ଭୁବନେଶ୍ୱର, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଜାରି କରାଯାଇଥିବା ଆଂଶିକ ଲକ୍ଡାଉନ୍ ଯୋଗୁ କରୋନା ସଂକ୍ରମଣ ଅନେକ ପରିମାଣରେ ହ୍ରାସ ପାଇଛି ବୋଲି ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ପ୍ରଦୀପ କୁମାର ଜେନା କହିଛନ୍ତି । ଏଥିରୁ ମିଳିଥିବା ସୁଫଳ ଅନୁସାରେ ପର୍ଯ୍ୟାୟକ୍ରମେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆଜି କରୋନା ପରିଚାଳନାର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ହାରକୁ ଲକ୍ଷ୍ୟକରି ଲକ୍ଡାଉନ୍ କଟକଣା କୋହଳ କରାଯାଇଛି । ଶ୍ରୀ ଜେନା କହିଥିଲେ ଯେ ଆଗକୁ ଅଧିକ ସତର୍କ ଓ ସଚେତନ ରହିବାକୁ ହେବ । ଅଗଷ୍ଟ ମାସରେ ସାରା ରାଜ୍ୟରେ ପର୍ଯ୍ୟାୟକ୍ରମ ଅନ୍ଲକ୍ ଲାଗୁ ହେବ । ପ୍ରତ୍ୟେକ ଦିନ ରାତ୍ରି ୮ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫୁ ଜାରିରହିବ ।
କେବଳ କଟକ, ଭୁବନେଶ୍ୱର ଓ ପୁରୀ ସହରକୁ ଛାଡି ସାରା ରାଜ୍ୟରୁ ସପ୍ତାହନ୍ତ ସଟ୍ଡାଉନ୍ ଉଠିବ । କେବଳ ଏହି ତିନିଟି ସହରରେ ସପ୍ତାହନ୍ତ ସଟ୍ଡାଉନ୍ ଲାଗୁ ହେବ । ସଟ୍ଡାଉନ୍ ସମୟରେ ଏହି ତିନିଟି ସହରରେ ପୂର୍ବ ପର୍ଯ୍ୟାୟ ପରି ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଟେଲିକମ୍,ସ୍ୱାସ୍ଥ୍ୟ ସେବା ଆଦି ସବୁପ୍ରକାର ଜରୁରୀକାଳୀନ ସେବା ଚାଲୁରହିବ । ସାରା ରାଜ୍ୟରେ ସବୁ ପ୍ରକାର ଦୋକାନ ଓ ମଲ୍ ଆଦି ସକାଳ ୬ ଟାରୁ ରାତ୍ରି ୮ ମଧ୍ୟରେ ଖୋଲା ରହିପାରିବ । କିନ୍ତୁ ଭୁବନେଶ୍ୱର, କଟକ ଓ ପୁରୀ ସହରରେ ସପ୍ତାହନ୍ତ ସଟ୍ଡାଉନ୍ ସମୟରେ ଦୋକାନ ବଜାର ବନ୍ଦ ରହିବ । ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ ଅଗଷ୍ଟ ମାସରେ ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସଭାସମିତି, ପ୍ରଦର୍ଶନୀ, ବାଣିଜ୍ୟିକ ମେଳା, ସାଧାରଣ ସମାବେଶ ଓ ମେଳା ମହୋତ୍ସବ ଆଦି ବନ୍ଦ ରହିବ ।
