April 2023

ଗଞ୍ଜେଇ ମାଫିଆଙ୍କ ଘର ଆଗରେ ପୁଲିସର ନୋଟିସ୍ । ୨ ଜଣ ଗଞ୍ଜେଇ ମାଫିଆଙ୍କ ୪୧ ଲକ୍ଷର ସମ୍ପତ୍ତି ଜବତ


ନବରଙ୍ଗପୁର,ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କୁ ପୁଣି ଲାଗିଛି ଝଟକା। ନବରଙ୍ଗପୁର ଜିଲ୍ଲା ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା ମିଳିଛି। ୨ ଜଣ ଗଞ୍ଜେଇ ମାଫିଆଙ୍କ ବିରୋଧରେ ହୋଇଥିବା ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଭିତରେ ନବରଙ୍ଗପୁର ପୁଲିସକୁ ପ୍ରାୟ ୪୧.୪୧ ଲକ୍ଷ ମୂଲ୍ୟର ବେଆଇନ ଭାବେ ଅର୍ଜିତ ସମ୍ପତି ଜବତ କରିବାରେ ଅନୁମତି ମିଳିଛି। ଏହି ଜବତ ଘଟଣା ନବରଙ୍ଗପୁର ଜିଲ୍ଲା ପୁଲିସକୁ ଏହା ୩ୟ ବଡଧରଣର ସଫଳତା ମିଳିଛି।

ପୁଲିସ ଉମରକୋଟ ଥାନା ଅଞ୍ଚଳର ଅନ୍ତଃ ରାଜ୍ୟ ମାଫିଆଙ୍କ ସମ୍ପତ୍ତି ଜବତ କରିଛ। ସେମାନେ ହେଲେ ଚିକଲପଦର ଗ୍ରାମର ଦିନେଶ ବିଶ୍ୱାସ ଓ ବୁର୍ଜା ଗ୍ରାମର ଦିନେଶ ଭଦ୍ରା ବୋଲି ପୁଲିସ ସୂଚନା ଦେଇଛି। ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷିକା ଏସ.ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଏହି ୨ ଜଣ ବ୍ୟକ୍ତି ବିଭିନ୍ନ ସମୟରେ ପୃଷ୍ଠଭୂମିରେ ରହି ଓଡିଶା, ଛତିଶଗଡ, ବିହାର, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଗଞ୍ଜେଇ କାରବାରରେ ସକ୍ରିୟ ଥିଲେ । ସମ୍ପୃକ୍ତ ଅଭିଯୁକ୍ତମାନ ବେଆଇନ ନେଟୱାର୍କ ମାଧ୍ୟମରେ ଅନେକ ରାଜ୍ୟକୁ ଗଞ୍ଜେଇ ଯୋଗାଣରେ ଜଡିତ ଥିଲେ ଓ ସେ ମାଧ୍ୟମରେ ବେଆଇନ ସମ୍ପତି ଅର୍ଜନ କରିଥିଲେ।

ରାହୁଲ ଗାନ୍ଧିଙ୍କ ପରେ ଏବେ ସାଂସଦ ପଦ ହରାଇବେ ବହୁଜନ ସମାଜ ପାର୍ଟି ସାଂସଦ ଅଫଜଲ ଅନସାରୀ


ନୂଆଦିଲ୍ଲୀ, ରାହୁଲ ଗାନ୍ଧିଙ୍କ ପରେ ଆଉ ଜଣେ ନେତାଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଯାଇପାରେ। ଅପହରଣ ଓ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେବାର କିଛି ଘଣ୍ଟା ପରେ ଉତ୍ତରପ୍ରଦେଶର ଏକ ଅଦାଲତ ମଧ୍ୟ ସେହି ୨୦୦୭ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ତାଙ୍କ ଭାଇ ତଥା ବହୁଜନ ସମାଜ ପାର୍ଟି ସାଂସଦ ଅଫଜଲ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶର ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ସାଂସଦ ଅଫଜଲ ଅନସାରୀ। ୨୦୦୫ରେ ବିଜେପି ବିଧାୟକ କୃଷ୍ଣନନ୍ଦ ରାୟ ହତ୍ୟା ମାମଲାରେ ଉତ୍ତର ପ୍ରଦେଶର ଗାଜିପୁରର ଏକ କୋର୍ଟ ଆଜି ତାଙ୍କୁ ୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଅନୁଯାୟୀ ଯଦି ଜଣେ ସାଂସଦ କୌଣସି ମାମଲାରେ ୨ କିମ୍ବା ତା’ଠାରୁ ଅଧିକ ବର୍ଷର ଜେଲ ଦଣ୍ଡାଦେଶ ପାଆନ୍ତି, ତା’ହେଲେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଯିବ। 

‘ମୋଦି ସରନେମ’ମାନହାନି ମାମଲାରେ ସୁରତର ଏକ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଯାଇଥିଲା। ଦଣ୍ଡାଦେଶ ପରେ ଅଫଜଲ ଅନସାରୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବାକୁ ଯାଉଛି, କାରଣ ସଂସଦର ନିୟମ ଅନୁଯାୟୀ କୌଣସି ସଦସ୍ୟ ଦୁଇ କିମ୍ବା ଦୁଇ ବର୍ଷରୁ ଅଧିକ ଜେଲ୍ ଦଣ୍ଡପାଇବେ ତାଙ୍କର ସଦସ୍ୟପଦ ଆପେ ଆପେ ରଦ୍ଦ ହୋଇଯିବ। ୨୦୧୯ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ନିକଟରେ ସେହି ନିୟମ ଅନୁଯାୟୀ ନିଜ ସାଂସଦପଦ ହରାଇଥିଲେ।

୨୦୦୫ ବିଜେପି ବିଧାୟକ କୃଷ୍ଣନନ୍ଦ ରାୟଙ୍କ ହତ୍ୟା ମାମଲାରେ ବିଏସ୍‌ପି ସାଂସଦ ଅଫଜଲ ଅନସାରୀଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ଏହି ମାମଲାରେ ତାଙ୍କ ଭାଇ ତଥା ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହା ସହିତ ତାଙ୍କ ଉପରେ ୫ ଲକ୍ଷ ଜରିମାନା ହୋଇଛି। ପୂର୍ବରୁ ଅନ୍ୟାନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଅଛନ୍ତି ମୁଖତାର ଅନସାରୀ। ସେ ଉତ୍ତରପ୍ରଦେଶର ମଉ ଆସନରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେଥିରୁ ୨ ଥର ସେ ବିଏସ୍‌ପି ଟିକେଟରେ ନିର୍ବାଚନ ଜିତିଥିଲେ। ମୁଖତାର ଅନସାରୀ ଆଜି ଭିଡିଓ କନ୍‌ଫରେନ୍ସ ଯୋଗେ କୋର୍ଟରେ ହାଜର ହୋଇଥିଲେ। କିନ୍ତୁ ତାଙ୍କ ଭାଇ ବିଏସ୍‌ପି ସାଂସଦ ଅଫଜଲ ଅନସାରୀ ନିଜେ କୋର୍ଟ ରୁମରେ ଉପସ୍ଥିତ ରହିଥିଲେ। ଅଫଜଲଙ୍କ ନାଁରେ ଏହା ହେଉଛି ପ୍ରଥମ ମାମଲା। ଆଉ ଏଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ୧୦ ଜଣ ସାକ୍ଷୀ ରହିଥିଲେ।

୨୦୦୩ରେ ଜଣେ ଜେଲରଙ୍କୁ ଆକ୍ରମଣ କରିବା ମାମଲାରେ ଗତ ବର୍ଷ ସେପ୍ଟେମ୍ବର ମାସରେ ଆହ୍ଲାବାଦ ହାଇକୋର୍ଟ ମୁଖତାର ଅନସାରୀଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏହା ପରେ ହାଇକୋର୍ଟ ଅନ୍ୟ ଏକ ମାମଲାରେ ଅନସାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ୧୯୯୯ରେ ଉତ୍ତର ପ୍ରଦେଶ ଗ୍ୟାଙ୍ଗଷ୍ଟର ଆଇନରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ଗତ ବର୍ଷ ଡିସେମ୍ବର ୧୫ ତାରିଖରେ ଗାଜିପୁରର ଏକ କୋର୍ଟ ମୁଖତାର ଅନସାରୀଙ୍କୁ ଆଉ ଏକ ମାମଲରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହି ମାମଲାରେ ତାଙ୍କର ଜଣେ ସହଯୋଗୀ ଭୀମ ସିଂହଙ୍କୁ ମଧ୍ୟ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

୨୦୦୫ରେ ମୁଖତାର ଅନସାରୀ ଓ ତାଙ୍କ ସାଥୀମାନେ ତତ୍‌କାଳୀନ ବିଜେପି ବିଧାୟକ କୃଷ୍ଣନନ୍ଦ ରାୟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ମାମଲାରେ ଆଜି କୋର୍ଟଙ୍କ ରାୟ ଆସିବା ପରେ ତାଙ୍କ ପତ୍ନୀ କହିଛନ୍ତି ଉତ୍ତର ପ୍ରଦେଶରେ ମାଫିଆ ରାଜ୍ ଶେଷ ହୋଇଯାଇଛି। ଦେଶର ବିଚାର ବ୍ୟବସ୍ଥା ଉପରେ ତାଙ୍କର ଭରସା ରହିଛି।

ଭଣ୍ଡ ତାନ୍ତ୍ରିକ ମୌଲାନା କୈଫି ଖାନର ଫିଟୁଛି ଗୁମର । ୧୧ଟି ବ୍ୟାଙ୍କ ଆକାଉଣ୍ଟକୁ ଠାବ କରିଛି ପୋଲିସ


କଟକ, ଠକ ମୌଲାନା କୈଫି ଖାନର ଫିଟୁଛି ଗୁମର । ଏହାସହିତ ତାର ୧୧ଟି ବ୍ୟାଙ୍କ ଆକାଉଣ୍ଟକୁ ଠାବ କରିଛି ପୋଲିସ। ମୋବାଇଲ ବ୍ୟବସାୟରେ ୧୫ ଲକ୍ଷ ଟଙ୍କା ଲଗାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ବୋଲି ଡିସିପି କହିଛନ୍ତି । ଗୋଟିଏ ପରେ ଗୋଟିଏ ଧରାପଡ଼ୁଛି ଠକ ତାନ୍ତ୍ରିକ ମୌଲାନା କୈଫରର ଚାଲ। ଗୁପ୍ତଧନ ବାହାର କରିଦେବ କହି ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ମୌଲାନା କୈଫରଙ୍କ ନାଁରେ ଆସିଛି ଆଉ ଏକ ଅଭିଯୋଗ। ଘର ପଛପଟେ ସୁନା ଇଟା ଥିବା କହି ଜଣେ ବ୍ୟକ୍ତିଙ୍କଠାରୁ ୫ଲକ୍ଷ ଟଙ୍କା ଠକିଥିବା ମଙ୍ଗଳବାଗ ଥାନାରେ ଅଭିଯୋଗ ହୋଇଛି। ଏନେଇ ମୌଲାନା କୈଫଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରାଯାଇଛି। ଠକେଇରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ଘର ଭଦ୍ରକ ଜିଲ୍ଲାର ବହୁ ଦରଡ଼ା ଅଞ୍ଚଳରେ।

ଏହି ବ୍ୟକ୍ତି ଜଣଙ୍କ କହିଛନ୍ତି, ମୋ ଘରେ କିଛି ସମସ୍ୟା ଥିବାରୁ ମୌଲାନା କୈଫଙ୍କ ପାଖକୁ ଆସିଥିଲି। ସେ ଘରକୁ ବନ୍ଦୀ କରିବାକୁ କହିଥିଲେ। ସେ ନିଜେ ଯାଇ ମୋ ଘରେ ପୂଜାପାଠ କରି ଏହାକୁ ବନ୍ଦୀ କରିଥିଲେ। ପରେ ଆମ ଘର ପାଖରେ ଥିବା ଏକ ନିମ୍ବ ଗଛ ପାଖରେ ମାଟି ତଳେ ଏକ ଇଟା ଅଛି ବୋଲି କହିଥିଲେ। ସେହି ଇଟାକୁ ବାହାର କରି ଦେଲେ ଘରେ ଆଉ ଅଶାନ୍ତି ରହିବ ନାହିଁ ବୋଲି ସେ କହିଥିଲେ। ମୌଲାନା କୈଫ ନିଜେ ସେହି ଇଟାକୁ ଖୋଳି ବାହାର କରିଥିଲେ।

ସେ ଆହୁରି କହିଛନ୍ତି, ବାହାର କରିଥିବା ଇଟାକୁ ସେ ସୁନା ଇଟା ବୋଲି କହିଥିଲେ। ଏହାକୁ ବିକ୍ରି କଲେ ଗୋଟିଏ କୋଟିରୁ ଅଧିକ ଟଙ୍କା ହେବ ବୋଲି କହିଥିଲେ। ସେଥିପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ମୋତେ କହିଥିଲେ। ରାଜସ୍ଥାନରୁ କସ୍ତୁରୀ ଆଣି ସୁଦ୍ଧି କରିବା ପରେ ସେହି ଇଟାକୁ ସେ ବଜାରରେ ବିକ୍ରି କରିଦେବେ ବୋଲି କହିଥିଲେ। ସେଥିରୁ ଯାହା ପଇସା ହେବ ତାକୁ ସେ ମୋତେ ଦେବେ ବୋଲି କହିଥିଲେ। 

ପରେ ଇଟାକୁ ନେଇ ସେ ମୋ ଘରୁ ପଳାଇ ଯାଇଥିଲେ। ପରେ ମୁଁ ଓ ମୋ ବାପା ମୌଲାନା କୈଫଙ୍କ ଘରକୁ ଯାଇ ୫ ଲକ୍ଷ ଟଙ୍କା ତାଙ୍କୁ ଦେଇଥିଲୁ। ୨ ମାସ ତଳେ ତାଙ୍କ ଘରକୁ ମୁଁ ଯାଇଥିଲି। ଇଟା ବାବଦରେ ପଚାରିବାରୁ ସେ ମୋତେ ଇଟା ଫେରାଇ ଦେଇଥିଲେ। ଇଟା ବାବଦକୁ ଦେଇଥିବା ୫ଲକ୍ଷ ଟଙ୍କା ମାଗିବାରୁ ଦେଇ ନଥିଲେ। ମୁଁ ତୁମକୁ ଇଟା ଫେରାଇ ଦେଲି, ପଇସା କ’ଣ ନେବ ବୋଲି କହିଥିଲେ। ତା ପରେ ମୁଁ ଘରକୁ ଫେରି ଆସିଥିଲି। ପରେ ଜାଣିଲି ତାହା ସୁନା ଇଟା ନୁହେଁ କପରରେ ତିଆରି ଇଟା। ଗତକାଲି ମୌଲାନା କୈଫଙ୍କୁ କମିଶନରେଟ୍ ପୁଲିସ ଗିରଫ କରିଥିଲା। ପୁଲିସ ମୌଲାନାଠାରୁ ନଗଦ ୨,୭୬,୦୦୦ ଟଙ୍କା, ଗୋଟିଏ ବୁଲେଟ୍‌, ଦୁଇଟି ଲକ୍‌ଜୁରିୟସ୍‌ କାର୍‌, ୭୦ଟି ନୂଆ ମୋବାଇଲ୍‌, ୨୦ଟି ଦାମୀ ଘଣ୍ଟା, ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌, ୧୩ଟି ବୀମା ପଲିସି, ହୀରା ଓ ବ୍ରୋଞ୍ଜ ପରି ଦେଖା ଯାଉଥିବା ପଦାର୍ଥ ଏବଂ ଅନ୍ୟାନ୍ୟ ପଦାର୍ଥ ଜବତ କରିଥିଲା।

ସେହିପରି ଅଧିକ ତଦନ୍ତ ପାଇଁ ମୌଲାନା କୈଫି ଖାନକୁ ରିମାଣ୍ଡରେ ନିଆଯିବ । କୈଫିର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି ପୋଲିସ । ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ସେମାନେ ଥାନାକୁ ଆସି ଅଭିଯୋଗ କରିବାକୁ ଡିସିପି କହିଛନ୍ତି  ।

୩୦୦ କୋଟି ଲାଞ୍ଚ ମାମଲାରେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ CBIର ୫ ଘଣ୍ଟା ପଚରା ଉଚୁରା


ନୂଆଦିଲ୍ଲୀ, ରିଲାଏନ୍ସ ଜେନେରାଲ ବୀମା ଦୁର୍ନୀତି ଅଭିଯୋଗ ଘଟଣାରେ ଆଜି ସିବିଆଇ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବୟାନ ରେକର୍ଡ କରିଛି। ଏହି ଦୁର୍ନୀତି ଅଭିଯୋଗ ଘଟଣାରେ ସିବିଆଇ ଶ୍ରୀ ମଲିକଙ୍କୁ ଜଣେ ସାକ୍ଷୀ ଭାବେ ବିବେଚନା କରି ଆଜି ହାଜର ହେବାକୁ ସମନ କରିଥିଲା। ଜମ୍ମୁ-କାଶ୍ମୀରରେ ରାଜ୍ୟପାଳ ଥିବା ବେଳେ ୨ଟି ଫାଇଲ୍‌ ମଞ୍ଜୁର କରିବା ପାଇଁ ୩୦୦ କୋଟି ଟଙ୍କା ଲାଞ୍ଚ ଯଚା ଯାଇଥିବା ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ପଚରାଉଚୁରା କରିଛି। ଶୁକ୍ରବାର ଏଜେନ୍ସି ନୂଆଦିଲ୍ଲୀ ସ୍ଥିତ ବାସଭବନରେ ମଲିକଙ୍କୁ ୫ ଘଣ୍ଟା ଧରି ପଚରା ଉଚୁରା କରିଛି। ମଲିକ ଦେଇଥିବା ଉତ୍ତରର ଯାଞ୍ଚ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିବିଆଇ କହିଛି।

ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବା ବେଳେ ଶ୍ରୀ ମଲିକ ୨୦୧୮ରେ ଅନୀଲ ଅମ୍ବାନୀଙ୍କ ମାଲିକାନାରେ ଥିବା କମ୍ପାନୀର ବୀମା ଡିଲ୍‌କୁ ବାତିଲ କରିଥିଲେ। ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ବୀମା ବ୍ୟବସ୍ଥା କରାଯାଉଥିବା ବେଳେ ଶ୍ରୀ ମଲିକ ଏଥିରେ ଦୁର୍ନୀତିର ଗନ୍ଧ ବାରିଥିଲେ। ଏଥିପାଇଁ ସେ ଡିଲ୍‌କୁ ବାତିଲ କରିଥିବା ଖୋଲାଖୋଲି ଭାବେ କହିଥିଲେ। ଏପ୍ରିଲ ୨୨ରେ ସତ୍ୟପାଲ ମଲିକ ସମନ ପାଇବା ପରେ କହିଥିଲେ ଯେ ସିବିଆଇ ଦୁର୍ନୀତି ଅଭିଯୋଗରେ କିଛି ତଥ୍ୟ ଚାହୁଁଛି। କମ୍ପାନୀ ଓ ଅନ୍ୟମାନଙ୍କ ଭୂମିକା ସମ୍ପର୍କରେ ଆଜି ଶ୍ରୀ ମଲିକ ବିସ୍ତୃତ ତଥ୍ୟ ଦେଇଛନ୍ତି।ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ବେଳେ ସତ୍ୟପାଲ ମଲିକ ରିଲାଏନ୍ସ କମ୍ପାନୀର ଗୋଟିଏ ବୀମା ଡିଲ୍‌କୁ ବାତିଲ କରି ଦେଇଥିଲେ। ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ରିଲାଏନ୍ସ ଇନସ୍ୟୁରାନ୍ସ କରାଯିବାର ଥିଲା। ହେଲେ ଏଥିରେ ବ୍ୟାପକ ଦୁର୍ନୀତି ଓ ସେବା ଭଲ ନଥିବା ଅଭିଯୋଗ କରି ଶ୍ରୀ ମଲିକ ଡିଲ୍‌ ବାତିଲ କରି ଦେଇଥିଲେ।

