନ୍ଦିରରୁ ଲଗାତର ଭାବେ ଚୋରି ହେଉଛି । ହେଲେ ପୋଲିସ ଚୋରି ରାକେଟକୁ ଧରିବାରେ ବିଫଳ ହେଉଛି ।ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଗେଟ୍‌ କାଟି ଠାକୁରଙ୍କର ମୁକୁଟ, ଚିତା, ଗହଣା , ପିତଳ ବାସନ, ହୁଣ୍ଡି ବାକ୍ସ ଭାଙ୍ଗି ଲୁଟି ନେଇଛନ୍ତି । ଏପିରିକି ମନ୍ଦିର ପରିସରରେ ଥିବା ଜୀବନ୍ତ ରାଜ ହଂସକୁ ମଧ୍ୟ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।

ଯଦି ବିଜେପି ୨୦୨୪ରେ ଜିତିବ ତା’ହେଲେ ମୋଦି ହୋଇଯିବେ ନରେନ୍ଦ୍ର ପୁଟିନ : ଭଗୱନ୍ତ ମାନ


ନୂଆଦିଲ୍ଲୀ, ଯଦି ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଜିତିବ, ତା’ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନରେନ୍ଦ୍ର ପୁଟିନ’ ହୋଇଯିବେ। ଆଜି ଦିଲ୍ଲୀରେ ଆୟୋଜିତ ଆପ୍‌ର ମହାରାଲିରେ ଯୋଗ ଦେଇ ଏହି କଥା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ।  ଯଦି ୨୦୨୪ରେ ବିଜେପି ଜିତିବ, ତା’ହେଲେ ତା’ପରେ ଆଉ ନିର୍ବାଚନ ହେବ ନାହିଁ। ବିଜେପି ନେତାମାନେ ମୋଦିଙ୍କୁ ଭାରତର ‘ମାଲିକ’ ବୋଲି ଭାବିବା ଆରମ୍ଭ କଲେଣି। ଯଦି ୧୪୦ କୋଟି ଭାରତୀୟ ଭାରତକୁ ରକ୍ଷା କରିବାକୁ ନିଷ୍ପତ୍ତି ନେବେ, ତା’ହେଲେ ଦେଶ ସୁରକ୍ଷିତ ରହିବ।ଦିଲ୍ଲୀରେ ଅଫିସରଙ୍କ ପୋଷ୍ଟିଂ ଓ ବଦଳି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଅଧ୍ୟାଦେଶ ବିରୋଧରେ ଆଜି ଆପ୍ ପକ୍ଷରୁ ଦିଲ୍ଲୀର ରାମଲୀଲା ମୈଦାନରେ ମହାରାଲିର ଆୟୋଜନ କରାଯାଇଥିଲା। ଏଥିରେ ଆପ୍‌ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସାଂସଦ ସଞ୍ଜୟ ସିଂହ ଓ ଦଳର ଅନ୍ୟ ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ।

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ । ଛତିଶଗଡ଼ର ବିଳାସପୁରରେ ଟଳିଲା ବଡ଼ ଅଘଟଣ


ବିଳାସପୁର, ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍। ଛତିଶଗଡ଼ର ବିଳାସପୁରରେ ଟଳିଲା ବଡ଼ ଅଘଟଣ । ମାଲଗାଡ଼ି ଓ ମେମୁ ଟ୍ରେନ୍ ଗୋଟିଏ ଟ୍ରାକ୍‌ରେ ଆସୁଥିଲେ। ତେବେ ଦୁହେଁ ପରସ୍ପର ସହ ଧକ୍କା  ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଜୟରାମ ନଗର ଓ କୋଟମିସୋନାର ମଧ୍ୟରେ ଘଟଣା ଘଟିଛି। ତେବେ ଏହା ଏକ ସାଧାରଣ ସିଗନାଲ ପ୍ରକ୍ରିୟା ବୋଲି କହିବା ସହ ଭିଡିଓକୁ ଅଯଥାରେ ଭାଇରାଲ କରାଯାଉଥିବା ରେଳ ବିଭାଗ ସଫେଇ ଦେଇଛି। ରେଲୱେ ପକ୍ଷରୁ କୁହାଯାଇଛି, ରେଲୱେ ପକ୍ଷରୁ କିଛି ବଡ଼ ତୃଟି ହୋଇନି। 

ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମାଲବାହି ଟ୍ରେନ୍‌ଟି ଅପରାହ୍ନ ସାଢ଼େ ୫ଟାରୁ ୬ଟା ମଧ୍ୟରେ ହୋମ୍‌ ସିଗ୍‌ନାଲ ଥିବା ଟ୍ରାକ୍‌ରେ ଠିଆ ହୋଇବା ବେଳେ ଏହି ସମୟରେ ଅନ୍ୟପଟୁ ଅଟୋ ସିଗ୍‌ନାଲ ପାଇ ପାସେଞ୍ଜର ଟ୍ରେନ୍‌ଟି ଆସି ଅଟକିଥିଲା। ମାତ୍ର ଏହା ଜାଣି ନ ଥିବା ଲୋକେ ଏହା ଦେଖିବା ପରେ ଏହାର ଭିଡ଼ିଓ କରି ଛାଡ଼ିଛନ୍ତି। ଗତ ୬ମାସ ଭିତରେ ଗଣମାଧ୍ୟମକୁ ବିଭ୍ରାନ୍ତି କରିବା ନିମନ୍ତେ ଏହା ତୃତୀୟ ଭିଡିଓ କରି ଦିଆଯାଇଛି ବୋଲି ରେଳ ବିଭାଗ କହିଛି।

ମେଦିନାପୁର-ହାୱଡ଼ା ଲୋକାଲ ଟ୍ରେନ୍‌ ହାୱଡ଼ା ଯାଉଥିବା ବେଳେ ରାତିରେ ଲାଇନ୍‌ ଚ୍ୟୁତ ହୋଇଥିଲା। ତେବେ ଏହି ଟ୍ରେନର ଯେଉଁ ବଗି ଲାଇନ ଚ୍ୟୁତ ହୋଇଥିଲା ସୌଭାଗ୍ୟବଶତଃ ସେଥିରେ କୌଣସି ଯାତ୍ରୀ ବସି ନଥିଲେ। ତାର ପାଖ ବଗିରୁ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।  ତେବେ ଦୁର୍ଘଟଣା ଯୋଗୁ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଉକ୍ତ ଲାଇନରେ ଟ୍ରେନର ଯାତାୟତ ବନ୍ଦ ହୋଇଯାଇଥିଲା ବୋଲି ଦକ୍ଷିଣପୂର୍ବ ରେଳପଥର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।ରେଲୱେ କର୍ତ୍ତୃପକ୍ଷ ଓ ବିଭାଗୀୟ ଉଦ୍ଧାରକାରୀ ଦଳ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ‌ଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଲାଇନ୍‌ଚ୍ୟୁତ ବଗିକୁ ପୁଣି ଲାଇନ୍‌କୁ ଆଣିଥିଲେ।ଏଥିସହ ରେଳୱେ ଟ୍ରାକ୍‌କୁ ମରାମତି କରିଥି‌ଲେ। ଏହାପରେ ଯାତାୟତ ପୁଣି ସ୍ୱଭାବିକ ହୋଇଥିଲା।

ସୂଚନା ଥାଉକି, ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେଶନ ଠାରେ ଦୁର୍ଘଟଣା ଘଟି ପ୍ରାୟ ୨୮୮ ଜଣ ଲୋକଙ୍କ ଜୀବନ ଯିବା ଘଟଣା ମନରୁ ଲିଭି ନ ଥିବା ବେଳେ ଦୁଇ ଟ୍ରେନ୍‌ ସାମ୍ନାସାମ୍ନି ହେବା ଯାତ୍ରୀଙ୍କ ଭିତରେ ଭୟ ସଞ୍ଚାର କରିଛି।