ଚଳିତ ମାସ ସମୁଦ୍ରକୂଳ, ପାର୍କ, ଆହାର କେନ୍ଦ୍ର, ମଲ୍ ଆଦି ଖୋଲା ରହିବ । କିନ୍ତୁ ଏସବୁ ସ୍ଥାନରେ ପରସ୍ପରଠାରୁ ଦୁରତା ରକ୍ଷା ଏବଂ କୋଭିଡ୍ ନିୟମ ଅନୁପାଳନକୁ କଡ଼ା କଡ଼ି ଭାବେ ଲାଗୁ କରାଯିବ । ମଲ୍ ମାଲିକମାନେ ଏକ ସମୟରେ ସିମୀତ ସଂଙ୍ଖ୍ୟକ ଗ୍ରାହକଙ୍କୁ ମଲ୍ ମଧ୍ୟକୁ ପ୍ରବେଶ କରାଇବେ । ଢ଼ାବା, ରେସ୍ତୋରାଁ, ହୋଟେଲ୍ ନିଜ ନିଜ ଖାଇବା ସ୍ଥାନର ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ଚାଲିପାରିବ । ସେହିପରି ସିନେମାହଲ୍, ପ୍ରେକ୍ଷାଳୟ, ଥିଏଟର, ନାଟ୍ୟଶାଳା ଏବଂ ସମ୍ମିଳନୀକକ୍ଷ ଗୁଡିକ ମଧ୍ୟ ବସିବା ଦକ୍ଷତାର ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ । ତେବେ ଏହିସବୁ ସଂସ୍ଥାରେ କୋଭିଡ୍ ନିୟମର ପୂର୍ଣ୍ଣ ଅନୁପାଳନ ଦାୟିତ୍ୱ ସଂପୃକ୍ତ ସଂସ୍ଥା ମାଲିକଙ୍କର ହେବ । କେବଳ କଟକ, ଭୁବନେଶ୍ୱର ଓ ପୁରୀ ସହରରେ ସିନେମାହଲ୍, ଥିଏଟର, ପ୍ରେକ୍ଷାଳୟ, ମଲ୍, ଆଦି ସ୍ଥାନକୁ ପ୍ରବେଶ କରିବାକୁ ହେଲେ ସମସ୍ତ ପ୍ରାପ୍ତ ବୟସ୍କ ଲୋକ ୨ ଡୋଜ୍ ଟିକା ନେଇଥିବାର ପ୍ରମାଣ ଦେଖାଇବେ ।
ରାସ୍ତାକଡ଼ ଦୋକାନରେ ଲୋକ କୋଭିଡ୍ ନିୟମ ଅନୁପାଳନ ସହ ଖାଇପାରିବେ । ଅନୁପାଳନ କଟକଣା ସହ ନିତିଦିନିଆ ଓ ସାପ୍ତାହିକ ହାଟ ଖୋଲା ରହିବ । ଅନ୍ତରାଜ୍ୟ ଏବଂ ଆନ୍ତ-ରାଜ୍ୟ ବସ୍ ଚଳାଚଳ ଚାଲୁ ହେବ । ତେବେ ବସ୍ମାନେ ନିର୍ଦ୍ଧାରିତ ସିଟ୍ ରୁ ଅଧିକ ଯାତ୍ରୀ ନେଇପାରିବେ ନାହିଁ । ଜିଲ୍ଲା ମାଜିଷ୍ଟେଟ୍, ପୌର କମିଶନରମାନେ ସ୍ଥାନୀୟ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ୍ ନିୟମ କଟକଣା ସହ ମନ୍ଦିର, ଧାର୍ମିକ ସ୍ଥଳ ଓ ପୂଜା ସ୍ଥାନ ଆଦିକୁ ଭକ୍ତଙ୍କ ପ୍ରବେଶ ବିଷୟରେ ନିଷ୍ପତ୍ତି ନେଇପାରିବେ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ସଂପୃକ୍ତ ପରିଚାଳନା କମିଟି ଓ ଅନ୍ୟ ଭାଗିଦାର ମାନଙ୍କ ସହ ଆଲୋଚନା କରି ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବା ବିଷୟରେ ନିଷ୍ପତ୍ତି ନେଇପାରିବେ । ତେବେ ମନ୍ଦିରକୁ ଯାଉଥିବା ଭକ୍ତ ଓ ଶ୍ରଦ୍ଧାଳୁ ପ୍ରସାଦ ଓ ଭୋଗଲାଗି କରାଇପାରିବେ ନାହିଁ ।