ଏଥିରେ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ସହ Trinity Reinsurance Brokersକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସତ୍ୟପାଲ ମଲିକ ହିଁ ପ୍ରଥମେ ଏହି ବୀମା ଯୋଜନାରେ ଦୁର୍ନୀତି ଥିବା ଅଭିଯୋଗ କରିବା ପରେ ସିବିଆଇ ଆକ୍ସନ ମୋଡକୁ ଆସିଥିଲା। ଏହି ଯୋଜନା ୨୦୧୮ ସେପ୍ଟେମ୍ବର ୧୮ରେ କାର୍ଯ୍ୟକାରୀ କରାଯାଇଥିଲା। ୩.୫ ଲକ୍ଷ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଥିଲା। କିନ୍ତୁ କାର୍ଯ୍ୟକାରୀ ହେବାର ମାସକ ମଧ୍ୟରେ ଏହାକୁ ବାତିଲ କରାଯାଇଥିଲା। ସେତେବେଳେ ସତ୍ୟପାଲ ମଲିକ କହିଥିଲେ ଯେ ବୀମା ଯୋଜନାରେ ଅନେକ ପ୍ରକାରର ଦୁର୍ନୀତି ହୋଇଥିବାରୁ କର୍ମଚାରୀମାନେ ଏହାକୁ ବାତିଲ କରିବାକୁ ଚାହୁଁଛନ୍ତି। ସେ ନିଜେ ମଧ୍ୟ ଫାଇଲକୁ ଯାଞ୍ଚ କରିବା ପରେ ଦୁର୍ନୀତିର ଗନ୍ଧ ବାରିଥିଲେ। ଏଥିପାଇଁ ସେ ଯୋଜନାକୁ ବାତିଲ କରିଥିବା କହିଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ସିବିଆଇ ସତ୍ୟପାଲ ମଲିକଙ୍କୁ ପଚରାଉଚରା କରିଥିଲା। ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ବେଳେ ୨ଟି ଫାଇଲ କ୍ଲିୟର କରିଥିଲେ, ତାଙ୍କୁ ୩୦୦ କୋଟି ଟଙ୍କାର ଲାଞ୍ଚ ମିଳିଥାଆନ୍ତା ବୋଲି ମଧ୍ୟ ଶ୍ରୀ ମଲିକ କହିଥିଲେ।


ପଶ୍ଚିମବଙ୍ଗ ସ୍କୁଲ ନିଯୁକ୍ତି ମାମଲା ଶୁଣାଣିରୁ କଲିକତା ହାଇକୋର୍ଟ ବିଚାରପତିଙ୍କୁ ହଟାଇଲେ ସୁପ୍ରିମକୋର୍ଟ


ନୂଆଦିଲ୍ଲୀ, ପଶ୍ଚିମବଙ୍ଗ ସ୍କୁଲ ନିଯୁକ୍ତି ଦୁର୍ନୀତି ମାମଲାର ଶୁଣାଣିରୁ କାଲକାଟା ହାଇକୋର୍ଟର ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କୁ ହଟାଇବାକୁ ସୁପ୍ରିମକୋର୍ଟ କଲିକତା ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ କୋଲକାତା ହାଇକୋର୍ଟର ବିଚାରପତି ଗଙ୍ଗୋପାଧ୍ୟାୟ ଆଜି ରାତି ୧୨ଟା ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟରେ ଉପସ୍ଥାପିତ ହୋଇଥିବା ସାକ୍ଷାତକାରର ଟ୍ରାନ୍ସକ୍ରିପ୍ଟ କପି ତାଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ସୁପ୍ରିମ୍ କୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ଏହି ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଦେଇଛନ୍ତି ।

ଜଷ୍ଟିସ୍ ଗଙ୍ଗୋପାଧ୍ୟାୟ ଖୋଲା ଅଦାଲତରେ ଏହି ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟ ବିଚାରପତିଙ୍କ ବିଷୟରେ ମନ୍ତବ୍ୟ ଦେଇ କହିଥିଲେ, ସୁପ୍ରିମ୍ କୋର୍ଟର ବିଚାରପତିମାନେ ଯାହା ଚାହିଁବେ ତାହା କରିପାରିବେ କି? ଏହା କ’ଣ ଜମିଦାରୀ ? ଖୁବ୍ ଶୀଘ୍ର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବାକୁ ଯାଉଛି ।

ଜଷ୍ଟିସ ଗଙ୍ଗୋପାଧ୍ୟାୟ ତାଙ୍କ ସାକ୍ଷାତକାରର ସରକାରୀ ଅନୁବାଦ ଏବଂ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ସତ୍ୟପାଠର ନକଲକୁ ରାତି ୧୨ଟା ୧୫ ପର୍ଯ୍ୟନ୍ତ ତାଙ୍କ ଚେମ୍ବରରେ ଅପେକ୍ଷା କରିବେ ବୋଲି କହିଥିଲେ । ସ୍ୱଚ୍ଛତା ପାଇଁ ମୁଁ ମାନ୍ୟବର ସୁପ୍ରିମ୍ କୋର୍ଟର ମହାସଚିବଙ୍କୁ ନିର୍ଦ୍ଦେଶ ଦେଉଛି ଯେ ମୁଁ ଆଜି ରାତି ୧୨ଟା ସୁଦ୍ଧା ଗଣମାଧ୍ୟମକୁ ଦେଇଥିବା ରିପୋର୍ଟର ସରକାରୀ ଅନୁବାଦ ଏବଂ ସାକ୍ଷାତକାର ଏବଂ ଏହି ଅଦାଲତର ରେଜିଷ୍ଟ୍ରାର ଜେନେରାଲଙ୍କ ସତ୍ୟପାଠ ମୋ ନିକଟରେ ଉପସ୍ଥାପନ କରନ୍ତୁ । ତାଙ୍କର ଏହି ନିର୍ଦ୍ଦେଶର ଜରୁରୀ ଶୁଣାଣି କରି ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଦ୍ବାରା ଦାଏର ଏକ ଆବେଦନର ବିଚାର ବେଳେ ସୁପ୍ରିମକୋର୍ଟ ଉପରୋକ୍ତ ଆଦେଶ ଦେଇଥିଲେ । ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ଏକ ରାୟକୁ ଅଭିଷେକ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

୩୨ ହଜାର ନିରିହ ହିନ୍ଦୁ ଯୁବତୀଙ୍କ ଉପରେ ହୋଇଥିବା  ISIS ବର୍ବର କାଣ୍ଡର ହେବ ପର୍ଦ୍ଦାଫାସ୍‌


ନୂଆଦିଲ୍ଲୀ, ଶେଷରେ ରିଲିଜ୍‌ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ' ଦି କେରଳ ଷ୍ଟୋରୀ' ର ଟ୍ରେଲର। ସମ୍ମୂର୍ଣ୍ଣ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ 'ଦି କେରଳ ଷ୍ଟୋରୀ' ରିଲିଜ୍‌ ହୋଇଯାଇଛି  ୨୭ ଏପ୍ରିଲରେ। ଫିଲ୍ମର ଟ୍ରେଲର ଦେଖିଲା ପରେ ଭୟାନକ ସତ୍ୟ ଆସିଛି ସାମ୍ନାକୁ।  ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ବିପୁଲ ଅମୃତଲାଲ ଶାହାଙ୍କ ଫିଲ୍ମ ‘କେରଳ କାହାଣୀ’। କେରଳରେ ୧୦ ବର୍ଷ ଭିତରେ ୩୨ ହଜାର ଝିଅ ଗାଏବ୍‌ ହୋଇଯିବା ଘଟଣା ଏବଂ ଏହା ପଛରେ ଆତଙ୍କୀ ସଂଗଠନ ISISର ହାତ ଥିବାର ଏକ କାହାଣୀ ବଡ଼ ପରଦାରେ ରିଲିଜ୍‌ । ଏଥିରେ  ଦର୍ଶାଯାଇଛି ଯେ ଆଇଏସଆଇଏସ ଆତଙ୍କବାଦୀ ସଂଗଠନ  କିପରି  ୩୨ ହଜାର କେରଳ ହିନ୍ଦୁ  ଯୁବତୀଙ୍କୁ ଅପହରଣ କରିନେଇ ସେମାନଙ୍କୁ ଲଭ୍ ଜିହାଦର ଶିକାର କରିଥିଲା ​​। ଖାଲି ସେତିକି ନୁହେଁ  ଏହି ଯୁବତୀଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ କରିଥିଲା ଆଇଏସଆଇଏସ  । 

ବୁଧବାର ଫିଲ୍ମର ଟ୍ରେଲର ରିଲିଜ ହୋଇଛି।  ଏହି ଫିଲ୍ମର ଟ୍ରେଲରେ ଦେଖିଲା ପରେ  ଲୋକଙ୍କ ମନରେ ଆତଙ୍କ ଖେଳିଛି।  ଫିଲ୍ମୀରେ ମୁଖ୍ୟ ଭୁମିକା ନିଭାଇଛନ୍ତି ଆଦା ଶର୍ମା ।    ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ରିଲିଜ କରି ଆଦା ଶର୍ମା ଲେଖିଛନ୍ତି, ' ଯେଉଁଟା ସତ୍ୟ ତାହା ଆପଣଙ୍କୁ ଦେଖିବାକୁ ଆଉ ଶୁଣିବାକୁ ହେଲେ ଧର୍ଯ୍ୟ ରଖିବାକୁ ପଡିବ। ହଜାର ହଜାର ନିରୀହ ମହିଳାଙ୍କୁ ବ୍ୟବସ୍ଥିତ ଭାବରେ କନଭର୍ଟ କରାଯାଇଥିଲା।  ତାଙ୍କୁ ତାଙ୍କ ଇଚ୍ଚା ବିରୋଧରେ ବିଭିନ୍ନ ଅନୈତିକ, ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ କରାଯାଇଥି ଶେଷରେ  ଏ ସମସ୍ତ ମହିଳାଙ୍କୁ ହତ୍ୟା କରାଯାଇଛି।| ଏହା ହେଉଛି  ଦି କେରଳ ଷ୍ଟୋରୀର କହାଣୀ। ଯାହା ଅତ୍ୟନ୍ତ ଭୟାନକ ସତ୍ୟକୁ ସାମନାକୁ ଆଣୁଛି।   ଏହି ଫିଲ୍ମ 5 ମଇରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । 

ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏକ ସର୍ଟ ଟିଜର୍‌ ଜାରି କରାଯାଇଛି । ଯେଉଁଥିରେ କେରଳରେ ହେଉଥିବା ହଜାର ହଜାର ଝଅଙ୍କ ତସ୍କରୀ ଏବଂ ଅବୈଧ ବ୍ୟାପାର ସମ୍ୱନ୍ଧରେ ଦେଖାଯାଇଛି । ଟିଜର ମୁତାବିକ୍‌ ବର୍ତ୍ତମାନ ପର୍ଯ୍ୟନ୍ତ କେରଳରୁ ୩୨ ହଜାରରୁ ଅଧିକ ମହିଳାଙ୍କ ଅପହରଣ ହୋଇଛି । ଏହି ଠାରୁ ହିଁ କେରଳକୁ ଏକ ଇସ୍‌ଲାମିକ୍‌ ରାଜ୍ୟରେ ବଦଳାଇବା ପାଇଁ ଅବିଯାନ ମଧ୍ୟ ଆରମ୍ଭ ହୋଇପାରେ ବୋଲି ଆଶଙ୍କା କରାଯାଉଛି । କେରଳରେ ଏହିପରି ଘଟଣା ଏକ ଦଶକରୁ ମଧ୍ୟ ଅଧିକ ବର୍ଷ ଧରି ଦେଖିବାକୁ ମିଳୁଛି । ଏହା ଉପରେ ଫିଲ୍ମ ନିର୍ମାତା ଲମ୍ୱା ସମୟ ଧରି ରିସର୍ଚ୍ଚ କରିଥିବା କୁହାଯାଉଛି ।

 ତେବେ ଫିଲ୍ମର ଟ୍ରେଲର ଦେଖି କିଛି ଲୋକ ନିଜର ପ୍ରତିକ୍ରିୟାରେ କହିଛନ୍ତି 'ଏହା ହେଉଛି ଏଥର ସବୁଠାରୁ ବଡ ପ୍ରସଙ୍ଗ, ଯାହାକୁ ହାଇଲାଇଟ୍ କରାଯିବା ଉଚିତ୍।' ଜଣେ ଲେଖିଛନ୍ତି, 'ଏହା ଏକ ସତ୍ୟ କାହାଣୀ ଉପରେ ଆଧାରିତ। ତେବେ ମେ ୫ ତାରିଖକୁ ଅପେକ୍ଷା  ୩୨୦୦୦ ହିନ୍ଦୁ ନିରିହ ଯୁବତୀଙ୍କ ଉପରେ ହୋଇଥିବା  ଆଇଏସଆଇର ବର୍ବର କାଣ୍ଡର ହେବ ପର୍ଦ୍ଦାଫାସ୍‌। 

ଘୃଣ୍ୟ ଭାଷଣ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସୁପ୍ରିମକୋର୍ଟ । ରାଜ୍ୟଗୁଡ଼ିକୁ ଦେଲେ ବଡ଼ ନିର୍ଦ୍ଦେଶ


ନୂଆଦିଲ୍ଲୀ, ଘୃଣ୍ୟ ଭାଷଣ ପ୍ରସଙ୍ଗରେ ଆଜି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଦେଶର ଶୀର୍ଷ ଅଦାଲତ ସୁପ୍ରିମକୋର୍ଟ। ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ପୁଲିସକୁ ଘୃଣ୍ୟ ଭାଷଣ ମାମଲା ବିରୋଧରେ ସ୍ୱୟଂଚାଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୨୦୨୨ରେ ଦେଇଥିବା ଆଦେଶର ପରିସରକୁ ସୁପ୍ରିମ୍‌କୋର୍ଟ ଆଜି ବଢ଼ାଇ ଦେଇଛନ୍ତି। ଦେଶରେ ବିଭିନ୍ନ ଜାତି ଓ ଧର୍ମକୁ ନେଇ ଦିଆଯାଉଥିବା ଘୃଣା ସୃଷ୍ଟିକାରୀ ବୟାନ ଉପରେ ଆଜି ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ରେ ସୁପ୍ରିମକୋର୍ଟ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ପୁଲିସ୍‌କୁ ଦେଇଥିବା ନିର୍ଦ୍ଦେଶର ପରିସରକୁ ଆଜି ବୃଦ୍ଧି କରିଛନ୍ତି।

୨୦୨୨ରେ ସର୍ବୋଚ୍ଚ ଅଦାଲତ ଏହି ରାଜ୍ୟର ପୁଲିସ୍‌କୁ ଘୃଣା ସୃଷ୍ଟିକାରୀ ବୟାନ ଉପରେ ନିଜ ଆଡ଼କୁ ପଦକ୍ଷେପ ନେବାକୁ କହିଥିଲେ। ଏବେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟଗୁଡ଼ିକୁ ସମାନ ନିର୍ଦ୍ଦେଶ ଦେଇଛନ୍ତି। ଘୃଣା ସୃଷ୍ଟିକାରୀ ବୟାନ ଉପରେ ଯଦି ବି କେହି ଅଭିଯୋଗ ନ କରୁଛନ୍ତି, ତା ହେଲେ ପୁଲିସ୍‌ ନିଜ ଆଡ଼ୁ ମାମଲା ରୁଜୁ କରିପାରିବ। ମାମଲା ରୁଜୁରେ ବିଳମ୍ବ ହେଲେ, ଏହାକୁ ଅଦଲାତ ଅବମାନନା ଭାବେ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଘୃଣା ସୃଷ୍ଟିକାରୀ ବୟାନକୁ ଅତ୍ୟନ୍ତ ସାଂଘାତିକ ଅପରାଧ ଭାବେ ବିବେଚନା କରି ସର୍ବୋଚ୍ଚ କୋର୍ଟ କହିଛନ୍ତି, ଘୃଣା ସୃଷ୍ଟିକାରୀ ବୟାନ ଦେଶର ଧର୍ମନିରପେକ୍ଷ ଆତ୍ମାକୁ ପ୍ରଭାବିତ କରିବାକୁ ସକ୍ଷମ।

ଘୃଣା ସୃଷ୍ଟିକାରୀ ବୟାନ ଉପରେ କାର୍ଯ୍ୟାନୁଷ୍ଠାନ ଓ ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରି ଏକାଧିକ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ କରିଥିଲେ। ହେଟସ୍ପିଚ୍‌ ବିରୋଧରେ ମହାରାଷ୍ଟ୍ରର ସରକାର ଉପଯୁକ୍ତ ପଦକ୍ଷେପ ନେଇ ନଥିବାରୁ ଅଦଲାତ ଅବମାନନା ମାମଲା ଚଳାଇବାକୁ ଆବେଦନର ଦାବି କରାଯାଇଥିଲା। ଏହାପରେ କୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ। ଆଜି ଜଷ୍ଟିସ କେଏମ ଯୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆମେ ଆଉ ଥରେ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ଧର୍ମରୁ ଉପରେ ରହି ବୟାନ ଦେଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାଦ୍ୱାରା ଭାରତର ଧର୍ମନିରପେକ୍ଷ ସଶକ୍ତ ହୋଇ ରହିବ।


ଏପ୍ରସଙ୍ଗରେ ଆବେଦନକାରୀମାନେ ପ୍ରତ୍ୟେକ ରାଜ୍ୟ ପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବାକୁ ସୁପାରିସ କରିଥିବା ବେଳେ ଖଣ୍ଡପୀଠ ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଲେଖାଏଁ ପରାମର୍ଶ ଦେଇଛନ୍ତି। ଆବେଦନକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ସୋସିଆଲ ମିଡିଆରୁ ଘୃଣ୍ୟ ଭାଷଣ ପ୍ରତ୍ୟାହାର ପାଇଁ ଏକ ପ୍ରକ୍ରିୟା ନିର୍ଦ୍ଧାରଣ କରାଯିବା ଆବଶ୍ୟକ। ଆବେଦନକାରୀ ପ୍ରତି ରାଜ୍ୟ ପାଇଁ ଜଣେ ଲେଖାଏ ନୋଡାଲ ଅଫିସର ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଖଣ୍ଡପୀଠ ପ୍ରତି ଜିଲ୍ଲାରେ ଜଣେ ଲେଖାଏ ନୋଡାଲ ଅଫିସର ନିଯୁକ୍ତି ପାଇଁ ପରାମର୍ଶ ଦେଇଛନ୍ତି। ସୋଶାଲ ମିଡିଆରୁ ଘୃଣା ସୃଷ୍ଟିକାରୀ ବୟାନକୁ ହଟାଇବା ପାଇଁ ମଧ୍ୟ ଗୋଟିଏ ପ୍ରକ୍ରିୟା ସପକ୍ଷରେ ଆବେଦନକାରୀ ଯୁକ୍ତି ରଖିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୨ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। 

ଗିରଫ ହେଲା ଠକ ତାନ୍ତ୍ରିକ ମୌଲାନା କୈଫି ଖାନ୍‌ । ଗୁପ୍ତ ଧନ ବାହାର କରିବ କହି କଟକରୁ ଠକିନେଲା ୬୦ ଲକ୍ଷ


କଟକ, ଧରାପଡ଼ିଲା ଠକ ତାନ୍ତ୍ରିକର ଚାଲ୍‌। ଘରେ ପୋତା ଯାଇଥିବା ଗୁପ୍ତ ଧନ ବାହାର କରିଦେବ କହି ଠକିନେଇଥିଲା ୬୦ ଲକ୍ଷରୁ ଅଧିକ ଟଙ୍କା। ଆଉ ସେହି ଟଙ୍କାରେ ଅୟସ୍‌ କରୁଥିଲା। ଏପରି ଅଭିଯୋଗ ଆସିଛି କଟକରୁ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରିଛି। ଏଥିସହ ତାହାଠାରୁ ଦାମୀ କାର୍‌, ନକଲି ହୀରା, ସୁନା, ରୁପା ଓ ଅନ୍ୟାନ୍ୟ ଷ୍ଟୋନ୍‌ ଜବତ କରିଛି। ସେ ଅନେକ ଲୋକଙ୍କୁ ଏମିତି ଠକିଥିବା ପୁଲିସ୍‌ କହିଛି। ଅଭିଯୋଗ ନେଇ ମୌଲାନା କୈଫି ଖାନ୍‌ଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ସେ କହିଲା, ଗଲତ ହେ କି ସେହି ହେ, ଇସ୍‌କା ଫୈସଲା ଆଲ୍ଲା କରେଗା।

ପୁଲିସ୍‌ର କହିବା ଅନୁସାରେ ତାନ୍ତ୍ରିକ ମୌଲାନା କୈଫି ଖାନ୍‌ ଜଣେ ପେସାଦାର ଠକ। ଗୁଣିଗାରେଡି କରି ଘରୁ ଗୁପ୍ତଧନ ବାହାର କରିଦେବ ବୋଲି କହି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିଲା। ଆଉ ତାର ସେହି ଚାଲରେ ଫସି ଯାଇଥିଲେ ମଙ୍ଗଳବାଗ ଥାନା ଅଞ୍ଚଳର ନୀତୁ(ଛଦ୍ମନାମ)। କଥାବାର୍ତ୍ତା ପରେ ମୌଲାନା ତାଙ୍କ ଘରକୁ ଯାଇଥିଲା। ଅନ୍ଧାର ଘର ଭିତରେ ପୂଜାର୍ଚ୍ଚନା କରୁଥିଲା। ଆଉ ପୂଜାର୍ଚ୍ଚନା ଭିତରେ ନୀତୁଙ୍କ ଅନୁପସ୍ଥିତିରେ ସେ ଘର ଭିତରେ ଗାତ ଖୋଳି ହୀରା ଓ ବ୍ରୋଞ୍ଜ ପରି ଦେଖାଯାଉଥିବା ପଦାର୍ଥକୁ ପୋତି ଦେଉଥିଲା। ତା’ପରେ ପୋତିଥିବା ସ୍ଥାନରେ ନିୟମିତ ଭାବେ ପୂଜା କରୁଥିଲା। ସେହି ଘର ଭିତରକୁ କାହାକୁ ଛାଡ଼ୁ ନଥିଲା।