ସାମାନ୍ୟ ପବନରେ ଭାଙ୍ଗିଗଲା ହକି ଖେଳାଳିଙ୍କ ଷ୍ଟାଚ୍ୟ । ମାତ୍ର ୫ ମାସ ତଳେ ନିର୍ମାଣ ହୋଇଥିଲା ଏହି ଷ୍ଟାଚ୍ୟୁ


ରାଉରକେଲା,ଭାଙ୍ଗିଗଲା ୪୦ ଫୁଟ ଉଚ୍ଚର ହକି ଖେଳାଳିଙ୍କ ଷ୍ଟାଚ୍ୟୁ। ସାମାନ୍ୟ ପବନରେ ୪୦ ଫୁଟର ହକି ପ୍ରତିମୂର୍ତ୍ତି ଭୁଶୁଡି ପଡିଛି । ଏହି ଷ୍ଟାଚ୍ୟୁ ବିଶ୍ୱର ସର୍ବବୃହତ ଆସନ ବିଶିଷ୍ଟ ବିଜୁ ହକି ଷ୍ଟାଡିୟମ୍ ନିକଟରେ ନିର୍ମାଣ କରାଯାଇଥିଲା। ପୁରୁଷ ହକି ବିଶ୍ୱକପ୍ ପାଇଁ ମାତ୍ର ୫ ମାସ ତଳେ ନିର୍ମାଣ ହୋଇଥିଲା ଏହି ଷ୍ଟାଚ୍ୟୁ। ଘଟଣାଟି ଘଟିଛି ରାଉରକେଲାରେ। ରାଉରକେଲା ଏୟାରପୋର୍ଟ ପାଖରେ ଏହି ଷ୍ଟାଚ୍ୟୁଟିକୁ ରଖା ଯାଇଥିଲା। ତେବେ ହଠାତ ତାହା ଆଜି ଭାଙ୍ଗି ତଳେ ପଡ଼ି ଯାଇଥିଲା। ସାମାନ୍ୟ ବର୍ଷା ଓ ପବନ ପରେ ଏହି ଘଟଣା ଘଟିଥିଲା। ଷ୍ଟାଚ୍ୟୁଟି ଖସିପଡ଼ିବା ସମୟରେ ସେଠାରେ କେହି ନଥିଲେ। ତେଣୁ କେହି ହତାହତ ହୋଇନାହାନ୍ତି। ତେବେ ଷ୍ଟାଚ୍ୟୁଟି କେମିତି ଭାଙ୍ଗିଲା, ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। କୁହାଯାଉଛି, ନିମ୍ନମାନର କାର୍ଯ୍ୟ ଯୋଗୁ ଷ୍ଟାଚ୍ୟୁଟି ଭାଙ୍ଗି ଯାଇଛି।

ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ପ୍ରାୟ ଅଧା ଏକର ଜମିରେ ଷ୍ଟାଚ୍ୟୁ ସହ ପାର୍କ ନିର୍ମାଣ କରାଯାଇଛି। ଏହା ପ୍ରାୟ ୮୧ ଲକ୍ଷ ବିନିଯୋଗରେ ନିର୍ମିତ। ଏଥିମଧ୍ୟରୁ ଷ୍ଟାଚ୍ୟୁ ନିର୍ମାଣ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିବାବେଳେ ଆଲୋକସଜ୍ଜା, ରେଲିଂ ବ୍ୟବସ୍ଥା, ପାର୍କ ତିଆରି ଆଦି ପାଇଁ ପ୍ରାୟ ୫୦ ଲକ୍ଷ ବ୍ୟୟ ହୋଇଛି।ଭୁବନେଶ୍ବରର ପ୍ରତିଷ୍ଠିତ ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା ‘ଇମାଜେରୀ’ ଏହି ମୂର୍ତ୍ତି ନିର୍ମାଣ କରିଛି। ଗତ ବର୍ଷ ସେପ୍ଟେମ୍ବର ୯ ତାରିଖରୁ ଏହି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ମାତ୍ର ତିନି ମାସ ଭିତରେ ଷ୍ଟାଚ୍ୟୁର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଚ୍ୟୁକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ।