ଯାତ୍ରା, ଥିଏଟର, ଅପେରା ଓ ମୁକ୍ତକାଶ ରଙ୍ଗମଞ୍ଚ ଆଦିରେ ଦର୍ଶକମାନେ ପରସ୍ପରଠାରୁ ୬ ଫୁଟର ବ୍ୟବଧାନ ରଖିବେ ଏବଂ ସମସ୍ତ କୋଭିଡ୍ ନିୟମ ପାଳନ କରିବେ । ବିବାହ ଓ ବ୍ରତୋପନୟନ କାର୍ଯ୍ୟ ୨୫ ଜଣ ଏବଂ ଅନ୍ତେଷ୍ଟ୍ରି କ୍ରିୟା ୨୦ ଜଣ ବ୍ୟକ୍ତିଙ୍କୁ ଅନୁଷ୍ଠିତ ହୋଇପାରିବ । ତେବେ ଏ ସବୁ ସ୍ଥାନରେ ଭୋଜିଭାତ ହୋଇ ପାରିବ ନାହିଁ । ଆୟୋଜକ ଚାହିଁଲେ ଅତିଥିମାନଙ୍କୁ ଖାଦ୍ୟ ପ୍ୟାକେଟ୍ ପାର୍ଶଲ ଦେଇପାରିବେ । ସମସ୍ତ ସରକାରୀ ଓ ବ୍ୟବସାୟିକ ସଭାରେ ଅତି ବେଶିରେ ୧୦୦ ଜଣ ଏବଂ ଶିଳାନ୍ୟାସ ଓ ଉଦ୍ଘାଟନ ଆଦି କାର୍ଯ୍ୟକ୍ରମରେ ୩୦ ଜଣ ବ୍ୟକ୍ତି କୋଭିଡ୍ ନିୟମର ପୂର୍ଣ୍ଣ ଅନୁପାଳନସହ ଅଂଶ ଗ୍ରହଣ କରିପାରିବେ । ସମସ୍ତ ଶିକ୍ଷନୁଷ୍ଠାନ କୋଚିଂ ସେଣ୍ଟର ଆଦି ସଂପୃକ୍ତ ପ୍ରଶାସନିକ ବିଭାଗଙ୍କର ଗାଇଡ୍ ଲାଇନ୍ ଅନୁସାରେ ଚାଲିପାରିବ । ସରକାରୀ ଏବଂ ଘରୋଇ ସଂସ୍ଥାମାନେ ମଧ୍ୟ କୋଭିଡ୍ ନିୟମ ଅନୁପାଳନସହ ତାଲିମ ଏବଂ ଦକ୍ଷତା ଅବିବୃଦ୍ଧି ଆଦି କାର୍ଯ୍ୟକ୍ରମ ଆୟୋଜନ କରିପାରିବେ ।
ପର୍ଯ୍ୟଟନ ସ୍ଥାନ, ସଂଗ୍ରହାଳୟ, ପତ୍ନତାତ୍ତିକ ସ୍ଥାନ, ଇନ୍ଡୋର୍, ଆମୋଦ କେନ୍ଦ୍ର, ଆମୋଦ-ପ୍ରମୋଦ ପାର୍କ, ଓ୍ୱାଟର ପାର୍କ, ଚିଡ଼ିଆଖାନା, ମୀନାବଜାର, ମାରି-ଗୋରାଉଣ୍ଡ ଦୋଳି, ସୁଇମିଂ ପୁଲ୍ ଆଦି କୋଭିଡ୍ ନିୟମ କଟକଣାସହ ଖୋଲାଯାଇ ପାରିବ । ୨ ଚକିଆ ଓ ୪ ଚକିଆ ଯାନ, ଅଟୋରେକ୍ସା, ଓଲା, ଉବେର ଆଦି ଯାନମାନେ ନିର୍ଦ୍ଧାରିତ ସିଟ୍ ଅନୁସାରେ ଯାତ୍ରୀ ନେବା ଆଣିବା କରିପାରିବେ । ରାତ୍ରିକାଳୀନ କର୍ଫୁ ଏବଂ ସପ୍ତାହନ୍ତ ଲକ୍ଡାଉନ୍ ( କଟକ, ପୁରୀ ଓ ଭୁବନେଶ୍ୱର ) ସମୟରେ ପୂର୍ବପରି କଟକଣା ଜାରିରହିବ । ତେବେ ଏ ସମୟରେ ଜରୁରୀକାଳୀନ ସେବା, ସ୍ୱାସ୍ଥ୍ୟ ସେବା କୋଭିଡ୍ ପରୀକ୍ଷା ଓ ଟିକାକରଣ ଆଦି କାର୍ଯ୍ୟ ଚାଲୁ ରହିବ । ବିଜୁଳି, ବିମାନବନ୍ଦର, ପରିବହନ ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିମାନେ ନିଜର ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । ବିମାନବନ୍ଦର, ରେଳଷ୍ଟେସନ ଏବଂ ବସ୍ଷ୍ଟାଣ୍ଡରୁ ଅଟୋରେକ୍ସା ବା କ୍ୟାବ ଚାଳକମାନେ ଯାତ୍ରୀ ନେବା ଆଣିବା କରିପାରିବେ ।