ପରବର୍ତ୍ତୀ ସମୟରେ ପୂଜା କରି ନୀତୁ ଓ ତାଙ୍କ ପରିବାର ଲୋକଙ୍କ ସମ୍ମୁଖରେ ଘର ଭିତରେ ଖୋଳି ପୋତିଥିବା ହୀରା ଓ ବ୍ରୋଞ୍ଜ ପରି ଦେଖାଯାଉଥିବା ପଦାର୍ଥକୁ ବାହାର କରୁଥିଲା। କିନ୍ତୁ ନୀତୁଙ୍କୁ ସେ ସବୁ ସାମଗ୍ରୀ ଦେଉନଥିଲା। ହାତ ମାରିଲେ ସେହି ପଦାର୍ଥର ହୀରା ଓ ବ୍ରୋଜ ଗୁଣ ନଷ୍ଟ ହୋଇଯିବ ବୋଲି କୈଫି କହୁଥିଲା। ତେଣୁ ଉକ୍ତ ପଦାର୍ଥକୁ ସୁଦ୍ଧି କରିବାକୁ ପଡ଼ିବ। ସେଥିପାଇଁ କୈଫି ପୂଜା କରୁଥିଲା। ଏମିତି ୮ରୁ ୯ ମାସ ଧରି ନୀତୁଙ୍କ ଘରେ କୈଫି ନିୟମିତ ଯାଇ ପୂଜା କରୁଥିଲା। ସେଥିପାଇଁ ପର୍ଯ୍ୟାୟ କ୍ରମେ ସେ ୬୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା। ଆଉ ଗୁପ୍ତ ଧନ ପାଇବା ଆଶାରେ ହାତ ଖୋଲି ଟଙ୍କା ଦେଉଥିଲେ।

ମୌଲାନା କୈଫି ଖାନ୍‌ ବାରମ୍ୱାର ଟଙ୍କା ମାଗୁଥିଲା କିନ୍ତୁ ଗୁପ୍ତ ଧନ ଦେଉନଥିଲା। ଯାହାକୁ ନେଇ ଅତିଷ୍ଠ ହୋଇପଡ଼ିଥିଲେ ନୀତୁ। ତେଣୁ ମୌଲାନାଙ୍କ କାର୍ଯ୍ୟକଳାପ ପ୍ରତି ସନ୍ଦେହ କରିଥିଲେ। ପରେ ସେ ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ପ୍ରଥମେ ମୌଲାନାକୁ ହେପାଜତକୁ ନେଇ ଘନଘନ ପଚରାଉଚରା କରିଥିଲା। ପଚରାଉଚରା ପରେ ପୁଲିସ୍‌ ତାକୁ ଗିରଫ କରିଛି। ପୁଲିସ ମୌଲାନାଠାରୁ ନଗଦ ୨୭୬୦୦୦ ଟଙ୍କା, ଗୋଟିଏ ବୁଲେଟ୍‌, ଦୁଇଟି ଲକ୍‌ଜୁରିୟସ୍‌ କାର୍‌, ୭୦ଟି ନୂଆ ମୋବାଇଲ୍‌, ୨୦ଟି ଦାମି ଘଣ୍ଟା, ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌, ୧୩ଟି ବୀମା ପଲିସି, ହୀରା ଓ ବ୍ରୋଞ୍ଜ ପରି ଦେଖା ଯାଉଥିବା ପଦାର୍ଥ ଏବଂ ଅନ୍ୟାନ୍ୟ ପଦାର୍ଥ ଜବତ କରିଛି।

କଟକ ଡିସିପି ପିନାକୀ ମିଶ୍ରଙ୍କ କହିବା ଅନୁସାରେ ଅଭିଯୁକ୍ତ ଜଣେ ପେଶାଦାର ଠକ। ସେ ମଧୁର କଥା କହି ଲୋକଙ୍କ ମନ କିଣୁଥିଲା। ତା’ପରେ ମନ୍ତ୍ରତନ୍ତ୍ର ବଳରେ ଘରେ ଥିବା ଗୁପ୍ତ ଧନ ବାହାର କରିଦେବ ବୋଲି କହୁଥିଲା। ଠକରେ ସେହି ଚାଲ୍‌ରେ ଲୋକମାନେ ଫସି ଯାଉଥିଲେ। ଠକୁଥିବା ଟଙ୍କାରେ ଗୋଟିଏ ମୋବାଇଲ୍‌ ଦୋକାନ କରିଥିଲା ସେ ଏମିତି ଅନେକ ଲୋକଙ୍କଠାରୁ ଠକିଥିବା ଜଣାପଡ଼ିଛି। କିଛି ଲୋକ ଅଭିଯୋଗ ମଧ୍ୟ କଲେଣି। ଏପରି ବ୍ୟକ୍ତିଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।



ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟାଙ୍କୁ ଗିରଫ କଲା ଇଡି


ନୂଆଦିଲ୍ଲୀ,ଗୋରୁ ଚୋରା ଚାଲାଣ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟାଙ୍କୁ ଗିରଫ କରିଛି। ଏହି ଘଟଣାରେ ଆଜି ସୁକନ୍ୟାଙ୍କୁ ଇଡି ଜେରା ପାଇଁ ଡାକିଥିଲା। ଦୀର୍ଘ ଘଣ୍ଟାର ଜେରା ପରେ ଶେଷରେ ତାଙ୍କୁ ଗିରଫ କରାଯାଇଛି। ଗୋରୁ ଚୋରା ଚାଲାଣ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଯାଞ୍ଚ ବେଳେ ସୁକନ୍ୟା ଏହି ମାମଲାରେ ଜଡ଼ିତ ଥିବା ଜଣାପଡ଼ିଥିଲା। ତାଙ୍କ ନାଁରେ ବିପୁଳ ପରିମାଣର ହିସାବ ବାହାରେ ସମ୍ପତ୍ତି ଓ ବ୍ୟାଙ୍କ ଜମା ରହିଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଇଡି ତାଙ୍କୁ ସମନ କରିଥିଲା। ସେ ଜେରା ବେଳେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଇଡି ତାଙ୍କୁ ଗିରଫ କରିଛି।

ସୁକନ୍ୟା ହେଉଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଗୋଟିଏ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ। ତେବେ ତାଙ୍କ ନାଁରେ ବିପୁଳ ପରିମାଣର ସମ୍ପତ୍ତି ରହିଥିବାରୁ ଇଡି ତାଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ କରିଥିଲା। ଏହାପୂର୍ବରୁ ମଧ୍ୟ ତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜେରା ପାଇଁ ସମନ କରିଥିଲେ ମଧ୍ୟ ସେ ହାଜର ହୋଇ ନଥିଲେ। ହେଲେ ଏଥର ସେ ହାଜର ହେବା ପରେ ତାଙ୍କୁ ଗିରଫ କରାଯାଇଛି। ସୁକନ୍ୟାଙ୍କ ବାପା ଟିଏମସିର ବୀରଭୂମି ଜିଲ୍ଲା ସଭାପତି ଭାବେ କାମ କରୁଥିଲେ। ତାଙ୍କୁ ଗୋରୁ ଚୋରା ଚାଲାଣ ମାମଲାରେ ଇଡି ୨୦୨୨ ନଭେମ୍ବର ୧୭ରେ ଗିରଫ କରିଥିଲା। ଏହାପୂର୍ବରୁ ସମାନ ମାମଲାରେ ସିବିଆଇ ଅନୁବ୍ରତଙ୍କୁ ଗିରଫ କରିଥିଲା।

ହିଂସାଗ୍ରସ୍ତ ସୁଡାନରୁ ୩୬୦ ଭାରତୀୟଙ୍କୁ ଧରି ଦିଲ୍ଲୀରେ ପହଞ୍ଚିଲା ପ୍ରଥମ ବିମାନ


ନୂଆଦିଲ୍ଲୀ, ହିଂସାଗ୍ରସ୍ତ ସୁଡାନରୁ ଭାରତୀୟ ନାଗରିକଙ୍କୁ ସ୍ଵଦେଶ ଆଣିବା ପାଇଁ ଅପରେସନ କାବେରୀ ଜରିଆରେ ବୁଧବାର ୩୬୦ ଭାରତୀୟ ନାଗରିକଙ୍କୁ ଧରି ଜେଦ୍ଦାରୁ ବାହାରିଥିବା ବିମାନ ବୁଧବାର ରାତି ପ୍ରାୟ ୯ଟାରେ ଦିଲ୍ଲୀରେ ପହଞ୍ଚିଛି। ନିଜ ମାଟିରେ ଭାରତୀୟଙ୍କୁ ସ୍ଵାଗତ। ଅପରେସନ କାବେରୀରେ ୩୬୦ ଭାରତୀୟ ନାଗରିକଙ୍କୁ ଧରି ପ୍ରଥମ ବିମାନ ନୂଆଦିଲ୍ଲୀରେ ପହଞ୍ଚିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏଥିସହ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତିୱ

ସୁଡାନରେ ସୁଡାନ ଆର୍ମି ଏବଂ ପାରା ମିଲିଟାରୀ ଗ୍ରୁପ ମଧ୍ୟରେ ସଂଘର୍ଷ ଜାରି ରହିଛି। ସ୍ଥିତି ଉଦବେଗଜଜନକ ରହିଛି। ସେଠାରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ଵଦେଶ ଆଣିବା ପାଇଁ ଭାରତ ସରକାର ଅପରେସନ କାବେରୀ ଆରମ୍ଭ କରିଛନ୍ତି।  ସରକାର କହିଛନ୍ତି, ସୁଡାନରେ ରହୁଥିବା ପ୍ରାୟ ୩୦୦୦ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ଆମର ପ୍ରଥମ ପ୍ରାଥମିକତା।ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଡାନର ସାଂପ୍ରତିକ ସ୍ଥିତିକୁ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ କହିଥିଲେ। ଏହା ପୂର୍ବରୁ ହିଂସାଗ୍ରସ୍ତ ଦକ୍ଷିଣ ଆଫ୍ରିକା ଦେଶ ସୁଡାନର ଦୁଇ ଜେନେରାଲ ୭୨ ଘଣ୍ଟା ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲେ। ଏହି ଅସ୍ତ୍ରବିରତି ଏପ୍ରିଲ ୨୪ ମଧ୍ୟ ରାତ୍ରରୁ ଆରମ୍ଭ ହୋଇ ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ।

ଦେଶରେ ହିଂସା, ଉତ୍ତେଜନା ଏବଂ ଅସୁରକ୍ଷିତ ବିମାନ ବନ୍ଦର କାରଣରୁ ବିଦେଶୀ ନାଗରିକଙ୍କୁ କାଢିବା ମୁସ୍କିଲ ହୋଇଛି। ହିଂସାରେ ଏ ପର୍ଯ୍ୟନ୍ତ ୪୨୭ ଜଣଙ୍କ ମୃତ୍ୟୁ ଘଟି ସାରିଛି ଏବଂ ୩୭୦୦ରୁ ଅଧିକ ଆହତ  ହୋଇଛନ୍ତି। ଏ ପର୍ଯ୍ୟନ୍ତ ସୁଡାନରୁ ବିଭିନ୍ନ ଦେଶର ୪ ହଜାରରୁ ଅଧିକ ନାଗରିକଙ୍କୁ ସୁରକ୍ଷିତ କଢା ଯାଇଛି।

ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟକାରୀ ହେବ ଏଡୁ ଲକର । ପାଇବେ ୟୁନିକ ଆଇଡି


ନୂଆଦିଲ୍ଲୀ, ଏଜୁକେସନ ଇକୋସିଷ୍ଟମ ରେଜିଷ୍ଟ୍ରି ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର। କାର୍ଯ୍ୟକାରୀ ହେବାକୁ ଯାଉଥିବା ନୂତନ ଜାତୀୟ ଶିକ୍ଷାନୀତି ଅନୁସାରେ ଏଣିକି ସରକାର ଦେଶର ସବୁ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଏଜୁକେସନ ଲକର ବା (ଏଡୁ ଲକର)ର ସୁବିଧା ଯୋଗାଇ ଦେବେ। ଏଥିପାଇଁ ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିକ ଆଇଡିର ପ୍ରଚଳନ କରାଯିବ ବୋଲି ସୂଚନା ଦେଇଛନ୍ତି ନ୍ୟାସନାଲ ଏଜୁକେସନ ଟେକ୍ନିକାଲ ଫୋରମ (ଏନଇଟିଏଫ)ର ଅଧ୍ୟକ୍ଷ ଅନିଲ ଡି ସହସ୍ରବୁଦ୍ଧେ।

 ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଧାର ବେସ୍ଡ ୟୁନିକ ଆଇଡି ଦିଆଯିବ। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ମଧ୍ୟ ପଞ୍ଜିକରଣ କରିବେ।  କିଏ ଅସଲି କିଏ ନକଲି, ତାହା ଏହି ଆଇଡି ମାଧ୍ୟମରେ ଜଣା ପଡ଼ିଯିବ। ଜାତୀୟ ଶିକ୍ଷାନୀତି ଅନୁସାରେ ଡିଜି - ଲକର ଭଳି ତିନି ବର୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏଡୁ - ଲକର। ଡ଼ିଆଇସି, ଏନଆଇସି, ଏନଇଟିଏଫ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରୁଛନ୍ତି । ଏଥିରେ ଛାତ୍ରଛାତ୍ରୀଙ୍କ ସମସ୍ତ ଶିକ୍ଷାର ରହିବ ରେକର୍ଡ, ମିଳିବ ଆଇଡ଼ି । ଏଥିରେ ପିଲାଙ୍କ ନାମ, ଫୋନ ନମ୍ବର, ଡିଗ୍ରୀ ବା ସାର୍ଟିଫିକେଟ ଆଦିର ସମସ୍ତ ତଥ୍ୟ ରହିବ ।

ଗୋଟେ ସ୍କୁଲରୁ ଅନ୍ୟ ସ୍କୁଲ ଏବଂ ଗୋଟେ ଶିକ୍ଷାନୁଷ୍ଠାନରୁ ଅନ୍ୟ ଶିକ୍ଷାନୁଷ୍ଠାନକୁ ଗଲେ କୌଣସି ଫର୍ମ ଫିଲପ କରିବାକୁ ପଡ଼ିବନି । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟର ଶିକ୍ଷାନୁଷ୍ଠାନରେ ପାଠ ପଢିବା ସହଜ ହେବ । ବାରମ୍ବାର ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ । ଏପିଆଇ ମାଧ୍ୟମରେ ଅଟୋମେଟିକ ଫର୍ମ ପୂରଣ ହୋଇଯିବ । ସାର୍ଟିଫିକେଟ ହଜିବାର ଭୟ ବି ରହିବ ନାହିଁ । ମେ ମାସ 5 ତାରିଖ ଯାଏ ଏନେଇ ଲୋକଙ୍କଠୁ ପରାମର୍ଶ ନିଆଯାଉଛି। ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଏହା ଲଞ୍ଚ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।ହାଇସ୍କୁଲରୁ କଲେଜ ଯିବା ଲାଗି ମଧ୍ୟ ଆଉ ଭରିବାକୁ ପଡ଼ିବନି ଫର୍ମ । ଛାତ୍ର ଛାତ୍ରୀଙ୍କ ଶୈକ୍ଷିକ ଯାତ୍ରା ସୁଗମ ହେବ ।ସ୍କଲାରସିପ ଠାରୁ ଆରମ୍ଭ କରି ଆଡମିଶନ ସମୟରେ ରିହାତି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ପାଇପାରିବେ ଛାତ୍ରଛାତ୍ରୀ ।

ଏପରିକି  ଗୋଟେ ବିଶ୍ବବିଦ୍ୟାଳୟରୁ ଅନ୍ୟ ଏକ ବିଶ୍ବବିଦ୍ୟାଳୟକୁ ଯିବାକୁ ହେଲେ ଦରକାର ପଡ଼ିବନି ମାଇଗ୍ରେସନ ସାର୍ଟିଫିକେଟ । ଛାତ୍ରଛାତ୍ରୀ ସରକାରୀ ସୁବିଧା ପାଇବା ସହଜ ହେବ ।ଏଥିରେ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନକୁ ମଧ୍ୟ ପଞ୍ଜିକରଣ କରିବାକୁ ପଡ଼ିବ।ଏଡୁ ଲକର ପାଇଁ ଡ୍ରାଫ୍ଟ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇସାରିଛି । ଗତ କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଫେକ୍ ସାର୍ଟିଫିକେଟ ଠାରୁ ଆରମ୍ଭ କରି ନକଲି ଶିକ୍ଷକ ଓ ଡାକ୍ତରଙ୍କ ରାକେଟକୁ ନେଇ ତୁମ୍ଭିତୋଫାନ ହୋଇଥିଲା। ଯେଉଁଥିପାଇଁ ମେଧାବୀ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିବା ସହ ରାଜ୍ୟ ସରକାରଙ୍କ ଅକଲ ଗୁଡୁମ ହୋଇଥିଲା । କିନ୍ତୁ ଏବେ ୟୁନିକ ଆଇଡି ବ୍ୟବସ୍ଥା ଆରମ୍ଭ ହେଲେ ଫେକ୍ ସାର୍ଟିଫିକେଟ କାରଖାନାରେ ତାଲା ଲାଗିବ ବୋଲି ଆଶା କରାଯାଉଛି ।

ସବୁ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି କରି ମାଗିଲେ ବିଭାଗର ହିସାବ । ୨୨ରୁ ଚାଲିବ ‘ସମୀକ୍ଷା’


ଭୁବନେଶ୍ବର, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସବୁ ମନ୍ତ୍ରୀଙ୍କୁ ଚିଠି ଲେଖି ବିଭାଗର ହିସାବ ଦେବାକୁ କହିଛନ୍ତି । ବିଭାଗରେ ୫ଟି ପ୍ରମୁଖ କାର୍ଯ୍ୟକ୍ରମ ସମେତ ଫାଇଭ-ଟି ଓ ମୋ’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଦେବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମେ’ ୨୨ତାରିଖରୁ ମନ୍ତ୍ରୀମାନଙ୍କ ପ୍ରଦର୍ଶନର ସମୀକ୍ଷା ନବୀନ କରିବେ ବୋଲି ଜଣାପଡ଼ିଛି । ତେବେ ପ୍ରତ୍ୟେକ ବିଭାଗର ଟିକିନିଖି କାର୍ଯ୍ୟକୁ ପ୍ରତ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ତୃତୀୟ ମହଲା)ର ଅଫିସରମାନେ ‘ସୁପର ମିନିଷ୍ଟର’ ଭଳି ନିଷ୍ପତ୍ତି ନେଉଥିବାବେଳେ କାଗଜକଲମରେ ଥିବା ମନ୍ତ୍ରୀମାନେ ନିଜ ନିଜ ବିଭାଗର କାର୍ଯ୍ୟ ସମ୍ପର୍କରେ କିଭଳି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି । ସବୁ ବିଭାଗର ସମସ୍ତ କାର୍ଯ୍ୟକୁ ତୃତୀୟ ମହଲା ‘ହାଇଜ୍ୟାକ୍‌’ କରିସାରିଥିବାବେଳେ ପଂଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ନବୀନଙ୍କ ଏହି ସମୀକ୍ଷା ପ୍ରହସନ କେବଳ ଗଣମାଧ୍ୟମରେ ପ୍ରଚାରପ୍ରସାର ପାଇଁ ଉଦ୍ଦିଷ୍ଟ ବୋଲି ପାୱାର କରିଡରରେ ଚର୍ଚ୍ଚା ।

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ସମସ୍ତ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖି ଆସନ୍ତା ମେ’ ୨୯ତାରିଖରେ ପଂଚମ ପାଳି ଶାସନର ଚତୁର୍ଥ ବର୍ଷ ପୂର୍ତ୍ତିି ହେଉଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ୨୦୧୯ ମେ’ ୨୯ତାରିଖରେ ନବଗଠିତ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକରେ ନିର୍ବାଚନ ଇସ୍ତାହାରରେ ରହିଥିବା ସମସ୍ତ ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ଅଗ୍ରାଧିକାର ଭାବେ କାର୍ଯ୍ୟକାରୀ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା । ଖୁବଶୀଘ୍ର ୪ବର୍ଷ ପୂରଣ ହେବାକୁ ଯାଉଛି । ତେଣୁ ମେ’ ୨୨ତାରିଖରୁ ବିଭାଗଗୁଡ଼ିକର ସମୀକ୍ଷା ବିଭାଗୀୟ ସଚିବମାନଙ୍କ ଉପସ୍ଥିତିରେ କରିବେ ବୋଲି ନବୀନ କହିବା ସହ ପ୍ରତ୍ୟେକ ବିଭାଗ ନିଜର ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଅବଗତ କରାଇବେ । ଏହାସହିତ ଫାଇଭ-ଟି ଓ ମୋ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ବି ନବୀନ କହିଛନ୍ତି । ମେ’ ୨୯ତାରିଖରେ ମନ୍ତ୍ରିପରିଷଦର ବୈଠକ ବସିବ ଓ ନିର୍ବାଚନୀ ଇସ୍ତାହାର ଅନୁସାରେ ହାସଲ କରିଥିବା ସଫଳତା ସମ୍ପର୍କରେ ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ନବୀନ କହିଛନ୍ତି । ତା’ପୂର୍ବରୁ ନିଜସ୍ତରରେ ବିଭାଗୀୟ ଅଧିକାରୀମାନଙ୍କ ସହ ବୈଠକ ଡକାଇ ବିଭାଗର ସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ତେବେ ପ୍ରଶ୍ନ ଉଠୁଛି, ନବୀନଙ୍କ ପଂଚମ ପାଳି ସରକାରରେ ‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ’ର ବିନା ଅନୁମତିରେ କୌଣସି ବିଭାଗରେ ପତ୍ରଟିଏ ହଲୁନଥିବା ଓ ମନ୍ତ୍ରୀମାନଙ୍କ ତୁଳନାରେ ତୃତୀୟ ମହଲାର ଅଫିସରମାନେ ‘ସୁପର ମିନିଷ୍ଟର’ ଭଳି ନିଷ୍ପତ୍ତି ନେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକ କେବଳ ଗଣମାଧ୍ୟମରେ ପ୍ରଚାରପ୍ରସାର  ଓ ସାଧାରଣ ଲୋକଙ୍କୁ ଭ୍ରମିତ ପାଇଁ ଉଦ୍ଦିଷ୍ଟ ନୁହେଁ ତ?