ସାଇବର ଠକଙ୍କୁ ଯୋଗାଉ ଥିଲେ ସିମ୍‌ । ୮ ଜଣ ଯୁବକଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୁଲିସ


ଭୁବନେଶ୍ବର,ଓଡ଼ିଶା ସିମ୍‌ ଆସାମ୍, ହରିଆଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ସାଇବର ଠକଙ୍କୁ ବିକୁଥିଲେ। ସାଇବର ଠକମାନେ ଏହି ସିମ୍‌ ବ୍ୟବହାର କରି ଲୋକଙ୍କୁ ଠକୁଥିଲେ। ସାଇବର ଠକଙ୍କୁ ସିମ୍‌ ଯୋଗାଇ ଦେଇ ମାଲେମାଲେ ହେଉଥିବା ୮ ଜଣ ଯୁବକଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୁଲିସ। ଏହି ୮ ଯୁବକ ଗ୍ରାହକଙ୍କ ଠକି ସେମାନଙ୍କ ନାମରେ ସିମ୍‌ କାର୍ଡ ବାହାର କରୁଥିଲେ। ଯାହାକୁ ସେମାନେ ବାହାର ରାଜ୍ୟର ସାଇବର ଠକଙ୍କୁ ବିକୁଥିଲେ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି କଟକ ଡିସିପି ପିନାକ ମିଶ୍ର ।

ଚଢ଼ଉ ବେଳେ ଏହି ଠକମାନଙ୍କ ଠାରୁ ପ୍ରାୟ ୮ ଶହ ପ୍ରି ଆକ୍ଟିଭେଟେଡ୍ ସିମ ସହ ୧୬ ମୋବାଇଲ ଜବତ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣ ପୁରୀ ଜିଲ୍ଲାର ଓ ଜଣେ ନୟାଗଡ଼ ବାସିନ୍ଦା। ଗିରଫଙ୍କ ମଧ୍ୟରେ ସିମ୍‌ ବିକ୍ରି ଲାଇସେନ୍ସ ପାଇଥିବା ବିଭିନ୍ନ କମ୍ପାନୀର ୭ କର୍ମଚାରୀ ଅଛନ୍ତି। ସେମାନେ ପ୍ରାୟ ୫ ହଜାରରୁ ଅଧିକ ସିମ୍‌ ସାଇବର ମାଫିଆଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି।ଡିସିପି ପିନାକ ମିଶ୍ର କହିଛନ୍ତି, ୧୩ ଜୁଲାଇ ୨୦୨୨ରେ କଟକର ସାଇବର ଓ ଇକୋନୋମିକ୍ସ ଅପରାଧ ଥାନାରେ ଏକ ମାମଲା ହୋଇଥିଲା। ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ସେ ତାଙ୍କ ଘର ଭଡ଼ା ଦେବା ପାଇଁ ବିଜ୍ଞାପନ ସହ ଫୋନ୍‌ ନମ୍ବର ଛାପିଥିଲେ। କିଛିଦିନ ଉପରାନ୍ତେ ଜଣେ ଠକ ଫୋନ୍‌ କରି ଏହି ରୁମ୍‌କୁ ଭଡ଼ାରେ ନେବାକୁ ଚାହୁଁଥିବା ଇଛା ପ୍ରକାଶ କରିଥିଲେ। 