କର୍ଫ୍ୟୁ ସମୟରେ ଯିବା ଆସିବା କରୁଥିବା ବ୍ୟକ୍ତିମାନେ ଯାତ୍ରା ସମ୍ବନ୍ଧିତ ଟିକେଟ, ଦସ୍ତାବିଜ ଏବଂ ନିଜର ପରିଚୟପତ୍ର ଦେଖାଇ ଯାଇପାରିବେ । ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ବିଶେଷ, ଏକାଧିକ ରୋଗରେ ପିଡୀତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ଶିଶୁ ନିଜ ନିଜର ସୁରକ୍ଷା ପାଇଁ ବାହାରେ ବୁଲାବୁଲି ନକରି ଘର ମଧ୍ୟରେ ରହିବା ପାଇଁ ଶ୍ରୀ ଜେନା ଅନୁରୋଧ କରିଥିଲେ । ସମସ୍ତ ସ୍ଥାନରେ ଓ ଯାତ୍ରୀପରିବହନରେ କୋଭିଡ୍ ନିୟମ ଅନୁପାଳନ ବାଧ୍ୟତାମୂଳକ ହେବ । ଅବମାନନାକାରୀଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ୍-୨୦୦୫ କୋଭିଡ୍ ନିୟନ୍ତ୍ରଣ ନିୟମ-୨୦୨୦ ଏବଂ ଭାରତୀୟ ପିଙ୍ଗଳ କୋର୍ଡ ଅନୁସାରେ ସଂପୃକ୍ତ କର୍ତ୍ତୁପକ୍ଷମାନେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେବୋଲି ଶ୍ରୀ ଜେନା ଅମାନିଆଙ୍କୁ ସତର୍କ କରାଇଦେଇଥିଲେ । କରୋନା ସ୍ଥିତି ପରିଚାଳନାରେ ଗ୍ରାମ ପଂଚାୟତମାନଙ୍କର ଅତି ଗରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ।
ନିଜ ଅଂଚଳରେ କରୋନା-ପ୍ରତିରୋଧ ଜୀବନଧାରା ବିଷୟରେ ସଚେତନା ସୃଷ୍ଟି, ବାହାରୁ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ପ୍ରଦାନ, ସଂକ୍ରମଣ ସର୍ବେକ୍ଷଣ, ଘରୋଇ ପୃଥକବାସରେ ରହିଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଦୃଷ୍ଟି, ଆବଶ୍ୟକସ୍ଥଳେ ଡାକ୍ତରଖାନାକୁ ସ୍ଥାନାନ୍ତରକରଣ, କର୍ତ୍ତୁପକ୍ଷଙ୍କୁ କୋଭିଡ୍ ନିୟମ ଉଲଙ୍ଘନ ସମ୍ବନ୍ଧିତ ସୂଚନା ପ୍ରଦାନ ଆଦି ବିଷୟରେ ଗ୍ରାମ ପଂଚାୟତର ସରପଂଚ ଓ ୱାର୍ଡ଼ ମେମ୍ବର ମାନଙ୍କ ସକ୍ରିୟ ସହାୟତା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ଜେନା କହିଥିଲେ । କରୋନା ପରୀକ୍ଷା, ଟ୍ରାକିଂ, ଚିକିତ୍ସା, ଟିକାକରଣ ଏବଂ କୋଭିଡ଼୍ ନିୟମ ଅନୁପାଳନ ଆଦି ୫-ସୁତ୍ରୀ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରାଯିବ ବୋଲି ମଧ୍ୟ କହିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ନିୟମ ଅନୁପାଳନରେ ସହଯୋଗ କରିଥିବାରୁ ଉନ୍ନୟନ କମିଶନର ଶ୍ରୀ ଜେନା ଜନସାଧାରଣ, ଜନ ପ୍ରତିନିଧି, କରୋନା ଯୋଦ୍ଧା ଏବଂ ଆଗ ଧାଡ଼ିର ସେବା ଯୋଗାଣକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ସହଯୋଗ ଓ ଅନୁପାଳନ ଜାରି ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।