ପାୱାର କରିଡରରେ ଚର୍ଚ୍ଚା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଂଟନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ବରିଷ୍ଠ ଓଏଏସ୍ ଓ ଆଇଏଏସ ଅଫିସରମାନେ ସେମାନଙ୍କୁ ଆବଂଟିତ ବିଭାଗର ନିଷ୍ପତ୍ତି ନେଉଛନ୍ତି । ବିଭାଗର ସଚିବମାନେ ବି ନିଷ୍ପତ୍ତି ନେବା ପୂର୍ବରୁ ତୃତୀୟ ମହଲାର ଅନୁମୋଦନ ଲୋଡ଼ୁଛନ୍ତି । ମନ୍ତ୍ରୀମାନଙ୍କ ଭୂମିକା ଓ କ୍ଷମତାକୁ ପରୋକ୍ଷରେ ସମ୍ପୂର୍ଣ୍ଣ ଭାବେ ସଙ୍କୁଚିତ କରିଦିଆଯାଇଛି । ଏହି ଅଫିସରମାନେ ‘ସୁପର ମିନିଷ୍ଟର’ ଭଳି ନିଷ୍ପତ୍ତି ନେଉଥିବାରୁ ନିଜ ନିଜର ପଦବୀ ବଂଚାଇବା ଭୟରେ ମନ୍ତ୍ରୀ ଓ ସଚିବମାନେ ବି ନିରବ ରହୁଛନ୍ତି । ଏପରିକି ଜେଇ,ବିଡିଓ, ବିଭିନ୍ନ ବିଭାଗର ବ୍ଲକ ଓ ଜିଲ୍ଲାସ୍ତରୀୟ ଅଫିସରଙ୍କ ବଦଳିଠୁ ଆରମ୍ଭ କରି ଆଇଏଏସ୍ ଓ ଆଇପିଏସ୍ ବଦଳି, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂକ୍ରାନ୍ତ ନିଷ୍ପତ୍ତି, ଅନୁଦାନ ଆଦି ସମ୍ପର୍କିତ ପ୍ରତ୍ୟେକ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନେଉଛି । ଏହି ଅଫିସରମାନେ ବିଭିନ୍ନ ବିଭାଗର ‘ନୋଡାଲ ଅଫିସର’ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟ କରୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସେମାନେ ‘ସୁପର ମିନିଷ୍ଟର’ ଭଳି କାର୍ଯ୍ୟ କରୁଛନ୍ତି । ‘କିଚକ ବାହୁବଳେ ବିରାଟ ରାଜା’ ଢଙ୍ଗରେ ତୃତୀୟ ମହଲାର ଏହି ‘ନୋଡାଲ ଅଫିସର’ମାନେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଭୟ ଦେଖାଇ ‘ସୁପର ମିନିଷ୍ଟର’ଙ୍କ ଭଳି ବିଭାଗଗୁଡ଼ିକର ନିଷ୍ପତ୍ତି ନେଉଥିବା ଚର୍ଚ୍ଚା ହେଉଛି।

ତେଣୁ ଏଭଳି ସ୍ଥିତିରେ ନବୀନ ନିଜର ମନ୍ତ୍ରୀମାନଙ୍କୁ ଡାକି କ’ଣ ସମୀକ୍ଷା କରିବେ ଓ ସମ୍ପୃକ୍ତ ମନ୍ତ୍ରୀମାନେ ବିଭାଗର କାର୍ଯ୍ୟ ସମ୍ପର୍କରେ କି ତଥ୍ୟ ଉପସ୍ଥାପନ କରିବେ ତାହା ସହଜେ ଅନୁମେୟ । କେବଳ ଧର୍ମକୁ ଆଖିଠାର ଭଳି ମନ୍ତ୍ରୀମାନେ ସମୀକ୍ଷା ବୈଠକରେ ବସି ପ୍ରାୟୋଜିତ ସ୍କ୍ରିପ୍ଟ ଆଧାରରେ କାର୍ଯ୍ୟ କରିବେ ଓ ଆଉ ଗଣମାଧ୍ୟମରେ ନିଜର ଭାବମୂର୍ତ୍ତିକୁ ରକ୍ଷା ପାଇଁ ଉଦ୍ୟମ କରିବେ ବୋଲି ଚର୍ଚ୍ଚା । ପଂଚମପାଳିରେ ନବୀନ ମନ୍ତ୍ରିମଣ୍ଡଳର ପ୍ରଥମ ଅଦଳବଦଳ କରିବାର ଇତିମଧ୍ୟରେ ୧୦ମାସ ବିତିଯାଇଥିଲେ ବି ତାଙ୍କ ମନ୍ତ୍ରିମଣ୍ଡଳରେ ଏଭଳି ୭୦ ପ୍ରତିଶତ ମନ୍ତ୍ରୀ ଅଛନ୍ତି, ଯେଉଁମାନେ ରାଜ୍ୟର ୧୦ଟି ଜିଲ୍ଲାକୁ ବି ବିଭାଗୀୟ କାର୍ଯ୍ୟର ସମୀକ୍ଷା ପାଇଁ ଗସ୍ତ କରିନଥିବେ । ଏଥିରୁ ମନ୍ତ୍ରୀମାନଙ୍କ ଅସହାୟତା ଜଳଜଳ ହୋଇ ଜଣାପଡ଼ୁଛି ।

କାହାର ସମୀକ୍ଷା କେଉଁ ଦିନ?

ମେ’ ୨୨- ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କୃଷି, ମତ୍ସ୍ୟପଶୁସମ୍ପଦ)

୧୧ଟା ୪୫ମିନିଟ୍‌- ନିରଞ୍ଜନ ପୂଜାରୀ(ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ)

ମେ’ ୨୩- ପୂର୍ବାହ୍ନ ୧୧ଟା -ପ୍ରଫୁଲ୍ଲ ମଲ୍ଲିକ(ପୂର୍ତ୍ତ)

୧୧ଟା ୪୫ମିନିଟ୍‌- ପ୍ରଦୀପ କୁମାର ଅମାତ(ଜଙ୍ଗଲ ଓ ପରିବେଶ)

ଅପରାହ୍ନ ୫ଟା-ଅତନୁ ସବ୍ୟସାଚୀ ନାୟକ( ଖାଦ୍ୟଯୋଗାଣ, ସମବାୟ)

ମେ’ ୨୪ - ପ୍ରଦୀପ କୁମାର ଅମାତ୍ (ପଂଚାୟତିରାଜ)

୧୧ଟା୪୫ମିନିଟ- ଟୁକୁନି ସାହୁ(ବାଣିଜ୍ୟ ଓ ପରିବହନ)

ଅପରାହ୍ନ ୫ଟା- ରୀତା ସାହୁ( ହସ୍ତତନ୍ତ ଓ ବୟନଶିଳ୍ପ)

ମେ’ ୨୫- ଟୁକୁନି ସାହୁ( ଜଳସମ୍ପଦ)

୧୧ଟା ୪୫ମିନିଟ- ରୋହିତ ପୂଜାରୀ(ଉଚ୍ଚଶିକ୍ଷା)

ଅପରାହ୍ନ ୫ଟା- ରାଜେନ୍ଦ୍ର ଢ଼ୋଲକିଆ(ଯୋଜନା ଓ ସଂଯୋଜନ)

ମେ’ ୨୬- ଉଷା ଦେବୀ( ଗୃହନିର୍ମାଣ ଓ ନଗର ଉନ୍ନୟନ)

ଅପରାହ୍ନ ୫ଟା - ତୁଷାରକାନ୍ତି ବେହେରା(ଇଲେକ୍ଟ୍ରୋନିକ୍ସ ଆଣ୍ଡି ଆଇଟି)

ମେ’ ୨୭- ବାସନ୍ତୀ ହେମ୍ବ୍ରମ(ମିଶନ ଶକ୍ତି)

ପ୍ରୀତିରଞ୍ଜନ ଘଡ଼େଇ( ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା)

ଶ୍ରୀକାନ୍ତ ସାହୁ( ଶ୍ରମ ଓ ଇଏସଆଇ)

ମେ’ ୨୯ - ପ୍ରୀତିରଞ୍ଜନ ଘଡ଼େଇ (ଗ୍ରାମ୍ୟ ଉନ୍ନୟନ)

ସମୀର ରଞ୍ଜନ ଦାଶ(ସ୍କୁଲ ଓ ଗଣଶିକ୍ଷା)

ମେ’ ୩୦- ଜଗନ୍ନାଥ ସାରକା( ଅନୁସୂଚିତ ଜାତି ଓ ଜନଜାତି)

ପ୍ରମିଳା ମଲ୍ଲିକ(ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ)

ମେ’ ୩୧- ତୁଷାରକାନ୍ତି ବେହେରା( କ୍ରୀଡ଼ା ଓ ଯୁବବ୍ୟାପାର)

ବାସନ୍ତୀ ହେମ୍ବ୍ରମ(ମହିଳା ଓ ଶିଶୁ ବିକାଶ)

ଅପରାହ୍ନ ୫ଟା- ପ୍ରତାପ କେଶରୀ ଦେବ(ଶକ୍ତି)

ଜୁନ୍ ୧- ପ୍ରତାପ କେଶରୀ ଦେବ(ଶିଳ୍ପ,ଏମଏସଏମଇ)

ଅଶ୍ୱିନୀ କୁମାର ପାତ୍ର (ପର୍ଯ୍ୟଟନ ଓ ସଂସ୍କୃତି)

ଅଶୋକ ଚନ୍ଦ୍ର ପଣ୍ଡା (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ)

ପାକିସ୍ତାନକୁ ଘାରିଲାଣି ଭୟ । ଭାରତ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କରିଦବନି ତ ?


ନୂଆଦିଲ୍ଲୀ, ଗତ ୨୦ ତାରିଖରେ ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତର ୫ ଜଣ ସେନା ଯବାନ ସହିଦ ହୋଇଥିଲେ । ଏହି ଘଟଣାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ଭାରତ ସରକାରଙ୍କ ଉପରେ ପ୍ରବଳ ଚାପ ରହିଛି । ଏଣୁ ଭାରତ ପୁଣି ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିପାରେ ବୋଲି ପାକିସ୍ତାନରେ ଆଲୋଚନା ହେଉଛି ।ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ (ଭାରତରେ ଅବସ୍ଥାପିତ ପାକିସ୍ତାନର ପୂର୍ବତନ ଉଚ୍ଚାୟୁକ୍ତ) ଅବଦୁଲ ବାସିତ ଏକ ଭିଡିଓରେ କହିଛନ୍ତି ଯେ, “ବର୍ତ୍ତମାନ ପାକିସ୍ତାନର ଲୋକମାନେ ଭାରତର ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ କିମ୍ବା ଏୟାର ଷ୍ଟ୍ରାଇକ୍ ବିଷୟରେ ଆଲୋଚନା କରୁଛନ୍ତି ଓ ଏହାକୁ ନେଇ ଆଶଙ୍କାରେ ଅଛନ୍ତି । 

କିନ୍ତୁ ମୁଁ ଭାବୁଛି ସେମାନେ ବର୍ତ୍ତମାନ ଏହା କରିବେ ନାହିଁ କାରଣ ସେମାନେ ଚଳିତ ବର୍ଷ ଏସସିଓ ବୈଠକ ଏବଂ ଜି-୨୦ ଅଧ୍ୟକ୍ଷତା କରୁଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷ ନିର୍ବାଚନ ସମୟରେ ଭାରତ ଏହାକୁ ପୁଣି ଥରେ କରିପାରିବ ଏବଂ ଏହା ଭାରତରେ ନିର୍ବାଚନ ପୂର୍ବରୁ ହୋଇପାରେ । ଅବଦୁଲ ବାସିତ ପୁଞ୍ଚରେ ହୋଇଥିବା ଭୟଙ୍କର କାର୍ଯ୍ୟକୁ ଯଥାର୍ଥ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ, ଯେଉଁଥିରେ ୫ ଜଣ ସେନା ଯବାନ ସହିଦ ହୋଇଥିଲେ। ଯିଏ ଏପରି କରିଛି, ମୁଜାହିଦ୍ଦିନ ହେଉ କି ଅନ୍ୟ କେହି, ସେମାନେ ସାଧାରଣ ନାଗରିକଙ୍କୁ ନୁହେଁ, ସେନାକୁ ଟାର୍ଗେଟ କରିଛନ୍ତି। ସେମାନେ ଏକ ବୈଧ ସଂଗ୍ରାମରେ ନିୟୋଜିତ ଅଛନ୍ତି। ପାକିସ୍ତାନର ଏହି ପୂର୍ବତନ କୂଟନୀତିଜ୍ଞ ଆହୁରି ମଧ୍ୟ କହିଛନ୍ତି ଯେ  ପାକିସ୍ତାନର ଶକ୍ତି କଣ ତାହା ଭାରତ ଜାଣେ । 

ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣିରୁ ଓହରିଗଲେ ଗୁଜରାଟ ହାଇକୋର୍ଟ ବିଚାରପତି


ନୂଆଦିଲ୍ଲୀ, ମୋଦୀ ସାଂଗିଆ ପ୍ରତି ଅପମାନସୂଚକ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣି ପାଇଁ  ଗୁଜରାଟ ହାଇକୋର୍ଟର ନିଯୁକ୍ତ ଖଣ୍ଡପୀଠରୁ ଜନୈକ ବିଚାରପତି ଓହରି ଯାଇଛନ୍ତି। ସେ ନିଜକୁ ଏହି ମାମଲାର ଶୁଣାଣି କରିବାରୁ ପ୍ରତ୍ୟାହାର କରିନେଇଛନ୍ତି। ଜଷ୍ଟିସ୍‌ ଗୀତା ଗୋପୀ କୋର୍ଟ ରେଜିଷ୍ଟ୍ରିକୁ ଏହି ମାମଲାକୁ ଅନ୍ୟ ଖଣ୍ଡପୀଠକୁ ହସ୍ତାନ୍ତର କରିବା ପାଇଁ କହିଛନ୍ତି। ଏଥିସହ ସେ ଏ ନେଇ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରି ରାହୁଲଙ୍କ ଆବେଦନକୁ ଫେରାଇ ଦେଇଛନ୍ତି।

ଅପରାଧିକ ମାନହାନୀ କେସରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ବଡ଼ ଖବର ଆସିଛି। ଗୁଜରାଟର ତଳ କୋର୍ଟ ରାହୁଲଙ୍କ ବିରୋଧରେ ଦେଇଥିବା ରାୟକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହେଲେ ତାଙ୍କ ଆବେଦନର ଶୁଣାଣି କରିବାକୁ ଥିବା ବିଚାରପତି ଏବେ ନିଜ ଆଡ଼ୁ ଏହି ମାମଲାରୁ ଓହରି ଯାଇଛନ୍ତି। ରାହୁଲ ଗାନ୍ଧି ଗୁଜରାଟ ହାଇକୋର୍ଟରେ ଆବେଦନ କରିବା ପରେ ଜଷ୍ଟିସ ଗୋପୀଙ୍କ ଖଣ୍ଡପୀଠରେ ଶୁଣାଣି ପାଇଁ ଏହାକୁ ଧାର୍ଯ୍ୟ କରାଯାଇଥିଲା। ହେଲେ ସେ କୋର୍ଟ ରେଜିଷ୍ଟ୍ରୀକୁ ନିର୍ଦ୍ଦେଶ ଦେଇ ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ମୁଖ୍ୟ ବିଚାରପତି ଆଉ କେଉଁ ଖଣ୍ଡପୀଠରେ ଆବେଦନର ଶୁଣାଣି ପାଇଁ ଏହାକୁ ତାଲିକା ଭୁକ୍ତ କରିପାରିବେ। ଜଷ୍ଟିସ ଗୋପୀ ଏହାର ଶୁଣାଣି କରିବାକୁ ଚାହୁଁ ନଥିବା କହିଛନ୍ତି। ହେଲେ ଏହା ପଛର କାରଣ ସମ୍ପର୍କରେ ସେ କିଛି ବି କହି ନାହାନ୍ତି। 

ଗତକାଲି ହିଁ ରାହୁଲ ଗାନ୍ଧି ତଳ କୋର୍ଟ ମୋଦି ସରନେମ ପ୍ରସଙ୍ଗରେ ଦେଇଥିବା ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତଳ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାରୁ ତାଙ୍କ ସାଂସଦ ପଦ ରଦ୍ଦ ହୋଇଛି। ସେହିପରି ସେ ତାଙ୍କ ସରକାରୀ ବଙ୍ଗଳା ମଧ୍ୟ ଖାଲି କରି ଦେଇଛନ୍ତି। ହେଲେ ଏବେ ସେ ତଳ କୋର୍ଟଙ୍କ ରାୟ ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଛନ୍ତି। ଯଦି କୋର୍ଟ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବେ, ତା ହେଲେ ସେ ସାଂସଦ ପଦ ଫେରିପାଇବାକୁ ସକ୍ଷମ ହେବେ। ୨୦୧୯ ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି କହିଥିଲେ ଯେ କେମିତି ସମସ୍ତ ଚୋରଙ୍କ ସରନେମ ମୋଦି?