ସେ ନିଜକୁ ସିଆଇଏସ୍‌ଏଫ୍‌ର କନେଷ୍ଟବଳ ବୋଲି ପରିଚୟ ଦେଇଥିଲା। କୌଶଳ କରି ଠକ ଜଣକ ଘର ମାଲିକକୁ ଘର ଭଡ଼ା ନେବାକୁ ଚାହୁଁଥିବା ବୁଝାଇବା ସହ ଅନ୍‌ଲାଇନ୍‌ ପେମେଣ୍ଟ ପୂର୍ବରୁ କିଛି ଟଙ୍କା ଦେବାକୁ କହିଥିଲା। ଘର ମାଲିକ ଠକାମୀରେ ପଡ଼ୁଥିବା ଜାଣି ନ ପାରି କିଛି ଟଙ୍କା ଅନ୍‌ଲାଇନ୍‌ ପେ’ କରିଥିଲେ। ଏହି ଟଙ୍କା ଦେବାର ମାତ୍ର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୫୭ ହଜାର ଟଙ୍କା ଠକ ଜଣକ ଉଡ଼ାଇ ନେଇଥିଲା। ଘର ମାଲିକଙ୍କ ଅଭିଯୋଗ ପରେ ଏହାର ତଦନ୍ତ କରିବା ପରେ ରାଜସ୍ଥାନ ଓ ପଶ୍ଚିମ ଉତ୍ତରପ୍ରଦେଶର ଏକ ସାଇବର ମାଫିଆ ଗୋଷ୍ଠୀ ଏହି କାଣ୍ଡ କରିଥିବା ଜଣାପଡ଼ିଥିଲା।

ପୁଲିସ ଟିମ୍‌ ସେଠାକୁ ଏହି ଗୋଷ୍ଠୀକୁ ବାନ୍ଧିବାକୁ ଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଖସି ଯାଇଥିଲା। ଯେଉଁ ସିମ୍‌ରେ ଏହି ଠକାମୀ ହୋଇଥିଲା ତାହା ଓଡ଼ିଶାରୁ ଆକ୍ଟିଭ୍ ହୋଇଥିବା ଜଣାପଡ଼ିଥିଲା।ଏକ ଠକ ଗୋଷ୍ଠୀ ଗ୍ରାହକଙ୍କ ଅଜଣାତରେ ବହୁ ପରିମାଣର ପ୍ରିଆକ୍ଟିଭେଟଡ୍ ସିମ୍‌କୁ ଆକ୍ଟିଭ୍‌ କରି ଏହାକୁ ବାହାର ସାଇବର ଠକଙ୍କୁ ବହୁ ଦାମ୍‌ରେ ବିକ୍ରି କରୁଥିବା ଜଣାପଡ଼ିଥିଲା। ଏହି ସିମ୍‌କୁ ବ୍ୟବହାର କରି ସାଇବର ଠକ୍‌ମାନେ ଲୋକଙ୍କୁ ଠକାମୀ ଜାଲରେ ପକାଉଥିଲେ।

ଏହି ଠକ ଗୋଷ୍ଠୀଙ୍କୁ ଧରିବା ପରେ ସେମାନଙ୍କ ଠାରୁ ୧୬ଟି ମୋବାଇଲ୍ ଜବତ କରାଯାଇଛି। ଏହି ମୋବାଇଲ୍‌ ଜରିଆରେ ଗ୍ରାହକଙ୍କ ଅଜ୍ଞାତରେ ସେମାନଙ୍କ ନାମରେ ପ୍ରିଆକ୍ଟିଭେଟଡ୍ ସିମ୍‌ ନେଇ ଆକ୍ଟିଭ୍‌ କରୁଥିଲେ ଅଭିଯୁକ୍ତମାନେ। ଜଣେ ଗ୍ରାହକକୁ କମ୍ପାନୀ ପକ୍ଷରୁ ୨ଟି ସିମ୍‌ ଦେବାର ସୁବିଧା ଥିବା ବେଳେ ଏହି ଠକମାନେ ଗ୍ରାହକଙ୍କୁ ଗୋଟିଏ ସିମ୍‌ କାର୍ଡ ଦେବା ପରେ ତାହାର ଅଜାଣରେ ଏମାନେ ତାହାର ବାଓମେଟ୍ରିକ୍‌ ଫିଙ୍କରପ୍ରିଣ୍ଟ ଓ ଫଟୋକୁ ଅପବ୍ୟବହାର କରି ଅନ୍ୟ ଗୋଟିଏ ସିମ୍‌କାର୍ଡକୁ ହାତଉ ଥିଲେ। ଦ୍ୱିୟତଃ ଏମାନେ ଗାଁ’ ଗହଳିରେ ରହୁଥିବା ତଥା ସିମ୍‌ ବ୍ୟବହାର ବିଷୟରେ ବିଶେଷ ଜ୍ଞାନ ନଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ଗିଫ୍ଟ ଓ ପୁରସ୍କାର ରାଶି ଦେଇ ନିରୀହ ଲୋକଙ୍କ ଠାରୁ କୌଶଳ କ୍ରମେ ବାୟୋମେଟ୍ରିକ୍ ଫିଙ୍ଗରପ୍ରିଣ୍ଟ ଓ ଫଟୋ ଉଠାଇ ନେଉଥିଲେ। ଯାହା ପରେ ସେମାନଙ୍କ ନାମରେ ସିମ୍‌ ବାହାର କରି ବାହାର ରାଜ୍ୟର ସାଇବର ଠକଙ୍କୁ ଦେଉଥିଲେ। ଏଥିରୁ ସେମାନେ ପ୍ରଚୁର ଟଙ୍କା ରୋଜଗାର କରୁଥିଲେ। ଅନ୍‌ଲାଇନ୍ ଗେମ୍ ଓ ସଟା ଖେଳ ଜରିଆରେ ସାଇବର ଠକମାନଙ୍କ ସଂସ୍ପର୍ଶରେ ଆସିବା ପରେ ଗିରଫ ଅଭିଯୁକ୍ତମାନେ ଠକାମୀ ଚଳାଇଥିଲେ ବୋଲି ଡିସିପି କହିଛନ୍ତି।