ବାସ୍‌ ଏହି ବୟାନକୁ ନେଇ ବିଜେପି ଆଟାକିଂ ମୋଡକୁ ଆସିଥିଲା। ରାହୁଲ ଗାନ୍ଧି ଓବିସମାନଙ୍କୁ ଅପମାନିତ କରିଥିବା ଦଳ ଅଭିଯୋଗ କରିଥିଲା। ଏଥିସହ ଗୁଜରାଟ ବିଜେପି ନେତା ପୁର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାହୁଲ ଗାନ୍ଧିଙ୍କ ନାଁରେ ଅପରାଧିକ ମାନହାନୀ କେସ୍‌ କରିଥିଲେ। ମାଜିଷ୍ଟ୍ରେଟ କୋର୍ଟ ଏହାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ସେ ଏହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଜାମିନ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଦୁଇ ବର୍ଷ ଜେଲ୍‌ ଦଣ୍ଡ ପାଇବା ପରେ ଗତ ମାସରେ ସାଂସଦରୁ ଅଯୋଗ୍ୟ ଘୋଷଣା ହୋଇଥିବା ଶ୍ରୀ ଗାନ୍ଧିଙ୍କ ଦଣ୍ଡାଦେଶ ରଦ୍ଦ କିମ୍ବା ସ୍ଥଗିତ ନ ହେଲେ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇ ପାରିବ ନାହିଁ। ଏଥିସହ ଆସନ୍ତା ୮ ବର୍ଷ ପର୍ଯ୍ୟନ୍ତ ସେ ନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ। ତେବେ ନିମ୍ନ ଅଦାଲତଙ୍କ ସହ ସହମତି ପ୍ରକାଶ କରି ସୁରଟ ସେସନ୍‌ସ କୋର୍ଟ ବିଚାରପତି କହିଥିଲେ ଯେ ଶ୍ରୀ ଗାନ୍ଧିଙ୍କ ଭଳି ଜଣେ ବ୍ୟକ୍ତିଙ୍କଠାରୁ ଉଚ୍ଚମାନର ନୈତିକତା ଆଶା କରାଯାଉଛି। ସେସନ୍‌ସ କୋର୍ଟ ରାହୁଲଙ୍କ ଆବେଦନକୁ ଗତକାଲି ଖାରଜ କରିବା ପରେ ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେବାକୁ ବିରୋଧ କଲା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ


ନୂଆଦିଲ୍ଲୀ, ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସରକାରଙ୍କୁ ବାର କାଉନସିଲ୍ ଅଫ୍ ଇଣ୍ଡିଆର ସମର୍ଥନ ମିଳିଛି । ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେବାକୁ ବିରୋଧ କରିଛି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ । ବିସିଆଇ ରବିବାର ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ଦେବାକୁ ବିରୋଧ କରି ଏକ ପ୍ରସ୍ତାବ ପାରିତ କରିଛି । ଏଥିରେ ବାର କାଉନସିଲ୍ ଅଫ ଇଣ୍ଡିଆ କହିଛି ଯେ ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିବା ପରେ ଦେଶର ମୂଳ ଭାବନା ଉପରେ ଖରାପ ପ୍ରଭାବ ପଡ଼ିବ । ଏଥିପାଇଁ ଆମେ ଏହାକୁ ବିରୋଧ କରୁଛୁ । ପ୍ରସ୍ତାବରେ ସମସ୍ତ ଓକିଲ ଦେଶରେ ସମଲିଙ୍ଗୀ ବିବାହ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଏହାର ପ୍ରସ୍ତାବରେ କହିଛି ଯେ ଏହି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ଯେ ସମଲିଙ୍ଗୀ ବିବାହର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ବିଭିନ୍ନ ସାମାଜିକ-ଧାର୍ମିକ ଗୋଷ୍ଠୀକୁ ସାମିଲ କରି ବିସ୍ତୃତ ପରାମର୍ଶ ପ୍ରକ୍ରିୟା ପରେ ସମାଧାନ କରାଯାଉ ।

ବିସିଆଇ ଅଧ୍ୟକ୍ଷ ଆଇନଜୀବୀ ମନନ କୁମାର ମିଶ୍ର ପାରିତ ପ୍ରସ୍ତାବ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ବାର କାଉନସିଲ ଅଫ୍ ଇଣ୍ଡିଆର ସମସ୍ତ ପ୍ରତିନିଧିଙ୍କ ମତରେ ଭାରତ ପରି ଦେଶରେ ସମଲିଙ୍ଗୀ ବିବାହକୁ ଆମେ ମାନ୍ୟତା ଦେଇପାରିବୁ ନାହିଁ । ଏହାଦ୍ୱାରା ଆମ ମୂଳ ଗଠନ ଉପରେ ଖରାପ ପ୍ରଭାବ ପକାଇବ । ସେ କହିଛନ୍ତି ଯେ ଏହାର ବିରୋଧରେ ଆମେ ସୁପ୍ରିମକୋର୍ଟରେ ଆଇଏ ଫାଇଲ କରିବୁ । ଆମେ ସୁପ୍ରିମକୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରିବୁ ଏବଂ ଏହାକୁ ବିରୋଧ କରିବୁ। ୯୯.୯ ପ୍ରତିଶତରୁ ଅଧିକ ଲୋକ ସମଲିଙ୍ଗୀ ବିବାହକୁ ବିରୋଧ କରୁଛନ୍ତି | ସୂଚନା ଥାଉ କି ଯେ ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ ଜଣିଆ ସମ୍ବିଧାନ ବେଞ୍ଚ ସମଲିଙ୍ଗୀ ବିବାହ ମାମଲାର ଶୁଣାଣିକୁ ମୁଲତବି ରଖିଥିଲେ । ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାର ଥିବା ବେଳେ ୨ ଜଣ ବିଚାରପତିଙ୍କ ଅସୁସ୍ଥତା କାରଣରୁ ସୋମବାର ଏହାର ଆଉ ଶୁଣାଣି ହୋଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦାବି କରି ସୁପ୍ରିମକୋର୍ଟରେ ୧୫ ଯାଚିକା ଦାଖଲ ହୋଇଛି । ଏଥିରେ କୁହାଯାଇଛି ଯେ ଆଇନଗତ ମାନ୍ୟତା ନଥିବା କାରଣରୁ ସମଲିଙ୍ଗୀ ଯୋଡି ନିଜ ଅଧିକାର ଉପଯୋଗ କରିପାରନ୍ତି ନାହିଁ । ଚିକିତ୍ସା ସହମତି, ପେନସନ, ପୋଷ୍ୟ ସନ୍ତାନ କିମ୍ୱା କ୍ଲବ ସଦସ୍ୟତା ସହ ଅଧିକାର ଉପଯୋଗ କରିପାରନ୍ତି ନାହିଁ । ଯାହା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି । କେନ୍ଦ୍ର ସରକାର ମଧ୍ୟ ଏହି ଯାଚିକାକୁ ବିରୋଧ କରିଛନ୍ତି ।

ପାଦ୍ରୀଙ୍କ କଥାକୁ ବିଶ୍ୱାସ କରିବା ହେଲା କାଳ  । ସ୍ୱର୍ଗପ୍ରାପ୍ତି ପାଇଁ ଉପବାସ କରି ଚାଲିଗଲା ୨୯ଜଣଙ୍କର ଜୀବନ

ସାଇ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଉପବାସ କରିବା ଫଳରେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ପାଦ୍ରୀ ଜଣଙ୍କ ଏହି ଲୋକମାନଙ୍କୁ ଉପଦେଶ ଦେଇଥିଲେ କି ଯଦି ସେମାନେ ଉପବାସ କରିବା ସହ ଆତ୍ମହତ୍ୟା କରନ୍ତି ତେବେ ସେମାନଙ୍କୁ ଜନ୍ନତା ବା ସ୍ୱାର୍ଗପ୍ରାପ୍ତି ହେବ । ଏହି ଖବର ପ୍ରଚାରିତ ହେବା ପରେ ପୋଲିସ ଏବେ ଶବଗୁଡିକୁ କବର ତଳୁ ଉଦ୍ଧାର କରିଛି ।ଆଫ୍ରିକୀୟ ଦେଶ କେନିୟାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା ।

ସୂଚନା ମୁତାବକ ଗୁଡ ନ୍ୟୁଜ୍ ଇଣ୍ଟରନ୍ୟାସନାଲ ଚର୍ଚର ପାଦ୍ରୀ ଏହି ଲୋକମାନଙ୍କୁ କହିଥିଲେ କି, ଯଦି ସେମାନେ ଉପାସ ରହି ଆତ୍ମହତ୍ୟା କରିବେ ତେବେ ସେମାନଙ୍କର ଭେଟ ଜିଶୁଙ୍କ ସହ ହେବ ଓ ସେମାନଙ୍କ ଆତ୍ମା ସ୍ୱର୍ଗପ୍ରାପ୍ତି ହେବ । ଏହାପରେ ୨୯ଜଣ ଲୋକ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଉପବାଶ କରିବା ସହ ଆତ୍ମହତ୍ୟା କରିଥିଲେ ।ଏନେଇ କେନିୟା ପୋଲିସକୁ ସୂଚନା ମିଳିବା ପରେ ଏବେ ପୋଲିସ କବର ଭିତରୁ ଶବଗୁଡିକୁ ୩ଦିନ ହେବ ଉଦ୍ଧାର କରିବାରେ ଲାଗିଛି । ସେପଟେ କବର ଭିତରୁ ଗୋଟିଏ ପରିବାରର ୫ଜଣ ଲୋକଙ୍କ ଶବ ମିଳିବା ପରେ ଏହାକୁ ନେଇ କେନିୟାରେ ଉଦବେଗ୍ ପ୍ରକାଶ ପାଇଛି । 

ପୋଲିସ ଏପର୍ଯ୍ୟନ୍ତ ମୋଟ ୬୫ଟି କବର ଖୋଳି ସାରିଲାଣି । ୨୯ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଆହୁରି ଅନେକ ଲୋକଙ୍କ ମୃତଦେହ ଉଦ୍ଧାର ହୋଇପାରେ ବୋଲି ପୋଲିସ ଆଶଂକା କରିଛି । ସବୁଠାରୁ ଭୟଙ୍କର କଥା କି କିଛି ଶିଶୁଙ୍କ ଶବ ମଧ୍ୟ ଉଦ୍ଧାର ହୋଇଛି । ଅନ୍ୟପଟେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପାଦ୍ରୀ ପଲ ମୈକେଂଜଙ୍କୁ ପୋଲିସ ଗିରଫ କରିଛି । ପାଦ୍ରୀ ଜଣଙ୍କ ନିଜକୁ ନିର୍ଦ୍ଦୋଷ କହିବା ସହ ସେ ଲୋକମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ନଥିବା କଥା ବାରମ୍ବାର କରୁଛନ୍ତି ।

ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ବ୍ରାହ୍ମଣ ସମାଜ ପକ୍ଷରୁ ବାଇକ ଶୋଭାଯାତ୍ରା


ବିନିକା,ଆଜି ହେଉଛି ପର୍ଶୁରାମ ଜୟନ୍ତୀ । ପର୍ଶୁରାମ ଜୟନ୍ତୀକୁ ବିନିକା ଠାରେ ବ୍ରାହ୍ମଣ ସମାଜ ପକ୍ଷରୁ ମହା ଆଡମ୍ବରରେ ପାଳନ କରାଯାଇଛି । ବିନିକା ବ୍ଲକର ପ୍ରତ୍ୟେକ ଗ୍ରାମରୁ ବ୍ରାହ୍ମଣ ସମାଜର ବ୍ୟକ୍ତି ମାନଙ୍କୁ ପପକ୍ଷୟ ଘାଟ ଠାରେ ଫୁଲ ଚନ୍ଦନ ଦେଇ ପ୍ରଥମେ ସ୍ବାଗତ କରାଯାଇଥିଲା । ପରେ ପର୍ଶୁରାମଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ପୂଜାର୍ଚ୍ଚନା କରଯାଇଥିଲା । ବିନିକା ବ୍ଳକର ହଜାର ହାଜର ବ୍ରାହ୍ମଣ ସମାଜର ବ୍ୟକ୍ତି ପାପକ୍ଷୟ ଘାଟ ଠାରୁ ଏକ ବାଇକ ଶୋଭାଯାତ୍ରା କରାଯାଇଥିଲା । ପାପକ୍ଷୟ ଘାଟ ଠାରୁ ବାଇକ ଶୋଭାଯାତ୍ରା ଆରମ୍ଭ ହୋଇ ବିନିକା ସହର, ଡଭଲା,ଗଣେଶପୂର୍,ଅରିଗାଁ ରୁ ଘୋଡାଧାର ପର୍ଯ୍ୟନ୍ତ କରାଯାଇଥିଲା । ଏହି ବାଇକ ଶୋଭାଯାତ୍ରାରେ ବ୍ଲକର ହଜାର ହଜାର ବ୍ରାହ୍ମଣ ସମାଜର ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

ଉଦ୍‌ଘାଟିତ ହେଲା ବିଜେଡିର ସ୍ଥାୟୀ କାର୍ଯ୍ୟାଳୟ ‘ଶଙ୍ଖଭବନ’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର,ଉଦ୍‌ଘାଟନ ହେଲା ଶଙ୍ଖ ଭବନ । ଅକ୍ଷୟ ତୃତୀୟାରେ ଗୃହ ପ୍ରବେଶ କରିଲା ବିଜେଡି। ଉଦଘାଟନ ହେଲା ବିଜେଡିର ସ୍ଥାୟୀ କାର୍ଯ୍ୟାଳୟ ଶଙ୍ଖ ଭବନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଘରେ ଘରେ ପରିଚିତ ଏହି ଦଳ । ଲୋକଙ୍କ ସୁଖ ଓ ଦୁଃଖର ସାଥୀ ହୋଇଛି ବିଜୁ ଜନତା ଦଳ । ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡି଼ଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସଫଳତା ହାସଲ କରି ଆସନ୍ତା କାଲିରୁ ଭୁବନେଶ୍ୱରର ଏକ ନୂତନ ବିଳାସପୂର୍ଣ୍ଣ ବିଲ୍ଡିଂରୁ ଶାସକ ବିଜୁ ଜନତା ଦଳ କାର୍ଯ୍ୟ କରିବାକୁ ଯାଉଛି।

ରବିବାର ଦିନ ଅର୍ଥାତ୍ ଅକ୍ଷୟ ତୃତୀୟାର ଶୁଭ ଅବସରରେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ  ବିଜେଡିର ନବୀକରଣ ହୋଇଥିବା ପାର୍ଟି କାର୍ଯ୍ୟାଳୟ ବିଜୁ ଜନତା ଦଳ 'ଶଙ୍ଖ ଭବନ' ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଓଡି଼ଶାର ସମୃଦ୍ଧ କଳା ଓ ସଂସ୍କୃତି ପ୍ରଦର୍ଶନ କରୁଥିବା ଚମତ୍କାର ପଥର କାର୍ଯ୍ୟରେ ସଜ୍ଜିତ ହୋଇ ଭୁବନେଶ୍ୱରର ୟୁନିଟ୍-୬ ଏରିଆ ଅଞ୍ଚଳରେ ସମାନ ସ୍ଥାନରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି।

ଶଙ୍ଖ ଭବନରେ ଏହାର ତଳ ମହଲା ତଳେ ଏକ ବଡ଼ ପାର୍କିଂ ସ୍ଥାନ ଅଛି ଯେଉଁଥିରେ ତିନି ମହଲା କୋଠା ନିର୍ମାଣ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଏୟାର କଣ୍ଡିସନର ସଜ୍ଜିତ ପ୍ରଥମ ମହଲାରେ ଦୁଇ ହଜାର ଲୋକଙ୍କ କ୍ଷମତା ବିଶିଷ୍ଟ ଏକ ସମ୍ମିଳନୀ ହଲ୍ ରହିଛି। ୨୫୦ ସିଟ୍ ବିଶିଷ୍ଟ ଅଡିଟୋରିୟମ୍ ଏବଂ ଏକ କ୍ୟାଣ୍ଟିନ ମଧ୍ୟ ରହିଛି। ପ୍ରଥମ ମହଲାରେ ଏକ ସାମ୍ବାଦିକ ସମ୍ମିଳନୀ ହଲ୍ ମଧ୍ୟ ଅଛି ଯାହା ମିଡିଆ ବ୍ୟକ୍ତିବିଶେଷଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଅଛି। ତେବେ ଦଳୀୟ କାର୍ଯ୍ୟାଳୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ । ହେଲେ ରିପୋର୍ଟ ଅନୁଯାୟୀ, ଏହି ପ୍ଲଟ ପାଇଁ ଦଳ ୧୨.୩୮ କୋଟି ଟଙ୍କା ଦେଇଛି। 

ପାର୍ଟିର ଉପରିସ୍ଥ ଅଧିକାରୀଙ୍କ ପାଇଁ ଦ୍ୱିତୀୟ ମହଲାରେ ଥିବା ବିଲଡିଂ ଭିତରେ ଅଫିସ୍ ପାଇଁ ସେମାନଙ୍କର ବ୍ୟକ୍ତିଗତ ସ୍ଥାନ ରହିବ । ଏହି ଉଦ୍ଦେଶ୍ୟରେ ପ୍ରାୟ ୩୦ଟି କୋଠରୀ ନିର୍ମାଣ କରାଯାଇଛି। ଏହି ଚଟାଣରୁ ଆଇଟି ସେଲ୍ ମଧ୍ୟ ପରିଚାଳିତ ହେବ । ପାର୍ଟିର ସଭାପତି ନବୀନ ପଟ୍ଟନାୟକ  ତାଙ୍କ ଦଳର ଉପରିସ୍ଥ ନେତା ଓ ନେତ୍ରୀ ମାନଙ୍କୁ ତାଙ୍କ କାର୍ଯ୍ୟାଳୟରୁ ନବନିର୍ମିତ କୋଠାର ତୃତୀୟ ମହଲାରୁ ନିର୍ଦ୍ଦେଶ ଦେବେ। ଉଲ୍ଲେଖଯୋଗ୍ୟ ଯେ ବିଜେଡି ପାର୍ଟି କାର୍ଯ୍ୟାଳୟର ନବୀକରଣ ପାଇଁ ୨୦୨୧ ମସିହା ରଥଯାତ୍ରା ସମୟରୁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଆସନ୍ତାକାଲି ଉଦ୍‌ଘାଟନୀ ସମାରୋହରେ ପାର୍ଟିର ଅନେକ ବଡ ନେତା, ନେତ୍ରୀ ଏବଂ ପର୍ଯ୍ୟବେକ୍ଷକ ଯୋଗଦେବେ । 

ଭଗବାନଙ୍କ ସରଣ ପଶି ଗୁରୁଦ୍ୱାରରେ ପ୍ରବଚନ ଦେଉଥିଲା ଅମୃତପାଲ। ଗିରଫ ଗିରଫ କଲା ପୋଲିସ


ନୁଆଦିଲ୍ଲୀ,ବେଶ କିଛି ଦିନର ଲୁଚକାଳି ଖେଳ ପରେ ଶେଷରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍‌ ସିଂପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ପଳାତକ ଅମ୍ରୁତପାଲ ସିଂ ଆତ୍ମସମର୍ପଣ କରିବା ପରେ ଅମୃତପାଲଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୩୬ ଦିନ ପରେ ଫେରାର ଥିବା ଅମ୍ରୁତପାଲକୁ ଶେଷରେ ବାନ୍ଧିଛି ପୋଲିସ। ଗତ ମାର୍ଚ୍ଚ ୧୮ ତାରିଖରୁ ସେ ଫେରାର ଥିଲା । ରବିବାର ସକାଳେ ପଞ୍ଜାବର ମୋଗା ପୋଲିସ ପାଖରେ ଆତ୍ମସପର୍ମଣ କରିଥିଲା । ପରେ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି ।

ପୋଲିସ ସୂଚନା ମୁତାବକ, ରବିବାର ମୋଗା ଜିଲ୍ଲାର ରୋଡ ଭିଲେଜ ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାରକୁ ଯାଇଥିଲା । ସେଠାରେ ଭଗବାନଙ୍କ ସରଣ ପଶିବା ସହ ପ୍ରବଚନ ଦେଉଥିଲା ଅମୃତପାଲ । ଗୁରୁଦ୍ୱାରରୁ କେହି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସେଠାରେ ପହଞ୍ଚିବା ପରେ ଅମୃତପାଲ ଆତ୍ମସମତ୍ପଣ କରିଥିଲା । ପରେ ପୋଲିସ ତାଙ୍କୁ ଗିରଫ କରିଛି । ଅମ୍ରୁତପାଲକୁ ଆସାମର ଡିବ୍ରୁଗଡ଼କୁ ନିଆଯିବା ନେଇ ସୂଚନା ମିଳିଛି । ସେଠାରେ ତାଙ୍କର ଅନ୍ୟ ୮ ଜଣ ଘନିଷ୍ଠ ସହଯୋଗୀ ଗିରଫ ହୋଇ ଏନଆଇଏ ହେପାଜତରେ ଅଛନ୍ତି । ଅମ୍ରୁତପାଲ ଫେରାର ହେବା ପରେ ତାଙ୍କର ଏହି ସହଯୋଗୀଙ୍କୁ ଜାତୀୟ ସୁରକ୍ଷା ଆକ୍ଟ ଅନୁସାରେ ସମସ୍ତଙ୍କୁ ଗିରଫ କରାଯାଇଥିଲା । ଅମ୍ରୁତପାଲଙ୍କୁ  ସେଠାରେ ଏନଆଇଏ  ଜେରା କରିବ ବୋଲି ସୂଚନା ମିଳିଛି । ଖଲିସ୍ତାନୀ-ପାକିସ୍ତାନୀ ଏଜେଣ୍ଟ କୁହାଯାଉଥିବା ଅମ୍ରୁତପାଲ ଗତ କିଛି ବର୍ଷ ହେବ ପଞ୍ଜାବରେ ସକ୍ରିୟ ଥିଲେ । ପଞ୍ଜାବର ଖଲିସ୍ତାନୀ ସଙ୍ଗଠନ ‘ୱାରିସ ପଞ୍ଜାବ ଦେ’ନେତୃତ୍ୱଭାର ଗ୍ରହଣ କରିବା ସହ ଆତଙ୍କରାଜ ଚଳାଇଥିଲେ । ଗତ ମାର୍ଚ୍ଚରେ ଅମୃତପାଲକୁ ଗିରଫ କରିବାକୁ ପୋଲିସ ଯାଇଥିବା ବେଳେ ପୋଲିସକୁ ଚକମା ଦେଇ ସେ ଫେରାର ହୋଇଯାଇଥିଲେ ।

ପତ୍ନୀଙ୍କ କଥା ଭାବି ଡରିଯାଇଥିଲା ଅମ୍ରିତପାଲ ସିଂହ
ମାସେରୁ ଅଧିକ ଦିନ ଧରି ଫେରାର ଥିବା ଅମ୍ରିତପାଲ ଗତ ଗୁରୁବାର ଠାରୁ ବେଶ୍ ଚାପରେ ରହିଥିଲା। କାରଣ ସେହିଦିନ ତା’ ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ବିମାନବନ୍ଦରରେ କଷ୍ଟମ ଅଧିକାରୀମାନେ ଅଟକ ରଖି ପଚରାଉଚରା କରିଥିଲେ। କିରଣଦୀପ କୌର ଲଣ୍ଡନ ପଳାଇବାକୁ ପ୍ରୟାସ କରୁଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିଲା ଓ ସେଠାକୁ ଯିବାକୁ ଅନୁମତି ଦିଆଯାଇ ନଥିଲା। କାରଣ ଅମ୍ରିତପାଲର ପରିବାରର ସମସ୍ତ ସଦସ୍ୟଙ୍କ ସହିତ ବନ୍ଧୁବାନ୍ଧବଙ୍କୁ ଦେଶ ଛାଡ଼ି ନଯିବା ପାଇଁ ପୂର୍ବରୁ ନୋଟିସ ଜାରି କରାଯାଇଥିଲା।କିରଣଦୀପ କୌର ବ୍ରିଟେନର ନାଗରିକ। ଭାରତରେ ରହିବା ପାଇଁ ତାଙ୍କ ଭିସାର ବୈଧତା ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ରହିଛି। କିନ୍ତୁ ତା’ପୂର୍ବରୁ ସେ ଭାରତ ଛାଡ଼ି ଚାଲିଯିବାକୁ ଚାହୁଁଥିଲେ। କିରଣଦୀପଙ୍କ ଉପରେ ପଞ୍ଜାବ ପୁଲିସ ମଧ୍ୟ ନଜର ରଖିଥିଲା। ଯଦିଓ କିରଣଦୀପଙ୍କ ନାଁରେ ପଞ୍ଜାବରେ କିମ୍ବା ଦେଶର ଅନ୍ୟ କୌଣସି ସ୍ଥାନରେ ମାମଲା ନାହିଁ ବା ସ୍ୱାମୀ ଅମ୍ରିତପାଲଙ୍କ କାର୍ଯ୍ୟରେ ତାଙ୍କର କିଛି ଭୂମିକା ଥିବାର ପ୍ରମାଣ ନାହିଁ, ତଥାପି ତାଙ୍କୁ ପୁଲିସ ଗିରଫ କରିପାରେ ବୋଲି ଅମ୍ରିତପାଲ ସବୁବେଳେ ଭୟ କରୁଥିଲା।

ପତ୍ନୀ କିରଣଦୀପ କୌର ପଞ୍ଜାବରେ ରହିଯାଇଥିବାରୁ ଅମ୍ରିତପାଲ ଦେଶରୁ ଫେରାର ହୋଇଯିବାକୁ ଚାହୁଁନଥିଲା। ସେ ଭୟ କରୁଥିଲା ଯେ ଯଦି ସେ ଦେଶ ଛାଡ଼ି ପଳାଇବ, ତା’ହେଲେ ତାକୁ ଫେରାର କରାଇବାରେ ସାହାଯ୍ୟ କରିବା ଅଭିଯୋଗରେ ପୁଲିସ୍ କିରଣଦୀପ କୌରଙ୍କୁ ଗିରଫ କରି ଦେବ। ସେଥିପାଇଁ କୁଆଡ଼େ ଅମ୍ରିତପାଲ ସିଂହ ଚାହୁଁଥିଲା ଯେ ସେ ଦେଶ ଛାଡ଼ିବା ପୂର୍ବରୁ ତା’ ପତ୍ନୀ କିରଣଦୀପ କୌର ଦେଶ ଛାଡ଼ି ପଳାନ୍ତୁ। ହେଲେ ତାହା ସମ୍ଭବ ହୋଇପାରିଲା ନାହିଁ। ୩ ଦିନ ତଳେ କିରଣଦୀପଙ୍କୁ ବିମାନବନ୍ଦରରେ ଅଟକ ରଖି ପଚରାଉଚରା କରାଯିବା ପରଠୁ ଅମ୍ରିତପାଲ ସିଂହ ଅଧିକ ଡରି ଯାଇଥିଲା। ପତ୍ନୀଙ୍କୁ ପୁଲିସ୍ ଗିରଫ କରି ଦେବ ବୋଲି ଭାବି ସେ ଡରି ଯାଇଥିଲା। ଏହି କାରଣ ପାଇଁ ସେ ଆତ୍ମସମର୍ପଣ କରିଥାଇପାରେ ବୋଲି କୁହାଯାଉଛି। କିନ୍ତୁ ପଞ୍ଜାବ ପୁଲିସ ଆତ୍ମସମର୍ପଣ କଥାକୁ ଖଣ୍ଡନ କରିଛନ୍ତି। ଅମ୍ରିତପାଲ ସିଂହକୁ ଯୋଜନାବଦ୍ଧ ଭାବେ ଗିରଫ କରାଯାଇଥିବା ପଞ୍ଜାବ ପୁଲିସ ପକ୍ଷରୁ କୁହାଯାଇଛି।

କ’ଣ ରହିଛି ମାମଲା?
ଖଲିସ୍ତାନୀ-ପାକିସ୍ତାନୀ ଏଜେଣ୍ଟ ଭାବେ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ବେଆଇନ ଭାବେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଣୁଥିବା ନେଇ ଗୁଇନ୍ଦା ବିଭାଗ କହିଛି। ଗୁପ୍ତଚରଙ୍କ ସହାୟତାରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଣିଥାଏ ଅମୃତପାଲ। ଅମୃତପାଲ ପଞ୍ଜାବକୁ ଦୁଇ ଭାଗ କରିବାକୁ ଷଡ଼ଯନ୍ତ୍ର ରଚିଛି। ସାମ୍ପ୍ରଦାୟିକ ଦଙ୍ଗା କରି ଖଲିସ୍ଥାନୀ ଭାବେ ନୂଆ ଦେଶ ଗଠନ ଲକ୍ଷ୍ୟ। ଯୁବପିଢିଙ୍କୁ ବନ୍ଧୁକ ଧରିବାକୁ ଅମୃତପାଲ ଉସୁକାଉଥିବା ଅଭିଯୋଗ ରହିଛି। ବିଦେଶରୁ ବେଆଇନ ଭାବେ ଟଙ୍କା ଆଣି ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗ। ଜାତୀୟ ସୁରକ୍ଷା ଆକ୍ଟରେ ଅମୃତପାଲଙ୍କ ବିରୋଧରେ ମାମଲା ରହିଛି। ଅମ୍ରୁତପାଲଙ୍କ ୮ ଘନିଷ୍ଠ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି। ସେମାନଙ୍କ ବିରୋଧରେ ମଧ୍ୟ ଜାତୀୟ ସୁରକ୍ଷା ଆକ୍ଟରେ ମାମଲା ରହିଛି। ଅମୃତପାଲଙ୍କ ସହଯୋଗୀଙ୍କୁ ଥାନାରୁ ଜୋରଜବଦସ୍ତି ନେଇଆସିଥିଲେ। ତାଙ୍କର ଶତାଧିକ ସମର୍ଥକ ଖଣ୍ଡା, ବନ୍ଧୁକ ଧରି ଆତଙ୍କରାଜ ଖେଳାଇଥିଲେ।

ଅତିକ ଓ ଅସ୍ରଫଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ କି ନହିଁ ବିଧାନସଭା ବିଜନେସ୍ ଆଡଭାଇଜରି କମିଟି ନେବେ ନିଷ୍ପତ୍ତି


ଲକ୍ଷ୍ନୌ ,ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ୫ ଥର ବିଧାୟକ ଥିଲେ। ବିଧାନସଭାରେ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅସ୍ରଫ ଓରଫ ଖାଲିଦ ଆଜମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ କି ନା ତାହା ଏବେ ଚର୍ଚ୍ଚାର ବିଷୟ । ତାଙ୍କ ଭାଇ ଅସ୍ରଫ ମଧ୍ୟ ବିଧାନସଭା ସଦସ୍ୟ ଥିଲେ। ତେବେ ସେମାନଙ୍କର ହତ୍ୟା ହୋଇଯାଇଥିବା ବେଳେ ବିଧାନସଭାରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ କି ନା ସେ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ତେବେ ଏ ନେଇ ବିଧାନସଭା ବିଜନେସ୍ ଆଡଭାଇଜରି କମିଟି ନିଷ୍ପତ୍ତି ନେବେ ବୋଲି ବାଚସ୍ପତି ସତୀଶ ମହାନା କହିଛନ୍ତି। ପାରମ୍ପରିକ ରୂପେ ବିଧାନସଭାର ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିବଙ୍ଗତ ସଦସ୍ୟମାନଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ। 

ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଅତିକ ଅହମ୍ମଦଙ୍କୁ ଏକ ଅପହରଣ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଅତିକ ଅହମ୍ମଦ ଏଲହାବାଦ ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳିରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିବା ବେଳେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଫୁଲପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଏଲହାବାଦ ପଶ୍ଚିମରୁ ୩ ଥର ସ୍ୱାଧୀନ ବିଧାୟକ ଥିଲେ। ତେବେ ୧୯୯୬ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତି ୨୦୦୨ ନିର୍ବାଚନରେ ସେ ଆପନା ଦଳ ଟିକେଟ୍‌ରେ ତାଙ୍କ ଆସନ ସୁରକ୍ଷିତ ରଖିଥିଲେ। ବହୁଜନ ସମାଜପାର୍ଟିର ତତ୍କାଳୀନ ବିଧାୟକ ରାଜୁ ପାଲଙ୍କ ହତ୍ୟା ପରେ ସେହି ଆସନରୁ ତାଙ୍କ ଭାଇ ଅସ୍ରଫ ୨୦୦୫ରେ ସପା ଟିକେଟରେ ସେହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ତେବେ ଗତ ଏପ୍ରିଲ ୧୫ ତାରିଖ ରାତିରେ ଏକ ମାମଲାର ଯାଞ୍ଚରେ ଅତିକ ଓ ଅସ୍ରଫ ପୋଲିସ କଷ୍ଟଡିରେ ଥିବା ବେଳେ ଆତତାୟୀ ସେମାନଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ତେବେ ସେମାନଙ୍କୁ ବିଧାନସଭାର ଆଗାମୀ ଅଧିବେଶନରେ ଶ୍ରଦ୍ଧାଞ୍ଜଳି ଦିଆଯିବ କି ନା ସେ ନେଇ ବାଚସ୍ପତିଙ୍କୁ ପଚରା ଯାଇଥିଲା।  ହେଲେ ଏହା ଏକ ବିରଳ ଦୃଷ୍ଟାନ୍ତ ବୋଲି ଉତ୍ତରପ୍ରଦେଶ ବିଧାନସଭା ସୂତ୍ର କହିଛି। ତେବେ ବିଧାନସଭାର ଜନୈକ ସଦସ୍ୟ ଏହା ଏକ ଶ୍ରଦ୍ଧାଞ୍ଜଳି ସନ୍ଦର୍ଭ ବୋଲି କହିଛନ୍ତି। ଯାହା ସଦନର ଦିବଙ୍ଗତ ସଦସ୍ୟଙ୍କ ଲାଗି କରାଯାଇଥାଏ।

ଏହା ସଂସଦୀୟ ପରମ୍ପରାର ଏକ ଅଂଶ । ଏ ବିଷୟରେ ନା ସମ୍ବିଧାନରେ ଉଲ୍ଲେଖ ଅଛି ନା କୌଣସି ଆଇନରେ। ଏଣୁ ଏହା ବିଶୁଦ୍ଧ ରୂପେ ସଂସଦୀୟ ପରମ୍ପରା ରୂପେ ପାଳନୀୟ ହେବା କଥା ବୋଲି ବିଧାୟକ କହିଛନ୍ତି। ତେବେ ଅତିକ ଅହମ୍ମଦଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଦଣ୍ଡିତ ମଧ୍ୟ କରିଛନ୍ତି। ତେବେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ବିଧାନସଭା ଅଧ୍ୟକ୍ଷ ନେବେ ବୋଲି ସାମ୍ବିଧାନିକ ବିଷୟରେ ବିଶେଷଜ୍ଞ ତଥା ଲୋକସଭାର ପୂର୍ବତନ ମହାସଚିବ ସୁଭାଷ ସି. କଶ୍ୟପ କହିଛନ୍ତି।

ସହିଦ ଦେବାଶିଷ ବିଶ୍ବାଳଙ୍କ ପରିବାରକୁ ପଚିଶ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର, ଜାମ୍ମୁ କାଶ୍ମୀରର ପୁଞ୍ଝଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଜାମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବନ ଦେବାଶିଷ ବିଶ୍ବାଳଙ୍କ ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସହିଦ୍ ଦେବାଶିଷ ବିଶ୍ଵାଳଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚିଶ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସହିଦ ଦେବାଶିଷ ବିଶ୍ବାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଏହାଫଳରେ ୫ ଜଣ ଯବାନ ସହିଦ ହୋଇଯାଇଥିଲେ। ନିହତ ଯବାନଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ପୁଅ। ସେ ହେଲେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଢାୟତସାହିର ଦେବାଶିଷ ବିଶ୍ବାଳ(୨୮ ବର୍ଷ)।

ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ବଡ଼ପୁଅ ଦେବାଶିଷ ପ୍ରାୟ ୧୦ ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିଲେ। ୨୦୨୨ ମସିହା ମେ ମାସ ୪ ତାରିଖରେ ତାଙ୍କର ସୁଶ୍ରୀସଙ୍ଗୀତା ବିଶ୍ବାଳଙ୍କ ସହ ବିବାହ ହୋଇଥିଲା ଓ ସେମାନଙ୍କର ଏକ ଛୋଟ ଝିଅ ଅଛି। ଆତଙ୍କବାଦୀ ଆକ୍ରମଣରେ ଦେବାଶିଷଙ୍କ ଆକସ୍ମିକ ମୃତ୍ୟୁଖବର ତାଙ୍କର ଜଣେ ସାଙ୍ଗ ପରିବାରକୁ ଖବର ଦେବାପରେ ଗ୍ରାମରେ ଶୋକର ଲହରି ଖେଳିଯାଇଛି। ପରିବାରରେ କାନ୍ଦବୋବାଳି ପଡ଼ିଯାଇଥିବା ବେଳେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି।

ଯୋଗୀ ଆକ୍ସନରେ ଥରହର ଦୁର୍ଦାନ୍ତ ଅପରାଧୀ। ୟୁପି ଅପରାଧୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ଓଡ଼ିଶା


ଭୁବନେଶ୍ବର, ଉତ୍ତରପ୍ରଦେଶ ପ୍ରୟାଗରାଜରେ ଅତିକ ଅହମ୍ମଦ ଓ ତା ଭାଇ ଅସ୍ରଫର ହତ୍ୟା ପରେ ନୂଆ ନୂଆ ଆଶ୍ଚର୍ଯ୍ୟଜନକ ଘଟଣା ସବୁ ସାମ୍ନାକୁ ଆସୁଛି। ୟୁପି ପୋଲିସର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଗୁଡ୍ଡୁ ମୁସଲିମ୍ । ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୁଡ୍ଡୁ ମୁସଲିମ । ୟୁପି ଏସଟିଏଫ ପକ୍ଷରୁ ଅନେକ ଲୋକଙ୍କ ଉପରେ ନଜର ରଖା ଯାଇଛି ଓ ଲଗାତାର ତଲାସୀ ଅଭିଯାନ ମଧ୍ୟ ଚଳାଯାଉଛି। ଉମେଶ ପାଲ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କ ସନ୍ଧାନରେ ସ୍ଥାନେ ସ୍ଥାନେ ଚଢଉ କରାଯାଉଛି। ଆତତାୟୀଙ୍କ ଗୁଳିରେ ଟଳିବା ପୂର୍ବରୁ ଦୁର୍ଦ୍ଦାନ୍ତ ମାଫିଆ ଡନ୍ ଆତିକର ମୁହଁରେ ଶେଷ ନାଁ ଥିଲା ଗୁଡ୍ଡୁ ମୁସଲିମ୍ । ଆତିକର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମ୍ । ୟୁପି ପୋଲିସର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଗୁଡ୍ଡୁ ମୁସଲିମ୍ । ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୁଡ୍ଡୁ ମୁସଲିମ । ଗୁଡ୍ଡୁ ମୁସଲିମ ନାଁରେ ରହିଛି ଦୁଇ ଡର୍ଜନରୁ ଅଧିକ ସଙ୍ଗୀନ ମାମଲା । 

ବୋମା ଭିଡ଼ିବା ଠାରୁ ନେଇ ଅପହରଣ, ହତ୍ୟା ଭଳି ମାଳ ମାଳ ସାଙ୍ଘାତିକ ଅଭିଯୋଗ ଅଛି ତା ବିରୋଧରେ । ଏବେ ଗୁଡ୍ଡୁ ମୁସଲିମର ଶେଷ ଲୋକେସନ ଠାବ ହୋଇଛି ଓଡ଼ିଶାରେ । ଉତ୍ତରପ୍ରଦେଶ STF ଗୁଡ୍ଡୁ ମୁସଲିମର ଶେଷ ମୋବାଇଲ ଫୋନ୍ ଲୋକେସନ ପୁରୀରେ ଠାବ କରିଥିବା ଜଣାପଡ଼ିଛି । ଗୁଡ୍ଡୁ ପୁରୀରେ ରହି ଉତ୍ତରପ୍ରଦେଶରେ ନିଜ ଅପରାଧ ନେଟୱର୍କ ପରିଚାଳନା କରୁଥିବା ଜଣାପଡ଼ିଛି । 

କେବଳ ଗୁଡ୍ଡୁ ମୁସଲିମ ନୁହେଁ ଅନେକ ବାହୁବଳୀ ଡନଙ୍କ ନିରାପଦ ସ୍ଥାନର ଠିକଣା ହେଉଛି ଓଡିଶା । ଓଡ଼ିଶାରେ ରହି ନିଜ ଅପରାଧ ସାମ୍ରାଜ୍ୟକୁ ଅନାୟସରେ ପରିଚାଳନା କରୁଛନ୍ତି ବାହାର ରାଜ୍ୟର ମୋଷ୍ଟ ୱାଣ୍ଟେଡ କ୍ରିମିନାଲ । ଆଉ ଏହି ଅପରାଧିକଙ୍କ ଟେର୍ ପାଉନି ରାଜ୍ୟ ଗୁଇନ୍ଦା ବିଭାଗ । ଜାତୀୟସ୍ତରରେ ବାରମ୍ବାର ନିନ୍ଦିତ ହେଉଛି ଓଡ଼ିଶା ପୋଲିସ । ରାଜ୍ୟ ପୋଲିସଙ୍କ ପାରିବା ପଣିଆ ନେଇ ପୁଣି ଉଠିଲା ପ୍ରଶ୍ନ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନରେ ଥରହର ହାର୍ଡକୋର ଅପରାଧୀଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି ଓଡ଼ିଶା । 

ଏହି ହତ୍ୟାକାଣ୍ଡର ତଦନ୍ତରେ ଏସଟିଏଫ ପ୍ରାୟ ୫ ହଜାରରୁ ଅଧିକ ମୋବାଇଲ ଫୋନକୁ ସର୍ଭିଲାନ୍ସରେ ରଖିଥିଲା। ଏଥିରୁ ଏବେ ୩ ହଜାର ଫୋନ ସ୍ୱିଚ୍‌ ଅଫ ହୋଇଯାଇଛି। ଫୋନଗୁଡିକ ଅଚାନକ ସ୍ୱିଚ୍‌ ଅଫ ହେବାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ ଏଥିଯୋଗୁ ତଦନ୍ତରେ ବାଧା ଉପୁଜିଛି। କୁହାଯାଉଛି ବନ୍ଦ ହୋଇଥିବା ଅନେକ ନମ୍ବର ଅତିକ୍‌ର ନିକଟ ସମ୍ପର୍କୀୟମାନଙ୍କର। ଏଣୁ ଏସଟିଏଫ ତଦନ୍ତରେ ସେମାନେ ଆତଙ୍କିତ ହୋଇପଡିଛନ୍ତି ଓ ତଦନ୍ତ ଯେପରି ସେମାନଙ୍କ ଦ୍ୱାରକୁ ନ ପହଞ୍ଚି ଯାଏ ସେଥିଲାଗି ଲୋକେ ଫୋନ ସ୍ୱିଚ୍‌ ଅଫ କରିଦେଇଛନ୍ତି। 