ସେ ଆହୁରି କହିଛନ୍ତି, ବହୁ ସିମ୍‌ ଜରିଆରେ ଠକେଇ ହୋଇଥିବାରୁ ଏହାର ତଦନ୍ତ ଚାଲିଛି ଓ ଏଥିପାଇଁ ବହୁ ସମୟ ଆବଶ୍ୟକ। ଜବତ ଗୋଟିଏ ମୋବାଇଲ୍‌ରୁ ପ୍ରାୟ ୧୨୫୦ ସିମ୍‌ ଆକ୍ଟିଭେଟ୍ ହୋଇଛି। ତେଣୁ କେଉଁ ସିମ୍‌ରେ କିପରି ପ୍ରକାର ଠକେଇ ନିମନ୍ତେ ବ୍ୟବହାର କରାଯାଇଛି ତାହାର ତଦନ୍ତ ହେବ। ସାଇବର ଠକମାନେ ବିଭିନ୍ନ କୌଶଳ ଖଟାଇ ଏହି ନମ୍ବର ଜରିଆରେ ଲୋକଙ୍କୁ ଏସ୍‌ଏମ୍‌ଏସ୍ ତଥା ୱାଟର୍ସ ଆପ୍‌ରେ ଲିଙ୍କ ସହ ବାର୍ତ୍ତା ପଠାଇ ଅର୍ଥ ଠକେଇ କରିଥାନ୍ତି।

ଗିରଫ ଅଭିଯୁକ୍ତମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ କେଉଁମାନଙ୍କ ସହ ସେମାନଙ୍କର ଲିଙ୍କ୍ ରହିଛି ତାହାର ତଦନ୍ତ ମଧ୍ୟ ଚାଲିଛି। ଯେଉଁ କମ୍ପାନୀଗୁଡ଼ିକର ସିମ୍‌ ଜବତ କରାଯାଇଛି ସମ୍ପୃକ୍ତ କମ୍ପାନୀର ମାର୍କେଟିଂ ଅଧିକାରୀଙ୍କୁ ଡକାଇ ପଚରାଉଚରା ମଧ୍ୟ କରାଯିବ। ଯଦି ଆବଶ୍ୟକ ପଡ଼େ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ରିମାଣ୍ଡରେ ଆଣି ପଚାରଉଚରା କରାଯିବ ବୋଲି ଡିସିପି କହିଛନ୍ତି।
Powered by Blogger.
Javascript DisablePlease Enable Javascript To See All Widget