ଆଜି ନୁହେଁ ଗତି କିଛି ବର୍ଷର ଅପରାଧିକ ଟ୍ରାକ ରେକର୍ଡ ଏହା ସ୍ପଷ୍ଟ ଭାବେ ଭାବେ ବୟାନ କରୁଛି । ୨୪ ଜାନୁଆରୀ ୨୦୦୮ରେ  ମାଫିଆ ଡନ୍ ବ୍ରିଜେଶ ସିଂକୁ ଦିଲ୍ଲୀର ସ୍ପେଶାଲ ସେଲ୍ ରାଜଧାନୀ ଭୁବନେଶ୍ବରରୁ ଗିରଫ କରିଥିଲା । ସେହିପିର ନିସିଦ୍ଧ ସଂଗଠନ ସିମିର 4 ସଦସ୍ୟ ୨୦୧୬ ମସିହାରେ ରାଉରକେଲାରୁ ସେଣ୍ଟ୍ରାଲ ସ୍ପେଶାଲ ଫୋର୍ସ ଦ୍ବାରା ଗିରଫ ହୋଇଥିଲେ । ଅନ୍ୟ ଏକ ଘଟଣାରେ ୨୦୧୪ରେ ଆତଙ୍କବାଦୀ ସଙ୍ଗଠନ ଇଣ୍ଡିଆନ ମୁଜାହିଦ୍ଦିନର ସ୍ଲିପିଂ ସେଲ୍ ଲିଙ୍କରେ ଏକାସାଙ୍ଗରେ ରାଜ୍ୟର କଟକ, ଭୁବନେଶ୍ବର ଓ ପୁରୀରେ ଚଢ଼ାଉ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । 

ସେହିଭଳି ସାଲେପୁରରୁ ଅବଦୁଲ ରେହେମାନ୍ କୁ ପାକିସ୍ଥାନର ଆତଙ୍କବାଦୀ ସଙ୍ଗଠନ ଲିଙ୍କ୍ ଓ ବେଆଇନ ମଦ୍ରାସା ଚଳାଇ ଦେଶ ବିରୁଦ୍ଧରେ କୋମଳମତି ଶିଶୁ ମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ଅଭିଯୋଗରେ ଗିରଫ କରିଥିଲା "ର"। ଏହିସବୁ  ଘଟଣା ପରେ ରାଜ୍ୟ ସରକାରଙ୍କ ପୁଲିସ, ଗୁଇନ୍ଦା ବିଭାଗ ଏବେ କାଠ ଗଡାରେ । ଦେଶ ବିରୋଧି ତତ୍ତ୍ଵ ହଉ କି ଅନ୍ୟ ରାଜ୍ୟ ମାନଙ୍କର ମୋଷ୍ଟ୍ ୱାଣ୍ଟେଡ ମାଫିଆ ଡନ ମାନେ ଆଇନ ଫାଶରୁ ବଞ୍ଚିବା ପାଇଁ ଓଡ଼ିଶାକୁ ସୁରକ୍ଷିତ ସ୍ଥାନ ଭାବେ ବାଛୁଛନ୍ତି। ଯାହା ରାଜ୍ୟ ପୋଲିସର ପରିବାପଣିଆ ଏବଂ ଓଡ଼ିଶା ଗୃହ ବିଭାଗର ଅପାରଗତାକୁ ପ୍ରମାଣିତ କରୁଛି । 

ଶ୍ରୀମନ୍ଦିର ହଜିଥିବା ୨ଟି ଫାଇଲ ମିଳିଯାଇଛି ଓ ଏହା ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା : ଆଇନ ବିଭାଗ


ଭୁବନେଶ୍ବର,ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂକ୍ରାନ୍ତ ୨ଟି ଫାଇଲ୍ ହଜିବା ଘଟଣାରେ ଆଜି ରାଜ୍ୟ ଆଇନ ବିଭାଗ ସ୍ପଷ୍ଟୀକରଣ ଦେଇଛି । ହଜିଥିବା ୨ଟି ଫାଇଲ ମିଳିଯାଇଛି ଓ ଏହା ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା ବୋଲି ବିଭାଗ କହିଛି । ଏହି ଫାଇଲ ହଜିବା ଘଟଣାରେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସହ ଜଡ଼ିତ ୨ଟି ଫାଇଲ ହଜିଯିବା ଘଟଣାକୁ ନେଇ ଗତ ୪ଦିନ ଧରି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି ଆଇନ ବିଭାଗ ପକ୍ଷରୁ ବିଳମ୍ବିତ ରାତ୍ରିରେ ସ୍ପଷ୍ଟୀକରଣ ଜାରି ହୋଇଛି । 

ଆଇନ ବିଭାଗ କହିଛି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ୨ଟି ପୁରୁଣା ଫାଇଲ ନମିଳିବା ବା ହଜିଯାଇଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ସରକାରଙ୍କ ନଜରକୁ ଆସିଛି । ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହି ୨ଟି ପୁରୁଣା ରୁଟିନ୍ ଫାଇଲ୍ ବହୁ ପୁରୁଣା ହୋଇଥିବା ଯୋଗୁ ଏବଂ ପୁରୁଣା ଫାଇଲରେ ମିଶି ଯାଇଥିବାରୁ ଏହାକୁ ଖୋଜିବା ଅତ୍ୟନ୍ତ କଠିନ ଥିଲା । ଏହି ଉଭୟ ଫାଇଲକୁ ଖୋଜିବା ପାଇଁ ସମସ୍ତ ଉପବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ, ଏହି ଦୁଇଟି ଫାଇଲ ମିଳିଯାଇଛି ଓ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଏହା ଏକ ସାଧାରଣ ଫାଇଲ୍ ଥିଲା ଓ ଏହା ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା ବୋଲି ଆଇନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ଯଦି ଏହା ପୁରୁଣା ଫାଇଲ୍ ସହ ମିଶିଯାଇଥିଲା ଓ ହଜିନଥିଲା ତା’ହେଲେ ସରକାର ପ୍ରତିକ୍ରିୟା ଦେବା ପାଇଁ କାହିଁକି ୪ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ । ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପରେ ବି ଚୁପ୍ ଥିବା ସରକାର ଆଜି ବିଜେପି ପକ୍ଷରୁ ଥାନାରେ ଏତାଲା ପରେ ମୁହଁ ଖୋଲିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ସହ ଜଡ଼ିତ ଫାଇଲ ହଜିଯାଇଥିବା ନେଇ ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ନିଜେ ସ୍ୱୀକାର କରିଥିଲେ ।

ସୂଚନାଯୋଗ୍ୟ,ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ କେଉଁଠି ରହିଛି ତାକୁ ପ୍ରାଥମିକତା ଭିତ୍ତିରେ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଓ ଠାବ କରିବାକୁ ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ନିଜ ବିଭାଗ ଅଧୀନସ୍ଥ ସମସ୍ତ ଶାଖାକୁ ଚିଠି ଲେଖି ଅବଗତ କରାଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ରିପୋର୍ଟ ଦାଖଲ ନିମନ୍ତେ ଏହି ଦୁଇଟି ଫାଇଲର ଆବଶ୍ୟକତା ରହିଥିବାରୁ ପ୍ରାଥମିକତା ଭିତ୍ତିରେ ତାକୁ ଖୋଜିବାକୁ ସେ ଅନୁରୋଧ କରିଛନ୍ତି । ଜଗନ୍ନାଥ ମନ୍ଦିର ପ୍ରଶାସନ ସେକ୍ସନରେ ଦୁଇଟି ଫାଇଲ ଯଥା- ଜେଟିଏ-୫୫/୨୦୦୬(ପିଟି) ଓ ଜେଟିଏ-୦୬/୨୦୧୪ ଏବେ ମିଳୁନି । ତେଣୁ ବିଭାଗର ସମସ୍ତ ସେକ୍ସନରେ ଏହି ଦୁଇ ଫାଇଲକୁ ଖୋଜିବାକୁ ଓ ଯଦି ନଥିବ ତାହା ଜଣାଇଲେ ପରବର୍ତ୍ତୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାନ୍ତି ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ।

ମୋଦୀଙ୍କ ବିରୋଧରେ ପ୍ରଶ୍ନ ଉଠାଇ ଫସିଗଲେ ସତ୍ୟପାଲ । ପୁରୁଣା କଶ୍ମୀର ମାମଲାରେ ସମନ କଲା CBI


ନୂଆଦିଲ୍ଲୀ, ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ଅନ୍ୟ ୪ଟି ରାଜ୍ୟରେ ବିଜେପି ଦ୍ୱାରା ନିଯୁକ୍ତ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସମନ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଉଲ୍ଲେଖଯୋଗ୍ୟ, ନିକଟରେ ବରିଷ୍ଠ ସାମ୍ବାଦିକ କରଣ ଥାପରଙ୍କ ସହ ଏକ ବିସ୍ଫୋରକ ସାକ୍ଷାତକାରରେ ଜାତୀୟ ନିରାପତ୍ତା ଏବଂ ଦୁର୍ନୀତି ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟ ବିଷୟରେ ଅନେକ ଖୁଲାସା କରିଥିଲେ ସତ୍ୟପାଲ ମଲ୍ଲିକ। ଏହି ସାକ୍ଷାତକାର ପ୍ରସାରିତ ହେବା ପରେ ଏବେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାଙ୍କୁ ଡକାଇଛି। ଏପ୍ରିଲ ୨୮ରେ ସେ ସିବିଆଇ ପ୍ରଶ୍ନର ଉତ୍ତର ଦେବାକୁ ସେ ନୂଆଦିଲ୍ଲୀସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଯିବେ।

ବିଶ୍ୱସ୍ତସୂତ୍ରରୁ ଜାଣିବାକୁ ମିଳିଛି ଯେ  ରିଲାଏନ୍‌ସ ଇନସ୍ୟୁରାନ୍‌ସର ପ୍ରସ୍ତାବିତ ଦୁଇଟି ‌ଯୋଜନାର ଫାଇଲ ଅନୁମୋଦନ କରିବା ଲାଗି ତାଙ୍କୁ ୩୦୦ କୋଟିର ଲାଞ୍ଚ ଯଚା ଯାଇଥିଲା ବୋଲି ସତ୍ୟପାଲ୍ ପ୍ରକାଶ କରିଥିଲେ। ଏହି ଯୋଜନାକୁ ଆରଏସ୍ଏସ୍ ଏବଂ ବିଜେପି ନେତା ରାମ ମାଧବ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ସମୟରେ ପାରିତ କରିବାକୁ ମଲ୍ଲିକଙ୍କ ଉପରେ ଚାପ ପକାଉଥିଲେ ଏବଂ ଯାହାକୁ ମଲ୍ଲିକ ବାତିଲ କରିଥିଲେ। ବର୍ତ୍ତମାନ ଏହି ମାମଲାର ତଦନ୍ତ ଲାଗି ସିବିଆଇ ତାଙ୍କୁ ସମନ କରିଛି।

ଗତ ଏପ୍ରିଲ ୧୪ ତାରିଖରେ ମଲ୍ଲିକ କରଣ ଥାପରଙ୍କୁ ଏକ ବିସ୍ଫୋରକ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ସେ ଏହି ଚୁକ୍ତି ବିଷୟରେ ବିଶେଷ ଭାବେ କହିଥିଲେ। ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ନେତା ରାମ ମାଧବ ତତ୍କାଳୀନ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ରିଲାଏନ୍‌ସ ଇନସ୍ୟୁରାନ୍‌ସ ଦ୍ୱାରା ପ୍ରସ୍ତାବିତ ଏକ ଯୋଜନାକୁ କାର୍ଯ୍ୟକାରୀ କରାଇବାକୁ ଚେଷ୍ଟା କରିଥିଲେ। ତେବେ, ଯେତେବେଳେ ମଲ୍ଲିକ ସ୍ପଷ୍ଟ କରିଥିଲେ ଯେ ଏହି ଯୋଜନା ବାତିଲ ହୋଇଛି ଏବଂ କାଗଜପତ୍ର ପ୍ରସ୍ତୁତ ହୋଇଯାଇଛି, ମାଧବ ନିରାଶ ହୋଇ ଫେରି ଯାଇଥିଲେ।

କୋର୍ଟରେ ପାକିସ୍ତାନ ସରକାରଙ୍କ ଯୁକ୍ତି । ନିର୍ବାଚନ କଲେ ଭାରତ ଆମ ଉପରେ ଆକ୍ରମଣ କରିଦେବ


ଇସ୍ଲାମାବାଦ, ପାକିସ୍ତାନର ଲୋକମାନେ ଏବେ ଆର୍ଥିକ ସଂକଟ ମଧ୍ୟଦେଇ ଗତିକରୁଥିବାବେଳେ ସେଠାକାର ସରକାର ନିଜ ବିଫ​ଳତାକୁ ମାନିବା ବଦଳରେ ଭାରତ ଆକ୍ରମଣ କରିଦେବ ବୋଲି ଲୋକଙ୍କୁ ଡରାଉଛନ୍ତି । ଏପରିକି ପଞ୍ଜାବ (ପାକିସ୍ତାନ)ରେ ନିର୍ବାଚନ କଲେ ଭାରତ ତାହାର ସୁଯୋଗରେ ଆକ୍ରମଣ କରି ଦେବ ବୋଲି ପାକ୍ ସରକାର ସେଠାକାର କୋର୍ଟରେ କହିଛନ୍ତି ।

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନଉପରେ କୋର୍ଟ ଶୁଣାଣି କରୁଛନ୍ତି। ମାର୍ଚ୍ଚ ମାସରେ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) କହିଥିଲେ ଯେ ପାକିସ୍ତାନ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଦେଶରେ ସୁରକ୍ଷା ସ୍ଥିତି ବିଗିଡ଼ିଯାଇଛି। ଏଭଳି ସ୍ଥିତିରେ ପଞ୍ଜାବ ପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇପାରିବ ନାହିଁ। ସେପଟେ ଶାହାବାଜ ସରକାର ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି । ଯେଉଁଥିରେ ଭାରତ ସହ ଯୁଦ୍ଧ ବିଷୟରେ ଉଲ୍ଲେଖ ରହିଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଗୁରୁବାର ଏହି ରିପୋର୍ଟ ସୁପ୍ରିମ୍ କୋର୍ଟରେ ଦାଖଲ କରାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ଯଦି ପଞ୍ଜାବରେ ନିର୍ବାଚନ ହୁଏ, ତେବେ ଭାରତ ଏହାର ଫାଇଦା ଉଠାଇ ଦେଶରେ ଅସ୍ଥିରତା ଏବଂ ଜଳ ବିବାଦ ସମେତ ଅନ୍ୟାନ୍ୟ ବିବାଦୀୟ ପ୍ରସଙ୍ଗର ଫାଇଦା ଉଠାଇପାରିବ। ରିପୋର୍ଟରେ ପାକିସ୍ତାନ ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଏହା ପାକିସ୍ତାନକୁ ‘ଗ୍ଲୋବାଲ୍ ଗ୍ରେଟ୍ ଗେମ୍’ର ଶିକାର କରିବ, ଯେଉଁଠାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛି। ସେପଟେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ରିପୋର୍ଟ ଜରିଆରେ ପଞ୍ଜାବରେ ନିର୍ବାଚନ ତାରିଖର ଆଦେଶ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛି ।

ଇଦ୍‌-ଉଲ୍‌ ଫିତର ପାଇଁ  ଭାଇଚାରାର ସହର କଟକରେ ମୁତୟନ ରହିବେ ୨୦ ପ୍ଲାଟୁନ ପୁଲିସ୍‌ ଫୋର୍ସ


କଟକ, ସଂଖ୍ୟାଲଘୁ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌-ଉଲ୍‌ ଫିତର ପାଇଁ ଏବେ ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଏଥିପାଇଁ ସଜେଇ ହେଲାଣି ଭାଇଚାରାର ସହର କଟକ। ସୁସଜ୍ଜିତ ଆଲୋକ ମାଳାରେ ଝଲସିଲାଣି କଦମ ଏ ରସୁଲ। ବଜାରରେ ବି ଜମିଲାଣି ଭିଡ଼। ବିଭିନ୍ନ ଦେଶୀ ଓ ବିଦେଶୀ ଜିନିଷ ସାଙ୍ଗକୁ ଲଚ୍ଛା, ଖଜୁର, ଅତ୍ତର ଦୋକାନରେ ଏବେ ଲାଗିଛି ଲୋକଙ୍କ ଗହଳି। ଆନନ୍ଦ ଉଲ୍ଲାସର ପର୍ବ ଇଦ ଉଲ ଫିତର। ଭାଇଚାରାର ସହର କଟକରେ ଜମିଲାଣି ମାହୋଲ। ସଜେଇ ହେଲାଣି ବିଭିନ୍ନ ମସଜିଦ। ସୁସଜ୍ଜିତ ଆଲୋକ ମାଳାରେ ଝଲସିଲାଣି କଦମ ଏ ରସୁଲ। ଇଦ ପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।

ଏକ ମାସ ବ୍ୟାପି ଓଷା ଉପବାସ ପରେ ଇଦ୍‌ରେ ଘରେ ଘରେ ଜମିବ ଖାଇବା ପିଇବାର ଆସର। ଆଉ ନୂଆ ପୋଷାକ ପରିଧାନ କିଣାକିଣି ସହ ଖଜୁର, ଲଚ୍ଛା, ଅତ୍ତର ଦୋକାନରେ ଲାଗିଲାଣି ମୁସଲିମ ଭାଇ ଭଉଣୀଙ୍କର ଭିଡ। ତେବେ ଆଜି ସାଉଦି ଆରବରେ ଇଦ ପାଳନ ହେଉଛି। ଆଜି ଚାନ୍ଦ କମିଟିର ବୈଠକ କଟକରେ ଅନୁଷ୍ଠିତ ହେଲା ପରେ ଆସନ୍ତାକାଲି (ଶନିବାର) ଇଦ ପାଳନ ହେବ ବୋଲି କହିଛନ୍ତି କଦମ ଏ ରସୁଲ ପରିଚାଳନା କମିଟି ସଭାପତି ରମଯାନ ଖାଁନ। ଅନ୍ୟପଟେ ଇଦ ପାଇଁ ବଜାରରେ ମେଲିଛି ଦେଶୀ ବିଦେଶୀ ସାମଗ୍ରୀର ପସରା। ଅତ୍ତର, ସୁରମା ଠାରୁ ଆରମ୍ଭ କରି ଖଜୁର, ଲଚ୍ଛା, ଫାଲୁଦା, ସର୍ବତ ଯାଏ । କିଣାକିଣି ପାଇଁ ଏବେ ଇଦ ମାର୍କେଟରେ ଗହଳି ଚହଳି।

ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ମୁମ୍ବାଇ, କୋଲକାତା ସହ ଟ୍ୟୁନିସିଆ, ଇରାକ ଓ ସାଉଦି ଆରବ, ଆଫଗାନିସ୍ତାନରୁ ଆସିଛି ଭଳିକି ଭଳି ସାମଗ୍ରୀ। ତେବେ କୋଲକାତାର ପ୍ରସିଦ୍ଧ କରୋଡିଆ ଆଫଲାତୁନ, ଗାଜର ହଲୁଆ ଏବଂ ମସାକ୍ ହାଲୁଆ ରହିଛି ଅଧିକ ଡ଼ିମାଣ୍ଡ। ଏହାସହ ଅଜମେରୀ, ମଦିନା ଏବଂ ବରେଲି ଟୋପି ସହ ୭୦ ପ୍ରକାରର ଅତର ବିଭିନ୍ନ ଦେଶରୁ ଆସିଛି ବଜାରକୁ। ଆଉ ଦର ଭଲ ରହିଥିବାରୁ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି ବ୍ୟବସାୟୀ। ଏହାସହ କଟକର ଥିବା ପ୍ରମୁଖ ମସଜିଦ ଯେପରି କଦମ ଏ ରସୁଲ, ଇଦ୍‌ଗା, ବଡି ମସଜିଦ, ଛୋଟୀ ମସଜିଦ, ପଲଟନ ମସଜିଦ, ଜାମା ମସଜିଦ ଆଦିରେ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।

ତେବେ ଏହି ପବିତ୍ର ଦିନ ପାଇଁ କଟକ ଉତ୍ସବ ମୁଖର ରହିଛି। ସେହିପରି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ସହରରେ ୨୦ ପ୍ଲାଟୁନ ମୁତୟନ କରାଯିବ। ପେଟ୍ରୋଲିଂ ମଧ୍ୟ ଜାରି ରହିଛି। ସୋସିଆଲ ମିଡ଼ିଆ ଉପରେ ଖାସ କରି ନଜର ରହିଛି। ଏହାସହ କୌଣସି ବ୍ୟକ୍ତି ବିଶୃଙ୍ଖଳା ସୃଷ୍ଟି କରନ୍ତି‌ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି କଟକ ଡ଼ିସିପି ପିନାକ ମିଶ୍ର।

ସୋନିଆ ଗାନ୍ଧିଙ୍କ ସମ୍ପର୍କୀୟ ବୀରା ଗାନ୍ଧିଙ୍କ ସମ୍ପତ୍ତିକୁ ବଳପୂର୍ବକ ଦଖଲ କରି ନେଇଥିଲା ଅତିକ୍ ଅହମ୍ମଦ


ପ୍ରୟାଗରାଜ, ଗୁଳିମାଡ଼ରେ ପ୍ରାଣ ହରାଇଥିବା ଅତିକ ଅହମଦଙ୍କ ଅପରାଧିକ ସାମ୍ରାଜ୍ୟ ବେଶ ଲମ୍ବା। ଏବେ ତା’ର ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଏକଦା କଂଗ୍ରେସ ହେଭିୱେଟ ସୋନିଆ ଗାନ୍ଧିଙ୍କ ଜଣେ ସମ୍ପର୍କୀୟଙ୍କ ସମ୍ପତ୍ତିକୁ ବଳପୂର୍ବକ ଦଖଲ କରି ନେଇଥିଲେ। ୨୦୦୭ରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏହି ଘଟଣା ଘଟିଥିଲା। ଅତିକ ବଳପୂର୍ବକ ବୀରା ଗାନ୍ଧିଙ୍କ ସମ୍ପତ୍ତିକୁ ଜବରଦଖଲ କରିନେଇଥିଲେ। ବୀରା ହେଉଛନ୍ତି ସୋନିଆ ଗାନ୍ଧିଙ୍କ ଶ୍ୱଶୁର ଫିରୋଜ ଗାନ୍ଧିଙ୍କ ସମ୍ପର୍କୀୟ। ଘଟଣା ବେଳେ ଅତିକ ଫୁଲପୁରରୁ ସାଂସଦ ଥିଲେ ଓ ତାଙ୍କ ଦଳ ସମାଜବାଦୀ ପାର୍ଟି ରାଜ୍ୟରେ କ୍ଷମତାରେ ରହିଥିଲା। ତେଣୁ କେହି ବି ବୀରା ଗାନ୍ଧିଙ୍କ ସହଯୋଗ କରିବାକୁ ଆସି ନଥିଲେ। ଶେଷରେ ସେ ସୋନିଆ ଗାନ୍ଧିଙ୍କ ସହାୟତା ଲୋଡ଼ିଥିଲେ।

ସୋନିଆଙ୍କ ହସ୍ତକ୍ଷେପ ଯୋଗୁ ଅତିକ ଉପଯୁକ୍ତ ଲୋକଙ୍କୁ ସମ୍ପତ୍ତିର ଚାବି ଫେରାଇ ଥିଲେ। ସୋନିଆ ଗାନ୍ଧିଙ୍କ ଅନେକ ସମ୍ପର୍କୀୟ ପ୍ରୟାଗରାଜରେ ରୁହନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୀରା ଗାନ୍ଧି। ପ୍ରୟାଗରାଜର ଏମଜି ମାର୍ଗ ନିକଟରେ ଦି ପ୍ୟାଲେସ ଥିଏଟର ଥିଲା। ଏହା ବୀରା ଗାନ୍ଧିଙ୍କ ପରିବାର ଲୋକଙ୍କ ନାଁରେ ପଞ୍ଜିକୃତ ହୋଇଥିଲା।ବୀରା ଗାନ୍ଧି ପ୍ୟାଲେସ ଥିଏଟର ପଛ ପାଖରେ ଥିବା ଗୋଟିଏ ସମ୍ପତ୍ତି ମଧ୍ୟ ପାଇଥିଲେ। ଅତିକ ଅହମଦ ଉକ୍ତ ଅଞ୍ଚଳରେ ଆସ୍ଥାନା ପରିବାର ଠାରୁ କିଛି ଜମି କିଣିଥିଲେ। ତାଙ୍କ ଜମି ନିକଟରେ ବୀରା ଗାନ୍ଧିଙ୍କ ସମ୍ପତ୍ତି ରହିଥିଲା। ଏକଥା ଜାଣିବା ପରେ ଅତିକ କିଛି ଗୁଣ୍ଡାଙ୍କୁ ଲଗାଇ ଉକ୍ତ ଅଞ୍ଚଳକୁ ଦଖଲ କରିଥିଲେ ଓ ସେଠାରେ ତାଲା ପକାଇ ଦେଇଥିଲେ।

ଏହି ସମୟରେ ସୋନିଆ ଗାନ୍ଧି କଂଗ୍ରେସ ଓ ୟୁପିଏର ଅଧ୍ୟକ୍ଷ ରହିଥିଲେ। କେନ୍ଦ୍ରରେ କଂଗ୍ରେସ କ୍ଷମତାରେ ମଧ୍ୟ ରହିଥିଲା। ଅତିକଙ୍କ ବିରୋଧରେ ବୀରା ଗାନ୍ଧି ପ୍ରଥମେ ପୁଲିସ୍‌ର ସହାୟତା ଲୋଡ଼ିଥିଲେ। କିନ୍ତୁ କିଛି ଲାଭ ମିଳି ନଥିଲା। ସବୁଆଡ଼ୁ ନିରାଶ ହେବା ପରେ ସେ ସୋନିଆ ଗାନ୍ଧିଙ୍କ ପାଖରେ ପହଞ୍ଚିଥିଲେ। ସୋନିଆ ତୁରନ୍ତ ପ୍ରୟାଗରାଜରେ କଂଗ୍ରେସ ମଙ୍ଗ ସମ୍ଭାଳୁଥିବା ରିତା ବହୁଗୁଣା ଯୋଶୀଙ୍କୁ ସବୁ କିଛି ବୁଝିବାକୁ ଦାୟିତ୍ୱ ଦେଇଥିଲେ। ସେ ଜିଲ୍ଲା ପ୍ରଶାସନ ସହ କଥା ହୋଇ ମାମଲାର ସମାଧାନ କରିଥିଲେ। ଏନେଇ ବୀରା କୌଣସି ପ୍ରକାରର ପୁଲିସ୍‌ କେସ୍‌ କରି ନଥିଲେ।

ରିୟଲି ଷ୍ଟେଟ କଥା ଆସିଲେ ଅତିକ ଅହମଦ ନିଜର ଦବଦବା ଦେଖାଉଥିଲେ। ସହରରେ ସେ ଅନେକ ଲୋକଙ୍କ ସମ୍ପତ୍ତିକୁ ବଳପୂର୍ବକ ଦଖଲ କରିଥିଲେ। କିନ୍ତୁ ବୀରା ଗାନ୍ଧିଙ୍କ ଘଟଣାରେ ତାଙ୍କୁ ସମ୍ପତ୍ତି ଫେରାଇବାକୁ ପଡ଼ିଥିଲା ବୋଲି ୨୦୦୧-୦୩ ଯାଏ ପ୍ରୟାଗରାଜର ଏସ୍‌ପି ଭାବେ କାମ କରିଥିବା ପୂର୍ବତନ ଆଇଜି ଲାଲଜୀ ଶୁକ୍ଳା କହିଛନ୍ତି। ବୀରା ଗାନ୍ଧି ପରବର୍ତ୍ତୀ ଅବସ୍ଥାରେ ନିଜର ଅନେକ ସମ୍ପତ୍ତି ବିକ୍ରି କରି ମୁମ୍ବାଇ ଚାଲି ଆସିଥିଲା। ଏବେ ସେ ଅତିକଙ୍କ ସମ୍ପର୍କରେ କିଛି କହିବାକୁ ଚାହୁଁ ନଥିବା କହିଛନ୍ତି।

ରାମଲଲାଙ୍କ ଜଳାଭିଷେକ ପାଇଁ ପାକିସ୍ତାନ ସମେତ ୧୫୫ ଦେଶର ନଦୀରୁ ଆସିଲା ପବିତ୍ର ପାଣି


ନୂଆଦିଲ୍ଲୀ, ରାମ ଲାଲାଙ୍କର ଜଳାଭିଷେକ ହେବ। ଏଥିପାଇଁ ୧୫୫ଟି ଦେଶର ନଦୀରୁ ପାଣି ଆସି ଉତ୍ତର ପ୍ରଦେଶରେ ପହଞ୍ଚିଛି। ଉଜବେକିସ୍ତାନ, ପାକିସ୍ତାନ ଓ ଚୀନ ନଦୀରୁ ବି ପାଣି ଆସି ଗୁରୁବାର  ସକାଳେ ଅଯୋଧ୍ୟାରେ ପହଞ୍ଚିଛି। ଏପ୍ରିଲ ୨୩ ତାରିଖର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ପାଣିରେ ରାମ୍ ଲାଲାଙ୍କର ଜଳାଭିଶେକ କରିବେ। 

୧୫୫ଟି ଦେଶର ନଦୀରୁ ଜଳ ସଂଗ୍ରହ କରି ଅଯୋଧ୍ୟା ଆଣିବାର ଦାୟିତ୍ୱ ଦିଲ୍ଲୀ ବିଜେପି ନେତା ବିଜୟ ଜଲୀଙ୍କୁ ଦିଆଯାଇଥିଲା। ଏବେ ସେ ୧୫୫ଟି ଦେଶର ନଦୀରୁ ଜଳ ସଂଗ୍ରହ କରି ଏହାକୁ ଅଯୋଧ୍ୟାରେ ପହଞ୍ଚାଇ ଦେଇଛନ୍ତି। ଉପରୋକ୍ତ ୩ ଦେଶ ବ୍ୟତୀତ ତାଞ୍ଜାନିଆ, ନାଇଜେରିଆ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେପାଳ, ଭୁଟାନ, ମାଳଦ୍ୱୀପ ଓ ବାଂଲାଦେଶକୁ ମଧ୍ୟ ଜଳାଭିଷେକ ପାଇଁ ପାଣି ଅଣାଯାଇଛି। ଏପ୍ରିଲ୍ ୨୩ ତାରିଖରେ ମଣିରାମ ଦାସ ଚାୱନୀ ଅଡିଟୋରିଆମ ସେଣ୍ଟରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଳାଭିଷେକ କରିବେ।

ବିଜେପି ନେତା ବିଜୟ କହିଛନ୍ତି, ଆଣ୍ଟ୍ରାଟିକାରୁ ମଧ୍ୟ ଜଳ ଅଯୋଧ୍ୟାକୁ ଆସିଛି। ସାଧାରଣ ସେଠାରେ କେହି ପହଞ୍ଚି ପାରନ୍ତି ନାହିଁ। କିନ୍ତୁ ରାମ ଲଲାଙ୍କ ପାଇଁ ସେଠାରୁ ମଧ୍ୟ ପାଣି ଅଣାଯାଇଥିବା ସେ କହିଛନ୍ତି। ଏପ୍ରିଲ ୨୩ ତାରିଖରେ ମଣିଦାସ ଚୱନି ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଳ କଳସ ଗ୍ରହଣ କରିବେ। ଏହାପରେ ଏହାକୁ ସେମାନେ ପୂଜା କରିବେ। ପାଣି ଯେଉଁ ସବୁ ଦେଶରୁ ଆସିଛି, କଳସରେ ସେହି ଦେଶର ପତାକା, ଦେଶର ନାଁ ଓ ନଦୀର ନାଁ ଥିବା ଷ୍ଟିକର ଲଗାଯିବ। କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ମଧ୍ୟ ଭାଗ ନେବେ।

ପାକିସ୍ତାନରେ ରହୁଥିବା ହିନ୍ଦୁମାନେ ପ୍ରଥମେ ସେଠାକାର ନଦୀର ଜଳ ଦୁବାଇ ପଠାଇଥିଲେ। ଦୁବାଇରୁ ଏହା ଦିଲ୍ଲୀକୁ ଅଣାଯାଇଛି। ଦିଲ୍ଲୀରୁ ବିଜୟ ଜଲୀ ପାଣିକୁ ଅଯୋଧ୍ୟା ଆଣିଛନ୍ତି। ୟୁକ୍ରେନ, ରୁଷ, ତିବ୍ବତ, କାନାଡା ଓ କାଜାଖସ୍ତାନରୁ ମଧ୍ୟ ଜଳାଭିଷେକ ପାଣି ଅଯୋଧ୍ୟାକୁ ଆସିଛି। ଯେଉଁ ଯେଉଁ ଦେଶରୁ ପାଣି ଆସିଛି ସେହିସବୁ ଦେଶର ଜାତୀୟ ପତାକା ଓ ଦେଶର ନା ଜଳପାତ୍ରରେ ଲେଖାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରେ ଦୂତାବାସ ମଧ୍ୟ ସହଯୋଗ କରିଛନ୍ତି। ପ୍ରଥମେ ପାକିସ୍ତାନର ହିନ୍ଦୁମାନଙ୍କ ଦ୍ୱାରା ନଦୀ ଜଳ ପଠାଯାଇଥିଲା। ସେମାନେ ପ୍ରଥମେ ଦୁବାଇକୁ ନଦୀ ଜଳ ପଠାଇଥିଲେ। ସେଠାରୁ ପବିତ୍ର ଜଳକୁ ଦିଲ୍ଲୀ ଅଣାଯାଇଥିଲା।

ମୂର୍ତ୍ତି ସଫା କରୁ କରୁ ଭାଙ୍ଗିଗଲା ଅଙ୍ଗୁଠି । ଗଛରେ ବାନ୍ଧି ଯୁବକଙ୍କୁ ପିଟି ମାରିଦେଲେ ଉତ୍ତ୍ୟକ୍ତ ପୂଜକ


ଗୁରୁଗ୍ରାମ,ମନ୍ଦିରର ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସଫା କରୁଥିଲେ ଯୁବକ । ଏହି ସମୟରେ ଭାଙ୍ଗିଗଲା ଏକ ମୂର୍ତ୍ତିର ଅଙ୍ଗୁଠି । ଏଥିରେ ଉତ୍ତ୍ୟକ୍ତ ପୂଜକ ସମ୍ପୃକ୍ତ ଯୁବକଙ୍କୁ ଗଛରେ ବାନ୍ଧି ପିଟି ପିଟି ମାରିଦେଲେ। ଏପରି ଅଭାବନୀୟ ଘଟଣା ଗୁରୁଗ୍ରାମର ଖାଣ୍ଡସା ଗାଁରେ ଘଟିଛି। ମୃତ ଯୁବକଜଣକ ନେପାଳ ନାଗରିକ ବୋଲି ଜଣାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କିଛି ଦିନ ହେବ ମନ୍ଦିରରେ ଟାଇଲ ବିଛାଇବା କାମ ହେଉଥିଲା। ଏହି ସମୟରେ ଗତ ବୁଧବାର ଜଣେ ଯୁବକ ଆସି ମନ୍ଦିର ମୂର୍ତ୍ତି ସଫା କରିବାକୁ ଲାଗିଲେ। ଏହି ସମୟରେ ଏକ ମୂର୍ତ୍ତିର ଅଙ୍ଗୁଠି ଭାଙ୍ଗିଗଲା। ଏନେଇ ଖବର ପାଇ ପୂଜକ ଘଟଣାସ୍ଥଳରେ ପହଞ୍ଚିଲେ। ଭଗ୍ନ ମୂର୍ତ୍ତ ଦେଖି ରାଗି ପଞ୍ଚମ ହୋଇ ଯାଇଥିବା ପୂଜକ ସମ୍ପୂର୍ଣ୍ଣ ଯୁବକଙ୍କୁ ଏକ ଠେଙ୍ଗାରେ ପ୍ରବଳ ପିଟିଲେ। ଏଥିରେ ତାଙ୍କ ରାଗ ଶାନ୍ତ ନ ହେବାରୁ ମନ୍ଦିର ପରିସରରେ ଥିବା ଏକ ଗଛରେ ପୂଜକଙ୍କ ସମେତ କିଛି ଲୋକ ତାଙ୍କୁ ବାନ୍ଧି ନିର୍ଧୂମ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯୁବକଙ୍କ ନିକଟରୁ ମିଳିଥିବା ଆଧାର କାର୍ଡରେ ସେ ନେପାଳ ନାଗରିକ ବୋଲି ସ୍ପଷ୍ଟ ହୋଇଛି । ଏନେଇ ତାଙ୍କ ପରିବାରକୁ ସୂଚନା ଦିଆଯାଇଛି।ଏହି ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ୍‌ ପୂଜକଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଯଦି ଅଜିତ୍ ପାଓ୍ଵାର ଏନସିପି ନେତାଙ୍କ ସହ ବିଜେପିରେ ଯୋଗ ଦିଅନ୍ତି ଆମେ ମେଣ୍ଟରୁ ଓହରିବୁ- ସିନ୍ଦେ ଗୋଷ୍ଠୀ


ମୁମ୍ବାଇ ,ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ବିଜେପି ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ମଧ୍ୟରେ ମତଭେଦ ଦେଖାଦେଇଛି । ଦଳର ମୁଖପାତ୍ର ସଞ୍ଜୟ ଶିରସାତ୍ କହିଛନ୍ତି ଯେ, ଜାତୀୟତାବାଦୀ କଂଗ୍ରେସ ଦଳ(ଏନସିପି) ନେତା ଅଜିତ୍ ପାଓ୍ଵାର ଯଦି ନିଜ ପାର୍ଟିର ସଦସ୍ୟ ସହ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦିଅନ୍ତି ତେବେ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନା ଦଳ ମହାରାଷ୍ଟ୍ର ସରକାରରୁ ଓହରି ଯିବ। ବୁଧବାର ଏମିତି ଚରମ ଚେତାବନୀ ଦେଇଛନ୍ତି ଶିବସେନାର ମୁଖପାତ୍ର ସଞ୍ଜୟ ଶିରସଠ।

ଶିରସାତ୍ ମଙ୍ଗଳବାର ମୁମ୍ବାଇରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ଅନୁଭବ କରନ୍ତି ଯେ ଏନସିପି ସିଧାସଳଖ ବିଜେପି ସହ ହାତ ମିଳାଇବ ନାହିଁ। ଏଣୁ ଆମ ରଣନୀତି ସ୍ପଷ୍ଟ ରହିଛି। ଏନସିପି ହେଉଛି ସେହି ଦଳ ଯିଏ ଠକେଇ କରିଥାଏ । ଆମେ ଏନସିପି ସହ ମିଶି ଶାସନ କରିବୁ ନାହିଁ । ଯଦି ବିଜେପି ଏନସିପି ସହ ଯିବ ତେବେ ମହାରାଷ୍ଟ୍ର ଲୋକେ ଏହାକୁ ପସନ୍ଦ କରିବେ ନାହିଁ । ଆମେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲୁ କାରଣ ଲୋକମାନେ ଆମକୁ କଂଗ୍ରେସ ଏବଂ ଏନସିପି ସହିତ ରହିବାକୁ ପସନ୍ଦ କରୁନଥିଲେ।

ଅଜିତ୍ ପାଓ୍ଵାରଙ୍କ ଏନସିପିରେ ପୂର୍ବପରି ପତିଆରା ନାହିଁ। ଯଦି ସେ ଏନସିପି ଛାଡି ଦିଅନ୍ତି, ତେବେ ଆମେ ତାଙ୍କୁ ସ୍ଵାଗତ କରିବୁ। କିନ୍ତୁ ଏନସିପିର ନେତାଙ୍କ ସହ ଯୋଗ ଦେଲେ ଆମେ ମହାରାଷ୍ଟ୍ର ସରକାରରୁ ଓହରିଯିବୁ। ପୁଅ ପାର୍ଥ ପାଓ୍ଵାରଙ୍କ ନିର୍ବାଚନରେ ପରାସ୍ତ ନେଇ ଅଜିତ୍ ପାଓ୍ଵାର ଦୁଃଖିତ। ଶିବସେନାର ୧୬ ବିଧାୟକ ଅଯୋଗ୍ୟ ସଂପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ସେ ଦୁଃଖିତ ନାହାନ୍ତି ବୋଲି ଶିରସଠ କହିଛନ୍ତି।

ସେ କହିଛନ୍ତି, ଆମେ କଂଗ୍ରେସ ଓ ଏନସିପି ଛାଡିଥିଲୁ କାରଣ ଆମେ ସେମାନଙ୍କ ସହିତ ରହିବାକୁ ଚାହୁଁନଥିଲୁ । ଏନସିପିରେ ଅଜିତ ପାୱାରଙ୍କର ସମ୍ପୂର୍ଣ୍ଣ ସ୍ୱାଧୀନତା ନାହିଁ। ତେଣୁ ଯଦି ସେ  ଏକୁଟିଆ ଏନସିପି ଛାଡିବେ ତେବେ ଆମେ ତାଙ୍କୁ ସ୍ୱାଗତ କରିବୁ । ଯଦି ସେମାନେ ଏନସିପି ନେତାଙ୍କ ଏକ ଗୋଷ୍ଠୀ ସହ ଆମ ପଟକୁ ଆସନ୍ତି, ତେବେ ଆମେ ମେଣ୍ଟ ସରକାରରେ ସାମିଲ ହେବୁ ନାହିଁ । ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ବ୍ୟତୀତ କଂଗ୍ରେସ ଏବଂ ଏନସିପି ମହାରାଷ୍ଟ୍ରର ପୂର୍ବ ମହାବିକାଶ ଆଘାଡି (ଏମଭିଏ) ସରକାରରେ ସାମିଲ ଥିଲେ।
Powered by Blogger.
Javascript DisablePlease Enable Javascript To See All Widget